spot_img
Home Blog Page 3799

ଏମ୍ସ ପରେ ହ୍ୟାକରଙ୍କ ଟାର୍ଗେଟରେ ଆଇସିଏମଆର୍

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସର ସର୍ଭର ହ୍ୟାକକୁ କିଛିଦିନ ବିତିଯାଇଛି, ହେଲେ ଏବେ ବି ସମ୍ପୂର୍ଣ୍ଣ ଭାବେ ତାହା ସଚଳ ହୋଇ ପାରିନାହିଁ । ଏହା ଉପରେ ଏବେ ବି କାର୍ଯ୍ୟ ଜାରି ରଖିଛନ୍ତି ସାଇବର ଏକ୍ସପର୍ଟ । ଏହାରି ମଧ୍ୟରେ ହ୍ୟାକର ଆଉ ଏକ ସରକାରୀ ସଂସ୍ଥାକୁ ଟାର୍ଗେଟ କରିଛନ୍ତି । ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ୱେବସାଇଟ୍ ଉପରେ ସାଇବର ଆଟାକ୍ ହୋଇଛି ।

ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନଆଇସି)ର ଏକ ସରକାରୀ ଅଧିକାରୀ କହିଛନ୍ତି, ୩୦ ନଭେମ୍ବରରେ ସାଇବର ହ୍ୟାକର୍ସ ୨୪ ଘଣ୍ଟା ଅବଧିରେ ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍)ର ୱେବସାଇଟ୍ ଉପରେ ୬ହଜାରରୁ ଅଧିକ ଥର ଆଟାକ୍ କରିବାକୁ ଉଦ୍ୟମ କରିଛନ୍ତି । ଆକ୍ରମଣକାରୀଙ୍କ ସମ୍ପର୍କରେ ପଚରାଯିବାରୁ ଅଧିକାରୀ କହିଛନ୍ତି, ଆଇସିଏମଆର୍ ୱେବସାଇଟ୍ ଉପରେ ଆକ୍ରମଣର ସିରିଜ୍ ହଙ୍ଗକଙ୍ଗ ସ୍ଥିତ ବ୍ଲାକ୍ ଲିଷ୍ଟେଡ ଆଇପି ଆଡ୍ରେସ ୧୦୧.୧୫୨.୨୨୦.୧୩୩ ସହ କରାଯାଇଥିଲା ।

ଅଧିକାରୀ କହିଛନ୍ତି, ସାଇବର୍ ଆଟାକ୍ ଷଡଯନ୍ତ୍ର କରୁଥିବା ହ୍ୟାକର୍ସ ହ୍ୟାକ କରିବାରେ ସଫଳ ହୋଇପାରି ନାହାନ୍ତି । ତାଙ୍କୁ ଅଟକାଇ ଦିଆଯାଇଥିଲା । ଆମେ ଆମର ଟିମକୁ ଏହି ସମ୍ପର୍କରେ ଆଲର୍ଟ ମଧ୍ୟ କରିଦେଇଛୁ । ଯଦି ଫାୟାରବଲରେ କିଛି ତ୍ରୁଟି ରହିଥାନ୍ତା, ତେବେ ଆକ୍ରମଣକାରୀ ୱେବସାଇଟର ସୁରକ୍ଷାରେ ଘାତ ଲଗାଇବାରେ ସଫଳ ହୋଇଥାନ୍ତେ । ସରକାରୀ ସଂଗଠନର ଅପରେଟିଂ ସିଷ୍ଟମର ସୁରକ୍ଷା ପ୍ୟାଚକୁ ଅପଡେଟ କରାଇବାର ପରାମର୍ଶ ଦିଆଯାଇଛି ।

ଅଧିକାରୀ କହିଛନ୍ତି ସ୍ୱାସ୍ଥ୍ୟ ସଂଗଠନରେ ରୋଗୀ ସୂଚନା ପ୍ରଣାଳୀ ହ୍ୟାକର୍ସଙ୍କ ପାଇଁ ସମ୍ଭାବିତ ଟାର୍ଗେଟ ମଧ୍ୟରୁ ଗୋଟିଏ । ୨୦୨୦ରୁ ସ୍ୱାସ୍ଥ୍ୟ ସଂଗଠନର ବେୱସାଇଟ ଉପରେ ଆକ୍ରମଣ ବଢ଼ିଯାଇଛି । ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା (ଏମ୍ସ)ର ସର୍ଭର ଗତ କିଛି ଦିନ ହେବ ଠପ୍ ରହିଛି । ଯାଞ୍ଚରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ଇପ୍ସୋ ଲାଗିଛି ।

