ସଂପୂର୍ଣ୍ଣ ସୁରକ୍ଷା ପାଇଁ କୋଭିଡର ସବୁ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ

ଭୁବନେଶ୍ୱର: ସଂକ୍ରମଣ ହାର ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କର। ଘରକୁ ଘର ସର୍ଭେକୁ ଆହୁରି ତ୍ୱରାନ୍ୱିତ କର। ଟିକାକରଣ ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦିଅ ବିଶେଷ ଗୁରୁତ୍ୱ। ଆଜି କୋଭିଡ ସ୍ଥିତି ସମୀକ୍ଷା କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟତଃ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟରେ ସଂକ୍ରମଣ ହାର କମୁଛି। ଅଳ୍ପ କେତେକ ଜିଲ୍ଲାରେ ଉଚ୍ଚ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ସତର୍କତା ଅବଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଏହାସହିତ ଘରକୁ ଘର ବୁଲି ଚାଲିଥିବା ସର୍ଭେ କାର୍ଯ୍ୟକ୍ରମ ଦ୍ୱାରା କୋଭିଡ ତଥା ଅନ୍ୟନ୍ୟ ରୋଗୀ ମାନଙ୍କର ଚିହ୍ନଟ କରାଯାଉଛି।

ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରାଯାଇପାରୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରି ଏହାକୁ ଆହୁରି ଗୁରୁତର ସହ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତୃତୀୟ ଲହର ପାଇଁ ଶିଶୁ ରୋଗ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ଡାକ୍ତରମାନଙ୍କର ତାଲିମକୁ ପ୍ରାଥମିକତା ଦେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ବିଭିନ୍ନ ଡାକ୍ତରଖାନାରେ ଅକ୍‌ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଶୀଘ୍ର ଟିକାକରଣ ଆଗାମୀ କିଛି ମାସ ପାଇଁ ମୁଖ୍ୟ ଫୋକସ ହୋଇରହିବ। ବର୍ତ୍ତମାନ ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦିଆଯାଉଛି। ସୁବିଧା ସୁନିଶ୍ଚିତ କରିବାପାଇଁ ଜିଲ୍ଲାପାଳ ମାନେ ବ୍ୟକ୍ତିଗତ ଭାବେ ଦୃଷ୍ଟି ଦେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମାଞ୍ଚଳର ୧୭ଟି ଜିଲ୍ଲାରେ ଆଂଶିକ ଅନ୍‌ଲକ୍‌ ପରେ ମଧ୍ୟ କୋଭିଡ କେସ୍‌ରେ କୌଣସି ବୃଦ୍ଧି ହୋଇନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡିଶାର ଅବିଭକ୍ତ ପୁରୀ, କଟକ, ବାଲେଶ୍ୱର ଓ ମୟୁରଭଂଜ ଆଦି ଜିଲ୍ଲା ମାନଙ୍କରେ ସଂକ୍ରମଣ ହାର ଅଧିକ ଥିବାରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି।

Leave a Reply