spot_img
Home Blog Page 6097

ମାରାଥନ ଅଜଗର ରେସ୍କ୍ୟୁ ଅପରେସନ, ଉଦ୍ଧାର ହେଲେ ଦୁଇଟି ବିଶାଳ ଅଜଗର

ଗଞ୍ଜାମ: ମାଟି ଖୋଳୁ ଖୋଳୁ ବାହାରିଲା ଅଜଗର। ଏକା ଥରକେ ଦୁଇ ଦୁଇଟି ବିଶାଳକାୟ ଅଜଗର। ଦେଖିଲେ ଭୟରେ ଗୋଡ଼ ହାତ ଥରିବ ଲୋମ ଟାଙ୍କୁରି ଉଠିବ। ନୂଆ ବନ୍ଧର ସୌନ୍ଦର୍ଯ୍ୟ କରଣ ଚାଲିଥିବା ବେଳେ ବାହାରିଥିଲା ଏହି ବିରାଟ ଜନ୍ତୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗାଁର ନୂଆ ବନ୍ଧ ନିକଟରେ। ଦୀର୍ଘ ୩ଘଣ୍ଟାର ଅକାଳ ପରିଶ୍ରମ ପରେ ଦୁଇଟି ଅଜଗର ସାପକୁ ସ୍ନେକ ହେଲ୍ପଲାଇନ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ଚାଲିଥିବା ବେଳେ ଜେସିବି ମେସିନ ଦ୍ୱାରା ପାଣି ପାଇପ ବାହାର କରିବାକୁ ନାଳ ଖୋଲା ଯାଉଥିଲା । ଉକ୍ତ ନାଳ ଖୋଲିବା ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଚାଲି ଆସିଥିଲେ। ଗୋଟିଏ ୭ ଫୁଟର ଅଜଗରକୁ ଜେସିବି ଚାଳକ କୌଶଳ କ୍ରମେ ଗାଡିର ଡାଲାରେ ଦାବି ରଖିଥିଲେ ।

ଅନ୍ୟ ଗୋଟିଏ ସାପ ବିକଳରେ ଗାଡ଼ିର ଇଞ୍ଜିନ ମଧ୍ୟରେ ପଶିଯାଇଥିଲା । ଏହା ପରେ ସ୍ନେକ ହେଲ୍ପ ଲାଇନକୁ ଜଣାଇଥିଲେ ସ୍ଥାନୀୟ ଲୋକେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ତାଙ୍କ ସହଯୋଗୀ ଶ୍ରୀକାନ୍ତ ନାହାକ ଓ ସନ୍ଦୀପ ସେଠୀଙ୍କ ସହ ଉକ୍ତ ସ୍ଥାନରେ ପହଞ୍ଚିଥିଲେ ।

ସ୍ୱାଧୀନ ପ୍ରଥମେ ସାତ ଫୁଟର ଅଜଗର ସାପକୁ ଉଦ୍ଧାର କରି ଏକ ଅଖା ଭିତରେ ଭର୍ତ୍ତି କରିଥିଲେ। ଏବଂ ତାପରେ ଯେଉଁ ଅଜଗରଟି ଜେସିବି ଭିତରେ ପଶିଯାଇଥିଲା ତାକୁ ଉଦ୍ଧାର କରିବା ପାଇଁ ସ୍ନେକ ହେଲ୍ପ ଲାଇନ ଟିମକୁ ନାକେଦମ ହେବାକୁ ପଡ଼ିଥିଲା । ୧୧ ଫୁଟ ଲମ୍ବର ଅଜଗରଟି ଆଦୌ ଜେସିବି ଭିତରୁ ବାହାରିନଥିଲା।

ଅଜଗର ତା ଶରୀରକୁ ଫୁଲାଇ ଦେବା କାରଣରୁ ବାହାରକୁ ବାହାର କରିବା ବହୁତ କଷ୍ଟ ହେଉଥିଲା । ଏଣେ ଅଜଗରକୁ ବଳ ପ୍ରୟୋଗ କରି ଭିଡ଼ିଲେ କାଳେ ତା ଦେହରେ କ୍ଷତ ସୃଷ୍ଟି ହେବ ସେଥିପାଇଁ ସ୍ନେକ ହେଲ୍ପଲାଇନର ସଦସ୍ୟ ଧୀରେ ସୁସ୍ଥେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ।

ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ୧୧ଫୁଟ ଲମ୍ବାର ଅଜଗରକୁ ସ୍ନେକ ହେଲ୍ପ ଲାଇନ ଜେସିବି ମଧ୍ୟରୁ ବାହାର କରିବାରେ ସଫଳ ହୋଇଥିଲା। ରାତି ୯ରୁ ୧୨ଟା ଯାଏଁ ଏହି ମାରାଥନ ରେସ୍କ୍ୟୁ ଅପରେସନ ଚାଲିଥିଲା। ସ୍ଥାନୀୟ ଗ୍ରାମବାସୀ ଏହି ଉଦ୍ଧାର କର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

ଏହି ଦୁଇ ରାଶିର ବ୍ୟକ୍ତିଙ୍କ ଅନେକ ଦିନର ସ୍ୱପ୍ନ ଶତ ହେବ

ଆଜିର ପଞ୍ଚାଙ୍ଗ:

୧୮,ଜାନୁଆରୀ, ୨୦୨୧ , ସୋମବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍,

ମକର ମାସ ୫ ଦିନ,ପୌଷ ମାସ,ଶୁକ୍ଳପକ୍ଷ,

ସକାଳ ୯ଟା ୧୭ ମିନିଟ୍ ପର୍ଯ୍ୟନ୍ତ ପଞ୍ଚମୀ

ଏହାପରେ ଷଷ୍ଠୀ ତିଥି

ମୀନ ରାଶିରେ ଚନ୍ଦ୍ର ରହିବେ

ଉତ୍ତରାଭାଦ୍ର ନକ୍ଷତ୍ର

ଯୋଗିନୀ ଦକ୍ଷିଣେ ରହିବେ ଦିନ ୯ଟା ୧୭ ପର୍ଯ୍ୟନ୍ତ

ଏହା ପରେ ପଶ୍ଚିମେ ଯାତ୍ରା ନିଷେଧ

ଧନୁ ରାଶି ପୁରୁଷ, କର୍କଟ,ତୁଳା ରାଶି ମହିଳାଙ୍କର ଘାତଚନ୍ଦ୍ର

ମିଥୁନ ରାଶିର ଘାତବାର

– ଶୁଭ ସମୟ –

ଦିନ ୧ଟା ୮ ମିନିଟ୍‌ ଠାରୁ ଦିନ ୨ଟା ୩୧ ମିନିଟ୍

ଦିନ ୩ଟା ୨୩ ମିନିଟ୍ ଠାରୁ ଦିନ ୪ଟା୧୫ ମିନିଟ୍

– ଅଶୁଭ ସମୟ –

ସକାଳ ୭ଟା ୩୦ ମିନିଟ୍ ଠାରୁ ଦିନ ୯ଟା ପର୍ଯ୍ୟନ୍ତ

ଆଜି ମୂଳା ଖାଇବା ନିଷେଧ ଅଟେ

ମେଷ

ଅଶ୍ୱିନୀ ନକ୍ଷତ୍ର – ଆପଣଙ୍କ ପାଇଁ ଦିନଟି ଲାଭ ରହିବ, ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ବଢିବ ।

