spot_img
Home Blog Page 494

ଘର କିଣିଥିବା ବ୍ୟକ୍ତିଙ୍କୁ ଅକ୍ୟୁପାନ୍ସି ଓ କମ୍ପ୍ଲିସନ ସାର୍ଟିଫିକେଟ ଦେବାକୁ ବାଧ୍ୟ

ଭୁବନେଶ୍ୱର : ଆପାର୍ଟମେଣ୍ଟରେ ଅକ୍ୟୁପାନ୍ସି ସାର୍ଟିଫିକେଟ ଗୁରୁତ୍ବ ବୁଝିଲେ ସରକାର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନଗର ଉନ୍ନୟନ ବିଭାଗ ଆଣିଛି ବିସ୍ତୃତ ଗାଇଡଲାଇନ। ବିଭାଗ ପକ୍ଷରୁ ଜାରି ହୋଇଛି ଗୁରୁତ୍ବପୂର୍ଣ୍ଣ ବିଜ୍ଞପ୍ତି। ଏହାକୁ ଆକ୍ଟିଭିଷ୍ଟ, ଆଇନଜୀବୀ ସମସ୍ତେ ସ୍ବାଗତ କରିଛନ୍ତି। ଓସି ପାଇଁ ଅଣ୍ଡରଟେକିଂ ନଦେଲେ ବିଲଡରଙ୍କୁ ମିଳିବନି ପ୍ଲାନ ଅନୁମୋଦନ। ଓସି ନଥିଲେ ମିଳିବନି ପାଣି, ବିଜୁଳି, ସ୍ବେରେଜ ସଂଯୋଗ। ଓସି ନଥିଲେ ଘରକୁ ଗ୍ୟାରେଣ୍ଟି ଭାବେ ରଖିପାରିବନି ବ୍ୟାଙ୍କ। ପ୍ରକଳ୍ପ ସ୍ଥଳରେ ବିଲଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅନୁମୋଦିତ ପ୍ଲାନ୍ର ବୋର୍ଡ ଲଗାଇବେ । ଏସବୁ ପରେ ଯଦି ପରବର୍ତ୍ତୀ ଅବସ୍ଥାରେ ପ୍ଲାନ ମୁତାବକ ଆବାସିକ ବିଲଡିଂ ନିର୍ମାଣରେ କିଛିଟା ତ୍ରୁଟି ଥିବା ପରିଲକ୍ଷିତ ହୁଏ, ତାହେଲେ ସ୍ଥାନୀୟ ପ୍ରଶାସନ ଓ ବିଲଡରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀର୍ଘଦିନର ଲଢେଇ ପରେ ଓସି ଓ ସିସି ନେଇ ବିଭାଗର ବିଜ୍ଞପ୍ତି ବାହାରିଛି ।

କୌଣସି ବି କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଅବୈଧ କୋଠାରେ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ପାଇଁ ଟ୍ରେଡ ଲାଇସେନ୍ସ ପ୍ରଦାନ କରିବେ ନାହିଁ । କଲେ ସମ୍ପୃକ୍ତ ପ୍ରଶାସନ ଆଇନ ଅନୁୟାୟୀ ଦାୟୀ ରହିବେ । ଯେଉଁଠି ବି କୋଠା ନିର୍ମାଣ କରାଯିବ ସେଠାକାର ସ୍ଥାନୀୟ ପରିବେଶ, ଜୋନାଲ ପ୍ଲାନ ଓ ସର୍ବସାଧାରଣଙ୍କ ସ୍ବାର୍ଥକୁ ବିଚାରକୁ ନିଆଯାଇ ପ୍ଲାନ୍ ଅନୁମୋଦନ କରାଯିବ । ନିୟମ ବହିର୍ଭୁତ ନିର୍ମାଣ ନେଇ ଯଦି ଗୋଟିଏ ସରକାରୀ ବିଭାଗ ଅନ୍ୟ ବିଭାଗର ସହଯୋଗ ଲୋଡ଼େ ତାହେଲେ ସେ କ୍ଷେତ୍ରରେ ବିଭାଗ ମଧ୍ୟରେ ତୁରନ୍ତ ସମନ୍ବୟ ରକ୍ଷା କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଳମ୍ବରେ ହେଲେ ମଧ୍ୟ ଅକ୍ଯୁପାନ୍ସି ସାର୍ଟିଫିକେଟ ଓ କମ୍ପ୍ଲିସନ ସାର୍ଟିଫିକେଟ ନେଇ ବିଭାଗ ସ୍ପଷ୍ଟତା ଆଣିଥିବାରୁ ଆଇନଜୀବୀ ଏହାକୁ ସ୍ବାଗତ କରିଛନ୍ତି। ଓସି ଓ ସିସିକୁ ନେଇ ଓଡ଼ିଶାରେ ଅନେକ ଦିନ ଧରି ଦ୍ଵନ୍ଦ୍ବ ଲାଗିରହିଥିଲା। ୨୦୧୭ ପୂର୍ବରୁ ରେରା ଆଇନ ଆସିବା ପୂର୍ବରୁ ହୋଇଥିବା ପ୍ରକଳ୍ପର ଆଇନଗତ ଦିଗକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ସିସି ଓ ଓସି ପାଇଁ ରାଜ୍ୟ ସରକାର ଆଣିଥିବା ବିଜ୍ଞପ୍ତି ଏବେ ବି ହାଇକୋର୍ଟରେ ବିଚାରାଧୀନ ରହିଛି। ନଗର ଉନ୍ନୟନ ବିଭାଗର ବିଜ୍ଞପ୍ତି ପରେ ଏହା ଉପରେ ସ୍ପଷ୍ଟତା ଆସିବା ସହ ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟିବାର ଆଶା କରାଯାଉଛି।

