spot_img
Home Blog Page 4204

ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓଙ୍କ ଗୁଣ୍ଡାରାଜ, ନିଲମ୍ବନ ଦାବି କଲେ ବିରୋଧୀ

ଭୁବନେଶ୍ୱର: ବିଧାନସଭା ଶୂନ୍ୟ କାଳରେ ଉଠିଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀଙ୍କ ଗୁଣ୍ଡାରାଜ ଘଟଣା । ମାଲକାନଗିରି REC ୧୩ ନମ୍ବର ଗାଁରେ ଫୋର୍ସ ଧରି ମହିଳା ଅଧିକାରୀଙ୍କୁ ସାଙ୍ଗରେ ନ ନେଇ ଗାଁରେ ପଶି ଗର୍ଭବତୀ ମହିଳା, ୮୦ ବର୍ଷୀୟ ବୃଦ୍ଧା, ୧୪ ବର୍ଷର ନାବାଳିକାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସଦସ୍ୟ । ଏହାର ଫଟୋ ମଧ୍ୟ ଗୃହରେ ପ୍ରଦର୍ଶନ କରିଛନ୍ତି । ମଦ ନିଶାରେ ଆତଙ୍କରାଜ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ବାହିନୀପତି । ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲେ ବି କୌଣସି ପଦକ୍ଷେପ ନିଆଯାଇନାହିଁ । ଡାକ୍ତରଙ୍କୁ ଚାପ ପକାଇ ମିଥ୍ୟା ରିପୋର୍ଟ ଆଣାଯାଇଛି । ଘଟଣାରେ ଦୁଇ ଜଣ ସାମ୍ବାଦିକ, ବ୍ଲକ ସଭାପତି, ଜିଲ୍ଲା ସଭାପତିଙ୍କ ସହ ୧୮ ଜଣଙ୍କୁ ଗିରଫ କରାଯାଇଛି । ତୁରନ୍ତ ଏସଡିପିଓଙ୍କୁ ନିଲମ୍ବନ କରିବା ସହ ମାଜିଷ୍ଟ୍ରେଟଙ୍କ ଜରିଆରେ ତଦନ୍ତ ପାଇଁ ତାରା ଦାବି କରିଥିବା ବେଳେ କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ଅନ୍ୟତମ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଅନ୍ୟପଟେ ଗୃହ କମିଟି ଗଠନ କରି ଘଟଣାସ୍ଥଳ ପରିଦର୍ଶନ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହା ସହ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଦାବି କରିଛନ୍ତି ନରସିଂହ । ସବୁ କାର୍ଯ୍ୟକ୍ରମ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି ନରସିଂହ ମିଶ୍ର । ବାଚସ୍ପତିଙ୍କ ତୁରନ୍ତ ରୁଲିଂ ଦାବିରେ କଂଗ୍ରେସ ସଦସ୍ୟ ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିବା ଜଣାପଡିଛି । ବିରୋଧୀଦଳ ମୁଖ୍ୟ ସଚେତକ ବି ସମାନ ପ୍ରସଙ୍ଗ ଉଠାଇ ତଦନ୍ତ ଦାବି କରିଛନ୍ତି  । ତେବେ ଏ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି l ବାରମ୍ବାର ଗୃହ ମୁଲତବି ପରେ ଶେଷରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ।

 

ଆୟ ବଢ଼ୁଛି, ବିକାଶ ହେଉଛି

ଭୁବନେଶ୍ୱର: କମୁଛି ଦାରିଦ୍ର୍ୟ, ହସୁଛି ଓଡ଼ିଶା । ନବୀନ ସରକାରରେ ରାଜ୍ୟରେ ବିକାଶ ହେଉଛି, ଆୟ ବଢ଼ୁଛି । ଅଭିବୃଦ୍ଧି ଦୂରାଉଛି ରାଜ୍ୟର ଦାରିଦ୍ର୍ୟ ହାର । ୨୦୦୪-୨୦୦୫ ମସିହାରେ ଓଡ଼ିଶାରେ ଦାରିଦ୍ର୍ୟ ହାର ୫୭.୬ ପ୍ରତିଶତ ଥିଲା । ୨୦୧୧-୨୦୧୨ରେ ଏହି ଦାରିଦ୍ର୍ୟ ହାର ହ୍ରାସ ପାଇ ୩୨.୯ ପ୍ରତିଶତରେ ପହଞ୍ଚିଥିଲା । ଏହାପରେ ୨୦୧୫-୨୦୧୬ରେ ୨୯.୩%କୁ କମିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ସଫଳ ରୂପାୟନ ଦ୍ୱାରା ରାଜ୍ୟରେ କ୍ରମାଗତ ଭାବେ ଦାରିଦ୍ର୍ୟ କମିଛି ।

