spot_img
Home Blog Page 574

ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ନନ୍ଦିଘୋଷ ବ୍ୟୁରୋ: ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁରୁଣା କୋଠାରେ 24 ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦାବିରେ ଜିଲ୍ଲା ଯୁବ ଏକତା ମଞ୍ଚ ବନ୍ଦ ଡାକରା ଦେଇଛି।ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ପରିବର୍ତ୍ତନ ପରଠାରୁ ସହରବାସୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ଆନ୍ଦୋଳନର ରୂପ ନେଇଛି । ସହର ମଧ୍ୟ ସ୍ଥଳୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ଠାରୁ ୬ କିମି ଦୂର ନୁଆଁବାଲିରୋଇ ମୌଜାକୁ ସ୍ଥାନାନ୍ତର ପରେ ପ୍ରାଥମିକ ଚିକିତ୍ସା ପାଇଁ ମଧ୍ୟ ଜନସାଧାରଣଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବା ସହ ଅସୁରକ୍ଷିତ ପରିବେଶରେ ଯିବାକୁ ପଡୁଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ଅଭାବରୁ ଏକ ମାସ ମଧ୍ୟରେ ଏକାଧିକ ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା।ଏହାର ପ୍ରତିବାଦରେ ଯୁବ ଏକତା ମଞ୍ଚ ପକ୍ଷରୁ ଆଜି 12 ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି। ସକାଳ 6 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଦେବଗଡ଼ ରେ ଦୋକାନ ବଜାର ସହ ଅଖ ଚକ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ବନ୍ଦ ଡାକରା କୁ ସ୍ୱତଃ ସମର୍ଥନ ଜଣାଇ ମହିଳା, ପୁରୁଷ, ଯୁବ ସମସ୍ତ ବର୍ଗର ଜନ ସାଧାରଣ ଆନ୍ଦୋଳନ କୁ ଓଲ୍ହାଇ ପୁରୁଣା ପୋଷ୍ଟ ଅଫିସ ଛକ, ବିର୍ସା ମୁଣ୍ଡା ଛକ ଓ ଆମ୍ବେଦକର ଛକ ଠାରେ ଜାତୀୟ ରାଜପଥ ଅବରୋଧ କରିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଛି । କୌଣସି ଅପ୍ରିତିକର ପରିସ୍ଥିତି ଆଶଙ୍କା ରେ ଜିଲ୍ଲା ପୁଲିସ ପକ୍ଷରୁ ସହର ରେ ପାଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ସହରର ବିଭିନ୍ନ ସ୍ଥାନରେ ପୋଲି ମୁତୟନ କରାଯାଇଛି ।…

ଗୌତମ ଗମ୍ଭୀରଙ୍କୁ ନେଇ ଏମିତି କହିଲେ ଦିନେଶ କାର୍ତ୍ତିକ

ନନ୍ଦିଘୋଷ ବ୍ୟୁରୋ: ନିକଟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ୨-୨ରେ ସମାପ୍ତ କରିଛି ଭାରତ । ବିଦେଶ ମାଟିରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ଟିମ ଇଣ୍ଡିଆର ପ୍ରଦର୍ଶନକୁ ନେଇ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ନିଜର ପ୍ରଶିକ୍ଷଣ, ଦଳ ଚୟନ ସାଙ୍ଗକୁ ନିଜର ଭାବମୂର୍ତ୍ତି ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ରହିଥିଲେ ଗୌତମ ଗମ୍ଭୀର । ତେବେ ପୂର୍ବତନ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ଏହାକୁ ନେଇ ଏକ ମଜାଳିଆ ଢ଼ଙ୍ଗରେ ଖୁଲାସା କରିଛନ୍ତି ।

ଦିନେଶ କାର୍ତ୍ତିକ ଏକ ମଜାଦାର ଖୁଲାସା କରିଛନ୍ତି ଯେ ପ୍ରଶଂସକମାନେ ଭାରତ -ଇଂଲଣ୍ଡ ସିରିଜରେ ଗମ୍ଭୀରଙ୍କ ମୁହଁରେ ହସ ନ ଦେଖିବା ପାଇଁ ଅଭିଯୋଗ କରିଛନ୍ତି । ଦି ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟର ଏକ ପ୍ରସାରଣ ସମୟରେ ଏହି ମଜାଦାର ଘଟଣା ସାମ୍ନାକୁ ଆସିଥିଲା , ଯେତେବେଳେ କାର୍ତ୍ତିକ ଟ୍ରେଣ୍ଟ ରକେଟ୍ସ ପ୍ରଶିକ୍ଷକ ଆଣ୍ଡି ଫ୍ଲାୱାରଙ୍କ ସହ କଥା ହେଉଥିଲେ । ଟ୍ରେଣ୍ଟ ରକେଟ୍ସ ମାଞ୍ଚେଷ୍ଟର ଅରିଜିନାଲ୍ସ ବିପକ୍ଷରେ ସାତ ୱିକେଟରେ ବିଜୟୀ ହୋଇଥିଲା । ଏହି ମ୍ୟାଚ୍ ପରେ, କାର୍ତ୍ତିକ ହାଲୁକା ଭାବରେ କହିଛନ୍ତି ଯେ ୟୁକେ ପ୍ରଶଂସକମାନେ ସ୍କାଏ ସ୍ପୋର୍ଟସକୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ସେମାନେ ତିନି ଜଣଙ୍କ ବିଷୟରେ ଅଭିଯୋଗ କରିଛନ୍ତି ଯେଉଁମାନେ ସାରା ଗ୍ରୀଷ୍ମ ଋତୁରେ ହସି ନାହାଁନ୍ତି । ସେମାନଙ୍କ ମଧ୍ୟରେ ପ୍ରଥମ ନାମ ଗୌତମ ଗମ୍ଭୀର, ଦ୍ୱିତୀୟ ନାମ ପୂର୍ବତନ ଇଂଲଣ୍ଡ ଅଧିନାୟକ ନାସେର ହୁସେନ ଯିଏ କମେଣ୍ଟ୍ରୀ ବକ୍ସରେ ବସିଛନ୍ତି ଏବଂ ତୃତୀୟ ନାମ ଆଣ୍ଡି ଫ୍ଲାୱାର ।

