କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଶାସନ ସଚିବଙ୍କ ୨ୟ ଦିନ, ଜାରି ରହିଛି ସମୀକ୍ଷା

1 min read

କେନ୍ଦୁଝର:  ୨ ଦିନିଆ ଗସ୍ତର ୨ୟ ଦିନରେ ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର ମହାପାତ୍ର କାନପୁର ଜଳସେଚନ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଆଶିଷ ଠାକରେ , ଜଳସେଚନ ବିଭାଗ ବରିଷ୍ଠ ଯନ୍ତ୍ରୀ ଏବଂ କ୍ଷେତ୍ରସ୍ତରରେ କାର୍ଯ୍ୟରତ ଯନ୍ତ୍ରୀମାନଙ୍କ ସହ ଆଲୋଚନା କରି କାମର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିଥିଲେ । କାନପୁର ଡ୍ୟାମ୍ ସ୍ପିଲ୍ୱେର ପ୍ରାୟ ୧୦୦ମି ପାଖାପାଖି ଜାତୀୟ ରାଜପଥ ଯାଇଥିବାରୁ ନଦୀକୁ ପାଣି ନିର୍ଗମନ ପାଇଁ ହାଇ ଲେଭେଲ ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜାତୀୟ ରାଜପଥ କର୍ତ୍ତୁପକ୍ଷ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଅକ୍ଟୋବର ଶେଷସୁଦ୍ଧା ଏହା ପୂର୍ଣ୍ଣାଙ୍ଗ କରିବା ନିମନ୍ତେ ସମୟ ନିର୍ଘଣ୍ଟ ଧାର୍ଯ୍ୟ ହୋଇଥିଲା । ୨୦୨୩ ମସିହା ଶେଷସୁଦ୍ଧା ଡ୍ୟାମ୍ ଓ କେନାଲ କାର୍ଯ୍ୟ ଶେଷକରି ଚାଷ ପାଇଁ ପାଣି ଯୋଗାଇବାକୁ ମୁଖ୍ୟ ଶାସନ ସଚିବ ଜଳସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଡ୍ୟାମ୍ ନିର୍ମାଣ ଓ ସ୍ଥାନାନ୍ତରିତ ଲୋକମାନଙ୍କର ଥଇଥାନ ସମ୍ବନ୍ଧିତ କ୍ଷେତ୍ରସ୍ତରୀୟ ସମସ୍ୟାର ଆଶୁ ସମାଧାନ ପନ୍ଥା ସ୍ଥିର କରାଯାଇଥିଲା । ସମୀକ୍ଷାରୁ ଜଣାପଡିଥିଲା ଯେ କେନ୍ଦୁଝର ଜିଲ୍ଲାର ବାସୁଦେବପୁରଠାରେ ବ୍ରାହ୍ମଣୀନଦୀ ଉପରେ ନିର୍ମାଣାଧିନ କାନପୁର ବହୁମୁଖୀ ଜଳସେଚନ ପ୍ରକଳ୍ପ ଦ୍ୱାରା ଚଂପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଓ ଯୋଡା ବ୍ଲକ୍ ଅନ୍ତର୍ଗତ ୨୪୪ ଟି ଗ୍ରାମର ୨୯୫୭୮ ହେକ୍ଟର ଜମି ଜଳସେଚିତ ହେବ । ଏହାଦ୍ୱାରା ଏହିସବୁ ଗ୍ରାମର ପ୍ରାୟ ୧୪,୪୮,୮୮ ଲୋକ ଉପକୃତ ହେବ । ମୁଖ୍ୟ ଡ୍ୟାମ୍, ୭୮.୨୧ କି.ମି. ମୁଖ୍ୟ କେନାଲ, ୭୩.୭୩ କି.ମି. ଶାଖା କେନାଲ ଏବଂ ୨୯୧.୫୫ କି.ମି. ମାଇନର, ସବ୍ମାଇନର କେନାଲ ଆଦି ପ୍ରକଳ୍ପର ମୁଖ୍ୟାଂଶ । ଏହି ପ୍ରକଳ୍ପରୁ ମଧ୍ୟ ୪.୨ ମେଗାସ୍ବାଟ୍ ଜଳ ବିଦ୍ୟୁତ ଉତ୍ପାଦନ ହେବ । ପ୍ରକଳ୍ପରେ ସମୁଦାୟ ୨୪୩୮.୨୯ କୋଟି ଟଙ୍କା ବିନିଯୋଗ ହେବ । ତନ୍ମଧ୍ୟରୁ ରାଜ୍ୟ ସରକାର ୧୫୫୫.୨୬ କୋଟି ଏବଂ କେନ୍ଦ୍ରସରକାର ୮୮୩.୦୩ କୋଟି ଯୋଗାଇବାର ବ୍ୟବସ୍ଥା ଥିବାର ଜଣାପଡିଛି ।

ବର୍ତ୍ତମାନସୁଦ୍ଧା ୩୪୬୦ ମିଟର ଲମ୍ବ ଡ୍ୟାମ୍ର ପ୍ରାୟ ୮୬ ପ୍ରତିଶତ ନିର୍ମାଣ ସରିଛି ଏବଂ ଅବଶିଷ୍ଟ ୧୪ ପ୍ରତିଶତ ଅଂଶର ନିର୍ମାଣ ଦୃତ ଗତିରେ ଚାଲିଛି । ସେହିପରି ସ୍ପିଲ୍ୱେର ୮୬ ଶତକଡା ଏବଂ କେନାଲର ୭୬ ଶତକଡା କାମ ସରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପାଇଁ ସାପ୍ତାହିକ ଓ ମାସିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରି ତାର ନିୟମିତ ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ପରେ  କାଞ୍ଜିପାଣି ଘାଟି ଓ ହଦଗଡ଼ ଅଂଚଳ ପରିଦର୍ଶନ କରି ସେଠାରେ ଇକୋ- ପର୍ଯ୍ୟଟନ ସୁବିଧାର ଅଧିକ ବିକାଶ ସମ୍ଭାବନା ଅନୁଧ୍ୟାନ କରିଥିଲେ ମୁଖ୍ୟ ଶାସନ ସଚିବ । ସ୍ଥାନୀୟ ବାସୀନ୍ଦାଙ୍କୁ ସାମିଲ କରି ସେଠାରେ ଇକୋ-ପର୍ଯ୍ୟଟନ ସୁବିଧା ସୃଷ୍ଟି ନିମନ୍ତେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ , ବନଖଣ୍ଡ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ଉକ୍ତ ଅଞ୍ଚଳରେ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଆୟର ପନ୍ଥା ବୃଦ୍ଧି ପାଇବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ  ।