spot_img
Home Blog Page 6148

ପୁଣି ରାହୁଲ ଗାନ୍ଧୀ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ ପରିବର୍ତ୍ତନ ନେଇ ପୁଣି ଦଳ ଭିତରେ ଝଡ । କିନ୍ତୁ ପଦବୀ ଆଉ କାହାକୁ ଦେବାକୁ ନୁହେଁ, ବଂର ପୂର୍ବରୁ ପଦ ସମ୍ଭାଳିଥିବା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ । ରାଜଧାନୀର ୧୦ ଜନପଥ ଅଞ୍ଚଳରେ ରହିଥିବା ସୋନିଆ ଗାନ୍ଧୀଙ୍କ ବାସ ଭବନରେ ଆଜି ବସିଛି କଂଗ୍ରେସର ବରିଷ୍ଠ ନେତାଙ୍କ ବୈଠକ । ଦୀର୍ଘ ପାଞ୍ଚ ଘଣ୍ଟାର ବୈଠକରେ ଉପସ୍ଥିତ ନେତା ନିଜ ନିଜର ମତ ପ୍ରକାଶ କରିଥିଲେ । କିନ୍ତୁ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ମଙ୍ଗୁଆଳ କରିବା ନେଇ ଦାବି ବାଢିଥିଲେ ଅନେକ ନେତା ।

ପୂର୍ବରୁ ଗତ ଶନିବାର ଏନେଇ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଯେଉଁଥିରେ ଦଳର ଅଧ୍ୟକ୍ଷ ପରିବର୍ତ୍ତନ ନେଇ ହୋଇଥିଲା ଆଲୋଚନା । ପୁନର୍ବାର ଆଜି ଏନେଇ ସୋନିଆଗାନ୍ଧୀଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଛି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ଥାନରେ ସ୍ଥାୟୀ ଅଧ୍ୟକ୍ଷ ଭାବେ ସାଂସଦ ରାହୁଲ ଗାନ୍ଧୀଙ୍କୁ ନିଯୁକ୍ତ କରିବା ନେଇ ଦାବି ଉଠିଛି । ଏନେଇ ରାହୁଲ ଗାନ୍ଧୀ କହିଛନ୍ତି କଂଗ୍ରେସ କାର୍ଯ୍ୟକାରିଣୀଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

ଦୁର୍ନୀତି ବିରୁଦ୍ଧରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ: ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ଆଜି ୭ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବର୍ଷକ ମଧ୍ୟରେ ୧୦୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡି.ଆଇ.ଜି., ଜଣେ କମାଣ୍ଡାଣ୍ଟ, ଜଣେ ଡି.ଏସ୍‌.ପି., ଜଣେ ଡେପୁଟି କମାଣ୍ଡାଣ୍ଟ ଥିବା ବେଳେ ୨ ଜଣ ଖଣି ଅଧିକାରୀ ଓ ଜଣେ ସି.ଡି.ପି.ଓ. ଅନ୍ତର୍ଭୁକ୍ତ  ଅଛନ୍ତି।

ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସରକାରଙ୍କ  କଡ଼ା ଆଭିମୁଖ୍ୟର ଏହା ବଳିଷ୍ଠ ଉଦାହରଣ ତଥା ସତର୍କଘଣ୍ଟି। ଗଲା ୧ ବର୍ଷ ଭିତରେ ୧୦୪ ଜଣ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ନବୀନ ସରକାର ବାଧ୍ୟତାମୂଳକଭାବେ ସରକାରୀ ଚାକିରିରୁ ବିଦା କରିଛନ୍ତି। ଡିସେମ୍ବର ୩୦ ତାରିଖ ଦିନ ରାଜ୍ୟ ସରକାର ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଥିଲେ।

ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ ଜେଲ ବିଭାଗର ଡି.ଆଇ.ଜି. ଗୋପବନ୍ଧୁ ମଲ୍ଲିକ, ଡି.ଏସ୍‌.ପି ଗୌତମ ମଲ୍ଲିକ,  ଓଡିଶା ସଶସ୍ତ୍ର ପୋଲିସ ସେବା କମାଣ୍ଡାଣ୍ଟ ଏକାନ୍ତ ପ୍ରିୟ ନାୟକ,  କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତ, ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ  ଦେବେନ୍ଦ୍ର ନାଥ ବେହେରା , କନିଷ୍ଠ ଖଣି ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା ଏବଂ କୋରାପୁଟ ନନ୍ଦପୁରର ସି.ଡି.ପି.ଓ ସ୍ନିଗ୍ଧାରାଣୀ ମିଶ୍ର।

