spot_img
Home Blog Page 3803

ଭାରତରେ ଫେଲ୍ ମାରୁଛି କ୍ଷୁଧା ଦୂରୀକରଣ ଯୋଜନା, ବିଶ୍ବ ତାଲିକାରେ ୧୦୭ତମ ସ୍ଥାନ

ନୂଆଦିଲ୍ଲୀ: ପଦାରେ ପଡ଼ିଲା ଭାରତର ବିକାଶ ସ୍ଲୋଗାନ । ଫେଲ୍ ମାରୁଛି କ୍ଷୁଧା ଦୂରୀକରଣ ଯୋଜନା । ବିଶ୍ବ କ୍ଷୁଧା ସୂଚୀ ତାଲିକାରେ ଭାରତର ଚିନ୍ତାଜନକ ସ୍ଥାନ । 121ଟି ଦେଶକୁ ନେଇ ପ୍ରସ୍ତୁତ ବିଶ୍ବ କ୍ଷୁଧା ସୂଚୀ ତାଲିକାରେ ଭାରତର ସ୍ଥାନ ରହିଛି 107 । କେବଳ ଏତିକି ନୁହେଁ, ସଙ୍କଟ ଜର୍ଜରିତ ଶ୍ରୀଲଙ୍କା ଠାରୁ ବି ଭାରତର ସ୍ଥିତି ଖରାପ ରହିଛି । ସମସ୍ତ ଦକ୍ଷିଣ ଏସୀୟ ରାଷ୍ଟ୍ରର ତାଲିକାରେ ଭାରତର ନଗଣ୍ୟ ପ୍ରଦର୍ଶନ ଚିନ୍ତାର କାରଣ ହୋଇଛି । ଜାତୀୟ ଓ ଆଞ୍ଚଳିକ ସ୍ତରରେ କ୍ଷୁଧା ହଟାଇବା ଲାଗି ଯୋଜନା କରାଯାଉଥିଲେ ମଧ୍ୟ, ତାହା ଯେ ବିଫଳ ଏହା ପ୍ରମାଣିତ ହୋଇଛି ।

ଉପଯୁକ୍ତ ଖାଦ୍ୟାଭାବ, ଶିଶୁ କ୍ଷୁଧା, ଦୁର୍ବଳ ସ୍ବାସ୍ଥ୍ୟ ଓ ଶିଶୁ ମୃତ୍ୟୁହାରକୁ ବିଚାରକୁ ନେଇ ଏହି ତଥ୍ୟ ପ୍ରଦାନ କରାଯାଇଛି । ତାଲିକାରେ ଶ୍ରୀଲଙ୍କାର ସ୍ଥାନ 64 ହୋଇଥିବା ବେଳେ ନେପାଳ 81, ବାଂଲାଦେଶ 84, ପାକିସ୍ତାନ 99, ଆଫଗାନିସ୍ତାନ 109ତମ ସ୍ଥାନ ହାସଲ କରିଛନ୍ତି । ଭାରତରେ କମ୍ ଓଜନ ବିଶିଷ୍ଟ ଶିଶୁ ହାର 19 ଦଶମିକ 3 ପ୍ରତିଶତ ରହିଛି । ଆଶ୍ଚର୍ଯ୍ୟର କଥା 2014ରେ ଏହି ହାର 15 ଦଶମିକ 1 ପ୍ରତିଶତ ଥିବାବେଳେ 2000ରେ ଏହି ହାର ଥିଲା 17 ଦଶମିକ 15 ପ୍ରତିଶତ ।