ରାଜ୍ୟରେ ଜାରି ରହିଛି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ସସପେନ୍ସ

ଭୁବନେଶ୍ବର : ବିଜେପିରେ ଛିଡୁନି ଅଙ୍କ, ହୋଇପାରୁନି ନିଷ୍ପତ୍ତି। ଯାହାକୁ ନେଇ ଓଡ଼ିଶାରୁ ଦିଲ୍ଲୀ ଯାଏ ଜାରି ରହିଛି କସରତ । ନାନା ଚର୍ଚ୍ଚା ଓ ସସପେନ୍ସ ଭିତରେ ବିଳମ୍ବ ହୋଇଛି ବିଜେପିର ନିଗମ ବଣ୍ଟନ ଓ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଗସ୍ତ କରୁଥିବା ବେଳେ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ନିଗମ ବଣ୍ଟନ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଖୋଦ ବିଜେପି ବିଧାୟକ। ଦଳୀୟ ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ କହିବା କଥା, ବିଳମ୍ବ ହେଉଛି ସମ୍ପ୍ରସାରଣ। ହେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ବିଭିନ୍ନ ପ୍ରସଙ୍ଗରେ ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା କରୁଛନ୍ତି। ଯାହା ନିଷ୍ପତ୍ତି ନିଆଯିବ ତାହା ସଭିଁଏ ଜାଣିବେ। ବିଧାୟକ ଟଙ୍କଧର ତ୍ରିପାଠୀ ଓ ଦୁଷ୍ମନ୍ତ ସ୍ବାଇଁଙ୍କ ମତ ହେଉଛି, ନିଗମ ଓ ମନ୍ତ୍ରିମଣ୍ଡଳ ଛଡା ରାଜ୍ୟର ବିକାଶ ପାଇଁ ବାରମ୍ବାର ଦିଲ୍ଲୀ ଗସ୍ତ ହେଉଛି। ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ନିଗମ ଓ ମନ୍ତ୍ରିମଣ୍ଡଳ ବାବଦରେ ଦଳ ଉଚିତ ସମୟରେ ଉଚିତ ନିଷ୍ପତ୍ତି ନେବ ବୋଲି ଉଭୟ କହିଛନ୍ତି।

ସେପଟେ ଅଧା ଗଢ଼ା ମନ୍ତ୍ରିମଣ୍ଡଳ ଓ ବହୁପଦବୀ ଖାଲି ପଡିବାକୁ ନେଇ ବିଜେପିକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଦେଢ଼ ବର୍ଷ ହେବ ବିଜେପି ଶାସନରେ ଛିଡୁନି ଓଡ଼ିଆ ଅସ୍ମିତା ଅଙ୍କ। ସେଥିପାଇଁ ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ । ନେଇ ପାରୁନାହାନ୍ତି ନିଗମ ଓ ମନ୍ତ୍ରିମଣ୍ଡଳ ନିଷ୍ପତ୍ତି। ଦିଲ୍ଲୀରେ ଓଡ଼ିଆ ଅସ୍ମିତା କଳି ଚାଲିଥିବାରୁ ଶାସକ ଦଳ କୌଣସି  ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରୁନି ବୋଲି କହିଛନ୍ତି ଅରୁଣ। ସେହିପରି ବିଜେପି ଦ୍ବନ୍ଦ୍ବରେ ଥିବାରୁ ରାଜ୍ୟ ବିଜେପି କୌଣସି ନିଷ୍ପତ୍ତି ନେଇପାରୁନଥିବା କହିଛନ୍ତି ରାଜନୈତିକ ସମୀକ୍ଷକ। ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୨୨ ଜଣ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରିବେ । ୧୫ ମାସ ହେବ ୬ଟି ମନ୍ତ୍ରୀ ପଦ ଖାଲିପଡିଛି । ସେହିପରି ଅଧିକାଂଶ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଚାପଗସ୍ତ ରହୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ପରିଷଦ ଓ ନିଗମ ବଣ୍ଟନ ବି ବିଜେପି ନେତୃତ୍ବ ପାଇଁ କଣ୍ଟା ସାଜିଛି । ବହୁ ଆଶାୟୀ ଥିବାରୁ ଓଡ଼ିଶାରୁ ଦିଲ୍ଲୀ ଯାଏ ଦଳୀୟ ନେତୃତ୍ବ ଜାରି ରଖିଛନ୍ତି କସରତ। ଯାହାକୁ ନେଇ ବିଜେପି ଆଶାୟୀଙ୍କ ମନରେ ବଢ଼ିଛି ଉତ୍କଣ୍ଠା।

