spot_img
Home Blog Page 492

ଜମିଲାଣି ପାର୍ବଣ ଋତୁ: ମ୍ୟୁଜିକାଲ ନାଇଟ୍ ପାଇଁ ଅର୍କେଷ୍ଟ୍ରା ପାର୍ଟିଙ୍କ ଜୋରଦାର ପ୍ରସ୍ତୁତି

ଜମିଲାଣି ପାର୍ବଣ ଋତୁ । ମ୍ୟୁଜିକାଲ ନାଇଟ୍ ପାଇଁ ଅର୍କେଷ୍ଟ୍ରା ପାର୍ଟିଙ୍କ ଜୋରଦାର ପ୍ରସ୍ତୁତି । ଟ୍ରେଣ୍ଡିଂ ସଙ୍ଗକୁ ନେଇ ଚାଲିଛି ରିହର୍ସାଲ । ଡିମାଣ୍ଡରେ ବୋଉ ବୁଟୁ ଭୂତର ରାତି ସାରା ଆସିବୁ ବୋଲି ଡୁଙ୍ଗୁଥିଲି । ପାଟେଣୀ ଖାସିଙ୍କୁ ପାଉଚ ପିଲେଇ ଦେରେ ଦାଦା । ରାଜଧାନୀରେ ରକ୍ କରିବେ ସମ୍ବଲପୁରିଆ ରକ୍ ଷ୍ଚାର ରୁକ୍ ସୁନା । ନାମୀଦାମୀ କଳାରାଙ୍କୁ ନେଇ ମୈଇଦାନକୁ ଓହ୍ଲାଇବ ଅର୍କେଷ୍ଟ୍ରା ସୁର ତରଙ୍ଗ । ସମ୍ବଲପୁରୀ ଗୀତ ଚକୋବାର, ଲଚକମଣୀ, ମଲି ଫୁଲିଆ ଧାଙ୍ଗିଡ଼ି ନନୀ ଘାଣ୍ଟି ମାଇଲା ଗୀତକୁ ନେଇ ରୁକ ସୁନା ଓ ତାଙ୍କ ଟିମ କରୁଛନ୍ତି ଜୋରଦାର ପ୍ରସ୍ତୁତି । କେବଳ ସମ୍ବଲପୁରୀ ନୁହେଁ ଗଣେଶ ବନ୍ଦନା, ହିନ୍ଦୀ, ଓଡିଆ, ତେଲୁଗୁ ଗୀତକୁ ନେଇ ଚାଲିଛି ରିହର୍ସାଲ । ଦିଲ ପେ ଚଲାଇ ଛୁରିଆ ଗୀତ ବି ଏଥର ପୂଜା ମଞ୍ଚରେ ଆଗରେ ରହିବ । ନାଚଗୀତରେ ଦର୍ଶକଙ୍କୁ ଝୁମାଇବେ ଅର୍କେଷ୍ଟ୍ରା ଟିମ୍

ସେପଟେ ଗୀତ ତରଙ୍ଗ କ୍ୟାମ୍ପରେ ମଧ୍ୟରେ ଚାଲିଛି ଜୋରଦାର ରିହର୍ସାଲ । ବଛା ବଛା କଳାକାରଙ୍କୁ ନେଇ ମାଲିକ ମିଲନ ପାଇକରାୟ ପୂଜା ବଜାର ସରଗରମ କରିବେ । ରାତିସାରା ଡୁଙ୍ଗୁ ଥିଲି, ହୁନୁ ହୁନୁ, ପାଟେଣୀ ଖାସି ସେମତ ନୂଆ ପୁରୁଣା ଓଡିଆ ଓ ହିନ୍ଦୀ ଗୀତକୁ ନେଇ ଦର୍ଶକଙ୍କୁ ଭେଟି ଦେବାକୁ ଚାଲିଛି ଅଭ୍ୟାସ । ଗଣେଶ ପୂଜା ଠାରୁ ଆରମ୍ଭ କରି କାର୍ତ୍ତିକ ପୂଜା ପର୍ଯ୍ୟନ୍ତ ବୁକିଂ ସରିଥିବା କହିଥିବା କହିଛନ୍ତି ସୁର ତରଙ୍ଗ ମାଲିକ ।

