spot_img
Home Blog Page 6320

ରାଜ୍ୟରେ ଜାରି ରହିବ ଶିଳ୍ପାୟନ ଧାରା , ୫ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: କରୋନା ରାଜ୍ୟ ଅର୍ଥନୀତିକୁ ପ୍ରଭାବିତ କରିଛି ସତ । ହେଲେ ପ୍ରଶାସନର ମନୋବଳକୁ ଭାଙ୍ଗି ପାରିନାହିଁ । ରାଜ୍ୟ ସରକାର ଶିଳ୍ପାୟନଧାରା ଅବ୍ୟାହତ ରଖିଛନ୍ତି । ଗତକାଲି ୧୦ଟି ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ହୋଇଥିବା ୨ଟିର ଶିଳାନ୍ୟାସ କରାଯାଇଥିଲା । ଏହାର ଠିକ୍ ୨୪ ଘଣ୍ଟା ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିଛନ୍ତି । ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ଅଥରିଟି କମିଟି ଦ୍ୱାରା ୫ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

ଏଥିରେ ପ୍ରାୟ ୧୮୫୧.୯୬ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ । ଏହା ଦ୍ୱାରା ପ୍ରାୟ ୧୬୨୪ ବ୍ୟକ୍ତିବିଶେଷଙ୍କୁ ରୋଜଗାର ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ଏହି ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି- ବାର୍ଷିକ ୨.୦ ମିଲିୟନ ଟନ କ୍ଷମତା ବିଶିଷ୍ଟ ପେଲେଟ ଏବଂ ଗ୍ରାଇଣ୍ଡିଂ ପ୍ଲାଣ୍ଟ । ଏହା କେନ୍ଦୁଝର ଜିଲାରେ ନରଭେରଲ ପାୱାର ଏଣ୍ଡ ଷ୍ଟିଲ ପ୍ରାଃ ଲିଃ ଦ୍ୱାରା କରାଯିବ । ଏହି ୩୫୦ କୋଟି ଟଙ୍କାର ନିବେଶ ଜରିଆରେ ୨୫୮ ଜଣଙ୍କ ପାଇଁ ରୋଜଗାର ସୃଷ୍ଟି କରାଯାଇପାରିବ ।

ଦ୍ୱିତୀୟତଃ ସମ୍ବଲପୁରସ୍ଥିତ ଭିରାଜ ଷ୍ଟିଲ ଏଣ୍ଡ ଏନର୍ଜି ପ୍ରାଃ ଲିଃ ସମ୍ପ୍ରସାରଣ କରାଯିବ । ଯାହାର କ୍ଷମତା ବାର୍ଷିକ ୦.୧ ମିଲିୟନ ଟନ ରହିଥିଲା । ଏହାକୁ ବର୍ତ୍ତମାନ ୦.୩ ମିଲିୟନ କ୍ଷମତା ବିଶିଷ୍ଟ କରାଯିବ । ୨୬୧.୭୧ କୋଟି ଟଙ୍କାର ନିବେଶ ଦ୍ୱାରା ୩୩୮ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରାଯିବାର ଲକ୍ଷ୍ୟ ରହିଛି ।

ତୃତୀୟରେ ସୁନ୍ଦରଗଡ଼ ତୁମକେଲାଠାରେ ବିଆର ସ୍ପଞ୍ଜ ଏଣ୍ଡ ପାୱାର ପ୍ଲାଣ୍ଟର ସମ୍ପ୍ରସାରଣ କରାଯିବ । ଏହାକୁ ବାର୍ଷିକ ୦.୨୧ ମିଲିୟନ ଟନ କ୍ଷମତା କରାଯିବ । ଚତୁର୍ଥ ପ୍ରକଳ୍ପଟି ହେଉଛି- ଯାଜପୁର ଜିଲା କଳିଙ୍ଗନଗରରେ ହେବାକୁ ଥିବା ଏହି ପ୍ରକଳ୍ପରେ ୫୯୮.୬୨ କୋଟି ଟଙ୍କା ନିବେଶ କରାଯିବ । ସେହିପରି କଟକସ୍ଥିତ ଓସିଏଲ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟରେ ମଧ୍ୟ ୪୪୧.୪୩ କୋଟି ଟଙ୍କାର ନିବେଶ ସହ ୧୪୧ ବ୍ୟକ୍ତିଙ୍କ ପାଇଁ  ରୋଜଗାର ସୃଷ୍ଟି ହୋଇପାରିବ ।

.

ବିବାହ ପାଇଁ ଶୁଭ କି ୧୦/୧୦/୨୦୨୦ ? କଣ କହୁଛନ୍ତି ଅଙ୍କଜ୍ୟୋତିଷ

୧୦ ତାରିଖ ୧୦ ମାସ ୨୦୨୦ ମସିହା । ଶୁଣିବାକୁ ଭଲ ଲାଗୁଥିବା ଏହି ତାରିଖ ବର୍ଷର ପ୍ରତୀକ୍ଷିତ ବିବାହ ଦିନ । ଏହି ଦିନକୁ ସମସ୍ତେ ଶୁଭଙ୍କର ବୋଲି ଭାବୁଛନ୍ତି । ଶନିବାର ପଡ଼ୁଥିବା ଏହି ତାରିଖ କେତେ ଶୁଭଙ୍କର ? ଏହି ତାରିଖକୁ ନେଇ କଣ କହୁଛନ୍ତି ଅଙ୍କଜ୍ୟୋତିଷ ।

Is 10-10-2020 The Perfect Wedding Date

ଅଙ୍କଜ୍ୟୋତିଷଙ୍କ ମତରେ ଯଦି ଜଣେ ଅକ୍ଟୋବର ୧୦ ତାରିଖ ୨୦୨୦ ମସିହାରେ ବାହା ହୁଅନ୍ତି, ତେବେ ଏହା ଅଙ୍କ ଶାସ୍ତ୍ରାନୁସାରେ ଶୁଭଙ୍କର ନୁହେଁ । ଅଙ୍କଶାସ୍ତ୍ର ଅନୁସାରେ ୧୦/୧୦/୨୦୨୦କୁ ଯଦି ମିଶାଯାଏ ତେବେ ମୂଳାଙ୍କ ହେବ ୬ । ଏହିଭଳି ଭାବେ ହିସାବ କଲେ (୧+୦+୧+୦+୨+୦+୨+୦=୬) ମୂଳାଙ୍କ ୬ ବାହାରିବ । ଏହି ଦିନ ସମସ୍ତଙ୍କ ଉପରେ ପ୍ରଭାବ ପକାଇବ । ଅଙ୍କ ଜ୍ୟୋତିଷଙ୍କ ଅନୁସାରେ ମୂଳାଙ୍କ ୬ ହେଉଥିଲେ ବିବାହ ସଫଳ ହେବ ନାହିଁ ।

