ହଷ୍ଟେଲରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ରଙ୍କ ନିର୍ମମ ନିର୍ଯାତନା, ଭାଇରାଲ ହେଲା ଭିଡିଓ

କନ୍ଧମାଳ: ଦାରିଙ୍ଗବାଡି ଗ୍ରିନ୍ ବାଡିରେ ଥିବା ଉଚ୍ଚ ବିଦ୍ୟାଳୟରୁ ଆସିଲା ଅଭାବନୀୟ ଘଟଣା । ହଷ୍ଟେଲରେ ୪ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀର ୪ ଜଣ ଛାତ୍ର ନିର୍ମମ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅମାନୁଷିକ ଭାବେ ମାଡ଼ ମାରିବା ସହ ଭିଡିଓ ରେକର୍ଡିଂ କରିଛନ୍ତି ଦଶମ ଶ୍ରେଣୀର ୪ ଛାତ୍ର । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ତେବେ ଘଟଣା ପରେ ମାଡ଼ ମାରିଥିବା ଦଶମ ଶ୍ରେଣୀର ୪ ଛାତ୍ରଙ୍କୁ ସ୍କୁଲରୁ ବିଦା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଆଜି ଉଭୟ ପକ୍ଷ ଅଭିଭାବକଙ୍କୁ ନେଇ କାଉନସେଲିଂ କରାଯିବ । ସେହିପରି ମାଡ଼ ଖାଇଥିବା ସପ୍ତମ ଶ୍ରେଣୀର ୪ ଜଣ ଛାତ୍ରଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି । ମାଡ ମରାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ଏକ ଦାୟିତ୍ବବାନ୍ ଗଣମାଧ୍ୟମ ହିସାବରେ ଆମେ ଏହି ଭିଡିଓକୁ ଦେଖାଇ ପାରିବୁ ନାହିଁ । ଦୁଇ ଜଣ ମାଡ଼ ମାରୁଥିବା ବେଳେ ଅନ୍ୟ ୨ ଜଣ ସହଯୋଗ କରିବା ସହ ଭିଡିଓ ରେକର୍ଡିଂ କରିଥିଲେ । ଅନ୍ୟପଟେ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ କହିବା କଥା, ହଷ୍ଟେଲରେ ଦଶମ ଶ୍ରେଣୀର ଛାତ୍ର ମାନେ ବିସ୍କୁଟ ନେଉଥିବା ସପ୍ତମ ଶ୍ରେଣୀ ଛାତ୍ର ମାନେ ଦେଖିଥିଲେ । ହେଲେ ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଧମକ ଚମକ ଦେବା ସହ ମାଡ଼ ମାରିଥିଲେ ଦଶମ ଶ୍ରେଣୀର ଛାତ୍ର । ଭାଇରାଲ ହୋଇଥିବା ଭିଡିଓ କାର୍ତ୍ତିକ ପୂର୍ଣ୍ଣିମା ଅର୍ଥାତ ମଙ୍ଗଳବାରର ବୋଲି ଜଣାପଡିଛି ।