ଏହା ପରେ, କାର୍ତ୍ତିକ ମଜାରେ ଫ୍ଲାୱାରଙ୍କୁ ପଚାରିଲେ , ‘ ଯେତେବେଳେ ତୁମେ ଜଣେ ପ୍ରଶିକ୍ଷକ ଭାବରେ ଡଗ୍ ଆଉଟରେ ବସିଛ, ଲୋକମାନେ ତୁମ ମୁହଁରେ ହସ କାହିଁକି ଦେଖିପାରିବେ ନାହିଁ ? ‘ ଏହାର ଉତ୍ତରରେ ଫ୍ଲାୱାର ହସି ହସି ଉତ୍ତର ଦେଲେ, ‘ ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲ ବୁଝନ୍ତି, ଏବଂ ତୁମେ ଏହା ଭଲ ଭାବରେ ଜାଣ । ‘ କାର୍ତ୍ତିକ ଉତ୍ତର ଦେଲେ, ‘ ମୁଁ ନିଶ୍ଚିତ ଭାବରେ ଜାଣେ। ‘ ଏହି ମଜାଦାର ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

 

ସର୍ବଭାରତୀୟ ନିଟ୍ ପିଜି ପରୀକ୍ଷାରେ ଟପ୍ପର ହେଲେ ଓଡିଶା ଛାତ୍ର ପୁସାନ ମହାପାତ୍ର

ନନ୍ଦିଘୋଷ ବ୍ୟୁରୋ: ସର୍ବଭାରତୀୟ ନିଟ୍ ପିଜି ପରୀକ୍ଷାରେ ଟପ୍ପର ହୋଇଛନ୍ତି ଓଡିଶା ଛାତ୍ର ପୁସାନ ମହାପାତ୍ର । କଟକ ଏସସିବି ମେଡିକାଲ କଲେଜରେ ପାଠ ପଢୁଥିବା ପୁସାନ ଟପ ଶହେ ଜଣଙ୍କ ଭିତରେ ରହିବେ ବୋଲି ଭାବି ନଥିଲେ । କିନ୍ତୁ ରେଜଲ୍ଟ ବାହାରିବା ପରେ ସେ ଟପ୍ପର ହୋଇଥିବା ଦେଖି ପ୍ରଥମେ ବିଶ୍ବାସ କରିପାରିନଥିଲେ । ତାଙ୍କ ଡାକ୍ତର ଭଉଣୀ ତାଙ୍କ ପାଇଁ ଥିଲେ ପ୍ରେରଣା । ମେଡିକାଲ ପାଠ୍ୟକ୍ରମ ପରେ ଗତ ବର୍ଷ ଠାରୁ ତାଙ୍କର ଇଣ୍ଟର୍ଣ୍ଣସିଭ ଚାଲିଥିଲା । ମାର୍ଚ୍ଚରେ ଇଣ୍ଟର୍ଣ୍ଣସିଭ ସରିଛି । ସେ ଜାନୁଆରୀରେ ପିଜି ପରୀକ୍ଷା ପାଇଁ ପାଠପଢା ଆରମ୍ଭ କରିଥିଲେ । ତାଙ୍କୁ ତାଙ୍କ ପରିବାର ସବୁବେଳେ ପାଠ ପଢାରେ ସହଯୋଗ କରିଛନ୍ତି । ଏଥିସହିତ ଏବେ ମେଡିକାଲ ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ରଛାତ୍ରୀମାନେ ରାଙ୍କ କଥା ନଭାବି କେବଳ ପରୀକ୍ଷାରେ ଭଲ କରିବାକୁ ଚେଷ୍ଟା କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

