spot_img
Home Blog Page 45

ନେପାଳ ଫ୍ଲାସ୍‌ଫ୍ଲଡ୍‌: ମୃତ୍ୟୁସଂଖ୍ୟା ୧୨୫୦ ଟପିଲା, ୪୮୭୫ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ଯେତେ ଖୋଳିବ, ସେତେ ବାହାରୁଛି ମୃତଦେହ। ନେପାଳ ଫ୍ଲାସ୍‌ଫ୍ଲଡ୍‌ରେ ମୃତ୍ୟୁସଂଖ୍ୟା ୧୨୫୦ ଟପିଛି। ଏପର୍ଯ୍ୟନ୍ତ ୪ ହଜାର ୮୭୫ ଜଣ ନିଖୋଜ ଥିବା ବେଳେ ଦିନକୁ ଦିନ ବଢ଼ିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଚିତୱାନ ଜିଲ୍ଲାରୁ ୩୪୮, ନୱାଲରାସି ଜିଲ୍ଲାରୁ ୨୧୮, ନୂଆକୋଟରୁ ୧୫୫, ରାସୁଆରୁ ୧୨୭ ଏବଂ ଗୋର୍ଖାରୁ ୭୦ଟି ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୫୮୩ ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଛି। ହେଲିକପ୍ଟର ଓ ସଡ଼କ ପଥ ଯୋଗେ ପ୍ରାୟ ୧୨ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ଅଣାଯାଇଛି। ଉଦ୍ଧାର କାର୍ଯ୍ୟରେ ୨୧ ହଜାର ୩୧୪ ଜଣ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି। ସେପଟେ ନେପାଳକୁ ସହାୟତା ଯୋଗାଇଦେଇଥିବାରୁ ଭାରତ ଓ ଚୀନକୁ ଧନ୍ୟବାଦ ଜଣାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ।

RMS ବ୍ରହ୍ମପୁରକୁ କଟକ ଡିଭିଜନରେ ମିଶ୍ରଣ ଚକ୍ରାନ୍ତ, ଡାକସେବା ପ୍ରଭାବିତ ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ :  କାର୍ଯ୍ୟାଳୟରେ ଦୈନିକ ଏକ ହଜାରରୁ ଅଧିକ ପାର୍ସଲ, ୧୫ ହଜାରରୁ ଅଧିକ ସ୍ପିଡ୍‌ ପୋଷ୍ଟ, ୨୦ ହଜାର ସାଧାରଣ ପୋଷ୍ଟ ଓ ପ୍ରାୟ ୫ଶହ ନିୟମିତ ବୁକିଂ କରାଯାଉଛି। ଏଠାରେ ଇନ୍‌ଷ୍ଟାଣ୍ଟ ପ୍ରୋସେସିଂ ବୁକିଂ ବ୍ୟବସ୍ଥା ଥିବାରୁ RMS କାଉଣ୍ଟରରୁ ପାର୍ସଲ ଓ ଡାକ ଗନ୍ତବ୍ୟସ୍ଥଳରେ ଶୀଘ୍ର ପହଞ୍ଚିବା ସହଜ ହେଉଛି। ତେବେ RMS ବ୍ରହ୍ମପୁର ଗଞ୍ଜାମ ଡିଭିଜନକୁ କଟକ ଡିଭିଜନରେ ମିଶାଇବାକୁ ଚକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ପରିବର୍ତ୍ତନ କରି କେବଳ ବୁକିଂ କାଉଣ୍ଟରରେ ସୀମିତ ରଖାଗଲେ ଗ୍ରାହକଙ୍କ ନିକଟରେ ପାର୍ସଲ ଓ ଡାକ ପହଞ୍ଚିବାରେ ସମସ୍ୟା ଉପୁଜିବ ବୋଲି ଅନେକ ପ୍ରାକ୍ତନ ଡାକ କର୍ମଚାରୀ ମତ ଦେଇଛନ୍ତି।

କଟକ ଡିଭିଜନରେ ଏହାର ମିଶ୍ରଣ ହେଲେ ବିଭିନ୍ନ କାର୍ଯ୍ୟ ବିଳମ୍ବ ହେବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ। ବ୍ରହ୍ମପୁରରୁ ପ୍ରଶାସନିକ କାର୍ଯ୍ୟ ଅପସାରଣ କରାଗଲେ ଯେଉଁ କାମ ୨ରୁ ୩ ଦିନରେ ହେଉଛି, ସେଥିପାଇଁ ଅତିରିକ୍ତ ସମୟ ଲାଗିବ ବୋଲି ଅଭିଯୋଗ ହୋଇଛି। ସେହିପରି ଡିଭିଜନ ମିଶ୍ରଣ ପରେ RMS କାର୍ଯ୍ୟାଳୟ ନିଜର ଗୁରୁତ୍ୱ ହରାଇବା ସହ ଅନ୍ତର୍ଜାତୀୟ ପାର୍ସଲ ବୁକିଂଠାରୁ ଆରମ୍ଭ କରି ବଲ୍କ ବୁକିଂ ମଧ୍ୟ ପ୍ରଭାବିତ ହେବ। କୌଣସି ଗ୍ରାହକଙ୍କ ଡାକ ପାଇବାରେ ସମସ୍ୟା ହେଲେ ଅଭିଯୋଗ ପାଇଁ ତାଙ୍କୁ କଟକ ଯିବାକୁ ପଡ଼ିବ। ଏହାଦ୍ୱାରା ଗ୍ରାହକ ଅଧିକ ଖର୍ଚ୍ଚାନ୍ତ ହେବା ସହ କାର୍ଯ୍ୟ ମଧ୍ୟ ବିଳମ୍ବିତ ହେବ ବୋଲି ଅଭିଯୋଗ ହୋଇଛି।

