ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଆକ୍ସନ ପରେ କଂଗ୍ରେସର ପ୍ଲାନ୍‌

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ପରେ ବିରୋଧ ପାଇଁ ପ୍ରସ୍ତୁତ ହେଉଛି କଂଗ୍ରେସ । ଗତକାଲି ଦିଲ୍ଲୀରେ ୟଙ୍ଗ ଇଣ୍ଡିଆ ଅଫିସ ସିଲ୍ କରିଛି ଇଡି । ନ୍ୟାସନାଲ ହେରାଲ୍ଡ କାର୍ଯ୍ୟାଳୟରେ ଥିବା ୟଙ୍ଗ ଇଣ୍ଡିଆ ଅଫିସକୁ ସିଲ୍ କରାଯାଇଛି । ରାହୁଲ, ସୋନିଆଙ୍କୁ ଲଗାତାର ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । କଂଗ୍ରେସର ବିରୋଧ ଆଶଙ୍କାରେ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କଂଗ୍ରେସ ଅଫିସ ରାସ୍ତାକୁ ସାମୟିକ ଭାବେ ସିଲ୍ କରାଯାଇଛି । ସୋନିଆ ଏବଂ ରାହୁଲଙ୍କ ଘର ଆଗରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସେପଟେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସମାଲୋଚନା କରାଯାଇଛି । କଂଗ୍ରେସ ଗାନ୍ଧୀ ବିଚାରଧାରାରେ ଚାଲୁଥିବା ବେଳେ ତାଙ୍କୁ କେହି ବି ଦବେଇ ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ଆଜି ସଂସଦରେ ମଧ୍ୟ ହଙ୍ଗାମା କରିପାରେ । ଏପଟେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସସ୍ଥାନ ଆଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ । କେନ୍ଦ୍ର ସରକାର ଦଳ ଉପରେ ଯେତେ ଚାପ ପକାଇଲେ ବି ଲୋକଙ୍କ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବୁ ବୋଲି କଂଗ୍ରେସ କହିଛି ।