spot_img
Home Blog Page 5303

କାବୁଲରେ ବନ୍ଧା ପଡ଼ିଛନ୍ତି ଝିଅ ଜ୍ୱାଇଁ ନାତି ନାତୁଣୀ, ସମ୍ବଲପୁରରେ ଝୁରୁଛି ମାଆର ମନ

ସମ୍ବଲପୁର: ଆଫଗାନିସ୍ତାନରେ ଆତଙ୍କରାଜ। ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନ ୧୪ଶହ ବର୍ଷ ପୁରୁଣା ଯୁଗକୁ ଫେରି ଯାଇଛି। ଯେଉଁଠି ଆରମ୍ଭ ହେଲାଣି ଶାରିଆ ଶାସନ। ବୁର୍ଖା ଭିତରୁ ଦୁନିଆକୁ ଦେଖିବେ ଝିଅ। ଘରୁ ବାହାରିବା ମନା। ଘର ଛାଡନ୍ତୁ ବାଲକୋନି କି ଝରକା ବି ଝିଅଙ୍କ ପାଇଁ ମାନ। ସେମାନଙ୍କ ଦୁନିଆ ଏବେ ଚାରି କାନ୍ଥ ଭିତରେ ବନ୍ଦ। ଏସବୁ ଭିତରେ ଆଫଗାନିସ୍ତାନରେ ଫସିଥିବା ଓଡ଼ିଶାର ଜଣେ ଝିଅକୁ ନେଇ ତା’ ପରିବାର ଆଶଙ୍କା ଭିତରେ ଜିଉଁଛି।

ଓଡ଼ିଶାରେ ବାପ ଘର କାବୁଲରେ ଶାଶୁ ଘର। ସମ୍ବଲପୁରର ଝିଅ ଏବେ ତାଲିବାନୀଙ୍କ କବଳରେ ଥିବା କାବୁଲରେ। ଝିଅ ଯାଇଛି ଯେ ଯାଇଛି ଆଉ ଘରକୁ ଫେରିନି। ଶେଷ ଥର ପାଇଁ ଝିଅକୁ ବିବାହ ବେଦିରେ ଦେଖିଥିଲେ ବାପା ମାଆ। ଆଉ ଏବେ ଝିଅକୁ ଦେଖିବାକୁ ଚାହିଁକି ବି ଦେଖିପାରୁ ନାହାନ୍ତି ପରିବାର ଲୋକେ। ଦୀର୍ଘ ୧୪ ବର୍ଷ ହେବ ଝିଅକୁ ଦେଖିନି ମାଆ। ଦୁଇ ମାସ ହେବ ଝିଅ ସହ ସମ୍ପର୍କ ହୋଇ ପାରୁନି। ବର୍ତ୍ତମାନ ଆଫଗାନ ପରିସ୍ଥିତି ଠିକ ନଥିବାରୁ ସମ୍ବଲପୁରରେ ଥାଇ ଚିନ୍ତାରେ ପଡିଛି ମାଆର ମନ।

ସମ୍ବଲପୁରର ଜୁହୁରା ବେଗମ ଝୁରୁଛନ୍ତି ଝିଅକୁ। ଝିଅ ସକିଲା ବେଗମ କେମିତି ଅଛି ? ଜ୍ୱାଇ ଓ ନାତି ନାତୁଣୀ କେମିତି ଅଛନ୍ତି ? ଏହି ସବୁ ଚିନ୍ତାରେ ଘାଣ୍ଟିହେଉଛନ୍ତି ଜୁହୁରା। ୧୪ ବର୍ଷ ହେଲା ଝିଅ ବିଦା ହେବା ପରେ ସମ୍ବଲପୁରକୁ ଆଉ ଫେରିନି। ଫୋନରେ କଥା ହେବାରେ ସମ୍ପର୍କ ତିଷ୍ଟିଥିଲା। ଏବେ କିନ୍ତୁ ଦୁଇ ମାସ ହେଲା ଫୋନରେ ବି ହୋଇ ପାରୁନି ସମ୍ପର୍କ। ତାଲିବାନ ପୁରା ଦେଶକୁ ନିଜ କବଜାକୁ ନେଇ ସେଠାରେ ନିଜ ମର୍ଜିର ଶାସନ କରୁଥିବା ବେଳେ ଝିଅର ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି ଜୁହୁରା।