୩ ଦିନିଆ ରୁଷ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ସଂଚାର ବ୍ୟୁରୋ: ଆମେରିକାର ଟାରିଫ ମାଡର ଜବାବ ତୈଳଦର ରିହାତିରେ। ଭାରତକୁ ରୁଷ ରପ୍ତାନୀ କରୁଥିବା ତୈଳଦର ଉପରେ ୫ ପ୍ରତିଶତ ରିହାତି ପ୍ରଦାନ କରିଛି ରୁଷିଆ। ତୈଳ ଆମଦାନୀ କରୁଥିବାରୁ ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା। ଏହାର ଜବାବରେ ରୁଷ ତୈଳଦର ଉପରେ ୫ ପ୍ରତିଶତ ରିହାତି ଦେଇଛି। ରିହାତି ଦରରେ ଭାରତକୁ ଅଶୋଧିତ ତୈଳ ଯୋଗାଣ ଜାରି ରଖିବ ବୋଲି କହିଛି ରୁଷ। ପ୍ରାୟ ସମାନ ସ୍ତରର ତେଲ ଭାରତ ଆମଦାନୀ କରିବ। ତେବେ ଏହି ରିହାତିକୁ ଏକ ବାଣିଜ୍ୟିକ ଗୁପ୍ତ ଭାବରେ ବର୍ଣ୍ଣନା କରିଛି ରୁଷିଆ। ସେପଟେ ୩ ଦିନିଆ ରୁଷିଆ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ଆଜି ଦ୍ଵିତୀୟ ଦିନ। ଭାରତ-ରୁଷ ସମ୍ପର୍କ, ସମସାମୟିକ ବିଶ୍ୱ ଭୂ-ରାଜନୀତି ଏବଂ ଭାରତର ଦୃଷ୍ଟିକୋଣ ଉପରେ ଆଲୋଚନା କରିଥିଲେ ଜୟଶଙ୍କର। ବାଣିଜ୍ୟ, ଅର୍ଥନୀତି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ସହଯୋଗ ଉପରେ ଆଲୋଚନା ହୋଇଛି। ବୈଦେଶିକ ମନ୍ତ୍ରୀ ରୁଷ ପ୍ରତିପକ୍ଷ ସର୍ଗେ ଲାଭରୋଭଙ୍କୁ ମଧ୍ୟ ଭେଟିବା ସହ ଦ୍ୱିପାକ୍ଷିକ କାର୍ଯ୍ୟସୂଚୀ ସମୀକ୍ଷା କରିଛନ୍ତି ଏସ ଜୟଶଙ୍କର।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇଗୋଷ୍ଠୀ ପିଟାପିଟି : ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ବରେ ଗୋପାଳପୁର ଥାନା ଘେରାଉ

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଦୁଇଗୋଷ୍ଠୀ ପିଟାପିଟି।କିଛି ଛାତ୍ର ଆହତ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି।  କ୍ଯାମ୍ପସ୍ ଭିତରେ ଏହି ଘଟଣା ଘଟିଛି।ଆହତଙ୍କ ମଧ୍ୟରୁ କିଛି ଛାତ୍ର ବ୍ରହ୍ମପୁର MKCGରେ ଚିକିତ୍ସିତ ହୋଇଛନ୍ତି। ଯୁକ୍ତିତର୍କରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିବା ସୂଚନା ମିଳିଛି। ହସ୍ପିଟାଲରେ ପ୍ରତିକ୍ରିୟା ରଖିଛନ୍ତି ଜଣେ ଆହତ ଛାତ୍ର। ସେପଟେ ବିଶ୍ଵବିଦ୍ୟାଳୟରେ ଛାତ୍ରଙ୍କୁ ଅଣଛାତ୍ରଙ୍କ ଆକ୍ରମଣ ଘଟଣାରେ ଛାତ୍ରଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୋପାଳପୁର ଥାନା ଘେରାଉ କରାଯାଇଥିଲା। ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନେତୃତ୍ବରେ ଥାନା ଘେରାଉ ହୋଇଥିଲା। ରମେଶ ଜେନାଙ୍କ ସମେତ ପ୍ରାୟ ୧୦୦ରୁ ଅଧିକ କଂଗ୍ରେସ କର୍ମୀ ଓ ବିଶ୍ବବିଦ୍ୟାଳୟର ଛାତ୍ର ମାନେ ଘେରାଉରେ ସାମିଲ ହୋଇଥିଲେ।

ଗତକାଲି ରାତିରେ ବିଶ୍ବବିଦ୍ୟାଳୟରେ ଅଣଛାତ୍ର ପ୍ରବେଶ କରି ଜଣେ ଛାତ୍ରଙ୍କୁ ଆକ୍ରମଣ କରିଥିଲେ।ଅଣଛାତ୍ରର ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗର ଛାତ୍ର ଅଭିଳାଷ ମିଶ୍ର।

ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଡିସଚାର୍ଜ ସମୟରେ ନବୀନ କହିଲେ ଆଇ ଆମ ଫାଇନ ନାଓ । ହସ୍ପିଟାଲରେ ଭଲ ଯତ୍ନ ନେଇଥିବାରୁ ସମ୍ ଅଲ୍ଟିମେଟ୍ ମେଡିକେୟାର ଡାକ୍ତର ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।

ଡିହାଇଡ୍ରେସନ ଯୋଗୁଁ ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି । ହସ୍ପିଟାଲରେ ଥିବା ସମୟରେ ସୁସ୍ଥ ଥିବା ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଥିଲେ ନବୀନ । ଭେଟିବାକୁ ଚାହୁଁଥିଲେ ନବୀନ ନିବାସ ଆସିପାରିବେ ବୋଲି କହିଥିଲେ । ଆଜି ନବୀନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ପଚାରି ବୁଝିଥିଲେ ସ୍ବାସ୍ଥ୍ୟାବସ୍ଥା । ସ୍ବାସ୍ଥ୍ୟମନ୍ତ୍ରୀ ଓ ପିସିସି ସଭାପତି ଭେଟିଥିବାରୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଅସୁସ୍ଥ ଥିବା ବେଳେ ଯେଉଁମାନେ ମୋ ପାଇଁ ପ୍ରାର୍ଥନା କରିଥିଲେ ସେମାନଙ୍କୁ ଧନ୍ୟବାଦ୍ ଜଣାଉଛି । ଏହାସହ ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ଭଲ ଅଛି ବୋଲି କହିଛନ୍ତି ନବୀନ । ନବୀନଙ୍କ ଚିକିତ୍ସା କରୁଥିଲେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ।

ପୋଲାଭରମ ପ୍ରକଳ୍ପକୁ ନେଇ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ପୁଣି ଆପତ୍ତି ଉଠାଇଲା ବିଜେଡି

ନନ୍ଦିଘୋଷ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ବିଜେଡି ପୁଣି ଥରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ନିକଟରେ ଆପତ୍ତି ଉଠାଇଛି । ପୂର୍ବରୁ ଓଡିଶା ଏନେଇ ଆପତ୍ତି ଉଠାଇଥିଲେ ମଧ୍ୟ କମିଶନ ଏହାକୁ ଗୁରୁତ୍ବ ଦେଉ ନଥିବା ଅଭିଯୋଗ କରିଛି ଦଳ । ପୋଲାଭରମ ପ୍ରକଳ୍ପର ସଂଶୋଧିତ ଡିଜାଇନ ଦ୍ବାରା ଓଡିଶାର ବହୁ ଆଦିବାସୀ ଗାଁ ବୁଡିଯିବାର ଆଶଙ୍କା ରହିଛି । କିନ୍ତୁ ଓଡିଶା ଓ ପ୍ରଭାବିତ ହେଉଥିବା ଅନ୍ୟ ରାଜ୍ୟର ଉଦବେଗକୁ ଗୁରୁତ୍ବ ନଦେଇ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି । ୨୦୨୨ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ ପ୍ରଭାବିତ ହେବାକୁ ଥିବା ସବୁ ରାଜ୍ୟ ସହ ଆଲୋଚନା ସାଙ୍ଗକୁ ରାଜ୍ୟର ସ୍ବାର୍ଥ ପୂରଣ ନହେବା ଯାଏଁ କାମ ଉପରେ ରୋକ ଲଗାଇବାକୁ ଦାବି କରିଛି ବିଜେଡି । ସେପଟେ ବିଜେପି କହିଛି ସରକାରରୁ ଯିବା ପରେ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେଡି ।

ଓଡିଶାର ସ୍ବାର୍ଥ ରକ୍ଷା ପାଇଁ ଦିଲ୍ଲୀରେ ଲଢେଇ ଜାରି ରଖିଛି ବିଜେଡି । ପୋଲାଭରମ ପାଇଁ ହେବାକୁ ଥିବା କ୍ଷତି ନେଇ ପୁଣି କେନ୍ଦ୍ରୀୟ ଜଳ ଆୟୋଗରେ ଆପତ୍ତି କରିଛି ଦଳ । ମାଲକାନଗିରିର ଆଦିବାସୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ଦାବି । ପୋଲାଭରମ ପ୍ରକଳ୍ପ ପାଇଁ ମାଲକାନଗିରି ଜିଲ୍ଲାର କାଲିମେଳା ଓ ପଡିଆ ବ୍ଲକର ବହୁ ଆଦିବାସୀ ଗାଁ ବୁଡିଯିବ । ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଗଡର ଏକାଧିକ ସର୍ଭେ ରିପୋର୍ଟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି । ଏପରିକି ଗତ ଫେବୃଆରୀ ମାସରେ ଏହି ତିନି ରାଜ୍ୟ ଓ ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଆଦିବାସୀ ଲୋକଙ୍କୁ ନେଇ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ସବୁ ରାଜ୍ୟ ଓ ଆଦିବାସୀ ଲୋକମାନେ ପ୍ରକଳ୍ପକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ବିଜେଡି ଏହାକୁ ନେଇ ୨୦୨୨ରୁ ଆଇନଗତ ଲଢେଇ ଲଢି ଆସୁଛି । ସୁପ୍ରିମକୋର୍ଟ ମଧ୍ୟ ୨୦୨୨ରେ ପ୍ରକଳ୍ପ ସମ୍ପ୍ରସାରଣକୁ ନେଇ ପ୍ରଶ୍ନ ଉଠାଇଥିଲେ । ବିଜେଡି ମଧ୍ୟ ପ୍ରକଳ୍ପ ଦ୍ବାରା ହେବାକୁ ଥିବା କ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ହେଲେ ଓଡିଶାର ଦାବିକୁ ଅଣଦେଖା କରି ପ୍ରକଳ୍ପ ସମ୍ପ୍ରସାରଣକୁ ଅନୁମତି ଦେବା ସହ କେନ୍ଦ୍ର ସରକାର ଏଥିପାଇଁ ନିୟମିତ ବ୍ୟବଧାନରେ ଆର୍ଥିକ ସହାୟତା କରିଚାଲିଛନ୍ତି । ଏହାକୁ ନେଇ ପୁଣି ଥରେ ସିଡବ୍ଲୁସିରେ ଆପତ୍ତି ଉଠାଇଛି ବିଜେଡି ।

