spot_img
Home Blog Page 6140

ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଯାହାକୁ ମିଶାଇ ହତ୍ୟା ଘଟଣାରେ ଏବେ ଗିରଫ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପି. କେ ଜେନା ।

ଏହି ମାମଲାରେ ପୂର୍ବରୁ ୫ ଅଭିଯୁକ୍ତକୁ ଗିରଫ କରି ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ । ଅଭିଯୁକ୍ତ ପଞ୍ଚାନନ ସେଠୀ, ଅରବିନ୍ଦ ଖଟୁଆ, କ୍ଷିତିସ୍ ଆଚାର୍ଯ୍ୟ, ଲଳିତ ମୋହନ ବରାଳ ଓ କୈଳାସ ଖୁଣ୍ଟିଆଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ତେବେ ଗତକାଲି କୋର୍ଟ ଚାଲାଣ ବେଳେ ଚାଞ୍ଚଲ୍ୟକର ବୟାନ ଦେଇଥିଲା ଅଭିଯୁକ୍ତ ପଞ୍ଚାନନ ସେଠୀ । ପୂର୍ବ ଶତ୍ରୁତାରୁ କୁଳମଣି ବରାଳଙ୍କୁ ହତ୍ୟା କରିଛି କହିଥିଲା ପଞ୍ଚାନନ । ମୃତ କୁଳମଣି ଓ ତାଙ୍କ ଦୁଇ ପୁଅ ପୂର୍ବରୁ ତାଙ୍କୁ ଉଲଗ୍ନ କରି ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଆକ୍ରୋଶ ରଖି ତାଙ୍କୁ ହତ୍ୟା କରିଥିଲୁ ବୋଲି ସେ ପ୍ରକାଶ କରିଛି ।

ଉଲ୍ଲେଖଯୋଗ୍ୟ, ଗତକାଲି ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା । ଭୁବନେଶ୍ୱରରୁ କୈଳାସ ଖଟୁଆକୁ ଗିରଫ କରାଯାଇଥିବା ଅତିରିକ୍ତ ଆରକ୍ଷି ଅଧିକ୍ଷକ ପ୍ରଦ୍ୟୁମ୍ନ କୁମାର ଜେନା ସୂଚନା ଦେଇଥିଲେ । ସେହିପରି ଗତକାଲି ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା। ଏଥିସହିତ ଲୁଚାଇଥିବା ହତିଆର ଧରି ହତ୍ୟାକାଣ୍ଡର ଡେମୋ ଦେଖାଇଥିଲା ସେ ।

ଗତ ୨ତାରିଖ ରାତିରେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ବାଇକରେ ଜଙ୍କୋଟି ଗାଁରୁ ନୃତାଙ୍ଗ ଫେରୁଥିବା ବେଳେ ୧୦-୧୨ଜଣ ଦୁର୍ବୃତ୍ତ ଆକ୍ରମଣ କରିଥଲେ। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ବଡ଼ ମେଡିକାଲରେ ଦିବ୍ୟସିଂହ ପ୍ରାଣ ହରାଇଥିଲେ।

ଆମେରିକା ସଂସଦ ପରିସରରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ଗୁଳିମାଡରେ ଜଣେ ମୃତ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଜାରି ରହିଛି ହଟଚମଟ । କଂଗ୍ରେସର ଇଲୋକ୍ଟ୍ରାଲ କଲେଜ ବୈଠକ ପୂର୍ବରୁ ଟ୍ରମ୍ପ ସମର୍ଥକ ହଙ୍ଗାମା କରିଛନ୍ତି। ହେଲେ ଏହି ଘଟଣାକୁ ଚାରିଆଡୁ ନିନ୍ଦା କରାଯାଇଛି।

ସୂଚନା ମୁତାବକ, ଏହି ବୖଠକ ପୂର୍ବରୁ ପୋଲିସ ଓ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଛି। ଏଥିରେ ଅନେକ ଆହତ ହୋଇଥିବା ବେଳେ ଗୁଳିବାଜିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସ୍ଥିତି ଅଣାୟତ ହେବାରୁ ଓ୍ୱାଶିଂଟନ ଡିସିରେ କର୍ଫ୍ୟୁ ଜାରି କରାଯାଇଛି ।

ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟାଲ ବିଲ୍ଡିଂର ସୁରକ୍ଷା ଭଙ୍ଗ କରିଥିବା ନେଇ ନବ ନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରମୁଖ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି । ସେପଟେ ଏହି ହଙ୍ଗାମା ପରେ ଟୁଇଟର ଓ ଫେସ୍‌ବୁକ୍ ପକ୍ଷରୁ ଆମେରିକାର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ଲକ୍‌ କରାଯାଇଛି ।

ଅନ୍ୟପଟେ ଏହି ଘଟଣାକୁ ରାଜଦ୍ରୋହ କହିବା ସହ ସମ୍ବିଧାନର ରକ୍ଷା କରିବାକୁ ଟ୍ରମ୍ପଙ୍କୁ ଆହ୍ୱାନ ଦେଇଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍‌ ।

ସେହିପରି ଓ୍ୱାସିଂଟନରେ ଟ୍ରମ୍ପ ସମର୍ଥକଙ୍କ ହିଂସାକୁ ନେଇ ଚିନ୍ତାବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୋକତନ୍ତ୍ରରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ମୋଦି କହିଛନ୍ତି ।

ଭୁବନେଶ୍ୱରରେ ଖୋଲିବ ଶିକ୍ଷାନୁଷ୍ଠାନ, ବିଏମ୍‌ସି ପକ୍ଷରୁ ହେଲ୍ପ ଲାଇନ୍ ଜାରି

ଭୁବନେଶ୍ୱର: ଆସନ୍ତାକାଲିଠୁ ଖୋଲିବାକୁ ଯାଉଛି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରେ ମଧ୍ୟ ବିଦ୍ୟାଳୟ ଖୋଲିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟଵସ୍ଥାକୁ ଗୁରୁତ୍ୱ ଦେଇ କୋଭିଡ କଟକଣାରେ କିପରି ପଠାପଢା ଚାଲିବ ସେନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବିଭିନ୍ନ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ବେସରକାରୀ ଶିକ୍ଷାନୁଷ୍ଠାନର ପ୍ରତିନିଧିମାନେ ଯୋଗ ଦେଇଥିଲେ । ବୈଠକ ପରେ ନିଜ ପ୍ରତିକ୍ରିୟାରେ ପ୍ରେମଚନ୍ଦ୍ର କହିଛନ୍ତି, ବିଏମ୍‌ସି ପକ୍ଷରୁ ହେଲ୍ପ ଲାଇନ୍ ଖୋଲାଯାଇଛି। ସ୍କୁଲ କର୍ତ୍ତୃପକ୍ଷଙ୍କର ଯଦି କୌଣସି ସନ୍ଦେହ ହୁଏ, ଉକ୍ତ ନମ୍ବରରେ ଯୋଗାଯୋଗ କରିପାରିବେ ।

ସେହିପରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ସାନିଟାଇଜେସନକୁ ଶିକ୍ଷାନୁଷ୍ଠାନରେ ଅଧିକ ଗୁରୁତ୍ୱ ଦିଆଯିବ। ହଷ୍ଟେଲରେ ମଧ୍ୟ ଏସଓପିକକୁ କଡାକଡ଼ି ପାଳନ କରିବା ଲାଗି ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କରୋନା ପାଇଁ ଦୀର୍ଘ୧୦ ମାସ ହେବ ସ୍କୁଲ କଲେଜ ସବୁ ବନ୍ଦ ରହିଛି।  ଏହା ମଧ୍ୟରେ ଜାନୁଆରୀ ୮ରୁ ରାଜ୍ୟରେ ବିଦ୍ୟାଳୟ ଖୋଲିବ ଏବଂ ପାଠପଢ଼ା ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ଏବେ ଗୋଟିଏ ସେକ୍ସନରେ କେତେ ପିଲା ପଢ଼ିବେ । ମନ୍ତ୍ରୀ କହିଛନ୍ତି ଗୋଟିଏ ସେକ୍ସନରେ ୨୦ରୁ ୨୫ ପିଲା ପଢ଼ିବେ। ଅଧିକ ପିଲାରେ ଅଧିକ ସେକ୍ସସନ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସାନିଟାଇଜେସନ ଓ ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦିଆଯାଉଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ପ୍ରଥମରୁ ନବମ ଶ୍ରେଣୀ ଯାଏ କ୍ଲାସ ହେଉନାହିଁ କେବଳ ଦଶମରୁ ଦ୍ୱାଦଶ ପାଇଁ ସ୍କୁଲ ଖୋଲିବ। ୧୦୦ ଦିନ ପାଠପଢା ଆବଶ୍ୟକତା ରହିଛି। ସବୁଠାରୁ ବଡ଼ କଥା ହେଉଛି ୧୦୦ ଦିନର ପାଠପଢ଼ା ମଧ୍ୟରେ ରବିବାର ମଧ୍ୟ ସ୍କୁଲରେ ପାଠପଢ଼ା ହେବ। କାରଣ ରବିବାର ନପଢ଼ାଇଲେ ୧୦୦ ଦିନ ହେବନାହିଁ। ସେହିପରି ସିଲାବସ ୩୦ ପ୍ରତିଶତ କମିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଥିଲେ।