ଦ୍ୱିଜା ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, ନିଜର ଭାବନା ଓ ବ୍ୟବହାରକୁ ନେଇ କିଛି ସମସ୍ୟା ଆସିପାରେ ।

କୃତ୍ତିକା ନକ୍ଷତ୍ର – ଭାବୁଥିବା କାମ ସହଜରେ ହୋଇଯିବ, ସ୍ୱାସ୍ଥ୍ୟ ଭଲ ରହିବ,ପରିବାର ଠାରୁ ସ୍ନେହ,ଆଦର ମିଳିବ ।

ଉପାୟ- ଭଉଣୀ କିମ୍ବା ଝିଅଙ୍କୁ ମିଠା ପଦାର୍ଥ ଉପହାର ଦିଅନ୍ତୁ ।

ବୃଷ

କୃତ୍ତିକା ନକ୍ଷତ୍ର – ସଫଳତା ରାସ୍ତା ଖୋଲିଯିବ, ଆର୍ଥିକସ୍ଥିତିରେ ପରିବର୍ତ୍ତନ ଆସିବ, ପୁରା ଦିନ ଖୁସି ରହିବ ।

ରୋହିଣୀ ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, ପ୍ରତି କାର୍ଯ୍ୟରେ ବିଳମ୍ବ ହେବ, ବ୍ୟସ୍ତତା ମଧ୍ୟରେ ସମୟ କଟିବ ।

ମୃଗଶିରା ନକ୍ଷତ୍ର – ଆର୍ଥିକସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ରହିବ, ଆଶା ସଫଳ ହେବ ।

ଉପାୟ- ଧାର୍ମିକ ସ୍ଥାନରେ କର୍ପୂର ଦହି ଦାନ କରନ୍ତୁ  ।

ମିଥୁନ

ମୃଗଶିରା ନକ୍ଷତ୍ର – ସ୍ୱାସ୍ଥ୍ୟ ଭଲ ରହିବ, ଭାବୁଥିବା କାମ ସହଜରେ ହୋଇଯିବ, ପରିବାର ଠାରୁ ସ୍ନେହ ଓ ଭଲ ପାଇବା ମିଳିବ ।

ଆର୍ଦ୍ରା ନକ୍ଷତ୍ର – ପଡୋଶୀଙ୍କର ସହଯୋଗ ପାଇବେ, ମନୋବଳ ବୃଦ୍ଧି ପାଇବ ।

ପୁନର୍ବସୁ ନକ୍ଷତ୍ର – ଭଲ କାମ କରି ପ୍ରଶଂସିତ ହେବେ, ବିଶ୍ୱାସର ସହ ଆଗକୁ ବଢିବେ, ଦିନଟି ଭଲ ରହିବ ।

ଉପାୟ- ପାରା ମାନଙ୍କୁ ମୁଗ ଦିଅନ୍ତୁ ।

କର୍କଟ

ପୁନର୍ବସୁ ନକ୍ଷତ୍ର – ଭାଇଭଉଣୀଙ୍କ ସହ ମଧୁର ସଂପର୍କ ହେବ, କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ ।

ପୁଷ୍ୟା ନକ୍ଷତ୍ର – ପଡୋଶୀଙ୍କ ସହଯୋଗ ଦ୍ୱାରା ମନୋବଳ ବୃଦ୍ଧି ପାଇବ, ଦିନଟି ଭଲରେ କଟିବ ।

ଅଶ୍ଳେଷା ନକ୍ଷତ୍ର – ଖର୍ଚ୍ଚ ବଢିଯିବ, କିଛି କାମ ଅଧାରେ ଅଟକି ଯିବ ।

ଉପାୟ-ମା’ଙ୍କ ପାଖରୁ ୧ ମୁଠା ଅରୁଆ ଚାଉଳ ନିଜ ପାଖରେ ରଖନ୍ତୁ ।

ସିଂହ

ମଘା ନକ୍ଷତ୍ର – ପାରିବାରିକ ସ୍ଥିତି ଅନୁକୂଳ ରହିବ, ପୁରା ଦିନ ହସଖୁସିରେ କଟିବ ।

ପୂର୍ବା ଫାଲଗୁନୀ- ଦିନଟି ମଧ୍ୟ ରହିବ, ଆପଣଙ୍କ ବ୍ୟବହାରକୁ ନେଇ ସମସ୍ୟା ଆସିପାରେ ।

ଉତ୍ତରା ଫାଲଗୁନୀ- ପୁରା ଦିନ ଆପଣଙ୍କ ସପକ୍ଷରେ ରହିବ, ଜୀବନସାଥିଙ୍କ ପରାମର୍ଶ ଲାଭଦାୟକ ରହିବ ।

ଉପାୟ- ମିଠା ଖାଇ କିଛି ଜଳ ପାନ କରି କାର୍ଯ୍ୟ ଆରମ୍ଭ କରନ୍ତୁ ।

କନ୍ୟା

ଉତ୍ତରା ଫାଲଗୁନୀ- ସ୍ୱାସ୍ଥ୍ୟ ଭଲ ରହିବ, ମନରେ ଭାବୁଥିବା କାମ ପୁରାହୋଇଯିବ ।

ହସ୍ତା ନକ୍ଷତ୍ର – ଛୋଟ କଥାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି,ଅସନ୍ତୋଷ ଦେଖାଦେବ,କ୍ରୋଧ ଉପରେ ନିୟନ୍ତ୍ରଣ ରଖି ଚଳନ୍ତୁ ।

ଚିତ୍ରା ନକ୍ଷତ୍ର – ଦୂରେଇ ଯାଇଥିବା ବନ୍ଧୁମାନଙ୍କ ସହ ସୁସଂପର୍କ ସ୍ଥାପନ ହେବ ।

ଉପାୟ- ମା କିମ୍ବା ଭଉଣୀଙ୍କୁ ସମ୍ମାନର ସହିତ କିଛି ଉପହାର ଦିଅନ୍ତୁ ।

ତୁଳା

ଚିତ୍ରା ନକ୍ଷତ୍ର – ଆପଣଙ୍କ ବ୍ୟବହାର ଓ କାର୍ଯ୍ୟଶୈଳୀକୁ ନେଇ ଅନ୍ୟମାନେ ଆକର୍ଷିତ ହେବେ ।

ସ୍ୱାତୀ ନକ୍ଷତ୍ର – ଦିନଟି ସାମାନ୍ୟ ରହିବସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ମନ ଖରାପ ରହିବ ।

ବିଶାଖା ନକ୍ଷତ୍ର – ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ହେବ, ପାରିବାରିକ ଜୀବନରେ ରହୁଥିବା କଳହ, ଅଶାନ୍ତି ଦୂର ହେବ ।