ହାଜିରା ନଦେଲେ ହାତରେ ପଡ଼ିବ ହାତକଡ଼ି, ଜେଲ୍‌ରେ କଟିବ ହାର୍ଡକୋରଙ୍କ ରାତି

ନନ୍ଦିଘୋଷ ବ୍ୟୁରୋ : ହାଜିରା ନଦେଲେ ହାତରେ ପଡ଼ିବ ହାତକଡ଼ି। ଜେଲ୍‌ରେ କଟିପାରେ ହାର୍ଡକୋର ଅପରାଧୀଙ୍କ ରାତି। ସେପ୍ଟେମ୍ବର ଆରମ୍ଭରୁ ପ୍ରସ୍ତୁତ ହେଲାଣି ତାଲିକା। ଗଣେଶ ପୂଜାରୁ କାଳୀ ପୂଜା ଯାଏଁ ଦାଗି ଅପରାଧୀଙ୍କ ଉପରେ ରହିବ କଡ଼ା ନଜର। ଯଦି ହାଜିରା ଦେଉନାହାନ୍ତି, ତେବେ ଖୁବଶୀଘ୍ର ଆପଣଙ୍କୁ ଉଠାଇ ନେଇପାରେ ପୋଲିସ। ଏପରିକି ଦଶହରା ମଧ୍ୟ ଜେଲ୍‌ ହାଜତରେ କଟିପାରେ। ପୋଲିସ କମିଶନରଙ୍କ ଏଭଳି ନିର୍ଦ୍ଦେଶ ପରେ ଏବେ ଅଭ୍ୟାସଗତ ଅପରାଧୀ, ଚୋରି, ରାହାଜାନି ଓ ଗଣ୍ଡଗୋଳ ଭଳି ଅପରାଧରେ ସମ୍ପୃକ୍ତ ଦାଗିଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଛି। ଏକାଧିକ ଅପରାଧୀଙ୍କୁ ତଡ଼ିପାର କରାଯାଇଥିବା ବେଳେ ଆହୁରି ୩୦ ଜଣଙ୍କ ତାଲିକା ପ୍ରସ୍ତୁତ ହୋଇସାରିଛି। କିଛି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ NSA ମଧ୍ୟ ଲାଗୁ କରାଯାଇଛି। ରାଜ୍ୟସାରା କୁଖ୍ୟାତ ଅପରାଧୀଙ୍କୁ ଦମନ ପାଇଁ ଓଡ଼ିଶା ପୋଲିସ ଓ ସ୍ପେଶାଲ ଟାସ୍କଫୋର୍ସ କାମ କରୁଥିବା ବେଳେ ଟୁଇନ୍‌ ସିଟିରେ ଏହି ଅଭିଯାନକୁ ଆହୁରି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର।  କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ‘କ୍ଲିନ୍‌ ସୁଇପ୍‌ ଅପରେସନ୍‌’ରେ କିଛି ନିଶା ମାଫିଆଙ୍କ ନାଁ ମଧ୍ୟ ରହିଛି। ପାଉଡର ବିକି ପତିଆରା ଦେଖାଉଥିବା ମାଫିଆଙ୍କୁ ସାବାଡ଼ କରାଯିବ ବୋଲି କମିଶନର ଚେତାବନୀ ଦେଇଛନ୍ତି।

ପାର୍ବଣ ପୂର୍ବରୁ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାରବାର ରୋକିବାକୁ ନିୟମିତ ଭାବେ ଚଢ଼ାଉ ଚାଲିଛି। ପାର୍ବଣ ସମୟରେ ସହରକୁ ପଶି ଦେହ ବେପାର ଚଳାଉଥିବା ଦେହଜୀବୀ ଓ ଦଲାଲଙ୍କ ଉପରେ ମଧ୍ୟ ଲଗାମ ଲଗାଯିବ। ସେହିପରି ଦାଦାବଟି କିମ୍ବା ପୂଜା ଚାନ୍ଦା ମାଗିଲେ ତୁରନ୍ତ ୧୧୨କୁ କଲ୍‌ କରିବାକୁ କୁହାଯାଇଛି। ଖଟି ମାନଙ୍କରେ ଉପଦ୍ରବ ବନ୍ଦ କରିବା ସହ ଡ୍ରଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ଉପରେ ମଧ୍ୟ କଡ଼ା ନଜର ରଖିବାକୁ ଥାନାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର।