କଟକରେ ଖୋଲିଲା ଧର୍ମାନୁଷ୍ଠାନ, କରୋନା କଟକଣା ଭିତରେ ଦର୍ଶନ ଆରମ୍ଭ

କଟକ: ଦୀର୍ଘ ୯ ମାସ ପରେ ଖୋଲିଲା କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡିଙ୍କ ମନ୍ଦିର । ଯାହା ଫଳରେ ମାଆଙ୍କ ଦର୍ଶନ ପାଇଲେ ଭକ୍ତ । କରୋନା କଟକଣା ଯୋଗୁଁ ବନ୍ଦ ରହିଥିଲା ମନ୍ଦିର ।

ପ୍ରଶାସନର ନିଷ୍ପତ୍ତି ପରେ କଟକଣା ଭିତରେ ମାଆଙ୍କ ମନ୍ଦିରି ଖୋଲିଛି । ତେବେ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ପରେ ଶେଷରେ କଟକ ଜିଲ୍ଲାରେ ମନ୍ଦିର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଖାଲି କଟକ ଚଣ୍ଡି ନୁହେଁ ଜିଲ୍ଲାର ବିଭିନ୍ନ ମନ୍ଦିର ମଧ୍ୟ ଆଜିଠାରୁ ଖୋଲିଛି । ମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ନିଷ୍ପତ୍ତି ନେଇଥିଲା ଜିଲ୍ଲା ପ୍ରଶାସନ ।

ମନ୍ଦିର ଗୁଡିକ ବନ୍ଦ ପଡିଥିବାରୁ ସଫାସୁତୁରା କରିବା ସହ ଭକ୍ତଙ୍କୁ ଦର୍ଶନ ଅନୁମତି ଦେବାକୁ କଟକ ମହାନଗର ଶାନ୍ତି କମିଟି ସଂପାଦକ ପରାମର୍ଶ ଦେଇଥିଲା ।

Cuttack Chandi

କରୋନା କଟକଣାକୁ ମାନି ଲୋକେ କଟକର ସବୁ ପୂଜା ପାର୍ବଣ ପାଳନ କରିଛନ୍ତି । ଏବେ ପରିସ୍ଥିତିରେ ସୁଧାର ଆସିଛି । ତେଣୁ ଏବେ ମନ୍ଦିର ଖୋଲିବା ପରେ ପୂର୍ବପରି ଲୋକଙ୍କ ସହଯୋଗ କାମନା କରିଛି ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ, ଦୀର୍ଘ ୯ ମାସ ଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ଏବେ ସାଧାରଣ ଭାବେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କରିବାର ସୁଯୋଗ ପାଉଛନ୍ତି ଶ୍ରଦ୍ଧାଳୁ । ହେଲେ ଏବେ ବି ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ କରୋନା ବାଡ଼ ସାଜି ରହିଛି । ମନ୍ଦିର ଭିତରକୁ ସବୁଙ୍କୁ ଅନୁମତି ଥିଲେ ମଧ୍ୟ ସଂହଦ୍ୱାରରୁ ନିରାଶ ହୋଇ ଫେରୁଛନ୍ତି ଭକ୍ତ ।