ଉପାୟ- ନିଜ ଖାଦ୍ୟରୁ କିଛି ପଶୁପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ ।

ବିଛା

ବିଶାଖା ନକ୍ଷତ୍ର- ପରିବାର ଠାରୁ ସ୍ନେହ,ଶ୍ରଦ୍ଧା ମିଳିବ, ଯାହାଙ୍କୁ ନେଇ ମନୋବଳ ବଢିବ, ନିଜ ଚେଷ୍ଟାରେ ସଫଳ ହେବ ।

ଅନୁରାଧା ନକ୍ଷତ୍ର- ଅନେକ ଦିନର ଆଶା ଅଭିଳାଷ ପୂରଣ ହେବ, ହଠାତ୍‌ କିଛି ଶୁଭ ଖବର ପାଇପାରନ୍ତି ।

ଜ୍ୟେଷ୍ଠା ନକ୍ଷତ୍ର – ପାରିବାରିକ କଳହ ଚିନ୍ତା ବଢାଇବ, ବନ୍ଧୁଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ ।

ଉପାୟ- ମାଟି ପାତ୍ରରେ ମହୁ ରଖି ଠାକୁର ଘରେ ରଖନ୍ତୁ ।

ଧନୁ

ମୂଳା ନକ୍ଷତ୍ର – ପୁରା ଦିନ ଭଲରେ କଟିବ, ସକରାତ୍ମକ ଭାବନା କାର୍ଯ୍ୟରେ ସଫଳତା ଆଣିଦେବ ।

ପୂର୍ବାଷାଢା ନକ୍ଷତ୍ର – ସ୍ୱାସ୍ଥ୍ୟ ସମସ୍ୟା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ, କିଛି କାମ ଅଧାରେ ଅଟକି ଯିବ ।

ଉତ୍ତରାଷାଢା ନକ୍ଷତ୍ର – ଭାବୁଥିବା କାମ ସହଜରେ ହୋଇଯିବ, ଯାହାକୁ ନେଇ ପୁରା ଦିନ ମନରେ ଉତ୍ସାହ ଭରି ରହିବ ।

ଉପାୟ- ଧାର୍ମିକ ସ୍ଥାନରେ କିଛି ଘିଅ,କର୍ପୂର ଦାନ କରନ୍ତୁ ।

ମକର

ଉତ୍ତରାଷାଢା ନକ୍ଷତ୍ର – ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ, ଚେଷ୍ଟାରେ ଥିବା କାମକୁ ନେଇ ଭଲ ଖବର ପାଇବେ ।

ଶ୍ରବଣା ନକ୍ଷତ୍ର – ଦିନଟି ଭଲ ରହୁନାହିଁ, କିଛି କଥାକୁ ନେଇ ମନ ଭାରାକ୍ରାନ୍ତ ହେବ, ସତର୍କ ହୋଇ ଚଳନ୍ତୁ ।

ଧନିଷ୍ଠା ନକ୍ଷତ୍ର – ଆତ୍ମବିଶ୍ୱାସର ସହିତ ଆଗକୁ ବଢନ୍ତୁ, ପରିଶ୍ରମ ସାର୍ଥକ ହେବ ।

ଉପାୟ-ତୁଳସୀ ଚଉରାମୂଳର ମାଟିକୁ ମଥାରେ ତିଳକ କରନ୍ତୁ ।

କୁମ୍ଭ

ଧନିଷ୍ଠା ନକ୍ଷତ୍ର – ମନର ଭାବନା ବାସ୍ତବ ରୂପ ନେବ, ବନ୍ଧୁଙ୍କର ସହଯୋଗ ପାଇବେ ।

ଶତଭିଷା ନକ୍ଷତ୍ର – ମନୋବଳ ବଢିବା ଦ୍ବାରା ପ୍ରତିଟି କାମରେ ମିଳିବ ସଫଳତା, ପୂରା ଦିନ ଆପଣଙ୍କ ସପକ୍ଷରେ ରହିବ ।

ପୂର୍ବଭାଦ୍ର ନକ୍ଷତ୍ର –ଲମ୍ବା ସମୟ ଧରି ଅଟକି ରହିଥିବା କାମ ସହଜରେ ହୋଇଯିବ ।

ଉପାୟ- ହଳଦୀ ଅଥବା କେଶର ତିଳକ ମଥାରେ ଲଗାନ୍ତୁ ।

ମୀନ

ପୂର୍ବଭାଦ୍ର ନକ୍ଷତ୍ର – ପରିବାର ସହିତ ସନୋତଷଜନକ ପରିବେଶ ମଧ୍ୟରେ ସମୟ କଟିବ ।

ଉତ୍ତରଭାଦ୍ର ନକ୍ଷତ୍ର – ନୂଆ କାମ ପାଇଁ କିଛି ଯୋଜନା କରିପାରନ୍ତି, ଯାହାକି ପରିବର୍ତ୍ତୀ ଅବସ୍ଥାରେ ସଫଳତା ଆଣିଦେବ ।

ରେବତୀ ନକ୍ଷତ୍ର – ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରହିବ ନାହିଁ,ପଛ କଥାକୁ ଭାବି ମନ ଖରାପ ରହିବ ।

ଉପାୟ- ଆପଣଙ୍କ କୂଳ ପୁରୋହିତଙ୍କୁ ଫଳ ଦାନ କରନ୍ତୁ ଏବଂ ତାଙ୍କ ଠାରୁ ଆର୍ଶିବାଦ୍ ନିଅନ୍ତୁ ।

ମହାଉପାୟ

ଜାଆଁଳା କଦଳୀ ଦ୍ୱାରା ପୂରଣ ହେବ ଆପଣଙ୍କର ସବୁ ମନୋସ୍କାମନା ମିଳିବ  । ସନ୍ତାନ ସୁ,ଶିଘ୍ର ବିବାହ, ବୈବାହିକ ସୁଖ, କର୍ମ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ । ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ । କୌଣସି ଶୁକ୍ଳପକ୍ଷ ଗୁରୁବାର ଦିନ ଜାଆଁଳା ପାଚିଲା କଦଳୀ ଆଣନ୍ତୁ କୁମ୍‌କୁମ୍‌ ଦ୍ୱାରା ଗୋଟିଏ କଦଳୀରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ । ଅନ୍ୟ କଦଳୀରେ ନିଜର ନାମ ଲେଖନ୍ତୁ । ଓଁ ମନୋ ଭଗବତେ ବାସୁଦେବାୟ ମନ୍ତ୍ରକୁ ୧୦୮ ଥର ଜପକରନ୍ତୁ ନିଜର ମନର ଇଛା ଭଗବାନଙ୍କୁ ଜଣାନ୍ତୁ । ଗୋଟିଏ ଘିଅ ଜଦୀପ ପ୍ରଜ୍ଜଳନ କରନ୍ତୁ ସମର୍ପିତ କରିଥିବା କଦଳୀକୁ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ । ଏହା ୧୧ଟି ଗୁରୁବାର କରନ୍ତୁ । ସୋମବାର ଠାରୁ ୯ଟି ସୋମବାର ଜାଆଁଳା କଦଳୀ ସହିତ କ୍ଷୀର,ମହୁ,ବେଲପତ୍ର ଶିବ ଭଗବାନଙ୍କୁ ଅର୍ପଣ କରନ୍ତୁ । ସନ୍ତାନ ସୁଖ,ସନ୍ତାନ ପ୍ରାପ୍ତି, ରୋଗ କଷ୍ଟସହିତ ଗ୍ରହପୀଡାରୁ ମୁକ୍ତି ମିଳିବ ।