 

ବିକାଶଠୁ ବହୁଦୂର କପରଗଡ଼ ଗାଁ, ଖଟିଆରେ ବୁହା ହେଉଛନ୍ତି ରୋଗୀ

ନନ୍ଦିଘୋଷ ବ୍ୟୁରୋ : ଗାଁକୁ ନାହିଁ ପକ୍କା ରାସ୍ତା। ଖଟିଆରେ ବୁହା ହେଉଛନ୍ତି ରୋଗୀ ଓ ଗର୍ଭବତୀ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ କପରଗଡ଼ ଗାଁରେ ଏବେ ବି ପହଞ୍ଚିନି ବିକାଶ। ଖାଲଖମା ରାସ୍ତା ଦେଇ ଯାଆସ କରୁଛନ୍ତି ଗ୍ରାମବାସୀ। ସ୍ୱାସ୍ଥ୍ୟ ସେବା ପାଇଁ ପ୍ରାୟ ୨୦ କିମି ଦୂର ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ୁଛି। ଖାଲି ସେତିକି ନୁହେଁ, ଗାଁରେ ନାହିଁ ବିଦ୍ୟାଳୟ କି ଅଙ୍ଗନବାଡ଼ି କେନ୍ଦ୍ର। ସ୍ଥାନୀୟ କିରିକିଟା ପ୍ରାଥମିକ ବିଦ୍ୟାଳୟକୁ ଯିବା ପାଇଁ ପିଲାମାନଙ୍କୁ ପାହାଡ଼ିଆ ଓ ଜଙ୍ଗଲି ରାସ୍ତା ଦେଇ ଯିବାକୁ ପଡ଼ୁଛି। ଫଳରେ ଅନେକ ପିଲା ଶିକ୍ଷାରୁ ବଞ୍ଚିତ ହେଉଛନ୍ତି।

ଗାଁରେ ରାସ୍ତା ନାହିଁ, ସ୍ୱାସ୍ଥ୍ୟ ସେବା ବି ନାହିଁ। ବିଜୁଳି ଆଲୁଅ ମଧ୍ୟ ବହୁଦୂରରେ। ପାନୀୟ ଜଳ ପାଇଁ ଗାଁରେ ରହିଛି ମାତ୍ର ଗୋଟିଏ ନଳକୂପ। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ। କାମ ଅଭାବରୁ ଅନେକ ଲୋକ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି।  ନିକଟରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ କିଛି ପ୍ରଶାସନିକ ଅଧିକାରୀଙ୍କ ସହ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି। ଖୁବଶୀଘ୍ର ଗାଁରେ ମୌଳିକ ସେବା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଗାଁ ମୁହାଁ ସମୁଦ୍ର, ଡାଳୁଅକଣିରେ ବଢୁଛି କୂଳ ଲଙ୍ଘା ଭୟ

ନନ୍ଦିଘୋଷ ବ୍ୟୁରୋ : ସୁ ସୁ ହୋଇ ଗର୍ଜୁଛି ସମୁଦ୍ର। ଗାଁ ମୁହାଁ ପ୍ରଚଣ୍ଡ ଜୁଆର। ସାତଭାୟା ପରେ ଏବେ ଡାଳୁଅକଣି ନିକଟରେ କୂଳ ଲଙ୍ଘୁଛି ସମୁଦ୍ର। ଉପୁଡ଼ି ପଡ଼ୁଛି ବିରାଟକାୟ ଝାଉଁ ଗଛ। ମହୋଦଧିରେ ଲୀନ ହେଉଛି ଜଙ୍ଗଲ। ସମୁଦ୍ରର ଏଭଳି ଭୟଙ୍କର ରୂପକୁ ନେଇ ଏବେ ଆତଙ୍କିତ ଅସ୍ତରଙ୍ଗ ଅଞ୍ଚଳର ଲୋକେ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେଳୁଣୀ ନଦୀର ମୁହାଣ ନିକଟରେ ମୁହାଣ ବୁଲିଯିବା ପରେ ସମୁଦ୍ରର ଗତିପଥ ସମ୍ପୂର୍ଣ୍ଣ ବଦଳି ଯାଇଛି। ଛୁରିଆନା ପଞ୍ଚାୟତ ଡାଳୁଅକଣି ନିକଟରେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ଫଳରେ ଡାଳୁଅକଣି, ଅଣକଣା, ଛୁରିଆନା ସମେତ ୫ଟି ଗାଁ ଏବେ ବିପଦ ଘେରରେ।ଡାଳୁଅକଣି ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି ସମୁଦ୍ର। ତେଣୁ ଏହି ୫ଟି ଗାଁର ଲୋକଙ୍କ ଆଖିରେ ନିଦ ନାହିଁ। ପ୍ରତି ମୁହୂର୍ତ୍ତରେ ଭୟ ଓ ଆଶଙ୍କା ମଧ୍ୟରେ ଜୀବନ ବିତାଉଛନ୍ତି ଲୋକେ। ସମୁଦ୍ର ଜୁଆର ଯୋଗୁଁ ଚାଷଜମି ଓ ବାସଗୃହ ଲୁଣିପାଣିରେ ନଷ୍ଟ ହୋଇଯିବାର ଆଶଙ୍କା ମଧ୍ୟ ବଢ଼ିଛି। ଏଭଳି ସ୍ଥିତିରେ ସମୁଦ୍ର କୂଳ କ୍ଷୟର ସ୍ଥାୟୀ ସମାଧାନ ନକରାଗଲେ ଆଗକୁ ବଡ଼ ବିପର୍ଯ୍ୟୟକୁ ଏଡ଼ାଇବା କଷ୍ଟକର ହୋଇପାରେ।