ସାର ପାଇଁ ନୟାନ୍ତ ଚାଷୀ: ମିଳୁନି ୟୁରିୟା, ବଢୁଛି କଳାବଜାରୀ

ସାର ପାଇଁ ନୟାନ୍ତ ଚାଷୀ । ମିଳୁନି ୟୁରିୟା, ବଢୁଛି କଳାବଜାରୀ । ବେଫିକର ପ୍ରଶାସନ, ହନ୍ତସନ୍ତ ଚାଷୀକୂଳ । କୋରାପୁଟ ଜିଲ୍ଲାର ପ୍ରାୟ 80 ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଚଳିତବର୍ଷ ଭଲ ବର୍ଷା ହୋଇଥିବାରୁ ଦୁଇପଇସା ରୋଜଗାର ହେବା ଆଶାରେ ଚାଷୀ । ଅଧିକାଂଶ ଜମିରେ ଆରମ୍ଭ ହେଲାଣି ଧାନରୁଆ । ହେଲେ ଚାଷୀଙ୍କୁ ମିଳନୁ ସାର । ସରକାରୀ ସ୍ତରରେ ଗୋଟିଏ ବସ୍ତା ୟୁରିୟା ସାର ପାଇଁ ଦିନ ଦିନ ଜଗିବାକୁ ପଡୁଛି । ଗୋଟିଏ ଆଧାର କାର୍ଡରେ ମାତ୍ର ୨ ବସ୍ତା ସାର ମିଳୁଥିବା ବେଳେ ଯାହାର ଅଧିକ ଜମି ଅଛି ସେମାନେ ବାଧ୍ୟହୋଇ ଅଧିକ ଦରରେ କିଣୁଛନ୍ତି । ବସ୍ତା ପିଛା ୨୭୦ ଟଙ୍କା ବଦଳରେ ବାହାରୁ ୯ ଶହ ଟଙ୍କାରେ କିଣୁଛନ୍ତି । ବାରମ୍ବାର ପ୍ରତିବାଦ ପରେ ପ୍ରଶାସନ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଜିଲ୍ଲାର ଜୟପୁର ଉପଖଣ୍ଡ ଜୟପୁର, କୁନ୍ଦୁରା, ବୋରିଗୁମ୍ମା, କୋଟପାଡ, ବୌପାରିଗୁଡା ବ୍ଲକରେ ଚାଷୀ ସାର ପାଇଁ ନୟାନ୍ତ । କୃଷି ବିଭାଗ ଓ କଳାବଜାରୀଙ୍କ ମଧ୍ଯରେ ମଧୂଚନ୍ଦ୍ରିକ ଯୋଗୁଁ ସାର ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଆସନ୍ତା କାଲି ଜିଲ୍ଲା କୃଷୀ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ଉପସଭାପତି ରବି ନାରାୟଣ ନନ୍ଦ । ୬ ଟି ବ୍ଲକର ଚାଷୀ ସହିତ ଚାଷୀ ସଂଗଠନ ସମେତ ବିଜେଡି ରାଜରାସ୍ତାକୁ ଓହ୍ଲାଇବେ ।

ଭୁବନେଶ୍ବରରେ କାର ଯୋଗେ ବିପୁଳ ମାତ୍ରାରେ ଦେଶୀ ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ

ପୂଜା ପୂର୍ବରୁ ମାତିଛନ୍ତି ନିଶା ମାଫିଆ । ରାତି ଅଧିଆ ଚାଲିଛି ବେପାର । ଭୁବନେଶ୍ବରରେ କାର ଯୋଗେ ବିପୁଳ ମାତ୍ରାରେ ଦେଶୀ ମଦ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । କିଛିଦିନ ଧରି ଲଗାତାର ବାହାର ଜିଲ୍ଲାରୁ ଗାଡି ଯୋଗେ ଭୁବନେଶ୍ବରର ବିଭିନ୍ନ ବସ୍ତିକୁ ଚାଲିଥିଲା ଚାଲାଣ । ଖବର ପାଇ ଚଢାଉ କରିବା ସହ ଜଣକୁ ବାନ୍ଧିଛି ଅବକାରୀ ବିଭାଗ  । କାରରେ ଚୋରା ମଦ ଚାଲାଣବେଳେ ବାପୁଜୀ ନଗର ପାଣି ଟାଙ୍କି ପାଖରୁ ଜବତ କରିଛି ଅବକାରୀ ଟିମ୍ । ମଦ ମାଫିଆ ସନ୍ତୋଷ ଭୋଲକୁ ଗିରଫ କରିଛି ଅବକାରୀ ବିଭାଗ  । କାର ସହ ୨୩ ହଜାର ୮ ଶହ ଟଙ୍କା ଜବତ କରିଛି ଅବକାରୀ ଟିମ୍ । ସେପଟେ ଭୁବନେଶ୍ବର ପ୍ଲାଟଫର୍ମରୁ ଗଞ୍ଜେଇ ବୋଝେଇ ବସ୍ତା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ଵତନ୍ତ୍ର ଟିମ୍  । ଆଗକୁ ପୂଜା ଥିବାରୁ ମଦ ଦୋକାନ ବନ୍ଦ ରହିପାରେ । ଏହାକୁ ଦୃଷ୍ଟିରେ ରଖି ବସ୍ତି ଅଞ୍ଚଳକୁ ମଦ ଓ ନିଶା ଦ୍ରବ୍ୟ ଚାଲାଣ ହେଉଥିଲା  ।