ନେପାଳରେ ଅନେକ ସ୍ଥାନରେ କର୍ଫ୍ୟୁ ଜାରି, ଜରୁରୀକାଳୀନ ବୈଠକ ଡାକିଲେ ନେପାଳ ପ୍ରଧାନମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ : ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପରେ ନେପାଳର ପରିସ୍ଥିତି ଆହୁରି ଖରାପ ହେବାରେ ଲାଗିଛି। ବିକ୍ଷୋଭରେ ୧୮ ଜଣଙ୍କୁ ଜୀବନ ଗଲାଣି । ଶତାଧିକ ଲୋକ ଆହତ ହେଲେଣି ।  ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ସରକାରୀ ବାସଭବନରେ ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ଏକ ବୈଠକ ଡାକିଛନ୍ତି ।

ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗୃହମନ୍ତ୍ରୀ ରମେଶ ଲେଖକ, ପ୍ରତିରକ୍ଷା ମନ୍ତ୍ରୀ ମନବୀର ରାୟ ଏବଂ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେଉବାଙ୍କ ସହ ଦେଶର ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ କର୍ତ୍ତୃପକ୍ଷ ଦେଶର ଅନେକ ସହରରେ କର୍ଫ୍ୟୁ ଜାରି କରିଛନ୍ତି। ପ୍ରତିବାଦ ସମୟରେ ହିଂସାତ୍ମକ ସଂଘର୍ଷ ପରେ ଦେଶର ରାଜଧାନୀରେ ସେନା ମୁତୟନ କରାଯାଇଛି।

ପ୍ରତିବାଦକାରୀମାନେ ପ୍ରତିବାଦ କରି ସଂସଦ ଭବନ ନିକଟରେ ପହଞ୍ଚିଥିଲେ, ଯାହା ପରେ ସଂସଦ ପରିସରରେ କର୍ଫ୍ୟୁ ଜାରି କରାଯାଇଥିଲା। କେନ୍ଦ୍ରୀୟ ସଚିବାଳୟ ନିକଟରେ ମଧ୍ୟ, ପ୍ରଦର୍ଶନକାରୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ ଏବଂ ସଂସଦ ଭବନ ସମ୍ମୁଖରେ କିଛି କୋଠା ଉପରେ ପଥର ମାଡ଼ କରାଯାଇଥିଲା। ସେମାନଙ୍କୁ ପୋଡ଼ି ଦେବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା।

ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଉପତ୍ୟକାର ବିଭିନ୍ନ ହସ୍ପିଟାଲରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଏବଂ ୧୦୦ ରୁ ଅଧିକ ଆହତ ହୋଇଥିବା ରିପୋର୍ଟ କରାଯାଇଛି। ସ୍ୱାସ୍ଥ୍ୟ ଏବଂ ଜନସଂଖ୍ୟା ମନ୍ତ୍ରଣାଳୟ ଆଜିର ପ୍ରତିବାଦରେ ଆହତ ନାଗରିକମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବାକୁ ତାଙ୍କ ଅଧୀନରେ ଥିବା ସମସ୍ତ ଫେଡେରାଲ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି।

