କେନ୍ଦ୍ରାପଡ଼ା ଛାତ୍ରୀ ମୃତ୍ୟୁ ଘଟଣାରେ ବିଭିନ୍ନ ରାଜନୈତିକ ଦଳ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । କଂଗ୍ରେସ, ସିପିଆଇଏମ ଓ ଟିମ ମିଶିକି ପରିବାରକୁ ଭେଟିଥିବାବେଳେ ବିଜେପି ମଧ୍ୟ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଛି । କଂଗ୍ରେସ, ବିଜେପି ଓ ସିପିଆଇଏମର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଭେଟି ଆଲୋଚନା କରିଛନ୍ତି । ତେବେ ଏହି ଅବସରରେ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ର ବରିଷ୍ଠ ନେତ୍ରୀ ସସ୍ମିତା ବେହେରା । ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ସସ୍ମିତା । ଅନ୍ୟପଟେ ବିଜେପି ସରକାର ଆସିବା ପରେ ନାରୀ ସୁରକ୍ଷାରେ ବିଫଳ ବୋଲି କହିଛନ୍ତି ସିପିଆଇଏମ ନେତା ଗୟାଧର ଧଳ । ସରକାର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ସେପଟେ ବିଜେପିର ଏକ ୧୫ଜଣିଆ ଦଳ ପରିବାରକୁ ଭେଟି ଆଲୋଚନା କରିବା ସହିତ ଘଟଣାକୁ ନିନ୍ଦା କରିଛି । ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ପୋଲିସର ତଦନ୍ତ ଛାଲିଛି । ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଅର୍ଚ୍ଚନା ନାୟକ ।
ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ
ନାମ ଫଳକକୁ ନେଇ ଆଜି ପୁଣି ଖୋର୍ଦ୍ଧା ଓସ୍ତପୁର ଓ କୋଟପଲା ଗାଁ ମଧ୍ୟରେ ଗଣ୍ଡଗୋଳ। ପରସ୍ପର ମଧ୍ୟରେ ଗଣ୍ଡଗୋଳ କରିବା ସହ ଭାଙ୍ଗିଛନ୍ତି ଦୋକାନ ବଜାର। ଏହା ସହ ଟେକାପଥର ବି ମାଡ଼ ହୋଇଛି । ଘଟଣାସ୍ଥଳରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉତ୍ତେଜନା ପରେ ବିଭିନ୍ନ ଥାନାର ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି । କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ। ଉତ୍ତେଜନା ଯୋଗୁ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ସମାନ ଘଟଣାରେ ଗତକାଲି ଗୋଷ୍ଠୀ ସଂଘର୍ଷରେ ଦୁଇ ଗୁରୁତର ହୋଇଥିଲେ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ କୋଟପଲା, ଓସ୍ତ ପୁର ଗାଁରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗି ରହିଛି । ଗତ କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଗ୍ରାମର ବଜାରରେ ଓସ୍ତପୁର ନାମ ଫଳକ ରଖିବା ପାଇଁ ଦାବି କରିଥିଲେ ।