ବଡ଼କଥା ହେଉଛି ସେତେବେଳେ ଏହି ହାର ଥିଲା ବିଶ୍ବରେ ସର୍ବାଧିକ । ଗତ ଦୁଇ ଦଶନ୍ଧି ଭିତରେ ଯେ ଜନଜୀବନକୁ ତଳିତଳାନ୍ତ କରି ଦିଆଯାଇଛି ଏହା ସ୍ପଷ୍ଟ ହୋଇଛି । ଉପଯୁକ୍ତ ଖାଦ୍ୟାଭାବ ସମସ୍ୟା ବି ହୋଇଛି ଉତ୍କଟ । 2018-2020ରେ ଗୁଣବତ୍ତା ଭିତ୍ତିକ ଖାଦ୍ୟ ସମସ୍ୟାର ହାର 14.3 ପ୍ରତିଶତ ଥିବା ବେଳେ, 2019-2021ରେ ଏହି ହାର ହୋଇଛି 16.3 ପ୍ରତିଶତ । ଏହାର ଅର୍ଥ ଦେଶରେ 224 ଦଶମିକ 3 ନିୟୁତ ଲୋକ ଉପଯୁକ୍ତ ଖାଦ୍ୟରୁ ବଞ୍ଚିତ ହେଉଛନ୍ତି । ସାରା ବିଶ୍ବରେ 828 ନିୟୁତ ଲୋକ ଏହି ବର୍ଗରେ ରହିଛନ୍ତି । ତେବେ ଦୁର୍ବଳ ସ୍ବାସ୍ଥ୍ୟ ହାର 2014ରେ 38 ଦଶମିକ 7 ପ୍ରତିଶତ ଥିବା ବେଳେ, 2022ରେ ଏହି ହାର ହୋଇଛି 35 ଦଶମିକ 5 ପ୍ରତିଶତ ।

ସେହିପରି ଶିଶୁ ମୃତ୍ୟୁହାର 4 ଦଶମିକ 6 ପ୍ରତିଶତରୁ ହ୍ରାସ ପାଇଛି 3 ଦଶମିକ 3କୁ । ରିପୋର୍ଟରେ 2000, 2007 ଓ 2014 ମସିହାର ତଥ୍ୟକୁ 2022 ସହ ତୁଳନା କରାଯାଇଛି । ବିଶ୍ବରେ କ୍ଷୁଧା ସୂଚୀ 18 ଦଶମିକ 2 ବୋଲି ମୂଲ୍ୟାୟନ କରାଯାଇଛି । ବିଭିନ୍ନ ଦେଶରେ ଚାଲିଥିବା ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, କୋଭିଡ, ଅର୍ଥନୈତିକ ସଙ୍କଟ, ୟୁକ୍ରେନ ଯୁଦ୍ଧ ଆଦିକୁ ବିଚାରକୁ ନେଇ ବିଶ୍ବ କ୍ଷୁଦା ସୂଚୀର ଆକଳନ କରାଯାଇଛି । ଏହି ସବୁ ସମସ୍ୟା ଯୋଗୁ ବିଶ୍ବରେ ଖାଦ୍ୟ, ଇନ୍ଧନ ଓ ସାର ଦର ବୃଦ୍ଧି ପାଇଛି ଏବଂ 2023ରୁ ଏହି ସମସ୍ୟା ଅଧିକ ଉତ୍କଟ ହେବ ବୋଲି ସତର୍କ କରି ଦିଆଯାଇଛି । ବିଶ୍ବର 44ଟି ରାଷ୍ଟ୍ର ବର୍ତ୍ତମାନ କ୍ଷୁଧାର ଭୟଙ୍କର ଶିକାର ହୋଇଛନ୍ତି ।

ବସ୍ତ୍ର ପାଇଁ ଚମକିଲା ଓଡିଶା, ୫ କାରୁକାର୍ଯ୍ୟ ପାଇଁ ବିଶ୍ବରେ ପ୍ରଶଂସିତ

ଭୁବନେଶ୍ବର: ଓଡ଼ିଶାର ୫ ଉତ୍ପାଦକୁ ବିଶ୍ବ ସ୍ତରରେ ମିଳିଲା ମାନ୍ୟତା । ୟୁନେସ୍କୋର ୫୦ଏକ୍ସକ୍ଲୁସିଭ୍ ଓ ଆଇକନିକ୍ ହେରିଟେଜ୍ ଟେକ୍ସଟାଇଲ କ୍ରାଫ୍ଟ ତାଲିକାରେ ଓଡ଼ିଶାରେ ୫ କାରୁକାର୍ଯ୍ୟ ରହିଛି । ସମ୍ବଲପୁରର ବାନ୍ଧ ଟାଏ ଆଣ୍ଡ ଡାଏ, ବ୍ରହ୍ମପୁର ପାଟ, କନ୍ଧମାଳ ଡଙ୍ଗରିଆ କନ୍ଧଙ୍କ ହାତ ତିଆରି ବସ୍ତ୍ର, କେନ୍ଦୁଲିଙ୍କ ବୁଣା ପାଟ ଓ ଖୋର୍ଦ୍ଧା ଧଳାପଥରର ପର୍ଦ୍ଦାକୁ ମିଳିଛି ବିଶ୍ବ ମାନ୍ୟତା । ୟୁନେସ୍କୋର ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟ ଏହି ତାଲିକା ଜାରି କରିଛି ।

