‘ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି: ଆତଙ୍କବାଦୀ ଆକ୍ରମଣ ହୋଇନାହିଁ, ୫ଜିଲ୍ଲା ହୋଇଛି ମାଓବାଦୀ ମୁକ୍ତ’

ଭୁବନେଶ୍ୱର: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି । କମିଛି ମାଓ ଉପଦ୍ରବ । ଛାତ୍ର ଅସନ୍ତୋଷ ବି ନାହିଁ । ଆଇନଶୃଙ୍ଖଳା ରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ବିଧାନସଭାରେ ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି । ରେଡ୍‌ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୧ ଦଶମିକ ୬ ପ୍ରତିଶତକୁ ବଢ଼ିଛି । ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି ଏହା ଦର୍ଶାଉଥିବା ଶାସକ ଦଳ କହିଛି ।

ନିୟନ୍ତ୍ରଣରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି । ହୋଇନାହିଁ ଆତଙ୍କବାଦୀ ଆକ୍ରମଣ । ୫ ଜିଲ୍ଲା ହୋଇଛି ମାଓମୁକ୍ତ । ବ୍ରାଉନସୁଗାର ଓ ଗଞ୍ଜେଇ ଜବତରେ ମିଳିଛି ବଡ଼ ସଫଳତା । ୨୦୨୧ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି । ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ସଫଳତାର ସହ କରାଯାଇଛି ମୁକାବିଲା । ରେଡ୍‌ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୧.୬ ପ୍ରତିଶତକୁ ବୃଦ୍ଧି ପାଇଛି । ଚଳିତବର୍ଷ ୫ ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଓ ସମ୍ବଲପୁର ମାଓମୁକ୍ତ ହୋଇଛି ।

ପୋଲିସ କାର୍ଯ୍ୟାନୁଷ୍ଠାନରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୧୫ ଜଣ ଆତ୍ମସମର୍ପଣ କରିଛନ୍ତି । ୨୦୨୦ରେ ୩୪.୩୨ ଓ ୨୦୨୧ରେ ୨୧.୬୦ କିଲୋ ବାଉନସୁଗାର ଜବତ କରାଯାଇଛି । ୨୦୨୦ରେ ୧୫୪୯ କ୍ୱିଣ୍ଟାଲ ଓ ୨୦୨୧ରେ ୮୦୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୨୦୨୦ରେ ୧୯୩୧ ଓ ୨୦୨୧ରେ ୯୬୧ଟି ସାଇବର ମାମଲା ରୁଜୁ ହୋଇଥିଲା । ୫୧୭ଜଣଙ୍କୁ ଗିରଫ କରାଯାଇଛି । ମାହାଙ୍ଗା ଡବଲ ମର୍ଡର, ଗୁରୁଜୀ ମାନସ ଦାସ ପରି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବିଧାନସଭାରେ ବିରୋଧୀଙ୍କ ମୁଲତବି ପ୍ରସ୍ତାବ ଆଲୋଚନାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି ।

କେବଳ ଏତିକି ନୁହେଁ, ଅପରାଧ ଓ ଜରୁରୀ ସମୟରେ ସେବା ଯୋଗାଇ ଦେବାକୁ ଭୁବନେଶ୍ୱରରେ କମାଣ୍ଡ ସେଣ୍ଟର ପ୍ରତିଷ୍ଠା ହୋଇଛି । ୧୧୨ ନମ୍ବର ଦ୍ୱାରା ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ, ମହିଳା ଓ ଶିଶୁ ସହାୟତା ଦିଆଯାଇଛି । ଏଥିଲାଗି ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ପାଇଛନ୍ତି। ଆଇନଶୃଙ୍ଖଳା ନେଇ ତଥ୍ୟ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିବା ପରେ ବି ବିରୋଧୀ ସନ୍ତୁଷ୍ଟ ନୁହନ୍ତି । କୋଭିଡ୍‌ ନିୟମ ଅନୁସାରେ ଶାନ୍ତି ଶୃଙ୍ଖଳାରେ ପୂଜା ଓ ପର୍ବ ପର୍ବାଣୀ ପାଳନ ହୋଇଛି । କୋଭିଡ୍‌ ପରିସ୍ଥିତିକୁ ସଫଳତାର ସହ ମୁବାବିଲା କରିଛି ପୋଲିସ । ଏଥିଲାଗି କାର୍ଯ୍ୟରତ ସମୟରେ ୬୨ ଜଣ ପୋଲିସ ସହିଦ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ବିଧାନସଭାରେ ଭାରତୀୟ ହକି ଟିମ୍ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ

Leave a Reply