ମାଓମୁକ୍ତ ହେବ ଓଡ଼ିଶା ! ୧୦ବର୍ଷରେ ମାଓ ଉପଦ୍ରୁତ ଜିଲ୍ଲା ୧୯ରୁ ୫ରେ ପହଞ୍ଚିଛି

ଭୁବନେଶ୍ୱର(ନନ୍ଦିଘୋଷ ବ୍ୟୁରୋ): ରାଜ୍ୟରେ କମୁଛି ମାଓ ଉପଦ୍ରବ। ଗତ ୧୦ବର୍ଷରେ ମାଓ ପ୍ରଭାବିତ ଜିଲ୍ଲା ୧୯ରୁ ୫କୁ ଖସିଛି। ଆଦିବାସୀଙ୍କ ଯେଉଁ ଅଧିକାର କଥା କହି ନକ୍ସଲ ସେମାନଙ୍କୁ ବିଦ୍ରୋହୀ ସଜାଉଥିଲେ, ସେସବୁ ଦାବି ସରକାର ପୂରଣ କରୁଥିବାରୁ ମାଓ ସମର୍ଥକ ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ରାଜ୍ୟ ସରକାରଙ୍କ ସଫଳ ଆତ୍ମସମର୍ପଣ ଓ ପୁନର୍ବାସ ନୀତି ସାଙ୍ଗକୁ ମାଓ ମୁକାବିଲାରେ ନିୟୋଜିତ ଫୋର୍ସଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ମାଓ କାର୍ଯ୍ୟକଳାପ ହ୍ରାସ ପାଉଛି। ଏହା ମଧ୍ୟରେ ପ୍ରାୟ ୪୩୨ମାଓ ସମର୍ଥକ ମୁଖ୍ୟସ୍ରୋତକୁ ଆସିଥିବା ବେଳେ ୨୨୪ଜଣ ସରକାରୀ ଯୋଜନାରେ ଆତ୍ମନିର୍ଭରଶୀଳ ହୋଇଛନ୍ତି ।

୨୦୧୨ରେ ୧୯ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ବେଳେ ୨୦୧୮ରେ ୬, ୨୦୧୯ରେ ୩ ଏବଂ ୨୦୨୦ରେ ୫ଟି ଜିଲ୍ଲାରେ ସୀମିତ ହୋଇଛି। ଜମି ଅଧିକାର ପ୍ରସଙ୍ଗରେ ଆଦିବାସୀଙ୍କୁ ବିଦ୍ରୋହୀ ସଜାଇ ସରକାରଙ୍କ ବିରୋଧରେ ଅସ୍ତ୍ର ଧରିବାକୁ ମାଓବାଦୀ ପ୍ରବର୍ତ୍ତାଉଥିଲେ । ଏବେ ଜମି ଅଧିକାର ଦିଗରେ ସରକାର ଭଲ କାମ କରୁଛନ୍ତି। ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ସହ ମିଳିଛି ଜଙ୍ଗଲ ଉପରେ ଅଧିକାର। ସରକାର ସ୍ଥାନୀୟ ଅଧିବାସୀଙ୍କ ସହ ସୁସମ୍ପର୍କ ରକ୍ଷା କରି ସେମାନଙ୍କ ସୁବିଧା ଅସୁବିଧାରେ ସାମିଲ ହୋଇଛନ୍ତି। ଫଳରେ ମୁଖ୍ୟସ୍ରୋତକୁ ଆସିବା ସହ ମାଓବାଦୀଙ୍କୁ ସମର୍ଥନ ବଦଳରେ ବିରୋଧ କରିବା ଆରମ୍ଭ କରିଛନ୍ତି ଆଦିବାସୀ।