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି । ବ୍ରହ୍ମପୁର ପାଟର ଇତିହାସ ଓ କିମ୍ବଦନ୍ତୀ ରହିଛି । ଚତୁର୍ଦ୍ଦଶ ଶତାବ୍ଦୀରେ ଦେବ ରାଜବଂଶର ଶାସନ କାଳରେ ଆନ୍ଧ୍ର ରାଜମହେନ୍ଦ୍ରୀର କେତେକ ବୁଣାକାର ପରିବାରକୁ ବ୍ରହ୍ମପୁର ଅଣାଯାଇଥିଲା । ଏମାନେ ବ୍ରହ୍ମପୁରରେ ପାଟ ପ୍ରସ୍ତୁତ କରିଥିଲେ । ଏହି ଦୁର୍ଲ୍ଲଭ ବୟନ ଶିଳ୍ପ ଏବେ ବିଶ୍ବ ଦରବାରରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ଏହି ଶିଳ୍ପ ଉପରେ ଏବେ ଗଞ୍ଜାମ ଜିଲ୍ଲାର ହଜାର ହଜାର ବୁଣାକାର ଓ ସହଯୋଗୀ ନିର୍ଭରଶୀଳ । ଜିଲ୍ଲାର ୫୬୦ ପରିବାର ହ୍ୟାଣ୍ଡଲୁମ୍ ଓ ୩୯୮ ପରିବାର ପାରମ୍ପରିକ ସିଲ୍କ ଶାଢ଼ୀ ଓ କଟନ ଶାଢ଼ୀ ପ୍ରସ୍ତୁତ କରୁଛନ୍ତି ।

ବଦଳିପାରେ ସୁପ୍ରିମକୋର୍ଟଙ୍କ ରାୟ, କହିଲେ ପୁଞ୍ଜିନିବେଶ କରିସାରିଛନ୍ତି ବାଣ ବ୍ୟବସାୟୀ

ନୂଆଦିଲ୍ଲୀ: ଏଥର ଦୀପାବଳୀରେ ଫୁଟିପାରେ ବାଣ । ବାଣ ଉପରେ ନିଷେଧାଦେଶ ସମ୍ପର୍କିତ ଏକ ପିଟିସନର ଜରୁରୀ ଶୁଣାଣି ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ବାଣ ବ୍ୟବସାୟରେ ଲୋକେ ପୁଞ୍ଜିନିବେଶ କରିଛନ୍ତି । ଏହାକୁ ରୋକିବା ଠିକ୍ ନୁହେଁ । ମୁଖ୍ୟ ବିଚାରପତି ଜଷ୍ଟିସ ୟୁ.ୟୁ. ଲଳିତ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ଏହି ମାମଲାର ଶୁଣାଣି କରାଯାଇପାରିବ ନାହିଁ ।

ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବାଣ ଉପରେ ରୋକ୍ ଲଗାଇବା ଲାଗି ଆବେଦନ କରାଯାଇଛି । ବାଣ ବ୍ୟବସାୟରେ ଲୋକେ ନିଜ ନିଜର ଅର୍ଥ ଲଗାଇ ସାରିଥିବାରୁ ଏହାକୁ ରୋକିବା ଯଥାର୍ଥ ହେବ ନାହିଁ । ଏ ସମ୍ପର୍କିତ ଆବେଦନ ଅନ୍ତତଃ ଦୁଇ ମାସ ଆଗରୁ କରିବାର ଥିଲା । ଖଣ୍ଡପୀଠ କହିଛନ୍ତି, ଏ ସମ୍ପର୍କରେ ଦୀପାବଳି ପରେ କୌଣସି ନିଷ୍ପତ୍ତି କୋର୍ଟ ନେଇପାରନ୍ତି । ଦିଲ୍ଲୀ ଓ କେତେକ ରାଜ୍ୟରେ ବାଣ ଉପରେ ନିଷେଧାଦେଶ ଲାଗୁ ହୋଇଥିବା ନେଇ ନିଜ ପିଟିସନରେ ଆବେଦନକାରୀ ଦର୍ଶାଇଥିଲେ ।

