ଛଟ୍‌ ପୂର୍ବରୁ ଦୂଷିତ ଯମୁନା, ଆଇସ୍‌ଲ୍ୟାଣ୍ଡର ଭ୍ରମ ସୃଷ୍ଟି କଲା ଦିଲ୍ଲୀ

ନୂଆଦିଲ୍ଲୀ: ଛଟ୍‌ ପୂଜା ପୂର୍ବରୁ ଦୂଷିତ ହୋଇଛି ଯମୁନା ଜଳ । ନଦୀ ପାଣିରେ ବରଫ ଭଳି ଆସ୍ତରଣ ଭାସୁଥିବା ଦେଖାଯାଇଛି । ଅପରିଷ୍କାର ଯମୁନା ପାଣିରେ ଆଜି ବୁଡ ପକାଇଛନ୍ତି ଶ୍ରଦ୍ଧାଳୁ । ଛଟ୍ ପୂଜାରେ ନଦୀରେ ବୁଡ଼ ପକାଇଲେ ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ବାସ ରହିଛି । ଆଜି ସକାଳୁ ଦିଲ୍ଲୀର କାଳନ୍ଦୀ କୁଞ୍ଜ ଅଞ୍ଚଳରେ ଯମୁନା ନଦୀରେ ଏଭଳି ଧଳା ଧଳା ଫେଣ ଭାସୁଥିବା ବେଳେ ସେହି ପାଣିରେ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।

ଯମୁନା ପାଣିରେ ଆମୋନିଆର ମାତ୍ରା ବଢ଼ିଯିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣ ବଢ଼ିଥିବା ଯୋଗୁ ଯମୁନା ଜଳରେ ଆମୋନିଆର ମାତ୍ରା ବୃଦ୍ଧି ପାଇଛି । ବିହାରରେ ଛଟ ମହାପର୍ବ ପାଇଁ ବ୍ୟାପକ ପ୍ରସ୍ତୁତି । ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ଷଷ୍ଠୀ ପୂଜା, ୩୧ ଅକ୍ଟୋବରରେ ପୂଜା ସମାପନ ହେବ ।

ବିଶେଷକରି ପଶ୍ଚିମବଙ୍ଗ, ବିହାର ଝାଡଖଣ୍ଡରେ ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ସ୍ବତନ୍ତ୍ର ଟ୍ରେନ ମଧ୍ୟ ଚଳାଚଳ କରୁଛି । ଛଟ ପୂଜା ପାଇଁ ୧୨୪ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ପାଟନାରେ ଛଟ ପୂଜା ପାଇଁ ୨୧ ଫୁଟ ଲମ୍ବର ଏକ ସ୍ବତନ୍ତ୍ର ପେଣ୍ଟିଂ ମଧ୍ୟ ଲଗାଯାଇଛି ।