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

କମିବ ତାପମାତ୍ରା ବଢିବ ଶୀତ, ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଘନ କୁହୁଡୁର ଆସ୍ତରଣ ଜନଜୀବନ ଅସ୍ତବ୍ୟସ୍ତ କରିଛି । ସକାଳ ୯ଟା ୧୦ ଯାଏଁ ବି କୁହୁଡ଼ି କମୁ ନଥିବାରୁ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଉଛି । ଯଦିଓ ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢିବା ନେଇ କୁହାଯାଇଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ସ୍ୱାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କେବଳ ସେତିକି ନୁହେଁ କିଛି ଦିନର ବ୍ୟବଧାନ ପରେ ପୁଣି ୨୧ ତାରିଖରୁ ଶୀତ ଲେଉଟିବ । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ଶୀତ ଏବଂ ତାପମାତ୍ରା ବୃଦ୍ଧି ଲୁଚକାଳି ଖେଳ ମଧ୍ୟରେ ଘନ କୁହୁଡି ଅସ୍ତବ୍ୟସ୍ତ କରିବ ।

ବିଶେଷ କରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, ନୟାଗଡ, ବୌଦ୍ଧ, କନ୍ଧମାଳ, ଅନୁଗୁଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ଗଞ୍ଜାମରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ବୌଦ୍ଧ, ନୟାଗଡ, ପୁରୀ, କନ୍ଧମାଳ ଏବଂ କଳାହାଣ୍ଡିରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଅଞ୍ଚଳ ଗୁଡିକରେ ୨ଶହ ମିଟରରୁ କମ୍ ଦୃଶ୍ୟମାନ ରହିବ ।

୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର: ସମ୍ମାନିତ ହେଲେ ୧୦ ଲେଖକ

0

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ୪ର୍ଥ ଯୁବ ଲେଖକ ପୁରସ୍କାର ସମାରୋହ। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ହୋଟେଲେ ପାର୍କ ପ୍ରିମିୟମ ପରିସରରେ ଆୟୋଜିତ ଏହି ସମାରୋହରେ ବିଗତ ବର୍ଷମାନଙ୍କ ଭଳି ୧୦ ଜଣ ଯୁବ ଲେଖକଙ୍କୁ ସମ୍ମାନିତ କରାଯାଇଛି।

ଏହି ସମାରୋହରେ ବରିଷ୍ଠ କବି ତଥା ବିଶିଷ୍ଟ ଗାନ୍ଧିବାଦୀ ଓ ସର୍ବୋଦୟ କର୍ମୀ ଶୈଳଜ ରବି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୁବଲେଖକମାନଙ୍କୁ ଧୈର୍ଯ୍ୟବାନ୍‌ ହେବା ସହ ସକାରାତ୍ମକ ହେବା ଲାଗି ପରାମର୍ଶ ଦେଇଥିଲେ। କୌଣସି ସିଦ୍ଧିଲାଭ ଲକ୍ଷ୍ୟରେ ସୃଜନ ନ କରି ନିଜର ଅନ୍ତଃପ୍ରେରଣା ଓ ଆଗ୍ରହରୁ ସାହିତ୍ୟ ସୃଷ୍ଟି ହେବା ଉଚିତ ବୋଲି ସେ ମତ ଦେଇଥିଲେ। କର୍ମଶାଳା ମାଧ୍ୟମରେ ଅଧିକରୁ ଅଧିକ ଯୁବ ଲେଖକଙ୍କୁ ସାହିତ୍ୟ ଜଗତରେ ଶକ୍ତିଶାଳୀ କରାଯାଇପାରିବ ବୋଲି ସେ ମତ ଦେଇଥିଲେ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ କଥାଶିଳ୍ପୀ ଡ. ଗୌରହରି ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଜଣେ ଯୁବ ଲେଖକ ପାଖରେ ଥିବା ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ମତ ରଖିଥିଲେ। ନିଜ ଆଦ୍ୟ ଲେଖକୀୟ ଜୀବନ ସମେତ ବହୁ ପ୍ରସିଦ୍ଧ ଲେଖକଙ୍କ ପ୍ରାରମ୍ଭିକ ସାଧନା ସମୟର ବିଫଳତା ବାବଦରେ ସେ ନୂଆ ଲେଖକଙ୍କୁ ଅବଗତ କରାଇଥିଲେ। ତେବେ ବର୍ତ୍ତମାନ ସୁଯୋଗର ଅଭାବ ନଥିବା ବେଳେ ନୂଆଲେଖକମାନେ ବିଫଳତା ଦେଖିବାର ଧୈର୍ଯ୍ୟ ରଖନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ। କଳିଙ୍ଗ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ଓ ପୂର୍ବତନ କୁଳାଧିପତି ଡ. ବଦ୍ରିନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଆ ମିଡିଆର ଉଦ୍ୟମକୁ ପ୍ରଶଂସା କରିଥିଲେ। କଥାଶିଳ୍ପୀ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସମାରୋହରେ ସଭାପତିତ୍ବ କରିବା ସହ ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥାର ଆଭିମୁଖ୍ୟ ଓ ପୁରସ୍କାର ଉତ୍ସବ ପଛର ଉଦ୍ଦେଶ୍ୟ ବାବଦରେ ବକ୍ତବ୍ୟ ରଖିଥିଲେ। ମଞ୍ଚ ପରିଚାଳନା କରିଥିଲେ ଜଣାଶୁଣା ବ୍ୟଙ୍ଗ କବି କୁଳାଙ୍ଗାର।

ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ସମାରୋହରେ ୪୦ ବର୍ଷରୁ କମ ବୟସର ମୋଟ ୧୦ ଜଣ ଯୁବ ଲେଖକଙ୍କୁ ପୁରସ୍କୃତ କରାଯାଇଛି। ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ରେ ଓଡ଼ିଆ ଭାଷାର ୬ଟି ପାଣ୍ଡୁଲିପି ସ୍ଥାନ ପାଇଥିବା ବେଳେ ଇଂରାଜୀ ଓ ହିନ୍ଦୀ ଭାଷାରେ ଦୁଇଟି ଲେଖାଏଁ ପାଣ୍ଡୁଲିପି ସ୍ଥାନ ପାଇଛି।