ପୂର୍ବରୁ ଲାଗିଥିବା ଓସ୍ତପୁର ନାମ ଫଳକକୁ କୋଟପଲାର କିଛି ବ୍ୟକ୍ତି ଲିଭାଇ ଦେଇଥିବା ଅଭିଯୋଗ କରିଥିଲେ । ସେଇଦିନ ଠାରୁ ବିବାଦ ଉଗ୍ରରୂପ ନେଇଥିଲା। ଗତକାଲି ନିର୍ମାଣଧିନ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ଗ୍ରାମର ଦୁଇଟି ନାମ ଫଳକ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ପୋତିବା ପାଇଁ ଉଦ୍ୟମ କରାଯାଇଥିଲା । ଏହି ସମୟରେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଗାଁର ମହିଳା ମାନେ ରାସ୍ତାରେ ପୋଲିସ, ପ୍ରଶାସନ ଉପସ୍ଥିତିରେ ପରସ୍ପରକୁ ଆକ୍ରମଣ , ପ୍ରତି ଆକ୍ରମଣ କରିଥିଲେ। ଆକ୍ରମଣରେ କିଛି ଘର ଦ୍ବାର, ଦୋକାନ ବଜାର ଭଙ୍ଗାରୁଜା ହେବା ସହ ଦୁଇଜଣ ଆହତ ହୋଇଥିଲେ । ଖବର ପାଇ ଖୋର୍ଦ୍ଧା ଏସ୍ଡ଼ିପିଓ , ବେଗୁନିଆ ଓ ବାଘମାରି ଥାନା ଅଧିକାରୀ ଏକ ପ୍ଲାର୍ଟୁନ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଆଜି ପୁଣି ଘଟଣାକୁ ନେଇ ଆଇନଶୃଙ୍ଖଳା ବିଗିଡିଥିବା ଅଭିଯୋଗ ହୋଇଛି ।
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ
ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ । କଟକ ଜିଲ୍ଲା ବମ୍ଫକୁଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳା ଡାକ୍ତର ଓ ମହିଳା ଫାର୍ମାସିଷ୍ଟଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି । ପବ୍ଲିକ ହେଲଥ ମ୍ୟାନେଜର ଏହି ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଉଭୟ ମହିଳା ଡାକ୍ତର ଓ ଫାର୍ମାସିଷ୍ଟ। ଏ ନେଇ ଉଭୟ କଟକ ସଦର ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏତଲା ରୁଜୁ କରି ସଂପୃକ୍ତ ପବ୍ଲିକ ହେଲଥ ମ୍ୟାନେଜରଙ୍କୁ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏତଲା ଆଧାରରେ ପୋଲିସ ଆଇନ ଅନୁଯାୟୀତା କାର୍ଯ୍ୟ କରୁଛି । ଯେ ଦୋଷୀ ତାକୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି କଟକ ମହାନଗର ନିଗମ ଜନ ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର । ସେପଟେ ଗତ ୪ ତାରିଖ ଦିନ ଇସି ମିଟିଙ୍ଗ ହେଇଥିଲା । ଏହି ମିଟିଙ୍ଗ ପରେ ବାୟୋମେଟ୍ରିକ ଚେକ୍ ହୋଇଥିଲା । ଯେଉଁଥିରେ ଫାର୍ମାସିଷ୍ଟଙ୍କ ବାୟୋମେଟ୍ରିକରେ ଭୁଲ ତଥ୍ୟ ଆସିବାରୁ ଏହାକୁ ବିରୋଧ କରିଥିଲେ । ଯେଉଁଥିପାଇଁ ଏଭଳି ଅଭିଯୋଗ ୨ ମହିଳା ଆଣିଛନ୍ତି ବୋଲି କହିଛନ୍ତି ଅଭିଯୁକ୍ତ ପବ୍ଲିକ ହେଲ୍ଥ ମ୍ୟାନେଜର । ଏହା ସହ ନିଜକୁ ନିର୍ଦ୍ଦୋଷ ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
ପୁଣି ରାୟଗଡାରେ ମ୍ୟାଲେରିଆ ଆତଙ୍କ: ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ
ପୁଣି ରାୟଗଡାରେ ମ୍ୟାଲେରିଆ ଆତଙ୍କ । ରୋଗରେ ଆକ୍ରାନ୍ତ ହୋଇ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ମୃତ ଛାତ୍ରୀ ଜଣକ ହେଲେ
