ଭୁବନେଶ୍ବର: ବଦଳିଲା ଯୁକ୍ତଦୁଇ ପରୀକ୍ଷା ସୂଚୀ । ୩ଟି ବିଷୟର ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି । ଗଣିତ, ଗୃହ ବିଜ୍ଞାନ, ଭୋକେସନାଲ ବାୟୋଲୋଜି ବିଷୟରେ ହୋଇଛି ପରିବର୍ତ୍ତନ । ମେ’ ୧୯ ବଦଳରେ ୩୧ରେ ହେବ ପରୀକ୍ଷା । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ପରୀକ୍ଷା ସୂଚୀରେ ଏହି ପରିବର୍ତ୍ତନ କରାଯାଇଛି ।
୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବାକୁ କେନ୍ଦ୍ରକୁ ଦାବି
ଭୁବନେଶ୍ବର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଲେଖିଲେ ଚିଠି । ଯୋଗାଣ ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଭାତ ଓଡ଼ିଶା ଲୋକଙ୍କ ମୁଖ୍ୟ ଖାଦ୍ୟ ହୋଇଥିବାବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାଜ୍ୟକୁ ଗହମ ଯୋଗାଇ ଦେବା ଯଥାର୍ଥ ନୁହେଁ । ଏହା ହିତାଧିକାରୀଙ୍କ ଅସନ୍ତୋଷର କାରଣ ହେଉଛି । କେନ୍ଦ୍ର ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତ ପ୍ରତିଶତ ଚାଉଳ ନଦେଇ ମାସିକ ଆବଣ୍ଟନର ୮୬ ପ୍ରତିଶତ ଚାଉଳ ଓ ୧୪ ପ୍ରତିଶତ ଗହମ ଦେଉଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ୯୩.୧୮ ଲକ୍ଷ ହିତାଧିକାରୀ ପରିବାରଙ୍କ ୩.୨୫୪ କୋଟି ହିତାଧିକାରୀ ମୁଖ୍ୟତଃ ଗ୍ରାମାଞ୍ଚଳରେ ବସବାସ କରିଥାଆନ୍ତି । ଯେଉଁଠାରେ ପର୍ଯ୍ୟାପ୍ତ ସଂଖ୍ୟକ ଅଟାକଳ ନଥିବାରୁ ଲୋକମାନେ ହଇରାଣ ହେଉଛନ୍ତି । ଏହା ଖାଦ୍ୟ ସୁରକ୍ଷାର ନିର୍ଦ୍ଦେଶନାମା ପୂରଣ କରୁନାହିଁ ।
ପୂର୍ବରୁ ଅନେକବାର ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ହିତାଧିକାରୀଙ୍କ ଚାହିଦା ଅନୁଯାୟୀ ଗହମ ବଦଳରେ ଚାଉଳ ଯୋଗାଇ ଦେବା ପାଇଁ ଅନୁରୋଧ କରାଯାଇଛି । ଅପର ପକ୍ଷରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ଭଳି ରାଜ୍ୟକୁ କେନ୍ଦ୍ର ସରକାର ଶତ ପ୍ରତିଶତ ଚାଉଳ ଯୋଗାଇ ଦେଉଛନ୍ତି । ପଞ୍ଜାବ ଓ ରାଜସ୍ଥାନ ଭଳି ମୁଖ୍ୟ ଗହମ ବ୍ୟବହାରକାରୀ ରାଜ୍ୟକୁ ଶତପ୍ରତିଶତ ଗହମ ଯୋଗାଇ ଦେଉଛନ୍ତି । ସେହିପରି ହରିୟାନା ରାଜ୍ୟକୁ କେନ୍ଦ୍ର ପକ୍ଷରୁ ୬୭ ପ୍ରତିଶତ ଗହମ ଓ ବାକି ୩୩ ପ୍ରତିଶତ ସେହି ରାଜ୍ୟ ଦ୍ବାରା ସଂଗୃହୀତ ହେଉଥିବା ଅନ୍ୟ ଖାଦ୍ୟଶସ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି । ହିତାଧିକାରୀଙ୍କ ହିତ ଦୃଷ୍ଟିରୁ ଚାଉଳ ଓ ଗହମର ଅନୁପାତକୁ ପରିବର୍ତ୍ତନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସଚିବଙ୍କୁ ୨୦୨୨ ଫେବୃଆରୀ ୧୮ ତାରିଖରେ ପତ୍ର ଲେଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ ଯୋଗାଣ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୧୦୦ ପ୍ରତିଶତ ଚାଉଳ ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।