ଗଣମାଧ୍ୟମ ଉପରେ ବର୍ଷିଲେ ଅର୍ଚ୍ଚନା ନାଗ, କହିଲେ ବିନା ଦୋଷରେ ମିଛ ବଦନାମ କରୁଛି

ଭୁବନେଶ୍ବର: ଝାରପଡା ଜେଲରୁ କଡା ସୁରକ୍ଷା ବଳୟରେ ଇଡି ଅଫିସ ଯାଇଛନ୍ତି ଅର୍ଚ୍ଚନା ନାଗ। ସେଠାରେ ଗଣମାଧ୍ୟମ ଉପରେ ବର୍ଷିଛନ୍ତି ଅର୍ଚ୍ଚନା। ତାଙ୍କୁ ବିନା କାରଣରେ ଗଣମାଧ୍ୟମ ବଦନାମ କରୁଥିବା ସେ ଅଭିଯୋଗ କରିଛନ୍ତି। ଆଜିଠୁ ୭ଦିନ ରିମାଣ୍ଡରେ ନେଇ ଅର୍ଚ୍ଚନାଙ୍କୁ ପଚରାଉଚରା କରିବ ଇଡି।

୧୩ ତାରିଖରେ ଅର୍ଚ୍ଚନାଙ୍କ ରିମାଣ୍ଡ ଅବଧି ସରିବ। ଆସନ୍ତାକାଲି ସ୍ୱାମୀ ଜଗବନ୍ଧୁ ଚାନ୍ଦ କୋର୍ଟରେ ହାଜର ହେବେ। ସକାଳୁ ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନା ନାଗଙ୍କ ଘରର ଆର୍କିଟେକ୍ ରଞ୍ଜିତ ବେହେରା। କଳା ଟଙ୍କା ଠୁଳ ମାମଲାରେ ଇଡି ତନାଘନା ଚଳାଇଛି। ପୂର୍ବରୁ ଘର ତିଆରି କରିଥିବା ଠିକାଦାରଙ୍କୁ ମଧ୍ୟ ଜେରା କରିଥିଲା ଇଡି ।

ପଦମପୁର ଫଳ ପୂର୍ବରୁ ବିଜେପିର ଭବିଷ୍ୟବାଣୀ, ଜିତିବ ବିଜେଡି

ଭୁବନେଶ୍ବର: ପଦମପୁର ଉପନିର୍ବାଚନ ଫଳାଫଳ ପୂର୍ବରୁ ବିଜେପି ଦୁଇ ଫାଳ । ଦଳର ବରିଷ୍ଠ ନେତା ଖାରବେଳ ସ୍ବାଇଁ ବିଜେଡି ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି । ସେପଟେ ଅନ୍ୟତମ ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ ଖରବେଳଙ୍କ ଆକଳନ ସହ ଏକମତ ହୋଇପାରୁନାହାଁନ୍ତି । ଖାରବେଳ ସ୍ବାଇଁ ପଦମପୁର ପ୍ରଚାରରେ ନଥିଲେ କିମ୍ବା ସେଠାକୁ ସେ ଯାଇନାହାଁନ୍ତି ।

ତେଣୁ ସେ କିଭଳି ବିଜେଡି ଜିତିବ ବୋଲି କହୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପୃଥ୍ବୀରାଜ । ଖାରବେଳଙ୍କ କହିବା ଅନୁଯାୟୀ ବିଜେପି ପଦମପୁରରେ ହାରିବ ଏବଂ ଦଳ ଏହି ପରାଜୟର କାରଣ ସମୀକ୍ଷା କରିବା ଆବଶ୍ୟକ ।

ଅତି ଖରାପ ସ୍ତରରେ ଦିଲ୍ଲୀ ପ୍ରଦୂଷଣ, ଇଟା ଭାଟି ଓ କ୍ରସରରେ କଟକଣା

ନୂଆଦିଲ୍ଲୀ: ଚିନ୍ତାଜନକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ଶୀତ ବଢ଼ୁଥିବା ବେଳେ ପ୍ରଦୂଷଣ ଅତିରୁ ଅତି ଖରାପ ସ୍ତରରେ ପହଞ୍ଚିଛି । ଗତ କିଛିଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ AQI ସ୍ତର ଅତି ଖରାପରେ ରହିଛି । ଏୟାର କ୍ବାଲିଟି ଖରାପ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି । ଆଜି ସକାଳୁ ଦିଲ୍ଲୀ AQI ୩୭୫ ରେକର୍ଡ ହୋଇଛି ।