Is 10-10-2020 The Perfect Wedding Date

ଅଙ୍କ ୬ ଉତ୍ତର ଦାୟିତ୍ୱ ସହ ସମ୍ପର୍କିତ । ଯଦି ଆପଣ ଅକ୍ଟୋବର ୧୦, ୨୦୨୦ରେ ବିବାହ କରୁନାହାଁନ୍ତି ତ ଖୁସି ହୁଅନ୍ତୁ । କାରଣ ଏହି ଦିନଟି (ଶନିବାର) ବିବାହ ପାଇଁ ଶୁଭଙ୍କର ନୁହେଁ ।

ପଶ୍ଚିମବଙ୍ଗ ପୋଲିସର ବର୍ବରତା, ଶିଖ୍ ଯୁବକଙ୍କ ପଗଡି କାଢି ମାରିଲେ…

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ମମତା ସରକାରଙ୍କ ବିରୋଧରେ ପ୍ରଦର୍ଶନ ଓ ବିକ୍ଷୋଭ ହେଉଛି । ବିଜେପି କର୍ମୀ ମମତାଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ । ଏହା ମଧ୍ୟରେ ଏକ ଶିଖ୍ ବ୍ୟକ୍ତି ମଧ୍ୟ ବିରୋଧ ପ୍ରଦର୍ଶନରେ ଉପସ୍ଥିତ ଥିଲେ । ପୋଲିସ ଆନ୍ଦୋଳନକୁ ଦମନ କରିବା ପ୍ରୟାସ ବେଳେ ଶିଖ୍ ବ୍ୟକ୍ତିଙ୍କ ସହ ଦୁଃବ୍ୟବହାର କରିଥିବା ନଜର ଆସିଛି ।

ଶିଖଙ୍କ ପଗଡି ସେମାନଙ୍କ ସମ୍ମାନ ବୋଲି ବୁଝାଯାଉଥିବା ବେଳେ ପଶ୍ଚିମବଙ୍ଗ ପୋଲିସ ଉକ୍ତ ଶିଖ୍ ଯୁବକଙ୍କ ପଗଡି କାଢି ତାଙ୍କୁ ମାଡ ମାରିଛି । ଦିଲ୍ଲୀ ପୋଲିସର ଏଭଳି ଦମନ ନୀତିକୁ ଶିଖ୍ ସଂପ୍ରଦାୟର କ୍ରୀଡାବିତ୍ ତଥା ଭାରତୀୟର ପୂର୍ବତନ କ୍ରିକେଟର ହରଭଜନ ସିଂହ ବିରୋଧ କରିଛନ୍ତି । ପଶ୍ଚିମବଙ୍ଗ ପୋଲିସକୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଟ୍ୱିଟରରେ ରାଗ ଇମୋଜିକୁ ସେୟାର କରି ସେ ମମତା ବାନାର୍ଜୀଙ୍କୁ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜଣାଇଛନ୍ତି ।

ନିଜ ଟ୍ୱିଇଟରେ ମମତାଙ୍କ କାର୍ଯ୍ୟାଳୟର ଟ୍ୱିଇଟର ଆକାଉଣ୍ଟକୁ ଟ୍ୟାଗ କରି ଏଭଳି ଲେଖିଛନ୍ତି । ଉକ୍ତ ଶିଖ୍ ବ୍ୟକ୍ତିଙ୍କ ନାମ ବଲବିନ୍ଦର ସିଂହ । ସେ ବିଜେପି ସ୍ଥାନୀୟ ନେତା ପ୍ରିୟାଙ୍ଗୁ ପାଣ୍ଡେଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ପୋଲିସ ତାଙ୍କୁ ନିର୍ମମ ଭାବେ ମାରୁଥିବା ବେଳେ ତାଙ୍କ ପଗଡିକୁ ମଧ୍ୟ ଟାଣି ବାହାର କରିଦେଇଥିଲେ । ତାଙ୍କ ସହ ଅତି ବର୍ବରତାର ସହ ବ୍ୟବହାର ହୋଇଥିଲା । ଏପରିକି ତାଙ୍କୁ ରାସ୍ତାରେ ଘୋସାରି ନିଆଯାଇଥିଲା । ଏବେ ଶିଖ୍ ସଂପ୍ରଦାୟର ଅନେକ ଲୋକେ ପଶ୍ଚିମବଙ୍ଗ ପୋଲିସର ଏଭଳି କାର୍ଯ୍ୟକଳାପକୁ ବିରୋଧ କରୁଛନ୍ତି । ଏନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓ ଦେଖି ସରିବା ପରେ ପଶ୍ଟିମବଙ୍ଗ ସରକାର ପ୍ରତି ଆକ୍ରୋଶ ଆହୁରି ବଢୁଛି ।

କରୋନା ଅନେକ କାଳଜୟୀ ସିନେମା ସୃଷ୍ଟି ପାଇଁ ପ୍ରେରଣା ଯୋଗାଇବ : ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର

ଭୁବନେଶ୍ୱର : ସବୁ ମାୟାରେ ବାୟା, ଭୂଖା, ଜୟ ଜଗନ୍ନାଥ, ଆଦିମ ବିଚାର, ଶଲାବୁଢା ଏବଂ ପାହାଡ଼ର ଲୁହ ଭଳି ମୌଳିକ ସିନେମା ଭେଟି ଦେଇଥିବା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ବଡ଼ ପରଦାରେ ଓଡ଼ିଶାର ଜନଜୀବନକୁ ନିଚ୍ଛକ ଭାବେ ପ୍ରତିଫଳିତ କରିବାରେ ଜଣେ ସିଦ୍ଧହସ୍ତ ସିନେ ଶିଳ୍ପୀ । ବ୍ୟବସାୟିକ ସିନେମା ହେଉ କି ମୌଳିକ ସିନେମା, ଉଭୟ ତାଙ୍କ ପାଇଁ ଆଣି ଦେଇଛି ଜାତୀୟ ଏବଂ ଆର୍ନ୍ତଜାତୀୟସ୍ତରର ପ୍ରସିଦ୍ଧି । ସବୁ କ୍ଷେତ୍ର ପରି କରୋନା ମଧ୍ୟ ମନୋରଞ୍ଜନ ଦୁନିଆକୁ କରିଛି ବହୁଳ ପ୍ରଭାବିତ । କରୋନା ପରବର୍ତ୍ତୀ ସିନେ ଦୁନିଆ, ଓଡ଼ିଆ ସିନେମାର କିଛି କଥାକୁ ନେଇ ମତ ରଖିଛନ୍ତି ସବ୍ୟସାଚୀ । ତାଙ୍କ ସହ ହୋଇଥିବା ଆଳାପର କିଛି ଅଂଶ ଏଠାରେ ପ୍ରଦାନ କରାଗଲା ।

୧. କରୋନା ସମୟରେ ମନୋରଞ୍ଜନ ଦୁନିଆ କେଉଁ ଭଳି ପ୍ରଭାବିତ ହୋଇଛି ?