ନିଶ୍ଚିହ୍ନ ହୋଇଗଲାଣି ନିଶ୍ଚିନ୍ତା ପାହାଡ଼: କ୍ରସର ମେସିନରେ ହୋଇଗଲାଣି କ୍ଷତବିକ୍ଷତ

ନିଶ୍ଚିହ୍ନ ହୋଇଗଲାଣି ନିଶ୍ଚିନ୍ତା ପାହାଡ଼ । କ୍ରସର ମେସିନରେ ହୋଇଗଲାଣି କ୍ଷତବିକ୍ଷତ । ଖାଲି ହୋଇଗଲାଣି ଖଣିଜ ପଦାର୍ଥ । ଖଣି ମାଫିଆ ଓ ଅସାଧୁ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ପଦା ହୋଇଗଲାଣି ପାହାଡ଼ । ଦେଢ଼ ଶହ କୋଟି ଟଙ୍କାର ରାଜସ୍ଵ ହରାଇଲେଣି ସରକାର । ଆଉ ଏବେ ପ୍ରଶାସନର ପଶିଛି ଚେତା । କିଏ କେତେ ନେଇଛି ଆଉ କିଏ କେତେ ଲୁଟିଛି ତାର ଖୋଜୁଛି ହିସାବ । ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ନିହଲ ପ୍ରସାଦ ଥାନା ନିଶ୍ଚିନ୍ତା ପାହାଡରେ ବେଆଇନ ଖଣି ଲୁଟ ଓ ଚୋରା ଚାଲାଣ ଘଟଣା ଏବେ ଜଳଜଳ କରି ପଦାକୁ ଆସିଛି । ପୂର୍ବରୁ ଏହି ଲୁଟକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବାରଣ ଓ ଜିଲ୍ଲା ପ୍ରଶାସନ ଦେଖାଣିଆ ଭାବେ ଉକ୍ତ ଅଞ୍ଚଳରେ ୧୬୩ ଧାରା ଲାଗୁ କରିଥିଲେ । ହେଲେ ପଥର ଚୋରା ଚାଲାଣରେ ରୋକ ଲାଗିନଥିଲା । କଳା ପଥର ଚୋରିରେ ସଂପୃକ୍ତ ଥିବା ପଥର ବ୍ୟବସାୟୀଙ୍କ ସଂପର୍କରେ ସୂଚନା ପାଇ ଜାତୀୟ ଗ୍ରୀନ ଟ୍ରିବ୍ଯୁନାଲ କଲିକତା ପକ୍ଷରୁ କିଛି କ୍ରସର କମ୍ପାନୀକୁ ନୋଟିସ କରାଯାଇଥିଲା । ରାଜ୍ୟ ସରକାରଙ୍କ ଖଣି ବିଭାଗକୁ ଗତ ୨୪ ଅକ୍ଟୋବର ୨୦୨୪ ମସିହାରୁ ଜବାବ ଦାଖଲ ପାଇଁ ଗ୍ରୀନ ଟ୍ରିବୁନାଲ ପକ୍ଷରୁ ନୋଟିସ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅତିରିକ୍ତ କାଉନସେଲ ଗତ ୧୬ ଜୁଲାଇ ୨୦୨୫ ସୁଦ୍ଧା ସତ୍ୟପାଠ ଦାଖଲ କରିନାହାନ୍ତି । ଫଳରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏ ସଂକ୍ରାନ୍ତରେ ୧ ହଜାର ଟଙ୍କାର ଜରିମାନା କରି ଆସନ୍ତା ୨୮ ଅଗଷ୍ଟ ୨୦୨୫ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିଶ୍ଚିନ୍ତା ପାହାଡ଼ର ଦୁଇ କିଲୋମିଟର ପରିଧିରେ ପ୍ରାୟ ୧୦ଟି କ୍ରସର କମ୍ପାନୀ ରହିଛି । ଏହି କମ୍ପାନୀ ଗୁଡିକ ସ୍ଥାନୀୟ ପୋଲିସ ଓ ଖଣି କର୍ମଚାରୀଙ୍କୁ ହାତ ବାରିସ କରି ବାରମ୍ବାର ପଥର ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଆସୁଛି । ତେବେ ୧୦ ଟି କ୍ରସର କମ୍ପାନୀ ମଧ୍ଯରୁ ଗୋଟିଏ କ୍ରସର ତଥା ଆରୁନି ଷ୍ଟନ କ୍ରସରକୁ ଛାଡିଦେଲେ ଅନ୍ଯ ୯ଟି କ୍ରସର କମ୍ପାନୀ ଗୁଡିକର କଞ୍ଚାମାଲ ପାଇଁ ନିଜସ୍ଵ କୌଣସି ଉତ୍ସ ନାହିଁ । ତେଣୁ କମ୍ପାନୀ ଗୁଡିକର ଅନୁମତି ପ୍ରତ୍ୟାହାର ପାଇଁ ଢେଙ୍କାନାଳ ସ୍ୱାଭିମାନ ସୁରକ୍ଷା ମଂଚ ପକ୍ଷରୁ ବହୁବାର ସରକାରଙ୍କ ନିକଟରେ ଦାବି ହୋଇ ଆସୁଛି । ଉକ୍ତ କ୍ରସର କମ୍ପାନୀ ଗୁଡିକର ଅନୁମତି ପ୍ରତ୍ୟାହାର ଯଦି ନହୁଏ ତେବେ ନିଶ୍ଚିନ୍ତା ପାହାଡରୁ ବେଆଇନ ପଥର ଚୋରାଚାଲାଣ ବନ୍ଦ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି । ଅନ୍ଯପଟେ ଏହା ଉପରେ ଆକ୍ସନ ନିଆଯାଉଛି ବୋଲି କହିଛନ୍ତି ଏସପି ।