ତେଣୁ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହେବାକୁ ଥିବା ରାଜ୍ୟ ଓ ଲୋକଙ୍କ ସହ ଆଲୋଚନା କରିବାକୁ ଦାବି କରିଛି ବିଜେଡି । ଏଥିସହିତ ଓଡିଶାର ଦାବି ପୂରଣ ନହେବା ଯାଏଁ ପ୍ରକଳ୍ପ କାମ ବନ୍ଦ କରାଯାଉ । ପ୍ରଭାବିତ ହେଉଥିବା ଥିବା ଆଦିବାସୀଙ୍କ ଉପଯୁକ୍ତ ଥଇଥାନ ପାଇଁ ମଧ୍ୟ ଦାବି କରିଛି ବିଜେଡି । ସେପଟେ ବିଜେଡିର ଦାବିକୁ କୁମ୍ଭୀର କାନ୍ଦଣା ବୋଲି କହିଛି ବିଜେପି ।

ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ପୁଣି ସ୍ବପ୍ନ ଦେଖାଇଲେ ସରକାର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ମେଟ୍ରୋ ରେଳ ପ୍ରକଳ୍ପ ନେଇ ପୁଣି ସ୍ବପ୍ନ ଦେଖାଇଲେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ସହଯୋଗ ଓ ପରାମର୍ଶରେ ହେବ ମେଟ୍ରୋ । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ରାଜ୍ୟ ସରକାରଙ୍କ ଦ୍ବାରା ଗଠନ ହୋଇଥିବା କମିଟି ରିପୋର୍ଟ ଦେବା ପରେ ମେଟ୍ରୋ ପ୍ରକଳ୍ପ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ବିଜେଡି କହିଛି, ମେଟ୍ରୋ ନେଇ ମନ୍ତ୍ରୀଙ୍କ କଥାରେ ନାହିଁ ତାଳମେଳ । ଅନ୍ୟପଟେ ମେଟ୍ରୋ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟତା ଆଣନ୍ତୁ ବୋଲି ଦାବି କରିଛି କଂଗ୍ରେସ ।

ମେଟ୍ରୋ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଛନ୍ଦି ହୋଇପଡିଛି ବିଜେପି ସରକାର । କେବେ ହଁ ପୁଣି କେବେ ନା । ଘଡିକେ ବଦଳୁଛି ବୟାନ ଓ ନିଷ୍ପତ୍ତି । ହାତ ଟେକିଦେଇ କେନ୍ଦ୍ରର ସହଯୋଗ ଲୋଡିଲା ରାଜ୍ୟ । ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗ ଓ ପରାମର୍ଶରେ ଆଗେଇବ ମେଟ୍ରୋ କାମ । ଏନେଇ କେନ୍ଦ୍ର ସରକାରଙ୍କୁ କରାଯାଇଛି ଅବଗତ । ମନ୍ତ୍ରୀଙ୍କ କହିବା କଥା, ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପ ପାଇଁ କରିଥିବା କମିଟି ବିଭିନ୍ନ ସ୍ଥାନକୁ ଯାଇ ସର୍ଭେ କରିବେ । ରିପୋର୍ଟ ଆସିବା ପରେ କେନ୍ଦ୍ରର ସହାୟତା ଲୋଡାଯିବ । କେମିତି ଫିଜିବୁଲ ହେବ ମେଟ୍ରୋ, ସେ ନେଇ ରିପୋର୍ଟ ଦେବ କମିଟି । ସେହି ଅନୁସାରେ କେନ୍ଦ୍ର କେତେ ଆର୍ଥିକ ସହାୟତା ଦେବ ଓ ପ୍ରକଳ୍ପ ପାଇଁ କେତେ ଖର୍ଚ୍ଚ ହେବ ସେନେଇ ରାଜ୍ୟ ରିପୋର୍ଟ ଦେବା ପରେ ନିଷ୍ପତ୍ତି ନିଆଯିବ । ମେଟ୍ରୋ ପ୍ରକଳ୍ପ ପାଇଁ ପୂର୍ବରୁ ବ୍ୟୟବରାଦ ହୋଇଥିବା ଅର୍ଥରାଶି ଅଛି ବୋଲି ସ୍ବୀକାର କରିଛନ୍ତି ମନ୍ତ୍ରୀ । ଏପରିକି ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।

