spot_img
Home Blog Page 3944

ଓଡ଼ିଶା ଜଙ୍ଗଲ ବିକାଶ ସମିତିର ୨୦୨୨-୨୩ବାର୍ଷିକ କାର୍ଯ୍ୟଯୋଜନାକୁ ମୋହର

ଭୁବନେଶ୍ୱର: ବନାୟନ ମାଧ୍ୟମରେ ଜିବୀକା ନିର୍ବାହ ପନ୍ଥା ବୃଦ୍ଧି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଓଡ଼ିଶା ଜଙ୍ଗଲ ବିକାଶ ସମିତିର ଉଚ୍ଚସ୍ତରୀୟ କ୍ଷମତା ପ୍ରାପ୍ତ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଭାରପ୍ରାପ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ବନାୟନ ସମ୍ବନ୍ଧିତ ବିଷୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ଏବଂ ପ୍ରକଳ୍ପ ନିର୍ଦ୍ଦେଶ ଶ୍ରୀମତୀ ମୀତା ବିଶ୍ୱାଳ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଓଡ଼ିଶା ଜଙ୍ଗଲ ବିକାଶ ସମିତି ମାଧ୍ୟମରେ ବର୍ତ୍ତମାନ ରାଜ୍ୟରେ ମୁଖ୍ୟତଃ ତିନିଟି ବନାୟନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ସେଗୁଡ଼ିକ ହେଲା ରାଜ୍ୟ ସରକାରଙ୍କ ଆମ ଜଙ୍ଗଲ ଯୋଜନା, ଜାଇକା ଏବଂ ରାଜ୍ୟ ସରକାରଙ୍କ ମିଳିତ ପାଣ୍ଠିରେ ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ଏବଂ ଓମ୍ବାଡ୍ସି ପାଣ୍ଠିରେ ଜଙ୍ଗଲ ନିକଟବର୍ତ୍ତୀ ଅଂଚଳରେ ବାସ କରୁଥିବା ଲୋକମାନଙ୍କ ପାଇଁ ବ୍ୟାପକ ଜୀବିକା ନିର୍ବାହ ପନ୍ଥା ସୃଷ୍ଟି କାର୍ଯ୍ୟକ୍ରମ ।
ବୈଠକରେ ୨୦୨୨-୨୩ ବର୍ଷ ନିମନ୍ତେ ଉପରୋକ୍ତ ତିନିଟି ଯୋଜନାର ବାର୍ଷିକ କାର୍ଯ୍ୟ ଯୋଜନା ଅନୁମୋଦିତ ହୋଇଥିଲା । ଆମ ଜଙ୍ଗଲ ଯୋଜନା ପାଇଁ ପ୍ରାୟ ୫୮୨୪ ଲକ୍ଷ, ଏବଂ ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ପାଇଁ ୧୩୨୦୧ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ଅନୁମୋଦନ ଦେଇଥିଲେ । ଏହାଛଡା ଜୀବିକା ବୃଦ୍ଧି ନିମନ୍ତେ ଓମ୍ବାଡ଼୍ସିରୁ ବରାଦ ହୋଇଥିବା ୪୩୪୩ ଲକ୍ଷ ଟଙ୍କାର କାର୍ଯ୍ୟ ଯୋଜନା ମଧ୍ୟ ଅନୁମୋଦିତ ହୋଇଥିଲା । ଓଡ଼ିଶା ଜଙ୍ଗଲ ବିକାଶ ପ୍ରକଳ୍ପ ୧୦ ଜିଲ୍ଲା ଅନ୍ତର୍ଗତ ୧୨ ଟି ବନଖଣ୍ଡ ଏବଂ ୨ ଟି ବନ୍ୟଜନ୍ତୁ ଜଙ୍ଗଲ ଡ଼ିଭିଜନରେ କାର୍ଯ୍ୟକାରୀ ହେଉଛି । ବର୍ତ୍ତମାନ ସୁଦ୍ଧା ୧୨୧୧ ବନ ସୁରକ୍ଷା ସମିତି କ୍ଷେତ୍ରସ୍ତରରେ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବୃଦ୍ଧି ଆଦି କାର୍ଯ୍ୟରେ ସକ୍ରିୟଭାବେ ସାମିଲ ହୋଇଛନ୍ତି । ପ୍ରତି ବନ ସୁରକ୍ଷା ସମିତି ନିଜ ନିଜ ଅଂଚଳ ଜଙ୍ଗଲ ସୁରକ୍ଷା ଓ ଜୀବିକା ବୃଦ୍ଧି ନିମନ୍ତେ ୧୦ ବର୍ଷିଆ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ଦ୍ୱାରା ପ୍ରାୟ ୫୬୦୩୧ ହେକ୍ଟର ଜଙ୍ଗଲ ଜମିର ବିକାଶ କରାଯାଇଛି, ୨୨୫୦ ହେକ୍ଟର ଜଙ୍ଗଲରେ ମୁର୍ତ୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ ନିମନ୍ତେ ଆଡ଼ିବନ୍ଧ, ଜଙ୍ଗଲ ପୋଖରୀ ଆଦି ନିର୍ମାଣ କରାଯାଇଛି । ୧୭୧୦ କି.ମି ବ୍ୟାପୀ ବନାଗ୍ନି ନିୟନ୍ତ୍ରଣ ଲାଇନ୍ ଏବଂ ୧୯୦୦ କି.ମି.ର ଜଙ୍ଗଲ ପାଚେରୀ ନିର୍ମାଣ କାର୍ଯ୍ୟ କରାଯାଇଛି । ଏହାଛଡା ଏହି ସମିତି ମାନଙ୍କ ମାଧ୍ୟମରେ ୬ ଟି ହାଇଟେକ୍ ନର୍ସରୀ ପ୍ରତିଷ୍ଠା ଓ ପରିଚାଳନା କରାଯାଉଛି । ଏସବୁରେ ପ୍ରାୟ ୪.୪୦ ଲକ୍ଷ ଉଚ୍ଚମାନର ଚାରା ଉତ୍ପାଦନ ବ୍ୟବସ୍ଥା କରାଯାଇଛି । ୭୭୭ ବନ ସୁରକ୍ଷା ସମିତିର ସଦସ୍ୟମାନେ ନିଜ ନିଜ ଯାଗାରେ ପ୍ରାୟ ୪୧୧୮ ହେକ୍ଟର ଜଙ୍ଗଲ ଫାର୍ମ କରି ରୋଜଗାର ବଢ଼ାଇବାରେ ସମର୍ଥ ହୋଇଛନ୍ତି ।
ସେହିପରି ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ୨୨ ଟି ଜଙ୍ଗଲ ଡ଼ିଭିଜନ୍ରେ ୪୬୦୧ ଟି ସୁରକ୍ଷା ସମିତି ଏବଂ ୧୪୨୬୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ, ଛତୁଚାଷ, ଜୈବ-ସାର ପ୍ରସ୍ତୁତି, ଉଦ୍ୟାନଚାଷ, ପନିପରିବା ଚାଷ ଆଦି ବିଷୟରେ ତାଲିମ ଦିଆଯାଇଛି ଏବଂ ସେମାନେ ଏହିସବୁ କାମରୁ ନିଜ ପରିବାର ଆୟ ବଢ଼ାଇବାରେ ସମର୍ଥ ହୋଇଛନ୍ତି । ଆମ ଜଙ୍ଗଲ ଯୋଜନାରେ ଚଳିତ ବର୍ଷ ଜୁଲାଇମାସ ଶେଷସୁଦ୍ଧା ପ୍ରାୟ ୫୪୫୬୭ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି । ଓମ୍ବାଡ଼୍ସି ପାଣ୍ଠିରୁ ୨୫ ଟି ଫରେଷ୍ଟ ରେଞ୍ଜ୍ରେ ୩୨୩୭ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୯୦୦ ଟି ବନ ସୁରକ୍ଷା ସମିତି ଗଠନ କରାଯାଇ ସଦସ୍ୟମାନଙ୍କୁ ରୋଜଗାରଭିତ୍ତିକ ତାଲିମ ଦିଆଯାଉଛି । ପ୍ରତି ବନସୁରକ୍ଷା ସମିତିର ଉତ୍ପାଦ ପ୍ରକାର ଓ ପରିମାଣ ଆକଳନ କରାଯାଇଛି । ସମିତିୱାରୀ ସ୍ଥାୟୀ ପୋଷଣୀୟ ଜୀବିକା ନିର୍ବାହ କାର୍ଯ୍ୟ ଯୋଜନା ପ୍ରସ୍ତୁତି ତୁରନ୍ତ ସାରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ମନରେଗା ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ଓଡ଼ିଶା ସରକାର ମନରେଗାରେ ନିଯୁକ୍ତ ଶ୍ରମିକମାନଙ୍କୁ ଠିକ ସମୟରେ ଶତ ପ୍ରତିଶତ ମଜୁରୀ ପ୍ରଦାନ କରୁଛନ୍ତି । ଲୋକଙ୍କ ହାତକୁ ଅଧିକ କାମ ସହ ନିୟଭିତ ଭାବେ ମଜୁରୀ ପ୍ରଦାନ କରିବାକୁ ରାଜ୍ୟ ସରକାର ଏକ ’ରିଭଲଭିଙ୍ଗ ଫଣ୍ଡ’ ଗଠନ କରିଛନ୍ତି  । ଏହି ଫଣ୍ଡ ସହ କେନ୍ଦ୍ର ସରକାର ମନରେଗା ସଫ୍ଟେଓ୍ବରକୁ ସଂଯୁକ୍ତ କଲେ ଧାର୍ଯ୍ୟ ସମୟରେ ମନରେଗା ବାବଦ କେନ୍ଦ୍ରୀୟ ଅଂଶ ମିଳିବାରେ ଅସୁବିଧା ହୁଅନ୍ତା ନାହିଁ । ଏହାଦ୍ବାରା ରିଭଲଭିଙ୍ଗ ଫଣ୍ଡକୁ ପାଣ୍ଠିର ଅଭାବ ରହନ୍ତା ନାହିଁ । ଏ ଦିଗରେ ରାଜ୍ୟର ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ନବୀନ ଚିଠିରେ ଦର୍ଶାଇଛନ୍ତି, କରୋନା ମହାମାରୀ ସମୟରେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଅଧିକ କାମଧନ୍ଦା ଯୋଗାଇବାକୁ କେନ୍ଦ୍ର ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଥିଲା । ରାଜ୍ୟଗୁଡ଼ିକ ଲୋକମାନଙ୍କୁ ଢେର ଅଧିକ କାମ ଯୋଗାଇବାରେ ସମର୍ଥ ହେଲେ । ମନରେଗା ଜବକାର୍ଡଧାରୀଙ୍କୁ ଠିକ୍ ସମୟରେ ମଜୁରୀ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ରିଭଲଭିଙ୍ଗ ଫଣ୍ଡ ଗଠନ କରି ୧ ହଜାର କୋଟିର ପାଣ୍ଠି ବରାଦ କରିଛନ୍ତି । ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଏଇଆ ଯେ, ଏ ପାଣ୍ଠିରୁ ଶ୍ରମିକଙ୍କ ମଜୁରୀ ବାବଦ ଟଙ୍କା ପୈଠ କରାଯିବ । କେନ୍ଦ୍ର ସରକାର ନିଜସ୍ବ ଭାଗ ପାଣ୍ଠ ଦେଲେ ଏହା ଭରଣା ହେବ । ମାତ୍ର କେନ୍ଦ୍ର ସରକାର ଏ ବାବଦରେ ପାଣ୍ଠି ବିଳମ୍ବରେ ଦେଉଛନ୍ତି । ତେଣୁ ଏ ଦିଗରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