ଆଉ ଦିନକ ପରେ ଗଣେଶ ପୂଜା: ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ

ଆଉ ଦିନକ ପରେ ଗଣେଶ ପୂଜା । ଧରାବତରଣ କରିବେ ଅଗ୍ରପୂଜ୍ୟ ଗଜାନନ । ପୂଜା ପାଇଁ ତାଳଚେରରେ ଉତ୍ସାହର ମାହୋଲ । ରାସ୍ତାରେ ବନ୍ଧା ସରିଲାଣି ଲାଇଟଗେଟ । କାରିଗର ମାନେ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବା ବେଳେ ମଣ୍ଡପ କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେଇଛନ୍ତି । ଚଳିତ ଥର ଶହେରୁ ଉର୍ଦ୍ଧ୍ଵ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ବିଘ୍ନବିନାଶକ । ୨୭ ତାରିଖରୁ ପୂଜା ଆରମ୍ଭ ହେଉଥିବା ବେଳେ ୧୦ ଦିନ ଧରି ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ଗଜାନନ ।

ତାଳଚେରର ଗଣପର୍ବ ଗଣେଶ ପୂଜା ହୋଇଥିବାରୁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗି ରହିଥାଏ । ଏଥିପାଇଁ ପୂଜା କମିଟିର ତୋରଣ ଓ ମୂର୍ତ୍ତି ଗୁଡିକୁ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଇଥାଏ । ଯାହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଯାହାକୁ ଦୃଷ୍ଟିରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତବର୍ଷ ଭଷାଣି ପୂର୍ବ ଦିନ ୪ ଟନ ବିଶିଷ୍ଟ ଲଡୁକୁ ନିଲାମ କରିବାକୁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପୂଜାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଠ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

NAC ଘୋଷଣାରେ ଅବହେଳା: ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଏମ.ରାମପୁରରେ ବିକ୍ଷୋଭ