କାରଣ ଶ୍ରୀମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁ ତଥା ଭକ୍ତଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନଙ୍କ ପାଖରେ କୋଭିଡ୍‌ ରିପୋର୍ଟ ନାହିଁ ସେମାନଙ୍କୁ ମନ୍ଦିର ଭିତରକୁ ଅନୁମତି ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ତେଣୁ ଅନେକ ଭକ୍ତଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳୁନାହିଁ । ଭକ୍ତ ଆଉ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ପୁରୀରେ ବାହାର ଲୋକଙ୍କ ପାଇଁ କୋଭିଡ୍ ପରୀକ୍ଷା ନେଇ ବ୍ୟବସ୍ଥା କରିବାକୁ ଭକ୍ତ ଓ ସେବାୟତ ଦାବି କରିଛନ୍ତି ।

ବଢୁଛି ଚାଷୀ ଆନ୍ଦୋଳନ, ସୀମାରେ ଚାଷୀଙ୍କ ଟ୍ରାକ୍ଟର ପରେଡର ରିହର୍ସାଲ

ନୂଆଦିଲ୍ଲୀ: ନୂଆ କୃଷି ବିଲକୁ ବିରାେଧ କରି ଦୀର୍ଘ ୪୩ ଦିନ ଧରି ଆନ୍ଦୋଳନରେ ବସିଛନ୍ତି କୃଷକ ସଙ୍ଗଠନ। ଏହାରି ମଧ୍ୟରେ ଅନେକ ଚାଷୀଙ୍କ ଜୀବନ ଯାଇଥିବା ବେଳେ ଏଯାବତ୍ ସମାଧାନର ବାଟ ଫିଟି ପାରୁନାହିଁ ।

ସରକାରଙ୍କ ସହ ବୈଠକ ବସୁଥିଲେ ବି କୗଣସି ସୁଫଳ ମିଳିପାରୁନାହିଁ । ନୂଆ କୃଷି ଆଇନକୁ ନେଇ କାଲି ପୁଣିଥରେ କେନ୍ଦ୍ର ସରକାରଙ୍କ ସହ ଚାଷୀ ସଂଗଠନର ହେବ ଆଲୋଚନା । ଏହା ପୂର୍ବରୁ ଆଜି ନିଜର ଶକ୍ତି ପ୍ରଦର୍ଶନ କରିବେ ହଜାର ହଜାର ଚାଷୀ ।

ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପୂର୍ବରୁ ଆଜି ସୀମାରେ ହେବ ଚାଷୀଙ୍କ ଟ୍ରାକ୍ଟର ପରେଡର ରିହର୍ସାଲ । ଗାଜୀପୁର ବର୍ଡରରୁ ପଲବଲ ପର୍ଯ୍ୟନ୍ତ ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରିବେ। ଯଦି କାଲି ହେବାକୁ ଥିବା ବୈଠକରେ ସରକାର ଦାବି ନ ମାନନ୍ତି, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ ସଂଗଠନ ।

ତେବେ ଯଦି ୮ ତାରିଖ ବୈଠକରେ ସରକାର ଦାବି ନ ମାନନ୍ତି ତେବେ ୯ ତାରିଖଠୁ ଜୋରଦାର ହେବ ଆନ୍ଦୋଳନ। ସେହିପରି ହରିୟାଣାରେ କୃଷି ସଙ୍ଗଠନ ଘର ଘର ବୁଲି ଆଇନ୍ ବିରୋଧରେ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ଅଣ୍ଟା ଭିଡିଛନ୍ତି।

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି ପକ୍ଷୀ ଗଣନା। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଫରେଷ୍ଟ ଡିଭିଜନର ୨୧ଟି ଟିମ ସହିତ ସମ୍ବଲପୁର ଓୟୁଏଟିର ଛାତ୍ରଛାତ୍ରୀ ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି ।

