ପ୍ରେମିକକୁ ଧରି ଥାନାରେ ଦେଇଥିଲେ, ବାହା କରାଇଦେଲା ପୋଲିସ

ଦେବଗଡ଼: ଦୀର୍ଘ ସାତ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲେ ମଧ୍ୟ ପ୍ରେମୀ ଯୁଗଳ ଭିନ୍ନ ଜାତିର ଥିବାରୁ ବିବାହ ପାଇଁ ସ୍ୱୀକୃତି ଦେଉନଥିଲେ ପରିବାର ଓ ଜାତି ସମାଜ । ଲୁଚିଛପି ପ୍ରେମିକାକୁ ସାକ୍ଷାତ ପାଇଁ ଆସିଥିବାବେଳେ ପ୍ରେମିକାର ଭାଇ ହାତରେ ଧରା ପଡି ପୋଲିସ ହେପାଜତକୁ ଯାଇଥିଲା ପ୍ରେମିକ । ଶେଷରେ ଆଦର୍ଶ ଥାନା ପୋଲିସ ପକ୍ଷରୁ ଉଭୟ ପରିବାର ଓ ସମାଜର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଉଭୟ ପରିବାରଙ୍କୁ ବୁଝାସୁଝା ପରେ ଆଜୀବନ ସାଥି ହୋଇଥିଲେ ପ୍ରେମୀ ଯୁଗଳ । ମନ୍ଦିରରେ ବିବାହ ପରେ କୋର୍ଟ ମ୍ୟାରେଜ ପାଇଁ ଆବଶ୍ୟକ କାଗଜ ପତ୍ର ପ୍ରସ୍ତୁତ ସହ ଥାନା ମଧ୍ୟରେ ଉଭୟ ପ୍ରେମୀ ଯୁଗଳ ପରସ୍ପରଙ୍କୁ  ସାଥି ଭାବେ ଗ୍ରହଣ କରିଥିଲେ ।

ମିଳିଥିବା ସୂଚନା ଅନୁସାରେ ବାରକୋଟ ଥାନା ଅନ୍ତର୍ଗତ ଡାଁରା ଗ୍ରାମର ରଞ୍ଜିତ ବିଶ୍ୱାଳ ଦେବଗଡ଼ ଥାନା ଅନ୍ତର୍ଗତ ମାକରମୁଣ୍ଡା ଗ୍ରାମର ଆରତୀ ନାମ୍ନୀ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ରହି ଆସିଥିଲା । ମାତ୍ର ଉଭୟ ଭିନ୍ନ ଜାତିର ଥିବାରୁ ଉଭୟଙ୍କ ପରିବାର ଲୋକ ବିବାହକୁ ସ୍ୱୀକୃତି ଦେଇ ନଥିଲେ । ଗତ ମଙ୍ଗଳବାର ଦିନ ରଞ୍ଜିତ ଆରତୀଙ୍କୁ ଦେଖା କରିବା ପାଇଁ ମାକରମୁଣ୍ଡା ଗ୍ରାମକୁ ଆସିଥିବାବେଳେ ଆରତୀଙ୍କ ପରିବାର ଲୋକ ରଞ୍ଜିତଙ୍କୁ କାବୁ କରି ଦେବଗଡ଼ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ପୋଲିସ ହସ୍ତକ୍ଷେପ ଫଳରେ ସମସ୍ୟାର ସମାଧାନ ହେବା ସହ ଉଭୟ ପ୍ରେମୀ ଯୁଗଳଙ୍କ ମିଳନ ସମ୍ଭବ ହୋଇ ଥିବାରୁ ଉଭୟ ଖୁସି ବ୍ୟକ୍ତ କରିଛନ୍ତି  ।