୮୫ ବର୍ଷରେ ବି ଜରିପାଲ ତଳେ କାଇରୀ, ସରକାରୀ ଯୋଜନା ପାଲଟିଛି ସାତସପନ

ନନ୍ଦିଘୋଷ ବ୍ୟୁରୋ : ୮୫ ବର୍ଷ ବୟସରେ ବି ଜୀବନ ଜିଇଁବାକୁ ସଂଘର୍ଷ କରୁଛନ୍ତି କାଇରୀ ଦେଇ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡ଼ିଆ ପଞ୍ଚାୟତ ମହୁଲପଙ୍ଖା ଛତ୍ରାଆମ୍ବ ସାହିରେ ରହୁଛନ୍ତି ଏହି ବୃଦ୍ଧା। ବୟସର ଅପରାହ୍ଣରେ ଚମ ଧୁଡୁଧୁଡୁ ହୋଇଥିବା ବେଳେ ଚାଲିବା ପାଇଁ ଅଣ୍ଟା ବି ସାଥ ଦେଉନାହିଁ। ଏବେ ତାଙ୍କର ଏକମାତ୍ର ସାହାରା ପାଲଟିଛି ଆଶାବାଡ଼ି।

ପ୍ରାୟ ୧୩ ବର୍ଷ ତଳେ ସ୍ୱାମୀଙ୍କୁ ହରାଇବା ପରେ ଏବେ ପାଲ ଘେରା ଘରେ ଏକାକୀ ଜୀବନ କାଟୁଛନ୍ତି କାଇରୀ। ଦୁଃଖ ବାଣ୍ଟିବାକୁ ନା କେହି ଅଛନ୍ତି, ନା ରହିଛି କୌଣସି ସାହାରା। ନିକଟସ୍ଥ ଜଙ୍ଗଲରୁ କାଠ ସଂଗ୍ରହ କରି ଚୁଲି ଜଳାଇ ସେଥିରେ ରୋଷେଇ କରୁଛନ୍ତି। ଭଙ୍ଗା ଡେକଚି, କିଛି ଶାଢ଼ୀ ଆଉ ଉଜୁଡ଼ା ସ୍ୱପ୍ନକୁ ନେଇ ତାଙ୍କ ସଂସାର। ଦୀର୍ଘ ବର୍ଷ ହେଲା ଜରିପାଲ ତଳେ ଜୀବନ କାଟୁଥିଲେ ମଧ୍ୟ ତାଙ୍କ ପାଖରେ ପହଞ୍ଚିପାରିନି ସରକାରୀ ଯୋଜନା। ନା ମିଳିଛି ଆବାସ ଯୋଜନାରେ ଘର, ନା ମିଳୁଛି ଭତ୍ତା କିମ୍ବା ରାସନ। ତାଙ୍କ ପାଇଁ ସରକାରୀ ସୁବିଧା ସତେ ଯେପରି ସାତସପନ ପାଲଟିଛି ।

ତାମିଲନାଡୁର ୫୨ ମନ୍ଦିରରେ ମୋବାଇଲ ବ୍ୟାନ୍, ଫୋନ୍ ଜମା କଲେ ଦେବାକୁ ପଡ଼ିବ ଟଙ୍କା

ନନ୍ଦିଘୋଷ ବ୍ୟୁରୋ : ତାମିଲନାଡୁ ସରକାର  ଲଗାତାର ଭାବେ କିଛି ଅଲଗା ଓ ଭିନ୍ନ ଧରଣର ନିଷ୍ପତ୍ତି ନେଉଛନ୍ତି । ବିଜୟ ସରକାର  ରାଜ୍ୟର ୫୨ଟି ବଡ ମନ୍ଦିରରେ ସ୍ମାର୍ଟଫୋନ ନେବା ଓ ଏହାର ବ୍ୟବହାର ଉପରେ ରୋକ  ଲଗାଇଛନ୍ତି, ଏହି ନୂଆ ନିୟମ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଛି  । ନୂଆ ନିୟମ ଅନୁସାରେ, ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଥିଲେ ତାହାକୁ କାଉଣ୍ଟରରେ ଜମା କରିବା ସହ । ପ୍ରତି ଫୋନ୍ ପିଛା ୫ ଟଙ୍କା ଫିସ ଦେବାକୁ ପଡ଼ିବ। ତେବେ କ୍ୟାମେରା ନଥିବା ମୋବାଇଲ୍ ଫୋନ୍‌କୁ ମନ୍ଦିର ଭିତରକୁ ନେବାକୁ ଅନୁମତି ରହିବ ।