୧୪ ବର୍ଷ ତଳେ ଆଫଗାନୀ ଯୁବକ ଆତଉଲ୍ଲା ଖାନଙ୍କ ପ୍ରେମରେ ପଡିଥିଲେ ସକିଲା। ପ୍ରେମ ପାଇଁ ଅତାଉଲ୍ଲାଙ୍କ ହାତ ଧରି ସେ ନିଜ ଦେଶ ଛାଡିଥିଲେ। ସମ୍ବଲପୁରରୁ କାବୁଲ ଯିବାକୁ ୧୪ ବର୍ଷ ବିତିଗଲାଣି। ଏହା ଭିତରେ ଥରୁଟିଏ ବି ନିଜ ସହର କି ନିଜ ମା’ ପାଖକୁ ଫେରି ନାହାନ୍ତି ସକିଲ। ଫୋନରେ ଦି’ ପଦ କଥା ହେଇ ମା’ ଝିଅ ଭଲରେ ଅଛି ବୋଲି ଜାଣୁଥିଲେ। କିନ୍ତୁ ତାଲିବାନର ଆଫଗାନିସ୍ତାନ ଦଖଲ ପରେ ସବୁ କିଛି ବବଦଳି ଯାଇଛି। ଏବେ ଆଶା ଓ ଆଶଙ୍କା ଭିତରେ ବଂଚିବାକୁ ବାଧ୍ୟ ଜୁହୁରା।

ସମାଲୋଚନା ପରେ କିଛି ଏଭଳି ସଫେଇ ଦେଲେ ଅସରଫ ଘନି…

ଦୁବାଇ: ଆଫଗାନିସ୍ତାନକୁ କବଜା କରିଛି ତାଲିବାନ । ଏଭଳି ସମୟରେ ଚାରିଆଡୁ ସମାଲୋଚନା ପରେ ଫେସବୁକରେ ସଫେଇ ଦେଇଛନ୍ତି ଆଫଗାନିସ୍ତାନ ପୂର୍ବତନ ରାଷ୍ଟ୍ରପତି ଅସରଫ ଘନି। ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସେ ଆଲୋଚନା ଜାରି ରଖିଛନ୍ତି ବୋଲି କହିଛନ୍ତି।

ଦେଶ ଛାଡ଼ି ପଳାୟନ କରିବା ପରେ ପ୍ରଥମଥର ଲାଗି ମିଡିଆରେ ବୟାନ ରଖିଛନ୍ତି ଘନି। ପରିବାର ସହ ଏବେ ସେ ଆବୁଧାବୀରେ ଅବସ୍ଥାନ କରୁଛନ୍ତି। ସେଠାରୁ ଆଫଗାନ ବାସିନ୍ଦାଙ୍କୁ ଭିଡ଼ିଓ ବାର୍ତ୍ତା ଦେଇ ଘନି କହିଛନ୍ତି ଯେ ଦେଶ ଛାଡ଼ି ପଳାୟନ କରିବା ଉଦ୍ଦେଶ୍ୟ ନଥିଲା, ରକ୍ତପାତ ରୋକିବା ଲାଗି ସେ ଦେଶ ଛାଡ଼ି ପଳାୟନ କରିଛନ୍ତି।

ଆଫଗାନିସ୍ତାନର ସର୍ବଭୌମତ୍ୱ ବଜାୟ ରଖିବା ଲାଗି ମୁଁ ସଂଗ୍ରାମ ଜାରି ରଖିବି ବୋଲି ଘନି ତାଙ୍କ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି। ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରି ନ୍ୟାୟ ପାଇଁ ଲଢ଼େଇ କରିବାକୁ ସେ ପରାମର୍ଶ ଜାରି ରଖିଛନ୍ତି ବୋଲି କହିଛନ୍ତି । ଏହାସହ ଆଫଗାନରେ ନୂଆ ସରକାର ଗଢ଼ିବା ଲାଗି ତାଲିବାନ ଓ ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇଙ୍କ ମଧ୍ୟରେ ଚାଲିଥିବା ଆଲୋଚନାକୁ ସେ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି।

