spot_img
Home Blog Page 4370

୧୪ ଏପ୍ରିଲରୁ ଏହି ୩ଟି ରାଶିର ଖରାପ ସମୟ ଆରମ୍ଭ

ନୂଆଦିଲ୍ଲୀ: ୧୪ ଏପ୍ରିଲରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି  । ଏହିଦିନ ପ୍ରାୟ ସକାଳ ୮ଟା ୫୬ ମିନିଟରେ ମେଶ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ । ଜ୍ୟୋତିର୍ବିଦଙ୍କ କହିବା ହେଉଛି ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ କେତେକ ରାଶି ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ।  କିନ୍ତୁ ମେଷ, ବୃଷ ଏବଂ ମୀନ ରାଶି ପାଇଁ ଏହା ଖୁବ୍‌ କଷ୍ଟଦାୟକ ରହିବ । ତେଣୁ ଏହି ସମସ୍ତ ରାଶି ସାବଧାନତା ଅବଲମ୍ବନ କରିବା ଉଚିତ୍‌ ।

ମେଷ:  ଏହି ସମୟରେ ଆପଣଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ । କର୍ମସ୍ଥଳରେ କଳହ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ଏହାର ପ୍ରଭାବ ଆପଣଙ୍କ ଚାକିରି ଏବଂ ବ୍ୟବସାୟ ଉପରେ ପଡ଼ିପାରେ । ଅହଂକାର ହେତୁ ଆପଣଙ୍କ ପ୍ରେମ ଜୀବନରେ ସ୍ଥିତି ବିଗିଡ଼ିପାରେ ଏବଂ ସମ୍ପର୍କରେ ଭଟ୍ଟା ଆସିପାରେ । ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସହିତ  ବିବାଦ ସୃଷ୍ଟି ହେଲେ ସମସ୍ୟାରେ ପଡ଼ିପାରନ୍ତି ।

ବୃଷ: ସୂର୍ଯ୍ୟ ଆପଣଙ୍କ ରାଶିରେ ବିରାଜମାନ କରିବା ଦ୍ୱାରା ଆପଣ  ବିଦେଶରୁ ଭଲ ଲାଭ ପାଇବେ । ଆପଣଙ୍କ ଖର୍ଚ୍ଚ ବଢ଼ିପାରେ । ଧାରକୁ ଦେଇଥିବା ଟଙ୍କା ବୁଡ଼ିଯାଇପାରେ । କର୍ମକ୍ଷେତ୍ରରେ ନିଜ ଶତ୍ରୁକୁ ନେଇ ସାବଧାନ ରହିବା ଜରୁରୀ । ଏହାଦ୍ୱାରା ଆପଣଙ୍କ ଚିନ୍ତା ବଢ଼ିପାରେ । ବ୍ୟବସାୟକୁ ସନ୍ତୋଷଜନକ ଭାବରେ ଚଲାଇବାକୁ ହେଲେ ଆପଣଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡ଼ିବ ।

ମୀନ ରାଶି:  ସୂର୍ଯ୍ୟଙ୍କ ସ୍ଥାନ ପରିବର୍ତ୍ତନ ଆପଣଙ୍କ ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ । ଏଥିପାଇଁ ଆପଣଙ୍କୁ ଖୁବ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଧନ ସମ୍ବଦ୍ଧୀୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସତର୍କ ରୁହନ୍ତୁ ।  ପାରିବାରିକ ଖର୍ଚ୍ଚ ମଧ୍ୟ ବଢ଼ିପାରେ । ଆପଣଙ୍କ ମଧ୍ୟରେ କ୍ରୋଧ ଏବଂ କଥାରେ ଅସଭ୍ୟତା ଆସିପାରେ, ତେଣୁ ଜଗିରଖି କଥା କହିବେ । ସାଙ୍ଗରେ କାମ କରୁଥିବା କର୍ମଚାରୀଙ୍କ ସହିତ ସମ୍ପର୍କ ଖରାପ ହୋଇପାରେ । ତେଣୁ ସତର୍କ ରୁହନ୍ତୁ ।

ଏହାକୁ ବାଦ୍‌ ଦେଲେ ମିଥୁନ,କର୍କଟ,ସିଂହ, କନ୍ୟା, ତୁଳା, ବିଛା,ଧନୁ, ମକର ଏବଂ କୁମ୍ଭ ରାଶିର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

ବାପା ବସ୍ ଡ୍ରାଇଭର, ପୁଅ ଏବେ ବକ୍ସ ଅଫିସ୍ କିଙ୍ଗ

ଭୁବନେଶ୍ୱର: ଆଉ ମାତ୍ର ଦିନକ ପରେ ପରଦାକୁ ଆସୁଛି ବ୍ଲକବଷ୍ଟର କନ୍ନଡ ଫିଲ୍ମ KGF ସିକ୍ୱେଲ୍ KGF-2 । ପୁଣିଥରେ ପରଦାରେ ଦେଖିବାକୁ ମିଳିବ ସୁପରଷ୍ଟାର ୟଶ୍ ଓରଫ ରକି ଭାଇଙ୍କ ଜବରଦସ୍ତ ଆକ୍ସନ। ସପ୍ତାହେ ପୂର୍ବରୁ ବୁକିଂ ହୋଇଗଲାଣି ଟିକେଟ୍ । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହି ଫିଲ୍ମକୁ ନେଇ ରହିଛି ଅଦ୍ଭୁତ ଉତ୍ସାହ । ସୁପରଷ୍ଟାର ୟସଙ୍କ ଆକ୍ଟିଂ, ଷ୍ଟାଇଲ୍ ଓ ଡାଇଲଗ୍ କହିବାର ଅନ୍ଦାଜରେ ସମସ୍ତେ ଫିଦା । ଏସବୁ ଭିତରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ସୁପରଷ୍ଟାର ୟଶଙ୍କ ସଂଘର୍ଷର କାହାଣୀ । ଆପଣ ଜାଣିଲେ ଆଶ୍ଟର୍ଯ୍ୟ ହେବେ ଯେ କୋଟି କୋଟି ଟଙ୍କାର ମାଲିକ ସୁପରଷ୍ଟାର ୟଶ୍ ଦିନେ ମାତ୍ର ୩୦୦ ଟଙ୍କାରୁ ଆରମ୍ଭ କରିଥିଲେ କ୍ୟାରିୟର୍ ।