ପ୍ରତ୍ୟେକ ଟିମ୍ ପାଇଁ ମୋଟର ଚାଳିତ ଡଙ୍ଗା, ବାଇନାକୁଲାର ଓ କ୍ୟାମେରା ଦିଆଯାଇଛି । ଗତ ବର୍ଷ ହୀରାକୁଦ ଜଳଭଣ୍ଡାରକୁ ୯୨ ପ୍ରଜାତିର ୧ ଲକ୍ଷ ୪୫ ହଜାର ୯୪୬ ପକ୍ଷୀ ଆସିଥିଲେ। କାସପିଆନ ସି, ଅରାଲ ସି, ମଙ୍ଗୋଲିଆ, ହିମାଳୟ ଆଦି ଅଞ୍ଚଳରୁ ପୋଚାର୍ଡ , ବିଲ, ପେଂଟେଡ଼ ଷ୍ଟ୍ରକ, ଗ୍ରେଟ ଡକ ଭଳି ଅନେକ ପ୍ରଜାତିର ପକ୍ଷୀ ହୀରାକୁଦ ଜଳଭଣ୍ଡାରକୁ ଆସିଥାନ୍ତି ।

ତେବେ ଦୂର ଦୁରାନ୍ତରୁ ଆସିଥିବା ଏହି ପକ୍ଷୀ ମାନେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଚିଲିକା ନୂଆ ରେକର୍ଡ କରିଛି । ଏଠାକୁ ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ବନ ବିଭାଗ ପକ୍ଷରୁ ହୋଇଥିବା ପକ୍ଷୀଗଣନାରେ ସାମ୍ନାକୁ ଆସିଛି ଏହି ଉତ୍ସାହଜନକ ଖବର । ଗତବର୍ଷ ଚିଲିକାକୁ ୧୧ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସିଥିଲେ । ତେବେ ଚଳିତବର୍ଷ ଏହି ସଂଖା ବୃଦ୍ଧି ପାଇ ୧୨ ଲକ୍ଷ ପାର୍‌ କରିଛି । ଲଗାତାର ଭାବେ ଅତିଥି ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିଲିକା ପାଇଁ ଏହା ଏକ ଭଲ ଖବର ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ସିଇଓ ସୁଶାନ୍ତ ନନ୍ଦ କହିଛନ୍ତି ।

Birds Count In Chilika Lake Tomorrow

୧୯୦ ପ୍ରଜାତିର ମୋଟ ୧୨ ଲକ୍ଷ ୪୨ ହଜାର ୮୨୬ ପକ୍ଷୀ ଚିଲିକା ଆସିଛନ୍ତି । ସେମଧ୍ୟରେ ୧୧୧ ପ୍ରଜାତିର ୧୨ ଲକ୍ଷ ୪ ହଜାର ୩୫୧ ବିଦେଶାଗତ ପକ୍ଷୀ ଥିବା ବେଳେ, ୭୯ ପ୍ରଜାତିର ୩୮ ହଜାର ୪୭୫ ଦେଶୀୟ ପକ୍ଷୀ ଚିଲିକା ଆସିଛନ୍ତି । ଯାହା ପୂର୍ବ ବର୍ଷ ଅପେକ୍ଷା ୧ ଲକ୍ଷ ୩୭ ହଜାର ୭୮୬ ଅଧିକ । ତେବେ ଏଥର ଅଧିକ ୬ ପ୍ରଜାତିର ପକ୍ଷୀ ଚିଲିକା ଆସିଛନ୍ତି ।

ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଡଃ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ସାରାଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟୀକାକରଣ। ଏନେଇ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି ।

ଏଭଳି ସମୟରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ। ଏହି ବୈଠକରେ ଟୀକାକରଣ ନେଇ ଆଲୋଚନା ହେବ । କିଭଳି ସହରରୁ ଉପାନ୍ତ ଅଞ୍ଚଳକୁ ଟିକା ପହଞ୍ଚିପାରିବ।  ଟିକାର ଷ୍ଟୋରେଜ ଓ ବିତରଣ ନେଇ ବୈଠକରେ ଆଲୋଚନା ହେବ।

ଏଥିସହ ଆସନ୍ତାକାଲି ସାରା ଦେଶରେ ପୁଣି ଥରେ ହେବାକୁ ଥିବା ଟିକାର ଡ୍ରାଏ ରନ୍ ଉପରେ ମଧ୍ୟ ବୈଠକରେ ଆଲୋଚନା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ କିଭଳି ସଠିକ୍ ଉପାୟରେ ଟିକା ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ସରକାରଙ୍କ ପକ୍ଷରୁ ଜାନୁଆରି ୧୩ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ଦେଶବାସୀଙ୍କୁ ମିଳିବା ନେଇ ସଙ୍କେତ ମିଳିଛି। ପ୍ରାରମ୍ଭିକ ଭାବେ ୩ କୋଟି କରୋନା ଯୋଦ୍ଧାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

କରୋନା ବିରୋଧରେ ସାରା ଦେଶ ଲଢେଇ କରୁଥିବା ବେଳେ ଭାରତରେ ଦୁଇଟି ଟିକାକୁ ଅନୁମୋଦନ ମିଳିଛି । DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ଦେଇଥିଲେ ।

ନୂଆବର୍ଷରେ ପ୍ରଥମେ କୋଭିସିଲ୍ଡକୁ ଅନୁମତି ମିଳିଥିଲା ବେଳେ ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।

ଟିକା ବ୍ୟବହାର ନେଇ ଅନୁମୋଦନ ମିଳିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କୋଭିଶିଲ୍ଡ ଅନୁମୋଦନ ପାଇବା ପରେ ଖୁସି ବ୍ୟକ୍ତ କରିଥିଲେ। କରୋନା ବିରାେଧରେ ଦେଶବାସୀ ଲଢେଇ ଜାରି ରଖିଥିବା ବେଳେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପରେ ଜନସାଧାରଣ ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।

ମଦ ମାଫିଆଙ୍କ ଆକ୍ରମଣରେ ୨ ଅବକାରୀ ଅଧିକାରୀ ଗୁରୁତର

ଆଠଗଡ଼: ବେଆଇନ ମଦ କାରବାର ରୋକିବାକୁ ଯାଇ ହଟହଟା ଅବକାରୀ ଅଧିକାରୀ  । ମଦ ମାଫିଆଙ୍କ ଆକ୍ରମଣରେ ୨ ଅବକାରୀ ଅଧିକାରୀ ଗୁରୁତର  । କଟକ ଆଠଗଡ଼ ତିଗିରିଆ ଭୀରୁଡ଼ାର ଏ ଘଟଣା  । ଗୁରୁତର ଦ୍ବୟ ହେଲେ କଟକ ସଦର ଅବକାରୀ ଇନସପେକ୍ଟର ପ୍ରବୀର ସାମଲ ଓ ଆଠଗଡ଼ ଅବକାରୀ ବିଭାଗ ଇନସେପେକ୍ଟର ସୁଜିତ କୁମାର ବାଲା  । ଉଭୟଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି  । ଘଟଣାରେ କଟକ ଅବକାରୀ ବିଭାଗ ୨ ଜଣକୁ ଗିରଫ କରିଛି । କଟକ ଅବକାରୀ ବିଭାଗ ସହ ଖୋର୍ଦ୍ଧା, ଢେଙ୍କାନାଳ ଅବକାରୀ ବିଭାଗ ଏବଂ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ମିଳିତ ଭାବେ ଆଠଗଡ଼ କୋରଙ୍ଗା ଓ ତିଗିରିଆ ଭୀରୁଡ଼ା ଅଞ୍ଚଳରେ ଚଢାଉ କରିଥିଲେ   । ଚଢାଉ ବେଳେ ଭୀରୁଡ଼ାରେ ମଦମାଫିଆ ମାନେ ଅବକାରୀ ଅଧିକାରୀଙ୍କ ଉପରକୁ ଆକ୍ରମଣ କରିଥିଲେ  ।  ଚଢାଉ ବେଳେ ୮୦ ହଜାର ଲିଟର ମଦ ରନ୍ଧା ପୋଚ, ୧୦ ହଜାର ଲିଟର ଦେଶୀ ମଦ ଓ  ୨ଟି କାର ଜବତ କରିଛି ଅବକାରୀ ବିଭାଗ ।