ଉତ୍ତର- ସାରା ବିଶ୍ୱରେ ମନୋରଞ୍ଜନ ଦୁନିଆ ପ୍ରଭାବିତ ହୋଇଛି । ହଲିଉଡଠାରୁ ଆରମ୍ଭ କରି ଆଞ୍ଚଳିକ ସିନେମା ଶିଳ୍ପ । ସମସ୍ତେ ପ୍ରଭାବିତ ହୋଇଛନ୍ତି । ସିନେମା କହିଲେ କେବଳ ଅଭିନେତା କିମ୍ବା ନିର୍ଦ୍ଦେଶକଙ୍କୁ ବୁଝାଇ ନ ଥାଏ । ହଜାର ହଜାର ସଂଖ୍ୟାରେ ଲୋକ ବିଭିନ୍ନ କ୍ଷେତ୍ରରେ କାମ କରିଥାଆନ୍ତି । ଯେପରି ଲାଇଟବୟ,ସ୍ପଟ ବୟ ଇତ୍ୟାଦି । ସେମାନେ ତ ରୋଜଗାର ପାଇଁ ସିନେମା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ସେହି ଶ୍ରେଣୀର ବ୍ୟକ୍ତିବିଶେଷମାନେ ଏଥିରେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି ।

୨. କରୋନା ଦ୍ୱାରା ଆଞ୍ଚଳିକ ସିନେମା କେତେମାତ୍ରାରେ ପ୍ରଭାବିତ ହେଉଛି ?

ଉତ୍ତର ସିନେମା ଶିଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସେଥିରୁ ଆଞ୍ଚଳିକ ସିନେମା ବାଦ ଯିବ କିପରି । ନା ସିନେମା ନିର୍ମାଣ ହୋଇଛି, ନା ଏହାକୁ ପ୍ରସାରଣ କରାଯାଇଛି । ଓଡ଼ିଆ, ବଙ୍ଗାଳୀ, ମରାଠୀ ସମେତ ସମସ୍ତ ଭାରତୀୟ ଭାଷାର ସିନେମା ପ୍ରଭାବିତ ହୋଇଛନ୍ତି । ଆଉ ଏକ କଥା ହେଲା ବିଭିନ୍ନ ହଲରେ କାର୍ଯ୍ୟରତ କର୍ମଚାରୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ହଲ ସମ୍ପୂର୍ଣ୍ଣ ବନ୍ଦ ରହିବା ଅନେକଙ୍କୁ ପ୍ରଭାବିତ କରିଛି । ହିନ୍ଦୀ ସିନେମାର ବଜେଟ ଅଧିକ ହେତୁ କରୋନା ସମୟରେ ସେମାନେ ଅନ୍ୟ ଜାଗାରେ କିଛିଟା ସୁଟିଂ କରିପାରିଛନ୍ତି । ହେଲେ ଆଞ୍ଚଳିକ ସିନେମା ପାଇଁ ତାହା ସମ୍ଭବ ହୋଇପାରିନାହିଁ ।

୩.ଦୁଃସମୟ ଅନେକ କଳାତ୍ମକ ସିନେମାକୁ ଜନ୍ମ ଦେଇଥାଏ । ଏହି କରୋନାକୁ ନେଇ ମନୋରଞ୍ଜନ ଦୁନିଆ ଦର୍ଶକକୁ ସେପରି କିଛି ଭେଟି ଦେବ କି?

ଉତ୍ତର- ହଁ ନିଶ୍ଚୟ ଆସିବ । କରୋନା ଏ ଶତାବ୍ଦୀର ସବୁଠୁ ବଡ଼ ଘଟଣା । ଏହି ସବୁ ଘଟଣା ହିଁ ଫିଲ୍ମ ମେକର ମାନଙ୍କୁ ପ୍ରଭାବିତ କରିଥାଏ । ତେଣୁ କରୋନାକୁ ଭିତ୍ତି କରି ଅନେକ ସିନେମା ଆଗକୁ ଦେଖିବାକୁ ମିଳିବ । ଆଗାମୀ ଦିନର ପ୍ରତ୍ୟେକ ସିନେମାରେ ତାହାର ଝଲକ ରହିବ ।

୪. କରୋନା ପରବର୍ତ୍ତୀ ମନୋରଞ୍ଜନ ଦୁନିଆକୁ ଆପଣ କେମିତି ଦେଖୁଛନ୍ତି ?

ଉତ୍ତର-କରୋନା ଦ୍ୱାରା ଜନଜୀବନ ବହୁଳ ପ୍ରଭାବିତ ହୋଇଛି । ମୋଟ ଉପରେ କହିବାକୁ ଗଲେ କରୋନା ପରେ ଜୀବନଯାପନ ପ୍ରଣାଳୀ ବଦଳିଯିବ , କେତେ ମାତ୍ରାରେ ତ ବଦଳିଗଲାଣି । ବର୍ତ୍ତମାନ ସରକାର ହଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କରୋନା ପରେ ପ୍ରଥମେ ବସ ଚାଲିଲା । କିନ୍ତୁ ଏହା ଲାଭ ଦେଲା ନାହିଁ । ମାଲିକମାନେ କ୍ଷତି ସହିଲେ । ଧୀରେ ଧୀରେ କିନ୍ତୁ ଯାତାୟତ ପୂର୍ବାପେକ୍ଷା ବଢିଲା । ସେହିପରି ହଠାତ ହଲ ଖୋଲିଦେଲେ ଯେ, ଲୋକ ଆସିବେ, ସେ କଥା ଭାବିବା ଭୁଲ୍ । ହେଲେ ହଲ ଖୋଲିବା ନିଷ୍ପତ୍ତି ଏକ ସକରାତ୍ମକ ପ୍ରଭାବ ପକାଇବ । ଧୀରେ ଧୀରେ ହଲର ପୂର୍ବାବସ୍ଥା ଫେରିବ ।

୫. ଆପଣ କିଛିବର୍ଷ ଧରି ବାପାଙ୍କ ରଚନାକୁ ଆୟୁଧ କରି କାଳଜୟୀ ସିନେମା ସୃଷ୍ଟି କରିଛନ୍ତି । ଏଥିରେ ସଫଳ ହେବା ସହ ଜାତୀୟ ଏବଂ ଅର୍ନ୍ତଜାତୀୟସ୍ତରରେ ମଧ୍ୟ ପ୍ରଶଂସିତ ହୋଇଛନ୍ତି । ଆଗକୁ ଓଡ଼ିଆ ସାହିତ୍ୟକୁ ନେଇ କିଛି ସିନେମା ପାଇଁ ଭାବିଛନ୍ତି କି ?

