ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଶେଷ ଟି-ଟ୍ବେଣ୍ଟି, ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

1 min read

ନାପିୟର: ଆଜି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଶେଷ ଟି-୨୦ । ଏହି ତିନିଟିକିଆ ସିରିଜର ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିଲା । ତେବେ ଦ୍ୱିତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲେ । ଏହି ବିଜୟ ସହ ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ଏହି ସିରିଜକୁ ୨-୦ରେ ଜିତିବାକୁ ଚେଷ୍ଟା କରିବ ଭାରତ ।

ଅନ୍ୟପକ୍ଷରେ ଘରୋଇ ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ଆଜିର ମ୍ୟାଚକୁ ଜିତି ଏହି ସିରିଜକୁ ବରାବର କରିବାକୁ ଚେଷ୍ଟା କରିବ ଘରୋଇ ଦଳ । ତେବେ ନ୍ୟୁଜିଲାଣ୍ଡ ପାଇଁ ତା’ର ବ୍ୟାଟିଂ ଚିନ୍ତାର କାରଣ ପାଲଟିଛି । ସବୁଠାରୁ ବଡ଼ କଥା ହେଉଛି ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍ ଓ୍ୱିଲିୟମସନ ଖେଳିବେନି । ଯାହାଫଳରେ ଏହି ମ୍ୟାଚରେ ଅଧିନାୟକତ୍ୱ ସମ୍ଭାଳିବେ ଟିମ୍ ସାଉଦି । ଶେଷ ମ୍ୟାଚରେ କେନ୍ ଓ୍ୱିଲିୟମସନଙ୍କ ଅନୁପସ୍ଥିତିରେ ଫିନ୍ ଆଲେନଙ୍କ ସହ ମାର୍ଟିନ ଗପ୍ଟିଲ ପାଳି ଆରମ୍ଭ କରିପାରନ୍ତି । ସେହିପରି ବୋଲିଂ କଥା ଯଦି କହିବା ତାହାଲେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳର ବୋଲିଂ ଲାଇନ ଅଫ୍ ବେଶ୍ ସନ୍ତୁଳିତ ରହିଛି । ତେଣୁ କିଛି ପରିବର୍ତ୍ତନ କରିବାର ସମ୍ଭାବନା ନାହିଁ ।