ଏହି କଟକଣା ଲାଗୁ ନେଇ ହିନ୍ଦୁ ରିଲିଜିୟସ୍ ଆଣ୍ଡ ଚାରିଟେବଲ୍ ଏଣ୍ଡାଉମେଣ୍ଟ (HR&CE) ମନ୍ତ୍ରୀ ରମେଶଙ୍କ ଘୋଷଣା ପରେ ଏହି ନିୟମ ଲାଗୁ ହୋଇଛି। ମାଡ୍ରାସ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଆଧାରରେ ମନ୍ଦିରର ପବିତ୍ରତା ଓ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ବିଶେଷକରି ଯୁବପିଢ଼ିଙ୍କ ଦ୍ୱାରା ମନ୍ଦିର ପରିସର ଭିତରେ ଫଟୋ ଉଠାଇବା, ରିଲ୍‌ସ ତିଆରି କରିବା ଏବଂ ଭିଡିଓ ରେକର୍ଡ କରିବା ନେଇ ଚିନ୍ତା ପ୍ରକାଶ ପାଇବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏପରି କାମ ମନ୍ଦିରର ନିୟମ ବିରୋଧୀ ଥିଲା।

‘ବ୍ୟାନ୍‌ର ମୁଖ୍ୟ ଉଦ୍ଦେଶ୍ୟ ଶାନ୍ତିରେ ପୂଜା କରିବା।

ନିଜର ଏକ ବୟାନରେ ରମେଶ ସ୍ପଷ୍ଟ କରିଛନ୍ତି ଯେ, କ୍ୟାମେରା ନଥିବା ମୋବାଇଲ୍ ଫୋନ୍‌କୁ ମନ୍ଦିର ଭିତରକୁ ନେବାକୁ ଅନୁମତି ରହିବ। ଏହି କଟକଣାର ଉଦ୍ଦେଶ୍ୟ ମନ୍ଦିର ଭିତରେ ଅନଧିକୃତ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ଉପରେ ରୋକ୍ ଲଗାଇବା ସହ ଶ୍ରଦ୍ଧାଳୁମାନେ ଶାନ୍ତିପୂର୍ଣ୍ଣ ଭାବେ ପୂଜା କରିପାରିବେ ତାହା ସୁନିଶ୍ଚିତ କରିବା। ନୂଆ ବ୍ୟବସ୍ଥା ଅନୁସାରେ, ସ୍ମାର୍ଟଫୋନ୍ ନେଇ ଆସୁଥିବା ଶ୍ରଦ୍ଧାଳୁମାନେ ମନ୍ଦିର ପ୍ରବେଶ ଦ୍ୱାରରେ ଥିବା ସ୍ୱତନ୍ତ୍ର କାଉଣ୍ଟରରେ ଫୋନ୍ ଜମା କରିବାକୁ ପଡ଼ିବ। ଏଥିପାଇଁ ଭକ୍ତମାନଙ୍କୁ ଏକ ଟୋକନ୍ ଦିଆଯିବ। ଫୋନ୍ ଫେରି ନେବା ସମୟରେ ଏହି ଟୋକନ୍ ଜମା କରିବାକୁ ପଡ଼ିବ।

