spot_img
Home Blog Page 5265

ଲେବଲ କ୍ରସିଂ ପାର ବେଳେ ଅଘଟଣ, ଟ୍ରେନ ଧକ୍କାରେ ୩ ମୃତ୍ୟୁ

ବ୍ରହ୍ମପୁର: ହଳଦିଆପଦର ଗାଁରେ ଲେବଲ କ୍ରସିଂରେ ଘଟିଛି ଅଘଟଣ । ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା  ।  ବିଶାଖା ଟାଟାନଗର ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅନ୍ୟ ୫ ଜଣ । ଗତକାଲି ରାତି ୧୧ଟାରେ ୮ ଜଣ ନିଜର କିଛି ଜିନିଷ ଧରି ଟ୍ରେନ ଟ୍ରାକ୍‌ରେ ଯାଉଥିବା ବେଳେ ପଛପଟୁ ଆସୁଥିବା ବିଶାଖା ଟାଟା ନଗର ଟ୍ରେନ ଧକ୍କା ଦେଇଥିଲା ।

ଅପରପାର୍ଶ୍ୱରୁ ଟ୍ରେନ ଆସୁଥିବାବେଳେ ଭୁଲ ବସତଃ ଲେବଲ କ୍ରଂସି ପାର ହେଉଥିଲେ ଏହି  ଶ୍ରମିକମାନେ  । ଯାହା ଫଳରେ ଟ୍ରେନଟି ଧକ୍କା ଦେଇଥିଲା  । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ସମସ୍ତେ ଶ୍ରମିକ ଶ୍ରେଣୀର ହୋଇଥିବା ଅନୁମାନ କରୁଛି ପୋଲିସ  ।

 

ଖଣ୍ଡଗିରିରେ ଛୁରୀ ଭୁସି ହତ୍ୟା, ସାମାନ୍ୟ କଳକହରୁ ଯୁବକଙ୍କୁ ମର୍ଡର

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କୁ ଛୁରୀରେ ଭୁସି ହତ୍ୟା । ଖଣ୍ଡଗିରି ଥାନା ରଘୁନାଥ ନଗର ମନ୍ଦିର ନିକଟରେ ଘଟିଛି ହତ୍ୟାକାଣ୍ଡ । ବିଳମ୍ବିତ ରାତ୍ରିରେ ସାମାନ୍ୟ ବଚସାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ନିଶାସକ୍ତ ଅବସ୍ଥାରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମିଳିଥିବା ସୂଚନା ମୁତାବକ ମୃତକ ଜଣଙ୍କ ହେଉଛନ୍ତି ସନତାନ ରାଉତରାୟ ।

ଅଭିଯୋଗ ପରେ ପୋଲିସ  ଘଟଣାରେ ୬ ଜଣକୁ  ଗିରଫ କରିଥିବା ବେଳେ, ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଖଣ୍ଡଗିର ପୋଲିସ ଘଟଣାର ତଦନ୍ତ କରୁଛି । କାହିଁକି ଓ କେଉଁ କାରଣରୁ ଯୁବକ ଜଣଙ୍କୁ ଅଭିଯୁକ୍ତମାନେ ହତ୍ୟା କଲେ ତାହାର କାରଣ ଖୋଜୁଛି ପୋଲିସ  । ସେପଟେ ଏହି ହତ୍ୟା ଘଟଣାରେ ଆଉ କେଉଁ ମାନଙ୍କର ହାତ ରହିଛି ତଦନ୍ତ ଚଳାଇଛି ଖଣ୍ଡଗିରି ପୋଲିସ  ।

ରେଲୱେ ହାଇସ୍କୁଲ ନିକଟରେ ଯୁଵକକୁ ଗୁଳିମାଡ଼, କାରଣ ଅସ୍ପଷ୍ଟ

ରାଉରକେଲା: ବନ୍ଧମୁଣ୍ଡା ରେଲୱେ ହାଇସ୍କୁଲ ନିକଟରେ ଯୁଵକକୁ ଗୁଳିମାଡ଼ । ଯୁବକଙ୍କ ଆଣ୍ଠୁରେ ଵାଜିଛି ଗୁଳି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି । ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଆହତ ଯୁଵକ ଏସ ଚିରଞ୍ଜିବୀ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ସ୍ଥାନାନ୍ତର କରାଯାଇଛି । ବନ୍ଧମୁଣ୍ଡା ଥାନା ପୋଲିସ ପଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗୁଳିମାଡ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ହଟହଟା ହେଲେ ପରୀକ୍ଷାର୍ଥୀ, ଆଡମିଟ କାର୍ଡରେ ଥିବା ଠିକଣାରେ ନାହିଁ କେନ୍ଦ୍ର

