spot_img
Home Blog Page 59

ଆସନ୍ତାକାଲି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ନନ୍ଦିଘୋଷ ବ୍ୟୁରୋ : ଓଡିଶାର ପଡୋଶୀ ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ l ଦିଦି ବନାମ ମୋଦି l “ମାଛେ ଭାତେ ବଙ୍ଗାଳୀ” ନାରା କୁ ନେଇ ତୀବ୍ର ରାଜନୈତିକ ଲଢ଼େଇ l ମମତା ବନାର୍ଜୀ ଓ ତାଙ୍କ ନେତାମାନେ କହୁଛନ୍ତି ଯଦି ବିଜେପି କ୍ଷମତାକୁ ଆସେ, ତେବେ ମାଛ, ମାଂସ, ଅଣ୍ଡା ଖାଇବା ଉପରେ ନିଷେଧାଦେଶ ଲଗାଇଦେବ। ଏହାକୁ ବଙ୍ଗାଳୀ ସଂସ୍କୃତି ଓ ଖାଦ୍ୟ ସ୍ୱାଧୀନତାର ଉପରେ ଆକ୍ରମଣ ବୋଲି ତୃଣମୂଳ କଂଗ୍ରେସ ଚିତ୍ରିତ କରୁଛି ।ବିଜେପି ନେତା ଓ ପ୍ରାର୍ଥୀମାନେ ମଧ୍ୟ ମାଛ ହାତରେ ନେଇ ପ୍ରଚାର କରୁଛନ୍ତି।ସେମାନେ କହୁଛନ୍ତି ବିଜେପି କେବେ ବି ଖାଦ୍ୟ ଉପରେ ନିୟନ୍ତ୍ରଣ କରିବ ନାହିଁ । ଏହା ତୃଣମୂଳ କଂଗ୍ରେସର ମିଥ୍ୟା ପ୍ରଚାର ବୋଲି ବିଜେପି ଦାବି କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି,ତୃଣମୂଳ ସରକାରର ଖରାପ ନୀତି ଯୋଗୁଁ ପଶ୍ଚିମବଙ୍ଗରେ ମାଛ ଉତ୍ପାଦନ କମିଛି। ରାଜ୍ୟକୁ ଅନ୍ୟ ରାଜ୍ୟ ମାଛ ଆମଦାନି କରିବାକୁ ପଡୁଛି।

ଏହାରି ଭିତରେ ଆସନ୍ତାକାଲି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୧୫୨ ଆସନ ଲାଗି ୧ ହଜାର ୪୭୫ ପ୍ରାର୍ଥୀଙ୍କ ଭାଗ୍ୟ ନିରଦ୍ଧାରଣ କରିବେ ୩ କୋଟି ୬୦ ଲକ୍ଷ ୭୭ ହଜାର ଭୋଟର l ପ୍ରଥମ ପର୍ଯ୍ୟାୟରେ ୧୬ ଜିଲ୍ଲାରେ ହେବ ନିର୍ବାଚନ l ଅବଶିଷ୍ଟ ୧୪୨ ଆସନ ଲାଗି ଏପ୍ରିଲ ୨୯ରେ ହେବ ଭୋଟ l ମାଲଦା, ମୁର୍ଶିଦାବାଦ, ପୁରୁଲିଆ, ବାଙ୍କୁରା, ପଶ୍ଚିମ ମେଦିନୀପୁର, କୁଚବେହାର, ଆଲିପୁରଦୁଆର, ଜଲପାଇଗୁଡି, ଦାର୍ଜିଲିଂ, ଉତ୍ତର ଓ ଦକ୍ଷିଣ ଦିନାଜପୁର, ଝାରଗ୍ରାମ, ପଶ୍ଚିମ ବର୍ଦ୍ଧମାନ, ବୀରଭୂମ ଓ ନଦିଆ ପ୍ରଥମ ପର୍ଯ୍ୟାୟର ମତଦାନ ହେବ l ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲଢୁଛନ୍ତି ଅନେକ ବଡ଼ ଚେହେରା l

