spot_img
Home Blog Page 5381

କାହିଁକି ଇସ୍ତଫା ଦେଲେ ୟେଦିୟୁରପ୍ପା

କର୍ଣ୍ଣାଟକ: କାହିଁକି ଇସ୍ତଫା ଦେଲେ ୟେଦିୟୁରପ୍ପା । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି, ରାଜ୍ୟରେ ପ୍ରାଶାସନିକ ସ୍ତରରେ ଦୁର୍ନୀତି, ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଅ ବିଜୟେନ୍ଦ୍ରଙ୍କ ହସ୍ତକ୍ଷେପ ନେଇ ବେଶ ବିବାଦକୁ ଆସିଥିଲେ ୟେଦି । ଯାହାଫଳରେ ତାଙ୍କ ଉପରେ ଦଳୀୟ ଚାପ ଥିଲା । ସେହିଭଳି ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ ବିଜେପି ହାଇକମାଣ୍ଡ । ଗତ ୨୬ ଜୁଲାଇ ୨୦୧୯ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଠିକ୍ ଦୁଇ ବର୍ଷ ପରେ ସେ କ୍ଷମତାରୁ ଅନ୍ତର ହୋଇଛନ୍ତି ।

ସେ ୨୦୦୭, ୨୦୦୮, ୨୦୧୮ ଓ ୨୦୧୯ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୮ରେ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବରୁ ସେ ୨୦୦୭ରେ ମାତ୍ର ୭ ଦିନ ଲାଗି ସିଏମ ଦାୟିତ୍ବ ସମ୍ଭାଳିଥିଲେ । ଦୁର୍ନୀତି ମାମଲାରେ ସେ ୨୦୧୧ରେ ଇସ୍ତଫା ଦେଇଥିଲେ । ବିଜେପି ହାଇକମାଣ୍ଡ ସହ ମତପାର୍ଥକ୍ୟ ପରେ ସେ ବିଜେପିରୁ ଇସ୍ତଫା ଦେଇ କର୍ଣ୍ଣାଟକ ଜନତା ପକ୍ଷ ନାମକ ଏକ ଦଳ ଗଠନ କରିଥିଲେ । ମାତ୍ର ୨୦୧୪ରେ ସେ ପୁଣି ବିଜେପିରେ ସାମିଲ ହୋଇଥିଲେ ।

୨୦୧୮ ମେ ମାସରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ୟେଦ୍ଦି ଏବଂ ମାତ୍ର ୬ ଦିନ ଲାଗି କ୍ଷମତାରେ ରହିଥିଲେ । ଗତ ୨୬ ଜୁଲାଇ ୨୦୧୯ରେ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବେ ଠିକ୍ ୨ ବର୍ଷ ପରେ ତାଙ୍କୁ କ୍ଷମତା ଛାଡିବାକୁ ପ଼ଡିଛି । ୨୦୧୯ରେ ଏଚଡି କୁମାରସ୍ବାମୀ ସରକାର ଆସ୍ଥାଭୋଟରେ ପରାସ୍ତ ହେବା ପରେ ୟେଦିୟୁରାପ୍ପାଙ୍କୁ ମିଳିଥିଲା ସୁଯୋଗ ।

WhatsApp ବ୍ୟବହାର ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ, ନଚେତ ଆପଣଙ୍କୁ ହୋଇପାରେ ଜେଲ୍

ନୂଆଦିଲ୍ଲୀ: କୋଟି କୋଟି ଭାରତୀୟ WhatsApp ବ୍ୟବହାର କରନ୍ତି । ଏହି ମେସେଜିଂ ଆପ ବର୍ତ୍ତମାନ ଆମ ସମସ୍ତଙ୍କ ଜୀବନଶୈଳୀର ଏକ ଅଂଶ ପାଲଟିଯାଇଛି। ଅଫିସ୍ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ ସମସ୍ତଙ୍କ ପାଇଁ WhatsAppର ମହତ୍ୱ ଅତ୍ୟନ୍ତ ଗୁରୁତ୍ୱ । କିନ୍ତୁ ଏହି ଆପରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅନେକ ଲୋକ ଜାଣନ୍ତି ନାହିଁ। ଏଥିରେ ଗୋଟିଏ ଭୁଲ ଆପଣଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିବା ସହିତ ଆପଣଙ୍କୁ ଜେଲ ପଠାଇପାରେ । ନିକଟରେ WhatsApp ଭାରତରେ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ଜାଣନ୍ତୁ କେଉଁ କାରଣରୁ WhatsApp ଆପଣ ଆକାଉଣ୍ଟ ନିଷିଦ୍ଧ ହୋଇପାରେ।

