ଆଫଗାନିସ୍ତାନ କାବୁଲରେ ଭୟଙ୍କର ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନ କାବୁଲରେ ଭୟଙ୍କର ବିସ୍ଫୋରଣ। କାବୁଲର ସେନା ବିମାନବନ୍ଦର ବାହାରେ ଘଟିଛି ବିସ୍ଫୋରଣ। ରବିବାର ସକାଳେ ଘଟିଥିବା ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିନ୍ତୁ କେତେ ସଂଖ୍ୟକ ଲୋକ ମୃତାହତ ହୋଇଛନ୍ତି ତାହାର ନିର୍ଦ୍ଦିଷ୍ଟ ସୂଚନା ମିଳିପାରିନାହିଁ। ଆଜି ସକାଳେ ମିଲିଟାରୀ ଏୟାରପୋର୍ଟ ବାହାରେ ଏହି ବିସ୍ଫୋରଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି । ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଛନ୍ତି ବୋଲି କହିଛନ୍ତି ମୁଖପାତ୍ର ଅବଦୁଲ ନାଫି ତକୋର। ଘଟଣା ସ୍ଥଳରେ ସୁରକ୍ଷା ବାହୀନ ପହଞ୍ଚି ସମସ୍ତ ଅଞ୍ଚଳକୁ ସିଲ୍ କରି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଜାରି ରହିଛି ।

ଗତ ଡିସେମ୍ବର ୧୨ ତାରିଖରେ କାବୁଲରେ ଚୀନ ବ୍ୟବସାୟୀ ରହୁଥିବା ଏକ ହୋଟେଲରେ ଅଜଣା ବନ୍ଧୁକଧାରୀ ହମଲା କରିଥିଲେ । ଏଥିରେ ୫ ଜଣ ନାଗରିକ ଆହତ ହୋଇଥିଲେ । ଗତ ୨୦୨୧ ଅଗଷ୍ଟରେ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ ଦେଶର ନିରାପତ୍ତା ନେଇ ପ୍ରଶ୍ନ ଉଠିଛି । ତାଲିବାନ ଶାସନକୁ ବିରୋଧ କରି ବିଭିନ୍ନ ଆତଙ୍କବାଦୀ ସଂଗଠନ ହମଲା ଜାରି ରଖିଛନ୍ତି । ତାଲିବାନ ଶାସନ ପରଠାରୁ ଦେଶରେ ଶତାଧିକ ଲୋକ ବିଭିନ୍ନ ହମଲାରେ ପ୍ରାଣ ହରାଇଲେଣି ।