ରାଜଧାନୀର ୩୫ AQI ଷ୍ଟେସନ ମଧ୍ୟରୁ ୩୧ ଷ୍ଟେସନରେ ପ୍ରଦୂଷଣ ମାତ୍ରା ଅତି ଖରାପ ରହିଥିବା ରିପୋର୍ଟ ଦେଇଛି ସିପିସିବି । ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ଷ୍ଟେଜ-୩ ଆଧାରରେ ଜରୁରୀ ନଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଇଟା ଭାଟି ଓ ଷ୍ଟୋନ କ୍ରସର ଉପରେ କଟକଣା ଲଗାଯାଇଛି ।

୧୫ ବର୍ଷ ପରେ ବିଜେପି ହାତରୁ ଖସିବ ଏମସିଡି, ବାଜି ମାରିବ ଝାଡୁ

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବାଜି ମାରିବ ଝାଡୁ । ଦୀର୍ଘ ୧୫ ବର୍ଷ ପରେ ବିଜେପି ହାତରୁ ଖସିବ ଏମସିଡି । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍‌ ସପକ୍ଷରେ ଭୋଟ ପଡ଼ିଛି ବୋଲି ଗତକାଲି ବୁଥ୍ ବାହୁଡ଼ା ମତରୁ ଜଣାପଡ଼ିଛି । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଦିଲ୍ଲୀ ଏମସିଡିରେ ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଛନ୍ତି ।

ଏଗଜିଟ ପୋଲ ସର୍ଭେକୁ ନେଇ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ଉତ୍ସାହ ଦେଖାଯାଇଛି । ବୁଥ ବାହୁଡ଼ା ମତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏମସିଡି ରେଜଲ୍ଟକୁ ନେଇ ଆକ୍ସିସ ମାଇଁ ଇଣ୍ଡିଆ କରିଥିବା ସର୍ଭେରେ ଆପ୍ କୁ ୧୪୯ରୁ ୧୭୧ ସିଟ ମିଳିବ ବୋଲି କହିଛି । ସେହିପରି ବିଜେପିକୁ ୬୯ରୁ ୯୧ ସିଟ ଓ କଂଗ୍ରେସକୁ ୩ରୁ ୭ ସିଟ୍‌ ମିଳିବ ବୋଲି ସର୍ଭେ ରିପୋର୍ଟ ଦେଇଛି ।

ଅନ୍ୟପଟେ ନ୍ୟୁଜ୍ ଏକ୍ସ ଜନ କି ବାତ୍ ଆପ୍‌କୁ ୧୫୯ରୁ ୧୭୫ ସିଟ୍‌ ମିଳିପାରେ ବୋଲି କହିଛି । ବିଜେପିକୁ ୭୦ରୁ ୯୨ ଓ କଂଗ୍ରେସକୁ ୪ରୁ ୭ ସିଟ ଆସନ ମିଳିପାରେ ବୋଲି କହିଛି ।

ବିଏମସି ଠୁ ଶିଖିବ ଦେଶ, ଜାତୀୟ ସ୍ତରରେ ପୁଣି ହେବ ପୁରସ୍କୃତ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମକୁ ଜାତୀୟ ସ୍ତରରେ ମିଳିଛି ଆଉ ଏକ ବଡ଼ ସଫଳତା । ସ୍ବେରେଜ, ସେଫଟେଜ୍ ଓ ଫିକଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ପୁରସ୍କୃତ ହେବ ବିଏମସି । ଆସନ୍ତା ୭ ଓ ୮ ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଉତ୍ସବରେ ସମ୍ମାନ ଗ୍ରହଣ କରିବ ବିଏମସି । ପୁରସ୍କାର ଗ୍ରହଣ କରିବାକୁ ଭୁବନେଶ୍ୱର ମେୟରଙ୍କ ସମେତ ୫ ଜଣିଆ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତ କରିଛି ।

