spot_img
Home Blog Page 4550

ହଟସ୍ପଟ ପାଲଟିଛି ଚୀନର ସାଂଘାଇ ସହର, ତିଦିନ ୨୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ

ସାଂଘାଇ: ପୁଣି ଚୀନରେ କରୋନା ବିସ୍ଫୋଟ । ହଟସ୍ପଟ ପାଲଟିଛି ସାଂଘାଇ ସହର । ବଢୁଛି କରୋନାର ଓମିକ୍ରନ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା । ଦିନକୁ ଦିନ ସ୍ଥିତି ବିଗିଡୁଛି । ଚୀନର ସବୁଠୁ ବଡ଼ ବ୍ୟବସାୟିକ ପେଣ୍ଠସ୍ଥଳୀ ସାଂଘାଇ ସହରରେ ସଂକ୍ରମଣ ଶୀର୍ଷ ଛୁଇଁଛି । ପ୍ରତିଦିନ ୨୦ ହଜାରରୁ ଅଧିକ କେସ୍‌ ଚିହ୍ନଟ ନେଇ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ । କଡ଼ା କଟକଣା, ସାମୂହିକ କୋଭିଡ୍ ପରୀକ୍ଷା, ସଂଗରୋଧ ସତ୍ତ୍ବେ ସଂକ୍ରମଣ କମିବାର ନାଁ ଧରୁନି । ଅଧିକ କେସ୍‌ ଲକ୍ଷଣହୀନ ଥିବାରୁ ସ୍ଥିତି ଅଧିକ ଚିନ୍ତାଜନକ ହୋଇଛି ।

ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କ ସହ ଚୀନ ଆର୍ମିର ମେଡିକାଲ ଷ୍ଟାଫଙ୍କୁ ମଧ୍ୟ କୋଭିଡ୍‌ ଡ୍ୟୁଟିରେ ସାମିଲ କରାଯାଇଛି । ସାଂଘାଇ ହସ୍ପିଟାଲରେ ମିଲିଟାରୀ ଡାକ୍ତର ନିଯୁକ୍ତ ହୋଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଚୀନ ସରକାର ସାଂଘାଇ ସହରରେ ତିନି ଥର ସାମୂହିକ କୋଭିଡ୍‌ ଟେଷ୍ଟ କରାଇଥିଲେ ବି ଭୂତାଣୁକୁ କାବୁ କରାଯାଇପାରିନାହିଁ । ତେବେ କଡ଼ା ଲକଡାଉନ କଟକଣା ଯୋଗୁ ଖାଦ୍ୟ ଯୋଗାଣ ଅତ୍ୟଧିକ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ, ଦେଶରେ କିଛି ଦିନ ପରେ ପୁଣି ଏକ ହଜାର ଅତିକ୍ରମ କରିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୧,୧୦୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୩,୦୬୭କୁ ବୃଦ୍ଧି ପାଇଛି। ସେହିପରି ୧,୨୧୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୦,୦୦୨ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୫୭୩ରେ ପହଞ୍ଚିଛି।