ଟଙ୍କିକିଆ ଚାଉଳ, ଅନ୍ତୋଦୟ ଯୋଜନାରେ ଗରିବଙ୍କୁ ମିଳୁଛି ମାଗଣା ଖାଦ୍ୟ । ସେହିପରି ବିଏସକେଓ୍ୱାଇ, ବିଜୁ ପକ୍କା ଘର ଭଳି ଯୋଜନା ଗ୍ରାମାଞ୍ଚଳରେ ଅର୍ଥନୈତିକ ସ୍ଥିତିରେ ଐତିହାସିକ ପରିବର୍ତ୍ତନ ଆଣିଛି । ଗ୍ରାମାଞ୍ଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ମିଶନ ଶକ୍ତି । ଏସଏଚଜି ଜରିଆରେ ୭୦ଲକ୍ଷରୁ ଅଧିକ ମହିଳା ସ୍ୱାବଲମ୍ବୀ ହୋଇଛନ୍ତି । ଦକ୍ଷତା ବିକାଶ ଯୋଜନାରେ ଯୁବକ ଯୁବତୀ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଅଗଷ୍ଟ ଦ୍ୱିତୀୟ ସପ୍ତାହ ପରେ ଭଲ ସ୍ଥିତିକୁ ଆସିପାରେ ଓଡ଼ିଶା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ସରିଲା ରଥଯାତ୍ରା, ବଢ଼ିପାରେ ସଂକ୍ରମଣ । ରଥଯାତ୍ରା ସରିଥିବାରୁ ନିଜ ନିଜ ଅଞ୍ଚଳକୁ ଫେରିଛନ୍ତି ଜନସାଧାରଣ ତେଣୁ ତାକୁ ନଜର ରଖାଯାଇଛି । କମ୍ୟୁନିଟିରେ ମଧ୍ୟ ପଜିଟିଭିଟି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ କ’ଣ ପରିସ୍ଥିତି ରହୁଛି ତାକୁ ତର୍ଜମା କରାଯାଉଛି । ଅନ୍ୟ ଲହର ପରି ସଂକ୍ରମଣ ବଢ଼ୁନାହିଁ ହେଲେ ଧୀର ଗତିରେ ସଂକ୍ରମଣ ବଢ଼ୁଛି । ନିୟମ ମାନିବା ସହ ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ଟିକା ନିଅନ୍ତୁ । କେତେ ବଢୁଛି, ବଢିବାର ଆକାର କଣ ? ଏହାର ଫାଟାଲିଟି କେତେ ତା ଉପରେ ନଜର ରଖାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ ଏହି ଲହରରେ ପ୍ରଥମ କୋଭିଡ ଜନିତ ମୃତ୍ୟୁ ହୋଇଛି । ତେଣୁ ବେଶୀ ଅନୁସାଙ୍ଗିକ ରୋଗ ଥିବା ଲୋକଙ୍କ କ୍ଷେତ୍ରରେ ଏହା ପ୍ରଭାବ ପକାଉଛି ତେଣୁ ସେମାନେ ସଚେତନ ରହିବା ନିହାତି ଆବଶ୍ୟକ । ଅନ୍ୟ ରାଜ୍ୟରେ ଯେଉଁଭଳି କେସ୍ ଖସୁଛି ତେଣୁ ଆକଳନ କରାଯାଇପାରେ ଯେ ଆଗାମୀ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶା ଭଲ ସ୍ଥିତିକୁ ଆସିପାରେ । ତେଣୁ ବର୍ତ୍ତମାନ ଓଡ଼ିଶାରେ ଉପରମୁହାଁ ଗ୍ରାଫ୍ ରହିଛି ତେଣୁ ଏହା ବଢ଼ିଲା ପରେ ସମନ୍ତରାଳ ହୋଇ କିଛି ଦିନ ରହିବା ପରେ ଧୀରେ ଧୀରେ ଖସିପରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଶ୍ରୀଲଙ୍କାରେ ଉଗ୍ର ହେଲା ଜନ ଅସନ୍ତୋଷ; ସଂସଦ ଓ ପ୍ରଧାନମନ୍ତ୍ରୀ ବାସଭବନ ଅଭିମୁଖେ ବିକ୍ଷୋଭକାରୀ