ଏହିପରି WhatsApp ଆକାଉଣ୍ଟକୁ ନିଷେଧ କରାଯାଇଛି

ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବରେ WhatsApp ଆକାଉଣ୍ଟଗୁଡିକ ନିଷେଧ କରାଯାଏ । ସ୍ଥାୟୀ ଅର୍ଥ ହେଉଛି ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ନିଷିଦ୍ଧ ହେବ ଏବଂ ଅସ୍ଥାୟୀ ଅର୍ଥ ହେଉଛି ସମୀକ୍ଷା ପରେ ଆପଣଙ୍କ ଆକାଉଣ୍ଟକୁ ପୁନଃଆରମ୍ଭ ହୋଇଯାଏ ।

ଅନାବଶ୍ୟକ କିମ୍ବା ସ୍ପାମ୍ ମେସେଜ ପଠାନ୍ତୁ ନାହିଁ

ପ୍ରାୟତଃ ଦେଖାଯାଏ ଯେ, ଲୋକମାନେ ହଜାର ହଜାର ସ୍ପାମ୍ ମେସେଜ୍ ପଠାନ୍ତି । ଯଦି କେହି ସ୍ପାମ୍ ମେସେଜ୍ ପଠାନ୍ତି ଏବଂ ଏହା ରିପୋର୍ଟ କରାଯାଏ, ତେବେ ଠିକ୍ ସମୟରେ ସେମାନଙ୍କ ନମ୍ବର ଟ୍ରାକ୍ କରାଯାଇ WhatsApp ଆକାଉଣ୍ଟକୁ ନିଷେଧ କରାଯାଇପାରେ। ଏଥି ସହିତ, ଯଦି ଆପଣ WhatsApp ଜରିଆରେ କାହାକୁ ପର୍ଣ୍ଣ ବିଷୟବସ୍ତୁ ପଠାନ୍ତି, ତେବେ ସେହି ଆକାଉଣ୍ଟ ତୁରନ୍ତ ବ୍ଲକ୍ ହୋଇଯିବ। ଯଦି ଜଣେ ଉପଭୋକ୍ତା ଚାଇଲ୍ଡ ପର୍ଣ୍ଣ ବିଷୟବସ୍ତୁ ପଠାନ୍ତି, ତେବେ ସେ ଜେଲ ମଧ୍ୟ ଯାଇପାରନ୍ତି।

ଥାର୍ଡ ପାର୍ଟି ଆପ୍ ବ୍ୟବହାର କରନ୍ତୁ ନାହିଁ

ଯଦି ଆପଣ WhatsAppରେ ତୃତୀୟ ପକ୍ଷ ବା ଥାର୍ଡ ପାର୍ଟି ଆପ୍ ବ୍ୟବହାର କରନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ବନ୍ଦ କରନ୍ତୁ । କାରଣ ଏଥିରୁ ଆପଣଙ୍କ ଆକାଉଣ୍ଟକୁ ନିଷେଧ କରାଯାଇପାରେ । ଆପ୍ ଷ୍ଟୋର୍‌ରେ ଅନେକ ତୃତୀୟ ପକ୍ଷ ଆପ୍ ଅଛି। ଏଗୁଡିକ ବ୍ୟବହାରକାରୀଙ୍କ ଗୋପନୀୟତାକୁ ବିପଦରେ ପକାଇଥାଏ । WhatsApp ଏହା ମଧ୍ୟ କହିଛି ଯେ, ତୃତୀୟ ପକ୍ଷ  ଆପକୁ ପ୍ରତି ମାସରେ ସ୍କାନିଂ କରାଯାଏ । ଯଦି ଜଣେ ଉପଭୋକ୍ତା ବାରଣ କରାଯାଇ ଥିବା ତୃତୀୟ ପକ୍ଷ ଆପ୍ ବ୍ୟବହାର କରି ଧରା ପଡନ୍ତି ତେବେ ଅସ୍ଥାୟୀ ପ୍ରତିବନ୍ଧକ ଲାଗିପାରେ । କିନ୍ତୁ ସମୀକ୍ଷା ପରେ ଆପଣଙ୍କର ଆକାଉଣ୍ଟକୁ ପୁନର୍ବାର ସକ୍ରିୟ କରାଯାଇପାରିବ।