ବିଜୁ ଛାତ୍ର ଜନତା ଦଳର ନବକଳେବର, ୫ ଜଣ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ବର: ଯୁବ ପରେ ବିଜୁ ଛାତ୍ର ଜନତା ଦଳର ହେଲା ପୁନର୍ଗଠନ। ୫ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି। ଇପ୍ସିତା ସାହୁ ହୋଇଛନ୍ତି ଛାତ୍ର ବିଜେଡି ମହାସଚିବ। ସେହିପରି ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ବିଶ୍ୱପ୍ରତାପ ସାହୁ ଓ ମିକୁ ପ୍ରଧାନ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି।

୮ ଜଣଙ୍କୁ ବରିଷ୍ଠ ଉପସଭାପତି ଓ ୭ ଜଣଙ୍କୁ ଜୋନାଲ ସଭାପତି ଦାୟିତ୍ୱ ଦିଆଯାଇଛି। ୧୦ ଜଣ ଉପସଭାପତିଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ୫୧ ସାଧାରଣ ସମ୍ପାଦକ ଓ ୬୧ ଜଣ ସମ୍ପାଦକଙ୍କୁ ନିଯୁକ୍ତ କରାଯାଇଛି। ୨୬ ଯୁଗ୍ମ ସମ୍ପାଦକଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ସେହିପରି ୩୫ ସାଂଗଠନିକ ଜିଲ୍ଲା ପାଇଁ ନିଯୁକ୍ତି ପାଇଛନ୍ତି ନୂଆ ସଭାପତି । ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦ୍ବାରା ବିଧିବଦ୍ଧ ନିଯୁକ୍ତି ତାଲିକା ପ୍ରକାଶ ପାଇଛି ।

୩ଦିନିଆ କୋରାପୁଟ ଗସ୍ତରେ ବିଏସଏଫ ଆଇଜି ସତୀଶ ଚନ୍ଦ୍ର

କୋରାପୁଟ: କୋରାପୁଟ ଗସ୍ତରେ ବିଏସଏଫ,ସ୍ପେଶାଲ ଅପରେସନ୍ ଓଡିଶା ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଆସିଛନ୍ତି । ୨୦ ଅଗଷ୍ଟରୁ ଆସିଥିଲେ । ସେ ସୋମବାର କୋରାପୁଟରେ ଏସଓଜି କ୍ୟାମ୍ପସ ପରିଦର୍ଶନ କରିଥିଲେ ଏବଂ ଆଣ୍ଟି ନକ୍ସଲ ଅପରେସନ ନିକଟରେ ଅନୁଷ୍ଠିତ ବିଏସ୍ଏଫ୍ ଯବାନ ମାନଙ୍କ ତାଲିମ ପାଇଁ ପ୍ରସ୍ତୁତିର ପର୍ଯ୍ୟାଵେକ୍ଷଣ ରହିଥିଲେ ।

ଏହାପୂର୍ବରୁ ରବିବାର ଦିନ ଶ୍ରୀ ବୁଡାକୋଟି, ଆଇଜି ମଦନ ଲାଲ, ଡିଆଜି ବିଏସ୍ଏଫ୍ ସେକ୍ଟର କୋରାପୁଟଙ୍କ ସହ ବିଏସ୍ଏଫ୍ର ଅନ୍ୟ ବରିଷ୍ଠ ଅଧିକାରୀମାନେ କୋରାପୁଟ, କୁମ୍ବାରିପୁଟ, କୁମ୍ବାରୀ, ବନ୍ଧୁଗାଁ ନାରାୟଣପାଟନା, ପୋଡାପଦର, ପାଲ୍ଲୁର ଏବଂ ଲକ୍ଷ୍ମୀପୁରରେ ବିଏସ୍ଏଫ୍ କ୍ୟାମ୍ପ ପରିଦର୍ଶନ କରିଥିଲେ । ବିଏସ୍ଏଫ୍ ଓଡିଶା-ଆନ୍ଧ୍ର ସୀମାରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିଛି । ଆଇଜି ଯବାନ ମାନଙ୍କ ସହ ଯୋଗାଯୋଗ କରିଥିଲେ ଏବଂ କଠିନ ଏବଂ ଆତିଥ୍ୟପୂର୍ଣ୍ଣ ସ୍ଥାନ ଆଧିପତ୍ୟକୁ ପ୍ରଶଂସା କରିଥିଲେ |

ମୈାସୁମୀରେ ପ୍ରବଳ ବର୍ଷା ସମୟରେ ଅପରେସନ୍ ପ୍ରସ୍ତୁତି ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଆଇଜି କହିଛନ୍ତି, “ବିଏସ୍ଏଫ୍ ରାଜ୍ୟ ପ୍ରଶାସନ ସହିତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଯାହାଦ୍ୱାରା ଏହି ଅଞ୍ଚଳରେ ଚାଲିଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରାଗଲା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହିତ ଆନ୍ତରିକତା ବଜାୟ ରଖିବାକୁ କହିଥିଲେ।