ଅନ୍ୟପଟେ ବିପୁଳ ଟଙ୍କା ନେଇ ଦେଶରୁ ପଳାୟନ କରିଥିବା ନେଇ ତାଙ୍କ ନାଁରେ ହେଉଥିବା ଚର୍ଚ୍ଚା ମିଥ୍ୟା ବୋଲି ଘନି କହିଛନ୍ତି । ଘନିଙ୍କ ଫେସବୁକ୍‌ ପେଜରେ ଏହି ଲାଇଭ ଭିଡିଓ ବାର୍ତ୍ତା ପ୍ରସାରିତ ହୋଇଥିଲା।

 

କେବେ ଫେରିବେ କାବୁଲରେ ଫସିଥିବା ଦୁଇ ହଜାର ଭାରତୀୟ?

କାବୁଲ: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ଭାରତ ଆଗରେ ବହୁ ସମସ୍ୟା ମୁଣ୍ଡଟେକି ଠିଆ ହୋଇଛି । ସେଥିରେ ସବୁଠୁ ବଡ଼ ସମସ୍ୟା ହେଉଛି ଭାରତୀୟଙ୍କୁ କିଭଳି ପ୍ରତ୍ୟାବର୍ତ୍ତନ କରାଯିବ। ଭାରତୀୟ ଦୂତାବାସ ସହ ସମ୍ପର୍କ କରିଥିବା ଲୋକମାନଙ୍କୁ ଫେରାଇ ଅଣା ଯାଇଥିବା ବେଳେ ଆହୁରି ଅନେକ ସେଠାରେ ଫସି ରହିଛନ୍ତି । ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ବାୟୁସେନା ବିମାନ ପ୍ରସ୍ତୁତ ରହିଥିବା ବେଳେ ଏବେ ଖାଲି କ୍ଲିୟରାନ୍ସକୁ ଅପେକ୍ଷା।

ସୂଚନା ଅନୁଯାୟୀ, ବର୍ତ୍ତମାନ କାବୁଲରେ ଦୁଇ ହଜାରରୁ ଅଧିକ ଭାରତୀୟ ଫସି ରହିଥିବା ବେଳେ ସେମାନଙ୍କୁ ଫେରାଇ ଆଣିବା ଲାଗି ସରକାର କାମ କରୁଛନ୍ତି । ହେଲେ କାବୁଲ ଏୟାରପୋର୍ଟରେ ଲ୍ୟାଣ୍ଡିଂ କ୍ଲିୟରାନ୍ସକୁ ଅପେକ୍ଷା କରାଯାଇଛି ।

ବାୟୁସେନା ବିମାନରେ ଏଯାଏଁ ୧୮୦ ନାଗରିକଙ୍କୁ ଅଣାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଦୂତାବାସ କର୍ମଚାରୀ ରହିଛନ୍ତି । କାବୁଲରେ ଭାରତୀୟ ଦୂତାବାସ ଏବେବି କାମ କରୁଛି । ଯେଉଁ ଭାରତୀୟ ମାନେ ଆଫଗାନିସ୍ତାନରେ ଫସି ରହିଛନ୍ତି ସେମାନେ ଦୂତାବାସ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ତାଲିବାନ କବଜା କରିଥିବା ବେଳେ କାବୁଲ ଏୟାରପୋର୍ଟରେ କଡା ବଳୟରେ ରହିଛି। ଯାହା ଫଳରେ ଏୟାରପୋର୍ଟରେ ପହଞ୍ଚିବା ଏତେଟା ସହଜ ନୁହେଁ । ଅପରପକ୍ଷେ କାବୁଲ ଏୟାରପୋର୍ଟରେ ଆମେରିକା ଓ ନାଟୋ ଫୋର୍ସ ସେଫ୍ ପେସେଜରେ ମୁତୟନ ରହିଛନ୍ତି । ଭାରତୀୟ ବିମାନକୁ ଅନୁମତି ମିଳିବା ପରେ ସଙ୍ଗେସଙ୍ଗେ ଉଦ୍ଧାର  କାର୍ଯ୍ୟ କରାଯିବ ।