ରାଜଧାନୀରେ ମେଟ୍ରୋ ଚାଲିବ କି ନାହିଁ ତାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଥିବାରୁ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ । ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, ବିଜେଡି ସରକାରରେ ଶିଳାନ୍ୟାସ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ବିଜେପି କରିବ କି ନାହିଁ ସେ ନିଷ୍ପତ୍ତି ନିଆଯାଇ ପାରୁନାହିଁ । ୧୪ ମାସର ବିଜେପି ସରକାରରେ ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଚାଲିଯାଇଛି । ମେଟ୍ରୋ ପ୍ରକଳ୍ପକୁ ନେଇ ନଗର ଉନ୍ନୟନ, ପୂର୍ତ୍ତ ଓ ପରିବହନ ମନ୍ତ୍ରୀଙ୍କ ବୟାନରେ ତାଳମେଳ ନାହିଁ । ୨୦୨୩ ଏପ୍ରିଲ ୧ ତାରିଖରେ ମେଟ୍ରୋ ପ୍ରକଳ୍ପକୁ ଅନୁମୋଦନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୪ ଜାନୁଆରୀ ୧ ତାରିଖରେ ତ୍ରିଶୁଳିଆରେ ନବୀନ ପଟ୍ଟନାୟକ ମେଟ୍ରୋ ପ୍ରଳ୍ପଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାମ ମଧ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରୁ ତ୍ରିଶୁଳିଆ ଯାଏଁ ମେଟ୍ରୋ ଗଡିଥାନ୍ତା । ପ୍ରକଳ୍ପ ପାଇଁ ମୋଟ ୬ ହଜାର ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା । ହେଲେ ମେଟ୍ରୋ ପାଇଁ ଟେଣ୍ଡର ବାତିଲ ହେବା ପରେ ପାଖାପାଖି ୫୦୦ କୋଟି ରାଜସ୍ବ ହାନି ହେବ ବୋଲି କହିଛି ବିଜେଡି । ସେହିପରି ମେଟ୍ରୋ ଓଡିଶାରେ ଗଡ଼ିବ କି ନାହିଁ, ତାହା ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ନବୀନ ସରକାର ସମୟରେ ଆରମ୍ଭ ହୋଇଥିବା ମେଟ୍ରୋ ପ୍ରକଳ୍ପକୁ ୨୦୨୭-୨୮ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଓଡ଼ିଶାରେ ସରକାର ବଦଳିବା ପରେ ମେଟ୍ରୋ ପ୍ରକଳ୍ପ ହେବ କି ନାହିଁ ତାହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଆଉ ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ରାଜନୀତି ।

ରାଜଧାନୀ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ତେଜିଲା ଶ୍ରେୟ ରାଜନୀତି

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀ ରିଙ୍ଗ ରୋଡକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମନ୍ତ୍ରୀ ପରିଷଦ ଓ ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କ୍ୟାପିଟାଲ ରିଜିଅନ ରିଂ ରୋଡ ହେଲେ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହେବ। ଆଇଟି, ଟେକ୍ସଟାଇଲ କ୍ଷେତ୍ରରେ ପୁଞ୍ଜିନିବେଶ ସହ ଖୋର୍ଦ୍ଧା-ଭୁବନେଶ୍ବର-କଟକ-ଚୌଦ୍ବାର ଯାଏଁ ରାଜଧାନୀ ଅଞ୍ଚଳ ପରିବ୍ୟାପ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅମଳରେ ୨୦୨୧ରେ ଏହି ପ୍ରକଳ୍ପ ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ବିଜେଡ଼ି କହିଛି । କଂଗ୍ରେସ କ୍ୟାବିନେଟ ପ୍ରସ୍ତାବକୁ ସ୍ବାଗତ କରିଥିବା ବେଳେ ଏଥିପାଇଁ ଅର୍ଥ ବ୍ୟବସ୍ଥା ଗୁରୁତ୍ବପୂର୍ଣ୍ଣ ବୋଲି କହିଛି ।

