ବେକାରୀ ହ୍ରାସ କରିବାରେ ଓଡ଼ିଶାର ରେକର୍ଡ

ଭୁବନେଶ୍ୱର: ବେକାରୀ ହ୍ରାସ କରିବାରେ ସାରା ଦେଶରେ ଏକ ନମ୍ବର ଓଡ଼ିଶା। ଓଡ଼ିଶାର ବେକାରୀ ହାର ଦେଶରେ ସବୁଠୁ କମ୍ । ଡିସେମ୍ବର ପାଇଁ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ସିଏମଆଇଇ ଜାରି କରିଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟର ବେକାରୀ ହାର ରହିଛି ୦ଦଶମିକ ୯ ପ୍ରତିଶତ। ବଡ଼ବଡ଼ ରାଜ୍ୟରେ ବେରୋଜଗାରୀ ହାର ସର୍ବାଧିକ ରହିଛି ।

ହରିୟାଣାରେ ବେକାରୀ ହାର ୩୭.୪ ପ୍ରତିଶତ ରହିଥିବାବେଳେ ରାଜସ୍ଥାନରେ ୨୮.୫, ଦିଲ୍ଲୀରେ ୨୦.୮, ଝାଡ଼ଖଣ୍ଡରେ ୧୮, ବିହାରରେ ୧୯.୧, ସିକିମରେ ୧୩.୬ପ୍ରତିଶତ ରହିଛି ବେକାରୀ ହାର । ସେପଟେ ଦେଶରେ ବେକାରୀହାର ବଢିବାରେ ଲାଗିଛି । ଡିସେମ୍ବର ମାସରେ ଭାରତର ବେକାରୀ ହାର ୮ ଦଶମିକ ୩୦ ପ୍ରତିଶତକୁ ବୃଦ୍ଧି ପାଇଛି । ଯାହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ ।

ତେବେ ଦେଶରେ ସହରାଞ୍ଚଳର ବେକାରୀ ହାର ଡିସେମ୍ବରରେ ୧୦ ଦଶମିକ ୯୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏହା ପୂର୍ବ ମାସରେ ଥିଲା ୮ ଦଶମିକ ୯୬ ପ୍ରତିଶତ । ଅନ୍ୟପଟେ ଗ୍ରାମାଞ୍ଚଳର ବେକାରୀ ହାର ରହିଛି ୭ ଦଶମିକ ୪୪ ପ୍ରତିଶତ। ଓଡ଼ିଶାରେ ଦ୍ରୁତ ଶିଳ୍ପାୟନ ସହିତ ସ୍ଥିର ସରକାର ରହିଛି। ନିଯୁକ୍ତିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। ଏଥିପାଇଁ ବେକାରୀ ହାର ହ୍ରାସ ପାଇଥିବା କୁହାଯାଇଛି।