ୟଶଙ୍କ ପୂରା ନାଁ ହେଉଛି ନବୀନ କୁମାର ଗୌଡ଼ । ୧୯୮୬ ଜାନୁଆରୀ ୮ ତାରିଖରେ କର୍ଣ୍ଣାଟକ ହାସନରେ ତାଙ୍କ ଜନ୍ମ । ୟଶଙ୍କ ବାପା ଅରୁଣ କୁମାର କର୍ଣ୍ଣାଟକ ଟ୍ରାନ୍ସପୋର୍ଟ କର୍ପୋରେସନରେ ଜଣେ ବସ୍ ଡ୍ରାଇଭର ଥିବାବେଳେ ତାଙ୍କ ମା ପୁଷ୍ପା ଜଣେ ଗୃହିଣୀ । ବାପା-ମାଙ୍କ ଇଚ୍ଛା ଥିଲା, ୟଶ ସରକାରୀ ଚାକିରି କରନ୍ତୁ । କିନ୍ତୁ ପାଠ ପଢାରେ ତାଙ୍କ ମନ ଲାଗୁନଥିଲା । କାହିଁକି ନା ସେ ପିଲାଦିନୁ ହିଁ ଅଭିନେତା ହେବାକୁ ଚାହୁଁଥିଲେ । ମାଟ୍ରିକ ପରେ ସେ ନିଜ ବାପାଙ୍କୁ କହିଦେଲେ ଯେ ସେ ଆଉ ପଢ଼ିବେନି ଫିଲ୍ମରେ ଅଭିନୟ କରିବେ । କିନ୍ତୁ ବାପା ତାଙ୍କୁ ବୁଝାଇବା ପରେ ସେ ପାଠ ପଢ଼ାରେ ମନ ଦେଲେ । ହେଲେ ମନ ତାଙ୍କର ଥିଲା ଅଭିନୟ ପାଖରେ । ସେ କେମିତି ବି ହେଉ ନିଜ ସ୍ୱପ୍ନ ପୂରା କରିବାକୁ ଚାହୁଁଥିଲେ । ଆଉ ଦିନେ କାହାକୁ କିଛି ନଜଣାଇ ଘରୁ ଲୁଚି ପଳାଇ ଆସିଥିଲେ ବେଙ୍ଗାଲୁରୁ । ହାତରେ ଥିଲା ମାତ୍ର ୩ ଶହ ଟଙ୍କା । ସେଇଠୁ ଆରମ୍ଭ ହୋଇଥିଲା ୟଶଙ୍କ ସଂଘର୍ଷ ଯାତ୍ରା ।

ଏତେ ସହଜ ନଥିଲା ୟଶଙ୍କ ସଫଳତାର ଯାତ୍ରା । ହାତରେ ମାତ୍ର ୩୦୦ ଟଙ୍କା ସେ ପୁଣି ବେଙ୍ଗାଲୁରୁ ଭଳି ସହରରେ । ତାଙ୍କୁ ଡର ଲାଗୁଥିଲା, ହେଲେ ସଂଘର୍ଷ କରିବାକୁ ସେ ଡରୁ ନଥିଲେ । କାହିଁକି ନା ମନରେ ଥିଲା ଗୋଟିଏ ଲକ୍ଷ୍ୟ, ମୁଁ ଷ୍ଟାର ହେବି । ଆଉ ଏହି ଗୋଟିଏ ଲକ୍ଷ୍ୟ ହିଁ ତାଙ୍କୁ ସଂଘର୍ଷ କରିବାକୁ ସାହସ ଯୋଗାଇଥିଲା ।

ପ୍ରଥମେ ସେ ଥିଏଟରରେ କାମ କରୁଥିଲେ । ହେଲେ ଅଭିନୟ ନୁହେଁ, ବ୍ୟାକଷ୍ଟେଜରେ କାମ କରି ଟଙ୍କା ରୋଜଗାର କରୁଥିଲେ ଓ ନିଜ ପେଟ ପୋଷୁଥିଲେ । ପରେ ୨୦୦୮ରେ ୟଶଙ୍କୁ ମିଳିଥିଲା ବଡ ବ୍ରେକ୍ । ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବାକୁ ମିଳିଥିଲା ସୁଯୋଗ । କନ୍ନଡ ଫିଲ୍ମ ‘ମୋଗିନା ମନାସୁ’ ଜରିଆରେ ବଡ ପରଦାରେ ଏଣ୍ଟ୍ରି ମାରିଲେ ୟଶ୍ । ଏହି ଫିଲ୍ମ ପାଇଁ ତାଙ୍କୁ ମିଳିଥିଲା ବେଷ୍ଟ ସପୋର୍ଟିଂ ଆକ୍ଟରର ଫିଲ୍ମ ଫେୟାର ଆୱାର୍ଡ । ଆଉ ତା’ପରେ ରାଜଧାନୀ, ଗଜକେଶରୀ, ମାଷ୍ଟରପିସ୍ ଭଳି ହିଟ୍ ଫିଲ୍ମରେ ଅଭନୟ କରିଥିଲେ ୟଶ ।  ତେବେ ତାଙ୍କୁ ପରିଚୟ ଦେଇଥିଲା ଫିଲ୍ମ ‘କେଜିଏଫ୍’ ଚାପ୍ଟର ୱାନ୍ । ଯାହା ବକ୍ସ ଅଫିସରେ କରିଥିଲା ଧମାଲ୍ ।

ଏହି ଫିଲ୍ମ ପରେ ୟଶ୍ ସାଜିଗଲେ ସୁପରଷ୍ଟାର୍ । ତେବେ ୟଶ୍ ବ୍ୟକ୍ତିଗତ ଜୀବନରେ ଖୁବ୍ ଶାନ୍ତ ସ୍ୱଭାବର ମଣିଷ । ୟଶ୍ ଆଜି ଯାଏଁ କେବେ ବି କୌଣସି ବିବାଦରେ ପଡି ନାହାନ୍ତି । ରାଧିକା ପଣ୍ଡିତଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ପରେ ସେ ତାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ୟଶଙ୍କ ପିତା ଏବେ ବି ବସ୍ ଡ୍ରାଇଭର କାମ କରୁଛନ୍ତି । ଆପଣ ଭାବୁଥିବେ ଯେ ପୁଅ ଏତେ ବଡ଼ ଷ୍ଟାର ହେଲେ ପିତା ବସ୍ ଡ୍ରାଇଭର ? ବାସ୍ତବରେ ୟଶଙ୍କ ପିତା କୁହନ୍ତି ଯେ ସେ ଏହି କାମ କରି ହିଁ ପୁଅ ୟଶକୁ ଏତେ ବଡ଼ କରିପାରିଛନ୍ତି । ତେଣୁ ସେ କେବେ ବି ଏହି କାମକୁ ଅସମ୍ମାନ କରିବେ ନାହିଁ । ଯେତେଦିନ ପାରିବେ ସେତେଦିନ ପର୍ଯ୍ୟନ୍ତ ସେ ବସ୍ ଡ୍ରାଇଭର ହିଁ ରହିବେ ।