ବାଇଡେନ-ମୋଦି ଆଲୋଚନାରେ ବୁଚା ଗଣହତ୍ୟା
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଛି ହାଇପ୍ରୋଫାଇଲ ଆଲୋଚନା । ସ୍ଥାନ ପାଇଛି ପ୍ରତିରକ୍ଷା, ଋଷ-ୟୁକ୍ରେନ ଯୁଦ୍ଧ ସମେତ ଅନେକ ପ୍ରସଙ୍ଗ । ବିଶେଷ କରି ୟୁକ୍ରେନର ବୁଚା ସହରରେ ହୋଇଥିବା ଗଣହତ୍ୟାକୁ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ବୁଚା ସହରରେ ଗଣହତ୍ୟା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ବ୍ୟକ୍ତ କରିଛନ୍ତି ।
ସେପଟେ ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ ଆଜି ଓ୍ବାସିଂଟନରେ ଆରମ୍ଭ ହେଉଛି । ବୈଠକରେ ଯୋଗ ଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଟୁ ପ୍ଲସ ଟୁ ବୈଠକ ପୂର୍ବରୁ ରାଜନାଥ ସିଂହ ଆମେରିକୀୟ ଏରୋସ୍ପେସ ଓ ପ୍ରତିରକ୍ଷା କଂପାନୀ ବୋଇଂ ଏବଂ ରେଥିଓନର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବାଇଡେନ ପ୍ରଶାସନ ଅମଳରେ ପ୍ରଥମ ଥର ପାଇଁ ଟୁ ପ୍ଲସ ଟୁ ବୈଠକ ହେଉଛି । ବୈଠକରେ ଆମେରିକା ପକ୍ଷରୁ ବୈଦେଶିକ ସଚିବ ଆନ୍ଥୋନୀ ବ୍ଲିଂକେନ ଓ ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ ଯୋଗ ଦେବେ । ପ୍ରତିରକ୍ଷା କ୍ଷେତ୍ରରେ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ନେଇ ହେବ ଆଲୋଚନା ।
ସୁମିତ-ଡିମ୍ପଲ ବିବାଦ: ଫିଟିଲାନି ସମାଧାରନ ବାଟ
ବ୍ରହ୍ମପୁର: ଡାକ୍ତର ଦମ୍ପତି ସୁମିତ-ଡିମ୍ପଲଙ୍କ ମଧ୍ୟରେ ଆପୋଷ ବୁଝାମଣା ପରେ ବି ଫିଟିଲାନି ସମାଧାନର ବାଟ । ଉଭୟଙ୍କ ମଧ୍ୟରେ ଆପୋସ ଆଲୋଚନା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ହାଇକୋର୍ଟଙ୍କ ମଧ୍ୟସ୍ଥ କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ । ହାଇକୋର୍ଟଙ୍କ ଦ୍ଵାରା ନିଯୁକ୍ତ କାଉନସିଲରଙ୍କ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପ୍ରଥମ ଦିନ ପ୍ରାୟ ତିନି ଘଣ୍ଟା ଏବଂ ଆଜି ଅଢେଇ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ଏଥିରେ କୌଣସି ସୁଫଳ ମିଳିନଥିବା ସୂଚନା ରହିଛି । ୧୩ ତାରିଖରେ ହାଇକୋର୍ଟରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ଏଥିରେ ଆଲୋଚନା କେନ୍ଦ୍ରର ସମସ୍ତ ବିବରଣୀ ଦାଖଲ କରାଯିବ ।
କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତା ମୁହାଁମୁହିଁ: ପିସିସି ଚୌକିରେ ବସିବ କିଏ ?