ହାଇଦରକୁ ଏନ୍‌କାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC

ଭୁବନେଶ୍ୱର: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଏନକାଉଣ୍ଟର ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି OHRC । ଗୃହ ବିଭାଗ, ପୋଲିସ ଡିଜି, ଜେଲ ଡିଜି, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି। । ଖସିଯିବାକୁ ଚେଷ୍ଟା କରିବାବେଳେ ଗତ ୨୪ ତାରିଖରେ ହାଇଦରକୁ ଏନ୍‌କାଉଣ୍ଟର କରିଥିଲା। ବାରିପଦା ଜେଲକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରିଥିଲା ସେକ ହାଇଦର। ପୋଲିସ କବଳରୁ ଖସି ଅନ୍ୟତ୍ର ପଳାଇଯିବାକୁ ମଧ୍ୟ ପ୍ରୟାସରତ କରୁଥିଲାବେଳେ ହାଇଦରକୁ ଏନକାଉଣ୍ଚର କରିଥିଲା ପୋଲିସ୍‌।

Tokyo Olympics 2020: ମାତ୍ର ୧୩ ବର୍ଷ ବୟସରେ ଅଲମ୍ପିକରେ ଇତିହାସ ରଚିଲେ ଜାପାନର ମୋମିଜୀ ନିଶିୟା

ଟୋକିଓ ଅଲମ୍ପିକ୍ ୨୦୨୦: ଅଲିମ୍ପିକ୍ସର ଚତୁର୍ଥ ଦିନରେ ବେଶ ଦମ୍ ଦେଖାଇଛନ୍ତି କିଶୋର ଖେଳାଳି । ତେବେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ୧୩ ବର୍ଷର ଦୁଇ କିଶୋରୀ ଖେଳାଳି । ପ୍ରତିଯୋଗିତା ଥିଲା ସ୍କେଟ୍ ବୋର୍ଡିଂ । ପଦକ ପାଇଁ ଚାଲିଥିଲା ଫାଇଟ୍ । ଯେଉଁଥିରେ ଜାପାନର ନିଶିଆ ମୋମୋଜି ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ରୌପ୍ୟ ପଦକ ହାସିଲ କରିଛନ୍ତି ବ୍ରାଜିଲର ରାଇସା ଲିଲ୍ ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ଉଭୟ ଖେଳାଳିଙ୍କ ବୟସ ମାତ୍ର ୧୩ ବର୍ଷ ଥିଲା । ମହିଳା ସ୍କେଟବୋର୍ଡିଂ ଇଭେଣ୍ଟରେ ଜାପାନର ୧୮ ବର୍ଷୀୟା ଫୁନା ନାକାୟାମା ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଏହି ତିନୋଟି ଖେଳାଳିଙ୍କ ପାଇଁ ଏହା ପ୍ରଥମ ଅଲିମ୍ପିକ୍ସ ଥିଲା । ଆଉ ଏହି ତିନି ଖେଳାଳିଙ୍କ ପ୍ରଥମ ପ୍ରଦର୍ଶନ ବି ଚମତ୍କାର ଥିଲା ।

ଆଉ ଦେଶ ପାଇଁ ପଦକ ଜିତି ଇତିହାସ ମଧ୍ୟ ସୃଷ୍ଟି କରିଥିଲେ ଏହି ତିନି କିଶୋରୀ । ସ୍କେଟ୍ ବୋର୍ଡିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଜାପାନର ନିଶିୟା ମୋମୋଜି ଖୁସିରେ ଆତ୍ମହରା ହୋଇପଡିଥିଲେ । କାନ୍ଦି କାନ୍ଦି ସେ କହିଥିଲେ ଏହି ସଫଳତା ମୋମୋଜି ପାଇଁ ବଡ ଥିଲା ।

କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ରାସ୍ତାରେ ଟ୍ରାକ୍ଟର ଚଲାଇଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ନୂଆ ଅବତାର। ଦିଲ୍ଲୀ ରାସ୍ତାରେ ଟ୍ରାକ୍ଟର ଚଲାଇଲେ ରାହୁଲ ଗାନ୍ଧି। କୃଷି ଆଇନ୍ ବିରୋଧରେ କଂଗ୍ରେସ ମୋର୍ଚ୍ଚା ଖୋଲିଥିବାବେଳେ ସଂସଦ ଅଧିବେଶନ ସମୟରେ ଟ୍ରାକ୍ଟର ଚଲାଇ ଲୋକସଭା ଆସିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହି ସମୟରେ ଟ୍ରାକ୍ଟର ଉପରେ ବସିଥିଲେ କଂଗ୍ରେସ ସାଂସଦ। ମୋଦି ସରକାର ନୂଆ କୃଷି ଆଇନ୍ ଆଣି ଚାଷୀକୂଳ ଉପରେ ଅତ୍ୟାଚାର କରିଛନ୍ତି। ଏଣୁ ସରକାର ଆଇନ୍ ପ୍ରତ୍ୟାହାର କରନ୍ତୁ। ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ହୋଇନି ସେ ପର୍ଯ୍ୟନ୍ତ କଂଗ୍ରେସ ପ୍ରତିବାଦ ଜାରି ରଖିବ। ସଂସଦ ବାହାରେ ଓ ସଂସଦ ଭିତରେ କଂଗ୍ରେସ ଚାଷୀଙ୍କ ପାଇଁ ସ୍ୱର ଉତ୍ତୋଳନ କରିବ ବୋଲି କହିଛନ୍ତି ରାହୁଲ ଗାନ୍ଧି।

ସେପଟେ ଚାଷୀମାନେ ଏବେ ଦିଲ୍ଲୀ ସୀମା ଛାଡି ଜନ୍ତରମନ୍ତରରେ କିଷାନ ସଂସଦ ଆରମ୍ଭ କରିଛନ୍ତି। ଆଜି ଏହି କିଷାନ ସଂସଦରେ ସାମିଲ ହୋଇଛନ୍ତି ୨୦୦ ମହିଳା ଚାଷୀ। କେନ୍ଦ୍ର ସରକାର କୃଷି ଆଇନ୍ ପ୍ରତ୍ୟାହାର କରୁ ନାହାଁନ୍ତି, କେବଳ ଚାଷୀମାନଙ୍କୁ ଭୁଆଁ ବୁଲାଉଛନ୍ତି। ଚାଷୀଙ୍କର ସମସ୍ତ ଦାବି ମାନିନେବା ପାଇଁ ଦାବି କରିଛନ୍ତି ଚାଷୀ ନେତା। କୃଷି ଆଇନ୍ ବିରୋଧରେ ଚାଷୀମାନେ ମୋର୍ଚ୍ଚା ଖୋଲିଥିବାବେଳେ ସଂସଦ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରୁଛନ୍ତି ବିରୋଧୀ।

କଂଗ୍ରେସ ବିଧାୟକଙ୍କ ବିସ୍ଫୋରକ ବୟାନ, ଝାଡଖଣ୍ଡର ହେମନ୍ତ ସୋରେନ ସରକାରକୁ ଭାଙ୍ଗିବାକୁ ଉଦ୍ୟମ

ଝାଡଖଣ୍ଡ: ଝାଡଖଣ୍ଡର ହେମନ୍ତ ସୋରେନ ସରକାରକୁ ଭାଙ୍ଗିବା ଲାଗି ହୋଇଥିଲା ବଡ଼ ଷଡଯନ୍ତ୍ର । ଜଣେ କଂଗ୍ରେସ ବିଧାୟକ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି ଜେଏମଏମ, କଂଗ୍ରେସ, ଆରେଜେଡି ମେଣ୍ଟ ସରକାରକୁ ଭାଙ୍ଗିବା ଲାଗି ତାଙ୍କୁ ୧ କୋଟି ଟଙ୍କା ଯଚା ଯାଇଥିଲା । ଏହା ସହ ନୂଆ ସରକାର ହେଲେ ତାଙ୍କୁ ମନ୍ତ୍ରୀପଦ ମିଳିବ ବୋଲି କୁହାଯାଇଥିଲା । ସରକାର ଭାଙ୍ଗିବା ଲାଗି କିଛି ଦିନ ତଳୁ ଉଦ୍ୟମ ହେଉଥିଲା ଏବଂ ୩ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ବାରମ୍ବାର ଅନୁରୋଧ କରିଥିଲେ ବୋଲି କହିଛନ୍ତି କୋଲେବିରା ଆସନର ବିଧାୟକ ନମନ ବିକ୍ସାଲ କୋଙ୍ଗାରି ।