ତେବେ ସୁରକ୍ଷାକୁ ନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ କମିଟିର ଏକ ବୈଠକ ହୋଇଥିଲା ।

ଭାରତ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କଲା ତାଲିବାନ

କାବୁଲ: ତାଲିବାନ ଅକ୍ତିଆରକୁ ଆଫଗାନିସ୍ତାନ ଯିବା ପରେ ଭାରତ ସହ ସମସ୍ତ ପ୍ରକାର ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିଛି । ରବିବାର ଠାରୁ ଭାରତ ଓ ଆଫଗାନ ମଧ୍ୟରେ ସମସ୍ତ ପ୍ରକାରର ଆମଦାନୀ-ରପ୍ତାନୀ ଉପରେ ରୋକ ଲାଗିଛି । ତାଲିବାନ, ଭାରତ ସହ ସମସ୍ତ ପ୍ରକାର ଆମଦାନୀ, ରପ୍ତାନୀରେ ରୋକ ଲଗାଇଛି ବୋଲି ଫେଡେରେସନ ଅଫ୍ ଇଣ୍ଡିଆ ଏକ୍ସପୋର୍ଟ ଅର୍ଗାନାଇଜେସନର ଡକ୍ଟର ଅଜୟ ସହାୟ ଏହି ସୂଚନା ଦେଇଛନ୍ତି।

ପାକିସ୍ତାନ ଦେଇ ଭାରତ-ଆଫଗାନିସ୍ତାନ ମଧ୍ୟରେ ଆମଦାନୀ, ରପ୍ତାନୀ ହୋଇଥାଏ । ହେଲେ ଏବେ ତାଲିବାନ ପାକିସ୍ତାନର ଟ୍ରାଞ୍ଜିଟ ରୁଟ୍‌ ଦେଇ ଚଳାଚଳ କରୁଥିବା କାରଗୋ ଉପରେ ରୋକ ଲାଗାଇଛି। ଯାହାଫଳରେ ଆମଦାନୀ-ରପ୍ତାନୀ ଉପରେ ବାଧା ସୃଷ୍ଟି ହୋଇଛି। ତାଲିବାନର ସମସ୍ତ ସ୍ଥିତି ଉପରେ ଭାରତ ନଜର ରଖିଛି ବୋଲି ଡକ୍ଟର ସହାୟ କହିଛନ୍ତି।

୨୦୨୧ରେ ଆଫଗାନିସ୍ତାନକୁ ୮୩୫ ନିୟୁତ ଡଲାର ପରିମାଣର ସାମଗ୍ରୀ ରପ୍ତାନୀ ହେବା ଲକ୍ଷ୍ୟ ଥିଲା । ତେବେ ପରିବହନ ବନ୍ଦ ହୋଇଯିବା ଯୋଗୁ ଭାରତ ବ୍ୟାପକ କ୍ଷତିର ସାମ୍ନା କରିବ ବୋଲି ସୂଚନା ମିଳିଛି। ଭାରତରୁ ଆଫଗାନକୁ ଚିନି, ଔଷଧ, ବିଭିନ୍ନ ପ୍ରକାରର କପଡ଼ା, ଚା’, କଫି, ମସଲା ଆଦି ରପ୍ତାନୀ ହୋଇଥାଏ।