IPL ୨୦୨୨: ଆଜି ମୁମ୍ବାଇକୁ ଭେଟିବ ପଞ୍ଜାବ, ପ୍ରଥମ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୨୩ ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ଟା୩୦ରେ ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଉଭୟ ଦଳ ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି । ଉଭୟ ଦଳ ସେମାନଙ୍କ ଶେଷ ମ୍ୟାଚରେ ପରାଜୟ ବରଣ କରି ଆସିଥିବାରୁ ଏହି ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବେ ।

ଯଦି ପଞ୍ଜାବ କିଙ୍ଗ୍ସ କଥା କହିବା ତାହାଲେ ଚଳିତ ସିଜିନରେ ବିଜୟରୁ ଆରମ୍ଭ କରିଥିଲା ମୟଙ୍କ ବାହିନୀ । ପ୍ରଥମ ମ୍ୟାଚରେ ବିଜୟ ଲାଭ ପରେ ଦ୍ୱିତୀୟ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଥିଲା ପଞ୍ଜାବ । ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ ପୁଣି ତୃତୀୟ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ଲାଭ କରିଥିଲା । କିନ୍ତୁ ଚତୁର୍ଥ ମ୍ୟାଚରେ ଗୁଜୁରାଟ ଟାଇଟନ୍ସଠାରୁ ପରାସ୍ତ ହୋଇଥିଲା ପଞ୍ଜାବ । ପଞ୍ଜାବ ଚଳିତ ସିଜିନରେ ୪ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି ।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ କଥା ଯଦି କହିବା ତାହାଲେ ଚଳିତ ସିଜିନରେ ନୈରାଶଜନକ ପ୍ରଦର୍ଶନ କରିଛି ମୁମ୍ବାଇ । ମୁମ୍ବାଇ ପ୍ରଥମ ୪ଟି ମୁକାବିଲାରେ ୪ଟି ମ୍ୟାଚରେ ପରାଜୟ ବରଣ କରିଛି । ତେଣୁ ପ୍ଲେ-ଅଫକୁ ଯିବାକୁ ହେଲେ ମୁମ୍ବାଇ ଇଣ୍ଡିଆନ୍ସକୁ ଆଜିର ମ୍ୟାଚରେ ବିଜୟ ଲାଭ କରିବାକୁ ଚେଷ୍ଟା କରିବ । ଆଇପିଏଲ ଇତିହାସରେ ଉଭୟ ଦଳ ୨୭ ଥର ମୁହାଁମୁହିଁ ହୋଇଛନ୍ତି । ସେଥିମଧ୍ୟରୁ ୧୪ଟି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟଲାଭ କରିଥିବାବେଳେ ୧୩ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ବିଜୟ ଲାଭ କରିଛି ।

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା, ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ

ଭୁବନେଶ୍ୱର: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୪ ପ୍ରତ୍ୟକ୍ଷଦର୍ଶୀଙ୍କର ହେଲା ବୟାନ ରେକର୍ଡ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ସିଆରପିସି ୧୬୪ ଆଧାରରେ ବୟାନ ରେକର୍ଡ ହୋଇଛି । ପୂର୍ବରୁ ୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି । ସେହିପରି ମାନସଙ୍କୁ ଅପହରଣ କରିବାକୁ ଯାଇଥିବା ୫ ଅଭିଯୁକ୍ତଙ୍କ ଟିଆଇ ପରେଡ ହେବ । ଶର୍ମିଷ୍ଠା ରାଉତ, ରଞ୍ଜନ ନାୟକ, ଝୁନା ଭୋଇ, ବିବେକ ନାୟକ ଓ ଭାଗ୍ୟଧର ନାୟକଙ୍କୁ ଚିହ୍ନଟ କରିବେ ୩ ଜଣ ସାକ୍ଷୀ । ଅନ୍ୟପକ୍ଷରେ ପ୍ରମାଣ ନଷ୍ଟ କରିବା ପାଇଁ ଚଣ୍ଡିଖୋଲ ଯାଇଥିବା ବେଳେ ଟାଙ୍ଗି ଟୋଲ ଗେଟରେ ଥିବା ସିସିଟିଭିରେ ଫଟୋ କଏଦ ହୋଇଥିଲା ଶର୍ମିଷ୍ଠାଙ୍କ କାର । ଚଣ୍ଡିଖୋଲ ଜାରକାରେ ମାନସର ମୋବାଇଲକୁ ପିଙ୍ଗି ନଥିଲେ । ଅଭିଯୁକ୍ତମାନେ ମୋବାଇଲକୁ ଜାଣିଶୁଣି ଏକ ଚା’ ଦୋକାନରେ ଛାଡ଼ିଥିଲେ । ଏହା ସହ ଡିଲିଟେଡ ଫାଇଲ ରିକଭରି ପାଇଁ ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମାମଲାରେ ବିବେକ ଓ ଭାଗ୍ୟଧରକୁ ଜେଲରେ ଜେରା ପାଇଁ କୋର୍ଟରେ କ୍ରାଇମବ୍ରାଞ୍ଚ କରିଛି ଆବେଦନ ।

 