ସେ କହିଛନ୍ତି ଏହି ୩ ବ୍ୟକ୍ତି ବିଭିନ୍ନ ଦଳୀୟ ସମର୍ଥକଙ୍କ ଜରିଆରେ ତାଙ୍କୁ ୬ ଥରରୁ ଅଧିକ ଥର ଅନୁରୋଧ କରିଥିଲେ ସରକାର ଭାଙ୍ଗିବା ଷଡଯନ୍ତ୍ରରେ ସାମିଲ ହେବା ଲାଗି । ଏହା ସହ ନାନା ଲୋଭନୀୟ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହି ୩ ବ୍ୟକ୍ତି ଥରେ ନଗଦ ୧ କୋଟି ଟଙ୍କା ଦେବାକୁ କହିବା ପରେ ସେ ଏନେଇ କଂଗ୍ରେସ ବିଧାୟକ ଦଳ ନେତା ଆଲମଗିର ଆଲାମ, ଝାଡଖଣ୍ଡ ଦାୟିତ୍ୱରେ ଥିବା ଦଳର ନେତା ଆରପିଏନ ସିଂହ ଓ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଅବଗତ କରାଇଥିଲେ ।

 

କୋଙ୍ଗାରି ଆହୁରି ଅଭିଯୋଗ କରିଛନ୍ତି ଏହି ୩ ବ୍ୟକ୍ତି ବିଜେପି ଲାଗି କାମ କରୁଥିଲେ ବୋଲି କହିଥିଲେ । ସରକାରକୁ ଭାଙ୍ଗିବା ଷଡଯନ୍ତ୍ରରେ ପୂର୍ବରୁ ଗିରଫ ହୋଇଥିଲେ ଅଭିଷେକ ଦୁବେ, ଅମିତ ସିଂ ଓ ନିବାରଣ ପ୍ରସାଦ ମହାତୋ । କଂଗ୍ରେସ ନେତା ତଥା ବେର୍ମୋ ବିଧାୟକ କୁମାର ଜୟମଙ୍ଗଳଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରିଥିଲା ।

ରାଜ୍ୟରେ ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ

ଭୁବନେଶ୍ୱର: ତୃତୀୟ ଲହର ଆସିବାର କୌଣସି ଲକ୍ଷଣ ନାହିଁ। କେବେ ଆସିବ କଣ ତାହାର ପ୍ରଭାବ ରହିବ ସେ ନେଇ ଅନୁମାନ ଲଗାଇବା ବି ସମ୍ଭବ ନୁହେଁ। ରାଜ୍ୟରେ ସଂକ୍ରମଣ କମିଛି। ତଥାପି ଆଗାମୀ ଦୁଇରୁ ତିନି ମାସ ସତର୍କ ରହିବାକୁ ପଡ଼ିବ। କୋଭିଡ ନିୟମ, ମାକ୍ସ ପିନ୍ଧିବା, ସାମାଜିକ ଦୂରତା, ଇଣ୍ଡୋର ଗ୍ୟାଦେରିଙ୍ଗକୁ ରୋକିବାକୁ ପଡିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ଟ୍ରେଣ୍ଡ ୧୬ଶହରୁ ୨ହଜାର ଭିତରେ ରହୁଛି। ଏହି ଟ୍ରେଣ୍ଡ ଅନ୍ୟ ଦେଶରେ ବି ଦେଖାଯାଇଛି। କିଛି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଥିଲେ ବି ପୂର୍ବ ଅପେକ୍ଷା ବହୁତ କମିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ବିଭିନ୍ନ ନିୟମ ଗୁଡିକ ଦର୍ଶାଉଛି ପାଣ୍ଡେମିକ ସମୟରେ ଚିକିତ୍ସାକୁ ପ୍ରାଥମିକତା ଦେବା ଦରକାର। ବିଭିନ୍ନ ଦିଗକୁ ଅଵଲୋକନ କରିବା ପରେ ଅନଲକ ସମ୍ପର୍କରେ ନିସ୍ପ ନିଆଯିବ। ସଂକ୍ରମଣ ହାର, ରୋଗୀଙ୍କ ସଂଖ୍ୟା ଏବଂ ଲୋକମାନଙ୍କର କୋଭିଡ ଗାଇଡ଼ ଲାଇନ ଅନୁପାଳକୁ ଦେଖି ଅନଲକ୍ ନିଷ୍ପତ୍ତି ନିଆଯିବ ବୋଲି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି।