ପାର୍କିଂ ଅଞ୍ଚଳରେ ଅନେକ ଭାଷାରେ ଲଗାଯାଇଛି ସୂଚନା ଫଳକ

କାଞ୍ଚିପୁରମର ପ୍ରସିଦ୍ଧ ଦେବରାଜସ୍ୱାମୀ-ଅଥି ବରଦର ମନ୍ଦିରରେ ଏହି ବ୍ୟବସ୍ଥା ଗତକାଲି ମଙ୍ଗଳବାର ସକାଳ ୬ଟାରୁ ଲାଗୁ ହୋଇଛି। ଫୋନ୍ ଜମା କରିବା ପାଇଁ ୨ ଜଣ କମ୍ପ୍ୟୁଟର ଅପରେଟର ଏବଂ ୨ ଜଣଙ୍କୁ ନିୟୋଜିତ କରାଯାଇଛି। ଫୋନ୍ ଜମା କରିବା ସମୟରେ ଶ୍ରଦ୍ଧାଳୁଙ୍କ ଫଟୋ, ମୋବାଇଲ୍ ଫୋନ୍‌ର ମଡେଲ୍ ଏବଂ ଫୋନ୍ ନମ୍ବର ରେକର୍ଡ କରାଯାଏ ଏବଂ ବଦଳରେ ଏକ ରସିଦ ଦିଆଯାଏ। ଫୋନ୍ ଫେରାଇବା ସମୟରେ ସମସ୍ତ ତଥ୍ୟ ମେଳ କରିବା ପରେ ଫୋନ୍ ଫେରାଇ ଦିଆଯାଏ। ମନ୍ଦିର ଆଖପାଖରେ ଥିବା ପାର୍କିଂ ଅଞ୍ଚଳ ଏବଂ ଅନ୍ୟ ପ୍ରମୁଖ ସ୍ଥାନରେ ଅନେକ ଭାଷାରେ ସୂଚନା ଫଳକ ଲଗାଯାଇଛି। ଏହି ଫଳକ ମାଧ୍ୟମରେ ଶ୍ରଦ୍ଧାଳୁଙ୍କୁ ସ୍ମାର୍ଟଫୋନ୍ ଉପରେ ଲାଗୁ ହୋଇଥିବା କଟକଣା ସମ୍ପର୍କରେ ସୂଚନା ଦିଆଯାଉଛି। HR&CE ବିଭାଗ କହିଛି ଯେ, ପ୍ରାୟ ୪ ବର୍ଷ ପୂର୍ବେ ୨ ଡିସେମ୍ବର ୨୦୨୨ରେ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ଦେଇଥିବା ଆଦେଶ ଅନୁସାରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ବରୁ ଜାରି ହୋଇଥିବା ସର୍କୁଲାରରେ ମଧ୍ୟ ମନ୍ଦିରଗୁଡ଼ିକୁ ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ୍ ଫୋନ୍ ଭିତରକୁ ନେବାରୁ ରୋକିବା ଏବଂ ଫୋନ୍‌ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ହାଇକୋର୍ଟଙ୍କ ଆଦେଶ ପରେ ସରକାର ଲାଗୁ କଲେ ବ୍ୟବସ୍ଥା

ହାଇକୋର୍ଟ ତିରୁଚେନ୍ଦୁରର ଅରୁଲମିଗୁ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିର ଭିତରେ ସ୍ମାର୍ଟଫୋନ୍ ବ୍ୟବହାର ଉପରେ ରୋକ୍ ଲଗାଇବା ଦାବିରେ ସୀତାରମଣଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି ପରେ ଏହି ଆଦେଶ ଜାରି କରିଥିଲେ। HR&CEର ଏକ ସର୍କୁଲାରରେ କୁହାଯାଇଛି ଯେ, କିଛି ଶ୍ରଦ୍ଧାଳୁ ଏବେ ମଧ୍ୟ ମନ୍ଦିର ପରିସର ଭିତରେ ଫଟୋ ଉଠାଇବା, ଭିଡିଓ ରେକର୍ଡ କରିବା, ସେଲ୍ଫି ନେବା ଏବଂ ସୋସିଆଲ ମିଡିଆ ପାଇଁ ଶର୍ଟ ଭିଡିଓ କିମ୍ବା ରିଲ୍ ତିଆରି କରିବାରେ ମୋବାଇଲ୍ ଫୋନ୍ ବ୍ୟବହାର କରୁଛନ୍ତି।

ସର୍କୁଲାରରେ କୁହାଯାଇଛି ଯେ, ଏଭଳି କାର୍ଯ୍ୟକଳାପ ଯୋଗୁଁ ମନ୍ଦିରର ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ ପ୍ରଭାବିତ ହେଉଛି ଏବଂ ଅନ୍ୟ ଭକ୍ତମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମନ୍ଦିରର ପ୍ରବେଶ ଦ୍ୱାର ଏବଂ ମନ୍ଦିର ପରିସର ବାହାରେ ସ୍ପଷ୍ଟ ଭାବେ ବୋର୍ଡ ଲଗାଇବାକୁ ମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୋର୍ଡରେ ମୋବାଇଲ୍ ଫୋନ୍ ବ୍ୟବହାର ମନା ବୋଲି ଲେଖା ରହିବ। ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ମାଧ୍ୟମରେ ମଧ୍ୟ ଏହି କଟକଣା ବିଷୟରେ ଘୋଷଣା କରାଯିବ। ଏଥିସହ ବିଭାଗ ପକ୍ଷରୁ ମନ୍ଦିର ପରିସର ଭିତରେ ଦେବାଦେବୀଙ୍କ ଫଟୋ ଓ ଭିଡିଓ ନେବା ସହ ଧାର୍ମିକ ଅନୁଷ୍ଠାନର ରେକର୍ଡିଂ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଏକ ରିପୋର୍ଟ ଅନୁସାରେ, VIP, ପ୍ରସିଦ୍ଧ ବ୍ୟକ୍ତି କିମ୍ବା ଫିଲ୍ମ ତାରକାଙ୍କ ସହ ଜଡ଼ିତ ଫଟୋ କିମ୍ବା ଭିଡିଓ ପାଇଁ ମଧ୍ୟ ଅନୁମତି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ନୂଆ ନିୟମକୁ ନେଇ ମନ୍ଦିର କର୍ମଚାରୀ-ଶ୍ରଦ୍ଧାଳୁ ଚିନ୍ତିତ