ଅଧିକ ପଢନ୍ତୁ- ଭାରତର ତାଲିବାନ ନୀତିକୁ ନେଇ କ’ଣ କହିଲେ ବୈଦେଶିକ ମନ୍ତ୍ରୀ, ଜାଣନ୍ତୁ

ସେହିପରି ଭାରତ ବିଶେଷକରି ଡ୍ରାଏ ଫ୍ରୁଟ ପାଇଁ ଆଫଗାନିସ୍ତାନ ଉପରେ ନିର୍ଭର କରେ। ପିଆଜ ଓ ବିଭିନ୍ନ ପ୍ରକାରର ଚକଲେଟ ମଧ୍ୟ ଆଫଗାନରୁ ଆମଦାନୀ ହୋଇଥାଏ। ତାଲିବାନ ଆଫଗାନକୁ କବଜା କରିବା ପରେ ଏସବୁ ଠପ ହୋଇଯାଇଛି।

ସାଂସଦ ଭର୍ତ୍ତୃହରି ମହତାବଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ସାଂସଦ ଭର୍ତ୍ତୃହରି ମହତାବଙ୍କ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ। ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ ଏହି ଅଭିଯୋଗ କରିଛନ୍ତି। ଶ୍ୱଶୂର ଭର୍ତ୍ତୃହରି ମହତାବ, ସ୍ୱାମୀ ଲୋକରଂଜନ ମହତାବ ଓ ଶାଶୂ ମହାଶ୍ୱେତା ମହତାବଙ୍କ ବିରୋଧରେ ଅଭିଯୋଗ ହୋଇଛି। ବୋହୂ ସାକ୍ଷୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ୨୦୧୬ ଡିସେମ୍ବରରେ ଲୋକରଞ୍ଜନଙ୍କର ବାହାଘର ମଧ୍ୟପ୍ରଦେଶ ଭୋପାଳର ସାକ୍ଷୀଙ୍କ ସହ ସଂପନ୍ନ ହୋଇଥିଲା।

ସାକ୍ଷୀ ଅଭିଯୋଗ କରିଛନ୍ତି ଯେ ବିବାହରେ ତାଙ୍କ ବାପା ଅଢ଼େଇ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ। ବାହାଘର କିଛି ଦିନ ପରେ ସ୍ୱାମୀ ଲୋକରଞ୍ଜନ ଓ ଶାଶୂ ଶ୍ୱଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ।

ଏହା ପରେ ସାକ୍ଷୀ ତାଙ୍କ ବାପଘର ଭୋପାଳକୁ ଚାଲି ଯାଇଥିଲେ। ମାମଲା କୋର୍ଟରେ ପହଞ୍ଚିଥିଲା। ପତ୍ନୀ ସାକ୍ଷୀଙ୍କୁ ସାଙ୍ଗରେ ରଖିବାକୁ ସେତେବେଳେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତି ସ୍ୱାମୀ ଓ ଶାଶୂଘର ଲୋକ ତାଙ୍କୁ ଘରେ ରଖିବାକୁ ରାଜି ହୋଇ ନଥିଲେ।

୨୦୧୮ରେ ସାକ୍ଷୀ ଦିଲ୍ଲୀ ଚାଲି ଯାଇଥିଲେ। କିନ୍ତୁ ଶାଶୂ ମହାଶ୍ୱେତା ମହତାବ ଓ ଶ୍ୱଶୁର ଭର୍ତ୍ତୃହରି ମହତାବ ତାଙ୍କୁ ରଖାଇ ଦେଇ ନଥିଲେ। ତାପରେ ସାକ୍ଷୀ ପୁଣି ଭୋପାଳ ଚାଲି ଯାଇଥିଲେ। ଶାଶୂଘର ଲୋକ ବଦଳି ଯିବେ ବୋଲି ବେଶ୍ କିଛି ଦିନ ଅପେକ୍ଷା କରିବା ପରେ ଶେଷରେ ସାକ୍ଷୀ ଭୋପାଳ ମହିଳା ଥାନାର ଆଶ୍ରୟ ନେଇଛନ୍ତି।