ମାଟିକଣା ଆଶ୍ରମ ବିଦ୍ୟାଳୟର ପିଙ୍କି ନାଚିକା । ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଙ୍କି ମୃତ୍ୟୁବରଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିଜ ଗାଁ ଜାଙ୍ଗେଡି ଠାରେ ଶବ ରଖି ପରିବାର ଲୋକ ପ୍ରତିବାଦ କରିଛନ୍ତି ।
୨୩ ଜଣ ଯବାନଙ୍କୁ ନେଇ ଯାଉଥିବା ଆର୍ମି ଗାଡି ଦୁର୍ଘଟଣାଗ୍ରସ୍ତ, ୨ ଯବାନ୍ ସହିଦ
ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀର ଉଦ୍ଧମପୁରରେ ଦୁର୍ଘଟଣା। ଦୁର୍ଘଟଣାରେ ୨ ସିଆରପିଏଫ ଯବାନ ସହିଦ ହୋଇଥିବାବେଳେ ୧୬ ଜଣ ଯବାନ ଆହତ ହୋଇଛନ୍ତି । ଉଦ୍ଧମପୁର ଜିଲ୍ଲାର ବସନ୍ତଗଡ଼ରେ ଘଟିଛି ଦୁର୍ଘଟଣା । ୨୩ ଜଣ ଯବାନଙ୍କୁ ନେଇ ଯାଉଥିବା ଆର୍ମିଗାଡି ହୋଇଛି ଦୁର୍ଘଟଣାଗ୍ରସ୍ତ । ଘଟଣାସ୍ଥଳକୁ ଉଦ୍ଧମପୁର ଅତିରିକ୍ତ ଏସପି ସନ୍ଦୀପ ଭଟ୍ଟଙ୍କ ନେତୃତ୍ବରେ ପୋଲିସ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ କରିଛନ୍ତି । କଦୱା ଅଞ୍ଚଳରେ ଆଜି ସକାଳ ସାଢ଼େ ୧୦ଟାରେ ଘଟିଛି ଦୁର୍ଘଟଣା । ବସନ୍ତଗଡ଼ରୁ ଅପରେସନ ସାରି ଫେରିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ହେଉଛି ୧୮୭ ବାଟାଲିଅନର । ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଶୋକପ୍ରକାଶ କରିଛନ୍ତି । ଉଦ୍ଧାର ପ୍ରକ୍ରିୟା ସମ୍ପର୍କରେ ସେ ଉଦ୍ଧମପୁର ଡେପୁଟି କମିଶନର ସାଲୋନି ରାୟଙ୍କ ସହ ଆଲୋଚନା କରିଛନ୍ତି ।
ପୁରୀ : ଲାଇନ କଟିଯିବାରୁ ଟର୍ଚ୍ଚ ଲାଇଟରେ ଚାଲିଛି ଚିକିତ୍ସା
ନନ୍ଦିଘୋଷ ବ୍ୟୁରୋ : ଅନ୍ଧାରରେ ଚାଲିଛି ଜରୁରୀ ଚିକିତ୍ସା। ଲାଇନ କଟିଯିବାରୁ ଟର୍ଚ୍ଚ ଲାଇଟରେ ଚାଲିଛି ଚିକିତ୍ସା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ। ଗତକାଲି ସନ୍ଧ୍ୟା ୫ଟା ୧୫ରେ ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟିଗଲା ଲାଇନ୍ । କାଜୁଆଲିଟି ବିଭାଗରେ ଲାଗିଥିଲା ଲମ୍ବା ଲାଇନ୍ । ଛୋଟ ପିଲାଠାରୁ ଆରମ୍ଭ କରି ଥିଲେ ବୟସ୍କ ରୋଗୀ ସମସ୍ତେ ଏହି ଲାଇନରେ ଛିଡା ହୋଇଥିଲେ । ହଠାତ୍ ଅନ୍ଧାର ହେବାରୁ ଯିଏ ଯୁଆଡେ ପାଇଲେ ମୋବାଇଲ୍ ଟର୍ଚ୍ଚ ଅନ୍ କଲେ। ଆଉ ସେଇ ଝାପସା ଆଲୁଅରେ ପ୍ରେସକ୍ରିପସନ୍ ଲେଖି ଚାଲିଥିଲେ ଉପସ୍ଥିତ ଡାକ୍ତର । ଉପସ୍ଥିତ ଦୁଇ ଡାକ୍ତର ଅବଶ୍ୟ ତାଙ୍କ କର୍ତ୍ତବ୍ୟ କରି ଚାଲିଥିଲେ। ହେଲେ ପ୍ରାୟ ଦଶ ମିନିଟ ଏଭଳି ଲାଇନ୍ କଟି ଆସିନଥିଲା। ୫ଟା ୨୫ ମିନିଟ ବେଳକୁ ଆସିଥିଲା ଲାଇନ୍। ଗୋଟିଏ ପଟେ ଟାଟାର ମନମାନି। ଅନ୍ୟପଟେ ବଡ ପ୍ରଶ୍ନ ହସ୍ପିଟାଲର ପାୱାର ବ୍ୟାକଅପ୍ କୋଉଠି ଥିଲା। ଗୋଟିଏ ପଟେ କାଜୁଆଲିଟିରେ ଲମ୍ବା ଲାଇନ୍ ଅନ୍ୟପଟରେ ବିଦ୍ୟୁତ୍ ବିଭ୍ରାଟ। ଏମର୍ଜେନ୍ସିରେ କେମିତି ରୋଗୀ ପାଇବେ ଚିକିତ୍ସା, ତାକୁ ନେଇ ପ୍ରଶ୍ନ ଉଠିଛି ।