ଭୁବନେଶ୍ବର: ଓଡ଼ିଶା କଂଗ୍ରେସରେ ତେଜିଲା ପରିବର୍ତ୍ତନ ସ୍ବର । ପିସିସି ଚୌକିରେ ବସିବ କିଏ ? ଦଳରେ ବିଧାୟକ ଓ ବରିଷ୍ଠ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଛି ଟଣାଓଟରା । ଦିଲ୍ଲୀରେ ବରିଷ୍ଠ ନେତାଙ୍କୁ ଦାୟିତ୍ବ ଦେବା ପାଇଁ ନେତା ଡେରା ପକାଇଛନ୍ତି । ସେପଟେ ଦିଲ୍ଲୀ ଯିବା ପାଇଁ ସଜବାଜ ହେଉଛନ୍ତି ବିଧାୟକ । ଯାହାକୁ ନେଇ ହାତ ଶିବିର ସରଗରମ ହୋଇଛି ।
ପିସିସି ପରିବର୍ତ୍ତନ ପାଇଁ ଚାଲିଛି ଟଣାଓଟରା । ବିଧାୟକ ଓ ବରିଷ୍ଠ ନେତା ମୁହାଁମୁହିଁ । ରାଜଧାନୀରୁ ଦିଲ୍ଲୀ ଯାଏଁ ଲବି ଜୋରଦାର । ଚର୍ଚ୍ଚାରେ ଶରତ, ଜୟଦେବ, ମୋକିମ, ତାରା । ହଟିବେ ନିରଞ୍ଜନ, ଆସିବ ନୂଆ ନେତୃତ୍ବ । କିଏ ଧରିବ ରାଜ୍ୟ କଂଗ୍ରେସ ମଙ୍ଗ ? ବିଧାୟକ ନା ଦଳର ଅଭିଜ୍ଞ ରାଜନେତା ? ତାକୁ ନେଇ ସରଗରମ କଂଗ୍ରେସ ରାଜନୀତି ।
ପିସିସି ଚୌକି ପାଇଁ ମୁହାମୁହିଁ ହେଲେଣି କଂଗ୍ରେସ ବିଧାୟକ ଦଳ ଓ ବରିଷ୍ଠ ନେତା । ଦଳର ନିର୍ବାଚିତ ୯ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି ପଦ ପାଇଁ ହାଇକମାଣ୍ଡ ବାଛିବାକୁ ଜଣକ ପରେ ଜଣେ ବିଧାୟକ ଦାବି କରିଛନ୍ତି । ୧୦ ଦିନ ଭିତରେ ସବୁ ବିଧାୟକ ଏକାଠି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ପାଖରେ ଏହି ପ୍ରସ୍ତାବ ରଖିବେ । ପଞ୍ଜାବ ଢାଞ୍ଚାରେ ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିଙ୍କୁ ଦାୟିତ୍ବ ଦେବା ପାଇଁ ବିଧାୟକ ଦାବି କରିଛନ୍ତି । ରେସରେ ମହମ୍ମଦ ମୋକିମ, ତାରାପ୍ରସାଦ ବାହୀନିପତି ଓ ସନ୍ତୋଷ ସିଂହ ସାଜୁଲାଙ୍କ ପରି ବିଧାୟକଙ୍କ ନାଁ ରହିଛି।
ପିସିସି ସଭାପତି ରେସରେ ଦଳର ଦୁଇ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଜୟଦେବ ଜେନା ବି ଅଛନ୍ତି । ନିକଟରେ ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ଓ ଶରତ ରାଉତ ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି। ଦଳର ପୂର୍ବତନ ପିସିସି ସଭାପତିଙ୍କୁ ପୁଣି ଦାୟିତ୍ବ ଦେବା ପାଇଁ ସେମାନଙ୍କ ଗୋଷ୍ଠୀର ନେତା ଦିଲ୍ଲୀରେ ଡେରା ପକାଇଛନ୍ତି ।