ଲଘୁଚାପ ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁ ଜିଲ୍ଲା କାଚିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଧିରେ ଧିରେ ଘନୀଭୂତ ହୋଇ ଆସନ୍ତା ୨୮ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ରାଜ୍ୟର ଉପାନ୍ତରୁ ଉପକୂଳ ସବୁ ଜିଲ୍ଲାରେ ବର୍ଷା ହେବ। ବିଶେଷ କରି ଆଭ୍ୟନ୍ତରିଣ ଏବଂ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ପ୍ରଭାବରେ ରାଜ୍ୟରେ ୨୭ରୁ ୨୯ ତାରିଖ ମଧ୍ୟରେ ବର୍ଷାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏପଟେ ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଲଘୁଚାପ ପ୍ରଭାବରେ ୨୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଉପକୂଳ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ। କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ୨୮ ଓ ୨୯ ତାରିଖ ଆଡ଼କୁ ରାଜ୍ୟର ସବୁ ଜିଲ୍ଲାରେ ବର୍ଷା ହେବ। ଏଥିସହ ୨୮ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ରାଜ୍ୟରେ ୧ ଜୁନ୍‌ରୁ ୨୫ ଜୁଲାଇ ମଧ୍ୟରେ ୩୯୭.୯ ମିମି ବର୍ଷା ହୋଇଛି।

ଇସ୍ତଫା ଦେବା ନେଇ ସ୍ପଷ୍ଟ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା, କହିଲେ ‘ମୁଁ ସବୁବେଳେ ଅଗ୍ନିପରୀକ୍ଷା ଦେଇଆସୁଛି’

କର୍ଣ୍ଣାଟକ: ଇସ୍ତଫା ଦେବେ ୟେଦିୟୁରପ୍ପା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ କିଛି ସମୟ ମଧ୍ୟରେ ଇସ୍ତଫା ଦେବେ ବିଏସ୍‌ ୟେଦିୟୁରପ୍ପା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିବେ ୟେଦୁ । ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନେଇ ୟେଦିୟୁରପ୍ପାଙ୍କ ଘୋଷଣା । ମୁଖ୍ୟମନ୍ତ୍ରୀ ଭାବେ ୪ର୍ଥ ପାଳିରେ ୟେଦୁଙ୍କ ୨ବର୍ଷ ଆଜି ପୂରଣ ହୋଇଛି । ତାଙ୍କର ଇସ୍ତଫା ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ।

ହାଇକମାଣ୍ଡଙ୍କ ଔପଚାରିକ ଘୋଷଣା ପରେ ନୂଆ ନାଁ ଘୋଷଣା ହେବ । ରାଜ୍ୟରେ ପ୍ରାଶାସନିକ ସ୍ତରରେ ଦୁର୍ନୀତି, ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଅ ବିଜୟେନ୍ଦ୍ରଙ୍କ ହସ୍ତକ୍ଷେପ ନେଇ ବେଶ ବିବାଦକୁ ଆସିଥିଲେ ୟେଦି । ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ରାଜ୍ୟ ଖଣିମନ୍ତ୍ରୀ ମୁରୁଗେସ ନିରାନି, ଅରବିନ୍ଦ ବେଲାଡ, ବାସବରାଜ ବୋମାଇ, ଅଶ୍ୱଥ ନାରାୟଣ, ସି.ଟି. ରବି, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବି.ଏଲ.ସନ୍ତୋଷ ପ୍ରମୁଖ ।

