ରାହୁଲଙ୍କୁ ଜେରା କରୁଛି ଇଡି, ବରିଷ୍ଠଙ୍କୁ ଉଠାଇ ନେଲା ପୋଲିସ

2 min read

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ଅର୍ଥ ହେରଫେର ମାମଲାରେ ପ୍ରଦର୍ଶନ ନିର୍ଦ୍ଦେଶାଳୟ (ED)ରେ ହାଜର ହୋଇଛନ୍ତି ରାହୁଲ ଗାନ୍ଧୀ  । ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅନ୍ୟାନ୍ୟ ନେତା ଓ କର୍ମୀଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାହୁଲ  । ରାହୁଲଙ୍କୁ ପଚରା ଉଚୁରା ଆରମ୍ଭ କରିଛି ଇଡି  । ଯାଞ୍ଚ ଏଜେନ୍ସୀର ୩ ଅଧିକାରୀ ରାହୁଲଙ୍କୁ ଜେରା କରୁଛନ୍ତି  । ଏହି ସମସ୍ତ ପ୍ରକ୍ରିୟା ଡେପୁଟି ନିର୍ଦ୍ଦେଶକ ପାହ୍ୟା ଅଫିସରଙ୍କ ତତ୍ତ୍ବାବଧାନରେ ଚାଲିଛି  । ଯାହା ବିରୁଦ୍ଧରେ ସମଗ୍ର ଦେଶରେ ପାର୍ଟି ଅଫିସରେ ବିରୋଧ କରୁଛି କଂଗ୍ରେସ  ।

ଶାସକ ବିଜେପି ବିରୋଧୀଙ୍କ ବିରୋଧରେ ପ୍ରତିଶୋଧ ରାଜନୀତି କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।  ଇଡିର ଅପବ୍ୟବହାର କରି କେନ୍ଦ୍ର ସରକାର ଦଳକୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଦଳ ପଛକୁ ହଟିବ ନାହିଁ ବରଂ ଏହା ବିରୁଦ୍ଧରେ ସତ୍ୟାଗ୍ରହ କରିବ ବୋଲି କହିଛି କଂଗ୍ରେସ ।  ଆଜି ଦଳର ବରିଷ୍ଠ ନେତା ଓ ସାଂସଦଙ୍କ ସହ ମାର୍ଚ୍ଚ କରି ରାହୁଲ ଇଡି ମୁଖ୍ୟାଳୟରେ ପହଞ୍ଚିବା ପାଇଁ ନିଷ୍ପତ୍ତି ନେଇଥିଲା କଂଗ୍ରେସ  । କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା ଦିଲ୍ଲୀ ପୋଲିସ  ।

ଫଳରେ ରାହୁଲ କାର୍ଯ୍ୟକର୍ତ୍ତାଙ୍କ ସହ ପାର୍ଟି ଅଫିସରୁ ପାଦରେ ମାର୍ଚ୍ଚ କରି  ଇଡି ଅଫିସ ଯିବା ସମୟରେ ତାଙ୍କୁ ରାସ୍ତାରେ ଅଟକାଇଥିଲା ପୋଲିସ  । ସେପଟେ ଇଡି ଅଫିସ ସାମନାରେ ପହଞ୍ଚି ବିରୋଧ କରିଥିଲେ ଦଳୀୟ କର୍ମୀ । ସେଣ୍ଟ୍ରାଲ ଦିଲ୍ଲୀରେ ପ୍ରଦର୍ଶନ କରୁଥିବା କର୍ମୀଙ୍କୁ ଉଠାଇ ନେଇଛି ପୋଲିସ  ।

କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ, କେସି ବେଣୁଗେପାଳ, ଦୀପେନ୍ଦ୍ର ଏସ ହୁଡ୍ଡା ଓ ଅଶୋକ ଗେହଲଟଙ୍କୁ ପୋଲିସ ଉଠାଇ ନେଇଛି  । ରାହୁଲଙ୍କୁ ଇଡିର ସମନକୁ ବିରୋଧ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, ବରିଷ୍ଠ ନେତା ରଣଦୀପ ସୁରଜେୱାଲା ବିଜେପିକୁ ଟାର୍ଗେଟ କରିଛନ୍ତି  ।