ଆରମ୍ଭ ହେଲା ପିତୃପକ୍ଷ, ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ : ଆରମ୍ଭ ହେଲା ପିତୃପକ୍ଷ । ପିତୃ ପୁରୁଷଙ୍କ ଉଦ୍ଦେଶ୍ଯରେ ତିଳ ତର୍ପଣ । ଆଶ୍ବିନ କୃଷ୍ଣ ପ୍ରତିପଦା ଠାରୁ ଅମାବାସ୍ୟା ଯାଏଁ ୧୫ ଦିନ ପାଳିତ ହେବ ଅପରପକ୍ଷ । ପୂର୍ବ ପୁରୁଷଙ୍କ ମୋକ୍ଷପ୍ରାପ୍ତି ଉଦ୍ଦେଶ୍ଯରେ ତିଳ ତର୍ପଣ ସହ ପିଣ୍ଡ ଦାନ କରୁଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀର ବିଭିନ୍ନ ତୀର୍ଥ ପୁଷ୍କରିଣୀ, ମହୋଦଧି କୂଳରେ ଦେଖିବାକୁ ମିଳିଛି ଗହଳି । ହିନ୍ଦୁ ରୀତିନୀତି ଅନୁସାରେ ବ୍ରାହ୍ମଣଙ୍କ ଦ୍ବାର ପୂଜା କରୁଛନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧାର୍ମିକ ବିଧି ଅନୁସାରେ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ତିଳ ତର୍ପଣ କଲେ ପରିବାରର କଲ୍ଯାଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ପିତୃପକ୍ଷ ପାଇଁ ଭୁବନେଶ୍ବର ତୀର୍ଥ ପୁଷ୍କରିଣୀ ବିନ୍ଦୁସାଗର କୂଳରେ ମଧ୍ଯ ସକାଳୁ ସକାଳୁ ଦେଖିବାକୁ ମିଳିଛି ଭିଡ଼ । ଫୁଲ, ରାଶି, ଚାଉଳ, ନୈବେଦ୍ୟ ନେଇ ଶ୍ରଦ୍ଧାଳୁ ମାନେ ପିତୃପୁରୁଷଙ୍କ ଉଦ୍ଦେଶ୍ଯରେ ତର୍ପଣ କରିବା ସହ ପୂଜାପାଠ କରିଛନ୍ତି । ବ୍ରାହ୍ମଣଙ୍କ ମନ୍ତ୍ରପାଠ ସହ ଏକାମ୍ର କ୍ଷେତ୍ରର ବିନ୍ଦୁସାଗର ପୁଷ୍କରିଣୀ କୂଳରେ ପିତୃପକ୍ଷଙ୍କୁ ସ୍ମରଣ କରି ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ । ଯେଉଁ ମାନେ ପିତୃପକ୍ଷ ତିଥିରେ ତିଳ ତର୍ପଣ କରିପାରନ୍ତି ନାହିଁ ସେମାନେ ଦୀପାବଳି ଅମାବାସ୍ୟା ଦିନ ବଡ଼ବଡୁଆ ଡାକି ଶ୍ରାଦ୍ଧ ପ୍ରଦାନ କରିବାର ବିଧି ରହିଛି ।

ବ୍ରହ୍ମପୁରରେ ଟେନସନ ବଢାଉଛନ୍ତି ବୁଲା ଗୋରୁଗାଈ ଓ କୁକୁର

ବ୍ରହ୍ମପୁର : ଟେନସନ୍ ବଢାଉଛନ୍ତି ବୁଲା ଗୋରୁଗାଈ ଓ କୁକୁର । ରାସ୍ତା ଅବରୋଧ ସହ ବଢୁଛି ଟ୍ରାଫିକ ସମସ୍ଯା । ବଢୁଛି ଦୁର୍ଘଟଣା, ବିଗୁଡୁଛି ଟ୍ରାଫିକ ସମସ୍ୟା । ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ମହାନଗର ନିଗମ । ଏନେଇ BEMC ବୈଠକରେ ଉଦବେଗ ପ୍ରକାଶ ପାଇବା ପ୍ରକାଶ ପାଇବା ପରେ କଡ଼ା ପଦକ୍ଷେପ ନିଆଯାଇଛି । ନିଗମ ଅଞ୍ଚଳରେ ୨୪ ଘଣ୍ଟିଆ ପଶୁ ଆମ୍ବୁଲାନ୍ସ ସେବା ଯୋଗାଇ ଦେବା ସହ ଗୋରୁଗାଈଙ୍କୁ ରାସ୍ତାରେ ନଛାଡ଼ିବା ପାଇଁ ମାଲିକଙ୍କୁ ତାଗିଦ୍ କରିଛନ୍ତି ନିଗମ କର୍ତ୍ତୃପକ୍ଷ । ଏହାକୁ ଖିଲାପ କଲେ ଗୋରୁଗାଈଙ୍କୁ ରାସ୍ତାରୁ ଉଠାଇ ନେଇ କାଞ୍ଜିଆହୁଦା ଠାରେ ରଖାଯିବ ବୋଲି କୁହାଯାଇଛି । ୧୫ ଦିନ ମଧ୍ୟରେ ସେଠାରୁ ନିଜ ଗୋରୁଗାଈଙ୍କୁ ନେବାପାଇଁ ମାଲିକଙ୍କୁ ୨ ହଜାର ଟଙ୍କା ଟଙ୍କା ଜରିମାନା ଦେବାକୁ ହେବ । ଅନ୍ୟଥା ଉକ୍ତ ଗୋରୁଗାଈଙ୍କୁ ଗୋଶାଳାକୁ ହସ୍ତାନ୍ତର କରାଯିବ ବୋଲି ଚତାବନୀ ଦିଆଯାଇଛି ।