ଏବେ କଂଗ୍ରେସ ଟାର୍ଗେଟରେ ୨୦୨୪ । ହାଇକମାଣ୍ଡ ଦୁର୍ବଳ ସଂଗଠନ ଥିବା ରାଜ୍ୟ ଗୁଡ଼ିକରେ ସଂଗଠନ ମଜଭୁତ ପାଇଁ ପିସିସି ସଭାପତି ପରିବର୍ତ୍ତନ କରିବା ସହ ତୃଣମୂଳସ୍ତରରୁ ନେତୃତ୍ବ ସଜାଡୁଛନ୍ତି । ଏହି ଧାରାରେ ଖୁବଶୀଘ୍ର ଓଡ଼ିଶା କଂଗ୍ରେସ ନୂଆ ମଙ୍ଗୁଆଳ ପାଇବ ବୋଲି ଦଳର ଅନ୍ଦର ମହଲରେ ଜୋରଦାର ଚର୍ଚ୍ଚା ହେଉଛି ।
ବିଜେପି ସାଂସଦଙ୍କ ଖୋଲା ଧମକ, ମୁଣ୍ଡ କାଟି ଦେବି…
କଳାହାଣ୍ଡି: ହଜମ ହେଉନି କି ପରାଜୟ ? ପଞ୍ଚାୟତ ଓ ପୌର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଔଷଧ ବାଉଳାରେ ତାଟିଆ କାମୁଡୁଛି ବିଜେପି । ହତାଶ ବିଜେପି ନେତା ଟପୁଛନ୍ତି ଶାଳୀନତାର ସବୁ ସୀମା । ଏମିତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନଏସିର ପ୍ରଥମ ବୈଠକରେ । ବୈଠକରେ ବିଜେପି ସାଂସଦ ବସନ୍ତ ପଣ୍ଡା ଖୁଲମଖୁଲା ଧମକପୂର୍ଣ୍ଣ ବ୍ୟବହାର ଚର୍ଚ୍ଚାର ବିଷୟ ପାଲଟିଛି ।
ବୈଠକରେ ଖୋଲାଖୋଲି ଧମକ ଦେଇଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । କହୁଛନ୍ତି, ‘ମୋ ଗୋଡ଼କୁ ଯିଏ କାଟିବା ଲାଗି ଚେଷ୍ଟା କରିବ, ମୁଁ ତା ମୁଣ୍ଡକୁ କାଟିଦେବି’ ।
ନବ ନିର୍ବାଚିତ ଅଧ୍ୟକ୍ଷ, କାଉନସିଲର ଏବଂ ଅନ୍ୟ ଅଧିକରୀଙ୍କ ଉପସ୍ଥିତିରେ ବସନ୍ତଙ୍କ ଏପରି ବ୍ୟବହାରକୁ ନେଇ ସମସ୍ତେ ତାଜୁବ । ଆଜିର ବୈଠକରେ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ଉପାଧ୍ୟକ୍ଷା ହିମାଦ୍ରୀ ନାଏକ, ୧୧ଜଣ କାଉନସିଲରଙ୍କ ସମେତ ମନ୍ତ୍ରୀ ପ୍ରତିନିଧି, ନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ l ସାଂସଦଙ୍କ ଏଭଳି ଆଚରଣକୁ ଦେଖି ଆଗାମୀ ବୈଠକ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ବିଜେଡି କାଉନସିଲର । ଅନ୍ୟପଟେ ଏପରି ଦୁର୍ବ୍ୟବହାର ପରେ ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟା ଦେବାକୁ ମନାକରି ଦେଇଛନ୍ତି ।
୧୨ ୱାର୍ଡ ବିଶିଷ୍ଟ ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ବିଜେପି ହାତେଇ ଥିବା ବେଳେ ୧୨ଟି କାଉନସିଲରରୁ ୧୦ଟି ବିଜୁ ଜନତା ଦଳ ହାତେଇଛି l ୨ଟି ଆସନ ବିଜେପି ଖାତାକୁ ଯାଇଛି । ବିଜୁ ଜନତା ଦଳ ହାତେଇଛି ଉପାଧ୍ୟକ୍ଷ ପଦ ।