ବରହମପୁର ଆସନରୁ ଲଢୁଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ l ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ବିଜେପିର ସୁବ୍ରତ ମଇତ୍ରା ଓ ଟିଏମସିର ନାରୁ ଗୋପାଳ ମୁଖାର୍ଜୀ l ନନ୍ଦିଗ୍ରାମରେ ଲଢୁଛନ୍ତି ବିଜେପିର ଶୁଭେନ୍ଦୁ ଅଧିକାରୀ l ତାଙ୍କ ବିରୋଧରେ ଟିଏମସିରୁ ଲଢୁଛନ୍ତି ପବିତ୍ର କର ଓ କଂଗ୍ରେସର ଶେଖ ଜରିଆତୁଲ ହୋସେନ l ୨୦୨୧ ନିର୍ବାଚନରେ ଏହି ଆସନରୁ ପ୍ରାୟ ୨ ହଜାର ଭୋଟରେ ଶୁଭେନ୍ଦୁଙ୍କଠାରୁ ପରାସ୍ତ ହୋଇଥିଲେ ମମତା ବାନାର୍ଜୀ l ୨୦୧୬ରେ ଏଠାରୁ ଶୁଭେନ୍ଦୁ ଟିଏମସି ପ୍ରାର୍ଥୀ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିଲେ l
ଖଡଗପୁର ସଦର ଆସନରେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଉପସଭାପତି ଦିଲ୍ଲୀପ ଘୋଷ ଲଢୁଥିବାବେଳେ ଟିଏମସିରୁ ଲଢୁଛନ୍ତି ପ୍ରଦୀପ ସରକାର।ନିର୍ବାଚନ ଲାଗି ରାଜ୍ୟରେ ବ୍ୟାପକ CRPF, BSF, CISF, ITBP ଓ SSB ମୁତୟନ ହୋଇଛନ୍ତି। ରାତିରେ ବାଇକ ନିଷିଦ୍ଧ କରାଯାଇଥିବାବେଳେ ଦିନରେ ବାଇକ ପଛରେ ବସିବାକୁ ନିଷିଦ୍ଧ କରାଯାଇଛି।

ମିଳିତ ବିରୋଧୀ ମଞ୍ଚ ତରଫରୁ,ବ୍ଲକ କାର୍ଯ୍ୟାଳୟ ଘେରାଉ

ନବରଙ୍ଗପୁର : ତେନ୍ତୁଳୀଖୁଣ୍ଟି ଠାରେ ମିଳିତ ବିରୋଧୀ ମଞ୍ଚ ତରଫରୁ ଗର୍ଜନ ସମାବେଶ ଓ ବ୍ଲକ କାର୍ଯ୍ୟାଳୟ ଘେରାଉ। ଦୁଇ ବିରୋଧୀ କଂଗ୍ରେସ ଓ ବିଜେଡି ବିଡ଼ିଓଙ୍କ ମନମୁଖୀ କାର୍ଯ୍ୟ ଅଭିଯୋଗ କରି ମିଳିତ ବିରୋଧୀ ମଞ୍ଚ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବିଡ଼ିଓ ମନୋଜ ପାଣିଗ୍ରାହୀଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ ଏକ ରାଜନୈତିକ ଦଳର ହାତବାରିସୀ ସାଜି ସରପଞ୍ଚ , ସମିତି ସଭ୍ୟଙ୍କୁ ଅଣଦେଖା କରିବା, ଗ୍ରାମସଭା ଦ୍ୱାରା ଗୃହୀତ ହୋଇଥିବା ପ୍ରସ୍ତାବକୁ ଅଣଦେଖା କରି ନିଜ ମନ ମୁତାବକ ପାଣ୍ଠି ବିନିଯୋଗ କରିବା, ଜନସାଧାରଣଙ୍କ ସମସ୍ୟା ପ୍ରତି ଅଣଦେଖା କରିବା, ତେନ୍ତୁଳିଖୁଣ୍ଟି ବ୍ଳକକୁ ଅବହେଳା,  ପଂଚାୟତ କ୍ଷେତ୍ରରେ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଅଣଦେଖା ,ତଥା କ୍ଷମତାକୁ ସଂକୁଚିତ କରି ରଖାଯାଉଥିବା ଅଭିଯୋଗ କରି ଜନ ଗର୍ଜନ ସମାବେଶ ଆୟୋଜନ କରି ଉଭୟ କଂଗ୍ରେସ ଏବଂ ବିଜେଡି ମିଳିତ ମଞ୍ଚ,ବ୍ଲକ ଘେରାଉ କରିଛି ।  ତ୍ରିସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ପଂଚାୟତ ପ୍ରତିନିଧିଙ୍କ କ୍ଷମତା ୨୦୨୪ ଭଳି ବଜାୟ ରଖିବା,ପଲ୍ଲିସଭା ଓ ଗ୍ରାମ ସଭାରେ ଜନ ପ୍ରତିନିଧିଙ୍କ ଜାଣତରେ ପଂଚାୟତ ସମିତି ପାଣ୍ଠି ବିନିଯୋଗ, ସରକାରୀ ପ୍ରକଳ୍ପରେ ସ୍ୱଛତା ସହ ଅନ୍ୟ ବିଭାଗ ପ୍ରକଳ୍ପ ବିବରଣୀ ପଞ୍ଚାୟତକୁ ଅବଗତ କରି ଗୋଟିଏ କାମରେ ଏକାଧିକ ବିଲ୍ ଭଳି  ଦୁର୍ନୀତିକୁ ବନ୍ଦ କରିବା,ବିଧବା ମହିଳାଙ୍କୁ ଭତ୍ତା, ସହ ଅନେକ ଦୁର୍ନୀତି ଅଭିଯୋଗର ନିରପେକ୍ଷ ତଦନ୍ତ  ଦାବି ନେଇ ଗର୍ଜନ କରିଛନ୍ତି ମିଳିତ ମଞ୍ଚ ।  ବିରୋଧୀ ଦଳର କର୍ମୀ ଏକାଠି ହୋଇ ପ୍ରତିବାଦ ଜଣାଇ ରାଲି କରିବା ସହିତ ବିଡ଼ିଓଙ୍କ ବଦଳି , ବ୍ଲକର ସମସ୍ତ ପାଣ୍ଠିର ହିସାବ ଦେବା ଭଳି ଦାବି ଜଣାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀ, ଡାବୁଗାଁ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ମନୋହର ରନ୍ଧାରୀ , ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଏବଂ ବ୍ଲକର ୩୦ ଜଣ ସମିତିସଭ୍ୟ ଓ ସରପଞ୍ଚଙ୍କ ମଧ୍ୟରୁ ୨୪ଜଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତିବାଦ ଜଣାଇଥିଲେ । ଏବଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛନ୍ତି । ଅପରପକ୍ଷରେ ଏକ ୧୪ ଜଣିଆ ଏକ ଟିମ ଯାଇ ଜିଲ୍ଲାପାଳ ଙ୍କୁ ଯାଇ ସାକ୍ଷାତ କରି ଆଲୋଚନା କରିବା ନେଇ ନିଷ୍ପତ୍ତି ହୋଇଥିବା ଅତିରିକ୍ତ ତହସିଲଦାର ପ୍ରକାଶ କରିଥିଲେ ।