ସୁବର୍ଣ୍ଣରେଖା ସିଷ୍ଟମରେ ହୋଇନାହିଁ କୌଣସି ଘାଇ: ଜଳସମ୍ପଦ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବନ୍ୟା ସ୍ଥିତିକୁ ନେଇ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜିରୋ କାଜୁଆଲିଟିକୁ ଗୁରୁତ୍ବ ଦିଆଯାଉଛି । ୮ଘଣ୍ଟା ଧରି ସୁବର୍ଣ୍ଣରେଖାର ଜଳସ୍ତର ସ୍ଥିର ଅଛି । ଜଳସ୍ତର ବଢ଼ିଲେ ବନ୍ୟା ସ୍ଥିତି ଉପୁଜିଲେ ଜଳସମ୍ପଦ ବିଭାଗ ପ୍ରସ୍ତୁତ ଥିବା ମନ୍ତ୍ରୀ କହିଛନ୍ତି । ବସ୍ତା, ବାଲିଆପାଳ ସମେତ ତଳି ଅଂଚଳରେ ପାଣି ପଶିଛି। ସୁବର୍ଣ୍ଣରେଖାରେ ସିଷ୍ଟମରେ କୌଣସି ଘାଇ ହୋଇନାହିଁ। କୌଣସି ସ୍ଥାନରେ ଘାଇ ହେଲେ ବାଲି ବସ୍ତା ପ୍ରସ୍ତୁତ ରହିଛି ।

ଅନ୍ୟ ନଦୀ ଗୁଡିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି । ପରିସ୍ଥିତି ଉପରେ ନଜର ରଖାଯାଇଛି । ଜଳ ସମ୍ପଦ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା । ଯେହେତୁ ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ ରହିଛି । ସମସ୍ତେ ସଜାଗ ରହିଛନ୍ତି । ନାଇଟ ପେଟ୍ରୋଲିଂ ମଧ୍ୟ କରାଯାଉଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଟୁକୁନି ସାହୁ ।

ପୋଖରୀରେ ବୁଡ଼ି ୨ ନାବାଳିକା ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୂଡ୍ରା ପଞ୍ଚାୟତର ଜାର୍ଗୀ ଗାଁରେ ଅଭାବନୀୟ ଘଟଣା । ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ନାବାଳିକା ହେଲେ ଝରଣା ମଲ୍ଲିକ ଓ ଆଲଫା ହାତୀ । ଜଣଙ୍କର ବୟସ ୫ ବର୍ଷର ହୋଇଥିବା ବେଳେ, ଅନ୍ୟ ଜଣଙ୍କ ବୟସ ୭ ବର୍ଷ ବୋଲି ଜଣାପଡ଼ିଛି । ତେବେ କେଉଁ ପରିସ୍ଥିତିରେ ସେମାନେ ପୋଖରୀକୁ ଗଲେ ଏବଂ ପରିବାର ଲୋକେ ସେ ସମୟରେ କେଉଁଠି ଥିଲେ । ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୁଇଜଣ ଖେଳୁଥିବା ସମୟରେ ପୋଖରୀରେ ପଡି ମୃତ୍ୟୁବରଣ କରିଛନ୍ତି ।

