ପ୍ରବାସୀ ପ୍ରଦର୍ଶନକାରୀଙ୍କୁ ପାନେ, ଦେଶରୁ ବିଦା କରିବ କୁଏତ

କୁଏତ: ସାବାଡ ହେବେ ପ୍ରଦର୍ଶନକାରୀ  । ପ୍ରବାସୀ ପ୍ରଦର୍ଶନକାରୀ ଗିରଫ ପରେ ଦେଶରୁ ବିଦା ହେବେ । କିଛି ଦିନ ଧରି ଦେଶରେ ବ୍ୟାପିଥିବା ନୂପୁର ନିଆଁ କ୍ରମଶଃ ଆରବ ଦେଶକୁ ବ୍ୟାପିଛି  । ଏଣୁ ପ୍ରଦର୍ଶନକାରୀଙ୍କ ବିରୋଧରେ କଡା ନିଷ୍ପତ୍ତି ନେଇଛି କୁଏତ  । ବିରୋଧ ପ୍ରଦର୍ଶନ କରି ଦେଶରେ ଆଇନକୁ ଉଲ୍ଲଙ୍ଘନ କରିଛନ୍ତି ବିକ୍ଷୋଭକାରୀ  । ଯାହା ବିରୁଦ୍ଧରେ କୁଏତ କାର୍ଯ୍ୟାନୁଷ୍ଠାନ ନେବ  ।

 

ଆରବ ଟାଇମ୍ସର ରିପୋର୍ଟ ମୁତାବକ ବହୁସଂଖ୍ୟାରେ ଭାରତୀୟ ଓ ପାକିସ୍ତାନୀ କୁଏତରେ କାମ କରୁଛନ୍ତି  । ପ୍ରବାସୀ କୁଏତରେ ପ୍ରଦର୍ଶନ କରିବା ସମ୍ପୂର୍ଣ୍ଣ ବେଆଇନ  । ଏଣୁ ସେମାନଙ୍କୁ ଗିରଫ କରାଯାଇ ନିର୍ବାସନ କେନ୍ଦ୍ରକୁ ପଠାଯିବ  । ସେଠାରେ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରିବ କୁଏତ  । ଏପରିକି ଏହି ବିକ୍ଷୋଭକାରୀ ପ୍ରବାସୀ କେବେ କୁଏତ ଫେରିପାରିବେ ନାହିଁ  ।

 

କେଉଁ ଦେଶର ନାଗରିକ ବିରୋଧ ପ୍ରଦର୍ଶନ କରୁଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ  । ୪୦ ରୁ ଅଧିକ ବିକ୍ଷୋଭକାରୀ ନୂପୁର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଏକ ଭିଡିଓରେ ସ୍ପଷ୍ଟ ହୋଇଛି  । ସେମାନେ ଭାରତୀୟ, ପାକିସ୍ତାନୀ କିମ୍ବା ବାଂଲାଦେଶୀ ହୋଇଥିବା ଅନୁମାନ କରାଯାଉଛି  । କୁଏତରେ ରହିବାକୁ ହେଲେ ଆଇନ ବ୍ୟବସ୍ଥାକୁ ସମ୍ମାନ ଜଣାଇବାକୁ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି  ।

 

ଭବିଷ୍ୟତରେ ଯେପରି କୌଣସି ପ୍ରବାସୀ ଏପରି ଗତିବିଧିରେ ସାମିଲ ନ ହୁଅନ୍ତି କୁଏତ ସେଥିପାଇଁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି  । କୁଏତ ନିଜ ନାଗରିକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଯେଉଁମାନେ ଏଥିରେ ସାମିଲ ଅଛନ୍ତି  । ଏହା ପୂର୍ବରୁ ନୂପୁର ଶର୍ମାଙ୍କ ବୟାନକୁ ବିଭିନ୍ନ ଆରବ ଦେଶ ସହିତ କୁଏତ ମଧ୍ୟ ବିରୋଧ କରିଥିଲା  । ଭାରତୀୟ ଦୂତାବାସକୁ ରିପୋର୍ଟ ତଲବ କରିଥିଲା କୁଏତ  । ଯାହାର ଜବାବ ରଖିଥିଲା ଭାରତ  । ବିଜେପିର  ନିଲମ୍ବିତ ପ୍ରବକ୍ତାଙ୍କ ବୟାନ ଭାରତ ସରକାରଙ୍କ ନିଷ୍ପତ୍ତି ନୁହେଁ  । ବରଂ ଭାରତ କୁଏତ ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଏହାର ବିରୋଧୀଙ୍କ ଷଡଯନ୍ତ୍ର ବୋଲି କହିଥିଲା ଭାରତ  ।

 

ବିଶ୍ବର ସମସ୍ତ ଆରବ ଦେଶ ମଧ୍ୟରୁ ଭାରତ ସହ କୁଏତର ସମ୍ପର୍କ ଅତି ନିବିଡ ରହିଛି  । କୁଏତ ରାଜ ପରିବାର ସହ ଭାରତର ଘନିଷ୍ଠତା ବହୁ ପୁରୁଣା  । କୋରୋନା କାଳରେ କୁଏତ ଭାରତକୁ ବହୁଳ ପରିମାଣରେ ମେଡିକାଲ ଅକ୍ସିଜେନ ଯୋଗାଇଥିଲା  ।