ଉତ୍ତର- ପୂର୍ବରୁ ଓଡ଼ିଆ ସାହିତ୍ୟକୁ ନେଇ ନିର୍ମାଣ କରିଛି । ଫକୀର ମୋହନଙ୍କ ଅନବଦ୍ୟ କୃତିକୁ ନେଇ ‘ରାଣ୍ଡୀପୁଅ ଅନନ୍ତା’ ସୃଷ୍ଟି କରିଛି । ଓଡ଼ିଆ ସିନେମା ହିଁ ଆରମ୍ଭରୁ ଆମ ଉପନ୍ୟାସକୁ ନେଇ ହୋଇଛି । ନିଜ ସାହିତ୍ୟ ପ୍ରତି ଦୁର୍ବଳତା ରହିବା ସ୍ୱାଭାବିକ ।

୬. ବଙ୍ଗଳା ହେଉ କି ଅନ୍ୟାନ୍ୟ ଭାରତୀୟ ଭାଷାକୁ ନେଇ ଯେତେ ସଂଖ୍ୟକ ସିନେମା ନିର୍ମାଣ କରାଯାଇଛି । ସେହି ତୁଳନାରେ ଓଡ଼ିଆ ସିନେମା ସଂଖ୍ୟା ନଗଣ୍ୟ ବୋଲି ଅନୁଭବ ହୁଏନି କି ?

ଉତ୍ତର- ପ୍ରଥମେ ଆମ ଓଡ଼ିଆ ସିନେମା ସାହିତ୍ୟକୁ ନେଇ ସୃଷ୍ଟି ହୋଇଥିଲା । ପୌରାଣିକ ଚରିତ୍ର ପରେ ପରେ ସାମାଜିକ ଚରିତ୍ର ସିନେମାକୁ ଆସିଛି । ଏହା ମଧ୍ୟରେ କା’, ମାଟିର ମଣିଷ ଭଳି ସୃଷ୍ଟି ରହିଛି । ସମୟ ପରିବର୍ତ୍ତନଶୀଳ, ତେଣୁ ସମୟର ଧାରାରେ କିଛିଟା ପରିବର୍ତ୍ତନ ଆସିଛି ।

୭. ସେହି ସବୁ ସାହିତ୍ୟକୁ ନେଇ କିପରି ସିନେମା କରାଯାଇପାରିବ?

ଉତ୍ତର-ଅନେକ ଗୁଡିଏ ଅନବଦ୍ୟ କୃତି ରଚନା କରି ଯାଇଥିବା ଲେଖକ ମୃତ । ସେମାନଙ୍କ କାହାଣୀକୁ ନେଇ ସିନେମା ପାଇଁ କପି ରାଇଟ୍ସ ସମସ୍ୟା ବେଳେ ଉପୁଜିଥାଏ । ଏହା ବାଦ ସେ ସମୟରେ ଲେଖା ଯାଇଥିବା ରଚନା ସେ ସମୟର ସାମାଜିକ ପ୍ରତିଫଳନ ଅଟେ । ସେହି କାହାଣୀକୁ ଆଜିର ସମୟରେ ଉପସ୍ଥାପନା କରିବାକୁ ହେଲେ କେତେଟା ପରିବର୍ତ୍ତନର ଆବଶ୍ୟକତା ରହିଛି । ତାହା ହେଲେ ହିଁ ଦର୍ଶକୀୟ ଆଦୃତି ପାଇବ । ନିଜସ୍ୱ ସାହିତ୍ୟ ସବୁ ସମୟରେ ମୌଳିକ ରଚନାର ପ୍ରେରଣା ଦେଇଥାଏ । କ୍ଲାସିକର କୌଣସି ବିକଳ୍ପ ହିଁ ନାହିଁ । ତାହାକୁ ନେଇ କାମ କରାଯାଇପାରିବ । କିଛିଟା ଜିନିଷ ବାଦ୍ ଦିଆଯିବ, କିଛି ନୂଆ କରାଯିବ । ଅନେକ ଭଲ ଲେଖାର ରାଇଟ୍ସ ମିଳିବା କଷ୍ଟକର ହୋଇଥାଏ ।

୮. ଆପଣ ଏପରି କୌଣସି ସମସ୍ୟାର ସମ୍ମୁଖୀନ କେବେ ହୋଇଛନ୍ତି କି ?

ଉତ୍ତର-ଥରେ କୌଣସି କାରଣ ବଶତଃ ପ୍ରଯୋଜକ ଜଣେ କାହାଣୀକାରଙ୍କ କିଛି ଅର୍ଥ ଦେଇ ନ ଥିଲେ । ସେଥିରେ ମୁଁ ନିର୍ଦ୍ଦେଶନା ଦେଇଥାଏ । ଏହି ସମୟରେ ସେହି ବ୍ୟକ୍ତିଜଣଙ୍କ ଲେଖାଟିକୁ ବିଦ୍ରୁପ କରାଯାଇଥିବା ଅଭିଯୋଗ ଆଣିଲେ । ଏହାର କୌଣସି ଆଧାର ହିଁ ନ ଥିଲା । ପ୍ରଯୋଜକ ଅର୍ଥ ନ ଦେଲେ, ବହୁ ବ୍ୟକ୍ତିଙ୍କ ପରିଶ୍ରମକୁ ନେଇ ନିର୍ମିତ ହୋଇଥିବା ସିନେମା ନିମିଷକରେ କେମିତି ଖରାପ ହୋଇଯିବ ବୋଲି କହିବା । ସିନେମା ପୂର୍ବରୁ ସମସ୍ତ ବିଷୟକୁ ବୁଝି ଆଇନଗତ ସ୍ୱାକ୍ଷର ଇତ୍ୟାଦି କରି ସାରିବା ପରେ ବ୍ୟକ୍ତିଙ୍କ ସେହି କଥା ମୋତେ ବ୍ୟଥିତ କରିଥିଲା । ଏତେ ସବୁ ପରେ ବି ଆମେ ଆଶାବାଦୀ ହେବା ଉଚିତ ।

୯. ଆଗକୁ କିଛି ମୌଳିକ ସାହିତ୍ୟକୁ ନେଇ କିଛି ସିନେମା ନିର୍ମାଣ କରିବା କଥା ଚିନ୍ତା କରିଛନ୍ତି କି?