NAC ଘୋଷଣାରେ ଅବହେଳା । ଯୋଗ୍ୟତା ଥାଇବି ଦିଆଯାଉନି NAC ମାନ୍ୟତା । ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଏମ. ରାମପୁରରେ ବିକ୍ଷୋଭ । ଏମ ରାମପୁର ଓ ନର୍ଲା ବ୍ଳକକୁ ବିଗତ ସରକାର ଏନଏସି ପାଇଁ ଘୋଷଣା କରିଥିଲେ । ହେଲେ ଗତ କିଛି ଦିନ ତଳେ ରାଜ୍ୟ ସରକାର ୧୧ ଗୋଟି ଏନଏସି ଘୋଷଣା କରିଛନ୍ତି । କିନ୍ତୁ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଓ ନର୍ଲା ବ୍ଳକ୍ ସେଥିରୁ ବାଦ ପଡିଛି । ତେଣୁ ଆଜି ନର୍ଲା ନିର୍ବାଚନମଣ୍ଡଳୀ ସ୍ଵାଭିମାନ ବିକାଶ ମଞ୍ଚ ପକ୍ଷରୁ ଏମ୍ ରାମପୁର ଓ ନର୍ଲାରେ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଯଦି ଏମ୍ ରାମପୁର ଓ ନର୍ଲାକୁ ସରକାର ଏନଏସି ଘୋଷଣା କରିବେ ନାହିଁ ତା ହେଲେ ଆଗାମୀ ଦିନରେ ସ୍ଵାଭିମାନ ବିକାଶ ମଞ୍ଚ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରିବ ବୋଲି ଚୋତାବନୀ ଦେଇଛନ୍ତି ।

ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ

ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଦେଖିବାକୁ ମିଳିଛି ବେଶ ଉତ୍ସାହ । ମହିଳାମାନେ ଘର ଲିପାପୋଛା କରୁଥିବା ବେଳେ ଲୁଗା ଦେକାନ, ପରିବା ହାଟରେ ଲୋକଙ୍କ ପ୍ରବଳ ଗହଳି । ଗ୍ରାମଦେବୀଙ୍କ ପାଖରେ ନୂଆ ଧାନ ପୂଜାର୍ଚ୍ଚନା ପରେ ଘରେ ଘରେ ନୂଆ ଧାନ ବାଣ୍ଟିଲେଣି ପୂଜାରୀ । ନୂଆଁଖାଇ ଦିନ ଇଷ୍ଟଦେବୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ନୂଆ ଖାଇବେ ସମସ୍ତେ । ସେପଟେ ଦୂରଦୂରାନ୍ତରରେ ଥିବା ଭାଇ ବନ୍ଧୁ ମାନେ ଘରକୁ ଆସିଲେଣି  ।

ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ନୂଆଁଖାଇ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏହାର ଭିନ୍ନ ସ୍ଵତନ୍ତ୍ରତା ରହିଛି । ଜିଲ୍ଲାରେ ପାଞ୍ଚ ପର୍ଯ୍ୟାୟରେ ପାଳନ ହୋଇଥାଏ ନୂଆଁଖାଇ । କିମ୍ବଦନ୍ତୀ ଅନୁସାରେ, ଜିଲ୍ଲାରେ ନୂଆଁଖାଇ ସପ୍ତପୁରୀ ଅମବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରା ଦଶମୀରେ ଶେଷ ହୁଏ । ଭାଦ୍ରବ ଶୁକ୍ଳ ପକ୍ଷ ପ୍ରଥମୀ ତିଥିରେ କେସିଙ୍ଗା ବ୍ଲକ ପଥର୍ଲା, ବାହାଦୂର ପଦର ଓ ପଲସାପଡା ଅଞ୍ଚଳର ୫ ହଜାରରୁ ଊର୍ଦ୍ଧ୍ବ ଲୋକେ ନୂଆ ଖାଇଛନ୍ତି ।

ସିନେମା ଜଗତରୁ ଆସିଲା ଦୁଃଖ ଖବର: KGF ଫିଲ୍ମର ଏହି ଅଭିନେତାଙ୍କର ପରଲୋକ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଛି ଏକ ବଡ଼ ଦୁଃଖଖବର । ସୁପରଷ୍ଟାର ୟଶଙ୍କ କେଜିଏଫ ସମେତ ବହୁ ଫିଲ୍ମରେ ଅଭିନୟ କରିଥିବା ବରିଷ୍ଠ ଅଭିନେତା ଦିନେଶ ମଙ୍ଗଲୁରୁ ଆଉ ନାହାନ୍ତି । ୫୫ ବର୍ଷ ବୟରେ ଦିନେଶ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଛନ୍ତି । ତାଙ୍କର ମୃତ୍ୟୁରେ ସିନେମା ଜଗତରେ ଶୋକର ଲହରୀ ଖେଳିଯାଇଛି । ଦୀର୍ଘସମୟ ଧରି ସେ ବୀମାର ଗ୍ରସ୍ତ ରହିଥିଲେ । ଏହା ମଧ୍ୟରେ ଅଚାନକ ତାଙ୍କର ବିୟୋଗ ଖବର ସାମ୍ନାକୁ ଆସିଛି, ଯାହାକି ସାରା ସିନେମା ଜଗତକୁ ସ୍ତବ୍ଧ କରିଦେଇଛି ।