ଆଲିୟାଙ୍କ ଦାଦା ମୁକେଶଙ୍କୁ ଏପର୍ଯ୍ୟନ୍ତ ମିଳିନି ନିମନ୍ତ୍ରଣ, କାରଣ ହେଉଛି…

ମୁମ୍ବାଇ:  ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ବିବାହ ଦୁଇ ପରିବାରର ସହମତିକ୍ରମେ ପ୍ରାୟ ୨୮ ସମ୍ପର୍କୀୟଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ସୂଚନା ଅନୁସାରେ ଆଲିୟାଙ୍କ ଦାଦା ମୁକେଶ ଭଟ୍ଟଙ୍କୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ । ଅନ୍ୟପଟେ କପୂର ପରିବାରରେ ରଣବୀରଙ୍କ ଦାଦା ରଣଧୀର କପୂରଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କୁ ମଧ୍ୟ ବିବାହକୁ ନେଇ ନିମନ୍ତ୍ରଣ ପହଞ୍ଚିନାହିଁ । ଯାହାର ସୂଚନା ନିଜେ ରଣଧୀର କପୂର ଦେଇଛନ୍ତି ।

ଖବର ଅନୁସାରେ, ଗତବର୍ଷ ଯେତେବେଳେ ମୁକେଶ ଭଟ୍ଟଙ୍କ ପ୍ରଡକ୍ସନ ହାଉସ ବିଶେଷ ଫିଲ୍ମସର ଭାଗବଣ୍ଟା ହୋଇଥିଲା, ସେହି ସମୟରେ ଆଲିୟାଙ୍କ ବାପା ମହେଶ ଭଟ୍ଟ ସେଥିରେ ଖୁସି ନଥିଲେ । ଅବଶ୍ୟ ମହେଶ ଭଟ୍ଟ ଟେକନିକ୍‌ ଏବଂ କ୍ରିଏଟିଭ୍‌ କନ୍ସଲଟାଣ୍ଟ ଭାବରେ ପ୍ରଡକ୍ସନ ସହିତ ଜଡ଼ିତ ଥିଲେ । କିନ୍ତୁ ଦୁଇ ଭାଇଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ ନିବିଡ଼ । ଏହା ବ୍ୟତୀତ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁ ମାମଲାରେ  ମୁକେଶ ଭଟ୍ଟଙ୍କ ବୟାନରେ ନାରାଜ ହୋଇ ଯାଇଥିଲେ ଭାଇ ମହେଶ ଭଟ୍ଟ ।  ତେଣୁ କୁହାଯାଉଛିଯେ, ଏହି କାରଣରୁ ମୁକେଶ ଭଟ୍ଟଙ୍କୁ ବିବାହରେ ନିମନ୍ତ୍ରଣ କରାଯାଇନାହିଁ ।

ଆଲିୟା ଭଟ୍ଟ ଏବଂ ରଣବୀର କପୂରଙ୍କ ବିବାହ କେଉଁ ତାରିଖରେ ହେବ, ତାହାକୁ ନେଇ ମହେଶ ଭଟ୍ଟଙ୍କ ବିବୃତ୍ତି ଆସିବା ପରେ ମଧ୍ୟ ଏହାକୁ ନେଇ ଏବେ ମଧ୍ୟ ଦ୍ୱନ୍ଦ୍ୱ ଜାରି ରହିଛି । କିନ୍ତୁ ଉଭୟଙ୍କ ପରିବାର ସହିତ ଜଡ଼ିତ ସମ୍ପର୍କୀୟଙ୍କ କହିବା ହେଉଛି ବିବାହ ତାରିଖ ବଦଳିବାର କୌଣସି କାରଣ ହିଁ ନାହିଁ । କିନ୍ତୁ ବାହାଘରର ସ୍ଥାନ ବଦଳିପାରେ । କାରଣ ବିବାହର ସମସ୍ତ ଫଟୋ ଏବଂ ଭିଡ଼ିଓକୁ ସିକ୍ରେଟ୍‌ ରଖାଯିବ ।

ସୂଚନା ଅନୁସାରେ ଉଭୟଙ୍କ ବିବାହରେ ମାତ୍ର ୨୮ ସମ୍ପର୍କୀୟ ସାମିଲ ହେବେ । ଏହି ମଧ୍ୟରୁ ରଣବୀରଙ୍କ ପରିବାରର ଅଧିକ ସଦସ୍ୟ ଏବଂ ଆଲିୟାଙ୍କ ପରିବାରର କମ୍‌ ସଦସ୍ୟ ସାମିଲ ହେବାର ଯୋଜନା ରହିଥିବା କୁହାଯାଉଛି ।

ପୁଟିନଙ୍କ ସହ ବୁଲୁଛି ନ୍ୟୁକ୍ଲିୟର ବ୍ରିଫକେସ୍: ଯେକୌଣସି ସମୟରେ ପରମାଣୁ ଯୁଦ୍ଧ !

ମସ୍କୋ: ଗୋଟିଏ ସପ୍ତାହ ମଧ୍ୟରେ ଦ୍ବିତୀୟ ଥର ପାଇଁ ଋଷ ରାଷ୍ଟ୍ରପତିଙ୍କ ସହ ଦେଖିବାକୁ ମିଳିଛି ନ୍ୟୁକ୍ଲିୟର ବ୍ରିଫକେସ୍ । ଯାହା ସାରା ବିଶ୍ବକୁ ପୁଣି ଥରେ ପରମାଣୁ ଯୁଦ୍ଧ ଆଶଙ୍କା ମଧ୍ୟକୁ ଠେଲି ଦେଇଛି । ପୂର୍ବରୁ ପୁଟିନ ପରମାଣୁ ଯୁଦ୍ଧର ଖୋଲା ଧମକ ଦେଇ ସାରିଛନ୍ତି । ଆଉ ତାଙ୍କ ସହ ନ୍ୟୁକ୍ଲିୟର ବ୍ରିଫକେସକୁ ଦେଖିବାକୁ ମିଳିଥିଲା । ଏବେ ସପ୍ତାହକ ମଧ୍ୟରେ ଦୁଇ ଥର ବ୍ରିଫକେସ ପୁଟିନଙ୍କ ସହ ଦେଖାଯିବା ସଙ୍କେତ ଦେଉଛି ୟୁକ୍ରେନ ଯୁଦ୍ଧ ଶୀଘ୍ର ପରମାଣୁ ଯୁଦ୍ଧରେ ପରିଣତ ହୋଇପାରେ ।

ପ୍ରଥମ ଭିଡିଓରେ ଜଣେ ବ୍ୟକ୍ତି ପୁଟିନଙ୍କ ପାଖରେ ନ୍ୟୁକ୍ଲିୟର ବ୍ରିଫକେସ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ଏହାର ଦିନ କେଇଟା ଯାଇଛି କି ନାହିଁ ବେଲାରୁଷରୁ ଆସିଛି ଆଉ ଏକ ଭିଡିଓ । ଏଥିରେ ପୁଟିନଙ୍କୁ ନ୍ୟୁକ୍ଲିୟର ବ୍ରିଫକେସ ସହ ଦେଖିବାକୁ ମିଳିଛି ।