ଓଡ଼ିଆ ଓଡ଼ିଆ ଭାଷାରେ ଗଳ୍ପ ପାଣ୍ଡୁଲିପି ‘ବଇନା ଓ ବାଣୀବିହାର’ ପାଇଁ ପ୍ରିୟରଂଜନ ପଟ୍ଟନାୟକ, କବିତା ପାଣ୍ଡୁଲିପି ‘ଟୋପାଏ ସମୁଦ୍ର’ ପାଇଁ ହିମାଂଶୁ ଶେଖର ମିଶ୍ର, ଗଳ୍ପ ପାଣ୍ଡୁଲିପି ‘କରୋନା କାହାଣୀ’ ପାଇଁ ରୁଦ୍ରରଂଜନ ଶେଜପଡ଼ା, କବିତା ପାଣ୍ଡୁଲିପି ‘ଅଶ୍ରୁ ଅଭିସାର’ ପାଇଁ ଦୀପକ କୁମାର ସ୍ବାଇଁ, କବିତା ପାଣ୍ଡୁଲିପି ‘ଜୀବନ ସହ ସନ୍ଧି’ ପାଇଁ ପ୍ରୀତିସୀମା ସ୍ବାଇଁ ଓ କବିତା ପାଣ୍ଡୁଲିପି ‘କରୋନା ଓ ଅନ୍ୟାନ୍ୟ କବିତା’ ପାଇଁ ଦିନେଶ ଜେନାଙ୍କୁ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପ୍ରଦାନ କରାଯାଇଛି।

ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ଗୁଲାବୀ କାନ୍ଭାସ୍’ ପାଇଁ ତୁଳିକା ବିବିଧରଂଗ ଓ ‘ଜିନ୍ଦଗୀ ଜୈଶେ କୋଇ ସମୁନ୍ଦର’ ପାଇଁ ନିଧି ଗର୍ଗ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପାଇଁ ମନୋନୀତ ହୋଇଥିବା ବେଳେ ଇଂରାଜୀ କବିତା ପାଣ୍ଡୁଲିପି ‘ଏଣ୍ଟ୍ରୋପୀ ଅଫ୍ ଥଟ୍ସ’ ପାଇଁ ମିୟୋଗ ରଂଜନ ପାତ୍ର ଓ ‘ଏ ପଟ୍‌ପୁରି ଅଫ୍ ପୋଏମ୍ସ’ ପାଇଁ ଅଙ୍କିତା ସାହୁଙ୍କୁ ଏହି ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଆଜିର ଉତ୍ସବରେ ପୁରସ୍କୃତି ଯୁବ ପ୍ରତିଭାମାନଙ୍କର ପାଣ୍ଡୁଲିପିଗୁଡ଼ିକ ଖୁବ୍‌ ଶୀଘ୍ର ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ କରାଯିବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ।

ପୁରସ୍କାର ଉତ୍ସବ ପରେ ଏକ ବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ କୁଳାଙ୍ଗାର, ଗିରୀଶ ରଂଜନ, ସର୍ବଗିଳା, ଆର୍ତ୍ତତ୍ରାଣ ମିଶ୍ର, ଶୁଭ୍ରା ସୁଚରିତା, ହାଡ଼ିବନ୍ଧୁ ମହାଖୁଡ଼ ଓ ବିଘ୍ନେଶ୍ବର ପ୍ରମୁଖ କବିତା ପାଠ କରିଥିଲେ।

ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରକାଶନ ବିଭାଗ ହେଉଛି ପେନ୍ ଇନ୍ ବୁକ୍ସ। ୨୦୦୬ ମସିହାରୁ ପୁସ୍ତକ ପ୍ରକାଶ କରି ଆସୁଥିବା ପେନ୍ ଇନ୍ ବୁକ୍ସ ୩୦୦ରୁ ଅଧିକ ପ୍ରସିଦ୍ଧ ପୁସ୍ତକ ଛାପିବା ସହ ରାଜ୍ୟର ଏକ ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଉଭା ହୋଇଛି। ଏହା ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀ ଭାଷାର ପୁସ୍ତକ ମଧ୍ୟ ପ୍ରକାଶ କରିଥାଏ।

ଏହି ପୁରସ୍କାର ସମାରୋହ ଭିନ୍ନ ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥାଏ। ସେସବୁ ମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍ ଓ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରମୁଖ।

ବଣଭୋଜି ହେଲା କାଳ: ଶଙ୍ଗ ନଦୀରେ ବୁଡ଼ିଗଲେ ଯୁବକ

0

ରାଉରକେଲା: ବଣଭୋଜି ପାଲଟିଲା କାଳ । ସୁନ୍ଦରଗଡ଼ ଜିଲ୍ଲାର ଚିକଟମାଟି ନିକଟକୁ ବଣଭୋଜି କରିବା ପାଇଁ ଯାଇ ଶଙ୍ଗ ନଦୀରେ ଭାସିଗଲେ ଯୁବକ । କିଛି ସମୟର ଖୋଜା ଖୋଜି ପରେ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ମୃତ ଯୁବକ ଜଣକ ମଧୁସୂଦନପାଲି ଅଞ୍ଚଳର ତ୍ରିଲୋଚନ ମହାକୁଡ଼ ବୋଲି ଜଣାପଡିଛି  ।

ଘଟଣାନୁଯାୟୀ, ରାଉରକେଲାସ୍ଥିତ ମଧୁସୂଦନପାଲି ଏବଂ ରେଲୱେ କଲୋନୀ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକ ୩ଟି ବାଇକ ଓ ଗୋଟିଏ କାରରେ ଆଜି ସକାଳେ ପିକ୍‌ନିକ୍‌ କରିବାକୁ ଚିକଟମାଟି ଭାଲୁପତ୍ରା ସ୍ଥିତ ପ୍ରେମ ଜଙ୍ଗଲକୁ ଯାଇଥିଲେ। ଅପରାହ୍ନ ପ୍ରାୟ ୨ଟାବେଳେ ନିକଟରେ ଥିବା ଶଙ୍ଖନଦୀକୁ ଗାଧୋଇବାକୁ ମଧୁସୂଦନପାଲି ୱାର୍ଡ ନଂ. ୧୧ ଅଞ୍ଚଳର ତ୍ରିଲୋଚନ ମହାକୁଡ଼(୨୩), ରେଲୱେ କଲୋନୀର ଅଶୋକ ଗିରି(୨୬) ଏବଂ ସୌମ୍ୟ ଯାଇଥିଲେ। ସୌମ୍ୟ ଅଳ୍ପ ପାଣିରେ ଗାଧୋଉଥିବାବେଳେ ତ୍ରିଲୋଚନ ଓ ଅଶୋକ ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଇଥିଲେ। ଏହା ଦେଖି ସୌମ୍ୟ ପାଣିରୁ ବାହାରି ଆସିବା ସହ ପାଟି କରିଥିଲେ। ପାଟିଶୁଣି ସ୍ଥାନୀୟ ଗ୍ରାମବାସୀ ଧାଇଁଯାଇ ବୁଡ଼ୁଥିବା ଅଶୋକକୁ ଉଦ୍ଧାର କରିଥିଲେ। ହେଲେ ତ୍ରିଲୋଚନକୁ ଉଦ୍ଧାର କରି ପାରି ନ ଥିଲେ। ଖବରପାଇ ବ୍ରାହ୍ମଣୀତରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀର ଯବାନ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୧ ଘଣ୍ଟା ଖୋଜାଖୋଜି କରିବା ପରେ ତ୍ରିଲୋଚନଙ୍କ ଶବ ଉଦ୍ଧାର କରି ଆରଜିଏଚ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବାରୁ ଶବ ମର୍ଗ ହାଉସରେ ରଖାଯାଇଛି ।