ସେହିପରି ଦିନକୁ ଦିନ ଦିନ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ମହାନଗର ନିଗମ ପକ୍ଷରୁ ନିଆଯାଇଛି ପଦକ୍ଷେପ । କୁକୁର ଧରିବା ଗାଡ଼ିରେ ସେମାନଙ୍କୁ ଉଠାଇ ନେଇ ପଶୁ ଚିକିତ୍ସାଳୟରେ ଥିବା ଡଗ୍ କେନେଲରେ ରଖି ବନ୍ଧ୍ୟାକରଣ କରାଯିବ । ସପ୍ତାହକୁ ୪ଦିନ ସହରରେ ଜାରି ରହିବ କୁକୁର ବନ୍ଧ୍ଯାକରଣ ଅଭିଯାନ । ଏହି କାର୍ଯ୍ୟରେ ଯେକୌଣସି ବ୍ୟକ୍ତି ଖିଲାପ କଲେ ତାଙ୍କ ବିରୋଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି BEMC କମିଶନର । ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ BEMC କମିଶନରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ପ୍ରତିଦିନ ବେଆଇନ ଭାବେ ଚାଲାଣ ହେଉଛନ୍ତି ହଜାର ହଜାର ଶ୍ରମିକ

ବଲାଙ୍ଗୀର ; ସରିଲା ନୂଆଁଖାଇ, ଏବେ ପେଟ ପାଇଁ ଚିନ୍ତା । ରାଜ୍ଯରେ ମିଳୁନି କାମଧନ୍ଦା, ଦାଦନ ଯିବାକୁ ସଜବାଜ । ବଲାଙ୍ଗୀରରେ ବେଧଡ଼କ ଚାଲିଛି ଶ୍ରମିକ ଚାଲାଣ । ସବୁ ଜାଇ ଆଖି ବୁଜି ଦେଇଛି ଜିଲ୍ଲା ଶ୍ରମ ବିଭାଗ । ଜିଲ୍ଲାର ୧୪ ଟି ବ୍ଲକ ଅଞ୍ଚଳରୁ ଲକ୍ଷାଧିକ ଶ୍ରମିକ କାମଧନ୍ଦା ନପାଇ ଦାଦନ ସର୍ଦ୍ଦାର ଜରିଆରେ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି । ବଙ୍ଗୋମୁଣ୍ଡା, ତୁରେକେଲା, ବେଳପଡା, ଖପ୍ରାଖୋଲ, ମୁରିବାହାଲ ଓ ଟିଟିଲାଗଡ ବ୍ଲକ ଅଞ୍ଚଳର ଶ୍ରମିକମାନେ କାମ କରିବାକୁ ବାହାରିଛନ୍ତି  I ତେବେ ଚଳିତବର୍ଷ କେତେଜଣ ଦାଦନ ଶ୍ରମିକ ଗଲେଣି ତଥ୍ୟ ଜିଲ୍ଲା ଶ୍ରମବିଭାଗ ବିଭାଗ ପାଖରେ ନାହିଁ । ସର୍ଦ୍ଦାର ଜରିଆରେ ଖୁଲମଖୁଲା ଲକ୍ଷାଧିକ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ ଟାସ୍କଫୋର୍ସ ଦ୍ୱାହି ଦେଇ ପ୍ରଶାସନ ସବୁ ଜାଣି ଚୁପ ରହିଥିବା ଅଭିଯୋଗ ହୋଇଛି ।

କାମଧନ୍ଦା ଅନ୍ୱେଷଣରେ ବଇନା ନେଇଥିବା ଶ୍ରମିକମାନେ ଦାଦନ ଯିବାକୁ ଗୋଡ଼ ଟେକି ବସିଛନ୍ତି I ମୁଣ୍ଡ ପିଛା ୪୦ରୁ ୫୦ ହଜାର ଟଙ୍କା ଦେଇ ଶ୍ରମିକଙ୍କୁ ନେଉଛନ୍ତି ଶର୍ଦ୍ଦାର । କଣ୍ଟାବାଞ୍ଜି, ଟିଟିଲାଗଡ଼, ହରିଶଙ୍କର ରେଳ ଷ୍ଟେସନରୁ ହାଇଦ୍ରାବାଦ, ତେଲେଙ୍ଗାନା, ତ୍ରିପୁରା ଭଳି ବଡ଼ ବଡ଼ ସହରରେ ଥିବା ଇଟାଭାଟିକୁ ଦାଦନ ଖଟିବାକୁ ଯିବେ ଶ୍ରମିକ I ପ୍ରତିଦିନ ରେଳରେ ହଜାର ହଜାର ଶ୍ରମିକ ବାହାର ରାଜ୍ଯକୁ ଚାଲାଣ ହେଉଥିବାବେଳେ ଗୋଟିଏ ବି ଶ୍ରମିକ ଯାଇ ନାହାନ୍ତି ବୋଲି କହିଛନ୍ତି ଜିଲ୍ଲା ଅତିରିକ୍ତ ଶ୍ରମ କମିଶନର I ଟାସ୍କଫୋର୍ସ କାଗଜପତ୍ରରେ ଦାଦନ ଶ୍ରମିକ ରୋକୁଥିବା କହୁଥିବା ବେଳେ ବେଆଇନ ଭାବେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଚର୍ଚ୍ଚା ଜୋର ଧରିଛି I