ପୁଟିନଙ୍କ ଜିଦରେ ଆଜି ସାରା ୟୁକ୍ରେନ ଜଳୁଛି । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ପରେ ଏକାଧିକ ଥର ପରମାଣୁ ଆକ୍ରମଣର ଧମକ ଦେଇ ସାରିଛନ୍ତି ପୁଟିନ୍ । ଏମିତିକି ଋଷର ପରମାଣୁ ବୋମା ବିସ୍ଫୋରିତ ହେବାକୁ ପ୍ରସ୍ତୁତ ହୋଇ ରହିଛି । କେବଳ ନ୍ୟୁକ୍ଲିୟର ବ୍ରିଫକେସରେ ଥିବା ବଟମକୁ ପୁଟିନ ଚିପିବା ବାକି ଅଛି । ଯଦି ପୁଟିନ ଏହି ବ୍ରିଫକେସର ସେ ଧଳା ବଟମଟି ଚିପି ଦେବେ ତେବେ ନିମିଷକ ମଧ୍ୟ ଆରମ୍ଭ ହୋଇଯିବ ପରମାଣୁ ଆକ୍ରମଣ ଓ ପ୍ରତିବଦଳରେ ଆମେରିକା ସହ ଅନ୍ୟ ନ୍ୟୁକ୍ଲିୟର ପାଓ୍ବାର ଦେଶ ଏହାକୁ ପ୍ରୟୋଗ କରିବାକୁ ପଛାଇବେ ନାହିଁ । ଯାହା ପୃଥିବୀ ଧ୍ବଂସର କାରଣ ପାଲଟିବ ।

ଏମିତିରେ ପୁଟିନଙ୍କ ମନରେ କ’ଣ ଚାଲିଛି ? ତାଙ୍କ ରଣନୀତି କ’ଣ ? ସେ କ’ଣ ଚାହୁଁଛନ୍ତି, ଟେର ପାଇ ନଥାନ୍ତି ବିଶ୍ବବାସୀ । ପୁଟିନ କେତେ ବେଳେ କ’ଣ ନିଷ୍ପତ୍ତି ନେବେ ତାକୁ ଆକଳନ କରିବା କାଠିକର ପାଠ । ପ୍ରତିବନ୍ଧକ ହେଉ କି ଧମକ ଏହା ପୁଟିନଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ । ପୁଟିନଙ୍କ ଆଗ ଆକ୍ସନ ପରେ ରିଆକ୍ସନ ନୀତି ଆମେରିକା ସମେତ ପୂରା ବିଶ୍ବ ପାଇଁ ଆତଙ୍କର କାରଣ ପାଲଟିଛି । ଏମିତି ସ୍ଥିତିରେ ପୁଟିନଙ୍କୁ ସପ୍ତାହକ ମଧ୍ୟରେ ଦୁଇ ଥର ନ୍ୟୁକ୍ଲିୟର ବ୍ରିଫକେସ ସହ ଦେଖଯିବା ଆମେରିକା ସମେତ ପୂରା ୟୁରୋପୀ ଦେଶଙ୍କ ନିଦ ଉଡାଇ ଦେଇଛି ।

ବାପା-ମାଆଙ୍କ ଏ ଭୁଲ ନଷ୍ଟ କରିଦେବ ପୁଅର ଭବିଷ୍ୟତ

ନନ୍ଦିଘୋଷ ବ୍ୟୁରୋ: ସବୁ ବାପା ମାଆଙ୍କର ଗୋଟିଏ ଆଶା, ପୁଅ ବଡ ହୋଇ ଭଲ ଚାକିରି କରିବ, ଦେଶ ଦୁନିଆରେ ନାଁ କରିବ । ସମ୍ମାନର ଅଧିକାରୀ ହେବ । ଏଥିପାଇଁ ସେମାନେ ଅଧିକ ଯତ୍ନବାନ ହୋଇପଡିଥାନ୍ତି । ବିଶେଷ କରି ଭାରତୀୟ ପରିବାରର ଏହା ଅଧିକ ଦେଖିବାକୁ ମିଳିଥାଏ । ଏମିତି ବି ହୋଇଥାଏ ଭାରତୀୟ ପରିବାରରେ ଝିଅମାନଙ୍କ ଅପେକ୍ଷା ପୁଅଙ୍କ ପ୍ରତି ବାପାମାଆ ଅଧିକ ଧ୍ୟାନ ଦେଇଥାନ୍ତି । ତେବେ ଏମିତି ଧ୍ୟାନ ଦେବା ଚକ୍କରରେ ବାପାମାଆ ଏମିତି ଭୁଲ କରି ବସନ୍ତି ଯାହା ସେମାନଙ୍କ ପୁଅର ଭବିଷ୍ୟତକୁ ନଷ୍ଟ କରିଦେଇପାରେ ।

ପିଲା ଭବିଷ୍ୟତରେ କେମିତି ହେବ ଏହା ଆପଣଙ୍କ ଲାଳନପାଳନ ଉପରେ ନିର୍ଭର କରିଥାଏ । ପିଲାଙ୍କୁ ସବୁ କାମରେ ଢିଲା ଦେବା ସେମାନଙ୍କ ସ୍ବଭାବ ନଷ୍ଟ କରିପାରେ । ସେହିପରି ଆବଶ୍ୟକରୁ ଅଧିକ କଠୋର ହେବା ସେମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇ ପାରେ । ଆଜି ଆମେ ବାପାମାଆଙ୍କର ଏମିତି କିଛି ଭୁଲ ବିଷୟରେ କହିବାକୁ ଯାଉଛି ସେମାନଙ୍କ ପୁଅର ଭବିଷ୍ୟତକୁ ନଷ୍ଟ କରି ଦେବାର ସମ୍ଭାବନା ରହିଛି ।

