ଝାରପଡ଼ା ହାଟରୁ ଜବରଦଖଲ ଉଚ୍ଛେଦ କଲା ବିଡିଏ, ନିର୍ମାଣ ହେବ ଅତ୍ୟାଧୁନିକ ମାର୍କେଟ୍ କଂପ୍ଲେକ୍ସ

ଭୁବନେଶ୍ୱର: ଝାରପଡ଼ା ଗଣେଶ ମଣ୍ଡପ ନିକଟରେ ଥିବା ଝାରପଡ଼ା ହାଟକୁ ଉଚ୍ଛେଦ କରିଛି ବିଡିଏ । ଏଠାରେ ପ୍ରାୟ ୩ ଶହ ଦୋକାନ ଭଙ୍ଗାଯାଉଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧୦ରୁ ଅଧିକ ଜେସିବି ସହାୟତାରେ ଉଚ୍ଛେଦ କାର୍ଯ୍ୟ ଚାଲିଛି । ଝାରପଡ଼ା ହାଟ ବଣିକ ସଂଘ ଉଚ୍ଛେଦକୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଠାରେ ଏକ ଅତ୍ୟାଧୁନିକ ନେବର ହୁଡ୍ ମାର୍କେଟ୍ କମପ୍ଲେକ୍ସ ନିର୍ମାଣ ହେବ । ସାଧାରଣ ପ୍ରଶାସନର ପ୍ରାୟ ୩ ଏକର ୨୪୭ ଡିସିମିଲି ଜମି ବିଡିଏକୁ ହସ୍ତାନ୍ତର କରାଯାଇଛି । ଏହି ଜମିକୁ ଦୀର୍ଘଦିନ ଧରି ଜବରଦଖଲରେ ରଖିଥିଲେ କିଛି ବ୍ୟବସାୟୀ । ତେବେ ଆଜି ଏହି ଜବରଦଖଲକୁ ଉଚ୍ଛେଦ କରିଛି ବିଡିଏ । ଆଜିର ଉଚ୍ଛେଦ ପୂର୍ବରୁ ବିଡିଏ ପକ୍ଷରୁ ଆଗୁଆ ନୋଟିସ ଦିଆଯାଇଥିଲା । ଉଚ୍ଛେଦ ପୂର୍ବରୁ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୧୪୪ ଧାରା ଜାରି କରାଯାଇଥିଲା ।