ଦିନେଶ ଆଜି ସକାଳେ କର୍ଣ୍ଣାଟକର ଉଡୁପି ଜିଲ୍ଲାର କୁଣ୍ଡାପୁରା ସ୍ଥିତ ନିଜ ଘରେ ଅନ୍ତିମ ନିଃଶ୍ବାସ ତ୍ୟାଗ କରିଥିଲେ । ତାଙ୍କର ବିୟୋଗ ଖବର କନ୍ନଡ଼ ଫିଲ୍ ଇଣ୍ଡଷ୍ଟ୍ରିକୁ ଶୋକର ସାଗରରେ ବୁଡ଼ାଇ ଦେଇଛି । ଜଣେ ସପୋର୍ଟିଂ ଆକ୍ଟର ଭାବେ ଦିନେଶ କନ୍ନଡ଼ ଫିଲ୍ମ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ । ସୁପରଷ୍ଟାର ୟଶଙ୍କ ବ୍ଲକବଷ୍ଟର ଫିଲ୍ ‘KGF: Chapter 1’ରେ ଦିନେଶ ଶେଟ୍ଟୀଙ୍କ ରୋଲ ନିଭାଇଥିଲେ । ଦିନେଶଙ୍କ ଦମଦାର ଅଭିନୟକୁ ଦର୍ଶକ ବେଶ୍ ପ୍ରଶଂସା କରିଥିଲେ । ଉକ୍ତ ଭୂମିକା ପାଇଁ ସେ ଫିଲ୍ମର ସବୁଠାରୁ ଜଣେ ପ୍ରଭାବଶାଳୀ ଖଳନାୟକ ହୋଇପାରିଥିଲେ ।

ସଞ୍ଜୁ ସାମସନଙ୍କ ଜର୍ସିରେ କାହିଁକି ଲେଖାଯାଇଛି DHONI ? ଏହା ପଛର କାରଣ କ’ଣ ?

କେରଳ କ୍ରିକେଟ ଲିଗ୍ (କେସିଏଲ) ୨୦୨୫ରେ ଭାରତୀୟ କ୍ରିକେଟର ସଞ୍ଜୁ ସାମସନ ପୁଣି ଥରେ ଚର୍ଚ୍ଚା ସାଉଁଟୁଛନ୍ତି । ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାନ୍ୟାସନାଲ ଷ୍ଟାଡିୟମରେ ଅଗଷ୍ଟ ୨୫ରେ କୋଚି ବ୍ଲୁ ଟାଇଗର୍ସ ପାଇଁ ଖେଳି ଶତକ ଅର୍ଜନ କରିଥିଲେ ସଞ୍ଜୁ । ଉକ୍ତ ମ୍ୟାଚରେ ସଞ୍ଜୁଙ୍କ ଟିମ୍ ଅନ୍ତିମ ବଲରେ ବିଜୟ ହାସଲ କରିଥିଲା । ଏହି ଅବସରରେ ସଞ୍ଜୁ ମଧ୍ୟ ଚର୍ଚ୍ଚାରେ ରହିଥିଲେ । ସଞ୍ଜୁଙ୍କ ଜର୍ସି ଉପରେ ’ଧୋନୀ’ ଲେଖାଯାଇଥିବାରୁ ତାଙ୍କୁ ଅନେକଙ୍କୁ ଚକିତ କରିଦେଇଥିଲା । ତେବେ କ’ଣ ପାଇଁ ସଞ୍ଜୁଙ୍କ ଜର୍ସିରେ ’ଧୋନୀ’ ଲେଖାଯାଇଥିଲା ?