ବଲାଙ୍ଗୀର: ଆଡମିଟ୍ କାର୍ଡରେ ଭୁଲ ଠିକଣାକୁ ନେଇ ହଟହଟା ଛାତ୍ରଛାତ୍ରୀ । ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ବିଳମ୍ବରେ ପରୀକ୍ଷା ଦେଲେ ୩୩ ପରୀକ୍ଷାର୍ଥୀ । ଆଜି ଆରଆଇ ପରୀକ୍ଷା ଦେବାକୁ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ମହିଳା ମହାବିଦ୍ୟାଳରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ । ହେଲେ କଲେଜରେ କୌଣସି ପରୀକ୍ଷା କେନ୍ଦ୍ର ନଥିବାରୁ ଦେଶି ଛାତ୍ରଛାତ୍ରୀ ନିରାଶ ହୋଇଥିଲେ ।

ଆଡମିଟ୍ କାର୍ଡରେ ସରକାରୀ ମହିଳା ମହାବିଦ୍ୟାଳୟ ବଦଳରେ ଟିଟିଲାଗଡ଼ ରୋଡ ଲେଖାଯାଇଥିବାରୁ କଲେଜ ଆସି ନିରାଶ ହୋଇଥିଲେ ଛାତ୍ରଛାତ୍ରୀ । ବଲାଙ୍ଗୀର, ସୁନ୍ଦରଗଡ଼, ନୂଆପଡାର ଅନେକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ । ହେଲେ ଭୁଲ ଠିକଣା ଯୋଗୁଁ ପରୀକ୍ଷା ଦେବା ନେଇ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ । ସକାଳ ୧୦ଟାରୁ ପ୍ରଥମ ସିଟିଂ ଓ ଅପରାହ୍ନ ୩ଟାରୁ ଦ୍ବିତୀୟ ସିଟିଂ ପରୀକ୍ଷା ଥିଲା ।

ଶେଷରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଓ ଥାନା ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଏକ ଘରୋଇ ସ୍କୁଲ ବସରେ ବଲାଙ୍ଗୀର ପଠାଇଥିଲେ । ତ୍ରୁଟି ପାଇଁ ପିଲାମାନେ ବିଳମ୍ବରେ ପରୀକ୍ଷା ଦେଇଥିବାବେଳେ ଏଥିପାଇଁ ପିଲାଙ୍କୁ ୩ ଘଣ୍ଟା ଅତିରିକ୍ତ ସମୟ ଦିଆଯାଇଥିଲା ।

ସମ୍ପତ୍ତିର ହିସାବ ଦେଇପାରୁ ନାହାଁନ୍ତି ସିଡିପିଓ କାର୍ଯ୍ୟାଳୟର ମହିଳା ସୁପରଭାଇଜର

ଭଦ୍ରକ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ମହିଳା ସୁପରଭାଇଜର । ମଲ୍ଲିଲତା ଦାସ ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଗତ 24 ତାରିଖ ଦିନ ତାଙ୍କ ଆରଡ଼ି ଛକ ସ୍ଥିତ ବାସଭବନରେ ଭିଜିଲାନ୍ସର 4 ଟି ଟିମ୍ ଚଢ଼ାଉ କରିଥିଲେ । ଚଢ଼ାଉବେଳେ 2 କୋଟି 63 ଲକ୍ଷ ଟଙ୍କାର ସମ୍ପତି ଜବତ ହୋଇଥିଲା ।

ମିଳିଥିବା ସୂଚନା ମୁତବାକ ସେମାନଙ୍କ ଆୟ ଠାରୁ 113 ପ୍ରତିଶତ ଅଧିକ ସମ୍ପତି । ଏହାର ହିସାବ ଦେଇ ନପାରିବାରୁ ତାଙ୍କୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ବିଚାରବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି । ସେପଟେ ଅନେକ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ ତାଙ୍କ ଘରେ ଚଢାଉ କରିଥିଲା  ।  ୨୪ ତାରିଖ ଦିନ ଆରଡ଼ିସ୍ଥିତ ବାସଭବନରେ ଭିଜିଲାନ୍ସର ୪ଟି ଟିମ ଏକକାଳୀନ ଚଢାଉ କରିଥିଲା  ।

 