ଜାନୁଆରୀ 1 ତାରିଖ ଯାଏ ବାଣ ଉପରେ ରୋକ ଲଗାଇବା ପାଇଁ ଗ୍ରୀନ କ୍ରାକର ବ୍ୟବସାୟୀଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ରଖିବା ପରେ ସେମାନେ ସୁପ୍ରିମକୋର୍ଟ ନିକଟକୁ ଯାଇଥିଲେ । ବାଣ ମହଜୁଦ, ବିକ୍ରି ଓ ବ୍ୟବହାର ଉପରେ ଦିଲ୍ଲୀ ସରକାରଙ୍କ ନିଷେଧାଦେଶ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଗତ 10 ତାରିଖରେ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ ।

ଗତବର୍ଷ ବାଣ ଉପରେ ନିଷେଧାଦେଶ ଲାଗୁ ସକାଶେ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିବା ସହ କେବଳ ବ୍ୟାରିୟମ ସଲ୍ଟ ଥିବା ବାଣ ଉପରେ ନିଷେଧାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ ।

ଚୀନରେ ଶୁଭୁଛି ବିରୋଧ ସ୍ବର, ବିଦା ହୋଇପାରନ୍ତି ଜିନ୍‌ପିଙ୍ଗ୍‌

ବେଜିଂ: ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କ ପାଇଁ ବଢୁଛି ଅଡୁଆ । ତୃତୀୟ ଥର ଶାସନ ଭାର ସମ୍ଭାଳିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଜିନ୍‌ପିଙ୍ଗ । କିନ୍ତୁ ଏହି ପ୍ରସ୍ତୁତି ପୂର୍ବରୁ ଚୀନ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଚୀନ ସେନାର ଶାସନ ଗାଦିରେ ଚୀନ ସେନାର ନଜର ଥିବା ନେଇ ଚାରିଆଡେ ଚର୍ଚ୍ଚା । ହୁଏତ ଏଥିପାଇଁ ଜିନ୍‌ପିଙ୍ଗ୍‌ଙ୍କୁ ରାଷ୍ଟ୍ରପତି ଆସନ ବି ହରାଇବାକୁ ପଡିପାରେ । ସେପଟେ ଜିନପିଙ୍ଗ୍‌ଙ୍କ ବିରୁଦ୍ଧରେ ବିରୋଧ ସ୍ବର ଧୀରେଧୀରେ ତୀବ୍ର ହେବା ଘଟଣା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବେଜିଂର ସିତଙ୍ଗ ପୋଲ ଉପରେ ଦୁଇଟି ବଡ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ବ୍ୟାନରରେ ‘‘କୋଭିଡ ଟେଷ୍ଟକୁ ନା କୁହ, ଖାଇବାକୁ ହଁ କୁହ, ଲକଡାଉନକୁ ନା, ସ୍ବାଧୀନତାକୁ ହଁ, ମିଛକୁ ନା, ସମ୍ମାନକୁ ହଁ, ସାଂସ୍କୃତିକ କ୍ରାନ୍ତିକୁ ନା, ରିଫର୍ମକୁ ହଁ, ମହାନ ନେତାକୁ ନା, ଭୋଟ ଅଧିକାରକୁ ହଁ, ଗୁଲାମ ନୁହେଁ, ନାଗରିକ ହୁଅ’’ଲେଖାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ ପୋଷ୍ଟରରେ ଲେଖାଯାଇଛି ‘‘୦ଆନ୍ଦୋଳନ କର, ତାନଶାହୀ ଜିନପିଙ୍ଗଙ୍କୁ ହଟାଅ’’ । କେବଳ ପୋଷ୍ଟରରେ ପ୍ରତିକ୍ରିୟା ନୁହେଁ ସୋସିଆଲ ମିଡିଆରେ ହ୍ୟାଶଟ୍ୟାଗ୍‌ ‘ଆଇ ଶ ଇଟ୍‌’ ଟ୍ରେଣ୍ଡ କରୁଛି । କିନ୍ତୁ ବିରୋଧ ପ୍ରଦର୍ଶନକୁ କିଏ ଉସୁକାଉଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