ରାୟଗଡ଼ାରେ ହାତୀ ଆତଙ୍କ, ନଷ୍ଟ କଲେ ୧୦ ଏକରରୁ ଅଧିକ ଚାଷ ଜମି

ରାୟଗଡା: ଚାଷ ଜମିରେ ପଶିଗଲେ ହାତୀପଲ। ରାୟଗଡା ଜିଲ୍ଲା ପଦ୍ମପୁର୍ ବ୍ଲକ଼୍ ନୁଆଗଡ ପଞ୍ଚାୟତ ହସ୍ତିନାପୁର ଗ୍ରାମରେ ଜଙ୍ଗଲି ହାତୀ ଉପଦ୍ରବ। ରାତ୍ରି ସମୟରେ ଏହି ହାତୀପଲ ଆସି ଚାଷ ଜମିରେ ପଶି ତଳି ନଷ୍ଟ କରିବା ସହ କଦଳୀ ଗଛ ଗୁଡିକୁ ଭାଙ୍ଗୀ ଦେଉଛନ୍ତି। ପାଖାପାଖି ୧୦ ଏକର ରୁ ଉର୍ଦ୍ଧ୍ୱ ଚାଷ ଜମିରେ ହାତୀ ଫସଲ ନଷ୍ଟ କରିଥିବା ଚାଷୀ ଅଭିଯୋଗ କରିଛନ୍ତି। ୧୦ ଦିନ ତଳେ ବଣୁଆ ହାତୀ ଧାନ ତଳି ସବୁ ଖାଇ ନଷ୍ଟ କରିଥିଲା। ବନ ବିଭାଗ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣ ପ୍ରତିବାଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଚାଷି ପରିବାର। ଏନେଇ ବନ ବିଭାଗ ପାଖରେ ଚାଷି ଅଭିଯୋଗ କରିଥିବା କହିଛନ୍ତି ।

୩୦ ବର୍ଷ ହେବ ପାଲଟିଛନ୍ତି ମଶାଣି ବନ୍ଧୁ, ରଙ୍ଗ ବେରଙ୍କର ଫୁଲରେ ମଶାଣି ପାଲଟିଛି ବଗିଚା

କଟକ: ଆପଣ ସଚ୍ଚି ରାଉତଙ୍କ ସୁପ୍ରସିଦ୍ଧ ଗଳ୍ପ ମଶାଣିର ଫୁଲ ନିଶ୍ଚୟ ପଢିଥିବେ। ହେଲେ ଆମେ ଆଜି ଯେଉଁ ମଶାଣି କଥା ଆପଣଙ୍କୁ କହୁଛୁ, ଏହା ତାହାଠୁ ଟିକେ ଭିନ୍ନ। କାହିଁକି ନା ଏହା ଗଳ୍ପ ନୁହେଁ, ବାସ୍ତବ ଘଟଣା। ମଣିଷ ସାଜିଛି ମଶାଣି ବନ୍ଧୁ। ସାଧାରଣତଃ କାହାର ମୃତ୍ୟୁ ନହେଲେ କେହି ମଶାଣି ଯାଆନ୍ତି ନାହିଁ। ହେଲେ ଏଠି ମଶାଣିକୁ ପ୍ରତିଦିନ ଯାଆନ୍ତି ଜଣେ ବ୍ୟକ୍ତି। ରଙ୍ଗବେରଙ୍ଗର ଫୁଲ ସହ ବଗିଚାରେ ପରିଣିତ ହୋଇଛି ମଶାଣି। କଟକ ଜିଲ୍ଲା ସାଲେପୁର ବ୍ଲକ୍ ପିକୋଳ ପଞ୍ଚାୟତ ସାଇଗୋଡ଼ା ଗାଁର ପଦ୍ମନାଭ ସାହୁ। ହଜାରେରୁ ଉର୍ଦ୍ଧ୍ୱ ଶବ ଦାହ କରିସାରିଲେଣି। ମଶାଣିର ଶବଦାହ ଘରକୁ ସଜାଇବା ସହ ଚାରିପାଖରେ ବଗିଚା ସୃଷ୍ଟି କରିଛନ୍ତି। ରାତି ପାହିଲେ ଲୋକ ମନ୍ଦିରକୁ ଯାଉଥିବା ବେଳେ ପଦ୍ମନାଭ କିନ୍ତୁ ମଶାଣିକୁ ଯାନ୍ତି। ଆଜିକୁ ତିରିଶ ବର୍ଷ ଧରି ଏହି ଶ୍ମଶାନକୁ ସାଥୀ ଭାବି ଏଠାରେ ସମୟ କାଟନ୍ତି ପଦ୍ମନାଭ। ରାଜମିସ୍ତ୍ରି ଭାବେ କାର୍ଯ୍ୟକରି ପରିବାର ପ୍ରତି ପୋଷଣ କରିଥାନ୍ତି  ପଦ୍ମନାଭ ସହୁ। କର୍ମମୟ ଜୀବନ ଭିତରେ ମଶାଣିରେ ତାଙ୍କର ଅବଶିଷ୍ଟ ସମୟ କଟିବା ପାଲଟିଛି ଏକ ସଉକ। ନିଜର ଅନ୍ତରଙ୍ଗ ବନ୍ଧୁଙ୍କର ମୃତ୍ୟୁ ପରେ ମଶାଣୀର ସାଥୀ ପାଲଟିଛନ୍ତି ପଦ୍ମନାଭ।