ଉତ୍ତର-ନିଶ୍ଚିତ । ମନୋଦ ଦାସଙ୍କ ଗୋଟିଏ କାହାଣୀ ଏବଂ ରବି ପଟ୍ଟନାୟକଙ୍କ କାହାଣୀକୁ  ନେଇ ସିନେମା କରିବାକୁ ଚିନ୍ତା କରିଛି । ଏ ନେଇ ଲେଖକ ଏବଂ ସେମାନଙ୍କ ପରିବାର ସହ କଥାବାର୍ତ୍ତା ମଧ୍ୟ ହୋଇ ସାରିଛି । ଆଗାମୀ ଦିନରେ ଏହାକୁ ଚୂଡାନ୍ତ ରୂପ ଦେବି ।

୧୦. ଲକଡାଉନ ସମୟରେ ଓଟିଟି ପ୍ଲାଟଫର୍ମ ଦ୍ୱାରା ସିନେମା ରିଲିଜ କରାଗଲା । ଏହା କଣ ବଡ଼ ପରଦାର ବିକଳ୍ପ ହୋଇ ପାରିବ ?

ଉତ୍ତର- ଲକଡାଉନ ସମୟରେ ଆଉ କିଛି ବିକଳ୍ପ ହିଁ ନ ଥିଲା । ତେଣୁ ବାଧ୍ୟ ହୋଇ ଓଟିଟି ପ୍ଲାଟଫର୍ମରେ ଏସବୁ ରିଲିଜ୍ କରିବାକୁ ପଡ଼ିଲା । ହେଲେ ମଲ୍ଟିପ୍ଲେକ୍ସ ଏକାଧିକ ଶୋ ପ୍ରଦର୍ଶିତ ହୋଇଥାଏ । ତେଣୁ ଏହା ସବୁଦିନିଆ ବିକଳ୍ପ ହୋଇ ପାରେନା । ଅପରପକ୍ଷରେ ୱେବ ସିରିଜ ଓଟିଟି ପ୍ଲାଟଫର୍ମକୁ ଲକ୍ଷ୍ୟ ରଖି ନିର୍ମାଣ ହେଉଛି । ସିନେମା ବି ରହିବ, ଓଟିଟି ପ୍ଲାଟଫର୍ମ ରହିବ ।

୧୧. ନିକଟ ଭବିଷ୍ୟତରେ କ’ଣ ଯୋଜନା ରଖିଛନ୍ତି କି ?

ଉତ୍ତର- ସ୍ଥିତି ଆଉ ଟିକେ ସ୍ୱାଭାବିକ ହେଲେ ‘ଶଲା ବୁଢା’ର ବଦଲା ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତି ଲାଭ କରାଇ ପ୍ରଦର୍ଶିତ କରାଇବାକୁ ଲକ୍ଷ୍ୟ ରଖିଛି ।

୧୨. ରାଜ୍ୟରେ ସିନେମା ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଜାରି ରହିଛି, ଏ ସମ୍ପର୍କରେ କ’ଣ କହିବେ?

ମହାବାତ୍ୟା ଦ୍ୱାରା କଳିଙ୍ଗ ଷ୍ଟୁଡ଼ିଓ ବହୁଳ ଭାବେ ପ୍ରଭାବିତ ହୋଇଥିଲା । ଏହା ପରେ ପୁନରୁଦ୍ଧାର ଯେମିତି ହେବା କଥା, ତାହା ହୋଇ ନ ଥିଲା । ଏହି ଷ୍ଟୁଡିଓ ହିଁ ଓଡ଼ିଆ ସିନେମାର ପ୍ରାଣକେନ୍ଦ୍ର ଥିଲା । ବର୍ତ୍ତମାନ ଏହାର ଉନ୍ନୟନ କାର୍ଯ୍ୟ ଜାରି ରହିଛି । କିଛି ମାସ ପରେ ଏହା ପୂର୍ବାପେକ୍ଷା ଅଧିକ କାର୍ଯ୍ୟକ୍ଷମ ଓ ଚଳଚଞ୍ଚଳ ହେବ । ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ଏ ଦିଗରେ ପ୍ରଚେଷ୍ଟା ଚଲେଇଛନ୍ତି । ସେ ସଫଳ ହୁଅନ୍ତୁ ବୋଲି ଆଶା କରିବା । ନିକଟରେ ଏ ନେଇ ତାଙ୍କ ସହ କଥା ହୋଇଥିଲି ।

୧୩. ଭଲ ସିନେମା ପାଇଁ ଆର୍ଥିକ ପ୍ରୋତ୍ସାହନକୁ କିପରି ଦେଖନ୍ତି ?

ଉତ୍ତର ଆର୍ଥିକ ପ୍ରୋତ୍ସାହନ ନିହାତି ଆବଶ୍ୟକ । ଯେଉଁ ରାଜ୍ୟମାନେ ଭଲ ସିନେମା କରି ସଫଳତା ପାଇଛନ୍ତି, ସେମାନଙ୍କୁ ସରକାର ସବସଡି ଦେଇ ପ୍ରୋତ୍ସାହିତ କରିଛି୍ । ଗୁଜରାଟ,କର୍ନାଟକ, କେରଳରେ ସବସିଡି ବ୍ୟବସ୍ଥା ରହିଛି । ନିକଟରେ ଗୁଜରାଟ ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ଯେଉଁ ସିନେମା ଗୋଲ୍ଡେନ ପିକକ ଆୱାର୍ଡ ପାଇବ । ତାହାକୁ କୋଟିଏ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ତେଣୁ ଏହିପରି ଆର୍ଥିକ ପ୍ରୋତ୍ସାହନ କରାଯିବାର ଆବଶ୍ୟକତା ରହିଛି ।

୬ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲାଣି ସୁନା, ଜାଣନ୍ତୁ କେବେ କିଣିଲେ ମିଳିବ ଅଧିକ ଫାଇଦା

ମୁମ୍ବାଇ: ବିଶ୍ୱ ବଜାର ଆଧାରରେ ଆଜି ଘରୋଇ ବଜାରରେ ସୁନା, ରୂପା ଦର ବୃଦ୍ଧି ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ୦.୮ ପ୍ରତିଶତ ବଢ଼ି ୧୦ ଗ୍ରାମ୍ ପିଛା ୫୦ ହଜାର ୫୮୪ ଟଙ୍କାକୁ ବୃଦ୍ଧି ପାଇଛି । ରୂପା ମୂଲ୍ୟ ୧.୮ ପ୍ରତିଶତ ବୃଦ୍ଧି ପାଇଁ କେଜି ପିଛା ୬୧ ହଜାର ୬୦୫ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ସୁନା ଦର ୧୪୨ ଟଙ୍କା ଓ ରୂପା ୦.୧୭ ପଇସା ବୃଦ୍ଧି ଘଟିଥିଲା ।