କିଛିଦିନ ପୂର୍ବରୁ ସମରକନ୍ଦରେ ଏସସିଓ ବୈଠକରୁ ଫେରିବା ପରେ ଜିନ୍‌ପିଙ୍ଗ୍‌ କୌଣସି ବି ସାର୍ବଜନିକ ମଞ୍ଚରେ ନଜର ଆସିନଥିଲେ । ଯାହାପରେ ସୋସିଆଲ ମିଡିଆରେ ଗୁଜବର ଧାରା ଆରମ୍ଭ ହୋଇଯାଇଥିଲା । ଚୀନ ସେନା ଶାସନ ଗାଦି ହାତେଇବାକୁ ସବୁ ଷଡଯନ୍ତ୍ର ଆରମ୍ଭ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କେବଳ ଏତିକି ନୁହେଁ ଅକ୍ଟୋବର ୧୬ରେ ଜିନପିଙ୍ଗ୍‌ ନିଜର ତୃତୀୟ କାର୍ଯ୍ୟକାଳ ବି ଆରମ୍ଭ କରିପାରିବେନି ବୋଲି ଚର୍ଚ୍ଚା ହୋଇଥିଲା । ଏଣୁ ଚୀନରୁ ଜିନପିଙ୍ଗ ବିଦା ହେବା ଏକପ୍ରକାର ନିଶ୍ଚିତ ହୋଇଥିଲା ।

ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲେ ତିନି ଦଳ, ମଇଦାନରେ ବିଜେଡିର ୮ ମନ୍ତ୍ରୀ

ଧାମନଗର: ବିଜେଡି ଜାରି କଲା ୪୦ ଜଣିଆ ତାରକା ପ୍ରଚାରକ ତାଲିକା । ମଇଦାନକୁ ଓହ୍ଲାଇବେ ବିଜେଡିର ଏକ ନମ୍ବର ତାରକା କ୍ୟାମ୍ପେନର ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ୮ ମନ୍ତ୍ରୀ ରହିଛନ୍ତି । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅଶୋକ ପଣ୍ଡା, ପ୍ରୀତିରଞ୍ଜନ ଘଡେଇ, ଅଶ୍ବିନୀ ପାତ୍ର ଓ ରାଜେନ୍ଦ୍ର ଢୋଲକିଆ ଧାମନଗର ମଇଦାନକୁ ଓହ୍ଲାଇବେ ।

ସେପଟେ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରକାଶ ପାଇଛି ତାରକା ପ୍ରଚାରକଙ୍କ ତାଲିକା । ତିନି ଦଳ ପକ୍ଷରୁ ୪୦ ଜଣ ଲେଖାଏ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ବିଜେପି ପାଇଁ ମଇଦାନକୁ ଓହ୍ଲାଇବେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ୫ କେନ୍ଦ୍ରମନ୍ତ୍ରୀ । ପୀୟୂଷ ଗୋ ଏଲ ଓ ପ୍ରହଲ୍ଲାଦ ଯୋଶୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ।

ସେପଟେ କଂଗ୍ରେସ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇବେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । କଂଗ୍ରେସର ୮ ଜଣ ବିଧାୟକ ଧରିବେ ପ୍ରଚାର ମଙ୍ଗ । ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ପାଣିଗ୍ରାହୀ, ରାଜନ ଏକ୍କା, ସୁର ରାଉତରାୟ ଓ ମହମ୍ମଦ ମୋକିମ୍ ପ୍ରଚାରକୁ ଓହ୍ଲାଇବେ । ଏହାସହ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ କହ୍ନେୟା କୁମାର ଓ ଜିଗ୍ନେଶ ମେୱାନୀ ରହିଛନ୍ତି ।