ମଲ୍ଲିକ୍ ଜେଲ ୱାର୍ଡର ଚୟନ ନିମନ୍ତେ ଥିବା କମିଟିର ମୁଖ୍ୟ ଭାବରେ ତାଙ୍କ ପଦବୀର ଅପବ୍ୟବହାର କରି ଚୟନ ପ୍ରକ୍ରିୟାରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ଅଭିଯୋଗ ରହିଥିଲା। ଜେଲ ବିଭାଗରେ ତାଙ୍କରକାର୍ଯ୍ୟକଳାପ ସନ୍ତୋଷଜନକ ନ ଥିଲା ଏବଂ ତାଙ୍କର ସାଧୁତା ସନ୍ଦେହମୁକ୍ତ ନ ଥିଲା।

ସ୍ନିଗ୍ଧାରାଣୀ  କୋରାପୁଟ ନନ୍ଦପୁରର ସି.ଡି.ପି.ଓ. ଭାବରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ଭିଜିଲାନ୍ସ ମାମଲା ରହିଥିଳା।  ୨୦୧୬ ରେ ୮୦ ଲକ୍ଷ ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମକଦ୍ଦମା ଦାୟର କରାଯାଇଥିବା ବେଳେ ଅକ୍ଟୋବର ୨୦୨୦ ରେ ଛତୁଆ ବିଲ୍‌ ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟଙ୍କ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରା ପଡିଥିଲେ। ସେ ବର୍ତ୍ତମାନ ନିଲମ୍ବିତ ଅଛନ୍ତି।

ଓଡିଶା ସଶସ୍ତ୍ର ପୋଲିସ ସେବାରେ କାର୍ଯ୍ୟରତ ଏକାନ୍ତ ପ୍ରିୟ ନାୟକ ତାଙ୍କର ଅଧସ୍ତନ କର୍ମଚାରୀଙ୍କୁ ମାରଧର କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଗୋଟିଏ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଜଣେ ମଦ୍ୟପ ତଥା ଅଯୋଗ୍ୟ ଅଫିସର ଭାବରେ ତାଙ୍କ ନାମରେ ଅନେକ ଅଭିଯୋଗ ରହିଥିଲା।

ଗୌତମ ମଲ୍ଲିକ, ଡି.ଏସ୍‌.ପିଙ୍କ ବିରୁଦ୍ଧରେ ଦୁଇଟି ଫୌଜଦାରୀ ମାମଲା ରୁଜୁ କରାଯାଇଥିବା ବେଳେ ତାଙ୍କୁ ମଧ୍ୟ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ତାଙ୍କର ସାଧୁତା ଅତ୍ୟନ୍ତ ସନ୍ଦେହଜନକ ଅଟେ।

ଓଡିଶା ସଶସ୍ତ୍ର ପୋଲିସ ସେବାର ଡେପୁଟୀ କମାଣ୍ଡାଣ୍ଟ ଭାବରେ କାର୍ଯ୍ୟ କରୁଥିବା ଦେବେନ୍ଦ୍ର ନାଥ ବେହେରାଙ୍କ ନାମରେ ଜଙ୍ଗଲରୁ କାଠ ଚୋରୀ ଅଭିଯୋଗରେ ଏକ ଫୌଜଦାରୀ ମୋକଦ୍ଦମା ରୁଜୁ କରାଯାଇଛି। ସେହିପରି ବିନା ଅନୁମତିରେ ସରକାରୀ ଗାଡିରେ ଅଧସ୍ତନ କର୍ମଚାରୀଙ୍କୁ ବ୍ୟବହାର କରି କାଠର ଚୋରା ଚାଲାଣ ଅଭିଯୋଗରେ ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

କନିଷ୍ଠ ଖଣି ଅଧିକାରୀ ସତ୍ୟବ୍ରତ ରାଉତଙ୍କ ବିରୁଦ୍ଧରେ ୫ ଗୋଟି ଭିଜିଲାନ୍ସ କେସ୍‌ ରହିଛି । ତାଙ୍କର ସାଧୁତା ସନ୍ଦେହ ଜନକ। ଦାୟିତ୍ୱବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି।

ରମେଶ ଚନ୍ଦ୍ର ପଣ୍ଡା, କନିଷ୍ଠ ଖଣି ଅଧିକାରୀଙ୍କ ବିରୁଦ୍ଧରେ ୩ ଗୋଟି ଭିଜିଲାନ୍ସ କେସ୍‌ ଥିଲାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହ ଜନକ ଅଟେ। ଦାୟୀତ୍ବରେ ଅବହେଳା ଏବଂ ଦୁର୍ବ୍ୟବହାର ଆଦି ଗୁରୁତର ଅଭିଯୋଗରେ ତାଙ୍କ ବିରୁଦ୍ଧରେ ୩ ଗୋଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବର୍ତ୍ତମାନ ସେ ନିଲମ୍ବିତ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି।