ପ୍ରେମିକକୁ ଧରି ଥାନାରେ ଦେଇଥିଲେ, ବାହା କରାଇଦେଲା ପୋଲିସ

ଦେବଗଡ଼: ଦୀର୍ଘ ସାତ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲେ ମଧ୍ୟ ପ୍ରେମୀ ଯୁଗଳ ଭିନ୍ନ ଜାତିର ଥିବାରୁ ବିବାହ ପାଇଁ ସ୍ୱୀକୃତି ଦେଉନଥିଲେ ପରିବାର ଓ ଜାତି ସମାଜ । ଲୁଚିଛପି ପ୍ରେମିକାକୁ ସାକ୍ଷାତ ପାଇଁ ଆସିଥିବାବେଳେ ପ୍ରେମିକାର ଭାଇ ହାତରେ ଧରା ପଡି ପୋଲିସ ହେପାଜତକୁ ଯାଇଥିଲା ପ୍ରେମିକ । ଶେଷରେ ଆଦର୍ଶ ଥାନା ପୋଲିସ ପକ୍ଷରୁ ଉଭୟ ପରିବାର ଓ ସମାଜର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଉଭୟ ପରିବାରଙ୍କୁ ବୁଝାସୁଝା ପରେ ଆଜୀବନ ସାଥି ହୋଇଥିଲେ ପ୍ରେମୀ ଯୁଗଳ । ମନ୍ଦିରରେ ବିବାହ ପରେ କୋର୍ଟ ମ୍ୟାରେଜ ପାଇଁ ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ ସହ ଥାନା ମଧ୍ୟରେ ଉଭୟ ପ୍ରେମୀ ଯୁଗଳ ପରସ୍ପରଙ୍କୁ  ସାଥି ଭାବେ ଗ୍ରହଣ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ବାରକୋଟ ଥାନା ଅନ୍ତର୍ଗତ ଡାଁରା ଗ୍ରାମର ରଞ୍ଜିତ ବିଶ୍ୱାଳ ଦେବଗଡ଼ ଥାନା ଅନ୍ତର୍ଗତ ମାକରମୁଣ୍ଡା ଗ୍ରାମର ଆରତୀ ନାମ୍ନୀ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ରହି ଆସିଥିଲା । ମାତ୍ର ଉଭୟ ଭିନ୍ନ ଜାତିର ଥିବାରୁ ଉଭୟଙ୍କ ପରିବାର ଲୋକ ବିବାହକୁ ସ୍ୱୀକୃତି ଦେଇ ନଥିଲେ । ଗତ ମଙ୍ଗଳବାର ଦିନ ରଞ୍ଜିତ ଆରତୀଙ୍କୁ ଦେଖା କରିବା ପାଇଁ ମାକରମୁଣ୍ଡା ଗ୍ରାମକୁ ଆସିଥିବାବେଳେ ଆରତୀଙ୍କ ପରିବାର ଲୋକ ରଞ୍ଜିତଙ୍କୁ କାବୁ କରି ଦେବଗଡ଼ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ପୋଲିସ ହସ୍ତକ୍ଷେପ ଫଳରେ ସମସ୍ୟାର ସମାଧାନ ହେବା ସହ ଉଭୟ ପ୍ରେମୀ ଯୁଗଳଙ୍କ ମିଳନ ସମ୍ଭବ ହୋଇ ଥିବାରୁ ଉଭୟ ଖୁସି ବ୍ୟକ୍ତ କରିଛନ୍ତି  ।

ଇମ୍ରାନ ଖାନଙ୍କ ପୂର୍ବରୁ କେତେ ଜଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ ? ଜାଣନ୍ତୁ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ସଙ୍କଟ ବଢିବାରେ ଲାଗିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏପ୍ରିଲ୍ ୩ରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ଷଡ଼ଯନ୍ତ୍ର ଦର୍ଶାଇ ଡେପୁଟି ସ୍ପିକର ଖାରଜ କରି ଦେଇଥିଲେ । ଯାହାକୁ ବିରୋଧ କରି ବିରୋଧୀ ସୁପ୍ରିମକୋର୍ଟ ଯାଇଥିଲେ । ଯାହା ଉପରେ ସୁପ୍ରମିକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ କରାଯିବ । ଯଦି ଅନାସ୍ଥା ପ୍ରସ୍ତାବ ସଫଳ ହୁଏ ତ ନୂଆ ପ୍ରଧାନମନ୍ତ୍ରୀ ବଛାଯିବ ବୋଲି ସୁପ୍ରିମକୋର୍ଟ ରାୟରେ କହିଛନ୍ତି ।

ବିଶେଷ କଥା ହେଉଛି ଇମ୍ରାନ ପ୍ରଥମ ପ୍ରଧାନମନ୍ତ୍ରୀ ନୁହଁନ୍ତି ଯାହାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । ତାଙ୍କ ପୂର୍ବରୁ ଏମିତି କେତେ ଜଣ ପ୍ରଧାନମନ୍ତ୍ରୀ ଥିଲେ ଯାହାଙ୍କ ବିରୋଧରେ ପୂର୍ବରୁ ଅନାସ୍ଥା ପ୍ରସ୍ତାବ ଆସିସାରିଛି ।

ବେନାଜିର ଭୁଟ୍ଟୋଙ୍କ ଅନାସ୍ଥା ପ୍ରସ୍ତାବ

ଅନୁଭବି ପାକିସ୍ତାନୀ ନେତା ଜୁଲଫିକର ଅଲି ଭୁଟ୍ଟୋଙ୍କ ଝିଅ ବେନଜିର ପାକିସ୍ତାନର ପୁରୁଷ ପ୍ରାଧାନ୍ୟ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇ ଇତିହାସ ସୃଷ୍ଟି କରିଛନ୍ତି ।