ଏଥିସହିତ ପଢ଼ନ୍ତୁ: ପିସିସି ସଭାପତି ନିରଞ୍ଜନଙ୍କ ଗାଡ଼ି ଉପରକୁ ଆକ୍ରମଣ: ଟାଉନ୍ ଥାନାରେ ମାମଲା ରୁଜୁ

ପିସିସି ସଭାପତି ନିରଞ୍ଜନଙ୍କ ଗାଡ଼ି ଉପରକୁ ଆକ୍ରମଣ: ଟାଉନ୍ ଥାନାରେ ମାମଲା ରୁଜୁ

କେନ୍ଦୁଝର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ । ନିରଞ୍ଜନଙ୍କ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କୁ ଦୁର୍ବୁତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । କେନ୍ଦୁଝରକୁ ଫେରୁଥିବା ବେଳେ କାଶିପୁରଠାରେ ନିରଞ୍ଜନଙ୍କ ଉପରେ ଆକ୍ରମଣ ହୋଇଥିଲା । ଖବର ପାଇ ଘଟଣାସ୍ଥଳରୁ ପିସିସି ସଭାପତିଙ୍କୁ ଉଦ୍ଧାର କରିଥିଲେ କଂଗ୍ରେସ କର୍ମୀ  । ତେବେ ନିରଞ୍ଜନଙ୍କୁ ଆକ୍ରମଣ ଉଦ୍ୟମ ଘଟଣାର ପ୍ରତିବାଦ କରାଯାଇଛି । କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଯୁବ କଂଗ୍ରେସ ରାସ୍ତାରୋକ କରିଛି । ଆଇନ ଶୃଙ୍ଖଳା ବିଗିଡ଼ିବା ପ୍ରତିବାଦରେ ଯୁବ କଂଗ୍ରେସ ରାସ୍ତାରୋକ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପରୀ ହତ୍ୟା ମାମଲାରେ ନିମ୍ନସ୍ତରର ରାଜନୀତି କରୁଛି ବିଜେପି: ଲେନିନ୍

 

କେନ୍ଦ୍ର ସରକାରଙ୍କ ସହ ବିଫଳ ହେଉଛି ବୈଠକ: କଠୋର ହେଉଛନ୍ତି ଚାଷୀ ସଂଗଠନ

0

ନୂଆଦିଲ୍ଲୀ: ଦିନକୁ  ଦିନ  ଉଗ୍ର  ହେଉଛି  ଚାଷୀ ଆନ୍ଦୋଳନ । ସରକାର  କୃଷି ଆଇନ  ଫେରାଇ  ନେବା  ପର୍ଯ୍ୟନ୍ତ  ଘରକୁ  ଫେରିବାର   ପ୍ରଶ୍ନ  ଉଠୁନି  ବୋଲି ଚାଷୀନେତା କହିଛନ୍ତି । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ  କହିଛନ୍ତି, ଯେଉଁମାନେ  ଆନ୍ଦୋଳନ କରୁଛନ୍ତି  ସେମାନେ  ଆଇନ ଉପରେ  ଆଲୋଚନା   କରିବା  ଆବଶ୍ୟକ। ସେପଟେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି କେନ୍ଦ୍ରର ପିଟିସନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣି କରିବେ  । ସେପଟେ ଦିଲ୍ଲୀ ମଧ୍ୟରେ ଗଣତନ୍ତ୍ର ଦିବସର ପରେଡ କରିବା ପାଇଁ ଘୋଷଣା କରିଛନ୍ତି ଚାଷୀ ସଂଗଠନ  ।

କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୫୩ ଦିନ ଧରି ଚାଲିଛି ଚାଷୀ ଆନ୍ଦୋଳନ  । କେନ୍ଦ୍ର ସରକାରଙ୍କ ସହ ବାରମ୍ବାର ବୈଠକ ବିଫଳ ହେଉଛି  । ଏହା ମଧ୍ୟରେ ଆହୁରି କଠୋର ହୋଇଛନ୍ତି ଚାଷୀ ସଙ୍ଗଠନ  । ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି, କ-ଷି ଆଇନ ପ୍ରତ୍ୟାହାର ନ ହେଲେ ଘରକୁ ଯିବାର ପ୍ରଶ୍ନ ଉଠୁନି  । ଚାଷୀକୁଳକୁ ଧ୍ବଂସ କରିବା ପାଇଁ ନୂଆ କୃଷି ଆଇନ ଆସିଛି  । ସରକାରଙ୍କ ଆନ୍ତରିକତାର ଅଭାବରୁ ଏହି ଆନ୍ଦୋଳନ  ଜାରି ରହିଛି ଓ ଜାରି ରହିବ ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି  ।

ସେପଟେ ସରକାର ମଧ୍ୟ ନିଜ ଜିଦରେ ଅଟଳ  । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ବହୁତ ଚାଷୀ କୃଷି ଆଇନକୁ ସମର୍ଥନ କରୁଛନ୍ତି  । ଚାଷୀ ସଙ୍ଗଠନ କେବଳ ଆଇନକୁ ନିରସ୍ତ୍ର କରିବା ପାଇଁ ଚେଷ୍ଟା କରୁଛନ୍ତି  । ତେବେ ଆଇନ ପ୍ରତ୍ୟାହାର ହେବ ନାହିଁ, ଏହାର ବିଭିନ୍ନ ବିନ୍ଦୁ ଉପରେ ବିଚାର କରାଯାଉବୋଲି କହିଛନ୍ତି ତୋମାର  । ସେହିଭଳି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କୃଷି ଆଇନ ଚାଷୀଙ୍କ ହିତ ପାଇଁ ଆସିଛି  । ଏହା ଦ୍ବାରା ଚାଷଙ୍କ ଆୟ ଦ୍ବିଗୁଣିତ ହେବ ।

ଏଥିସହିତ ପଢ଼ନ୍ତୁ: କୁସନପୁରୀ ଗାଁରେ ହାତୀ ଉପଦ୍ରବ: ଲୋକଙ୍କ ଘରେ ପଶି ଖାଇଲା ଧାନ

ସେପଟେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଟ୍ରାକ୍ଟର ରାଲି ଡାକରା ନେଇ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟର ୩ ଜଣିଆ ଖଣ୍ଡପୀଠ  ଶୁଣାଣି କରିବେ । ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଚାଷୀ ସଂଗଠନ ନିଷ୍ପତ୍ତି ନେଇଛି । ଚାଷୀଙ୍କ ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି କେନ୍ଦ୍ର ସରକାର । ସେପଟେ ଆସନ୍ତା ୧୯ ତାରିଖରେ ପୁଣିଥରେ ଚାଷୀ ଓ ସରକାରଙ୍କ ମଧ୍ୟରେ ହେବ ଆଲୋଚନା  ।