ଏଥି ସହିତ ପଢ଼ନ୍ତୁ: ଭ୍ୟାକ୍ସିନ୍ ବଜାରରେ ୪ ବ୍ରାଣ୍ଡ, ଜାଣନ୍ତୁ କାହାର କଣ ବିଶେଷତ୍ୱ

ଲାଞ୍ଚ ନେଇ ଧରାପଡ଼ିଲେ NHRM ଡିପିଏମ୍‌

ମାଲକାନଗିରି: ଲାଞ୍ଚ ନେଇ ଧରାପଡ଼ିଲେ NRHM ଡିପିଏମ୍ ସୁଦୀପ କେଶ । ନିଜ କାର୍ଯ୍ୟାଳୟରେ କାର୍ଯ୍ୟରତ ଜେଇ ନବଘନ ଖୁଲଙ୍କ ଏକ ବିଲ୍ ପାସ୍ କରିବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  । ମିଳିଥିବା ସୂଚନା ମୁତାବକ, ମାଲକାନଗିରି ଜିଲ୍ଲାର ଏନ୍ଆରଏଚ୍‌ଏମ୍ ସଂସ୍ଥାରେ କାର୍ଯ୍ୟରେ ଡିପିଏମ୍ ବିଭିନ୍ନ କାର୍ଯ୍ୟ ଗୁଡ଼ିକର ବିଲ୍ ଦେୟ ପାସ୍ କରିବା ପାଇଁ ନିଜ ସଂସ୍ଥାର ଜେଇଙ୍କୁ ବାରମ୍ୱାର ଅର୍ଥ ମାଗିଥିଲେ । ଆଜି ପୁଣି ଏକ କାମର ବିଲ୍ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏହି ଲାଞ୍ଚ ଦେବା ବେଳେ ଜେଇଙ୍କୁ ବାରମ୍ୱାର ଅର୍ଥ ମାଗିଥିଲେ । ଆଜି ପୁଣି ଏକ କାମର ବିଲ୍ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏହି ଲାଞ୍ଚ ଦେବା ବେଳେ ମାଲକାନଗିରି ଜିଲ୍ଲା ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରି ତାଙ୍କୁ ଗିରଫ କରିଛନ୍ତି । ତେବେ ମୋର କୌଣସି ଭୁଲ ନାହିଁ , ମୋତେ ଫସେଇ ଦିଆଯାଇଛି ବୋଲି ସଫେଇ ଦେଇଛନ୍ତି ସୁଦୀପ ।

ଏଥିସହିତ ପଢ଼ନ୍ତୁ: ପୋଲିସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ପୋଲିସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର: ପୋଲିସ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ୪୦ ବର୍ଷ ବୟସ୍କ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ଦିଆଯାଇଛି । ସ୍ୱାସ୍ଥ୍ୟ ପରୀକ୍ଷା ନେଇ ଚିହ୍ନଟ ହସ୍ପିଟାଲରେ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ରକ୍ତ, ମୁତ୍ର, କର୍କଟ, ଇସିଜି ଏବଂ ପିଏଫ୍‌ଟି (ଆବଶ୍ୟକ ସ୍ଥଳେ) ପରୀକ୍ଷା କରାଯିବ । ତେବେ ମାଗଣାରେ ଏହି ସବୁ ପରୀକ୍ଷା କରାଇବା ନେଇ ସରକାରଙ୍କ ମଞ୍ଜୁରୀ ପରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଏ ନେଇ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗକୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ସ୍ୱାସ୍ଥ୍ୟ ପରୀକ୍ଷା ଦ୍ୱାରା ପ୍ରାୟ ୨0 ହଜାର କର୍ମଚାରୀ ଉପକୃତ ରହିବେ । ରାଜଧାନୀ କ୍ୟାପିଟେଲ ହସ୍ପିଟାଲ ସମେତ ଆରଜିଏଚ୍ ଏବଂ ଅନ୍ୟ ଜିଲ୍ଲା ହସ୍ପିଟାଲରେ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଚଳିତ ମାସରେ ସମସ୍ତ କର୍ମଚାରୀଙ୍କ ଟେଷ୍ଟିଂ କରିବାକୁ ଲକ୍ଷ ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ଗ୍ରୀନ୍‌ ଚିଲ୍ଲିରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଗ୍ରାହକ, କର୍ମଚାରୀ