Gold Price Latest Update Today Down About RS 6000 Per 10 Gram From Highest In August

ଅଗଷ୍ଟରେ ଉଚ୍ଚା ଥିଲା ଦାମ

ଚଳିତବର୍ଷ ଅଗଷ୍ଟରେ ସୁନା ଓ ରୂପା ମୂଲ୍ୟ ସର୍ବାଧିକ ଥିଲା । ଅଗଷ୍ଟରେ ୧୦ ଗ୍ରାମ ସୁନା ମୂଲ୍ୟ ୫୦ ହଜାର ୨୦୦ ଟଙ୍କା ଥିବାବେଳେ ୮୦ ହଜାର ଟଙ୍କାରେ ପହଞ୍ଚିଥିଲା ରୂପା । ସେପ୍ଟେମ୍ବର ମାସରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଥିଲା । ଏହିପରି ଭାବେ ୧୦ ଗ୍ରାମ ସୁନା ଦାମରେ ୬ ହଜାର ଟଙ୍କା ଖସିଛି ।

Gold Price Latest Update Today Down About RS 6000 Per 10 Gram From Highest In August

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭାଇରସକୁ ପ୍ୟାକେଜ୍ କଥା କହିବା ପରେ ବିଶ୍ୱ ବଜାରରେ ସୁନା ଦର ସ୍ଥିର ଥିଲା । ଟ୍ରମ୍ପ କହିଥିଲେ ଆଶ୍ୱସ୍ତି ପ୍ୟାକେଜକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଡଲାର ଦୁର୍ବଳ ହେବା ଫଳରେ ସୁନା, ରୂପା ଦର କମିଥିଲା । ଲଗାତାର ଦ୍ୱିତୀୟ ସପ୍ତାହରେ ଡଲାର ଖସିବା ଯୋଗୁଁ ସୁନା ଦର କମିଛି ।

ବଢ଼ିପାରେ ସୁନା କିଣା

କୋଟାକ ସିକ୍ୟୁରିଟିଜ୍ ମୁତାବକ, ଆମେରିକା ଡଲାର ଖସିବା ବଢ଼ିବା ଓ ଇକ୍ୱିଟି ମାର୍କେଟରେ ହଲଚଲ ଯୋଗୁଁ ସୁନା ଦର ବଢ଼ିପାରେ, କମିପାରେ । ତେବେ, ସାଧାରଣ କ୍ଷେତ୍ରରେ ସୁନା କିଣିଲା ବେଳେ ଦର ବୃଦ୍ଧି ହୋଇପାରେ । ପ୍ରକୃତରେ ଡଲାର ଦୁର୍ବଳ ଥିବାରୁ ଆମେରିକା ଅର୍ଥବ୍ୟବସ୍ଥାକୁ ନେଇ ଅନିଶ୍ଚିତତା ଲାଗି ରହିବ ।

Gold Price Latest Update Today Down About RS 6000 Per 10 Gram From Highest In August

ସୁନା କିଣା କମାଇଲେ କେନ୍ଦ୍ରୀୟ ବ୍ୟାଙ୍କ

ଦୁନିଆର ପ୍ରାୟ କେନ୍ଦ୍ରୀୟ ବ୍ୟାଙ୍କ ସୁନା କିଣିବା କମାଇ ଦେଇଛନ୍ତି । ଏକ ତଥ୍ୟ ମୁତାବକ ଅଗଷ୍ଟରେ କେନ୍ଦ୍ରୀୟ ବ୍ୟାଙ୍କ କ୍ରୟଠାରୁ ଅଧିକା ସୁନା ବିକ୍ରି କରିଛନ୍ତି । ଏହା ପୂର୍ବ ଦେଢ଼ ବର୍ଷ ଯାଏଁ କେନ୍ଦ୍ରୀୟ ବ୍ୟାଙ୍କ ଲଗାତାର ସୁନା କିଣୁଥିଲେ । ସୁନା ଦର ବଢ଼ିବାର ଆଉ ଏକ କାରଣ ଏହା ହୋଇପାରେ ।

ରାଜ୍ୟରେ ଆଉ ୩୪୦୪ ଜଣ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ…

ଭୁବନେଶ୍ୱର: ରାଜ୍ୟରେ ଆଉ ୩୪୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବା ପାଇଁ ଅନୁମତି ଦିଆଯାଇଛି । ଏହି ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ୨ ଲକ୍ଷ ୨୦ ହଜାର ୩୮୮ ଜଣ ସୁସ୍ଥ ହୋଇସାରିଛନ୍ତି ।

୩୪୦୪ ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୦୨, କଟକରୁ ୩୭୪, ପୁରୀରୁ ୨୮୯, ବାଲେଶ୍ୱରରୁ ୧୪୮, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ ୧୩୦, କେନ୍ଦୁଝରରୁ ୧୧୬, ବରଗଡରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡ଼ାରୁ ୯୮, ଭଦ୍ରକରୁ ୯୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିଭଳି ଜଗତ୍‌ସିଂହପୁରରୁ ୯୦, ଝାରସୁଗୁଡ଼ାରୁ ୮୬, ଅନୁଗୁଳରୁ ୮୩, ନୁଆପଡାରୁ ୭୭, ନୟାଗଡ଼ରୁ ୭୪, କଳାହାଣ୍ଡିରୁ ୭୨, କନ୍ଧମାଳରୁ ୭୧, ବଲାଙ୍ଗିରରୁ ୭୦, ଢ଼େଙ୍କାନାଳରୁ ୭୦, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୨, ନବରଙ୍ଗପୁରରୁ ୫୦, ଗଞ୍ଜାମରୁ ୪୮, ସୋନପୁରରୁ ୪୮, ମାଲକାନଗିରିରୁ ୩୮, ବୌଦ୍ଧରୁ ୨୨, ଗଜପତିରୁ ୧୮,  ଦେଓଗଡ଼ରୁ ୧୧, ରାୟଗଡ଼ାରୁ ୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ଷ୍ଟେଟ୍‌ ପୁଲ୍‌ରୁ ୧୬୪ ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।

କଳାଧନ ରଖିଥିବା ବ୍ୟକ୍ତି ସାବଧାନ ! ପୁଣି ଆସିଲା ସ୍ୱିସ୍‌ ବ୍ୟାଙ୍କରୁ ଭାରତୀୟଙ୍କ ତଥ୍ୟ..