ପ୍ରି ଆକ୍ଟିଭେଟେଡ ସିମ୍ କାର୍ଡର ହବ ପାଲଟିଛି ଭୁବନେଶ୍ବର…

ଭୁବନେଶ୍ୱର : କୁଆଡୁ ଆସୁଛି ପୁଳା ପୁଳା ବେନାମୀ ସିମ୍ କାର୍ଡ ? ପ୍ରି ଆକ୍ଟିଭେଟେଡ଼ ସିମ୍ କାର୍ଡର ହବ୍ ପାଲଟିଛି ଭୁବନେଶ୍ୱର । ଯମତରା ନୁହେଁ, ଡିଜିଟାଲ ଠକଙ୍କ ସେଫ୍ ପ୍ଲେସ ଏବେ ଭୁବନେଶ୍ୱର । ଟେଲିକମ କମ୍ପାନୀର ଅପାରଗତା ପାଇଁ ଚାଲି ଯାଉଛି କୋଟି କୋଟି ଟଙ୍କା । ରାଜଧାନୀରୁ ପୁଳା ପୁଳା ସିମ୍ ବକ୍ସ ଠାବ ଘଟଣା ହେଉ କିମ୍ବା ଚାନ୍ଦିପୁର ITR ତଥ୍ୟ ଲିକ୍ ଘଟଣା । ଅଥବା ରବିବାର ଦିନ ଚନ୍ଦକା ଥାନା ଦ୍ୱାରା ଗିରଫ ହୋଇଥିବା ସାଇବର ଅଭିଯୁକ୍ତ । ସାଇବର ଅପରାଧର ମୁଖ୍ୟ ଅସ୍ତ୍ର ପାଲଟିଛି ଫେକ୍ ବା ପ୍ରି ଆକ୍ଟିଭେଟେଡ଼ ସିମ୍ । ଇଣ୍ଡିଆନ ସାଇବର କ୍ରାଇମ କୋର୍ଡିନେସନରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗ ଓ ଆସାମ ସମେତ ଓଡ଼ିଶା ପାଲଟିଛି ଫେକ୍ ସିମର ହବ । ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସାଇବର ସ୍କାମ ଓ ଲୋନ୍ ଫ୍ରଡ଼ ପାଇଁ ଫେକ୍ ସିମ୍ ବ୍ୟବହାର କରାଯାଉଛି । କିନ୍ତୁ ଏସବୁ ପରେ ବି ଚେତା ପଶୁନି । ଶହେ ଟଙ୍କା ଦେଲେ ମିଳିଯାଉଛି ସିମକାର୍ଡ । ଛତା ତଳେ ମେଲିଛି ପସରା । ଭଲକରି ଦେଖନ୍ତୁ ଏ ଦୃଶ୍ୟ । ରାଜରାସ୍ତା କଡରେ ମିଳୁଛି ବେନାମୀ ସିମ୍ । ଶୁଣନ୍ତୁ ଏ ସମ୍ପର୍କରେ କଣ କହୁଛନ୍ତି ବିକ୍ରେତା ।

ପ୍ରତିଦିନ ଦେଶରେ ୬୦ ହଜାର ପାଖାପାଖି ସାଇବର ସମ୍ପର୍କିତ ଅଭିଯୋଗ ଆସିବା ବେଳେ କେବଳ ୨୦୨୩ରେ ୨ ଲକ୍ଷ ୯୫ ହଜାର ୪୬୧ ଟି ସିମ୍ କୁ ବ୍ଲକ କରାଯାଇଥିଲା । ଏହାସହ ଲିଙ୍କ ଥିବା ୨୮୧୦ ଟି ୱେବସାଇଟ, ୫୯୫ ମୋବାଇଲ ଆପ୍ଲିକେସନ, ୪୬ ହଜାର ୨୨୯ IMEI ନମ୍ବରକୁ ବ୍ଲକ କରାଯାଇଛି । ଓଡ଼ିଶାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଟ୍ରାଇ ଓ ମୋବାଇଲ କମ୍ପାନୀ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ମଧ୍ୟ ଛତୁ ଫୁଟିବା ଭଳି ରାସ୍ତାକଡରେ ସିମ୍ କାର୍ଡ ବିକ୍ରି ହେଉଛି। ଏସବୁକୁ ରୋକିବାକୁ ଖୁବଶୀଘ୍ର ଆରମ୍ଭ ହେବ ଅପରେସନ । ଏଭଳି ବେନାମୀ ସିମ୍ ବିକ୍ରି କରୁଥିବା ସ୍ଥାନରେ ଚଢ଼ାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଡିସିପି । କଷ୍ଟମର କେୟାର, ରିଫଣ୍ଡ, ଅନଲାଇନ ବୁକିଂ, କେୱାଇସି, ସେକ୍ସର୍ଟସନ ଭଳି ସାଇବର ଫ୍ରଡ଼ରେ ମାତ୍ରାଧିକ ବେନାମୀ ସିମ୍ ର ବ୍ୟବହାର ଦେଶର ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଛି । ତେଣୁ ଏସବୁକୁ ତୁରନ୍ତ ବନ୍ଦ କରିବାର ଆବଶ୍ୟକତା ଥିବା କହିଛନ୍ତି ବିଶେଷଜ୍ଞ ।