ଖୋର୍ଦ୍ଧାର ରାମେଶ୍ବରରୁ ଭୁବନେଶ୍ବର-କଟକ-ବାଙ୍କୀ-ଚୌଦ୍ବାର ଦେଇ କଟକର ଟାଙ୍ଗୀ ଯାଏଁ ଲମ୍ବିବ ସିଆରଆରଆର୍ । ୧୧୧ କିଲୋମିଟର ୬ ଲେନ ରାସ୍ତା ପାଇଁ କେନ୍ଦ୍ର ସରକାର ଦେବେ ୮ ହଜାର ୩୪୨ କୋଟି ଟଙ୍କା । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଥିବା ଭଲ ପାଇବାର ଏହା ନିଦର୍ଶନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରକଳ୍ପ ଅନୁମୋଦନ ପରେ ମନ୍ତ୍ରୀ ପରିଷଦ ଓ ବିଧାୟକମାନେ ରାଜ୍ୟ ଅତିଥି ଭବନରେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରକଳ୍ପ ଦ୍ଵାରା ରାଜ୍ୟରେ ଗମନାଗମନ ଭିତ୍ତିଭୂମି ସୁଦୃଢ ସହ ଅର୍ଥନୈତିକ ପ୍ରଗତି ହେବ । ଆଇଟି, ଟେକ୍ସଟାଇଲ କ୍ଷେତ୍ରରେ ଅଧିକ ପୁଞ୍ଜି ଆସିବା ସହ ପୋସ୍କୋ, ମିତ୍ତଲ ଓ ଜେଏସ୍ଡ଼ବ୍ଲୁ ଭଳି ବଡ଼ ବଡ଼ କମ୍ପାନୀ ଓଡ଼ିଶାକୁ ଆସିବାର ବାଟ ଫିଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟର ବହୁ ପ୍ରତିକ୍ଷୀତ କ୍ୟାପିଟାଲ ରିଜିଅନ ରିଂ ରୋଡ଼ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ପରେ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି। ଡବଲ ଇଞ୍ଜିନ ସରକାର ଥିବା ବିଜେପି ଏହାକୁ ନିଜର ସଫଳତା ବୋଲି ବିବେବଚନା କରୁଛି । ଅନ୍ୟପଟେ ପ୍ରକଳ୍ପ ୨୦୨୧ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରି କେନ୍ଦ୍ରକୁ ପଠାଇଥିଲେ । ଏପରିକି ଜମି ଅଧିଗ୍ରହଣ ପାଇଁ ନିଜସ୍ବ ବଜେଟରୁ ୬୦୦ କୋଟି ଟଙ୍କାର ବ୍ୟବସ୍ଥା ନବୀନ ପଟ୍ଟନାୟକ କରିଥିଲେ ବୋଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି । କଂଗ୍ରେସ ଏହି ପ୍ରକଳ୍ପକୁ ସ୍ବାଗତ କରିଥିବା ବେଳେ କେବେ ଅର୍ଥ ବରାଦ ହେବ ଏବଂ କେବେ କାମ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଛି । ରେଳ ଓ ବିମାନ ପରିବହନର ବିକଳ୍ପ ଭାବେ ଉଭା ହୋଇଥିବା ସଡ଼କ ପରିବହନରେ ସିଆରଆର୍ ଭୁବନେଶ୍ବର ଓ କଟକ ସହରର ଟ୍ରାଫିକକୁ ଏଡ଼ାଇବାରେ ସହାୟକ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

କ୍ୟାପିଟାଲ ରିଜିଅନ ରିଂ ରୋଡ଼ ପାଇଁ ଶ୍ରେୟ ନେବାକୁ ବିଜେଡ଼ି-ବିଜେପି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏହାର ବାସ୍ତବ ରୂପାୟନକୁ ସମସ୍ତେ ଅପେକ୍ଷା କରିଛନ୍ତି ।

କେନ୍ଦ୍ର ସରକାରଙ୍କ ବିବାଦୀୟ ବିଲକୁ ନେଇ ଝଡ଼

ନନ୍ଦିଘୋଷ ବ୍ୟୁରୋ: ଲଗାତର ୩୦ ଦିନ ଜେଲରେ ରହିଲେ ଯିବ ମନ୍ତ୍ରୀ ପଦ । ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ପ୍ରଧାନମନ୍ତ୍ରୀ କି ଯେକୌଣସି ସାଧାରଣ ବିଭାଗୀୟ ମନ୍ତ୍ରୀ, କେହି ବର୍ତ୍ତିବେନି । ମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିବ, ନ ଛାଡ଼ିଲେ ଆପେ ଆପେ ମନ୍ତ୍ରୀ ପଦ ଯିବ । ରାଜ୍ୟ, କେନ୍ଦ୍ର କି କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ ହୋଇଥିଲେ ବି ମନ୍ତ୍ରୀ ପଦ ହରାଇବେ । କେନ୍ଦ୍ର ସରକାରଙ୍କ ଏହି ବିବାଦୀୟ ବିଲକୁ ନେଇ ବିରୋଧୀ ଖଡ଼ଗହସ୍ତ, ସଂସଦ ହୁଲସ୍ତୁଲ ।