ଯେବେ ଡିଏସପି ଝିଅକୁ ସାଲ୍ୟୁଟ ଦିଏ ବାପା…

ଅମରାବତୀ: ଯେବେ ଜନ୍ମକଲା ପିତାର ପଦବୀ ଠାରୁ ଉଚ୍ଚରେ ରହେ ଜନ୍ମିତ ସନ୍ତାନ । ହାତ ଧରି ଚାଲି ଶିଖାଉଥିବା କୁନି ଝିଅ, ଯେବେ ଭବିଷ୍ୟତରେ ନିଜେ ଚାଲିବାକୁ ସକ୍ଷମ ସାଜେ । ନିଜ ଗୋଡରେ ଠିଆ ହୋଇ ଦୁନିଆ ଦେଖିବାର ଅଭିଳାଶାକୁ ଆଲୋକିତ କରେ । ସେବେ ଖୁସିରେ ଆତ୍ମହରା ହୋଇପଡନ୍ତି ଜନ୍ମଦାତା ପିତା । ନିଜ ସନ୍ତାନ ସନ୍ତତିଙ୍କ ସଫଳତାକୁ କେଉଁ ବାପା- ମାଆ ବା ଉପଭୋଗ କରିବାକୁ ନ ଚାହାଁନ୍ତି । କାହାଣୀ ପରି ଅନୁଭବ ହେଉଥିବା ଏକ ଘଟଣା ନେଇଛି ବାସ୍ତବତାର ରୂପ ।

ଜଣେ ପୋଲିସ ବାପା ତାଙ୍କ ପୋଲିସ ଝିଅକୁ ସାଲ୍ୟୁଟ ମାରୁଥିବା ଫଟୋ ଦେଖିବାକୁ ମିଳିଛି । ବେସ ଭାଇରାଲ ହୋଇଛି ଏହି ଫଟୋ । ଆଉ ଘଟଣା ବିଷୟରେ ଜାଣିବା ପରେ ସଭିଏଁ କହୁଛନ୍ତି, ବାଃ ଝିଅ ବାଃ… । ଆନ୍ଧ୍ର ପ୍ରଦେଶ ପୋଲିସରେ ଘଟିଛି ଏଭଳି ଏକ ଘଟଣା । ଜାନୁଆରୀ ୩ରେ ତିରୁପତିରେ ପୁଲିସ ଡ୍ୟୁଟି ମିଟ୍- ୨୦୨୧ ଆୟୋଜନ କରିଥିଲା ଆନ୍ଧ୍ରପ୍ରଦେଶ ପୋଲିସ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଡିଜିପି ଗୌତମ ସୱାଙ୍ଗ । କିନ୍ତୁ ସଭାସ୍ଥଳରେ ଡିସିପି ଝିଅକୁ ଇନସ୍ପେକ୍ଟର ବାପାର ସାଲ୍ୟୁଟ, ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ବିଭୋର କରିଥିଲା । ଆଉ ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ତତକ୍ଷାଣତ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା ।

ନବନିଯୁକ୍ତ ଗୁଣ୍ଟୁର ଜିଲ୍ଲାର ଡେପୁଟି ସୁପରିଟେଣ୍ଡେଣ୍ଟ(ଡିଏସପି) ୟେନ୍ଦଲୁରୁଜେସି ପ୍ରଶାନ୍ତିଙ୍କୁ ସର୍କଲ ଇନସ୍ପେକ୍ଟର ୱାଇ ଶ୍ୟାମସୁନ୍ଦର ଅଭିବାଦନ ଦେବା ସହ ସାଲ୍ୟୁଟ ମାରିଥିଲେ । ପରେ ଜଣାପଡିଥିଲା ଯେ, ଡିଏସପି ହେଉଛନ୍ତି ସର୍କଲ ଇନସ୍ପେକ୍ଟର ୱାଇ ଶ୍ୟାମସୁନ୍ଦରଙ୍କ ଝିଅ । ଅଭିବାଦନ ଦେବା ସମୟରେ ଉଭୟ ପିତା-ପୁତ୍ରୀଙ୍କ ମୁହଁରେ ରହିଥିବା ଆତ୍ମୀୟତା ଏବଂ ଆଶୀଷ ଭରା ସ୍ମିତହାସ୍ୟ ସବୁ କିଛି ସ୍ପଷ୍ଟ କରୁଥିଲା । ଏଭଳି ଏକ ମୂହୂର୍ତ୍ତକୁ ଉପସ୍ଥିତ ପୋଲିସ ଅଧିକାରୀ ମାନେ ପ୍ରଶଂସା କରିବା ସହ ହୃଦୟସ୍ପର୍ଶୀ ବୋଲି ଉଲ୍ଲେଖ କରିଛନ୍ତି ।

ତ୍ରିଭଙ୍ଗ ଫିଲ୍ମରେ ଓଡ଼ିଶୀ ନୃତ୍ୟାଙ୍ଗନା ଭୂମିକାରେ ପରଦାକୁ ଆସିବେ ଅଭିନେତ୍ରୀ କାଜଲ

ତ୍ରିଭଙ୍ଗ ଟ୍ରେଲର: ଓଡ଼ିଶୀ ନୃତ୍ୟାଙ୍ଗନା ବେଶରେ ନଜର ଆସିଲେ ବଲିଉଡ଼ ଅଭିନେତ୍ରୀ କାଜଲ । କାଜଲ ତାଙ୍କ ଆଗାମୀ ଫିଲ୍ମ ‘ତ୍ରିଭଙ୍ଗରେ’ ଓଡ଼ିଶୀ ଡ଼୍ୟାନ୍ସ କରୁଥିବା ଦେଖିବାକୁ ମିଳିବ । ବଲିଉଡ଼ରେ ଓଡ଼ିଶୀ ଡ଼୍ୟାନ୍ସ ନୂଆ ନଥିଲେ ବି କାଜଲଙ୍କ କ୍ଷେତ୍ରରେ ଏହା ସମ୍ପୁର୍ଣ୍ଣ ନୂଆ । ଏହି ଫିଲ୍ମରେ ସେ ଜଣେ ଓଡ଼ିଶୀ ନୃତଙ୍ଗନା ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରେଣୁକା ସାହାଣେ । ଟ୍ରେଲରେ କାଜର ଏକ ନୀଳ ରଙ୍ଗର ଓଡ଼ିଶୀ ବସ୍ତ୍ର ସହ ନଜର ଆସିଛନ୍ତି ।

ଜାନୁଆରୀ ୧ରେ ଫିଲ୍ମର ଟିଜରକୁ ସେ ଟ୍ୱିଟରରେ ସେୟାର କରିବା ପରେ ଚର୍ଚ୍ଚା ଜୋର ଧରିଛି । ୨୦ ସେକେଣ୍ଡର ଏହି ଭିଡ଼ିଓରେ କାଜଲ ଓଡ଼ିଶୀ ଶାଢ଼ୀ ପିନ୍ଧିଛନ୍ତି । ଆସନ୍ତା ୧୫ ତାରିଖରେ ସିନେମାଟି ଓଟିଟି ପ୍ଳାଟଫର୍ମ ନେଟଫ୍ଲିକ୍ସ ରିଲିଜ ହେବ । ସିନେମାରେ ଅନେକ ରୋମାଂଚକ ଦୃଶ୍ୟ ରହିଛି । ଫିଲ୍ମରେ ୩ ଜଣ ମହିଳାଙ୍କ ଜୀବନ କାହାଣୀ ରହିଛି । କାଜଲଙ୍କ ଚିରତ୍ର ନାଁ ରହିଛି ଅନୁ ।

ହାଇକୋର୍ଟରେ ଆକାଶ ପାଠକଙ୍କ ଜାମିନ ଶୁଣାଣି, କେସ୍‌ ଡାଏରୀ ଦାଖଲ ପାଇଁ ଭିଜିଲାନ୍‌ସକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆକାଶ ପାଠକ ଜାମିନ ଆବେଦନ ପ୍ରସଙ୍ଗ। କେସ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଭିଜିଲାନ୍ସକୁ ନିର୍ଦେଶ ଦେଲେ ହାଇକୋର୍ଟ। ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବ। ଭିଜିଲାନ୍ସ ମାମଲାରେ ଆକାଶ ଜାମିନ ଆବେଦନ କରିଥିଲେ। ନଭେମ୍ବର ୨୫ ତାରିଖରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତତ୍କାଳୀନ ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ବାସଭବନରେ ଚଢ଼ାଉ କରିଥିଲା। ଗତ କିଛିବର୍ଷରେ ଭିଜିଲାନ୍ସ ବିଭାଗର ଏହା ଥିଲା ସର୍ଵବୃହତ୍‌ ଚଢ଼ାଉ।