କଲମ୍ବୋ: ଜଟିଳ ହେଉଛି ଶ୍ରୀଲଙ୍କା ସଙ୍କଟ । ଶ୍ରୀଲଙ୍କାରେ ଜାରି ହେଲା ଏମର୍ଜେନସି । ସାରା ଦେଶରେ ଜାରି ରହିଛି ଜୋରଦାର ଆନ୍ଦୋଳନ । ଜୋର ଧରିଛି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଓ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଇସ୍ତଫା ଦାବି । ହଜାର ହଜାର ଆନ୍ଦୋଳନକାରୀ ସଂସଦ ଅଭିମୁଖେ ଆଗେଇ ଚାଲିଥିବା ସୂଚନା ମିଳିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କ ଘରେ ଲୋକେ ନିଆଁ ଲଗାଇଦେଇଥିବାବେଳେ ଗତ ସପ୍ତାହରେ ରାଷ୍ଟ୍ରପତି ଭବନକୁ କବଜା କରିଥିଲେ ଆନ୍ଦୋଳନକାରୀ । ଏବେ ସଂସଦ ଭବନ ଅଭିମୁଖେ ଆନ୍ଦୋଳନକାରୀ ମାଡ଼ି ଚାଲିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି ।

ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଗତକାଲି ବିଳମ୍ବିତ ରାତିରେ ଶ୍ରୀଲଙ୍କା ଛାଡ଼ି ମାଲଦୀପ ପଳାୟନ କରିଛନ୍ତି । ଶ୍ରୀଲଙ୍କା ଏୟାରଫୋର୍ସର ସ୍ୱତନ୍ତ୍ର ବିମାନରେ ପତ୍ନୀ ଓ ଦୁଇ ବଡିଗାର୍ଡଙ୍କ ସହ ସେ ଫେରାର ହୋଇଯାଇଛନ୍ତି । ସେମାନେ ମାଲଦୀପ ରାଜଧାନୀରେ ଲ୍ୟାଣ୍ଡ କରିଥିବା କଲମ୍ବୋ ମିଡିଆ ରିପୋର୍ଟ କରିଛି । ଦ୍ୱୀପରାଷ୍ଟ୍ରରେ ଅର୍ଥନୈତିକ ସଙ୍କଟ ନେଇ ରାଜପକ୍ଷ ପରିବାର ବିରୋଧରେ ଜନ ଆକ୍ରୋଶ ଚରମସୀମାରେ ପହଞ୍ଚିଛି । ପରିବାରକୁ ସୁରକ୍ଷିତ ଭାବେ ଦେଶ ବାହାରକୁ ଯିବାକୁ ଦିଆ ନଗଲେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେନାହିଁ ବୋଲି ପୂର୍ବରୁ ସୂଚନା ଦେଇଥିଲେ ଗୋଟାବାୟା ।