ତେବେ ଏହି ଅନାସ୍ଥା ପ୍ରସ୍ତାବକୁ ସାମ୍ନା କରିଥିବା ପ୍ରଥମ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ହେବା ପାଇଁ ବେନଜିର ଭୁଟ୍ଟୋ ହିଁ ଦାୟୀ ଥିଲେ । ୧୯୮୯ରେ ଭୁଟ୍ଟୋଙ୍କ ବିରୋଧରେ ପାକିସ୍ତାନର ପ୍ରଥମ ଅନାସ୍ଥା ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ବେନଜି ନିଜ ବିରୋଧରେ ସଂସଦୀୟ ପ୍ରକ୍ରିୟାରେ ଜିତିଥିଲେ ଏବଂ ସରକାର ବଜାୟ ରଖିବାରେ ସଫଳ ହୋଇଥିଲେ।

ସଂସଦର ୨୩୭ଜଣ ସଦସ୍ୟଙ୍କ ମଧ୍ୟରୁ ୧୦୭ଜଣ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିବାବେଳେ ୧୨୫ଜଣ ଭୁଟ୍ଟୋଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି ଏବଂ ପାଞ୍ଚଜଣ ଏଥିରୁ ନିବୃତ୍ତ ହୋଇଥିଲେ । ପ୍ରଥମ ଅନାସ୍ଥା ପ୍ରସ୍ତାବ ନୱାଜ ସରିଫହିଁ ଆଣିଥିଲେ ।

୨୦୦୬ରେ ଶୌକତ ଅଜିଜ୍

ପାକିସ୍ତାନ ଇତିହାସରେ ଦ୍ୱିତୀୟ ଅନାସ୍ଥା ପ୍ରସ୍ତାବ ୨୦୦୬ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶୌକତ ଅଜିଜଙ୍କ ବିରୋଧରେ ଅଣାଯାଇଥିଲା। ତଥାପି, ଶୌକତ ମଧ୍ୟ ଅନାସ୍ଥା ପ୍ରସ୍ତାବ ଭୋଟରୁ ବଞ୍ଚିଯାଇଥିଲେ । ୨୦୧ ଭୋଟ ସହିତ ସେ ତାଙ୍କ ସରକାର ବଜାୟ ରଖିବାରେ ସଫଳ ହୋଇଥିଲେ । ୨୦୦୪ ରେ ଅଜିଜ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ।

ଦୁର୍ନୀତିର ଅଭିଯୋଗ ଆଧାରରେ ଅଜିଜଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଅଜିଜ ଏହି ଦାବିକୁ ଅସ୍ୱୀକାର କରି କହିଥିଲେ ଯେ, ବିରୋଧୀଦଳ “ନକାରାତ୍ମକ ରାଜନୀତି” କରୁଛନ୍ତି  ।

ଏପର୍ଯ୍ୟନ୍ତ କୌଣସି ଅନାସ୍ଥା ପ୍ରସ୍ତାବ ସଫଳ ହୋଇନାହିଁ

ଇମ୍ରାନ ଖାନଙ୍କ ସମେତ ପାକିସ୍ତାନରେ ଏପର୍ଯ୍ୟନ୍ତ ସୁଧା ମୋଟ ୩ଜଣ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ତିନୋଟି ଅନାସ୍ଥା ପ୍ରସ୍ତାବ ଆସିଛି । କିନ୍ତୁ ଏଥିରୁ କୌଣସିଟି ବି ଫଳପ୍ରଦ ହୋଇନାହିଁ। ଉଭୟ ବେନାଜିର ଭୁଟ୍ଟୋ ଏବଂ ଶୌକତ ଅଜିଜ ସଂଖ୍ୟାଗରିଷ୍ଠତା ସହ ବିଧାନସଭାରେ ସେମାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ  ଜିତିଥିଲେ।

ତେବେ ଅନାସ୍ଥା ପ୍ରସ୍ତାବରେ ଯଦି ଇମ୍ରାନ ଖାନ ପରାଜୟ ହୁଅନ୍ତୁ ତେବେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯାହାଙ୍କ ବିରୋଧରେ ମହାଭିଯୋଗ ଆସିବ । ଯଦି ଆସନ୍ତାକାଲିର ଅନାସ୍ଥା ପ୍ରସ୍ତାବରେ ଇମ୍ରାନ ଖାନ ହାରିଯାଆନ୍ତି, ତେବେ ସେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ ଯିଏ ଅନାସ୍ଥା ପ୍ରସ୍ତାବ କାରଣରୁ ମହାଭିଯୋଗ ଚାଲିବ ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଇତିହାସରେ ପାକିସ୍ତାନର କୌଣସି ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ତାଙ୍କର ୫ ବର୍ଷର କାର୍ଯ୍ୟକାଳ ପୂରଣ କରିପାରି ନାହାଁନ୍ତି ।

କୌଣସି ପ୍ରଧାନମନ୍ତ୍ରୀ ପାକିସ୍ତାନ ଇତିହାସରେ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିପାରି ନାହାଁନ୍ତି

ଦେଶର ପ୍ରଥମ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ପରେ ଆରମ୍ଭ ହୋଇଥିଲା ଏହି ଦୌଡ଼ । ହତ୍ୟା ପରେ ମୁସଲିମ୍ ଲିଗ୍ ଏବଂ ଅନ୍ୟ ନେତାଙ୍କ ମଧ୍ୟରେ ଲଗାତାର କ୍ଷମତା ଦୌଡ଼ରେ ୧୯୫୧ ରୁ ୫୬ ପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ଚାରିଜଣ ପ୍ରଧାନମନ୍ତ୍ରୀଙ୍କୁ ବଦଳା ଯାଇଥିଲା  ।

ସରିଲା ୪୮ ଘଣ୍ଟାର ମାରାଥନ ରେଡ୍, ଗିରଫ ହେଲେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ

ଭଞ୍ଜନଗର: ଭଞ୍ଜନଗରର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ସରିଲା ଭିଜିଲାନ୍ସ ଚଢ଼ାଉ । ୪୮ ଘଣ୍ଟାର ମାରାଥନ ରେଡ୍ ସରିବା ପରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । କଳିଙ୍ଗ ନଗର ଅପାର୍ଟମେଣ୍ଟରୁ କେବଳ ମିଳିଛି ନଗଦ ୨ କୋଟି ୫୦ ହଜାର ଟଙ୍କା । ଭିଜିଲାନ୍ସ ରେଡ୍ ସମୟରେ ମୋଟ ୨ କୋଟି ୩ ଲକ୍ଷ ଟଙ୍କା ଠାବ ହୋଇଛି । ରେଡ୍ ସମୟରେ ଠାବ ହୋଇଥିବା ଟଙ୍କାକୁ ୩ଟି ଆଟାଜିରେ ନେଇ ଆସିଛି ଭିଜିଲାନ୍ସ । ଭିଜିଲାନ୍ସ ରେଡ୍‌ ବେଳେ ରେକର୍ଡ କ୍ୟାସ ଜବତ କରିଛି ଭିଜିଲାନ୍ସ । ସାରାରାତି ହୋଇଥିଲା କଳା ସମ୍ପତ୍ତିର ହିସାବ । ଟଙ୍କା ଗଣିବା ପାଇଁ ଏକାଧିକ ମେସିନ୍‌ ନିୟୋଜିତ ହୋଇଥିଲା ।

୨ କୋଟିରୁ ଅଧିକ ଟଙ୍କା ଜବତ ସହ ଅଧକେଜିରୁ ଅଧିକ ଓଜନର ସୁନା ବିସ୍କେଟ ଜବତ ହୋଇଛି । ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ଖଣ୍ଡଗିରିରେ ଦୁଇଟି ଫ୍ଲାଟ୍ ଓ ଜାଗମରାରେ ଗୋଟିଏ ଦୁଇ ମହଲା ଅଟ୍ଟାଳିକା ରହିଛି । ଭୁବନେଶ୍ୱରରେ ୭ଟି ପ୍ଲଟ ସହ ରହିଛି ୩୭ ଲକ୍ଷ ୨୩ ହଜାର ଟଙ୍କାର ଇନସୁରାନ୍ସ ଜମା । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଗଞ୍ଜାମ ଓ ଭୁବନେଶ୍ବରରେ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

 

ବାଲି ଖନନକୁ ନେଇ ଗ୍ରାମବାସୀ-ବାଲି ମାଫିଆ ମୁହାଁମୁହିଁ

ଜଳେଶ୍ୱର: ଚୋରା ବାଲି ଖନନକୁ ନେଇ ଗ୍ରାମବାସୀ ବାଲି ମାଫିଆ ମୁହାଁମୁହିଁ । ଘଟଣାସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇଛି । ଜଳେଶ୍ୱର ତହସିଲ ଦକ୍ଷିଣ ପ୍ରହରାଜପୁର ନିକଟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନା ଅନୁସାରେ ପ୍ରତିଦିନ ରାତି ହେଲେ ବେଆଇନ ବାଲି ଖନନ ହେଉଛି । ପ୍ରଶାସନକୁ ବାରମ୍ବାର ଜଣାଇବା ସତ୍ତ୍ୱେ ମଧ୍ୟ ଚୋରା ବାଲି ଖନନରେ ରୋକ୍‌ ଲଗାଇ ପାରୁ ନଥିଲା ପ୍ରଶାସନ। ଯାହାକୁ ନେଇ ଆଜି ଗ୍ରାମବାସୀ ଉତ୍ୟକ୍ତ ହୋଇ ୧୦ରୁ ଉର୍ଦ୍ଧ୍ୱ ବାଲି ବୋଝେଇ ଟ୍ରାକ୍ଟର ଅଟକାଇଛନ୍ତି । ଯାହା ଫଳରେ ବାଲିମାଫିଆଙ୍କ ସହ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ।

କୁତବ ମିନାରରେ ରଖାଯାଇଥିବା ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ !

ନୂଆଦିଲ୍ଲୀ: କୁତବ ମିନାରରେ ରଖାଯାଇଥିବା ଭଗବାନ ଗଣେଶଙ୍କ ପ୍ରତିମାକୁ ନେଇ ବିବାଦ ବଢିବାରେ ଲାଗିଛି । ପୂର୍ବରୁ କୁହାଯାଇଥିଲା ଯେ ଏହି ମୂର୍ତ୍ତିଗୁଡ଼ିକୁ ସେଠାରୁ ହଟାଇ ଏକ ସମ୍ମାନଜନକ ସ୍ଥାନରେ ରଖାଯିବା ଉଚିତ, ବର୍ତ୍ତମାନ ବିଜେପି କାଉନସିଲର ଦାବି କରିଛନ୍ତି ଯେ ମୂର୍ତ୍ତିଗୁଡ଼ିକୁ କୁତବ ମିନାରରେ ହିଁ ଠିକ୍ ସ୍ଥାନରେ ରଖାଯିବା ଉଚିତ ଏବଂ ସେଠାରେ ହିଁ ଆଳତି ଓ ପୂଜାପାଠ କରାଯିବା ଉଚିତ୍ । ସୂଚନା ଅନୁସାରେ କୁତୁବ୍ ମିନାରରେ ମନ୍ଦିର ଏବଂ ଦେବଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଅପମାନଜନକ ଭାବେ ରଖିବାର ବିବାଦ ଦୀର୍ଘ ଦଶନ୍ଧି ପୁରୁଣା । କିନ୍ତୁ ବର୍ତ୍ତମାନ ସ୍ଥାନୀୟ ନିଗମ କାଉନସିଲର ଆରତୀ ସିଂ ଦାବି କରିଛନ୍ତି ଯେ ୨୦୦୦ମସିହା ପର୍ଯ୍ୟନ୍ତ ଲୋକମାନେ କୁତବ ମିନାରରେ ଅବସ୍ଥିତ ପ୍ରାଚୀନ ମନ୍ଦିରକୁ ପୂଜା କରିବାକୁ ଆସୁଥିଲେ, ଯାହାକି କିଛି କାରଣରୁ ବନ୍ଦ ହୋଇଯାଇଥିଲା ।

ମହରୋଲିରେ ବିଜେପିର କାଉନସିଲର ଆରତୀ ସିଂ ଦାବି କରିଛନ୍ତି ଯେ କୁତବ ମିନାର ପ୍ରକୃତରେ ଏକ ମନ୍ଦିର ଥିଲା। ଆଜି ବି କୁତବ ମିନାର ଭିତରେ ଦେବତା ଏବଂ ଦେବୀଙ୍କ ମୂର୍ତ୍ତିର ଅବଶିଷ୍ଟାଂଶ ଦେଖିବାକୁ ମିଳୁଛି । ଆରତୀ ଅଭିଯୋଗ କରିଛନ୍ତି ଯେ କୁତବ ମିନାରରେ ଥିବା ମସଜିଦ ପରିସରରେ ଭଗବାନଙ୍କ ମୂର୍ତ୍ତିଗୁଡ଼ିକୁ ଅପମାନିତ କରାଯାଉଛି।

ଏହାପୂର୍ବରୁ ବୁଧବାର ରାଷ୍ଟ୍ରୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଥିଲା। ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ୍ ଇଣ୍ଡିଆ (ASI) କୁ NMA ଦ୍ୱାରା ଏକ ଚିଠି ମଧ୍ୟ ଲେଖାଯାଇଛି  । ଏଥିରେ ଦର୍ଶାଯାଇଛି ଯେ ଭଗବାନ ଗଣେଶଙ୍କ ମୂର୍ତ୍ତିଗୁଡ଼ିକୁ କୁତବ ମିନାରରେ ଅପମାନଜନକ ଢଙ୍ଗରେ ରଖାଯାଇଛି ଏବଂ ସେମାନଙ୍କୁ ସେଠାରୁ ହଟାଇ ଜାତୀୟ ସଂଗ୍ରହାଳୟରେ ରଖାଯିବା ଉଚିତ ।

ଭଗବାନ ଗଣେଶଙ୍କ ପ୍ରତିମାକୁ ନେଇ ବିବାଦ କ’ଣ?

ମୁଖ୍ୟ ଫାଟକରୁ କୁଟୁବ ମିନାର ଭିତରକୁ ଯିବା ମାତ୍ରେ କୁୱାୱାଟୁଲ ଇସଲାମ ମସଜିଦର ଫାଟକ ରହିଥାଏ । କୁୱାୱାଟୁଲ ଇସଲାମର ଅର୍ଥ ହେଉଛି ଇସଲାମର ଶକ୍ତି । ବଲିଉଡ଼ ଫିଲ୍ମ ଫନା ସମେତ ଅନେକ ଚଳଚ୍ଚିତ୍ର ଏହାର ଚାରିପାଖରେ ନିର୍ମିତ ହଲୱେରେ ସୁଟିଂ କରାଯାଇଛି । ମସଜିଦ ବାହାରେ ଥିବା ଲେଖାରେ ଏହା ସ୍ପଷ୍ଟ ଭାବରେ ଲେଖା ହୋଇଛି ଯେ ହଲୱେ ସ୍ତମ୍ଭର ନିର୍ମାଣ ସାମଗ୍ରୀ ୨୭ ହିନ୍ଦୁ ଏବଂ ଜୈନ ଲୋକଙ୍କ ମନ୍ଦିରରୁ ନିଆଯାଇଛି । ଏହା ଉପରେ କାଉନସିଲର ଆରତୀ ସିଂଙ୍କ ଦାବି ରହିଛନ୍ତି ଯେ ପ୍ରତ୍ନତତ୍ତ୍ୱ ବିଭାଗ ଏଠାରେ ପୁଣିଥରେ ଭଗବାନ ଗଣେଶଙ୍କ ପ୍ରତିମା ତିଆରି କରିବା ଉଚିତ ଏବଂ ଏଠାରେ ପୂଜାପାଠ କରାଯିବା ଉଚିତ୍। କୁତବ ମିନାର ପାଖରେ ଅବସ୍ଥିତ ଯୋଗମାୟା ମନ୍ଦିରର ପୁରୋହିତମାନେ ଦାବି କରିଛନ୍ତି ଯେ କୁତବ ମିନାର ଭିତରେ ଭଗବାନ ଗଣେଶଙ୍କୁ ବହୁ ବର୍ଷ ପୂଜା କରାଯାଉଥିଲା। ସେମାନେ ଦାବି କରିଛନ୍ତି ଯେ ଏହି ମନ୍ଦିରଟି ରାଜା ପୃଥ୍ୱୀରାଜ ଚୌହାନଙ୍କ ଦ୍ୱାରା ନିର୍ମିତ ହୋଇଛି । ପାରମ୍ପାରିକ ଉପାୟରେ ଏଠାରେ ପୂଜାପାଠ କରାଯାଇଥିଲା, କିନ୍ତୁ ଯେତେବେଳେ ମୋଗଲମାନେ ଭାରତକୁ ଆସିଲେ, ଏହି ମନ୍ଦିରଗୁଡିକ ଭାଙ୍ଗି ମସଜିଦରେ ପରିଣତ କରାଯାଇଥିଲା । ଏହାସହ ଦାବି କରାଯାଇଛି ଯେ ୨୦୦୦ବର୍ଷ ପର୍ଯ୍ୟନ୍ତ ସେ କୁତବ ମିନାର ଭିତରେ ଭଗବାନଙ୍କ ଆରତିରେ ଭାଗ ନେଇଛନ୍ତି। ପାରମ୍ପାରିକ ପୁରୋହିତଙ୍କ ପରିବାର ଦାବି କରିଛନ୍ତି ଯେ ମୋଗଲମାନଙ୍କ ଦ୍ୱାରା ଭାଙ୍ଗିଯାଇଥିବା ମନ୍ଦିରକୁ ପୁନଃସ୍ଥାପିତ କରାଯାଉ ଏବଂ ସେଠାରେ ପାରମ୍ପାରିକ ପୂଜାର୍ଚ୍ଚନା ହେଉ ।