ଭିଜିଲାନ୍ସର ୧୫୦ ଅଧିକାରୀ ଓ କର୍ମଚାରୀ ଚଢ଼ାଉରେ ସାମିଲ ହୋଇଥିଲେ। ଚାରୋଟି ରାଜ୍ୟରେ ଚଢ଼ାଉ କରି ଭିଜିଲାନ୍ସ ଅଭୟକାନ୍ତ ଠୁଳ କରିଥିବା ଆୟ ବହିର୍ଭୂତ ସମ୍ପତ୍ତିର ଖୁଲାସା କରିଥିଲା। ନିଜ ରୋଜଗାରଠାରୁ ୪୩୫ ପ୍ରତିଶତ ଅଧିକ ଆୟ କରିଥିବା ଭିଜିଲାନ୍ସ ପ୍ରମାଣ ପାଇବା ପରେ ନଭେମ୍ବର ୨୭ରେ ଭିଜିଲାନ୍ସ ସେଲରେ ମାମଲା ରୁଜୁ କରି ଅଭୟକାନ୍ତଙ୍କୁ ଗିରଫ କରାଯାଇଥିଲା।

ତାଙ୍କ ପୁଅ ଆକାଶ ପାଠକଙ୍କୁ ମଧ୍ୟ ଭିଜିଲାନ୍ସ ପୁନେରୁ ଗିରଫ କରିଥିଲା। ଭିଜିଲାନ୍ସ ପକ୍ଷରୁ ୨୦ ଜଣିଆ ଏସଆଇଟି ଗଠନ କରାଯାଇ ଉଭୟ ବାପପୁଅଙ୍କୁ ରିମାଣ୍ଡରେ ଆଣି ଅନେକ ତଥ୍ୟ ଓଗାଳିଥିଲା ଭିଜିଲାନ୍‌ସ ଏସଆଇଟି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍‌ସ ଅଦାଲତ ଆକାଶ ପାଠକଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ବରଗଡ଼ରେ ବଢ଼ିଚାଲିଛି ନକଲି କୀଟନାଶକ ଔଷଧ କାରବାର, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଚାଷୀ

ବରଗଡ଼: ବରଗଡ଼ ଜିଲ୍ଲାରେ ବଢ଼ିଚାଲିଛି ନକଲି କୀଟନାଶକ ଔଷଧ କାରବାର। ଯେଉଁଥିପାଇଁ ଲୋକେ ଅସଲି ମୂଲ୍ୟ ଦେଇ କିଣୁଛନ୍ତି ନକଲି ଔଷଧ । ତେବେ ଚାଷୀ ମାନେ ସେହି ନକଲି ଔଷଧ ଫସଲରେ ପକାଇବା ଦ୍ୱାରା ଚାଷ ନଷ୍ଟ ହେଉଛି । ଏଥିପାଇଁ ନକଲି କୀଟନାଶକ ବିକ୍ରି ବନ୍ଦ ଦାବିରେ ଚାଷୀ ଓ କମ୍ପାନୀ କର୍ମଚାରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନକଲି କୀଟନାଶକ ଔଷଧକୁ ଅସାଧୁ ବ୍ୟବସାୟୀ କମ୍‌ ଦାମରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ରୋକିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଚାଷୀ ଓ କମ୍ପାନୀ କର୍ମଚାରୀ । ଅନ୍ୟପକ୍ଷରେ ନକଲି କୀଟନାଶକ ପ୍ରୟୋଗ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହେଉଛି । ତେଣୁ ଏହାକୁ ରୋକିବା ସହ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

ଅନ୍ୟପଟେ କୀଟନାଶକ ଓ ସାର କିଣିବା ସମୟରେ ଚାଷୀମାନେ ଭଲକରି ଦେଖି କିଣିବାକୁ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପରାମର୍ଶ ଦେଇଛନ୍ତି ।

୭ଟି ଜିଲ୍ଲାରେ ଦିନକରେ ଶୂନ କରୋନା ସଂକ୍ରମିତ, ଚିହ୍ନଟ ହେଲେ୧୯୮ ଜଣ କରୋନା ରୋଗୀ

ଭୁବନେଶ୍ୱର: ରାଜ୍ୟରେ କମିବାକୁ ଲାଗିଛି କରୋନା ସଂକ୍ରମଣ। କରୋନା ଗ୍ରାଫ ଦିନକୁ ଦିନ ତଳମୁହାଁ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଲଗାତାର ତୃତୀୟ ଦିନ ପାଇଁ ୨୦୦ରୁ କମ୍ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ୧୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୫ ଜଣ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୩ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୬୯୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୬ ହଜାର ୫୦୭ ଜଣ ସଂକ୍ରମିତ ସୁସ୍ଥ ହୋଇ ଝରକୁ ଫେରିଛନ୍ତି ।