ଗତକାଲି ନାମାଙ୍କନର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ୍ । ଦଳ କିପରି ବଡ଼ ବ୍ୟବଧାନରେ ବିଜୟୀ ହେବ ସେନେଇ ପ୍ରସ୍ତୁତ ହୋଇଛି ରୋଡ୍ ମ୍ୟାପ । ୨୫ହଜାରରୁ ଅଧିକ ଭୋଟରେ ଜିତିବାକୁ ହୋଇଛି ବ୍ଲୁପ୍ରିଣ୍ଟ । ଘରକୁ ଘର ବୁଲି ଭୋଟ ମାଗିବେ ବିଜେଡି ନେତା ଆଉ କର୍ମୀ । ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନା ଓ ବିକାଶ ସମ୍ପର୍କରେ କହି ଭୋଟ ମାଗିବ ବିଜେଡି । ଏପଟେ ମଇଦାନରେ ପ୍ରଚାର ଚଳାଇଛନ୍ତି ବିଜେପି ଓ କଂଗ୍ରେସ । ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି ଆସନ୍ତା ୧୭ । ନଭେମ୍ବର ୩ରେ ନିର୍ବାଚନ ଓ ନଭେମ୍ବର ୬ରେ ଭୋଟ ଗଣତି । ଏପଟେ ସ୍ବଚ୍ଛ ଓ ଅବାଧ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ରାଜନୈତିକ ଦଳର ଭୂମିକା ଉପରେ ବୈଠକରେ ଆଲୋଚନା ହେବ ।

ନକଲି ଔଷଧ କାରବାରକୁ ନେଇ ବଡ ପଦକ୍ଷେପ, ଏଣିକି ରାଜ୍ୟ ବାହାରୁ ଆଣି ପାରିବେନି ଦୋକାନୀ

ଭୁବନେଶ୍ବର: ଏଣିକି ରାଜ୍ୟ ବାହାରୁ ନିଜ ଆଡୁ କୌଣସି ଔଷଧ ଦୋକାନୀ ଔଷଧ ଆଣିପାରିବେ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ । ସଂଘର ଏକ ଜରୁରୀ ବୈଠକରେ ଏଭଳି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ସଂଘର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ର ।

ଔଷଧର ନକଲି କାରବାରକୁ ରୋକିବା ପାଇଁ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ନିକଟରେ ଟେଲମା-40 ଓ ଟେଲମା -H ଔଷଧର ନକଲି କାରବାର ଘଟଣା ପଦାକୁ ଆସିବା ପରେ ତନାଘନା ହୋଇଥିଲା । ସଂଘର ନିଷ୍ପତ୍ତି କ୍ରମେ ବିଭିନ୍ନ ଔଷଧ କମ୍ପାନୀର ସି ଆଣ୍ଡ ଏଫ୍ ଏଜେଣ୍ଟ ଅଛନ୍ତି ।

ଦୋକାନୀ କେବଳ ଏଜେଣ୍ଟଙ୍କ ଠାରୁ ଔଷଧ କିଣିପାରିବେ ତେବେ ଅଧିକ କମିଶନ ଲୋଭରେ ନିଜ ଆଡୁ ରାଜ୍ୟ ବାହାରୁ କୌଣସି ଔଷଧ ଆଣିପାରିବେ ନାହିଁ । ଏନେଇ ସଂଘ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ରାଜ୍ୟରେ ଗୋଟିଏ ହେଲେ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ନଥିଲେ ହେଁ ନକଲି କାରବାରକୁ ରୋକିବାକୁ ସଂଘର ଏଭଳି ପଦକ୍ଷେପ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି  ।

ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ

ପୁରୀ: ଆଜି ସକାଳୁ 5T ସଚିବ ଭି. କେ ପାଣ୍ଡିଆନ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ ସହ ବେଢା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ଏଥିସହ ଶ୍ରୀମନ୍ଦିରର ଆଉ କଣ କଣ ଉନ୍ନତିମୂଳକ କାର୍ଯ୍ୟ ହୋଇପାରିବ, ସେନେଇ ଅନୁଧ୍ୟାନ କରିଥିଲେ 5T ସଚିବ ।

ତାଙ୍କ ସହ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପରେ ଉଭୟ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆଜି ମହିଳା ଏସିଆ କପ୍ ଫାଇନାଲ ମ୍ୟାଚ୍, ବାଂଲାଦେଶରେ ମୁହାଁମୁହିଁ ଭାରତ-ଶ୍ରୀଲଙ୍କା

ଢାକା: ଆଜି ମହିଳା ଏସିଆ କପ୍ ଫାଇନାଲ ମ୍ୟାଚ୍ । ବାଂଲାଦେଶ ସିଲେଟରେ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ସେମିଫାଇନାଲରେ ଥାଇଲାଣ୍ଡକୁ ହରାଇ ଫାଇନାଲକୁ ଯାଇଛି ଟିମ୍ ଇଣ୍ଡିଆ ।