‘ଦ ହିନ୍ଦୁ’ ଖବରକାଗଜ ମନ୍ଦିର କର୍ମଚାରୀ ଏବଂ ଶ୍ରଦ୍ଧାଳୁଙ୍କ ଉଦ୍ଧୃତ କରି କହିଛି ଯେ, ସ୍ମାର୍ଟଫୋନ୍‌ର ସୁରକ୍ଷା ଦାୟିତ୍ୱକୁ ନେଇ ସେମାନେ ଏବେ ଚିନ୍ତାରେ ଅଛନ୍ତି। ମନ୍ଦିରର ଜଣେ କର୍ମଚାରୀ କହିଛନ୍ତି ଯେ, ବହୁ ସଂଖ୍ୟକ ସ୍ମାର୍ଟଫୋନ୍ ସମ୍ଭାଳିବା କର୍ମଚାରୀଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ଏବଂ ଚାପର କାମ ହେବ।
ଏହି କର୍ମଚାରୀ କହିଛନ୍ତି ଯେ, ଜୋତା-ଚପଲ ଭଳି ନୁହେଁ, ଯାହା କେବେ କେବେ ଏପଟ ସେପଟ ହୋଇଗଲେ ମଧ୍ୟ ଖୋଜି ମିଳିପାରେ। କିନ୍ତୁ ମୋବାଇଲ୍ ଫୋନ୍ ମୂଲ୍ୟବାନ ବ୍ୟକ୍ତିଗତ ଗ୍ୟାଜେଟ୍। ଏହାକୁ ସମ୍ଭାଳିବାରେ କୌଣସି ଭୁଲ ହେଲେ ଏହା ସମସ୍ୟାର କାରଣ ହୋଇପାରେ।

ମୋବାଇଲ ଫୋନ୍ ଜମା ପାଇଁ ଫି’କୁ ନେଇ ଅସନ୍ତୋଷ

ଜଣେ ଶ୍ରଦ୍ଧାଳୁ ନିରାଶା ପ୍ରକାଶ କରି କହିଛନ୍ତି ଯେ, ଫୋନ୍ ଜମା କରିବା ପାଇଁ ପ୍ରତିଦିନ ୫ ଟଙ୍କା ଦେବା ସ୍ଥାନୀୟ ଲୋକଙ୍କ ପାଇଁ ବେଶ୍‌ କଷ୍ଟକର ହେବ। ଏହା ବଦଳରେ ଶ୍ରଦ୍ଧାଳୁଙ୍କୁ ନିଜ ମୋବାଇଲ୍ ଫୋନ୍ ବନ୍ଦ କରି ବ୍ୟାଗ୍‌ରେ ରଖିବାକୁ କୁହାଯାଇପାରେ ବୋଲି ସେ ପରାମର୍ଶ ଦେଇଛନ୍ତି। କାରଣ ଏବେ ମୋବାଇଲ୍ ଫୋନ୍‌ର ବ୍ୟବହାର କେବଳ କଲ୍ କରିବାରେ ସୀମିତ ନାହିଁ, ଏହା ଦ୍ୱାରା ଆହୁରି ଅନେକ କାମ କରାଯାଉଛି।

ଫୋନ୍ ଜମା ପାଇଁ ଟଙ୍କ ଆଦାୟକୁ ନେଇ ବିବାଦ ଉପୁଜିବା ପରେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ରମେଶ କହିଛନ୍ତି ଯେ, ୫ ଟଙ୍କା ଫି’ ନେବାର ଉଦ୍ଦେଶ୍ୟ ଆୟ କରିବା ନୁହେଁ। ଫୋନ୍ ଜମା ବ୍ୟବସ୍ଥା ପରିଚାଳନାରେ ହେଉଥିବା ଖର୍ଚ୍ଚ ଭରଣା ପାଇଁ ଏହି ଟଙ୍କା ବ୍ୟବହାର କରାଯିବ। ଏହି ଟଙ୍କାରେ ୫୨ଟି ମନ୍ଦିରରେ କର୍ମଚାରୀ ନିଯୁକ୍ତି, ଫୋନ୍ ରଖିବା ପାଇଁ ଲକର୍ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆବଶ୍ୟକ ଖର୍ଚ୍ଚ ଭରଣା କରାଯିବ।

 

 

ଭଦ୍ରକ ଧାମନଗର ଏନ୍ଏସି ଅଞ୍ଚଳରେ SIR ରେ ବଡ଼ ତ୍ରୁଟି ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଭଦ୍ରକ ଧାମନଗର ଏନ୍‌ଏସି ଅଞ୍ଚଳରେ SIR ରେ ବଡ଼ ତ୍ରୁଟି ଅଭିଯୋଗ। ୩ ହଜାର ଲୋକଙ୍କୁ ବାଦ୍ ଦିଆଯାଇଥିବାର ଅଭିଯୋଗ। ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଥିବା ଅଭିଯୋଗ କରି ବିକ୍ଷୋଭ କରିଛି ବିଜେଡି। କାଟଣାପାହି ପଡ଼ିଆରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଶହ ଶହ ଲୋକ NAC ଅଫିସ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ। ସେଠାରେ ପ୍ରତିବାଦ ସଭା କରିଥିଲେ।