ଦୁର୍ବୃତ୍ତଙ୍କ ଭୁଜାଲି ଆକ୍ରମଣରେ ଆଖି ବୁଜିଲେ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ

କଟକ: କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ଭୁଜାଲିରେ ଆକ୍ରମଣ । ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଲେ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥି । ତିନିରୁ ଚାରି ଜଣ ଦୁର୍ବୃତ୍ତ ସଙ୍ଘବଦ୍ଧ ଭାବେ ସୁଦର୍ଶନଙ୍କ ମୁଣ୍ଡ,ଡାହାଣ ହାତକୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା  ।

ତୁରନ୍ତ ତାଙ୍କୁ ଏସସିବି କାଜୁଆଲଟି ଅଣାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସୁଧ କାରବାରକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ରହିଛି । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି । ମୃତଦେହକୁ ଵ୍ୟଵଛେଦ ପାଇଁ ପଠା ଯାଇଛି ।

କାବୁଲ ଏୟାରପୋର୍ଟ ଉଡ଼ାଇବାକୁ ଚାହୁଁଥିଲା ଆତ୍ମଘାତୀ ବିସ୍ଫୋରଣକାରୀ, ଏୟାରଷ୍ଟ୍ରାଇକ କଲା ଆମେରିକା: ତାଲିବାନ

କାବୁଲ: ଆଫଗାନିସ୍ତାନର କାବୁଲ ଏୟାରପୋର୍ଟ ନିକଟ ଜନବସତି ଅଞ୍ଚଳରେ ରବିବାର ରକେଟ ମାଡ଼ ହୋଇଛି । ଏଥିରେ ଏକ ଛୁଆର ଜୀବନ ଯାଇଛି । ଆକ୍ରମଣର କିଛି ଘଣ୍ଟା ଭିତରେ ଆମେରିକା ଏହି ଏୟାରଷ୍ଟ୍ରାଇକ କରିଥିବା ତାଲିବାନ ଦାବି କରିଛି । ତାଲିବାନ କହିଛି, ଆମେରିକା ଆକାଶ ମାର୍ଗରୁ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ୍ କରିଛି । ଯିଏ କି ଆମେରିକା ସେନା ପ୍ରତ୍ୟାହାର ବେଳେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିବାକୁ ଚାହୁଁଥିଲା ।

ରିପୋର୍ଟ ଅନୁସାରେ, କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ରକେଟ୍ ମାଡ଼ ଓ ଏୟାରଷ୍ଟ୍ରାଇକ ଭିନ୍ନ ଅଟେ । ଆମେରିକା ଏୟାରଷ୍ଟ୍ରାଇକ କରି ଆତ୍ମଘାତୀ ବିସ୍ଫୋରଣକାରୀକୁ ଟାର୍ଗେଟ୍ କରିଥିଲା । ଅନ୍ୟପଟେ କାବୁଲ ଏୟାରପୋର୍ଟ ନିକଟରେ ହୋଇଥିବା ରକେଟ୍ ମାଡ଼ରେ ଏକ ଛୁଆର ମୃତ୍ୟୁ ହୋଇଛି । କାବୁଲ ଏୟାରପୋର୍ଟରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଆମେରିକା ଏହି ଆକ୍ରମଣ କରିଛି । ୩୧ ଅଗଷ୍ଟ ସୁଦ୍ଧା ଅଭିଯାନ ସରିବାକୁ ଥିବାବେଳେ ଏବେ ସୁଦ୍ଧା ୧ ଲକ୍ଷରୁ ଅଧିକ ଲୋକଙ୍କୁ ଆଫଗାନିସ୍ତାନରୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଏହା ପୂର୍ବରୁ ଗୁରୁବାର କାବୁଲ ଏୟାରପୋର୍ଟ ନିକଟରେ ଲଗାତାର ୨ଟି ବିସ୍ଫୋରଣ ହୋଇଥିଲା । ଯାହାପରେ ଦୁନିଆ ଚିନ୍ତାରେ ପଡ଼ି ଯାଇଥିଲା । ଏଥିରେ ୧୬୯ ଜଣ ଆଫଗାନିସ୍ତାନ ନାଗରିକ ପ୍ରାଣ ହରାଇଥିଲେ । ଆକ୍ରମଣରେ ଆମେରିକାର ୧୩ ଜଣ ସୈନ୍ୟଙ୍କ ଜୀବନ ଯାଇଥିଲା । ଏହାପରେ ଖୁବଶୀଘ୍ର ଆକ୍ରମଣର ପ୍ରତିଶୋଧ ନିଆଯିବ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ।