ସେହିପରି ପାକିସ୍ତାନକୁ ୧ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି ଶ୍ରୀଲଙ୍କା । ଦମଦାର ଫର୍ମରେ ଥିବା ଉଭୟ ଭାରତ ଓ ଶ୍ରୀଲଙ୍କା ଆଜି ଫାଇନାଲ ମ୍ୟାଚରେ ଟାଇଟଲ ପାଇଁ କଡ଼ା ଫାଇଟ୍ କରିବେ ।

ଭାରତ ପକ୍ଷରୁ ଦମଦାର ଫର୍ମରେ ଶେଫାଳି ବର୍ମା, ସ୍ମୃତି ମନ୍ଦନା ଓ କ୍ୟାପଟେନ୍ ହରମିନ୍ ପ୍ରୀତକୌର । ସେହିପରି ବୋଲିଂର କମାଣ ସମ୍ଭାଳିବେ ରାଧା ଯାଦବ, ରେଣୁକା ସିଂ ଓ ଦିପ୍ତୀ ଶର୍ମା । ଅନ୍ୟପଟେ ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଚମାରି ଆଟ୍ଟାପଟ୍ଟୁ, ହସିଥା ମାଧବୀ, ନିଲାକ୍ଷୀ ଡିସିଲଭାଙ୍କ ଉପରେ ନିର୍ଭର କରୁଛି ବ୍ୟାଟିଂ ଲାଇନ୍ ।

କଥା ଦେଲେ ପୁଟିନ୍, ୟୁକ୍ରେନ ଉପରେ ଆଉ ବର୍ଷିବନି ମିସାଇଲ୍

କିଭ୍‌: ୟୁକ୍ରେନ୍ ଉପରେ ଆଉ ମିସାଇଲ୍ ଆକ୍ରମଣ କରିବ ନାହିଁ ଋଷ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି କଥା କହିଛନ୍ତି । କ୍ରିମିଆ ବ୍ରିଜ୍ ଉପରେ ହୋଇଥିବା ଆକ୍ରମଣର ଜବାବରେ ଋଷ ୟୁକ୍ରେନ୍ ଉପରେ ମିସାଇଲ୍ ମାଡ଼ କରିଥିଲା । ଏଥିରେ ୟୁକ୍ରେନର ରାଜଧାନୀ କିଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ମାଣ ଧ୍ବଂସ ହେବା ସହ ଏକାଧିକ ଜୀବନ ହାନି ଘଟିଥିଲା ।

ହେଲେ ଏବେ ତୀବ୍ର ଆକ୍ରମଣ ହେବ ନାହିଁ ବୋଲି ପୁଟିନ କହିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ୟୁକ୍ରେନ୍ ଉପରେ ଅଧିକ ଆକ୍ରମଣ କରିବାର ବର୍ତ୍ତମାନ କୌଣସି ଯୋଜନା ନାହିଁ ।  ୟୁକ୍ରେନ୍ ବିରୋଧରେ ଋଷର ଆକ୍ରମଣକୁ କଡ଼ା ନିନ୍ଦା କରିଥିଲା ବିଶ୍ୱ ସମୁଦାୟ ।

ଋଷ ଜାଣି ଜାଣି ଜନବସତି ଅଞ୍ଚଳରେ ରକେଟ ମାଡ଼ କରିଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା  । ଜାତିସଂଘ ମଧ୍ୟ ଏନେଇ ଚିନ୍ତା ବ୍ୟକ୍ତ କରିଥିଲା।

ବାତ୍ୟା ପାଇଁ ପାଗ ଅନୁକୂଳ, ୨୨ ମଧ୍ୟରେ ସ୍ପଷ୍ଟ ଚିତ୍ର

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୧୭ ରୁ ୧୮ ତାରିଖ ମଧ୍ୟରେ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।

ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୦ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ କିମ୍ବା ବାତ୍ୟାର ରୂପ ନେବ ବୋଲି ଟୁଇଟ୍ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍ ।

ସେ କହିଛନ୍ତି ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି  । ଅନ୍ୟ କିଛି ମଡେଲ ମଧ୍ୟ ସମାନ ଆକଳନ କରିଛନ୍ତି । ତେବେ ୧୮ରୁ ୨୨ତାରିଖ ମଧ୍ୟରେ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି।