ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା, ଗୁରୁତର ଅବସ୍ଥାରେ ନୀଳମଣି ସେଣଙ୍କ ମୃତ୍ୟୁ

ଟାଙ୍ଗୀ: ଘରୁ ଭିଡ଼ି ଆଣି ଦଳି ଦେଲା ଦନ୍ତା । ଗୁରୁତର ଅବସ୍ଥାରେ ମେଡିକାଲରେ ୫୮ ବର୍ଷୀୟ ନୀଳମଣି ସେଣ ମୃତ । ମୃତ ନୀଳମଣିଙ୍କ ଘର ଟାଙ୍ଗୀ ଥାନା ଜରିପୁଟ ଗାଁରେ । ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜର ଜରିପୁଟ ଗାଁରେ ଗତକାଲି ରାତିରେ ନୀଳମଣି ସେଣ ଘରେ ଖାଇସାରି ଦାଣ୍ଡ ଘରେ ଥିବାବେଳେ ଗୋଟିଏ ଗୋଠ ଛଡା ଦନ୍ତା ହାତୀ ତାଙ୍କ ଘରେ ପଶି ନୀଳମଣିଙ୍କୁ ଶୁଣ୍ଢରେ ଭିଡ଼ି ଆଣି କଚାଡ଼ି ଦେଇଥିଲା । ନୀଳମଣିଙ୍କ ଚିତ୍କାର ଶୁଣି ପରିବାର ଲୋକେ ହୋ ହାଲ୍ଲା କରିବାରୁ ହାତୀଟି ନୀଳମଣିଙ୍କୁ ଛାଡି ପଳାଇ ଯାଇଥିଲା ।

ତେବେ ଏହି ଘଟଣାର ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନୀଳମଣିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ । ନୀଳମଣିଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଟାଙ୍ଗୀ ମେଡିକାଲରୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ରାସ୍ତାରେ ହିଁ ନୀଳମଣିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।