ଫୋନ୍‌ରେ ପ୍ରପୋଜ୍‌ ପରେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଚପଲରେ ସେକିଲେ ମହିଳା

ବାଲେଶ୍ୱର: ମହଙ୍ଗା ପଡିଲା ଫେସବୁକ୍ ପ୍ରେମ। ମହିଳାଙ୍କୁ ଫୋନ୍‌ରେ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ଚପଲ ମାଡ଼ ଖାଇଲେ ଯୁବକ। ଏହି ଭିଡିଓ ଭାଇରାଲ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ୧୬ନଂବର ଜାତୀୟ ରାଜପଥ ଖନ୍ତାପଡା ଥାନା ଶେରଗଡ଼ ନିକଟରେ। ଜଣେ ଯୁବକକୁ ଜଣେ ମହିଳା ଗୋଡାଇ ଗୋଡାଇ ଚପଲରେ ପିଟୁଥିବା ଦେଖିବାକୁ ମିଳିଛି। ଖଇରା ବ୍ଲକ୍ ତୁଡିଗଡିଆ ଅଞ୍ଚଳର ଚିତ୍ତ ପାଢ଼ୀ ନାମକ ଜଣେ ଯୁବକ ଫେସ୍ ବୁକ୍‌ରୁ ନମ୍ବର ପାଇ ଶେରଗଡ ଅଞ୍ଚଳର ଜଣେ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲା।

ମହିଳାଙ୍କ ବାରଣ ସତ୍ୱେ ଯୁବକ ଜଣକ ବିଭିନ୍ନ ସମୟରେ ଫୋନ କରି ଅଶ୍ଳୀଳ କଥା କହୁଥିଲେ। ମହିଳା ଜଣକ ଯୁବକଙ୍କୁ ପାନେ ଦେବା ପାଇଁ ଫୋନ୍‌ କରି ଶେରଗଡ ଟୋଲ୍ ଗେଟ୍ ନିକଟକୁ ଡାକିଥିଲେ। ଯୁବକ ଜଣଙ୍କ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳା ଜଣକ ୧୬ନମ୍ବର ଜାତୀୟ ରାଜପଥ କଡରେ ଚପଲରେ ନିସ୍ତୁକ ପିଟିଥିଲେ। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି।