ରବିବାର ଉତ୍ତର କୋରିଆ ପୁଣି କଲା ମିସାଇଲ୍ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ :  ଇରାନ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିକୁ ନେଇ ଦ୍ଵନ୍ଦ ବଢୁଛି । ପୁରା ଦୁନିଆର ନଜର  ଆମେରିକା ଇରାନ ଓ ଇସ୍ରାଏଲ ଉପରେ ରହିଛି। କିନ୍ତୁ ଏପଟେ ଦକ୍ଷିଣ କୋରିଆକୁ ଚିନ୍ତା ଘାରିଛି କାରଣ  ଉତ୍ତର କୋରିଆ ରବିବାର   କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ରବିବାର ଏପ୍ରିଲ୍ ୧୯  ଦିନ ଉତ୍ତର କୋରିଆ ପୁଣି ଥରେ କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି। ଏହି ମାସରେ ଉତ୍ତର କୋରିଆ  ଦ୍ୱିତୀୟ ଥର ପାଇଁ ଏଭଳି  ପରୀକ୍ଷଣ କରିଛି । କିମ୍ ଜୋଙ୍ଗ୍ ଉନ୍ ଏହି ପରୀକ୍ଷଣର ତତ୍ତ୍ୱାବଧାନ କରିଥିଲେ ଏବଂ ତାଙ୍କ ଝିଅ କିମ୍ ଜୁ-ଏ  ମଧ୍ୟ ଉପସ୍ଥିତ ଥିଲେ। ଏହା  ଅଳ୍ପ  ଦୂରତ୍ୱର  ବିଶିଷ୍ଟ ବାଲିଷ୍ଟିକ୍ ମିସାଇଲ୍ ଥିଲା  ସର୍ଫେସ୍-ଟୁ-ସର୍ଫେସ୍ । ରବିବାର ସକାଳ ପ୍ରାୟ ୬:୧୦ଟା  ଦକ୍ଷିଣ କୋରିଆ ସମୟ ଅନୁସାରେ ଉତ୍ତର କୋରିଆ  କ୍ଲଷ୍ଟର ବମ୍ ଯୁକ୍ତ ବାଲିଷ୍ଟିକ୍ ମିସାଇଲ୍ ପରୀକ୍ଷଣ କରିଛି । ଉତ୍ତର  କୋରିଆର ସିନଫୋ  ଅଞ୍ଚଳରୁ  ଜାପାନ୍ ସାଗର ଆଡ଼କୁ ନିକ୍ଷେପ କରାଯାଇଥିଲା ଏହି  ମିସାଇଲ୍ । ୫ଟି ମିସାଇଲ୍ ପ୍ରକ୍ଷେପଣ କରାଯାଇଥିଲା। ପ୍ରାୟ ୧୩୬ କିଲୋମିଟର ଦୂରକୁ

ଏକ ଦ୍ୱୀପ ନିକଟରେ ଥିଲା  ଲକ୍ଷ୍ୟ କେନ୍ଦ୍ର  ,ପ୍ରାୟ ୧୨.୫ ରୁ ୧୩ ହେକ୍ଟର ଜାଗା ଉପରେ ଆକ୍ରମଣ କରାଯାଇଥିଲା। ମିସାଇଲ୍‌ଗୁଡ଼ିକ ଉଚ୍ଚ  କ୍ଷମତା ସହିତ ଲକ୍ଷ୍ୟକୁ ଧ୍ୱଂସ କରିବାର କ୍ଷମତା ପ୍ରଦର୍ଶନ ରଖିଥିଲା ।। ଏହି ଖବର ସୋମବାର ଦିନ ମିଡିଆ ମାଧ୍ୟମରେ ପ୍ରକାଶ ପାଇଛି। ପରୀକ୍ଷଣ ସମୟରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ଝିଅ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କୁ ତାଙ୍କ ପିତାଙ୍କର ଉତ୍ତରାଧିକାରୀ ଭାବରେ ପ୍ରସ୍ତୁତ କରାଯାଉଛି ବୋଲି ବିଶ୍ୱାସ କରାଯାଉଛି । ଉତ୍ତର କୋରିଆ ତାର ନବୀନତମ ବାଲିଷ୍ଟିକ୍ ମିସାଇଲ୍ ପ୍ରକ୍ଷେପଣରେ କ୍ଲଷ୍ଟର ବମ୍‌ର ପରୀକ୍ଷଣ କରିଛି।  ପ୍ରାୟ ୧୩୬ କିଲୋମିଟର ଦୂରରେ ଥିବା ଏକ ଦ୍ୱୀପ ନିକଟରେ ଥିବା ଲକ୍ଷ୍ୟ କ୍ଷେତ୍ରରେ ୫ଟି ମିସାଇଲ୍ ଆକ୍ରମଣ କରିଥିଲା।  ଆକ୍ରମଣ କରି ମିସାଇଲ୍‌ଗୁଡ଼ିକ ତାଙ୍କ ଯୁଦ୍ଧ କ୍ଷମତା ପ୍ରଦର୍ଶନ କରିଥିଲା। ପରୀକ୍ଷଣ ସମୟରେ ପ୍ରକାଶିତ ଫଟୋଗୁଡ଼ିକରେ କିମ୍ ଜୋଙ୍ଗ୍ ଉନ୍ ଙ୍କ ଝିଅ ଜୁ-ଏଙ୍କୁ ଦେଖାଯାଇଥିଲେ। କିମ୍ ଜୋଙ୍ଗ୍ ଉନ୍ ପରୀକ୍ଷଣରେ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି ।ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା କାର୍ଯ୍ୟାଳୟ ଏହି ନୂତନ ମିସାଇଲ୍ ପ୍ରକ୍ଷେପଣର ନିନ୍ଦା କରିଛି ଏବଂ ଏହାକୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବର ଉଲ୍ଲଙ୍ଘନ ବୋଲି କହିଛି। ସେମାନେ ଉତ୍ତର କୋରିଆକୁ ତୁରନ୍ତ ମିସାଇଲ୍ ପରୀକ୍ଷଣ ବନ୍ଦ କରିବାକୁ ଆହ୍ୱାନ  ଦେଇଛନ୍ତି ।କ୍ଲଷ୍ଟର ବମ୍  ଅର୍ଥାତ   ଡଜନ୍ ରୁ ଶତାଧିକ ଛୋଟ ଛୋଟ ବମ୍ ଫୋପାଡ଼ି  ଏକ ବିସ୍ତୃତ ଅଞ୍ଚଳରେ ଏକାଧିକ ଲକ୍ଷ୍ୟକୁ ଟାର୍ଗେଟ  କରିବା । ଏହି  ବମ ମଧ୍ୟପ୍ରାଚ୍ୟ  ସଂଘର୍ଷରେ ଇରାନ୍ ଦ୍ୱାରା ବ୍ୟବହାର କରାଯାଇଛି, ଯାହା ଇସ୍ରାଏଲୀ ବାୟୁ ରକ୍ଷା ପ୍ରଣାଳୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ୧୯୪୨-୧୯୪୩ ଦ୍ୱିତୀୟ ବିଶ୍ୱଯୁଦ୍ଧରେ  ପ୍ରଥମ ଥର ପାଇଁ ବ୍ୟବହାର ହୋଇଥିଲା। ସୋଭିଏତ୍ ସେନା ଜର୍ମାନ୍ ଟ୍ୟାଙ୍କ୍ ଉପରେ କ୍ଲଷ୍ଟର ବମ୍ ଫୋପାଡ଼ିଥିଲା।୧୯୬୦-୧୯୭୦ ଭିଏତନାମ୍ ଯୁଦ୍ଧରେ  ଆମେରିକା ସବୁଠାରୁ ଅଧିକ କ୍ଲଷ୍ଟର ବମ୍  ବ୍ୟବହାର କରିଥିଲା  । ୧୯୯୧ ଗଲ୍ଫ୍ ଯୁଦ୍ଧରେ  ଆମେରିକା ଏବଂ ସହଯୋଗୀ ଦେଶ ଇରାକ୍ ଉପରେ ଲକ୍ଷାଧିକ କ୍ଲଷ୍ଟର ବମ୍ ବ୍ୟବହାର କରିଥିଲେ। ୧୯୯୯ କୋସୋଭୋ ଯୁଦ୍ଧରେ ନାଟୋ (NATO) ଯୁଗୋସ୍ଲାଭିଆ ଉପରେ ପ୍ରାୟ ୧୭୬୫ଟି କ୍ଲଷ୍ଟର ବମ୍ ଫୋପାଡ଼ିଥିଲା । ୨୦୦୩ ଇରାକ୍ ଯୁଦ୍ଧରେ ଆମେରିକା ଏବଂ ବ୍ରିଟେନ୍ ପ୍ରାୟ ୧୩,୦୦୦ କ୍ଲଷ୍ଟର ମ୍ୟୁନିସନ୍ ବ୍ୟବହାର କରିଥିଲେ । ୨୦୨୨ ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ଏବଂ ୟୁକ୍ରେନ୍ ଉଭୟ କ୍ଲଷ୍ଟର ବମ୍ ବ୍ୟବହାର  କରିଥିଲେ । ତେବେ ଉତ୍ତର କୋରିଆର କ୍ଲଷ୍ଟର ବମ୍‌ର ପରୀକ୍ଷଣ ଏବେ ପଡୋଶୀ ଦକ୍ଷିଣ କୋରିଆ ପାଇଁ କିନ୍ତୁ ସବୁଠୁ ଚିନ୍ତାର କାରଣ ।

ଆଲୋଚନାରୁ ଓହରିଲା ଇରାନ ; ଆହୁରି ଘନେଇଲା ମଧ୍ୟପ୍ରାଚ୍ୟ ସଂକଟ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଲୋଚନା ହେବ ନା ନାହିଁ, ତାକୁ ନେଇ ଦେଖା ଦେଇଛି ଦ୍ଵନ୍ଦ୍ଵ। ଆମେରିକା କହୁଛି, ଆଲୋଚନା ହେବ। ଏଥିପାଇଁ ଇସଲାମାବାଦା ଆସୁଛନ୍ତି ପ୍ରତିନିଧି ଦଳ। ଏହି ଟିମରେ ଉପରାଷ୍ଟ୍ରପତି ଜେଡି ଭାନ୍ସ, ଟ୍ରମ୍ପଙ୍କ ଜ୍ଵାଇଁ କୁଶନର୍ ଅଛନ୍ତି। ବରିଷ୍ଠ ଅଧିକାରୀ ୱିଟକଫ୍ ବି ଅଛନ୍ତି। ଏପରିକି ପରିସ୍ଥିତି ଠିକଠାକ୍ ହେଲେ ନିଜେ ଇରାନର ନେତୃତ୍ଵଙ୍କୁ ଭେଟିବାକୁ ରାଜି ଅଛନ୍ତି ଟ୍ରମ୍ପ। ସେପଟେ କିନ୍ତୁ ଇରାନ କଥାବାର୍ତ୍ତା ପାଇଁ ବର୍ତ୍ତମାନ ରାଜି ନୁହେଁ। କାରଣ ଇରାନର ସବୁ ବନ୍ଦରକୁ ଆମେରିକା ଅବରୋଧ କରିଥିବାର ଖପ୍ପା ତେହେରାନ। ଯେ ପର୍ଯ୍ୟନ୍ତ ସ୍ଥିତି ଅନୁକୂଳ ହେବନି, ସେ ପର୍ଯ୍ୟନ୍ତ ଆଲୋଚନା ହେବନି କହୁଛି। ଦୁଇ ପକ୍ଷ ମଧ୍ୟରେ ଆଲୋଚନାର ରାସ୍ତା ଫିଟାଇବା ପାଇଁ ଲାଗି ପଡ଼ିଛି ପାକିସ୍ତାନ। ନିଜେ ସେନା ମୁଖ୍ୟ ମୁନିର ଏଥିରେ ଲାଗିଛନ୍ତି।

ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ପଶ୍ଚିମା ଏବଂ ଶୁଷ୍କ ବାୟୁର ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ାରୁ ବଲାଙ୍ଗୀର ପର୍ଯ୍ୟନ୍ତ ସମସ୍ତ ଜିଲ୍ଲାରେ ପ୍ରବଳ ଉତ୍ତାପ ଅନୁଭୂତ ହେବ । ଏହି ଅଞ୍ଚଳରେ ଦିନର ସର୍ବାଧିକ ତାପମାତ୍ରା ୪୪ ରୁ ୪୫.୫ ଡିଗ୍ରୀ ରହିପାରେ ।  ଗରମ ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ବିଶେଷ କରି ସମ୍ବଲପୁର ଓ ସୁବର୍ଣ୍ଣପୁର ଭଳି ସଂଲଗ୍ନ ଜିଲ୍ଲାରେ ପାଣିପାଗ ସମ୍ପୂର୍ଣ୍ଣ ଶୁଷ୍କ ରହିବ । ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ ପାଗ ସାମାନ୍ୟ ଭିନ୍ନ ରହିବ। ଏହି ଜିଲ୍ଲାଗୁଡ଼ିକରେ ତାପମାତ୍ରା ୩୬ ଡିଗ୍ରୀ ରୁ ୩୯ ଡିଗ୍ରୀ ମଧ୍ୟରେ ରହିଲେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି । ଆଜି ବଜ୍ରପାତ ସହ ହାଲୁକା ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀରୁ ୪୩.୫ ଡିଗ୍ରୀ ମଧ୍ୟରେ ରହିବ। ଆକାଶ ମୁଖ୍ୟତଃ ନିର୍ମଳ ରହିବା ସହ ପ୍ରଖର ସୂର୍ଯ୍ୟକିରଣ ଅନୁଭୂତ ହେବ । ଅନ୍ୟପଟେ ଉପକୂଳ ଓଡ଼ିଶା ଏବଂ ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୮ ରୁ ୩୯ ଡିଗ୍ରୀ ମଧ୍ୟରେ ରହିବ । ଏହି ଅଞ୍ଚଳର କେତେକ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।  କିନ୍ତୁ ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟବାଷ୍ପ ଯୋଗୁ ଅସହ୍ୟ ଗୁଳୁଗୁଳି ଜାରି ରହିବ । ପ୍ରବଳ ଖରା ଓ ବାଷ୍ପୀଭବନ ହାର ଅଧିକ ଥିବାରୁ ନିଜ ଫସଲରେ ହାଲୁକା ଜଳସେଚନ କରିବାକୁ ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ଆଜି ରାଉରକେଲା ଗସ୍ତରେ ଆସିବେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ : ଆଜି ରାଉରକେଲା ଗସ୍ତରେ ଆସିବେ ରାଷ୍ଟ୍ରପତି । ରାଉରକେଲା ସହରରେ ନିର୍ମିତ ହୋଇଥିବା ଜନଜାତି ସଂଗ୍ରହାଳୟ ସହିତ ମନୋରଞ୍ଜନ ପାର୍କ, ସମନ୍ଵିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଓ ବିଜ୍ଞାନ ପାର୍କ ଓ ପ୍ଲାନୋଟାରିୟମ ଉଦଘାଟନ କରିବେ । ଏହାସହ ରାଉରକେଲା ବିମାନ ବନ୍ଦର ପଡିଆରେ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସକାଳ ୧୧ ଟା ୧୦ ମିନିଟ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନ ବନ୍ଦର ପଡିଆରେ ସଭାରେ ଯୋଗ ଦେବେ । ଅଢେଇ ହଜାରରୁ ଅଧିକ ଛାତ୍ର ଛାତ୍ରୀ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବେ । ଛାତ୍ର ଛାତ୍ରୀ ଓ ୩୪ ଟି କଳାକାର ଗୋଷ୍ଠୀ ପାରମ୍ପରିକ ନୃତ୍ୟ ମାଧ୍ୟମରେ ରାଷ୍ଟ୍ରପତି ଙ୍କୁ ସ୍ଵାଗତ ଜଣାଇବେ । ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତକୁ ଦୃଷ୍ଟିରେ ରଖି ସମସ୍ତ ଭ୍ରମଣକାରୀ ସ୍ଥାନ ତଥା ଏହାର ଆଖପାଖ ଅଞ୍ଚଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି । ଗତକାଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ରଘୁନାଥପାଲ୍ଲି ବିଧାୟକ ଦୁର୍ଗା ତନ୍ତୀ, ସୁନ୍ଦରଗଡ଼ ଜିଲ୍ଲାପାଳ, ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି, ରାଉରକେଲା ଏସପି ସଭାସ୍ଥଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୁରା ସହର ପୋଲିସ ଛାଉଣି ହୋଇଛି ।

ବିପଦଶଙ୍କୁଳ ଅବସ୍ଥାରେ ବିଜୁ ସେତୁ, ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ

ଚାନ୍ଦବାଲି : ଭୁଶୁଡ଼ିପାରେ ବୈତରଣୀ ସେତୁ ! ବ୍ରିଜର ମୂଳଦୁଆରେ ପଡ଼ିଲାଣି ଫାଟ । ବିପଦସଙ୍କୁଳ ଅବସ୍ଥାରେ ଯାଆସ କରୁଛନ୍ତି ଲୋକେ । କେତେବେଳେ ଯେ ଅଘଟଣ ଘଟିବ କହିବା ମୁସ୍କିଲ । କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାକୁ ଯୋଗାଯୋଗ ସୁଗମ ପାଇଁ ପୂର୍ବ ସରକାର ବୈତରଣୀ ନଦୀ ଉପରେ ନିର୍ମାଣ କରିଥିଲେ ବିଜୁ ସେତୁ । ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେତୁକୁ ୨୦୦୮ ମେ ୨୭ରେ ଉଦଘାଟନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଚାନ୍ଦବାଲିବାସୀ ବେଶ ଉପକୃତ ହେଉଥିଲେ । କେନ୍ଦ୍ରାପଡା, ପାରାଦୀପ, କଟକ, ଭୁବନେଶ୍ୱରକୁ ଯାତାୟତ ପାଇଁ କମିଥିଲା ଦୂରତା । ମାତ୍ର ଏବେ ଦୋହଲୁଛି ସେତୁ, ଦୋହଲୁଛି ଭାଗ୍ୟ ।
ବୈଷୟିକ ତ୍ରୁଟିରୁ ୨୦୧୬ ମସିହାରେ ବ୍ରିଜଟି ଦବିବାକୁ ଲାଗିଥିଲା । ପୂର୍ତ୍ତ ବିଭାଗ ପକ୍ଷରୁ ମରାମତି କରାଯାଇଥିଲେ ସୁଦ୍ଧା କୌଣସି ସୁଧାର ଆସିଲା ନାହିଁ । ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାର ୨୦୨୨ରେ ଆଉ ଏକ ସେତୁ ନିର୍ମାଣ ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ବହୁ ଥର ଟେଣ୍ଡର ସରିଛି । ମାତ୍ର ତାହା ଫାଇଲରେ ସୀମିତ ରହିଛି । ସେତୁ ପ୍ରସଙ୍ଗରେ ଚାନ୍ଦବାଲି ବିଧାୟକ ଗତ ବିଧାନସଭାରେ ଉତଥାପନ କରିଥିଲେ । ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି- ଟେଣ୍ଡର ସରିଛି । ମାତ୍ର ଜମି ଅଧିଗ୍ରହଣ ପାଇଁ କାର୍ଯ୍ୟ ଅଟକିଛି । ଜମି ଅଧିଗ୍ରହଣ ପରେ କାର୍ଯ୍ୟ ଆରମ୍ଭ ହେବ । ହେଲେ ଏଯାଏଁ ପ୍ରଶାସନ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ । ଯାହାକୁ ନେଇ ଆଶା ଆଶଙ୍କାରେ ଲୋକେ । କେବେ ଆରମ୍ଭ ହେଉଛି ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟ ? ତାକୁ ହିଁ ଅପେକ୍ଷା ।

ଆସିକା ବାଲାଜୀ ସୂତାକଳରୁ ଖୋଲୁନି ତାଲା, ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିଲାଣି ଯନ୍ତ୍ରପାତି