ଦୁଃଖ ଦରିଆରେ ଇନ୍ଦ୍ରାବତୀ ବିସ୍ଥାପିତ, ମୋଳିକ ସୁବିଧା ପାଇଁ କରିଚାଲିଛନ୍ତି ଅହରହ ସଂଗ୍ରାମ

କଳାହାଣ୍ଡି : ଦୁଃଖ ଦରିଆରେ ଇନ୍ଦ୍ରାବତୀ ବିସ୍ଥାପିତ । ମୌଳିକ ସମସ୍ୟାରେ ସଢୁଛନ୍ତି ଅହରହ । ବୁଡି ଅଞ୍ଚଳରେ ବୁଡିଛି ସ୍ଵପ୍ନ ଓ ଭବିଷ୍ୟତ । ବିସ୍ଥାପିତଙ୍କୁ ସାମାନ୍ୟ କ୍ଷତିପୂରଣ ଦେଇ ନିଘୋଡ଼ ନିଦ୍ରାରେ ପ୍ରଶାସନ । କଳାହାଣ୍ଡି ଜିଲ୍ଲାରେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ନିର୍ମାଣ ହୋଇଛି ଇନ୍ଦ୍ରାବତୀ ଜଳଭଣ୍ଡାର । ଏହି ଡ୍ୟାମ ସମଗ୍ର ଭାରତ ବର୍ଷର ସର୍ବବୃହତ ଜଳ ବିଦ୍ୟୁତ ପ୍ରକଳ୍ପ ଭାବେ ପରିଚିତ । ହେଲେ ଡ୍ୟାମ ହେବା ଦିନରୁ ଆଜି ଯାଏଁ ୪୨ ଖଣ୍ଡ ଗାଁ ଲୋକେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ସରକାରଙ୍କ ବିକାଶମୁଖୀ ଯୋଜନା ଏମାନଙ୍କ ପାଇଁ ଅପହଞ୍ଚ ହୋଇପଡିଛି । ଡ୍ୟାମ ପାଇଁ ଦୁର୍ଦ୍ଦିନରେ ଭାସୁଛନ୍ତି ହଜାର ହଜାର ବିସ୍ଥାପିତ । ବୁଡି ଅଞ୍ଚଳରେ ସର୍ବଦା ବିତାଉଛନ୍ତି ଜଳବନ୍ଦୀ ଜୀବନ । ଅଞ୍ଚଳବାସୀଙ୍କ ପାଇଁ ଡଙ୍ଗା ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଡଙ୍ଗା ବୁଡିରେ ଗଲାଣି ୨୨୦ ଜଣଙ୍କ ଜୀବନ । ଏପଟେ ବିସ୍ଥାପିତଙ୍କ ହାଲଚାଲ ବୁଝିବାକୁ ସମସ୍ତେ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହୋଇଛି ।

ପୂର୍ବ ସରକାର ସମୟରେ ବୁଡି଼ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଡି.ଚେପଟାଘାଟ ଠାରୁ କେ.ଚେପଟା ଘାଟ ପର୍ଯ୍ୟନ୍ତ ଗୋଲାଗଡ ନଦୀରେ ପୋଲ ନିର୍ମାଣ ପାଇଁ ୫ କୋଟି ୪୪ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ଟେଣ୍ଡର ପ୍ରକ୍ରିୟା କରାଯାଇ ୪ଟି ଖୁଣ୍ଟ ନିର୍ମାଣ ହୋଇଥିଲା । ହେଲେ ପରେ ଭୁଲ ଡିଜାଇନ ନାଁରେ ପୋଲ ନିର୍ମାଣ ବନ୍ଦ କରିଦିଆଗଲା । ଯାହା ଫଳରେ ପାହାଡ ଉପରେ ରହୁଥିବା ଲୋକଙ୍କ ପକ୍କା ରାସ୍ତାର ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । ଫଳରେ ସାମାନ୍ୟ ପିଡିଏସ ସାମଗ୍ରୀ ପାଇଁ ଡଙ୍ଗାରେ ଜୀବନକୁ ବାଜି ଲଗାଇ ଯାଉଛନ୍ତି ଆର ପାରିକୁ । ଏଠି ପ୍ରଶ୍ନ ଉଠୁଛି- ଏମାନଙ୍କର କଣ ନାହିଁ ମୌଳିକ ଅଧିକାର ? ସର୍ବସ୍ବ ହରାଇ ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ଦୁଃଖ ବୁଝୁଛି କିଏ  ? କଣ କରୁଛି ପ୍ରଶାସନ ? ବୁଡି ଅଞ୍ଚଳବାସୀଙ୍କ ଦୁଃଖ କେବେ ଦୂର ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଶିକ୍ଷା ବ୍ୟବସ୍ଥାର ବିଚିତ୍ର ବ୍ୟବସ୍ଥା, ଗୋଟିଏ ଭଙ୍ଗା ଘରେ ଚାଲୁଛି ପାଞ୍ଚ ଶ୍ରେଣୀ ପାଠପଢା