ସମଗ୍ର ଦେଶରେ ବିଏମସିର ମଡେଲ ସର୍ବୋତ୍ତମ । ଦିଲ୍ଲୀ ଗସ୍ତରେ ଯାଇଥିବା ଟିମରେ ସାନିଟେସନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର, ପ୍ରୀତିନନ୍ଦା ରାଉତରାୟ, ଭାରତୀ ସିଂ ଓ ଡେପୁଟି କମିଶନର କମଳାକାନ୍ତ ବେହେରା ସାମିଲ ଅଛନ୍ତି । ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ପଦକ୍ଷେପକୁ ରାଜଧାନୀବାସୀ ଗ୍ରହଣ କରୁଥିବାରୁ ବିଏମସିକୁ ମିଳୁଛି ସଫଳତା ।

ଶସ୍ତା ହେବ ମୋବାଇଲ୍ କଲ ଓ ଇଣ୍ଟରନେଟ୍‌ ଦର ! ଲାଇସେନ୍ସ ଫି’ କମ କରିବେ ସରକାର

ଇଣ୍ଟରନେଟ ଓ ଟେଲିକମ ସେବା ଯୋଗାଇବାରେ ଭାରତ ସବୁଠାରୁ ଶସ୍ତା ଦେଶ  । ଏବେ ପୁଣି ଏହି ସେବା ଆହୁରି ଶସ୍ତା ହେବାକୁ ଆଶା କରାଯାଉଛି  । ମହଙ୍ଗା ମାଡ, ମହଙ୍ଗା ସ୍ପ୍ରେକ୍ଟମ ବା ଅତ୍ୟଧିକ ଲାଇସେନ୍ସ ଫି’ର ବାହାନା ଦେଇ ଲଗାତାର ଟାରିଫ ବୃଦ୍ଧି କଥା କହୁଛି ଟେଲିକମ କମ୍ପାନୀ  । ୨୦୨୧ରେ ୨୦ ରୁ ୨୫ ପ୍ରତିଶତ ମଧ୍ୟ ଟାରିଫ ବୃଦ୍ଧି କରିଥିଲା କମ୍ପାନୀ  । ଚଳିତବର୍ଷ ନଭେମ୍ବର ସୁଦ୍ଧା ୧୦ରୁ ୧୫ ପ୍ରତିଶତ ଟାରିଫ ବୃଦ୍ଧି ପାଇଁ ଆଶା କରାଯାଉଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଟାରିଫ ବୃଦ୍ଧି କରିନାହିଁ କମ୍ପାନୀ । ଯାହା ଫଳରେ ମୋବାଇଲ କଲ୍‌ ଓ ଇଣ୍ଟରନେଟ ଶସ୍ତା ହେବାକୁ ଯାଉଛି ।

ଟେଲିକମ କମ୍ପାନୀରେ ବାର୍ଷିକ ଲାଇସେନ୍ସ ଫି’ ଖର୍ଚ୍ଚର ବଡ ଭୁମିକା ତୁଲାଇଥାଏ  । କମ୍ପାନୀକୁ ନିଜ ଏଜିଆରର ୮ ପ୍ରତିଶତ ଲାଇସେନ୍ସ ଫି’ ଭାବେ ଦେବାକୁ ହୋଇଥାଏ  । କିନ୍ତୁ ନୂଆ ଟେଲିକମ ବିଲ୍‌ରେ ସରକାର ଏହି ଲାଇସେନ୍ସ ଫି’ କିଛି ମାତ୍ରାରେ କମ କରିପାରନ୍ତି  ।

ଟେଲିକମ ବିଲ୍‌ର ପ୍ରଥମ ଡ୍ରାଫ୍ଟ କାରଣରୁ ପୂର୍ବରୁ ବି ବିବାଦ ଘେରରେ ରହିଆସିଛି ଦୂରସଞ୍ଚାର ମନ୍ତ୍ରାଳୟ  । ଏହି ଡ୍ରାଫ୍ଟକୁ ନେଇ ନଭେମ୍ବର ୨୦ ମଧ୍ୟରେ ୯୦୦ ଅଭିଯୋଗ ଆସିଛି  । ଡିସେମ୍ବର ଶେଷ ସୁଦ୍ଧା ସରକାର ପୁଣି ସଂଶୋଧିତ ଡ୍ରାଫ୍ଟ ଆଣି ପାରନ୍ତି  । ଯେଉଁଥିରେ ଲାଇସେନ୍ସ ଫି’ ଏଜିଆରର ୮ ପ୍ରତିଶତରୁ ହ୍ରାସ କରି ୫ ରୁ ୬ ପ୍ରତିଶତ ମଧ୍ୟରେ ସୀମିତ ରହିବ ।