ଓଡ଼ିଶା ହେବ ଆଇଟି ହବ୍, ଫେରିବେ ଓଡ଼ିଆ ଆଇଟି ପ୍ରଫେସନାଲ୍
ଭୁବନେଶ୍ବର: ସାକାର ହେବ ଆଇଟି ହବ୍ ସ୍ବପ୍ନ । ଆଇଟି, ବିପିଓ ଓ ଇଏସଡିଏମ ନୀତିକୁ ଆହୁରି ବ୍ୟାପକ କରିବାରେ ଲାଗିଛନ୍ତି ରାଜ୍ୟ ସରକାର । ଓଡ଼ିଆ ଆଇଟି ପ୍ରଫେସନାଲଙ୍କୁ ଅନୁକୂଳ ବାତାବରଣ ଦେଇ ରାଜ୍ୟକୁ ଫେରାଇ ଆଣିବାକୁ ରହିଛି ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ ଭିଜନ । କିଛିଦିନ ତଳେ ଦ୍ବିତୀୟ ଇନଫୋସିଟି ପାଇଁ ୨୫୦ ଏକର ଜମି ପ୍ରଦାନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମହାରାଷ୍ଟ୍ରରେ ଥିବା ଓଡ଼ିଆ ଆଇଟି ଛାତ୍ରଙ୍କୁ ଫେରାଇ ଆଣିବାକୁ ଫୋକସରେ ରଖାଯାଇଛି । ଏନେଇ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରାଯାଉଛି । ଯେଉଁଥିରେ ଚାଇନା ସହ ସଂପର୍କ ଛିନ୍ନ କରୁଥିବା କମ୍ପାନୀଗୁଡିକର ଓଡ଼ିଶାରେ ପୁଞ୍ଜିନିବେଶକୁ ଲକ୍ଷ୍ୟ ରଖଯାଇଛି । କାରଣ ଏସବୁ କମ୍ପାନୀ ଏବେ ଭିଏତନାମ ସହ ଭାରତମୁହାଁ ହେଲେଣି । ଏଥିସହ ଦୁଇ ବର୍ଷରୁ କରୋନା ଯୋଗୁଁ ବନ୍ଦ ପଡ଼ିଥିବା ଆଇଟି ପ୍ରକଳ୍ପ କାମ ପୁଣି ତୀବ୍ର ଗତିରେ ଆରମ୍ଭ ହେଲାଣି ।

୨୦୦୫ ପରଠାରୁ ଓଡ଼ିଆ ଛାତ୍ରଛାତ୍ରୀ ଆଇଟି କାମ ସନ୍ଧାନରେ ମେଟ୍ରା ସିଟିକୁ ଯାଉଛନ୍ତି । ଏବେ ସେଠାରେ ଓଡ଼ିଶାର ୨୦ ପ୍ରତିଶତରୁ ଅଧିକ ଆଇଟି ପେଶାଦାର କାମ କରୁଛନ୍ତି । ସେହିପରି ୨୦୦୭ରୁ ଓଡ଼ିଶାରେ ଓ୍ବିପ୍ରୋ, ସତ୍ୟମ, ଟେକ୍ ମହିନ୍ଦ୍ରା, ଟିସିଏସ୍ ଓ ଇନଫୋସିସ୍ ପରି କମ୍ ସଂଖ୍ୟକ ଆଇଟି କମ୍ପାନୀ ଥିଲେ । ଏଥିରୁ ସତ୍ୟମ କଳା ତାଲିକାଭୁକ୍ତ ହୋଇଥିଲା । ଅଧିକ କମ୍ପାନୀ ଓ ଅଧିକ ବେତନ ପାଇଁ ମାଟି ଛାଡ଼ୁଥିଲେ ଓଡ଼ିଆ ଛାତ୍ରଛାତ୍ରୀ । ହେଲେ ଏବେ କରୋନା ଯୋଗୁଁ ଦୁଇ ବର୍ଷ ହେଲା ସେମାନେ ଓଡ଼ିଶାରେ ରହି ଓ୍ବାର୍କ ଫ୍ରମ୍ ହୋମ୍ରେ କାମ କରୁଛନ୍ତି । ଫଳରେ ବାହାର ରାଜ୍ୟ ପ୍ରତି ସେମାନଙ୍କ ମୋହ ତୁଟିବାରେ ଲାଗିଛି ।
ରାଜ୍ୟର ଆଇଟି ମନ୍ତ୍ରୀ ଜଣେ ଆଇଆଇଟିଆନ୍ । ଆଇଟି ଶିଳ୍ପର ବିକାଶ ପାଇଁ ସେ ଆଇଟି ସମୃଦ୍ଧ ରାଜ୍ୟକୁ ଗସ୍ତ କରି ସେଠାର ବୈଷୟିକ ବାତାବରଣ ନେଇ ଅନୁଧ୍ୟାନ କରୁଛନ୍ତି । କିଛିଦିନ ତଳେ ସେ ପୁଣେ ଯାଇ ୫ରୁ ୬ କମ୍ପାନୀଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ୨ରୁ ୩ ଓଡିଆ ଉଦ୍ୟୋଗୀ ରାଜ୍ୟକୁ ଫେରି ଷ୍ଟାର୍ଟଅପ୍ କରିବା ପାଇଁ ମନ ବଳାଇଛନ୍ତି ।
