ନାଟୋ ପାଇଁ ଆଜି ଗୁରୁତ୍ବପୂର୍ଣ୍ଣ ଦିନ, ନାଟୋରେ ମିଶିବାକୁ ଆବେଦନ କରିବେ ଫିନଲ୍ୟାଣ୍ଡ ଓ ସ୍ୱିଡେନ

ନୂଆଦିଲ୍ଲୀ: ଆଜି ନାଟୋ ଲାଗି ଗୁରୁତ୍ବପୂର୍ଣ୍ଣ ଦିନ । ନାଟୋରେ ମିଶିବା ଲାଗି ବିଧିବଦ୍ଧ ଆବେଦନ କରିବେ ଫିନଲ୍ୟାଣ୍ଡ ଓ ସ୍ବିଡେନ । ଋଷ ଓ ନାଟୋ ସଦସ୍ୟ ତୁର୍କୀର ପ୍ରବଳ ବିରୋଧ ସତ୍ତ୍ୱେ ଦୁଇ ରାଷ୍ଟ୍ରର ଏହି ପଦକ୍ଷେପ ଯୁଦ୍ଧର ଗତିକୁ ବଦଳାଇବାର ସମ୍ଭାବନା ରହିଛି । ନାଟୋରେ ମିଶିବା ଲାଗି ସ୍ୱିଡେନ ପ୍ରଧାନମନ୍ତ୍ରୀ ମାଗାଡଲେନା ଆଣ୍ଡରସନ ଓ ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସାଓଲି ନିନିସ୍ତୋ ମିଳିତ ଭାବେ ଘୋଷଣା କରିଥିଲେ । ଫିନଲାଣ୍ଡ ସହ ଋଷର ୧୩୦୦ କିଲୋମିଟର ସୀମାରେଖା ରହିଥିବା ଯୋଗୁ ନାଟୋରେ ମିଶ୍ରଣ ପ୍ରସ୍ତାବକୁ ଗୁରୁତର ସହ ନେଇଛି ଋଷ ।

ଏହି ପ୍ରସ୍ତାବକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇଦିନ ତଳେ ଜୋରଦାର ବିରୋଧ କରିଥିଲେ । ଏହି ଦୁଇ ରାଷ୍ଟ୍ରକୁ ବିନା ଦ୍ବିଧାରେ ନାଟୋରେ ସାମିଲ କରାଯାଇପାରେ ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟଲଟନବର୍ଗ । ଆସନ୍ତାକାଲି ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏହି ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭେଟିବେ । ନାଟୋରେ ମିଶିବା ଲାଗି ଫିନଲାଣ୍ଡର ୨୦୦ ସାଂସଦଙ୍କ ମଧ୍ୟରୁ ୧୮୮ ସାଂସଦ ପ୍ରସ୍ତାବକୁ ସମର୍ଥନ କରିଥିଲେ ।

ସେପଟେ ୫୦ ପ୍ରତିଶତ ସ୍ବିଡେନବାସୀ ନାଟୋରେ ମିଶିବାକୁ ବି ସହମତି ପ୍ରକାଶ କରିଛନ୍ତି । ଦ୍ବିତୀୟ ବିଶ୍ବଯୁଦ୍ଧରେ ନିରପେକ୍ଷ ରହିଥିବା ସ୍ବିଡେନ ପ୍ରାୟ ୨୦୦ ବର୍ଷ ଧରି କୌଣସି ସାମରିକ ମେଣ୍ଟରେ ସାମିଲ ହୋଇ ନଥିଲା । ଏହି ଦୁଇ ରାଷ୍ଟ୍ରର ଉଦ୍ୟମକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାୟାପି ଏର୍ଡଗନ ବିରୋଧ କରିଛନ୍ତି । ଏନେଇ ଆମେରିକ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ତୁର୍କୀ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେଣେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମେତ ପ୍ରାୟ ୧୦୦୦ ସାମରିକ ଅଧିକାରୀ ଓ ସରକାରୀ କର୍ତ୍ତୃପକ୍ଷଙ୍କ ପ୍ରବେଶ ଉପରେ ନିଷେଧାଦେଶ ଜାରି କରିଛି କାନାଡ଼ା । ୟୁକ୍ରେନ ଉପରେ ଆକ୍ରମଣକୁ କେନ୍ଦ୍ର କରି କାନାଡ଼ା ଏହି ପଦକ୍ଷେପ ନେଇଛି ।