ତେବେ ବାଲେଶ୍ୱର ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୦, ଭଦ୍ରକରୁ ୩, ବଲାଙ୍ଗିରରୁ ୧୪, ବୌଦ୍ଧରୁ ଜଣେ, କଟକରୁ ୯, ଗଞ୍ଜାମରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୬, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୪ , କେନ୍ଦୁଝରରୁ ୧୯, ଖୋର୍ଦ୍ଧାରୁ ୧୭, ମୟୂରଭଞ୍ଜରୁ ୧୧, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୨, ନୂଆପଡ଼ାରୁ ୨, ପୁରୀରୁ ୯, ସମ୍ବଲପୁରରୁ ୯, ସୋନପୁରରୁ ୩ ଓ ସୁନ୍ଦରଗଡ଼ରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି।

Coronavirus Vaccine: ଟିକାକୁ ନେଇ ମୁହାଁମୁହିଁ ହେଲେ ସିରମ୍ ଓ ଭାରତ ବାୟୋଟେକ୍ ମୁଖ୍ୟ

ଭାରତରେ କରୋନା ଭାଇରସର ଦୁଇଟି ଟିକାକୁ ମଂଜୁରୀ ମିଳିଛି । ଗୋଟିଏ ହେଉଛି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଓ ଅନ୍ୟଟି ଭାରତ ବାୟୋଟେକର କୋଭିସିଲ୍ଡ । ତେବେ ଏବେ ଦୁଇ କଂପାନୀର ମାଲିକ ଟିକାକୁ ନେଇ ପରସ୍ପର ବିରୋଧରେ ବୟାନ ଦେବା ଆରମ୍ଭ କରିଛନ୍ତି । ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କୋଭାକ୍ସିନକୁ ଅନୁମତି ଦିଆଯିବାକୁ ବିରୋଧ କରିଥିଲେ । ଏବେ ଭାରତ ବାୟୋଟେକର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ କୃଷ୍ଣା ଏଲା ପାଲଟା ଆକ୍ରମଣ କରିଛନ୍ତି ।

କୃଷ୍ଣା ଏଲା ନିଜ ବୟାନରେ କହିଛନ୍ତି ଯେ, ଆମେ ଏଭଳି ପ୍ରତିକ୍ରିୟାର ଆଶା କରିନିଥିଲୁ । ଭ୍ୟାକ୍ସିନକୁ ନେଇ ରାଜନୀତି ନକରିବାକୁ ସେ ଅନୁରୋଧ କରିଛନ୍ତି ।ପୁନାୱାଲାଙ୍କ ନାମ ନନେଇ ସେ କହିଛନ୍ତି ଯେ, ‘‘ ଆମେ ୨ଶହ ପ୍ରତିଶତ ବିଶ୍ୱସନୀୟ କ୍ଲିନିକାଲ ଟ୍ରାଏଲ କରୁ ଓ ଏହାପରେ ଆମକୁ ଏଭଳି ପ୍ରତିକ୍ରିୟା ମିଳିଥାଏ । ଯଦି ମୁଁ ଭୁଲ ତେବେ ମୋତେ କୁହନ୍ତୁ । କିଛି କଂପାନୀ ଆମ ଭ୍ୟାକ୍ସିନକୁ ପାଣି ଭଳି କହୁଛନ୍ତି । ମୁଁ ଏହାକୁ ଖଣ୍ଡନ କରୁଛି। ଆମେ ବୈଜ୍ଞାନିକ।’’

ସୂଚନାଯୋଗ୍ୟ ଯେ, ରବିବାର ଦିନ ଏକ ଟିଭିକୁ ଦେଇଥିବା ସାକ୍ଷାତକାରରେ ଆଦର ପୁନାୱାଲା କହିଥିଲେ ଯେ, କେବଳ ଫାଇଜର,ମଡର୍ଣ୍ଣ ଓ ଅକ୍ସଫୋର୍ଡ ଟିକାର ବିଶ୍ୱସନୀୟତା ପ୍ରମାଣିତ ହୋଇଛି ଓ ବାକି ସବୁ ଭ୍ୟାକ୍ସିନ୍ ପାଣି ଭଳି ସୁରକ୍ଷିତ।