ଘର ଦାୟିତ୍ବ ନଦେବା

ଭାରତୀୟ ସମାଜରେ ଅଧିକାଂଶ ଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଝିଅକୁ ଅଧିକ କାମ କରାଯାଇଥାଏ । ହେଲେ ପୁଅଙ୍କୁ ଘର କାମରେ ସାହାଯ୍ୟ କରିବାକୁ କୁହାଯାଇ ନଥାଏ କି ଘର କାମ ଶିଖା ଯାଇ ନଥାଏ ।  ଯଦି ଆପଣ ନିଜ ପୁଅ ସହ ଏମିତି କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଏମିତି କରିବା ଦ୍ବାର ପୁଅମାନେ ପିଲାବେଳୁ ଦାୟିତ୍ବହୀନ ହୋଇ ଯାଇଥାନ୍ତି । ଯାହା ଭବିଷ୍ୟତରେ ସେମାନଙ୍କ ଜୀବନକୁ ଜଟିଳ କରି ଦେବାର ସମ୍ଭାବନା ରହିଛି ।

ଭାବପ୍ରବଣ ହେବାକୁ ନଦେବା

ବହୁତ ସମୟରେ ଲୋକଙ୍କ ପାଖରୁ ଶୁଣିଥିବେ ପୁଅମାନେ କେବେ କାନ୍ଦନ୍ତି ନାହିଁ । ଏହାକୁ ଆପଣ ନିଜ ସନ୍ତାନ (ପୁଅ)ଙ୍କୁ କହୁଛନ୍ତି ଯଦି ସତର୍କ ରୁହନ୍ତୁ । କାରଣ ଏମିତି କରି ଆପଣ ବହୁତ ବଡ ଭୁଲ କରୁଛନ୍ତି । ପିଲାଙ୍କୁ ଏମିତି ଶିକ୍ଷା ଦେବା ଦ୍ବାରା ସେମାନେ ନିଜ ଭାବନା ପ୍ରକାଶ କରିପାରନ୍ତିନି । ଯାହା ସେମାନଙ୍କ ମାନସିକ ସ୍ଥିତି ଉପରେ କୁପ୍ରଭାବ ପକାଇ ପାରେ । ଯଦି ଆପଣଙ୍କ ପୁଅ କୌଣସି କଥାକୁ ନେଇ ରାଗିଛି କି ଦୁଃଖି ଅଛି ସେ ସମୟରେ ତାକୁ ନିଜ ଭାବନା ପ୍ରକାଶ କରିବାକୁ ଛାଡି ଦିଅନ୍ତୁ । ଯେତେବେଳେ ସେ ନର୍ମାଲ ହୋଇଯିବ ତା’ସହ କଥା ହୁଅନ୍ତୁ ।

ସ୍ନେହ ଓ ଭଲ ପାଇବା ନଦେଖାଇବା

ବହୁତ ସମୟରେ ଦେଖାଯାଏ ଲୋକେ ଝିଅଙ୍କୁ ବହୁତ ସ୍ନେହ ଓ ଆଦର କରିଥାନ୍ତି । ପୁଅ ପ୍ରତି ଝିଅ ଭଳି ଭଲ ପାଇବା ଥିଲେ ବି ବାହାରେ ପ୍ରକାଶ କରିନଥାନ୍ତି । ଝିଅମାନଙ୍କୁ ଯେମିତି ବାପାମାଆଙ୍କୁ ସ୍ନେହ ଓ ଭଲ ପାଇବା ଦରକାର ପୁଆମାନଙ୍କୁ ମଧ୍ୟ ସେମିତି ଦରକାର । ହେଲେ ଯଦି ଆପଣ ଝିଅକୁ ଅଧିକ ଓ ପୁଅକୁ କମ ଭଲ ପାଇବା ଦେଖାଉଛନ୍ତି ତେବେ ଆପଣ ଭୁଲ କରୁଛନ୍ତି । ଏପରି କରିବା ଆପଣଙ୍କୁ ପୁଅର ଭାବନା ଉପରେ ଖରାପ ପ୍ରଭାବ ପକାଇପାରେ । ଆପଣଙ୍କୁ ତା’ର ଆବଶ୍ୟକତା ନାହିଁ ବୋଲି ନକରାତ୍ମକ ଭାବନା ତା’ ମନକୁ ଆସିପାରେ । ବହୁ ସମୟରେ ପୁଅମାନେ ବାପାମାଆଙ୍କୁ ଗେହ୍ଲ କରିବାକୁ, ଚୁମ୍ବନ ଦେବାକୁ ମନା କରିଥାନ୍ତି । ଯଦି ଆପଣଙ୍କ ପିଲା ଏମିତି କହୁଛି ତେବେ ଭାବନ୍ତୁ ନାହିଁ ସେ ଏମିତି ଚାହୁଁନାହିଁ । ସେମାନେ ମନା କଲେ ବି ସ୍ନେହ ଓ ଭଲ ପାଇବା ଦେବା ବାପାମାଆ ବନ୍ଦ କରିବା ଉଚିତ ନୁହେଁ । କାରଣ ଉପରେ ଉପରେ ମନା କଲେ ବି ପୁଅମାନେ ବାପାମାଆଙ୍କଠାରୁ ଏମିତି ବ୍ୟବହାର ଛାହିଁଥାନ୍ତି ।

ଝିଅଙ୍କ ସହ କଥା ହେବାକୁ ନଦେବା

ବହୁ ସମୟରେ ଝିଅମାନଙ୍କ ସହ କଥା ହେବାକୁ ପୁଅମାନଙ୍କୁ ସେମାନଙ୍କ ବାପାମାଆ ମନା କରିଥାନ୍ତି । କେବଳ ପୁଅ ସାଙ୍ଗଙ୍କ ସହ କଥା ହେବାକୁ ଓ ଖେଳିବାକୁ କହିଥାନ୍ତି । ଯଦି ଆପଣ ଏମିତି କରୁଛନ୍ତି ତେବେ ତୁରନ୍ତ ଆପଣଙ୍କର ଏହି ବଦଭ୍ୟାସ ବନ୍ଦ କରନ୍ତୁ । ଏମିତି କରିବା ଦ୍ବାରା ଆପଣଙ୍କ ପୁଅ ଲାଜୁଆ ସ୍ବଭାବର ହୋଇପାରେ । ଆଗକୁ ଯାଇ ମହିଳାଙ୍କ ସହ କଥା ହେବାକୁ ତାକୁ ଡର ଲାଗିବ । ଏପରିକି ମହିଳାଙ୍କ ସହ କଥା ହେବାକୁ ଅପମାନ ଓ ସେମାନଙ୍କ ଉପସ୍ଥିତିରେ ନିଜକୁ ଅସହଜ ବୋଧ କରିବ । ବାପାମାଆଙ୍କ ଏମିତି ନିୟମ ଯୋଗୁଁ ମହିଳାଙ୍କ ସହ କେମିତି କଥା ହେବା ଦରକାର ଓ ସେମାନଙ୍କ ପ୍ରତି କେମିତି ବ୍ୟବହାର ଦେଖାଇବା ଦରକାର ପିଲାମାନେ ଶିଖି ପାରି ନଥାନ୍ତି ।