ପୂରଣ ହେଲା ପୁରୀବାସୀଙ୍କ ସ୍ୱପ୍ନ, ଟ୍ୟାପ୍‌ ଯୋଗେ ମିଳିଲା ବିଶୁଦ୍ଧ ପାନୀୟ ଜଳ

ପୁରୀ: ପୁରୀକୁ ଟ୍ୟାପ୍‌ ଯୋଗେ ମିଳିଲା ବିଶୁଦ୍ଧ ପାନୀୟ ଜଳ। ପ୍ରତ୍ୟେକ ପରିବାରକୁ ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ଉଚ୍ଚ ମାନର ବିଶୁଦ୍ଧ ପାନୀୟ ଜଳ ମିଳିବାରେ ଦେଶର ପ୍ରଥମ ସହର ହେଲା ପୁରୀ। ଆଜି ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ପୁରୀ ନୁହେଁ, ଓଡ଼ିଶା ବିକାଶରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ଏବେ ପୁରୀ ସହରର ସମସ୍ତଙ୍କୁ ମିଳିବ ସ୍ୱଚ୍ଛ ପିଇବା ପାଣି। ପୁରୀବାସୀଙ୍କୁ ଘରେ ଏବେ ଫିଲଟର ରଖିବା ଦରକାର ନାହିଁ, ଟ୍ୟାପରୁ ମିଳିବ ସ୍ୱଚ୍ଛ ପାଣି। ସାରା ଦେଶରେ ଏହି ଯୋଜନା ପ୍ରଥମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଲଣ୍ଡନ, ଲସ୍‌ ଏଞ୍ଜେଲସ୍‌ ଓ ସିଙ୍ଗାପୁର ଭଳି ସହରାଞ୍ଚଳରେ ସାମିଲ ହେଲା ପୁରୀ। ଏହି ଯୋଜନା ପରେ ଏବେ ପୁରୀରେ ପର୍ଯ୍ୟଟକ ଆଉ ପାଣି ବୋତଲ ଧରି ବୁଲିବେ ନାହିଁ। ସହରର ପ୍ରତି ସ୍ଥାନରେ ପାଣି ଟ୍ୟାପର ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ମିଶନ ଶକ୍ତିର ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ପ୍ରଥମେ ଜୟ ଜଗନ୍ନାଥ କହି ଉଦବୋଧନ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ।  ମିଶନ ଶକ୍ତିର ମା’ମାନେ ଜଳସାଥୀ ହୋଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଶ୍ରୀକ୍ଷେତ୍ର ଯୋଜନା ଆଗେଇ ଚାଲିଛି। କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ୫-T ସଚିବ ଭିକେ ପାଣ୍ଡିଆନ। ବିସ୍ତୃତ ବିବରଣୀ ରଖିଥିଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ପୁରୀକୁ ବିଶ୍ୱସ୍ତରୀୟ ସହର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ମିଶନ ଏକ ଯୁଗାନ୍ତକାରୀ ପ୍ରକଳ୍ପ।

ଏହି ଯୁଗାନ୍ତକାରୀ ପଦକ୍ଷେପ ଫଳରେ ପୁରୀ ସହରର ଅଢେଇ ଲକ୍ଷ ବାସିନ୍ଦା ୨୪ ଘଣ୍ଟା ଟ୍ୟାପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବେ। ଏହି ଯୋଜନାରେ ଭାରତର ଆଧ୍ୟାତ୍ମିକ ରାଜଧାନୀକୁ ଆସୁଥିବା ବାର୍ଷିକ ୨ କୋଟି ପର୍ଯ୍ୟଟକ ମଧ୍ୟ ଉପକୃତ ହେବେ। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ପୁରୀ ସହର ଆମେରିକା ଲଣ୍ଡନ, ସିଙ୍ଗାପୁର ସହର ସହ ସମକକ୍ଷ ହୋଇପାରିଛି। ଏପରି ସଫଳତା ହାସଲ କ୍ଷେତ୍ରରେ ପୁରୀ ସାରା ଦେଶରେ ହେଉଛି ପ୍ରଥମ ସହର। ଏହି ଯୋଜନା ପରେ ପୁରୀ ସହରରେ ବାର୍ଷିକ ୪୦୦ ମେଟ୍ରିକ ଟନ୍‌ର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ହ୍ରାସ ହୋଇପାରିବ। ରାଜ୍ୟ ସରକାରଙ୍କ ୫-T ଯୋଜନା ଅଧୀନରେ ୧୬ଟି ସହରର ୪୦ ଲକ୍ଷ ବାସିନ୍ଦାଙ୍କ ପାଇଁ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଯୋଜନାର କାର୍ଯ୍ୟାରମ୍ଭ ହେଉଛି।