ପେଟ୍ରୋଲ୍ ଢାଳି ସ୍ବାମୀ-ସ୍ତ୍ରୀକୁ ନିଆଁ ଲଗାଇଦେଲେ ଦୁର୍ବୁର୍ତ୍ତ

କେନ୍ଦୁଝର: ସ୍ବାମୀ-ସ୍ତ୍ରୀଙ୍କ ଉପରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଧଗୋଠ ଗାଁରେ ଏଭଳି ଘଟଣା ଘଟିଛି । ଦମ୍ପତି ଘରେ ଶୋଇଥିବା ବେଳେ ବାହାର ପଟୁ ତାଲା ପକାଇ ଘରେ ନିଆଁ ଲଗାଇଥିଲେ ଦୁର୍ବୃତ୍ତ । ନିଆଁରେ ପୋଡ଼ି ହୋଇ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇପଡ଼ିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁରୁତର ଦମ୍ପତି ହେଲେ ଧଗୋଠ ଗାଁର ଉଗ୍ରସେନ ପଲେଇ ଓ ତାଙ୍କ ସ୍ତ୍ରୀ ଜୟନ୍ତୀ । ଗତକାଲି ରାତିରେ ଏହି ଘଟଣା ଘଟିଛି । ଚିତ୍କାର ଶୁଣି ପଡ଼ୋଶୀ ଆସିବା ବେଳକୁ ଗୁରୁତର ହୋଇଯାଇଥିଲେ ସ୍ବାମୀ -ସ୍ତ୍ରୀ । ଉଭୟଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ୟୁପିଆଇ କାରବାରରେ ଲାଗିବନି ଶୁଳ୍କ: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଡିଜିଟାଲ କାରବାର କ୍ଷେତ୍ରରେ ୟୁପିଆଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ୨୦୧୬ ନଭେମ୍ବରରେ ବିମୁଦ୍ରୀକରଣ ପରେ ଲୋକମାନେ ଏହା ଜରିଆରେ ଅର୍ଥ ଦେଣ ନେଣ କରୁଛନ୍ତି । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଏହି ମାଧ୍ୟମରେ ଗ୍ରାହକଙ୍କ ଠାରୁ ଅର୍ଥ ଗ୍ରହଣ କରୁଛନ୍ତି । ଅଧିକାଂଶ ଆର୍ଥିକ କାରବାର ଏବେ ନଗଦ ଅର୍ଥ କିମ୍ବା କାର୍ଡ ପରିବର୍ତ୍ତେ ୟୁପିଆଇ ମାଧ୍ୟମରେ ହେଉଛି । ଏହା ସୁବିଧାଜନକ ଓ ଆର୍ଥିକ କାରବାର ଶୀଘ୍ର ହେଉଥିବାରୁ ଏହାର ବ୍ୟବହାର ବଢ଼ିବାରେ ଲାଗିଛି ।

ତେଣୁ ଏସବୁ ଦୃଷ୍ଟିରେ ରଖି ୟୁପିଆଇ କାରବାର ଉପରେ ଚାର୍ଜ ଲଗାଇବା ଯୋଜନା ନାହିଁ । ରିଜର୍ଭ ବ୍ୟାଙ୍କର ପ୍ରସ୍ତାବ ପରେ ଚାର୍ଜ ଲାଗିବା ନେଇ ଦେଖାଦେଇଥିବା ଆଶଙ୍କାକୁ ଅର୍ଥ ମନ୍ତ୍ରାଳୟ ଦୂର କରିଛି । ସେବା ପ୍ରଦାନକାରୀ ଏ ବାବଦରେ ଯେଉଁ ଆର୍ଥିକ ବୋଝ ସହୁଛନ୍ତି ତାହାକୁ ଅନ୍ୟ ମାଧ୍ୟମରେ ପୂରଣ କରାଯିବ । ୟୁପିଆଇ ଏକ ଡିଜିଟାଲ ପବ୍ଲିକ ଗୁଡ୍। ଲୋକ ଏବଂ ଅର୍ଥନୀତି ପାଇଁ ଏହାର ଅନେକ ଉପକାର ରହିଛି ବୋଲି ଅର୍ଥ ମନ୍ତ୍ରାଳୟ ଟ୍ବିଟ୍ କରି କହିଛି ।

ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପେମେଣ୍ଟ ସେବା ପାଇଁ କିଭଳି ନୀତି କାର୍ଯ୍ୟକାରୀ ହେବା ଆବଶ୍ୟକ ସେ ନେଇ ଏକ ପରାମର୍ଶ ପେପର ଜାରି ହୋଇଛି । ଏହା ଉପରେ ବିଭିନ୍ନ ପକ୍ଷର ମତାମତ ଲୋଡ଼ାଯାଇଛି । ଭାରତରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକାର ପେମେଣ୍ଟ ବ୍ୟବସ୍ଥା ଉପରେ ଚାର୍ଜ ଲାଗୁ କରି ଏସବୁର ଢାଞ୍ଚାକୁ ମଜଭୁତ କରିବା ପାଇଁ ରିଜର୍ଭ ବ୍ୟାଙ୍କର ଯୋଜନା ରହିଛି । ଏହି ପ୍ରସ୍ତାବ ଉପରେ ଯେଉଁ ମତାମତ ଆସିବ ତାହା ଆଧାରରେ ରିଜର୍ଭ ବ୍ୟାଙ୍କ ନୀତି ପ୍ରସ୍ତୁତ କରିବା ଲାଗି ଉଦ୍ୟମ କରିବ । ଏବଂ ବିଭିନ୍ନ ପ୍ରକାର ପେମେଣ୍ଟ ସର୍ଭିସକୁ ଅଧିକ ମଜଭୁତ କରିବ ।