ଇଚ୍ଛାକୁ ସମର୍ଥନ ନକରିବା

ବହୁ ସମୟରେ ମାଆବାପା ପୁଅକୁ ଏମିତି କିଛି କାମ କରିବାକୁ ବାଧ୍ୟ କରିଥାନ୍ତି ଯାହା ପାରମ୍ପରିକ ସମାଜରେ କେବଳ ପୁଅମାନଙ୍କ ପାଇଁ ସ୍ଥିର କରାଯାଇଛି । ଏମିତି କାମ କରିବାକୁ ବାଧ୍ୟ କରିବା ସେମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଇ ପାରେ । ଆପଣଙ୍କ ପୁଅ ଯେଉଁ କାମରେ ଆଗ୍ରହ ଦେଖାଉଛି ତାକୁ ତାହା କରିବାକୁ ଛାଡି ଦିଅନ୍ତୁ, ଏହା ସେମାନଙ୍କୁ ନିଜ ଭବିଷ୍ୟତ ଗଢିବାରେ ଉତ୍ସାହିତ କରିବ ।

ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ

ସିକନ୍ଦରାବାଦ: ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ । ଏହି ଏକ୍ସପ୍ରେସରେ ବୋମା ଥିବା ନେଇ ସୂଚନା ମିଳିବା ପରେ ସିକନ୍ଦରାବାଦ ନିକଟ ଚର୍ଲାପଲ୍ଲୀ ଷ୍ଟେସନରେ ଟ୍ରେନକୁ ଅଟକାଇ ଦିଆଯାଇଥିଲା । ଟ୍ରେନ ଅଟକିବା ପରେ ଟ୍ରେନରୁ ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇ ଟ୍ରେନକୁ ଯାଞ୍ଚ କରାଯାଇଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାଡ ପହଞ୍ଚି ଟ୍ରେନକୁ ଯାଞ୍ଚ କରିଛି । ଏକ ଅଜଣା ଫୋନ ନମ୍ବରରୁ ଆସିଥିବା ଫୋନ କଲକୁ ନେଇ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ତନାଘନା ଚାଲିଛି । ଯେଉଁ ଅଜଣା ନମ୍ବରରୁ କଲ୍ ଆସିଥିଲା ସେହି ନମ୍ବର ଟ୍ରାକ କରି ଅଧିକ ତଦନ୍ତ କରୁଛି ରେଲଓ୍ୱେ ପୋଲିସ । ତେବେ ଏହି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ନ୍ୟୁୟର୍କରେ ୨ ଜଣ ଶିଖ୍ ଯୁବକଙ୍କୁ ଆକ୍ରମଣ, ୧୦ ଦିନରେ ଦ୍ୱିତୀୟ ଘଟଣା

ନ୍ୟୁୟର୍କ : ନ୍ୟୁୟର୍କର ରିଚମଣ୍ଡ ହିଲ୍‌ ଅଞ୍ଚଳରେ ଦୁଇ ଜଣ ଶିଖ୍‌ ଯୁବକଙ୍କୁ ଆକ୍ରମଣ କରିଥିବା ଭିଡ଼ିଓ ସାମ୍ନାକୁ ଆସିଛି । ପୋଲିସର ସୂଚନା ଅନୁସାରେ ଏହି ମାମଲାରେ ସମ୍ପୃକ୍ତ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ତା ଉପରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି । ସୂଚନାଯୋଗ୍ୟ ଠିକ୍‌ ଏହି ସ୍ଥାନରେ ୧୦ ଦିନ ପୂର୍ବରୁ ଜଣେ ଶିଖ୍‌ ଯୁବକଙ୍କୁ ଆକ୍ରମଣ ହୋଇଥିଲା ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ରାସ୍ତାରେ ଯାଉଥିବାବେଳେ ଦୁଇ ଯୁବକଙ୍କୁ ମାରପିଟ୍‌ କରିବା ସହ ସେମାନଙ୍କ ପଗଡ଼ି ବାହାର କରି ଦେଇଥିଲେ ଆକ୍ରମଣକାରୀ । କିନ୍ତୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ । ଘଟଣା ସ୍ଥଳରେ ଶିଖ୍‌ ସଙ୍ଗଠନର ଆଞ୍ଚଳିକ ମୁଖିଆ ମଧ୍ୟ ପହଞ୍ଚିଥିଲେ ।

ନ୍ୟୁୟର୍କର ଅଟର୍ଣ୍ଣି ଜେନେରାଲ୍‌ ଲେଟିସିଆ ଜେମ୍ସ୍‌ ଏହି ଆକ୍ରମଣକୁ ନିନ୍ଦା କରି ଟୁଇଟ୍‌ ମାଧ୍ୟମରେ ଲେଖିଛନ୍ତିଯେ,  ରିଚ୍‌ମଣ୍ଡ୍‌ରେ ଥିବା ଆମ ଶିଖ୍‌ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଘୃଣ୍ୟ ଆକ୍ରମଣ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଦୁଇ ଆକ୍ରମଣକାରୀଙ୍କ ଉପରେ ବିଚାର ବିମର୍ଷ କରାଯିବା ଉଚିତ୍‌। ତେବେ ପୋଲିସ୍‌ ଏହାକୁ ନେଇ ତଦନ୍ତ କରୁଛି ।

ନ୍ୟୁୟର୍କ ରାଜ୍ୟ ବିଧାନସଭାର ପ୍ରଥମ ପଞ୍ଜାବୀ ଆମେରିକୀୟ ମହିଳା ଜେନିଫର୍‌ ରାଜକୁମାର କହିଛନ୍ତିଯେ, ବିଗତ ବର୍ଷମାନଙ୍କରେ ଶିଖ୍‌ ସମ୍ପ୍ରଦାୟଙ୍କ ବିରୋଧରେ ଘୃଣ୍ୟ ଅପରାଧ ଯଥେଷ୍ଟ  ବୃଦ୍ଧି ପାଇଛି। ୧୦ ଦିନ ପୂର୍ବରୁ ଏହି ସମାନ ଘଟଣା ସମାନ ସ୍ଥାନରେ ଘଟିଥିଲେ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ ସତର୍କ ହୋଇନାହିଁ ।

ଆକାଂକ୍ଷୀ ଜିଲ୍ଲା ସମୀକ୍ଷା: ସରକାରୀ ନା ଦଳୀୟ କାର୍ଯ୍ୟକ୍ରମ ?

ଭୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀମାନଙ୍କର ଆକାଂକ୍ଷୀ ଜିଲ୍ଲା ସମୀକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ୧୦ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା କରିବାକୁ ୧୦ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସୁଛନ୍ତି । ଏ ଭିତରେ ଗୋଟିଏ ଆକାଂକ୍ଷୀ ଜିଲ୍ଲାର ସମୀକ୍ଷା ସରିଥିବାବେଳେ ଆଜି ଆଉ ଏକ ଜିଲ୍ଲାର ସମୀକ୍ଷା କାର୍ଯ୍ୟକ୍ରମ ରହିଛି । ତେବେ ଏହି ଆକାଂକ୍ଷା ଜିଲ୍ଲା ସମୀକ୍ଷା ଏକ ସରକାରୀ କାର୍ଯ୍ୟକ୍ରମ ନା ଦଳୀୟ ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ । ଗତିକାଲି କେନ୍ଦ୍ର  ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ସଞ୍ଜୀବ କୁମାର ବାଲିୟନ କୋରାପୁଟ ଜିଲ୍ଲାର ବିକାଶ କାର୍ଯ୍ୟ ସମୀକ୍ଷା କରିଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହି ସମୀକ୍ଷା କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଏକ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରାଯାଇଥିବା ଦେଖିବାକୁ ମିଳିଛି ।

ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକକୁ ସରକାରୀ ଅଧିକାରୀଙ୍କ ସମେତ ବିଜେପିର ଦଳୀୟ ନେତା ଓ କର୍ମୀଙ୍କୁ ଡକାଯାଇଥିଲା । କିନ୍ତୁ ବୈଠକକୁ ସ୍ଥାନୀୟ ବିଜେଡି ବିଧାୟକ କିମ୍ବା ବିଜେଡି ଓ କଂଗ୍ରେସର ପୌରାଞ୍ଚଳ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଡକାଯାଇ ନଥିଲା । ଆଦିବାସୀ ଅଧ୍ୟୂଷିତ କୋରାପୁଟ ଜିଲ୍ଲାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଅବସରରେ କେବଳ ବିଜେପିର ନେତା ଓ କର୍ମୀଙ୍କୁ ଡକାଯାଇଥିବାବେଳେ ବିଜେଡି ଓ କଂଗ୍ରେସର ଜନ ପ୍ରତିନିଧିମାନଙ୍କୁ ଡକାଯାଇ ନଥିବାରୁ ଆପତ୍ତି ଉଠାଇଛନ୍ତି ବିଧାୟକ ରଘୁରାମ ପୋଡାଲ ।

ବିଜେଡି ବିଧାୟକ ବଦ୍ରି ପାତ୍ର ଏ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ବିରୋଧୀ ସବୁବେଳେ ପ୍ରୟାସ କରନ୍ତି । ଏପରି କଲେ ସେମାନେ ଭାବୁଛନ୍ତି ୨୦୨୪ ନିର୍ବାଚନରେ ଭଲ ଫଳ ମିଳିବ । ରାଜ୍ୟ ସରକାର ସବୁବେଳେ ସହଯୋଗ କରିବାକୁ ରାଜି । ଆକାଂକ୍ଷା ଜିଲ୍ଲା ପରିଦର୍ଶନ କରିବା ସମୟରେ କେନ୍ଦ୍ର ମନ୍ତ୍ରୀମାନେ ସ୍ଥାନୀୟ ପ୍ରଶାସନ ଓ ବିଧାୟକଙ୍କୁ ନେଇକି ଯିବା କଥା । ସେ ନ ଡାକି ଭୁଲ କରୁଛନ୍ତି । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଛନ୍ତି, ଓଡ଼ିଆ ଜାତି ଅଭ୍ୟର୍ଥନା କ୍ଷେତ୍ରରେ କେବେ ତ୍ରୁଟି କରେ ନାହିଁ । ଇତିହାସରେ ଏହା ନାହଁ କି ହେବ ନାହିଁ । କେନ୍ଦ୍ର ମନ୍ତ୍ରୀ ପ୍ରୋଟୋକଲ ଅନୁସାରେ ଆସନ୍ତି ଓ ଯାଆନ୍ତି । ବିରୋଧୀଙ୍କ ଅଭିଯୋଗ ରାଜନୈତିକ ଓ ବ୍ୟକ୍ତିଗତ ହୋଇପାରେ । ବିଜେପି ଛାନିଆ ଓ ବ୍ୟସ୍ତ ଯେ ସେମାନେ ଓଡ଼ିଶାରେ ଶୂନ୍ୟ ହୋଇଯିବେ । ଆଗକୁ ସେହିଟା ହିଁ ହେବ । କିଛି ପ୍ରଭାବ ରହିବ ନାହିଁ କେନ୍ଦ୍ର ମନ୍ତ୍ରୀମାନଙ୍କ ଗସ୍ତର । କେନ୍ଦ୍ର ସରକାର ତ ଟଙ୍କା ନ ଦେଇ ଅବହେଳା କରୁଛନ୍ତି । ବିଜେପି ନିଜ ନିଜ ଭିତରେ ଆକ୍ରମଣ କରୁଛନ୍ତି । ନିଜ ନିଜ ଭିତରେ ସେମାନଙ୍କ ସମ୍ପର୍କ ନାହିଁ । ସେମାନଙ୍କ ଦଳୀୟ କନ୍ଦଳ ବହୁତ । ବିଜେଡିର ଚରିତ୍ର ନୁହେଁ ଅନ୍ୟଙ୍କୁ ଆକ୍ରମଣ କରିବା । ଏହା ଶୃଙ୍ଖଳିତ ଦଳ ବୋଲି କହିଛନ୍ତି ଅଶ୍ୱିନୀ ପାତ୍ର ।