 ଏହି ଲୋକମାନେ ବହୁ ବର୍ଷ ହେଲା ଏଠାରେ ରହି ଆସୁଛନ୍ତି। ପୂର୍ବର ନିର୍ବାଚନରେ ଭୋଟ ବି ଦେଉଛନ୍ତି। ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଭୋଟର ତାଲିକାରୁ ସେମାନଙ୍କ ନାମ ବାଦ ଦିଆଯାଇଛି। କିନ୍ତୁ ଏନ୍‌ଏସି ବାହାରେ ରହୁଥିବା ୨ ଶହରୁ ଅଧିକ ଲୋକଙ୍କୁ ଏନଏସି ବାସିନ୍ଦା ଦର୍ଶାଇ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରାଯାଇଛି। ଏ ସବୁ ଅଭିଯୋଗର ନିରପେକ୍ଷ ତଦନ୍ତ କରିବାକୁ ଦାବି ହୋଇଛି। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ସ୍ମାରକ ପତ୍ର ବି ଦିଆଯାଇଛି।

ଦେଶର ପ୍ରଥମ ମହିଳା ଅଣମେଡିକାଲ ଏୟାର ଭାଇସ ମାର୍ଶାଲ ହେଲେ ଶକ୍ତି ଶର୍ମା

ନନ୍ଦିଘୋଷ ବ୍ୟୁରୋ : ଦେଶର ପ୍ରଥମ ମହିଳା ଅଣମେଡିକାଲ ଏୟାର ଭାଇସ ମାର୍ଶାଲ ହେଲେ ଶକ୍ତି ଶର୍ମା। ଭାରତୀୟ ପ୍ରତିରକ୍ଷା ବାହିନୀ ଲାଗି ଗର୍ବ ସାଉଁଟିଛନ୍ତି ଶକ୍ତି। ସେ ଏୟାର ହେଡକ୍ବାର୍ଟର୍ସର ଏୟାର ଷ୍ଟାଫ(ଏଜୁକେସନ)ର ସହକାରୀ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ସଫଳତା ଲାଗି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରତିବନ୍ଧକ ଦୂର କରି ସଫଳତା ସିଡି ଚଢୁଥିବା ମହିଳାଙ୍କ ଲାଗି ସେ ପ୍ରେରଣାର ଉତ୍ସ ହେବେ ବୋଲି କହିଛନ୍ତି ନବୀନ। ଏହା ସହ ଶକ୍ତିଙ୍କ ସଫଳତା କାମନା କରିଛନ୍ତି ନବୀନ।

ସେୟାର ମାର୍କେଟରେ ବିନିଯୋଗ ହେଲା କାଳ । ସର୍ବସ୍ବ ହରାଇ ବସିଲେ ରାଜଧାନୀ ବାସିନ୍ଦା

ନନ୍ଦିଘୋଷ ବ୍ୟୁରୋ : ସେୟାର ମାର୍କେଟରେ ବିନିଯୋଗ ହେଲା କାଳ । ସର୍ବସ୍ବ ହରାଇ ବସିଲେ ରାଜଧାନୀ ବାସିନ୍ଦା । ୨୦ ଜଣ ଲୋକେ ହରାଇ ବସିଛନ୍ତି ପାଖାପାଖି ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ଜଣେ ଦହିବରା ଦୋକାନୀ କେବଳ ହରାଇଛନ୍ତି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା । ଠକେଇର ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ବ୍ୟାଙ୍କ କର୍ମଚାରୀ, ସଫ୍ଟୱେର କମ୍ପାନୀ କର୍ମଚାରୀ ମଧ୍ୟ ରହିଥିବା ଜଣାପଡିଛି। ଏ ନେଇ ଠକେଇର ଶିକାର ଲୋକେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖାରେ ଅଭିଯୋଗ କରିଛନ୍ତି । ପଟିଆ ରଘୁନାଥପୁରରେ ଅଫିସ ଖୋଲି କିଛି ଠକ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି । ବାରମ୍ବାର ସଚେତନତା ସତ୍ତ୍ୱେ ମଧ୍ୟ ଲୋକେ ଅଧିକ ଲୋଭର ବଶବର୍ତ୍ତୀ ହୋଇ ଠକେଇ ହୋଇଛନ୍ତି। ଏ ନେଇ ଅଧିକ ଆଲୋଚନା କରିଛନ୍ତି ଭୁବନେଶ୍ୱର ସିନିୟର ରିପୋର୍ଟର ମାନସ ମହାପାତ୍ର…।