୭୫ ହଜାର କୋଟିର ନିବେଶ ପ୍ରସ୍ତାବକୁ ମଂଜୁରୀ, ୨୪ ହଜାରଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ବଢ଼ିବ ନିବେଶ। ଦୌଡ଼ିବ ଶିଳ୍ପାୟନ। ରାଜ୍ୟରେ ଅଧିକ ପୁଂଜି ନିବେଶ ବଢ଼ାଇବା ସହ ଯୁବକ ଯୁବତୀଙ୍କୁ କାମଧନ୍ଦା ଯୋଗାଇବାକୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ଅନୁମୋଦନ କମିଟି ବୈଠକରେ ୭୪ ହଜାର ୬୨୦ କୋଟି ୨୦ ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବରେ ମୋହର ମାରିଛି । ଏହି ନିବେଶ ଦ୍ୱାରା ରାଜ୍ୟରେ ୨୪ ହଜାର ୪୭ ଜଣଙ୍କୁ ମିଳିବ ନିଯୁକ୍ତି।
ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଥିବା ନିବେଶ ପ୍ରସ୍ତାବ ମଧ୍ୟରେ ମୁଖ୍ୟତଃ ଗ୍ରୀନ ହାଇଡ୍ରୋଜେନ, ଗ୍ରୀନ ଆମୋନିଆ ସହ ଧାତବ ଓ ଆନୁଷଙ୍ଗିକ ଡାଉନଷ୍ଟ୍ରିମ ଶିଳ୍ପକୁ ମିଳିଛି ସବୁଜ ସଂକେତ। ରିନ୍ୟୁ ଇ ଫୁଏଲ୍ସ ସଂସ୍ଥାର ଗ୍ରୀନ ହାଇଡ୍ରୋଜେନ (ବାର୍ଷିକ କ୍ଷମତା ୨୦ କିଲୋ ଟନ) ଏବଂ ଗ୍ରୀନ ଆମୋନିଆ ପ୍ଲାଣ୍ଟ (ବାର୍ଷିକ୧୦୦ କିଲୋଟନ) ପାରାଦୀପରେ ପ୍ରତିଷ୍ଠା କରିବ। ଏଥିରେ ସଂସ୍ଥା ୨ ହଜାର କୋଟି ନିବେଶ କରିବ। ୨ ହଜାର ଲୋକଙ୍କୁ ଏ ପ୍ଳାଣ୍ଟରେ ମିଳିବ ନିଯୁକ୍ତି। ଅଣପାରମ୍ପରିକ ଶକ୍ତି ଉତ୍ସକୁ ବ୍ୟବହାର କରି ଏ ୟୁନିଟ୍ ରାଜ୍ୟରେ ଇସ୍ପାତ ଓ ସାର କ୍ଷେତ୍ରକୁ ଆଗକୁ ନେବାରେ ସହାୟକ ହେବ।
ସେହିଭଳି ଟାଟା ଷ୍ଟିଲ ପକ୍ଷରୁ ୬୦ ହଜାର ନିୟୁତ ଟନର ଶିଳ୍ପ ଭିତ୍ତିଭୂମି ସହ ୬ ହଜାର ନିୟୁତ ଟନର ଇସ୍ପାତ କାରଖାନା ଉପକରଣ ସାମଗ୍ରୀର ଏକ ୟୁନିଟ ପ୍ରତିଷ୍ଠା ହେବ। ଏଥିରେ ଟାଟା ଷ୍ଟିଲ ୧ ହଜାର କୋଟି ନିବେଶ କରିବ। ୨୪୫୧ ଜଣଙ୍କୁ ମିଳିବ ନିଯୁକ୍ତି ସୁବିଧା।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ରାୟଗଡ଼ାର କାଶୀପୁରରେ ବାର୍ଷିକ ୪ ନିୟୁତ ଟନ ଆଲୁମିନା ବିଶୋଧନାଗାର ଓ ପ୍ଳାଣ୍ଟକୁ ହଁ ମାରିଛି। ଆଦାନି ଏଣ୍ଟର ପ୍ରାଇଜେସ ଲିମିଟେଡ ପକ୍ଷରୁ ଏ ଶିଳ୍ପରେ ୪୧ ହଜାର ୬୫୩ କୋଟି ନିବେଶ କରାଯିବ । ଏହି କାରଖାନାରେ ୭୭୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିଭଳି ଓଡ଼ିଶା ଆଲୟ ଷ୍ଟିଲ ପକ୍ଷରୁ ୮ ହଜାର କୋଟି ନିବେଶରେ ୨.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ୟୁନିଟ କଳିଙ୍ଗ ନଗରରେ ପ୍ରତିଷ୍ଠା ହେବ। ଏଥିରେ ୫ ହଜାର ଜଣଙ୍କୁ ନିଯୁକ୍ତି ମିଳିବ। ସୋମପୁରୀ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ୭୮୧୧ କୋଟିର ଧାମରାରରେ ପେଲେଟ ପ୍ଳାଣ୍ଟ, ଦେଓଝରରେ ବେନିଫିକେସନ ଓ ସ୍ଲରି ପ୍ଳାଣ୍ଟ ପ୍ରତିଷ୍ଠା ହେବ।