ରିୟା ଚକ୍ରବର୍ତ୍ତୀଙ୍କ ନାଁରେ ଚାର୍ଜସିଟ ଦାୟର କଲା ଏନସିବି

ମୁମ୍ବାଇ: ଅଡ଼ୁଆରେ ଫସିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରଲୋକଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଲାଗି ସେ ବେଆଇନ ସାମଗ୍ରୀ ଯୋଗାଇବା ସହ ସୁଶାନ୍ତଙ୍କୁ ଅତ୍ୟଧିକ ନିଶାସକ୍ତ କରାଇବା ଲାଗି ସେ ଚେଷ୍ଟା କରିଥିଲେ ବୋଲି ଦର୍ଶାଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତ ୨୦୨୦ ଜୁନ ୧୪ରେ ନିଜର ବାସଭବନରେ ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିବା ପରେ ଏହାର ତଦନ୍ତ ଜାରି ରହିଥିଲା । ତଦନ୍ତ ପ୍ରକ୍ରିୟାରେ ଏନସିବି ୩୫ ଅଭିଯୁକ୍ତଙ୍କ ବିରୋଧରେ ୩୮ଟି ଅଭିଯୋଗ ଆଣିଥିଲା । ଆଜି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାୟର କରିଛି ଏନସିବି ।

ଦାୟର ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି- ରିୟା ହେଉଛନ୍ତି ୧୦ନମ୍ବର ଅଭିଯୁକ୍ତ । ସେ ସାମୁଏଲ ମିରାଣ୍ଡା, ସୌଭିକ  ଚକ୍ରବର୍ତ୍ତୀ ଓ ଦୀପେଶ ସାଓ୍ୱନ୍ତଙ୍କଠାରୁ ଗଞ୍ଜେଇ ଆଣି ଅଭନେତା ସୁଶାନ୍ତ ସିଂ ରାଜପୁତଙ୍କୁ  ଦେଇଥିଲେ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ଏହି ନିଶାଦ୍ରବ୍ୟ ଯୋଗାଣ ଲାଗି ରିୟା ଅର୍ଥ ନେଉଥିଲେ । ମାର୍ଚ୍ଚ ୨୦୨୦ରୁ ସେପ୍ଟେମ୍ବର ୨୦୨୦ ଯାଏ ଏହି ନିଶାଦ୍ରବ୍ୟକୁ ରିୟା ଯୋଗାଇଆସୁଥିଲେ । ରିୟାଙ୍କ ବିରୋଧରେ ଏନଡିପିଏସ ଆକ୍ଟର ଧାରା ୮ସି, ୨୦ବି, ୨୭ଏ, ୨୮, ୨୯ ଓ ୩୦ ରୁଜୁ ହୋଇଛି । ଏହି ସବୁ ଆଇନ ଅନୁସାରେ ନିଶାଦ୍ରବ୍ୟ ହାସଲ କରିବା, ପ୍ରସ୍ତୁତ କରିବା, ବିକ୍ରି କରିବା, ପରିବହନ କରିବା, ସଞ୍ଚିତ ରଖିବା, ରପ୍ତାନି କରିବା ଆଦି ବେଆଇନ । ଚାର୍ଜସିଟରେ ଦର୍ଶାଯାଇଛି ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ଏହି ସମସ୍ତ ୩୫ ଅଭିଯୁକ୍ତ ଅପରାଧ ଷଡ଼ଯନ୍ତ୍ର କରିଥିଲେ ଏବଂ ବେଆଇନ ସାମଗ୍ରୀ ହାସଲ କରିବା, ବିକ୍ରି କରିବା, ବଣ୍ଟନ କରିବା ଆଦି କାର୍ଯ୍ୟରେ ଲିପ୍ତ ରହିଥିଲେ ।

ରାଜ୍ୟରେ ୭୦୦ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୭୪୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୭ ଶହ ପାର୍‌ କଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ୭୪୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଜନ୍ମରୁ ୧୮ ବର୍ଷ ବୟସ ମଧ୍ୟରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୦୭ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫, ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଠାବ ହୋଇଛନ୍ତି ।