ନୂଆଦିଲ୍ଲୀ: ପୁଣି ସ୍ୱିସ୍‌ ବ୍ୟାଙ୍କରୁ ଆସିଲା କଳାଧନ ତଥ୍ୟ । ସ୍ୱିସ୍‌ ବ୍ୟାଙ୍କରେ ଗଚ୍ଛିତ ଥିବା ଭାରତୀୟଙ୍କ କଳାଧନର ଦ୍ୱିତୀୟ ତାଲିକା ଏବେ ଭାରତ ହାତରେ ଲାଗିଛି । ସ୍ୱିଜରଲ୍ୟାଣ୍ଡ ସହ ହୋଇଥିବା ଅଟୋମେଟିକ୍‌ ଇନ୍‌ଫର୍ମେସନ୍‌ ଏକ୍ସଚେଞ୍ଜ ଫ୍ୟାକ୍ଟ ଚୁକ୍ତି ଜରିଆରେ ଭାରତ ହାତରେ ଏହି ତଥ୍ୟ ଲାଗିଥିବା ସୂଚନା ମିଳିଛି । କଳାଧନ ବିରୋଧରେ କେନ୍ଦ୍ର ସରକାର ଯେଉଁ ମୋର୍ଚ୍ଚା ଆରମ୍ଭ କରିଥିଲେ ଏହା ତାହାର ଏକ ବଡ଼ ସଫଳତା ବୋଲି କୁହାଯାଇପାରେ ।

ପ୍ରଥମ ତାଲିକା ୨୧୦୯ ସେପ୍ଟେମ୍ବରରେ ଆସିଥିଲା

ଭାରତ ସେହି ୮୬ଟି ଦେଶ ମଧ୍ୟରୁ ଏକ ଅଂଶ ଯାହାସହ ସ୍ୱିଜରଲ୍ୟାଣ୍ଡ ଫେଡ୍‌ରାଲ ଟ୍ୟାକ୍ସ ଆଡମିନିଷ୍ଟ୍ରେସନ (FTA)  ତଥ୍ୟ ଆଦାନ ପ୍ରଦାନ ପାଇଁ ଚୁକ୍ତି କରିଛି । ଭାରତକୁ ସ୍ୱିସ୍ ଆକାଉଣ୍ଟ୍‌ରେ ଥିବା ଖାତା ସମ୍ବନ୍ଧୀୟ ସୂଚନା ପ୍ରଥମେ ସେପ୍ଟେମ୍ବର ୨୦୧୯ରେ ପ୍ରାପ୍ତ ହୋଇଥିଲା । FTA ପକ୍ଷରୁ ଜାରି ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ, ୮୦ଟି ଦେଶ ସହିତ ପ୍ରାୟ ୩୧ ଲକ୍ଷ ବ୍ୟାଙ୍କ ଖାତାର ସୂଚନା ସେୟାର କରାଯାଇଛି । ତେବେ ଭାରତକୁ ନେଇ ବିଜ୍ଞପ୍ତିରେ କୌଣସି ପୃଥକ ସୂଚନା ଦିଆଯାଇ ନାହିଁ । ତେବେ ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ କୁହାଯାଇଛି ଯେ, ଭାରତ ହେଉଛି ସେହି ପ୍ରମୁଖ ଦେଶମାନଙ୍କ ମଧ୍ୟରୁ ଜଣେ ଯହାସହ, FTA ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ସେୟାର କରିଛି ।

swiss bank

ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ସ୍ୱିସ୍‌ ବ୍ୟାଙ୍କରେ ଥିବା ଖାତା ମଧ୍ୟରୁ ଭାରତୀୟଙ୍କ ସହ ଯୋଡ଼ି ହୋଇ ରହିଥିବା ଖାତା ଅନେକ । ଏହା ପୂର୍ବରୁ ୧୦୦ ଜଣ ଭାରତୀୟଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଭାରତ ସହ ସେୟାର କରିଥିଲା ସ୍ୱିସ୍‌ ବ୍ୟାଙ୍କ ।

ବନ୍ୟା ପରେ ଦାଉ ସାଜିଛି ବର୍ଷା: ଲଗାଣ ବର୍ଷା ଯୋଗୁଁ ବିରି ଫସଲ ନଷ୍ଟ

ଚଣ୍ଡିଖୋଲ: ଗତ ବନ୍ୟାରେ ବେଶ ପ୍ରଭାବିତ ହୋଇଥିଲା ଯାଜପୁର ଜିଲ୍ଲା । ଏକର ଏକର ଚାଷ ଜମିରେ ବନ୍ୟା ପାଣି ପଶି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିଲା । ଆଉ ଏବେ ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡରୁ ଭଙ୍ଗି ଦେଇଛି । ବର୍ଷା ଯୋଗୁଁ ଜିଲ୍ଲାରେ ବ୍ୟାପକ ରବି ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଧାନ ଫସଲର କ୍ଷତି ରବି ଫସଲରେ ଭରଣା ଆଶା ଥିବା ଚାଷୀ ଏବେ ଭାଙ୍ଗି ପଡିଛି ।

ଲଘୁଚାପ ବର୍ଷାରେ ପ୍ରଭାବିତ ରବି ଫସଲ । ଲଗାଣ ବର୍ଷା ଯୋଗୁଁ ବିରି ଫସଲ ନଷ୍ଟ । ପ୍ରଥମେ ବନ୍ୟା ଉଜାଡିଲା ଆଉ ଏବେ ଲଘୁଚାପ ବର୍ଷା ଦାଉ ସାଜୁଛି । ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲାରେ ଚାଷ କାମ ବେଶ ପ୍ରଭାବିତ ହୋଇଥିବା ବେଳେ ଲଘୁଚାପ ବର୍ଷା ଧାର୍ମଶାଳା ବ୍ଲକ୍ ପଟୁଣିଆ ପଂଚାୟତରେ ବ୍ୟାପକ କ୍ଷତି ଘଟାଇଛି । ଲଗାଣ ବର୍ଷା ଯୋଗୁଁ ରବି ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ।

କେବଳ ଧର୍ମଶାଳା ବ୍ଲକ ନୁହେଁ  ବଡ଼ଚଣା ଓ ବରୀ ବ୍ଲକରେ ମଧ୍ୟ ଲଗାଣ ବର୍ଷା ରବି ଫସଲକୁ ପ୍ରଭାବିତ କରିଛି । ବିରି ଗଛ ସବୁ ପଚି ନଷ୍ଟ ହୋଇଯାଇଥିବା ବେଳେ ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ରହିଛନ୍ତି । ଆବଶ୍ୟକ ବିହନ ଓ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ । ଅନ୍ୟପକ୍ଷେ ଖୁବ ଶୀଘ୍ର ପଦକ୍ଷେପ ନିଆଯାଇ ଅବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଯାଜପୁର ଜିଲ୍ଲା କୃଷି ଅଧିକାରୀ  । ଚାଷୀଙ୍କର ଏଭଳି ସ୍ଥିତିରେ କୃଷି ବିଭାଗ ଶୀଘ୍ର ସମସ୍ୟା ଦିଗରେ ପଦକ୍ଷେପ ନେଲେ ଚାଷୀ କୁଳ ଉପକୃତ ହେବେ ।

ପାକିସ୍ତାନରେ ବ୍ୟାନ୍ ହେଲା ଟିକଟକ୍, ଜାଣନ୍ତୁ କାହିଁକି ?

ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ ହେଲା ଟିକଟକ୍ । କିଛି ଦିନ ତଳେ ଭାରତରେ ଟିକଟକ୍ ବ୍ୟାନ ହୋଇଛି । ତେବେ ପାକିସ୍ତାନ ଓ ଭାରତରେ ଟିକଟକ୍ ବ୍ୟାନ ହେବାର କାରଣ ସମାନ ନୁହେଁ । ଭାରତ ନିଜ ନାଗରିକଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଟିକଟକ୍ ବ୍ୟାନ କରିଥିବା ବେଳେ ପାକିସ୍ତାନରେ ବ୍ୟାନ କରିବାର କାରଣ ଭିନ୍ନ । ପାକିସ୍ତାନ ଟେଲି କମ୍ୟୁନିକେସନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଟିକଟକ୍  ଅଶାଳୀନ ଓ ଅନୈତିକ ଭିଡିଓର ପ୍ରଚାର ପ୍ରସାର ହେଉଛି ।

ଯାହାକୁ ଗ୍ରହଣ କରାଯିବ ନାହିଁ । ଏହି ଉଦ୍ଦେଶ୍ୟରେ ଏହାକୁ ଦେଶରେ ବ୍ୟାନ କରାଯାଇଛି । ତେବେ ଏସବୁ କେବଳ ସରକାରଙ୍କ ନିଷ୍ପତ୍ତି ନୁହେଁ । ବିଗତ ଦିନରେ ଦେଶର ବିଭିନ୍ନ ବର୍ଗର ଲୋକଙ୍କଠାରୁ ଟିକଟକର ଅଶ୍ଳୀଳ ଭିଡିଓ ପରିବେଷଣକୁ ନେଇ ବିରୋଧ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା ।  ଏହା ସହ ଟିକଟକକୁ ବିରୋଧ କରି ଅନେକ ଅଭିଯୋଗ ମଧ୍ୟ ପୋଲିସ ଷ୍ଟେସନରେ ଦାଖଲ ହେଲାଣି । ସରକାର ଜନମତକୁ ସମ୍ମାନ ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ତେବେ ବ୍ୟାନ କରିବା ପୂର୍ବରୁ ଅନେକ ଥର ଟିକଟକ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପାଇଁ ପ୍ରଚେଷ୍ଟା କରାଯାଇଥିବା ପାକିସ୍ତାନ ସରକାର କହିଛନ୍ତି । କିଭଳି ଭାବେ ଏଭଳି ଅଶ୍ଳୀଳ ଭିଡିଓକୁ ବାଦ ଦେଇ ହେବ ସେନେଇ ଲିଖିତ ଭାବେ ଜଣାଯାଇଛି । ମାତ୍ର ଟିକଟକ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିବା ପରେ ପାକିସ୍ତାନ ସରକାର ବାଧ୍ୟ ହୋଇ ଏହାକୁ ବ୍ଲକ୍ କରିଛନ୍ତି ।

ପୂଜା ମଣ୍ଡପ, ଭାଗବତ ଟୁଙ୍ଗିରେ ସାମାଜିକ ଦୂରତା ମାନି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ଯାଜପୁର: କରୋନା ପାଇଁ ଅନଲାଇରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ. ହେଲେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଅନଲାଇନରେ ବି ପାଠ ପଢା ସମ୍ଭବ ହେଉନି. ପିଲା କେମିତି ପାଠ ପଢ଼ି ପରୀକ୍ଷା ଦେବେ ସେ ଚିନ୍ତାରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ । ତେବେ ଯାଜପୁର ଶିକ୍ଷା ମଣ୍ଡଳ ପକ୍ଷରୁ ପିଲାଙ୍କ ପାଠପଢା ପାଇଁ ଆରମ୍ଭ ହୋଇଛି ରେଡିଓ ପାଠଶାଳା ।

ରେଡିଓ ଶୁଣି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ. ଯାଜପୁର ଶିକ୍ଷା ମଣ୍ଡଳରେ ଚାଲିଛି ରେଡିଓ ପାଠଶାଳା. ପୂଜା ମଣ୍ଡପ, ଭାଗବତ ଟୁଙ୍ଗିରେ ସାମାଜିକ ଦୂରତା ମାନି ପଢୁଛନ୍ତି ବିଦ୍ୟାର୍ଥୀ. କରୋନା କାଳରେ ଯାଜପୁର ବ୍ଲକ ଶେଷଦେବ ବାସନ୍ତୀ କଲୋନୀ ଶିକ୍ଷକମାନେ ଗାଁ କୁ ଗାଁ ବୁଲି ମାଇକ ଜରିଆରେ ରେଡିଓରେ ପାଠପଢିବାକୁ ପିଲାଙ୍କୁ ପ୍ରବର୍ତ୍ତାଉଛନ୍ତି ।

ସରକାରଙ୍କ ଏପରି ଉଦ୍ୟମ ଦ୍ବାରା ଅନେକ ପିଲା ଉପକୃତ ହେଉଛନ୍ତି ।ଗତମାସ 28 ତାରିଖରୁ ସୋମବାରରୁ ଶୁକ୍ରବାର ଆକାଶବାଣୀ ଜରିଆରେ ଦିନ 10ଟାରୁ ଦୈନିକ 2ଟି କ୍ଲାସର ଶିକ୍ଷାଦାନ ଚାଲୁଛି. ସରକାର ଓ ଶିକ୍ଷକଙ୍କ ଏଭଳି ଉଦ୍ୟମକୁ ଅଭିଭାବକ ମହଲରେ ବେଶ୍ ପ୍ରଶଂସା କରାଯାଇଛି. ତେବେ ପାଠପଢା ଅବଧି 15 ମିନିଟ ବଦଳରେ ଅଧିକ ବଢାଇବାକୁ ଦାବି ହୋଇଛି । ଅନଲାଇନ ପାଠପଢାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ରେଡିଓ ପାଠଶାଳା ବେଶ୍ ସହାୟକ ହେଉଛି ।

https://www.facebook.com/NandighoshaTV/videos/345258289924584