ଅନାଥ ଶିଶୁଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ: ବିଭିନ୍ନ ବିଭାଗର ସହଯୋଗରେ କରାଯିବ ଥଇଥାନ୍

ଭୁବନେଶ୍ୱର: ଅନାଥ ଶିଶୁଙ୍କ ଦୁଃଖ ବୁଝିବେ ରାଜ୍ୟ ସରକାର । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶେଷ ହୋଇଛି ଅନାଥ ଶିଶୁ ଚିହ୍ନଟ ପ୍ରକ୍ରିୟା । ବିଭିନ୍ନ ବିଭାଗର ସହଯୋଗରେ ଅନାଥ ଶିଶୁଙ୍କୁ ଥଇଥାନ କରାଯିବ । ଏଥିପାଇଁ ଖୁବ୍‌ଶୀଘ୍ର ଆରମ୍ଭ ହେବ ସ୍ବତନ୍ତ୍ର ଯୋଜନା । ଅନାଥ ଓ ଏକକ ଅଭିଭାବକ ବା ବାପାମାଆଙ୍କ ମଧ୍ୟରୁ ଜଣେ ଥିବା ଶିଶୁଙ୍କୁ ଥଇଥାନା କରାଯିବା ସହ ରୋଜଗାରକ୍ଷମ କରାଯିବ ।

ରାସ୍ତାରେ ଏକାକୀ ବୁଲୁଛି କୁନିଝିଅଟିଏ । ସ୍କୁଲ ଯିବା ବଦଳରେ ଟ୍ରାଫିକ୍‌ ଛକରେ ଛିଡ଼ାହୋଇ ଭିକ ମାଗୁଛି । ବାପାମା’ଙ୍କ ଠିକଣା ଜାଣିନାହିଁ । କେବେ ଫୁଟ୍‌ପାଥ୍‌ ତ କେବେ ମନ୍ଦିର ବେଢ଼ାରେ ଶୋଇଯାଏ । ଏ କୁନିଶିଶୁଟିର ଅବସ୍ଥା ମଧ୍ୟ ଏକା । ବାପା ଛେଉଣ୍ଡ ଶିଶୁଟି ମା’ ସହ ରହୁଛି । ମାଗି ଯାଚି ଯାହା ମିଳୁଛି ସେଥିରେ ପେଟ ପୂରାଇବାକୁ ଚେଷ୍ଟା କରନ୍ତି । କିନ୍ତୁ ଏଣିକି ବଦଳିଯିବ ଅନାଥ ଶିଶୁଙ୍କ ଜୀବନ । ରାଜ୍ୟରେ ଅନାଥ ଓ ଏକକ ଅଭିଭାବକ ଥିବା ଶିଶୁଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ଚିହ୍ନଟ କରିଛି । ଶିକ୍ଷା, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ ଭଳି ବିଭିନ୍ନ ବିଭାଗ ସହଯୋଗରେ ଚିହ୍ନଟ ଅନାଥ ଶିଶୁଙ୍କୁ ଥଇଥାନ କରାଯିବ ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାରେ ୪୯୫ ଅନାଥ ଶିଶୁ ଥିବାବେଳେ ୭ ହଜାର୩୯ ଜଣ ଅଛନ୍ତି ଏକକ ଅଭିଭାବକ ଥିବା ଶିଶୁ । ୧୧୬ ଅନାଥ ଶିଶୁ ଅଧାରୁ ପାଠ ଛାଡ଼ିଛନ୍ତି । ୭୭୯ ଏକକ ଅଭିଭାବକ ଥିବା ଶିଶୁ ସ୍କୁଲ ଯାଉନାହାନ୍ତି । ୧୫ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ ୮୦ ଜଣ ଅନାଥ ଝିଅଙ୍କୁ ଚିହ୍ନଟ କରାଯାଇଛି । ୧୫ ବର୍ଷରୁ ୧୮ ବର୍ଷ ବୟସ ମଧ୍ୟରେ୧ ହଜାର ୪୮ ଏକକ ଅଭିଭାବକ ଥିବା ଝିଅବି ଚିହ୍ନଟ ହୋଇଛନ୍ତି । ଅନେକ ସମୟରେ ଏହି ଝିଅମାନଙ୍କ ଖରାପ ଲୋକଙ୍କ ନଜର ଥାଏ । କେବେ ଝିଅ ଚାଲାଣ ତ କେବେ ବାଲ୍ୟବିବାହ କରିଦିଆଯାଏ । ଅନେକ ସମୟରେ ଏମାନେ ଶାରୀରିକ ନିର୍ଯାତନାର ଶିକାର ହୋଇଥାନ୍ତି । ରାଜ୍ୟ ସରକାରଙ୍କ ଯୋଜନା ଏସବୁକୁ ବହୁ ରୋକିବ ବୋଲି ମତ ପ୍ରକାଶ ପାଇଛି । ଖୁବ୍‌ଶୀଘ୍ର ନୂଆ ଯୋଜନା ମାଧ୍ୟରେ ଚିହ୍ନଟ ଅନାଥ ଶିଶୁଙ୍କୁ ଥଇଥାନ କରାଯିବା ସହ ସେମାନଙ୍କୁ ରୋଜଗାରକ୍ଷମ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ କହିଛି ।

କୁସନପୁରୀ ଗାଁରେ ହାତୀ ଉପଦ୍ରବ: ଲୋକଙ୍କ ଘରେ ପଶି ଖାଇଲା ଧାନ

ସମ୍ବଲପୁର:  ଗାଁରେ ବୁଲୁଛି ଦନ୍ତା । ଘରେ ପଶି ଧାନ ଖାଇଛି ।  ଜୁଜୁମୁରା ବ୍ଲକ କୁକଡାପାଲି ପଞ୍ଚାୟତର  କୁସନପୁରୀ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରବିବାର ସଂଧ୍ୟା ସମୟରେ ଗାଁକୁ  ଦନ୍ତା ହାତୀ ପଶିଆସି ଉପଦ୍ରବ ଆରମ୍ଭ କରିଛି  l ଖାଦ୍ୟ ଖାଇବା ସହ ଦନ୍ତାହାତୀ ଗାଁରେ  ରହୁଥିବା  ବିଭିନ୍ନ ଲୋକଙ୍କ ଘରଦ୍ୱାର ଭାଙ୍ଗୁଥିବା ମଧ୍ୟ ଦେଖିବାକୁ ମିଳିଛି ।