ସେହିପରି ପୁରୀରୁ ୩୬, ମୟୂରଭଞ୍ଜରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ୱର ଓ ଯାଜପୁରରୁ ୧୨ ଜଣ, ଜଗତସିଂହପୁର, ନୟାଗଡ଼, ନୂଆପଡ଼ାରୁ ୧୧ ଜଣ, କୋରାପୁଟରୁ ୧୦, ଭଦ୍ରକ, ବୌଦ୍ଧ, ଦେବଗଡ଼ରୁ ୮ ଜଣ, ସୋନପୁର ଓ ନବରଙ୍ଗପୁରରୁ ୭ ଜଣ, ଝାରସୁଗୁଡ଼ାରୁ ୬, କେନ୍ଦୁଝରରୁ ୫, ବଲାଙ୍ଗୀର ଓ କେନ୍ଦ୍ରାପଡ଼ାରୁ ୪ ଜଣ, ରାୟଗଡ଼ାରୁ ୩, ଗଜପତି, କଳାହାଣ୍ଡିରୁ ୨ ଜଣ, ଅନୁଗୁଳ, ବରଗଡ଼, ଗଞ୍ଜାମରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୪୦୪ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ଏବେ ୩୮୭୮ ରହିଛି ।

ଜେଲରେ ମହିଳା ଅନ୍ତେବାସୀ ନେବେ ବିୟୁଟି ତାଲିମ

ଭୁବନେଶ୍ୱର: ଝାରପଡ଼ା ଜେଲରେ ଦିଆଯିବ ବିୟୁଟି ତାଲିମ । ମହିଳା ଅନ୍ତେବାସୀ ନେବେ ବିୟୁଟି ତାଲିମ । ୩୦ ମହିଳା କଏଦୀ ଜେଲରେ ଏହି ପାଠ ପଢ଼ିବେ । ଝାରପଡ଼ା ଜେଲରେ ସମୁଦାୟ ୪୦ ମହିଳା ଅନ୍ତେବାସୀ ଅଛନ୍ତି । ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଏହା ଏକ ପ୍ରୟାସ । ପୂର୍ବରୁ ହସ୍ତଶିଳ୍ପ, ଫୁଡ ପ୍ରୋସେସିଂ ଭଳି ତାଲିମ ଦିଆଯାଇଛି । ମାଛ ଚାଷ ପାଇଁ ବାୟୋ ଫ୍ଲକ ୟୁନିଟ କାମ ଚାଲିଛି । ଝାରପଡ଼ା ଜେଲରେ ତିଆରି କମ୍ବଳ ଜିଲ୍ଲା ବାହାରକୁ ଯାଉଛି । 5-T ଅଧୀନରେ ଜେଲ ବିଭାଗ ଆସିବା ପରେ ଅନେକ ଉନ୍ନତି ଆସିଛି । ଏନେଇ ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ୱାଇଁ ।

କ୍ରାଇମବ୍ରାଞ୍ଚକୁ ସଫଳତା, ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ

‌ସମ୍ବଲପୁର: ପୁଣି ଜାଲ ନୋଟ ରାକେଟ ଠାବ । ୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍‌ ନୋଟ୍ ଜବତ । ସମ୍ବଲପୁର ଯୁଜୁମାରରେ କ୍ରାଇମବ୍ରାଞ୍ଚ STFର ଚଢ଼ାଉ । ଦୁଇ ଆନ୍ତଃରାଜ୍ୟ ଜାଲ ନୋଟ୍ ମାଫିଆ ଗିରଫ କରିଥିବା ସୂଚନା ମିଳିଛି । ଦୀର୍ଘଦିନ ଧରି ଏମାନେ ଏହି ନେଟୱାର୍କ ଚଳାଇ ଆସୁଥିଲେ । ନିକଟରେ ବରଗଡ଼ ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ଜାଲ ନୋଟ୍ ଜବତ୍ ହେବା ସହ ଦୁଇ ଜଣ ଧରାପଡ଼ିଥିଲେ । କ୍ରାଇମବ୍ରାଞ୍ଚ ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଜାଲ ନୋଟ ଜବତ ହୋଇଛି । ଜାଲ ନୋଟ ଲିଙ୍କରେ ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିବା ସହ ୧୮୦ରୁ ଅଧିକ ମାମଲା ରୁଜୁ ହୋଇଛି । ତଥାପି ଥମୁନି ଜାଲ ନୋଟ୍ କାରବାର ।

ବରପାଲିରୁ ଧରା ପଡ଼ିଥିବା ଜାଲ ନୋଟ୍ ବେପାରୀଙ୍କ ବିହାର, ଛତିଶଗଡ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଲିଙ୍କ୍ ଥିଲା। ଓଡ଼ିଶାର ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ଅଧିକ ପରିମାଣର ଜାଲ ନୋଟ୍ କାରବାର ହେଉଛି । ତେବେ ସମ୍ବଲପୁରରୁ ଧରାପଡ଼ିଥିବା ଏହି ଜାଲ ନୋଟ୍ ରାକେଟ ସହ ନିକଟରେ ଧରାପଡ଼ିଥିବା ବରପାଲି ମାଫିଆ ଶହ କିଛି ଲିଙ୍କ୍ ଅଛି କି ? କେଉଁଠୁ ଆଣିଲେ ଏତେ ପରିମାଣର ଜାଲ ନୋଟ୍ ? କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏହି ରାକେଟ ? ଏସବୁ ଏବେ କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି ।

ପରକିୟା ପ୍ରୀତି ଯୋଗୁ ପତ୍ନୀ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ଥାନା କରୁଆବାହଲ ଗାଁରେ ସ୍ତ୍ରୀର ତଣ୍ଟିଚିପି ହତ୍ୟା କଲା ସ୍ୱାମୀ । ପରକିୟାପ୍ରୀତି ସନ୍ଦେହରେ ପତ୍ନୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗିରଫ ଅଭିଯୁକ୍ତ ସ୍ୱାମୀ ମିଶ୍ରିଲାଲ ବିଲୁଙ୍ଗଙ୍କ ପ୍ରେମିକାକୁ କିଞ୍ଜିରିକେଲା ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ସୂଚନା ଅନୁସାରେ ପତ୍ନୀ ଶୁଶୁଲା ବିଲୁଙ୍ଗଙ୍କୁ ଗତ ୧୦ ତାରିଖରେ ତଣ୍ଟିଚିପି ହତ୍ୟା କରିବା ପରେ ପଥର ବାନ୍ଧି ବିଲ ପାଣିରେ ଫୋପାଡି ଦେଇଥିଲା ସୈତାନ ସ୍ୱାମୀ । ପରଦିନ ପତ୍ନୀଙ୍କ ମୃତଦେହ ଉଦ୍ଧାର କରାଯିବା ସହ ଗିରଫ ଅଭିଯୁକ୍ତ ସ୍ଵାମୀ ଓ ପ୍ରେମିକାଙ୍କୁ କିଞ୍ଜିରିକେଲା ଥାନାରେ ରଖି ପଚରାଉଚରା କରାଯାଉଛି । ତେବେ ଆଜି ଗିରଫ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଆଠଗଡ଼ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼, ଉଦ୍ଧାର କରି ବଡ଼ ମେଡିକାଲ ସ୍ଥାନାନ୍ତର କଲା ପୋଲିସ

ଆଠଗଡ଼: ଆଠଗଡ଼ ନୂଆପାଟଣାରେ ମହିଳାଙ୍କୁ ଏସିଡ ମାଡ଼ ଅଭିଯୋଗ । ଏସିଡି ମାଡ଼ ପରେ ମହିଳାଙ୍କୁ ଉଦ୍ଧାର କରିଛି ତିଗିରିଆ ପୋଲିସ । ଉକ୍ତ ମହିଳାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ ଆଜି ଭୋର ୪ଟା ସମୟରେ ଏଭଳି ଘଟଣା ଘଟିଛି । ମହିଳା ଜଣଙ୍କ ଘରୁ ବାହାରକୁ ଆସିବା ବେଳେ ହଠାତ୍‌ ତାଙ୍କୁ କେହି ଦୁର୍ବୃତ୍ତ ଏସିଡ ମାଡ଼ କରି ଖସି ପଳାଇଥିଲେ । ଏସିଡ ମାଡ଼ରେ ମହିଳାଙ୍କ ଶରୀରର ୫୦ ଭାଗ ପୋଡ଼ି ଯାଇଥିବା ଜଣାପଡ଼ିଛି । ତେବେ କାହିଁକି ଏବଂ କିଏ ଏସିଡ ମାଡ଼ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।