ଝାରପଡ଼ା ହାଟରୁ ଜବରଦଖଲ ଉଚ୍ଛେଦ କଲା ବିଡିଏ, ନିର୍ମାଣ ହେବ ଅତ୍ୟାଧୁନିକ ମାର୍କେଟ୍ କଂପ୍ଲେକ୍ସ

ଭୁବନେଶ୍ୱର: ଝାରପଡ଼ା ଗଣେଶ ମଣ୍ଡପ ନିକଟରେ ଥିବା ଝାରପଡ଼ା ହାଟକୁ ଉଚ୍ଛେଦ କରିଛି ବିଡିଏ । ଏଠାରେ ପ୍ରାୟ ୩ ଶହ ଦୋକାନ ଭଙ୍ଗାଯାଉଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧୦ରୁ ଅଧିକ ଜେସିବି ସହାୟତାରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଝାରପଡ଼ା ହାଟ ବଣିକ ସଂଘ ଉଚ୍ଛେଦକୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଠାରେ ଏକ ଅତ୍ୟାଧୁନିକ ନେବର ହୁଡ୍ ମାର୍କେଟ୍ କମପ୍ଲେକ୍ସ ନିର୍ମାଣ ହେବ । ସାଧାରଣ ପ୍ରଶାସନର ପ୍ରାୟ ୩ ଏକର ୨୪୭ ଡିସିମିଲି ଜମି ବିଡିଏକୁ ହସ୍ତାନ୍ତର କରାଯାଇଛି । ଏହି ଜମିକୁ ଦୀର୍ଘଦିନ ଧରି ଜବରଦଖଲରେ ରଖିଥିଲେ କିଛି ବ୍ୟବସାୟୀ । ତେବେ ଆଜି ଏହି ଜବରଦଖଲକୁ ଉଚ୍ଛେଦ କରିଛି ବିଡିଏ । ଆଜିର ଉଚ୍ଛେଦ ପୂର୍ବରୁ ବିଡିଏ ପକ୍ଷରୁ ଆଗୁଆ ନୋଟିସ ଦିଆଯାଇଥିଲା । ଉଚ୍ଛେଦ ପୂର୍ବରୁ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା ।

ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ନୀଳମଣି ସେଣଙ୍କ ମୃତ୍ୟୁ

ଟାଙ୍ଗୀ: ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା । ଗୁରୁତର ଅବସ୍ଥାରେ ମେଡିକାଲରେ ୫୮ ବର୍ଷୀୟ ନୀଳମଣି ସେଣ ମୃତ । ମୃତ ନୀଳମଣିଙ୍କ ଘର ଟାଙ୍ଗୀ ଥାନା ଜରିପୁଟ ଗାଁରେ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜର ଜରିପୁଟ ଗାଁରେ ଗତକାଲି ରାତିରେ ନୀଳମଣି ସେଣ ଘରେ ଖାଇସାରି ଦାଣ୍ଡ ଘରେ ଥିବାବେଳେ ଗୋଟିଏ ଗୋଠ ଛଡା ଦନ୍ତା ହାତୀ ତାଙ୍କ ଘରେ ପଶି ନୀଳମଣିଙ୍କୁ ଶୁଣ୍ଢରେ ଭିଡ଼ି ଆଣି କଚାଡ଼ି ଦେଇଥିଲା । ନୀଳମଣିଙ୍କ ଚିତ୍କାର ଶୁଣି ପରିବାର ଲୋକେ ହୋ ହାଲ୍ଲା କରିବାରୁ ହାତୀଟି ନୀଳମଣିଙ୍କୁ ଛାଡି ପଳାଇ ଯାଇଥିଲା ।

ତେବେ ଏହି ଘଟଣାର ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନୀଳମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ନୀଳମଣିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ନୀଳମଣିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଐଶ୍ବର୍ଯ୍ୟଶାଳୀ ହେବ

ମେଷ: ଦିନଟି ଆପଣଙ୍କ ପାଇଁ ଐଶ୍ବର୍ଯ୍ୟଶାଳୀ ହେବେ । ନିଜ ଭାଗ୍ୟର ନିର୍ମାତା ନିଜେ ହୋଇପାରନ୍ତି। ବହୁ ଭୂସମ୍ପତ୍ତିଯୁକ୍ତ ହେବେ। ତେଜୀୟାନ୍‌ ହେବେ। ସଞ୍ଚୟାଭିମୁଖୀ ହୋଇପାରନ୍ତି। ପ୍ରବକ୍ତା ଓ ଭାଷ୍ୟକାର ହେବା ଆଶା କରାଯାଏ।

ବୃଷ: ଆଜି ଆପଣ ଧନବାନ୍‌ ହେବେ । ରାଜସେବକ ହୋଇପାରନ୍ତି ଏବଂ ବୁଦ୍ଧିମାନ୍‌ ହେବେ। ସ୍ବାଭିମାନୀ ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ସଜ୍ଜନମାନଙ୍କର ପ୍ରିୟପାତ୍ର ହେବେ। ପତ୍ନୀ ଭାଗ୍ୟ ନିୟନ୍ତ୍ରଣର କର୍ତ୍ତ୍ରୀ ହୋଇପାରନ୍ତି।

ମିଥୁନ: ଆଜି ଆପଣଙ୍କ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଶକ୍ତିମାନ୍‌ ହେବେ। ରଣକ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିବେ। ଶତ୍ରୁଦମନରେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ବିଦ୍ବାନ୍‌ ଓ ଶାସ୍ତ୍ରଜ୍ଞ ହେବେ।

କର୍କଟ: ଆଉ ଆଜି ନିରୋଗ ରହିବେ । ସୁସ୍ଥ ଓ ନିରାମୟରେ ଦିନଟି କଟିବ । ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ପରୋପକାରୀ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିପାରନ୍ତି। ସାହସୀ ହେବେ।

ସିଂହ: ଆଜି ଆପଣ ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ମଧ୍ୟ ହେବେ। ଆଜି ଆପଣ ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ବହୁବିଦ୍ୟାରେ ପାରଙ୍ଗମ ହେବେ।

କନ୍ୟା: ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ଶ୍ରମସାର୍ଥକ ହେବ। ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛାଭାବ ରହିବ।

ତୁଳା: ଦିନଟି ଆପଣଙ୍କ ପାଇଁ ସୁସ୍ଥ ଓ ନିରାମୟ ରହିବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଧାର୍ମିକ ପ୍ରବୃତ୍ତିର ହେବେ। ଭୋଗ ବିଳାସରେ ବୁଡ଼ି ରହିପାରନ୍ତି। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ବିଛା: ଆଜି ଆପଣ ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଧୈର୍ଯ୍ୟ ଓ ସାହସର ସହିତ ଆଶୁ ବିପଦର ମୁକାବିଲା କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।

ଧନୁ: ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି । ବରିଷ୍ଠ ଓ ବଦାନ୍ୟ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ।

ମକର: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।

କୁମ୍ଭ: ଆଜି କର୍ମ କ୍ଷେତ୍ରରେ କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ବିଦ୍ୟାଭ୍ୟାସୀ ହେବେ। ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରହିବ।

ମୀନ: ଆଜି ଆପଣ ଦାନଶୀଳ ହୋଇପାରନ୍ତି । ଉଦାର ପ୍ରକୃତିର ହେବେ। ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ଲାଭଦାୟକ ହେବ। ଯାନବାହନ ସୁଖ ମିଳିବ। ବୁଦ୍ଧିମାନ ହେବେ।

ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ

ମୁମ୍ବାଇ: ବିଜୟ ଧାରା ଜାରି ରଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଗତକାଲି ଇଣ୍ଡିଆନ ପ୍ରମିୟର ଲିଗର ୧୫ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ଲାଭ କରିଛି ଲକ୍ଷ୍ନୌ । ପ୍ରଥମ ମ୍ୟାଚରେ ପରାଜୟ ପରେ ଦମଦାର କମବ୍ୟାକ କରି ଲଗାତର ତିନୋଟି ମ୍ୟାଚରେ ଜିତିଛି ଲକ୍ଷ୍ନୌ । ଏହି ବିଜୟ ସହ ଲକ୍ଷ୍ନୌ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଚଳିତ ଆଇପିଏଲରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ପ୍ରଥମ ସ୍ଥାନରେ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ସେହିପରି ଗୁଜୁରାଟ ଟାଇଟନ୍ସ ଲଗାତର ଦୁଇଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।

ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳାଯାଇଥିବା ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୧୪୯ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ପୃଥ୍ୱୀ ଶ’ ୬୧ ରନ କରିଥିବାବେଳେ ଅଧିନାୟକ ରିଷଭ ପନ୍ତ ୩୬ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଶ୍ନୋଇ ୨ ଓ୍ୱିକେଟ ଅକ୍ତିଆର କରିଥିଲେ ।

୧୫୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦୁଇଟି ବଲ ବାକି ଥାଇ ଏହି ବିଜୟ ହୋଇଥିଲା । ଲକ୍ଷ୍ନୌ ପକ୍ଷରୁ ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱାଣ୍ଟିନ ଡି’କକ୍ ୮୦ ରନ, କେଏଲ ରାହୁଲ ୨୪ ଓ କ୍ରୁନାଲ ପାଣ୍ଡ୍ୟା ୧୯ ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ ଦୁଇଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ବିଜୟ ସହ ଲକ୍ଷ୍ନୌ ଲଗାତର ଭାବରେ ତିନୋଟି ମ୍ୟାଚରେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।