spot_img
Home Blog Page 4106

ବିଦ୍ରୋହୀଙ୍କ ଉପରେ ବର୍ଷିଲେ ସଞ୍ଜୟ ରାଉତ, କେତେଦିନ ଗୌହାଟୀରେ ଲୁଚିବ ବୋଲି କଲେ ପ୍ରଶ୍ନ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ଦୁଇଫାଳ । ସରକାର ବଞ୍ଚାଇବାକୁ ଗୋଟିଚାଳନା କରୁଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ତେବେ ଏହାରି ମଧ୍ୟରେ ବିଦ୍ରୋହୀ ବିଧାୟକଙ୍କୁ ଟାର୍ଗେଟ କରି ଟ୍ୱିଟ୍ କରିଛନ୍ତି ଶିବସେନାର ବରିଷ୍ଠ ନେତା ତଥା ମୁଖପାତ୍ର ସଞ୍ଜୟ ରାଉତ । କେତେଦିନ ଗୌହାଟୀରେ ଲୁଚିବ? ବୋଲି ପ୍ରଶ୍ନ କରିଛନ୍ତି ରାଉତ । ସେହିପରି ବାଲାସାହେବଙ୍କ ନାମରେ ଦଳ ଗଠନକୁ ନେଇ ବର୍ଷିଛନ୍ତି ଶିବସେନା ମୁଖପାତ୍ର । ଶିବସେନା ଦଳର ବାପାଙ୍କ ନାଁରେ ଦଳ ନ ଗଢ଼ିବାକୁ ଚେତାବନୀ ଦେଇଛନ୍ତି ।

ବାଲାସାହେବଙ୍କ ନାମ ବ୍ୟବହାର କରନି । ଉଦ୍ଧବ ଠାକରେ ଶିବସେନାର ମୁଖ୍ୟ । ଶିବ ସୈନିକଙ୍କର କେବଳ ଉଦ୍ଧବଙ୍କ ଉପରେ ଭରସା ରହିଛି । ସିନ୍ଦେ ଯଦି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ଜଣାନ୍ତୁ ବୋଲି କହିଛନ୍ତି ରାଉତ । ଗୌହାଟୀରେ ଲୁଚି ଥିବା ବିଧାୟକ ମୁମ୍ବାଇ ଆସିବା ପରେ ପ୍ରକୃତରେ କିଏ ବିଦ୍ରୋହୀ ସ୍ପଷ୍ଟ ହେବ ବୋଲି ରାଉତ କହିଛନ୍ତି । ୪୦ ବିଧାୟକଙ୍କୁ ବନ୍ଧକ କରି ରଖାଯାଇଛି । ମହାରାଷ୍ଟ୍ରରେ ଉଦ୍ଧବ ସରକାରକୁ କିଛି ବିପଦ ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଉତ ।

 

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି  ଯୋଗୀ । ଏକ ପକ୍ଷୀ ଅଚାନକ ଆସି ହେଲିକପ୍ଟରରେ ଧକ୍କା ହେବାରୁ ତାଙ୍କୁ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡିଲା । ବାରଣାସୀରେ ହିଁ ତାଙ୍କ ଚପରକୁ ଜରୁରୀକାଳୀନ ଅବତରଣ କରାଯାଇଛି ।  ସୂଚନା ଅନୁସାରେ ସେ ବର୍ତ୍ତମାନ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି  ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟର ଯୋଗେ ବାରଣାସୀରୁ ଲକ୍ଷ୍ନୌ ଯାଉଥିଲେ । ଉଡ଼ାଣର କିଛି ସମୟ ପରେ ହେଲିକପ୍ଟରରେ ଅଚାନକ ଏକ ପକ୍ଷୀ ଧକ୍କା ଦେଇଥିଲା । ଏପରି ଘଟଣା ପରେ ସଙ୍ଗେ ସଙ୍ଗେ ବାରଣାସୀରେ ହିଁ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା ଏବଂ ସେହି  ହେଲିକପ୍ଟରକୁ ବର୍ତ୍ତମାନ ଯାଞ୍ଚ କରାଯାଉଛି । ଜରୁରୀକାଳୀନ ଅବତରଣ ପରେ ବିକଳ୍ପ ବ୍ୟବସ୍ଥାରେ ଆଉ ଏକ ହେଲିକପ୍ଟରରେ ସେ ଲକ୍ଷ୍ନୌ ଗସ୍ତ କରିଥିଲେ  ।

ଆପଣ ମାନଙ୍କୁ ଜଣାଇ ଦିଆଯାଉଛି ଯେ, ଯେବେ ଏପରି କିଛି ଘଟଣା ଘଟିଥାଏ ତାହେଲେ ସଙ୍ଗେ ସଙ୍ଗେ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଥାଏ । ଏହା ପରେ ସେହି ହେଲିକପ୍ଟରକୁ ଟେକନିକାଲ ଟିମ୍ ଭଲଭାବରେ ଯାଞ୍ଚ କରିଥାନ୍ତି । ଯେ ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ ରୂପରେ ଠିକ୍ ହୋଇ ନଯାଏ ସେ ପର୍ଯ୍ୟନ୍ତ ସେହି ଆଇପି ହେଲିକପ୍ଟରକୁ ଉଡେଇବାକୁ ଦିଆଯାଏ ନାହିଁ ।

ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ଅପରାଧୀ: ରାଉରକେଲା ଏସପି

ରାଉରକେଲା: ରାଉରକେଲାରେ କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହେବା ଘଟଣାରେ ତନାଘନା । ଅପରାଧୀଙ୍କୁ ଗୁଳି ବିନିମୟ ପରେ ଏକ ବଡ଼ ଖୁଲାସା କରିଛନ୍ତି ରାଉରକେଲା ଏସପି ମୁକେଶ କୁମାର ଭାମୁ । ଶିଳ୍ପପତି ଓ ବ୍ୟବସାୟୀଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ଅପରାଧୀ । ଏହା ପଛରେ ଏକ ବଡ଼ ରାକେଟ କାମ କରୁଛି । ତେବେ ରାକେଟରେ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବା ସହ ସେମାନଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି  ।

ତେବେ ଅପରାଧୀ ଏକେ ୪୭ କେଉଁଠୁ ଆଣିଥିଲେ, ତା’ର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି । ଗତକାଲି ଓଡ଼ିଶା ଝାଡଖଣ୍ଡ ସୀମାନ୍ତ ଅଞ୍ଚଳରେ କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ବେଳେ କୁଖ୍ୟାତ ଅପରାଧୀ ବିଶ୍ଵଜିତ ସାହୁ ଆହତ ହୋଇଥିବା ବେଳେ ସହଯୋଗୀ ଟୁଚୁ ଇନ୍ଦଓ୍ୱେରଙ୍କୁ ଗିରଫ କରାଯାଇଛି ।

ଶିବସେନା ଦୁଇଫାଳ, ସରକାର ବଞ୍ଚାଇବାକୁ SMSରେ ଉଦ୍ଧବଙ୍କ ଗୋଟିଚାଳନା

ମୁମ୍ବାଇ: ECରେ ମହାରାଷ୍ଟ୍ର କଳି । ମେଣ୍ଟ ସରକାରରେ ଆରପାର୍ ଲଢ଼େଇ । ଦୁଇଫାଳ ହୋଇଛି ଶିବସେନା । ସରକାର ବଞ୍ଚାଇବାକୁ ଉଦ୍ଧବଙ୍କ SMSରେ ଗୋଟିଚାଳନା । ଉଦ୍ଧବମୁକ୍ତ ଶିବସେନା ଗଠନ ପାଇଁ ବାଲାସାହେବ ଶିବସେନା ନାଁରେ ଦଳ ଗଢ଼ିବାକୁ ସିନ୍ଦେ ପ୍ଲାନ କରିଥିବା ସୂଚନା ମିଳିଛି । ସେପଟେ ବାଲାସାହେବ ନାଁ ବ୍ୟବହାରକୁ ବିରୋଧ କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ଶିବସେନା । ମହାରାଷ୍ଟ୍ର ମହାଦଙ୍ଗଲକୁ ନେଇ ମୁମ୍ବାଇରୁ ଗୌହାଟୀ ଯାଏ ରାଜନୈତିକ ଘମାସାନ ଜାରି ରହିଛି ।

ସେପଟେ  ଆଗାମୀ ରଣନୀତିକୁ ନେଇ ଶିବସେନା, ଏନସିପି, ବିଜେପି ମାରାଥନ ବୈଠକ ପାଇଁ ସମୟ ସ୍ଥିର ହୋଇଛି । ଏନସିପି ସୁପ୍ରିମୋ ଶରଦ ପାଓ୍ୱାରଙ୍କ ଘରେ ଶିବସେନା ଓ ଏନସିପିର ବରିଷ୍ଠ ନେତାଙ୍କୁ ନେଇ ବୈଠକ ଜାରି ରହିଛି । ଅନ୍ୟପଟେ ଗୌହାଟୀରେ ରହି ଉଦ୍ଧବ ସରକାର ବିରୋଧରେ ଷଡ଼ଯନ୍ତ୍ର ରଚୁଛନ୍ତି ଏକନାଥ ସିନ୍ଦେ । ଭଡୋଦ୍ରାରେ ବିଜେପି ନେତାଙ୍କ ସହ ଆଲୋଚନା ପରେ ବିଳମ୍ବିତ ରାତିରେ ହୋଟେଲ ରେଡିସନ ବ୍ଲ୍ୟୁରେ ପହଞ୍ଚି ସିନ୍ଦେଙ୍କ ସହ ଆଲୋଚନା କରିଛନ୍ତି ଆସାମ ସରକାରରେ ମନ୍ତ୍ରୀ ଥିବା ଅଶୋକ ସିଙ୍ଗଲ ।

ଅନ୍ୟପଟେ ଆସାମରେ ଭୟାବହ ବନ୍ୟା ଯୋଗୁ ଲକ୍ଷାଧିକ ଲୋକ ଦୁର୍ଦ୍ଦଶା ଭିତରେ ଜୀବନ କାଟୁଥିବା ବେଳେ ମହାରାଷ୍ଟ୍ର ବିଧାୟକଙ୍କୁ ଷ୍ଟାର ହୋଟେଲରେ ରଖି ଆସାମ ସରକାର ଦିନକୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ । ରାଜନୈତିକ ସଙ୍କଟ ଭିତରେ କ୍ରାଇସିସ କଣ୍ଟ୍ରୋଲ ପାଇଁ ମଇଦାନକୁ ଓହ୍ଲାଇଛନ୍ତ ଉଦ୍ଧବଙ୍କ ପତ୍ନୀ ରଶ୍ମି ଠାକରେ । ବିଦ୍ରୋହୀ ବିଧାୟକଙ୍କ ସ୍ତ୍ରୀଙ୍କୁ ଫୋନ୍ କଲ, ମେସେଜ କରି ସେମାନଙ୍କୁ ବୁଝାଇବାକୁ ରଶ୍ମି ଠାକରେ ଚେଷ୍ଟା ଚଳାଇଛନ୍ତି । ଉଦ୍ଧବ ଠାକରେ ମଧ୍ୟ କେତେଜଣ ବିଦ୍ରୋହୀଙ୍କୁ ମେସେଜ କରିଥିବା ବେଳେ ସେମାନେ ଶିବସେନା ସହ ଅଛନ୍ତି ବୋଲି ଉତ୍ତର ଦେଇଥିବା ଜଣାପଡ଼ିଛି ।

ସମୁଦ୍ର ମଝିରେ ପଟା ଫାଟି ବୋଟରେ ପଶିଲା ପାଣି, ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ୭ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପରେ ଅଘଟଣ । ସମୁଦ୍ର ମଝିରେ ପଟା ଫାଟି ବୋଟରେ ପଶିଲା ପାଣି । ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ୭ ଜଣ ମତ୍ସ୍ୟଜୀବୀ । ସମସ୍ତ ମତ୍ସ୍ୟଜୀବୀଙ୍କୁ ଅନ୍ୟ ଏକ ବୋଟରେ ଉଦ୍ଧାର କରାଯାଇଛି । ବୋଟ୍ ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ସମୁଦ୍ରରେ ବୁଡ଼ିଯାଇଛି । ବିଳମ୍ବିତ ରାତିରେ ସମୁଦ୍ରରେ ମାଛ ଧରୁଥିବା ବେଳେ ବଟ୍ଟ ମହାପୁରୁଷ ନାମକ ବୋଟର କାଠ ଫାଟିଯିବାରୁ ବୋଟଟି ସମୁଦ୍ର ବୁଡିଯାଇଥିଲା ।

ଆଜିଠୁ ଜେଇଇ ମେନ୍-୧, ଓଡ଼ିଶାର ୨୪ଟି ସହରରେ ଚାଲିଛି ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶାର ୨୪ଟି ସହରରେ ହେଉଛି ଜେଇଇ ମେନ୍‌-୧ । ପରୀକ୍ଷା ଦେଉଛନ୍ତି ୩୫ ହଜାର ପରୀକ୍ଷାର୍ଥୀ । ୨୦୨୨ ଶିକ୍ଷାବର୍ଷରେ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ଜେଇଇ ମେନ ପରୀକ୍ଷା ଚାଲିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଜାରି ରହିବ । ପରୀକ୍ଷା ଲାଗି ଦେଶରେ ୫୦୧ ଓ ବିଦେଶରେ ୨୨ଟି ସହରରେ କେନ୍ଦ୍ର ହୋଇଛି ।

ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ହେଉଛି । ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ନ ୧ଟା ୩୦ରୁ ୨ଟା ୩୦ ମଧ୍ୟରେ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ପରୀକ୍ଷାର୍ଥୀଙ୍କ ଲାଗି ମାସ୍କ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଓ ଜାମର ଲାଗିଛି । ଜୁଲାଇ ୪ର୍ଥ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବ ।

ଆଜି ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ୍, ହାର୍ଦ୍ଦିକଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଡବ୍ଲିନ୍: ବିଦେଶ ଗସ୍ତରେ ଟିମ୍ ଇଣ୍ଡିଆ । ଆୟର୍ଲାଣ୍ଡ ବିପକ୍ଷରେ ଦୁଇଟି ଟି-ଟ୍ବେଣ୍ଟି ଖେଳିବେ ଭାରତର ୟଙ୍ଗ ବିଗ୍ରେଡ । ଆଜି ଦୁଇ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ । ଆୟର୍ଲାଣ୍ଡର ଡବ୍ଲିନରେ ଖେଳାଯିବ ଏହି ମ୍ୟାଚ୍ । ଭାରତୀୟ ସମୟ ରାତି ୯ଟାରେ ଖେଳ ଆରମ୍ଭ ହେବ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଟିମ୍ ଇଣ୍ଡିଆର ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଦଳରେ ବ୍ୟାଟିଂ ଭାର ସମ୍ଭାଳିବେ ସୂର୍ଯ୍ୟ କୁମାର ଯାଦବ, ଇଶାନ କିଷନ, ଋତୁରାଜ ଗାଏକ୍ୱାଡଙ୍କ ସମେତ ନବାଗତ ରାହୁଲ ତ୍ରିପାଠୀ ।

ସେହିପରି ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ ଓ ୟୁଜବେନ୍ଦ୍ର ଚହଲ ସମ୍ଭାଳିବେ ଟିମ୍ ଇଣ୍ଡିଆର ବୋଲିଂ ଭାର । ଅନ୍ୟପଟେ ଭ୍ରମଣକାରୀ ଦଳକୁ ଟକ୍କର ଦେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଘରୋଇ ଆୟର୍ଲାଣ୍ଡ । ସେପଟେ ଟେଷ୍ଟ ମ୍ୟାଚ୍ ପାଇଁ  ଇଂଲଣ୍ଡ ଯାଇଛି ଭାରତର ଆଉ ଏକ ଟିମ୍ । ଆସନ୍ତା ୧ ତାରିଖରେ ଇଂଲଣ୍ଡ ବିରୋଧରେ ଖେଳାଯିବ ବାକିଥିବା ଟେଷ୍ଟ ମ୍ୟାଚ୍  ।

ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି, ଅନୁଷ୍ଠିତ ହେବ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି

ପୁରୀ: ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି । ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି । ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର ଓ ଖଳି ପ୍ରସାଦ ଲାଗି ହୋଇଥାଏ । ଅଣସର ଗୃହରେ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହୋଇଥାଏ । ଘଣ୍ଟ, ଛତ୍ର, କାହାଳି ସହ ଖଳି ପ୍ରସାଦକୁ ସୁଦ୍ଧ ସୁଆରଙ୍କ ଘରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥାଏ ।

ଶୁଦ୍ଧ ସୁଆରଙ୍କଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଥାନ୍ତି । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସଂପନ୍ନ ହୋଇଥାଏ । ଏହା ପୂର୍ବରୁ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ ଦିଆଯାଇଥାଏ । ଲାଗି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ନିଜ ଘରେ ଶୁଦ୍ଧ ସହକାରେ ପ୍ରସ୍ତୁତ କରିଥାନ୍ତି ।

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ରୋହିତ ଶର୍ମା କରୋନା ପଜିଟିଭ୍

ଲଣ୍ତନ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଇଣ୍ଡିଆ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ପୂର୍ବରୁ ରୋହିତ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛି ବିସିସିଆଇ । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରୋହିତଙ୍କୁ ଆଇସୋଲେସନରେ ରଖାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ବିସିସିଆଇର ମେଡିକାଲ ଟିମ୍ ।

ତେବେ ଗତବର୍ଷ ରୋହିତ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ୪ ଟେଷ୍ଟରେ ଦମଦାର୍ ବ୍ୟାଟିଂ କରିଥିଲେ । ସେ ୫୨.୨୭ ଆଭରେଜରେ ୩୬୮ ରନ୍ କରିଥିଲେ । ଏଥିରେ ଏକ ଶତକୀୟ ଇନିଂସ ମଧ୍ୟ ସାମିଲ ଥିଲା । ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ରହିଛି । ତେବେ ଶେଷ ମ୍ୟାଚ୍ ଗତବର୍ଷ କରୋନା ପାଇଁ ସ୍ଥଗିତ ଥିଲା । ଯାହା ଜୁନ୍ ୧ରେ ଖେଳାଯିବ ।

ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାଥମିକ ସମବାୟ ନିର୍ବାଚନ, ୬୪୩ ସମବାୟ ସମିତି ପାଇଁ ମତଦାନ ଜାରି

ଭୁବନେଶ୍ୱର: ଆଜି ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥମିକ ସମବାୟ ନିର୍ବାଚନ । ୬୪୩ ସମବାୟ ସମିତି ପାଇଁ ହେଉଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ଦ୍ୱିତୀୟ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନ ପାଇଁ ୩୦୧୨ ପ୍ରାଥମିକ ସମବାୟ ସମିତି ଧାର୍ଯ୍ୟ ହୋଇଥିଲା । ଏଥିରୁ ୨୩୬୯ ସମବାୟ ସିମିତି ସଦସ୍ୟମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୬୪୩ ସମବାୟ ସମିତି ପାଇଁ ମତଦାନ ହେଉଛି । ୩ ଲକ୍ଷ ୮୫ ହଜାର ୪୮ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି ।

ମତଦାନ ବୁଥରେ ମାଜିଷ୍ଟ୍ରେଟ ଓ ସଶସ୍ତ୍ର ପୋଲିସ ବାହିନୀ ନିୟୋଜିତ ହୋଇଛନ୍ତି । ୧୫୫ଟି ସମ୍ବେଦନଶୀଳ ବୁଥରେ ଭିଡିଓଗ୍ରାଫି ସହ ସିସିଟିଭି ଦ୍ୱାରା ମନିଟର କରାଯାଉଛି । ଅତି ସମ୍ବେଦନଶୀଳ ବୁଥ୍ ଦାୟିତ୍ୱରେ ରହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ । ୧୯ ଉପନିବନ୍ଧକ ଓ ୫୮ ସହକାରୀ ନିବନ୍ଧକଙ୍କ ସହିତ କର୍ମଚାରୀମାନେ ନିର୍ବାଚନ ପରିଚାଳନା କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ସମବାୟ ସମିତି ନିର୍ବାଚନରେ ସ୍ଥଗିତ ଥିବା ମତଦାନ ଆସନ୍ତା ୨୯ ତାରିଖରେ ହେବ ।