ରାଜ୍ୟ ସରକାର ମେଡିକାଲ ପଢିବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ
ପୁରୀ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ମାନବ ସେବାର ପଡିଲା ନିଅ । ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚ୍ଚୁଆଲରେ ଯୋଗଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନୂଆ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ସ୍ବପ୍ନ ପୂରଣ ପାଇଁ ସୁନ୍ଦର ଭିତ୍ତିଭୂମି ପ୍ରସ୍ତୁତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ । ସରକାରୀ ସ୍କୁଲରେ ପଢିଥିବାରୁ ରାଜ୍ୟ ସରକାରଙ୍କ କୋଟାରେ ମେଡିକାଲ କଲେଜରେ ପଢିବାର ସୁଯୋଗ ପାଇଛନ୍ତି ବାଲେଶ୍ବରର ରାଧାବଲ୍ଲଭ ବେହେରା ଏବଂ ମୟୂରଭଞ୍ଜର ଭଟ୍ଟ ହେମ୍ବ୍ରମ୍ ।
ରାଧାବଲ୍ଲଭ କହିଛନ୍ତି, ସେ ଜଣେ ଭାଗଚାଷୀଙ୍କ ପୁଅ । ସରକାରୀ ସ୍କୁଲ ପିଲାଙ୍କ ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ସେ ମେଡିକାଲ ପଢିବାର ସୁଯୋଗ ପାଇଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ମୟୂରଭଞ୍ଜର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଅତି ଗରିବ ପରିବାରରୁ ଆସିଥିବା ଭଟ୍ଟ ହେମ୍ବ୍ରମ୍ଙ୍କର ଡାକ୍ତର ହେବା ସ୍ବପ୍ନ ପୂରଣ ହୋଇଛି । ତାଙ୍କ ବାପା ଜଣେ ଦିନ ମଜୁରିଆ ଓ ୮ ଜଣ ଭାଇଭଉଣୀଙ୍କୁ ନେଇ ତାଙ୍କ ବଡ଼ ପରିବାର । ତେବେ ନିଜ ଦୃଢ଼ ମନୋବଳ ଓ ସରକାରୀ ସ୍କୁଲରେ ପଢିଥିବା ପିଲାଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ପାଇଁ ସେ ମେଡିକାଲ ପଢିବା ସୁଯୋଗ ପାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବେଳେ ଗ୍ରାମୀଣ ଅଞ୍ଚଳରେ କାମ କରିବା ସହ ଗରିବ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ରାଜ୍ୟର ସବୁଠାରୁ ଗରିବ ଶ୍ରେଣୀରୁ ଛାତ୍ରଛାତ୍ରୀମାନେ ମଧ୍ୟ ମେଡିକାଲ ପାଠ ପଢିବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ଓଡିଶାର ସରକାରୀ ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂରେ ୧୫ ପ୍ରତିଶତ ଆସନ ସଂରକ୍ଷିତ ରଖିଛନ୍ତି ।