ତାଇୱାନ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ଚୀନ୍

ନନ୍ଦିଘୋଷ ବ୍ୟୁରୋ: ତାଇଓ୍ବାନ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ । ତାଇଓ୍ବାନ ଚାରିପାଖେ ଚୀନର ସାମରିକ କାର୍ଯ୍ୟକ୍ରମ, ବାରମ୍ବାର ଯୁଦ୍ଧ ବିମାନ ଉଡାଇବା, ଯୁଦ୍ଧ ଜାହାଜ ମୁତୟନ ପ୍ରକ୍ରିୟା ଜାରି ରହିଥିବାବେଳେ ସମ୍ଭାବ୍ୟ ବିପଦ ଆଶଙ୍କା କରି ନିଜର ଆଭ୍ୟନ୍ତରୀଣ ନିରାପତ୍ତାକୁ ସଜାଗ କରାଇଛି ତାଇଓ୍ବାନ । ସ୍ବତନ୍ତ୍ର ଅସ୍ତ୍ରଶସ୍ତ୍ର ବାହିନୀ ଓ କୌଶଳ ନିର୍ଦ୍ଧାରଣ ବିଭାଗର କମାଣ୍ଡୋମାନଙ୍କୁ ଆଲର୍ଟରେ ରଖାଯାଇଛି । ଏନେଇ ସ୍ବତନ୍ତ୍ର ଡ୍ରିଲ ମଧ୍ୟ କରାଯାଉଛି ।

ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ଗତକାଲି ଚୀନର ୧୨ଟି ଯୁଦ୍ଧ ବିମାନ ତାଇଓ୍ବାନ ଆକାଶରେ ପଇଁତରା ମାରିଥିଲେ । ପ୍ରାୟ ଦୁଇ ସପ୍ତାହ ଧରି ତାଇଓ୍ବାନ ଷ୍ଟ୍ରେଟର ନିଜର ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଥିବା ଚୀନର ୫ଟି ବିମାନ ଏପରିକି ତାଇଓ୍ବାନ ଭିତରକୁ ଚାଲିଯାଇଥିଲେ ବୋଲି ସୂଚନା ମିଳିଛି । ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଗସ୍ତ ପରଠାରୁ ଉଗ୍ର ହୋଇଆସିଥିବା ଡ୍ରାଗନ ବାରମ୍ବାର ତାଇଓ୍ବାନକୁ ନାଲି ଆଖି ଦେଖାଇବା ସହ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିବା ସମ୍ଭାବନା ସୃଷ୍ଟି କରିଛି ।

ରାଜଧାନୀ ଉପକଣ୍ଠ ପଞ୍ଚୁପଲ୍ଲୀଠାରେ ବୋମାମାଡ଼, ୨ଜଣ ଆହତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବୋମାମାଡ଼ । ଏୟାରଫିଲଡ଼ ଥାନା ପଞ୍ଚୁପଲ୍ଲୀ ଠାରେ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଘଟଣା । ବୋମାମାଡ଼ରେ ୨ଜଣ ଆହତ ହୋଇଥିବା ବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବୋମାମାଡ଼ କରିଥିବା ଯୁବକର ଅକ୍ଷୟ ବୋଲି ସୂଚନା ମିଳିଛି । ଜନ୍ମାଷ୍ଟମୀ ରାତିରେ ହୋଇଥିବା ଗଣ୍ଡଗୋଳକୁ ନେଇ ହୋଇଛି ବୋମାମାଡ଼ । ଘଟଣାସ୍ଥଳରେ କମିଶନରେଟ ପୋଲିସର ଛାନଭିନ ଜାରି ହୋଇଛି । ଅଭିଯୁକ୍ତ ଅକ୍ଷୟ ଜଣେ ପେଶାଦାର ଅପରାଧୀ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି ।