ଆହତ ଦନ୍ତାର ଚିକିତ୍ସା ଆରମ୍ଭ, ଆଘାତ କାରଣରୁ ଛୋଟେଇ ଚାଲୁଥିଲା

କେନ୍ଦୁଝର: ଆହତ ଦନ୍ତାର ଚିକିତ୍ସା ଆରମ୍ଭ । ଟ୍ରାଙ୍କୁଲାଇଜ୍ କରିବା ପରେ ଆହତ ହାତୀର ଚିକିତ୍ସା କରୁଛନ୍ତି ବିଶେଷଜ୍ଞ ଦଳ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟ୍ ଚମକପୁର ଜଙ୍ଗଲରେ ଏକ ଦନ୍ତାହାତୀ ଗତ କଛି ଦିନ ହେବ ଆହତ ହୋଇଥିଲା ।

ଏହି ଗୋଠଛଡ଼ା ଦନ୍ତାର ସାମ୍ନାପଟ ଡାହାଣ ଗୋଡ଼ରେ କ୍ଷତ ହୋଇଥିବା କାରଣରୁ ସେ ଠିକ ଭାବେ ଚାଲିପାରୁନଥିଲା । ଦନ୍ତାଟି ଛୋଟେଇ ଚାଲୁଥିବା ବନ ବିଭାଗ ଜାଣିବା ପରେ ତାର ଚିକିତ୍ସା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା । ମଙ୍ଗଳବାର ଦିନ ସ୍ଵତନ୍ତ୍ର ବିଶେଷଜ୍ଞ ଦଳ ଜଙ୍ଗଲରେ ପହଞ୍ଚିଥିଲେ ।

ଡବ୍ଲୁ ଟି ଆଇ, ଓୟୁଏଟି ଓ ନନ୍ଦନକାନନରୁ ଏହି ବିଶେଷଜ୍ଞ ଦଳରେ ଟ୍ରାଙ୍କୁଲାଇଜ୍ ଟିମ୍ ସହ ୬ ଜଣିଆ ବନ୍ୟପ୍ରାଣୀ ଚିକିତ୍ସକ ସାମିଲ ଥିଲେ । କେନ୍ଦୁଝର ଡିଏଫଓଙ୍କ ତତ୍ତ୍ଵାବଧାନରେ ୨ଜଣ ଏସିଏଫ୍ , ରେଞ୍ଜର,  ବନ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ  ।

ହାତୀକୁ ଅଚେତ୍ କରିବା ପରେ କ୍ଷତସ୍ଥାନକୁ ପରିଷ୍କାର କରି ସେଥିରେ ଔଷଧ ଲଗାଇବା ସହ ସାଲାଇନ୍ ଓ ଆଣ୍ଟିବାୟୋଟିକ୍ ଦିଆଯାଇଥିଲା । ଚିକିତ୍ସା ପରେ ଦନ୍ତାହାତୀଟି ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଯିବ ବୋଲି ଆଶା କରିଛନ୍ତି ଚିକିତ୍ସକ ଦଳ ।