ହାତୀର ଏଭଳି ଉନ୍ମତ୍ତକାଣ୍ଡ ନେଇ  କୁସନପୁରୀ  ଗ୍ରାମବାସିନ୍ଦା ମଧ୍ୟରେ ଆତଙ୍କ ଖେଳିଯାଇଛି । ଭୟରେ କେହିଁ ଘରୁ ବାହାରୁନାହାନ୍ତି । ତେବେ କିଛି ଲୋକ ସାହାସ ଜୁଟାଇବା ସହ ହାତୀକୁ ତଡ଼ିବା ପାଇଁ ମଧ୍ୟ ଚେଷ୍ଟା କରିଛନ୍ତି । ସେମାନେ ସଫଳ ନହେବାରୁ ପଡ଼ିଆବାହାଲ ବନବିଭାଗକୁ ଯୋଗାଯୋଗ କରିଛନ୍ତି । ଏବଂ ପଡ଼ିଆବାହାଲ ବନବିଭାଗର ଅଧିକାରୀ  ଗାଁରେ ପହଞ୍ଚି  ଉପଦ୍ରବ କରୁଥି ଦନ୍ତା ହାତୀକୁ ଜଙ୍ଗଲ ଆଡ଼କୁ ଫେରାଇବାକୁ ଚେଷ୍ଟା କରୁଛନ୍ତି । ଜୋରରେ ଶଦ୍ଦ କରିବା ସହ ତାକୁ ଜଙ୍ଗଲ ଆଡ଼କୁ ପଠାଉଛନ୍ତି ।

 

 

ବିକାଶମୂଳକ କାମ ନେଇ ବିଜେଡିର ବଡ଼ ଯୋଜନା: ବିକାଶ ପହଞ୍ଚିବ ଘରେ ଘରେ

ଭୁବନେଶ୍ୱର: କଳାହାଣ୍ଡିରେ ମେଗା ପ୍ରକଳ୍ପ ଲୋକାର୍ପଣ, ଶିଳାନ୍ୟାସ ଓ ବିଜେଡିର ଭିନ୍ନ ଢଙ୍ଗର ସମାବେଶ ପରେ ଚିନ୍ତାରେ ବିରୋଧୀ । ଶାସକ ଦଳକୁ କାଉଣ୍ଟର କରିବା ପାଇଁ ବାଟ ପାଉନାହାନ୍ତି । ସେପଟେ କଳାହାଣ୍ଡି ପରି ବିଭିନ୍ନ ଜିଲ୍ଲାରେ ମେଗା ଇଭେଣ୍ଟ କରି ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଲୋକାର୍ପଣ ଓ ଶିଳାନ୍ୟାସ ପାଇଁ ବିଜେଡି ପ୍ରସ୍ତୁତ କରୁଛି । ସବୁ ଜିଲ୍ଲା ସ୍ତରରେ ବିଶାଳ କାର୍ଯ୍ୟକ୍ରମ କରି ଘରେଘରେ ନବୀନ ବ୍ରାଣ୍ଡ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବିଜେଡି । ଯାହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ଲୋକପ୍ରିୟତାର ଶୀର୍ଷରେ ନବୀନ । ବିକାଶମୂଳକ କାମ ନେଇ ବିଜେଡିର ବଡ଼ ଯୋଜନା  । ଫୋକସରେ ନବୀନ ବ୍ରାଣ୍ଡ । ବିକାଶ ପହଞ୍ଚିବ ଘରେ ଘରେ  । ମେଗା ଇଭେଣ୍ଟକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡିରୁ ଏହା ଆରମ୍ଭ ହୋଇଛି । ନବୀନ ବ୍ରାଣ୍ଡର ଲୋକପ୍ରିୟତାକୁ ଘରେ ଘରେ ପହଞ୍ଚାଇବା ପାଇଁ ବିଜେଡି ପ୍ରସ୍ତୁତ କରିଛି ବ୍ଳ୍ୟୁ-ପ୍ରିଣ୍ଟ । ରାଜ୍ୟ ସରକାରଙ୍କ  ବିଭିନ୍ନ ଜନକଲ୍ୟାଣ ଯୋଜନା ସହ ନବୀନ ବ୍ରାଣ୍ଡକୁ ପାଥେୟ କରି ଦଳ ଆଗକୁ ବଢ଼ିବ । ସବୁ ଜିଲ୍ଲାରେ ମେଗା ଇଭେଣ୍ଟ ପାଇଁ ଲକ୍ଷ୍ୟ ରଖିଛି ବିଜେଡି । ବିଶେଷକରି ପଞ୍ଚାୟତ ସ୍ତରରେ ଯେଉଁସବୁ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ, ସେସବୁ କାମ ଶେଷ କରି, ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ଗୁରୁତ୍ବ ଦେଇଛି । ୨୧ବର୍ଷର ଶାସନରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆଜି ବି ଶୀର୍ଷରେ ଅଛି ବୋଲି ବିଜେଡି ନେତାମାନେ କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ସଫଳ ଟିକାକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିରଞ୍ଜନଙ୍କ ଧନ୍ୟବାଦ

ବିଜେଡିର ମେଗା ଇଭେଣ୍ଟ ଓ ନବୀନ ବ୍ରାଣ୍ଡକୁ ବିରୋଧୀ ସହଜରେ ହଜମ କରିପାରୁନାହାନ୍ତି । ନବୀନଙ୍କ ଲୋକପ୍ରିୟତା ଓ ସ୍ବଚ୍ଛ ଶାସନ ଯୋଗୁ ବିଜେଡି ଲଗାତାର ସ୍ଥିର ସରକାର ଗଢିବାରେ ସଫଳ ହୋଇଥିଲେ ମଧ୍ୟ, ଏନେଇ ବିଜେପି ବହୁ ପ୍ରଶ୍ନ ଉଠାଇଛି । ବିଜେପି କହିଛି, ନବୀନ ଓ ରାଜ୍ୟ ସରକାର ଅଲଗା ନୁହନ୍ତି । ଲୋକ ସବୁ ବୁଝିଲେଣି । ସେପଟେ କଂଗ୍ରେସ କହିଛି, ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡି ଏଭଳି ରାଜନୈତିକ ପରିବେଶ ଆରମ୍ଭ କରିଛି । କଂଗ୍ରେସ ମଧ୍ୟ ତା’ ରଣନୀତି ପ୍ରସ୍ତୁତ କରିସାରିଛି ବୋଲି କହିଛି । କରୋନା ଯୋଗୁ ଦୀର୍ଘ ୯ମାସ ଧରି ରାଜନୈତିକ କାର୍ଯ୍ୟକଳାପରେ ବ୍ରେକ୍‌ ଲାଗିଥିଲା । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ସବୁଦଳ ଏବେ ସକ୍ରିୟ ହୋଇଛନ୍ତି । ଆଉ ଶାସକ ବିଜେଡି ଏହି ରେସ୍‌ରେ ବହୁ ଆଗରେ ଅଛି ।  ଯାହା ବିରୋଧୀଙ୍କୁ ଚିନ୍ତାରେ ପକାଇଛି  ।