ଅଗ୍ନିବୀରଙ୍କୁ କେମିତି ମିଳିବ ନିଯୁକ୍ତି ? ୪ ବର୍ଷ ପରେ ଏହି ସବୁ ରାଜ୍ୟ ଦେବେ ସୁଯୋଗ

1 min read

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ସେନା। ଶତ୍ରୁଙ୍କ ଉପରେ ଅଗ୍ନି ହୋଇ ବର୍ଷିବେ ଅଗ୍ନିବୀର । ଯୁବବର୍ଗଙ୍କୁ ସେନାରେ ଯୋଡିବା ପାଇଁ ଭାରତ ସରକାର ଗ୍ରହଣ କରିଛନ୍ତି ସ୍ବତନ୍ତ୍ର ପଦକ୍ଷେପ । ସଶସ୍ତ୍ର ସେନାର ଆଧୁନିକୀକରଣ ପାଇଁ ଅଗ୍ନିପଥ ଯୋଜନା ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ଆଗାମୀ ୩ ମାସରେ ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ୪ ବର୍ଷ ପର୍ଯ୍ୟନ୍ତ ମାତ୍ର ସେନାରେ ନିୟୋଜିତ ରହିବେ ଅଗ୍ନିବୀର  ।

ସେନାରେ ଭର୍ତ୍ତି ପାଇଁ ଅଗ୍ନିବୀରଙ୍କ ଶିକ୍ଷାଗତଙ୍କ ଯୋଜନା ପୂର୍ବପରି ରହିବ  । ଶାରିରୀକ ଦକ୍ଷତା ଆଧାରରେ ଦ୍ବାଦଶ ପାସ ଆଶାୟୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ  । ଅଗ୍ନିବୀର ହେବା ପାଇଁ ଆଶାୟୀଙ୍କ ବୟସ ସାଢେ ୧୭ ବର୍ଷ ବର୍ଷରୁ ୨୧ ବର୍ଷ ମଧ୍ୟରେ ରହିବ  ।

ଏହି ଯୋଜନା ଅନୁସାରେ ପ୍ରତିବର୍ଷ ୪୫ ହଜାର ଯୁବପୀଢୀଙ୍କୁ ସେନାରେ ସାମିଲ କରାଯିବ। ମେଡିକାଲ ଟେଷ୍ଟ ଓ ମେରିଟ ଆଧାରରେ ଚୟନ ହେବେ ଅଗ୍ନିବୀର  । ୧୦ ସପ୍ତାହରୁ ୬ ମାସ ଯାଏଁ ଦିଆଯିବ ପ୍ରଶିକ୍ଷଣ । ଏହାପରେ ସେମାନେ ମାସିକ ୩୦ ରୁ ୪୦ ହଜାର ବେତନ ପାଇବେ  । ଚାକିରୀ ସମୟରେ ସ୍ଥାୟୀ ସୈନିକଙ୍କ ଭଳି ଆୱାର୍ଡ, ମେଡାଲ ଓ ଇନସ୍ୟୁରାନ୍ସର ଅର୍ଥରାଶି ପାଇବେ ଅଗ୍ନିବୀର । ସେହିପରି ୪୮ ଲକ୍ଷ ଟଙ୍କାର ମିଳିବ ବୀମା ଅର୍ଥରାଶି  ।

ଯଦି ସେବା ସମୟରେ ଅଗ୍ନିବୀର ଶହୀଦ ବା ଦିବ୍ୟାଙ୍ଗ ହୁଅନ୍ତି ୪୪ ଲକ୍ଷ ଟଙ୍କାର ମିଳିବ କ୍ଷତିପୂରଣ  ।ଆଉ ୪ ବର୍ଷ ପୂରଣ ପରେ ଭାରତୀୟ ସେନାରେ ୧୫ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିବ  । ୪ ବର୍ଷର ଚାକିରୀ ପରେ ସେବା ନିଧି ପ୍ୟାକେଜରେ ଅଗ୍ନିବୀରଙ୍କୁ ମିଳିବ ୧୨ ଲକ୍ଷ ଟଙ୍କା  । ଏଥିପାଇଁ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ନାହିଁ  ।

୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ଭର୍ତ୍ତିକୁ ନେଇ ବିରୋଧ ଦେଖାଦେଇଛି  । ତେବେ ୪ ବର୍ଷ ପରେ ୭୫ ପ୍ରତିଶତ ଯୁବବର୍ଗଙ୍କ ନିକଟରେ କଣ ରହିବ ବିକଳ୍ପ ?

ଅଗ୍ନିପଥ ଯୋଜନାରେ ୪ ବର୍ଷ ପୂରଣ ପରେ ଅଗ୍ନିବୀରଙ୍କୁ CAPF ଏବଂ ଆସାମ ରାଇଫଲ୍ସରେ ଭର୍ତ୍ତି ହେବାପାଇଁ ଦିଆଯିବ ପ୍ରାଥମିକତା  ।

ସେବାର ୪ ବର୍ଷ ପୂରଣ ପରେ ଉତ୍ତର ପ୍ରଦେଶ ସରକାର ଅଗ୍ନିବୀରଙ୍କୁ ପୋଲିସ ଓ ଅନ୍ୟ ସମ୍ବନ୍ଧିତ ସେବାରେ ପ୍ରାଥମିକତା ଦେବ  ।

ସେହିପରି ଅଗ୍ନିପଥ ଯୋଜନାରେ ଭର୍ତ୍ତି ଯବାନଙ୍କୁ ରାଜ୍ୟ ପୋଲିସ ବିଭାଗରେ ପ୍ରାଥମିକତା ଦେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ  ।

ଆସାମ ଆରୋଗ୍ୟ ନିଧିରେ ଅଗ୍ନିବୀରଙ୍କୁ ସୁଯୋଗ ଦେବେ ରାଜ୍ୟ ସରକାର  ।

ଭାରତୀୟ ସେନାରେ ପାଖାପାଖି ଏକ ଲକ୍ଷରୁ ଅଧିକ ପଦ ଖାଲି ରହିଛି  । କୋରୋନା କାରଣରୁ ଗତ ୨ ବର୍ଷ ସେନାରେ ଭର୍ତ୍ତି ହୋଇନାହିଁ  । କିନ୍ତୁ ଏହି ସମୟରେ ନୌସେନାରେ ୮,୩୧୯ ଓ ବାୟୁସେନାରେ ୧୩,୦୩୨ ନିଯୁକ୍ତି ପାଇଛନ୍ତି  ।