ଏଲା କହିଛନ୍ତି ଯେ, ଆମେରିକା ଓ ୟୁରୋପ ଅକ୍ସଫୋର୍ଡ ଟିକାର ଟ୍ରାଏଲ ଡାଟା ନେବାକୁ ମନା କରିଦେଇଥିଲେ । କାରଣ ଏହି ଡାଟାରେ ପାରଦର୍ଶିତା ନଥିଲା । କିନ୍ତୁ କେହି ମଧ୍ୟ ଏହାକୁ ନେଇ ପ୍ରଶ୍ନ ଉଠାଇ ନଥିଲେ । ଏଲାଙ୍କ ଅଭିଯୋଗ ଯେ, ଟିକା ଟ୍ରାଏଲ ପୂର୍ବରୁ ଅକ୍ସଫୋର୍ଡ ଭଲ୍ୟୁଣ୍ଟରଙ୍କୁ ପାରାସିଟାମଲ ଟାବଲେଟ୍ ଖାଇବାକୁ ଦେଇଥିଲା । ଯଦି ତାଙ୍କ କମ୍ପାନୀ ଭାରତରେ ଏଭଳି କରିଥାନ୍ତା ତେବେ ରେଗୁଲଟର୍ସ ଟ୍ରାଏଲକୁ ବନ୍ଦ କରିଦେଇଥାନ୍ତା ।
ଏଲା କହିଛନ୍ତି ଯେ, ଆମେ ଭଲ୍ୟୁଣ୍ଟର୍ସଙ୍କୁ ପାରାସିଟାମଲ ଦେଇନଥିଲୁ,ତେଣୁ ଭଲ କିମ୍ବା ଖରାପ ଯାହା ମଧ୍ୟ ପ୍ରତିକ୍ରିୟା ଆସିଲା ତାକୁ ୧୦୦ ପ୍ରତିଶତ ସେହି ଭଳି ନିଆଯାଇଛି । ଏହି ରିଆକ୍ସନକୁ ରିୟଲ ଟାଇମରେ କ୍ୟାପଚର କରାଯାଇଥିଲା ।

ଏଲା ମଧ୍ୟ ଏମସ ମୁଖ୍ୟ ରଣଦୀପ ଗୁଲେରିଆଙ୍କ ବୟାନକୁ ନେଇ ଆପତ୍ତି କରିଛନ୍ତି । ଗୁଲେରିଆ କୋଭାକ୍ସିନର ବ୍ୟବହାର ଅନ୍ୟ ଭ୍ୟକ୍ସିନର ବ୍ୟାକଅପ୍ ଭାବେ କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ଉପରେ ଏଲା କହିଛନ୍ତି ଯେ,ଏହା ଗୋଟିଏ ଟିକା,ବ୍ୟାକଅପ୍ ନୁହେଁ । ଏଭଳି ବୟାନ ଦେବା ପୂର୍ବରୁ ଲୋକଙ୍କୁ ନିଜ ଦାୟିତ୍ୱ ବାବଦରେ ସଚେତନ ହେବାକୁ ପଡ଼ିବ ।

ଏଲା କହିଛନ୍ତି ଯେ, ଏକ ଭାରତୀୟ କମ୍ପାନୀ ଭାବେ ଭାରତ ବାୟୋଟେକ୍ ଏଷ୍ଟ୍ରାଜେନେକା କିମ୍ବା ଫାଇଜର ଭଳି ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ତୁଳନାରେ ବିନା କୌଣସି ବ୍ୟାକଅପରେ ଏକୁଟିଆ ସଂଘର୍ଷ କରୁଛି । ଆମ ସବୁ ଡାଟାକୁ ପାରଦର୍ଶୀ ଭାବେ ରଖୁ । ଆମେ ସବୁ ସମିତି ସାମନାରେ ଏହି ଡାଟାକୁ ରଖିଥିଲୁ ,ଯାହା ପରେ ଆମକୁ ଅନୁମତି ମିଳିଛି ।

ରାଜ୍ୟରେ କରୋନା ଟିକାକରଣ ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି, ଡ୍ରାଏ ରନ୍‌ ପରେ ଚେକ୍‌ ହେବ ସେସନ ସାଇଟର ଫିଜିବିଲିଟି

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ ପରେ ଏବେ ଚେକ୍‌ ହେବ ସେସନ ସାଇଟର ଫିଜିବିଲିଟି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିସ୍ତୃତ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ୨୯ ହଜାର ସେସନ ସାଇଟ ଅଛି। ହେଲେ ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି। ଗତକାଲି ସ୍ୱାସ୍ଥ୍ୟ ସଚିବ ଏହି ସେସନ ସାଇଟର ଫିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି।

