୩୦ ଘଣ୍ଟା ପରେ ବି ସନ୍ତୁଷ୍ଟ ନୁହେଁ ଇଡି, ଆସନ୍ତାକାଲି ପୁଣି ହାଜର ହେବେ ରାହୁଲ

ନୂଆଦିଲ୍ଲୀ: ପୁଣି ଜେରା ହେବେ ରାହୁଲ । ଆସନ୍ତା କାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ସଂପର୍କିତ ମନି ଲଣ୍ଡ୍ରିଂ ମାମଲାରେ ରାହୁଲଙ୍କୁ ଚାଲିଛି ମାରାଥନ ଜେରା । ୩ ଦିନରେ ୩୦ ଘଣ୍ଟା ଜେରା ପରେ ବି ସନ୍ତୁଷ୍ଟ ହୋଇନି ଇଡି । ଜେରା ଅସମ୍ପୂର୍ଣ୍ଣ ଥିବାରୁ ଆସନ୍ତାକାଲି ରାହୁଲଙ୍କୁ ଜେରା କରିବାକୁ ସମନ ହୋଇଛି ।

ଅନ୍ୟପଟେ ଜେରା ବିରୋଧରେ ଜୋରଦାର ବିକ୍ଷୋଭ ଓ ପ୍ରତିବାଦ ଜାରି ରହିଛି କଂଗ୍ରେସ । ପୋଲିସ ବିଜେପିର ପ୍ରାଇଭେଟ ମିଲିସିଆ ଭାବେ କାମ କରୁଛି ବୋଲି ଦଳ ଅଭିଯୋଗ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ରାହୁଲ ଗାନ୍ଧିଙ୍କୁ ଜେରା କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ରାଜନୀତିର ପରିଚୟ ବୋଲି କଂଗ୍ରେସ କହିଛି । ଦରବୃଦ୍ଧି ଭଳି ବିଭିନ୍ନ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ଦଳ କହିଛି । ଏହି ମନି ଲଣ୍ଡ୍ରିଂ ମାମଲାରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କୁ ମଧ୍ୟ ସମନ କରିଛି ଇଡି । ସେ ଏହି ମାସ ୨୩ ତାରିଖରେ ହାଜର ହେବେ ।