ଅନାଥଙ୍କ ସାହା ଆଶୀର୍ବାଦ, ୫ ହଜାରରୁ ଅଧିକ ଶିଶୁଙ୍କୁ ସହାୟତା ପ୍ରଦାନ

ଭୁବନେଶ୍ୱର: କୋଭିଡରେ ଅନାଥ ଶିଶୁଙ୍କୁ ଆପଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ୧୮ ବର୍ଷ ଯାଏ ଭତ୍ତା ଦେଉଛନ୍ତି । ଏପ୍ରିଲ ପହିଲାରୁ ୫ହଜାରରୁ ଅଧିକ ଅନାଥଙ୍କୁ ସହାୟତା ପ୍ରଦାନ ହୋଇ ସାରିଛି । ଯେଉଁଥିରେ ଉଭୟ ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ସମେତ ଜଣେ ଅଭିଭାବକଙ୍କୁ ହରାଇଥିବା ଶିଶୁ ବି ସାମିଲ ଅଛନ୍ତି ।

ଜୀବନ ନେଉଛି କୋଭିଡ, ଜୀବନ ଗଢୁଛନ୍ତି ରାଜ୍ୟ ସରକାର । କୋଭିଡ ଯୋଗୁଁ ଅନାଥ ଶିଶୁଙ୍କ ତାଲିକା ବଢିବାରେ ଲାଗିଛି । ଯେତିକି ଦୁଃଖଦାୟକ ସେମାନଙ୍କ ବାଲ୍ୟକାଳ, ସେତିକି ସମ୍ବେଦନଶୀଳ ରାଜ୍ୟ ସରକାର । ଏଯାଏ ଆଶୀର୍ବାଦ ଯୋଜାନାରେ ୫ ହଜାରରୁ ଅଧିକ ଅନାଥଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ପ୍ରଦାନ କରାଯାଉଛି । ଉଭୟ ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କୁ ୨୫୦୦ ଟଙ୍କା ଓ ଜଣଙ୍କୁ ହରାଇଥିଲେ ଆକାଉଣ୍ଟକୁ ଯାଉଛି ୧୫୦୦ ଟଙ୍କା ।

ସେହିପରି ଶିଶୁ ଯତ୍ନ ଅନୁଷ୍ଠାନରେ ଥିବା ଶିଶୁ ପାଉଛନ୍ତି ୧୦୦୦ ଟଙ୍କାର ସହାୟତା । ଏହାର କାର୍ଯ୍ୟକାରିତାନେଇ ପୁରୀ ଜିଲ୍ଲାରେ ସମୀକ୍ଷା କରିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । ୫୨୮ ଆବେଦନ ଭିତରୁ ୧୧୭ ସହାୟତା ପାଇଥିବାବେଳେ ଆହୁରି ୧୧୨ଙ୍କୁ ବି ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାଥଙ୍କର ନାଥ ସାଜିଛନ୍ତି । ଏଭଳି ଦୃରଦୃଷ୍ଟି ଯୋଜନା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।

ଗତବର୍ଷ ଠାରୁ ରାଜ୍ୟରେ କୋଭିଡ କାୟା ବିସ୍ତାର କରିଛି । ସେ ସମୟରୁ ଅନାଥ ହୋଇଥିବା ଶିଶୁଙ୍କୁ ସାମିଲ କରିବାକୁ ଶିଶୁ ଯତ୍ନ ଅନୁଷ୍ଠାନ ନିବେଦନ କରିଛି । ଅନାଥ ଶିଶୁଙ୍କ ପାଠପଢା ପାଇଁ ଗ୍ରୀନ ପ୍ୟାସେଜ ଯୋଜନା କରାଯାଇଛି । ଏଥିସହ ମଧୁବାବୁ ପେନସନ୍ ଯୋଜନାରୁ ସହାୟତା ମିଳୁଛି ।

କିଛିଦିନ ତଳେ ଆଫଗାନ ସିଙ୍ଗରଙ୍କୁ ଚା’ ପିଆଇଥିଲେ ତାଲିବାନୀ, ଏବେ କଲେ ହତ୍ୟା

କାବୁଲ: କଥାରୁ ହଟୁଛି ତାଲିବାନ । ଆଫଗାନିସ୍ତାନ କବଜା ପରେ ତାଲିବାନ ନାଗରିକଙ୍କ ସୁରକ୍ଷା ନେଇ କଥା ଦେଇଥିଲା । ହେଲେ ଏବେ ନିଜେ ତାଲିବାନ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଉଛି । ମହିଳାଙ୍କ ଉପରେ ଅତ୍ୟାଚାର ପରେ ଜଣେ ସିଙ୍ଗରଙ୍କୁ ହତ୍ୟା କରିଛି ତାଲିବାନ । କାବୁଲଠାରୁ ୧୦୦ କିଲୋମିଟର ଦୂର ବଗଲାନ ପ୍ରଦେଶର ଅନ୍ଦ୍ରାବରେ ଜଣେ ଗାୟକ ଫବାଦ ଅନ୍ଦ୍ରାବୀଙ୍କୁ ତାଲିବାନ ଗୁଳି କରି ହତ୍ୟା କରିଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଗୁଳି ମାରିବା ପୂର୍ବରୁ ଗାୟକ ଜଣଙ୍କୁ ତାଲିବାନ ଘରୁ ଘୋଷାଡ଼ି ଆଣିଥିଲା । ପରେ ହତ୍ୟା କରିଛନ୍ତି । ଏହି ହତ୍ୟାକାଣ୍ଡ ନେଇ ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ମସୁଦ ଅନ୍ଦ୍ରାବୀ ସ୍ପଷ୍ଟ କରିଛନ୍ତି ।

ଫବାଦଙ୍କ ପରିବାର ଅନୁସାରେ, କିଛିଦିନ ତଳେ ତାଲିବାନୀ ଆସି ତାଙ୍କ ଘରେ ସର୍ଚ୍ଚ କରିଥିଲେ । ସେତେବେଳେ ତାଲିବାନୀ ଘରେ ଚା’ ପିଇବା ସହ କାହାକୁ ବି କ୍ଷତି ପହଞ୍ଚାଇବେ ନାହିଁ ବୋଲି ଭରସା ଦେଇଥିଲେ । ଏହା ପୂର୍ବରୁ ବି ତାଲିବାନ ସେଠାରେ ଆଉ ଜଣେ କଳାକାରଙ୍କୁ ଆକ୍ରମଣ କରିଥିଲା ।

ଦରକାର ହେଲେ ଆଉ କାହା ମାଟିରୁ ବି କରିବୁ ଆକ୍ରମଣ, ପାକିସ୍ତାନକୁ ଭାରତର ଚେତାବନୀ

ନୂଆଦିଲ୍ଲୀ: ନା ନେଇ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ଗୋଟିଏ ଦେଶ ଆତଙ୍କବାଦୀଙ୍କ ସାହାରା ନେଉଛି । କିନ୍ତୁ ଭାରତ ନିଜର ସୁରକ୍ଷା ସହ ସାଲିସ୍ କରିବ ନାହିଁ । ଦରକାର ପଡ଼ିଲେ ତାଙ୍କ ଭୂମି ଉପରେ ଯାଇ ଆତଙ୍କବାଦକୁ ଶେଷ କରି ଦେବୁ । ତାମିଲନାଡ଼ୁର ୱେଲିଂଟନ ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜନାଥ ।

ରାଜନାଥ ସିଂହ କହିଛନ୍ତି, ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସଫଳ ହୋଇଛି ତ ତାହା ଆମ ଶକ୍ତି ଯୋଗୁଁ । ୨୦୧୬ରେ ପାକିସ୍ତାନର କ୍ରସ ବର୍ଡର ଷ୍ଟ୍ରାଇକର ଆମେ ଦୃଢ଼ ଜବାବ ଦେଇଥିଲୁ । ୨୦୧୯ରେ ବାଲାକୋଟ ଏୟାରଷ୍ଟ୍ରାଇକ ଦ୍ୱାରା ଆକ୍ରାମଣାତ୍ମକ ମନୋଭାବ ମଜଭୁତ ହୋଇଥିଲା ।

ଭାରତରେ ଆତଙ୍କବାଦକୁ ତ ନିପାତ କରାଯିବ । ଏପରିକି ଅନ୍ୟ କେଉଁ ଦେଶକୁ ଯାଇ ଆତଙ୍କବାଦକୁ ଦମନ କରିବାକୁ ହେଲେ ଭାରତ ପଛଘୁଞ୍ଚା ଦେବ ନାହିଁ । ଆମେ ପାଖେ ଏମିତି କ୍ଷମତା ଅଛି ଆମେ ଆମ ଭୂଇଁ ହେଉ ଅବା ତାଙ୍କ ମାଟି ସେଠୁ ଲଢ଼େଇ କରି ପାରିବୁ ।