ସେମାନେ ଦେଖିବେ ଯେ ସେସନ ସାଇଟରେ ପ୍ରତୀକ୍ଷା ପ୍ରକୋଷ୍ଠ, ଟିକାଦାନ ପ୍ରକୋଷ୍ଠ ଓ ଅବ୍‌ଜର୍ଭେସନ ରୁମ୍‌ ଠିକ୍‌ ଅଛି କି ନାହିଁ। ପ୍ରଥମେ ପ୍ରତୀକ୍ଷା ପ୍ରକୋଷ୍ଠରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ। ସେମାନଙ୍କ ନାଁ ଡାଟାବେସରେ ଅଛି କି ନାହିଁ ତାହା ଯାଞ୍ଚ କରାଯିବ। ଏହା ପରେ ଟିକାଦାନ ପ୍ରକୋଷ୍ଠରେ ସେମାନଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ। ତା ପରେ ସେମାନଙ୍କୁ ଅବଜର୍ଭେସନ ରୁମ୍‌ରେ ୩୦ ମିନିଟ ରଖାଯିବ। ଏହି ସମୟ ଭିତରେ ପାର୍ଶ୍ଵ ପ୍ରତିକ୍ରିୟା ନ ଆସିଲେ, ସେମାନଙ୍କୁ ଛାଡ଼ି ଦିଆଯିବ। ଏହି ମାସ ଶେଷ ଆଡ଼କୁ ଟିକା ଓଡ଼ିଶା ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି।

୧୦୦ ଦିନର ପାଠପଢ଼ା ମଧ୍ୟରେ ରବିବାର ବି ଖୋଲିବ ସ୍କୁଲ, ସେପଟେ ୩୦ ପ୍ରତିଶତ କମିଲା ସିଲାବସ୍‌

ଭୁବନେଶ୍ୱର: କରୋନା ପାଇଁ ଦୀର୍ଘ୧୦ ମାସ ହେବ ସ୍କୁଲ କଲେଜ ସବୁ ବନ୍ଦ ରହିଛି। ତେବେ ଜାନୁଆରୀ ୮ରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବ ଏବଂ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ଏବେ ଗୋଟିଏ ସେକ୍ସନରେ କେତେ ପିଲା ପଢ଼ିବେ ସେ ସୂଚନା ଦେଇଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସସନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ଗତକାଲି ଡିଇଓ ମାନଙ୍କ ସହ ସ୍ୱତନ୍ତ୍ର ସଚିବ ଆଲୋଚନା କରିଥିଲେ। ପ୍ରତି ଜିଲ୍ଲାର ନୋଡାଲ ଅଫିସର ଦାୟୀତ୍ୱ ପାଇ ପହଞ୍ଚିଲେଣି। ସେପଟେ ୧୫ରୁ ୧୭ ଜିଲ୍ଲାର ଜିଲ୍ଲାପାଳ ଓ ଡିଇଓଙ୍କ ମିଳିତ ବୈଠକ ସରିଛି। ବୈଠକ ପରେ ପ୍ରତି ଜିଲ୍ଲାର ପଦାଧିକାରୀ ଜିଲ୍ଲାକୁ ଗଲେଣି। ତେବେ ସେମାନେ ଜିଲ୍ଲାପାଳ ଓ ଡିଇଓଙ୍କ ସହ ସମନ୍ଵୟ ରକ୍ଷା କରି କାମ କରିବେ। ଯଦି ଅଧିକ ଶିକ୍ଷକ ଆବଶ୍ୟକତା ରହିଛି ତେବେ ତାହା ପୂରଣ କରିବାକୁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଥମରୁ ନବମ ଶ୍ରେଣୀ ଯାଏ କ୍ଲାସ ହେଉନାହିଁ କେବଳ ଦଶମରୁ ଦ୍ୱାଦଶ ପାଇଁ ସ୍କୁଲ ଖୋଲିବ। ୧୦୦ ଦିନ ପାଠପଢା ଆବଶ୍ୟକତା ରହିଛି। ସବୁଠାରୁ ବଡ଼ କଥା ହେଉଛି ୧୦୦ ଦିନର ପାଠପଢ଼ା ମଧ୍ୟରେ ରବିବାର ମଧ୍ୟ ସ୍କୁଲରେ ପାଠପଢ଼ା ହେବ। କାରଣ ରବିବାର ନପଢ଼ାଇଲେ ୧୦୦ ଦିନ ହେବନାହିଁ। ବର୍ତ୍ତମାନ କିନ୍ତୁ ପିଲାଙ୍କ କୋଭିଡ ଟେଷ୍ଟ ହେବା ନିଷ୍ପତ୍ତି ହୋଇନି। ସ୍ୱାସ୍ଥ୍ୟ ବିଭାଗ କହିବା ପରେ ଟେଷ୍ଟ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସିଲାବସ ୩୦ ପ୍ରତିଶତ କମିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।