ଭାରତର ତାଲିବାନ ନୀତିକୁ ନେଇ କ’ଣ କହିଲେ ବୈଦେଶିକ ମନ୍ତ୍ରୀ, ଜାଣନ୍ତୁ

କାବୁଲ: ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତିନୋଟି ଦେଶ ଏହାକୁ ସମର୍ଥନ ଦେଇଛନ୍ତି। ଏହି ତିନି ଦେଶ ମଧ୍ୟରେ ଅଛନ୍ତି ଋଷ,ଚୀନ ଓ ପାକିସ୍ତାନ। ଚୀନ୍ ତାଲିବାନକୁ ମାନ୍ୟତା ଦେଇଥିବା ପ୍ରଥମ ଦେଶ ହୋଇଛି। ଏହା ମଧ୍ୟରେ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି ଯେ, ଭାରତ କ’ଣ ତାଲିବାନକୁ ମାନ୍ୟତା ଦେବ। ଏହି ପ୍ରସଙ୍ଗ ଉପରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଭାରତର ପକ୍ଷ ସ୍ପଷ୍ଟ କରିଛନ୍ତି। ଭାରତ ୱେଟ୍ ଆଣ୍ଡ୍ ୱାଚ୍ (ଅପେକ୍ଷା କର ଓ ଦେଖ) ସ୍ଥିତିରେ ଅଛି ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଏବେ ଆଫଗାନିସ୍ତାନରେ ସ୍ଥିତି ଅତ୍ୟନ୍ତ ଅସ୍ଥିର ଅଛି। ଆମେ ଏବେ ସ୍ଥିତି ଉପରେ ନଜର ରଖିଛୁ। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଆଣିବା।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ, ଆଫଗାନିସ୍ତାନ ସହିତ ଭାରତର ସମ୍ପର୍କ ଐତିହାସିକ ଓ ଏହା ନିରନ୍ତର। ଆଗାମୀ ଦିନରେ ଆଫଗାନିସ୍ତାନ ପ୍ରତି ଆମର ଆଭିମୁଖ୍ୟକୁ ଏହା ନିର୍ଦ୍ଧାରିତ କରିବ। ବର୍ତ୍ତମାନ ଆମର ପ୍ରାଥମିକତା ହେଉଛି ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା। ତାଲିବାନ ଓ ଏହାର ପ୍ରତିନିଧି କାବୁଲରେ ଅଛନ୍ତି ଓ ଆମକୁ ସେମାନଙ୍କ ସହିତ ଆଲୋଚନା କରିବାକୁ ପଡିବ।

ଜୟଶଙ୍କର ଜାତିସଂଘରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଆଫଗାନିସ୍ତାନର ସ୍ଥିତି ଏଠାରେ ମୋର ଆଲୋଚନାର ମୁଖ୍ୟ ବିଶୟବସ୍ତୁ। ଜାତିସଂଘ ମହାସଚିବ ଓ ଅନ୍ୟ ସହଯୋଗୀଙ୍କ ସହିତ ଆମେରିକାର ବୈଦେଶିକ ସଚିବଙ୍କ ସହିତ ଏହି ପ୍ରସଙ୍ଗରେ ମୋର ଆଲୋଚନା ହୋଇଛି।

ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର: କରୋନା ନେଲା ଆଉଜଣେ ନେତାଙ୍କ ଜୀବନ। ଯୁବ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ କରୋନାରେ ହେଲା ଦେହାନ୍ତ। ସଂଗ୍ରାମ ଅନେକ ଦିନରୁ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିଲେ। ତେବେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହେଇଛି। ମୃତ୍ୟୁ ସମୟରେ ସଂଗ୍ରାମଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ହାଇଦ୍ରାବାଦର କିମ୍ସ ହସପିଟାଲରେ ଚିକିତ୍ସାଧୀନ ଥିଲେ ସଂଗ୍ରାମ ଜେନା। ସଂଗ୍ରାମଙ୍କ ଦେହାନ୍ତରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ ସଂଗ୍ରାମଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ଶୋକ ବ୍ୟକ୍ତ କରିଛନ୍ତି।  ସଂଗ୍ରାମଙ୍କ ନିକରେ ଜନ୍ମଦିନ ଯାଇଥିଲା।

ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏବେ ବି ଭୟ ଲାଗି ରହିଛି। କାରଣ କରୋନାର ରୂପ କେତେଯେ ଭୟଙ୍କର ଯିଏ ଅଙ୍ଗେ ନିଭେଇଛି ସେହିଁ ଜାଣିଛି। କରୋନା ଧନୀ ଗରିବ କିଛି ବାଛ ବିଚାର କରେନାହିଁ। କରୋନାରେ ଯାଇଛି ଅନେକ ରାଜନେତା ଏବଂ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କର ଜୀବନ।