ଧର୍ମଗଡ : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ୫ ଗୋଟି ଶ୍ରେଣୀର ପିଲାଙ୍କୁ ଗୋଟିଏ ଶ୍ରେଣୀ ଗୃହ । ତାହା ପୁଣି ଭଙ୍ଗା ଦଦରା । କେଉଁଠି କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି ଫଡାଫଡା କରି ପ୍ଲାଷ୍ଟର ଖସି ପଡିଲାଣି । କେତେବେଳେ କିଛି ଅଘଟଣ ଘଟିପାରେ । ଆଉ ତାହାରି ଭିତରେ ପିଲାଙ୍କୁ ପଢାଉଛନ୍ତି ଶିକ୍ଷକ । କାହିଁକି ନା ଆଉ କୌଣସି ବିକଳ୍ପ ବ୍ୟବସ୍ଥା ହିଁ ନାହିଁ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ରଏନଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୩ ଜଣ ପିଲା ପଢୁଛନ୍ତି । ହେଲେ ବିଡମ୍ବନାର ବିଷୟ ପିଲାଙ୍କ ପାଇଁ ଭଲ ଶ୍ରେଣୀ ଗୃହଟିଏ ନାହିଁ । ଫଳରେ ଭଙ୍ଗା ଦଦରା ଘରେ ଏକାଠି ବସି ପଢୁଛନ୍ତି ସମସ୍ତେ ।

୧୯୭୨ ମସିହାରେ ତିଆରି ହୋଇଥିବା ଏହି ସ୍କୁଲରେ ଅଛନ୍ତି ଦୁଇ ଜଣ ଶିକ୍ଷକ । ହେଲେ ସ୍କୁଲ ଘରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବର୍ଷା ଦିନେ ଛାତରୁ ପାଣି ଗଳୁଛି । ଅତ୍ୟଧିକ ବର୍ଷା ହେଲେ ପାଠପଢା ବନ୍ଦ ହୋଇଯାଉଛି । ସ୍କୁଲ ସମସ୍ୟା ନେଇ ଅନେକ ଥର ଶିକ୍ଷକ ଓ ଅଭିଭାବକ ମାନେ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜଣାଇଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ସ୍କୁଲ ପରିଦର୍ଶନ କରି ଯାଇଥିଲେ ବି ସମସ୍ୟାର ସମାଧାନ ହୋଇପାରିନାହିଁ । ସେପଟେ ଅନୁଦାନ ଆସିଲେ କାମ ଆରମ୍ଭ ହେବ ବୋଲି କହିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ । ତୁରନ୍ତ ବିଦ୍ୟାଳୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ଦାବି ହେଉଛି ।

ଅବହେଳିତ ଅବସ୍ଥାରେ ସର୍ବପୁରାତନ ଅନନ୍ତେଶ୍ଵର ଶୈବ ପୀଠ, ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଅସ୍ତିତ୍ଵ

ସାଲେପୁର : ଅବହେଳିତ ଅବସ୍ଥାରେ ହଜାର ବର୍ଷର ପୁରୁଣା ଶୈବପୀଠ । ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଅସ୍ତିତ୍ଵ । ପ୍ରତ୍ନତତ୍ତ୍ୱ ବିଭାଗର ଉଦାସୀନତାରୁ ମନ୍ଦିରରେ ବିକାଶ ମୂଳକ କାମ ଠପ୍ । କଟକ ଜିଲ୍ଲା ଭଗବାନପୁର ଗାଁରେ ଥିବା ପ୍ରସିଦ୍ଧ ଅନନ୍ତେଶ୍ଵର ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗେ । ହେଲେ ପୀଠରେ ସୁବିଧା ନଥିବା କାରଣରୁ ପୂର୍ବ ସରକାର ଅମଳରେ ମନ୍ଦିର ଉନ୍ନତିକରଣ ଦାୟିତ୍ଵ ଏଏସଆଇ ନେଇଥିଲା । ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ରାସ୍ତାଠୁ ଆରମ୍ଭ କରି ଶୌଚାଳୟ, ଆନନ୍ଦ ଭବନ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ ଭଳି ଅନେକ ସୁବିଧା ହୋଇଥାନ୍ତା । ହେଲେ ଖାଲି ପାଚେରୀ ଉଠାଇ କାମ ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭଗବାନପୁର ଗାଁରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି ପ୍ରଭୁ ଅନନ୍ତେଶ୍ବର । ଏହି ପୀଠର ରହିଛି ଅନେକ କିମ୍ବଦନ୍ତୀ । କିନ୍ତୁ ପରିତାପର ବିଷୟ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତୁରନ୍ତ ମନ୍ଦିରର ଉନ୍ନତି କରିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଅନନ୍ତେଶ୍ବର ମନ୍ଦିରର ଶୀଘ୍ର ଉନ୍ନତିକରଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।