‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୈନିକ ଖବରକାଗଜ ସକାଳ ଓ ନନ୍ଦିଘୋଷ ଟିଭି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଗତକାଲି ସମ୍ବଲପୁର ଓ ଭବାନୀପାଟଣାଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ସମ୍ପନ୍ନ ହୋଇଛି । ଆଜି ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ସ୍ଥାନୀୟ ଷ୍ଟିୱାର୍ଟ ସ୍କୁଲରେ ଉଭୟ ନନ୍ଦିଘୋଷ ଟିଭି ଓ ସକାଳ ଖବରକାଗଜ ସହିତ ସ୍କୁଲ କର୍ତ୍ତୃପକ୍ଷ ଓ ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଉଭୟ ବର୍ଗରେ କର୍ମଚାରୀ ଏବଂ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ ।

ଆସନ୍ତାକାଲି ପୁଣି ଚିତ୍ର ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଆସନ୍ତା ୧୪ତାରିଖ ରବିବାର ଦିନ ବ୍ରହ୍ମପୁର ସହର ସମେତ ଅନ୍ୟ ସହରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ସ୍ଥିର ହୋଇଛି । ଏଭଳି ଏକ ଅବସରରେ ସକାଳ ଓ ନନ୍ଦିଘୋଷ ଟିଭି ଭଳି ଗଣମାଧ୍ୟମ ସଂସ୍ଥା ଆଗକୁ ଆସି ରକ୍ତଦାନ ଶିବିର ଭଳି ସାମାଜିକ କାର୍ଯ୍ୟ ହାତକୁ ନେଇଥିବାରୁ ଷ୍ଟିୱାର୍ଟ ସ୍କୁଲ ଅଧ୍ୟକ୍ଷା ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ପୁରୁଷଙ୍କ ଭଳି ମହିଳାମାନେ ଦିନକୁ ଦିନ ଏକ୍ଷେତ୍ରରେ ଆଗକୁ ଆସୁଥିବାରୁ ସମାଜରେ ଏହାର ନିଶ୍ଚିତ ପ୍ରଭାବ ପଡ଼ିବ ଏବଂ ଯୁବପିଢ଼ି ରକ୍ତଦାନ ଭଳି ମହତଦାନ କରିବାକୁ ଆଗେଇ ଆସିବେ ବୋଲି ସକାଳର ସିଇଓ ଓ ପ୍ରକାଶକଙ୍କ ସହ ରକ୍ତଦାତା ସଂଗଠନର ସଦସ୍ୟ ମତ ପ୍ରକାଶ କରିଛନ୍ତି । ଏହାଦ୍ୱାରା ରକ୍ତର ଅଭାବକୁ ମେଣ୍ଟାଇବା ସହଜ ହେବ ଓ ରକ୍ତର ଅଭାବ କାରଣରୁ ଯେମିତି କାହାର ଜୀବନ ନଯାଏ ଏହି ଲକ୍ଷ୍ୟ ସାଧିତ ହୋଇପାରିବ ।