ଗୁରୁତର ଅପରାଧରେ ସଂପୃକ୍ତି ଅଭିଯୋଗରେ ଗିରଫ ବା ହେପାଜତରେ ଲଗାତର ୩୦ ଦିନ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ବା କୌଣସି ମନ୍ତ୍ରୀଙ୍କ ପଦ ରହିବ ନାହିଁ । ପଦବୀ ଛାଡ଼ିବାକୁ ପଡ଼ିବ, ନ ହେଲେ ସେମାନଙ୍କୁ ହଟାଯିବ । ସଂପୃକ୍ତ ଅପରାଧ ପାଇଁ ୫ ବର୍ଷ ଜେଲ୍ ଦଣ୍ଡାଦେଶ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର, ରାଜ୍ୟ କି କେନ୍ଦ୍ର ଶାସିତ ଅଞ୍ଚଳର ମନ୍ତ୍ରୀ କେହି ବର୍ତ୍ତିବେନି । ଏ ସଂପର୍କିତ ବିଲ୍ କେନ୍ଦ୍ର ସରକାର ଲୋକସଭାରେ ଆଗତ କରିବା ପରେ ସୃଷ୍ଟି ହେଲାଣି ଝଡ଼ । ବିରୋଧୀ ଭର୍ତ୍ସନା କରି କହିଛନ୍ତି, ଏହା ହେଉଛି ବିଜେପି ସରକାରର ଏକଛତ୍ରବାଦ । ବିଲକୁ ଦୁର୍ଭାଗ୍ୟଜନକ କହିଛି ବିଜେଡି । ଦେଶର ଆଇନ କହୁଛି, ଯେଉଁମାନଙ୍କୁ ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିବେ ଓ ୨ ବର୍ଷ ବା ତା’ଠାରୁ ଅଧିକ ଜେଲଦଣ୍ଡାଦେଶ ମିଳିବ, ସେମାନଙ୍କର ସଭ୍ୟ ପଦ ରଦ୍ଦ ହେବ । ଏହାସହ ଦଳ ପ୍ରଶ୍ନ କରିଛି, ୩୦ ଦିନ ଗିରଫ ବା ହେପାଜତରେ ରହିବା ମାତ୍ରେ କେମିତି ପଦ ଯିବ ? ଯେଉଁଠି ବିଜେପି ସରକାର ନାହିଁ, ସେଠି ଇଡି, ସିବିଆଇ ପରି ତଦନ୍ତକାରୀ ସଂସ୍ଥାକୁ ଲଗାଇ ଗିରଫଦାରୀ କରାଯାଉଛି । ଜାଣିଶୁଣି ବିରୋଧୀଙ୍କୁ ଫସାଇ ପଦବୀରୁ ହଟାଇବାକୁ ଏହି ବିଲ ଅଣାଯାଇଛି, ଏହା ଅଗଣତାନ୍ତ୍ରିକ । ବିପକ୍ଷଙ୍କ ସ୍ଵର ଚାପି ସେମାନଙ୍କ ମୁହଁ ବନ୍ଦ କରିବାକୁ ଏହି ବିଲ ଜରିଆରେ ଷଡ଼ଯନ୍ତ୍ର କରାଯାଉଥିବା ଅଭିଯୋଗ କରିଛି କଂଗ୍ରେସ । ନିଜ ହାତରେ କ୍ଷମତା ରଖିବାକୁ ଏହା ବିଜେପି ସରକାରଙ୍କ ଚକ୍ରାନ୍ତ। ଏହା ଜରୁରୀକାଳୀନ ପରିସ୍ଥିତିଠାରୁ ବି ଭୟଙ୍କର ପରିସ୍ଥିତି ଆଣିବ ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏହି ବିବାଦୀୟ ବିଲ୍ ସପକ୍ଷରେ ବିଜେପିର ଯୁକ୍ତି ହେଲା, ରାଜନୀତିରେ ଶୁଦ୍ଧତା ଆଣି ସ୍ଵଚ୍ଛ ସଚ୍ଚୋଟ ଜନପ୍ରତିନିଧି ରଖିବା ଦିଗରେ ଏହି ବିଲ କାମ କରିବ । ବିଲ୍ ଆଇନରେ ପରିଣତ ହେଲେ ଦୁର୍ନୀତିଗ୍ରସ୍ତ ଏହାକୁ ଭୟ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଓଡ଼ିଶାର ୨୭ ନେତାଙ୍କ ବିରୋଧରେ ଅଛି ଅପରାଧ ମାମଲା । ନିର୍ବାଚନ ବେଳେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁସାରେ ବିଜେପିର ୧୪୭ ବିଧାୟକ ପ୍ରାର୍ଥୀଙ୍କ ଭିତରୁ ୧୦୦ ଜଣ, କଂଗ୍ରେସର ୧୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣ, ବିଜେଡିର ୧୪୭ ପ୍ରାର୍ଥୀଙ୍କ ମଧ୍ୟରୁ ୪୬ ଜଣ ଓ ଆମ ଆଦମୀ ପାର୍ଟିର ୪୧ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଅପରାଧ ମାମଲା ଅଛି ।