ପାକ୍ ସଂସଦ ବାଚସ୍ପତି ଭୁଲରେ ନୱାଜ୍ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କଲେ, କହିଲେ ମନରେ ଏବେବି ନୱାଜ୍
ଇସଲାମାବାଦ: ପାକିସ୍ତାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ। ସୋମବାର ପାକିସ୍ତାନର ସଂସଦରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ପାକିସ୍ତାନର ୩ ଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫଙ୍କ ବଡ଼ ଭାଇ ତଥା ୭୦ ବର୍ଷୀୟ ଶାହବାଜ୍ ସରିଫ୍। ପାକିସ୍ତାନର ନୂଆ ଶାସନ ମୁଖ୍ୟଙ୍କ ନାଁ ଘୋଷଣା କରିବାବେଳେ ବାଚସ୍ପତି ଭୁଲରେ ଶାହାବାଜଙ୍କ ସ୍ଥାନରେ ନୱାଜ୍ ସରିଫଙ୍କ ନାଁ ଘୋଷଣା କରିଦେଇଥିଲେ।
ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ୍ ତେହେରିକ-ଇ-ଇନସାଫ୍(ପିଟିଆଇ) ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଶାହ ମମ୍ମୋଦ୍ କୁରେଶିଙ୍କ ନାମ ଚୟନ କରାଯାଇଥିଲା। ହେଲେ ଇମ୍ରାନ୍ଙ୍କ ଦଳ ପିଟିଆଇର ଅଧିକାଂଶ ସଦସ୍ୟ ପାକିସ୍ତାନ ସଂସଦରୁ ଇସ୍ତଫା ଦେଇଥିଲେ। ଫଳରେ ଶାହ ମମ୍ମୋଦ୍ କୁରେଶି ପ୍ରତିଦ୍ୱନ୍ଦିତା କରିବାର ବାଟ ବନ୍ଦ ହୋଇଯାଇଥିଲା। ଉପବାଚସ୍ପତି କାସିମ ସୁରି ମଧ୍ଯ ଭୋଟିଂ ସମୟରେ ଇସ୍ଥଫା ଦେଇଥିଲେ । ଏହାପରେ ଶାହାବାଜଙ୍କ ଦଳ ପାକିସ୍ତାନ ମୁସଲିମ୍ ଲିଗ (PMLN)ର ବରିଷ୍ଠ ନେତା ଅୟାଜ୍ ସାଦ୍ଦିକ୍ ଗୃହର କାମଚଳା ବାଚସ୍ପତି ଭାବେ ଅଧ୍ୟକ୍ଷତା କରିଥିଲେ। ଏଥିପାଇଁ ଏକ କମିଟି ଗଠନ ହୋଇ ସାଦ୍ଦିକ୍ଙ୍କ ନାମ ଚୟନ କରାଯାଥିଲା। । ଅବିଶ୍ୱାସ ଭୋଟ୍ ସପକ୍ଷରେ ୧୭୪ ସଦସ୍ୟ ମତଦାନ କରିଥିଲେ। ଫଳରେ ଇମ୍ରାନ୍ଙ୍କ ବିରୋଧରେ ବହୁମତ ଆସିବା ପରେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ଚାଲିଯାଇଥିଲା।