ସଞ୍ଜୁ କେରଳର ଜଣେ ବଡ଼ କ୍ରିକେଟ ତାରକା ଭାବେ ପରିଗଣିତ ଅଟନ୍ତି । କେସିଏଲ ୨୦୨୫ ଅକ୍ସନରେ ତାଙ୍କୁ କୋଚି ବ୍ଲୁ ଟାଇଗର୍ସ ରେକର୍ଡ ମନି ୨୬.୭୫ ଲକ୍ଷରେ କିଣିଥିଲା । ସଞ୍ଜୁ ଏହି ଲିଗର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରୁ ସଞ୍ଜୁ ନିଜ ଟିମ୍ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ତାଙ୍କର ବଡ଼ ଭାଇ ସୈଲୀ ସାମସନ ସଞ୍ଜୁଙ୍କ ଟିମର ଅଧିନାୟକ ରହିଛନ୍ତି । ଏହି ମୁକାବିଲା ଅବସରରେ ସଞ୍ଜୁ ନିଜର ଇନିଂସ ସହିତ ନିଜ ଜର୍ସିରେ ’ଧୋନୀ’ ନାମ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତ କଥା ହେଉଛି, ’ଧୋନୀ’ ନାମ କୋଚି ବ୍ଲୁ ଟାଇଗର୍ସର ଜର୍ସିରେ ଏକ ସ୍ପନସର ଭାବେ ଛପା ଯାଇଛି । ଏହା ’ଧୋନୀ ଆପ’ର ଲୋଗୋ ଅଟେ, ଯାହା ଏହି ଟିମର ଅଫିସିଆଲ ସ୍ପନସର ଅଟେ । ସବୁ ଖେଳାଳିଙ୍କ ଜର୍ସିରେ ଏହି ଲୋଗୋ ରହିଛି ଓ ସଞ୍ଜୁ ମଧ୍ୟ ଏହାର ଅଂଶ ଅଟନ୍ତି ।

ରାୟଗଡ଼ାରେ ବେଦାନ୍ତ ଆଲୁମିନିୟମର ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍, ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ସହିତ ମିଶି ରାୟଗଡ଼ାର କାଶୀପୁର ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରିଥିଲା। ଏହି ପଦକ୍ଷେପ କାଶୀପୁର ବ୍ଲକ ଏବଂ ନିକଟସ୍ଥ ଗ୍ରାମଗୁଡ଼ିକର ୧୬୫ରୁ ଅଧିକ ବାସିନ୍ଦାଙ୍କୁ ଉପକୃତ କରିଥିଲା, ଯାହା ଗୋଷ୍ଠୀ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ବୃଦ୍ଧି ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଇଥିଲା।

ଏହି ଶିବିରରେ ମୋତିଆବିନ୍ଦୁ ଏବଂ ଅନ୍ୟାନ୍ୟ ଚକ୍ଷୁ ସମ୍ବନ୍ଧୀୟ ସମସ୍ୟାର ପ୍ରାରମ୍ଭିକ ଚିହ୍ନଟ ଉପରେ ଧ୍ୟାନ ଦିଆଯାଇଥିଲା।ଯାହାଦ୍ୱାରା ସମୟୋଚିତ ଚିକିତ୍ସା ସମ୍ଭବ ହୋଇପାରିବ ଏବଂ ଗ୍ରାମାଞ୍ଚଳରେ ଚକ୍ଷୁ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି କରାଯାଇ ପାରିବ। କାଶୀପୁରର ଭାରପ୍ରାପ୍ତ ଇନ୍ସପେକ୍ଟର ଦେବବ୍ରତ ମଲ୍ଲିକ, କାଶୀପୁରର ସିଏଚସି ମୁଖ୍ୟ ଡକ୍ଟର ନେତ୍ରାନନ୍ଦ ନାୟକଙ୍କ ଉପସ୍ଥିତିରେ ସ୍ଥାନୀୟ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ପ୍ରଦାୟ ପ୍ରତିନିଧିଙ୍କ ସହିତ ଏହାକୁ ଉଦଘାଟନ କରିଥିଲେ।

ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ବେଦାନ୍ତ ଆଲୁମିନିୟମରେ, ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧତା ନିଶ୍ଚିତ କରିବା ଆମର ସମ୍ପ୍ରଦାୟ ବିକାଶ ପ୍ରୟାସର ଏକ ମୂଳଦୁଆ। ଚକ୍ଷୁ ଶିବିର ଭଳି ପଦକ୍ଷେପ ମାଧ୍ୟମରେ, ଆମେ ଅତ୍ୟାବଶ୍ୟକ ଚିକିତ୍ସା ସେବାକୁ ସେହି ସମ୍ପ୍ରଦାୟଗୁଡ଼ିକ ନିକଟକୁ ଆଣିବାକୁ ଚେଷ୍ଟା କରୁଛୁ ଯେଉଁମାନଙ୍କୁ ସେମାନଙ୍କୁ ସବୁଠାରୁ ଅଧିକ ଆବଶ୍ୟକତା ଅଛି। ଏହି ପ୍ରୟାସଗୁଡ଼ିକ ସମାଜକୁ ସୁସ୍ଥ, ଅଧିକ ସୂଚନା ପ୍ରଦ ଜୀବନଯାପନ କରିବା ପାଇଁ ସଶକ୍ତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।”

କମ୍ପାନୀର ପ୍ରୟାସକୁ ପ୍ରଶଂସା କରି, କମ୍ୟୁନିଟି ହେଲଥ ସେଣ୍ଟରର ମୁଖ୍ୟ ଡକ୍ଟର ନେତ୍ରାନନ୍ଦ ନାୟକ କହିଛନ୍ତି, “ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ କରିବାରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ଚକ୍ଷୁ ସ୍ୱାସ୍ଥ୍ୟ ସଚେତନତାକୁ ଆଗକୁ ବଢାଇବା ଏବଂ ଆମ ସମ୍ପ୍ରଦାୟ ପାଇଁ ଗୁଣାତ୍ମକ ସେବାକୁ ଅଧିକ ସୁଲଭ କରିବାରେ ବେଦାନ୍ତ ଆଲୁମିନିୟମର ସହଭାଗୀତାକୁ ଆମେ ପ୍ରଶଂସା କରୁଛୁ।”

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଭିତ୍ତିଭୂମି ଏବଂ ତୃଣମୂଳ କ୍ରୀଡା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରି ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ରହିଛି। ଏହି ପ୍ରୟାସଗୁଡ଼ିକ ବେଦାନ୍ତ ଆଲୁମିନିୟମର କାର୍ଯ୍ୟକ୍ଷମ କ୍ଷେତ୍ର ମଧ୍ୟରେ ଏବଂ ବାହାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ, ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ଏବଂ ଉନ୍ନତି ପାଇଁ ସମ୍ପ୍ରଦାୟ ଅବଦାନର ଭାବନାକୁ ପ୍ରୋତ୍ସାହିତ କରେ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଦୃଢ ସାମାଜିକ- ଆର୍ଥିକ ପ୍ରଗତି ଆଡ଼କୁ ନେଇଯାଏ।

ବେଦାନ୍ତ ଲିମିଟେଡର ଏକ ବ୍ୟବସାୟ, ବେଦାନ୍ତ ଆଲୁମିନିୟମ୍, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଯାହା ଆର୍ଥିକ ବର୍ଷ ୨୫ ମସିହାରେ ଭାରତର ଅଧାରୁ ଅଧିକ ଅର୍ଥାତ୍ ୨.୪୨ ନିୟୁତ ଟନ ଆଲୁମିନିୟମ ଉତ୍ପାଦନ କରିଛି। ଏହା ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦରେ ଏକ ନେତା ଯାହା ମୁଖ୍ୟ ଶିଳ୍ପଗୁଡ଼ିକରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ ଖୋଜେ। ଆଲୁମିନିୟମ ଶିଳ୍ପ ପାଇଁ S&P ଗ୍ଲୋବାଲ କର୍ପୋରେଟ ସଷ୍ଟେନେବିଲିଟି ଆସେସମେଣ୍ଟ୍ ୨୦୨୪ ବିଶ୍ୱ ରାଙ୍କିଂରେ ବେଦାନ୍ତ ଆଲୁମିନିୟମ ଦ୍ବିତୀୟ ସ୍ଥାନରେ ଅଛି, ଯାହା ଏହାର ପ୍ରମୁଖ ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ। ଭାରତରେ ଏହାର ବିଶ୍ୱସ୍ତରୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନା ରିଫାଇନାରୀ ଏବଂ ପାୱାର ପ୍ଲାଣ୍ଟ ସହିତ, କମ୍ପାନୀ ଏକ ସବୁଜ ଆସନ୍ତାକାଲି ପାଇଁ ‘ଭବିଷ୍ୟତର ଧାତୁ’ ଭାବରେ ଆଲୁମିନିୟମର ଉଦୀୟମାନ ପ୍ରୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବାର ଏହାର ଲକ୍ଷ୍ୟ ପୂରଣ କରୁଛି।