ଆସିକା : ଧୂଆଁବାଣ ସାଜିଛି ନିର୍ବାଚନୀ ଇସ୍ତାହାର । ବିଜେପି ସରକାରକୁ ପୂରିବାକୁ ବସିଲାଣି ୨ ବର୍ଷ । ହେଲେ ଆସିକା ବାଲାଜୀ ସୂତାକଳରୁ ଖୋଲୁନି ତାଲା । ଜିଲ୍ଲାରେ କୁଶଳୀ ଶ୍ରମିକଙ୍କୁ ମିଳୁନି କାମ । ଯନ୍ତ୍ରଣାରେ ପ୍ରବାସୀ ଶ୍ରମିକ ।… ଗଂଜାମ ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ଜିଲ୍ଲାରେ କୌଣସି କର୍ମ ସଂସ୍ଥାନ ନଥିବାରୁ ପେଟପାଟଣା ପାଇଁ ଲୋକଙ୍କୁ ବାହାରକୁ ଯିବାକୁ ପଡ଼େ । ଏବେ ଗ୍ୟାସ ସଙ୍କଟରୁ ପ୍ରତିଦିନ ସୁରଟ, ତାମିଲନାଡୁ, କେରଳ ଅଞ୍ଚଳରୁ ଗଞ୍ଜାମକୁ ଫେରୁଛନ୍ତି ହଜାର ହଜାର ଶ୍ରମିକ । ହେଲେ ବିଡ଼ମ୍ବନାର ବିଷୟ ଜିଲ୍ଲାରେ ଶ୍ରମିକଙ୍କୁ ମିଳୁନି କାମ । ଫଳରେ କିପରି ପରିବାର ଚଳାଇବେ ଚିନ୍ତାରେ ଲୋକେ ।
ଦିନ ଥିଲା ବାଲାଜୀ ସୂତାକଳରେ ଅନେକ କୁଶଳୀ ଶ୍ରମିକ କାମ କରୁଥିଲେ । ମିଲକୁ କପା ଯୋଗାଇ ଦୁଇ ପଇସା ରୋଜଗାର କରୁଥିଲେ ଚାଷୀ । ଗତ ୨୦୧୩ ମସିହାରୁ ସୂତାକଳଟି ସଂପୂର୍ଣ୍ଣ ବନ୍ଦ ହୋଇ ପଡିଛି । ଯନ୍ତ୍ରପାତି ସବୁ ମାଟିରେ ମିଶିଲାଣି । ବନ୍ଦ କଳକୁ ସୁରକ୍ଷା ଦେବାକୁ ନାଁ କୁ ମାତ୍ର କିଛି କର୍ମଚାରୀ ପହରା ଦେଉଛନ୍ତି । କିନ୍ତୁ ସରକାର ସୂତାକଳର ପୁନରୁଦ୍ଧାର କରୁନାହାନ୍ତି । ସରକାର ବାଲାଜୀ ସୂତାକଳର ପୁନରୁଦ୍ଧାର ସହ ଅନ୍ୟ ଶିଳ୍ପ ପ୍ରତିଷ୍ଠା କଲେ ଶ୍ରମିକ ମାନେ ନିଜ ଅଞ୍ଚଳରେ କାମ ପାଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି ।

ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ

ଯାଜପୁର ରୋଡ : ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ତହସିଲଦାର। ଯାଜପୁର ଜିଲ୍ଲା କୋରେଇ ଥାନା ମିନାବଜାର ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଲେ ଦୁର୍ବୃତ୍ତ। ଫଳରେ ଗୁରୁତର ଅବସ୍ଥାରେ କୋରେଇ ମେଡ଼ିକାଲରେ ଭର୍ତ୍ତି ହେଲେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା। ସୂଚନା ମୁତାବକ ବ୍ୟାସନଗର ତହସିଲ ଅଧିନ ମିନାବଜାର ଛକ ନିକଟରେ ଥିବା ଏକ ପୋଖରୀକୁ ଖନଖ କରି ବେଆଇନ ଭାବେ ମାଟି ଲୁଟି ନେଉଥିଲେ କିଛି ଦୁର୍ବୃତ୍ତ। ଏନେଇ ଖବର ପାଇବା ପରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ। ହେଲେ ମାଟି ଲୁଟ୍ କରୁଥିବା ମାଫିଆମାନେ ତହସିଲଦାର ଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ତହସିଲଦାର ଙ୍କୁ ଉଦ୍ଧାର କରାଯାଇ କୋରେଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ରୁଷିଆରୁ ଆହୁରି ମାସେ ତେଲ କିଣିପାରିବ ଭାରତ

ଆହୁରି ମାସେ ରୁଷିଆରୁ ତେଲ କିଣି ପାରିବ ଭାରତ। ଆମେରିକା ତାର କଟକଣା କୋହଳ କରିଛି। ଇରାନ ଯୁଦ୍ଧ ପରିସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନେଇଛି ଆମେରିକା। ଏହା ଦ୍ଵାରା ଭାରତ ଲାଭ ପାଇବ। ଆସନ୍ତା ମେ ୧୬ ତାରିଖ ଯାଏ ଏହି ସୁବିଧା ମିଳିବ। ଆଗରୁ ବି ମାସେ କଟକଣା କୋହଳ ହୋଇପାରିବ। ୟୁକ୍ରେନ ଯୁଦ୍ଧ ପାଇଁ ରୁଷିଆର ତେଲ ଉପରେ କଟକଣା ଲଗାଇଥିଲା ଆମେରିକା। କିନ୍ତୁ ଇରାନ ଯୁଦ୍ଧ ଯୋଗୁଁ ସାରା ବିଶ୍ଵରେ ତେଲ ସଂକଟ ହେବାର ଆଶଙ୍କା ଦେଖା ଦେଇଥିଲା। ତେଣୁ ରୁଷ ଉପରେ କଟକଣା କୋହଳ କରିଥିଲା ଆମେରିକା। ଏହାର ଫାଇଦା ଭାରତ ସମେତ ଅନେକ ଦେଶ ପାଉଛନ୍ତି।