ଭୋଟ୍ ଗ୍ରହଣ ପରେ ସାଦ୍ଦିକ୍ ନବ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ନାଁ ଘୋଷଣା କରିବାବେଳେ ସେ ଭୁଲରେ ଶାହବାଜଙ୍କ ବଦଳରେ ନୱାଜ ସରିଫ୍ ନୂଆ ପ୍ରଧାନମନ୍ତ୍ରୀ ବୋଲି କହିଦେଲେ। ଏହାପରେ ସଂସଦ ତାଳିରେ ଫାଟିପଡ଼ିଲା। ମାହୋଲ ଟିକେ ହାଲକା ହୋଇଗଲା । ଏହାପରେ ସେ କ୍ଷମା ମାଗିଥିଲେ ଓ କହିଥିଲେ, ‘ମୋତେ କ୍ଷମା କରିବେ, ବାସ୍ତବରେ ମୋ ମନରେ ନୱାଜ୍ ସରିଫ୍ ଘର କରିନେଇଛନ୍ତି, ସେଥିପାଇଁ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ନାଁ ହିଁ ପାଟିକୁ ଆସିଯାଉଛି।’ ଏହାପରେ ସେ ବିରୋଧୀ ଦଳ ନେତା ଶାହବାଜ୍ ସରିଫ୍ ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି ବୋଲି ଘୋଷଣା କରିଥିଲେ।
ସେପଟେମ୍ବର ୧୯୫୧ରେ ଲାହୋରରେ ଶାହାବାଜଙ୍କ ଜନ୍ମ। ସେ ବଡ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ ରାଜନୀତିରେ ପାଦ ଥାପିଥିଲେ। ଶାହାବାଜ ୧୯୮୮ରେ ପଞ୍ଜାବ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୮ରେ ଦ୍ବିତୀୟ ଓ ୨୦୧୩ରେ ତୃତୀୟ ଥର ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ ଶାହାବାଜ।
ଯୋଡ଼ା ମାର୍କେଟରେ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ମାର୍କେଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡରୁ କିଛି ଲୋକ ଆହତ । ଗୋଷ୍ଠୀ ସଂଘର୍ଷ ପରେ ଅଞ୍ଚଳରେ ଉତ୍ତେଜନା । ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୋଲିସର ଫାଙ୍କା ଗୁଳି ଚାଳନା । ଜାରି ହେଲା ୧୪୪ ଧାରା ।
ସୂଚନାଯୋଗ୍ୟ, ଏକ ଗୋଷ୍ଠୀର ଲୋକେ ପତାକା ଧରି ଯାଉଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ବିରୋଧ କରିଥିଲା । ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ଏହା ଧସ୍ତାଧସ୍ତି ଓ ମାଡପିଟର ରୂପ ନେଇଥିଲା । ଉଭୟ ଗୋଷ୍ଠୀର ଲୋକେ ଭଙ୍ଗାରୁଜା କରିବା ସହ ପରସ୍ପର ଉପରକୁ ପଥର ମାଡ କରିଥିବା ଅଭିଯୋଗ ହୋଇଛି ।
ଉତ୍ତେଜନା ନିୟନ୍ତ୍ରଣ ପାଇଁ ପୋଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା । ଘଟଣାସ୍ଥଳରେ ଚମ୍ପୁଆ ସବକଲେକ୍ଟର, ବଡ଼ବିଲ ଏସଡିପିଓ, ତହସିଲଦାରଙ୍କ ସମେତ ପୋଲିସ୍ ଫୋର୍ସ ମୁତୟନ ରହିଛନ୍ତି । ସ୍ଥିତି ସ୍ବାଭାବିକ ପାଇଁ ଉଦ୍ୟମ ଚାଲିଛି ।