ପ୍ରକୃତରେ ଟେଲିକମ କମ୍ପାନୀଙ୍କୁ ଲାଇସେନ୍ସ ଫି’ରୁ ମୁକ୍ତି ମିଳିବାର ଶ୍ରେୟ ହ୍ବାଟସଆପ୍‌ ଭଳି ଟେକ୍‌ କମ୍ପାନୀଙ୍କୁ ମିଳିବା ଆବଶ୍ୟକ । ଟେଲିକମ ବିଲ୍‌ ପୂର୍ବରୁ ଡ୍ରାଫ୍ଟରେ କୁହାଯାଇଥିଲା ଯେ ହ୍ବାଟସଆପ୍‌, ଟେଲିଗ୍ରାମ, ସ୍କାଇପି ଭଳି କମ୍ୟୁନିକେସନ ଆପ୍‌କୁ ଗାଇଡଲାଇନ ମଧ୍ୟରେ ଅଣାଯିବା ଉଚିତ୍‌ । ଏହା ଦ୍ବାରା ଭାରତରେ ବ୍ୟବସାୟ କରିବା ପାଇଁ ଏମାନଙ୍କୁ କିଛି ନିୟମ ମାନିବାକୁ ପଡିବ  ।

 

  • କମ୍ପାନୀଗୁଡିକୁ ଲାଇସେନ୍ସ ନେବାକୁ ହେବ  ।
  • ନିଜ ଡାଟା ଭାରତୀୟ ସର୍ଭରରେ ରଖିବେ  ।
  • ଯାଞ୍ଚ ଏଜେନ୍ସୀ ଗୁଡିକୁ ଡାଟା ଆକ୍ସେସ ଦେବାକୁ ହେବ  ।

 

ଏହି ତିନି ନିୟମକୁ ନାପସନ୍ଦ କରିବା ସହ ବିରୋଧ କରୁଥିଲେ ଟେକ୍‌ କମ୍ପାନୀ । କିନ୍ତୁ ବହୁ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ, ଏହି କମ୍ପାନୀ ଗୁଡିକରେ ପ୍ରତିବନ୍ଧକ ଲଗାଇବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ  । ବରଂ କମ୍ପାନୀର ଚାପରେ ହୁଏତ ସରକାର ଲାଇସେନ୍ସର ପ୍ରାବଧାନ ହଟାଇ ପାରନ୍ତି ନଚେତ ଲାଇସେନ୍ସକୁ ଅନିବାର୍ଯ୍ୟ ରଖି ଲାଇସେନ୍ସ ଫି’ ବହୁତ କମ କରିପାରନ୍ତି  । ଯାହା ଫଳରେ ଲାଇସେନ୍ସ ଫି’କୁ କମ କରି ଏଜିଆରର ଏକ ବା ଦୁଇ ପ୍ରତିଶତ କରାଯାଇପାରିବ  । ଏକାଥରେ ଏହି ନିୟମ ଲାଗୁ ନ କରି ସରକାର ପର୍ଯ୍ୟାୟକ୍ରମେ କରିପାରନ୍ତି ବୋଲି ବିଶେଷଜ୍ଞ ମତ ଦିଅନ୍ତି  ।

ଅଭିନେତ୍ରୀଙ୍କ କାର ଘୋଷାଡି ନେଲା ଟ୍ରକ, ଅଳ୍ପକେ ବର୍ତ୍ତିଲା ଜୀବନ

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ  । ଟିଭିର ମୋଷ୍ଟ ଫେମସ ଶୋ ଇମଲିରେ ଶିବାନୀ ରାଣା ଭୁମିକାରେ ନଜର ଆସୁଥିବା ହେତଲଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଛି  । ବିଳମ୍ବିତ ରାତିରେ ସୁଟିଂରୁ ଫେରୁଥିବା ସମୟରେ ହେତଲଙ୍କ ଗାଡି ଏକ ଟ୍ରକକୁ ଧକ୍କା ଦେଇଥିଲା  । କିନ୍ତୁ ଅଭିନେତ୍ରୀ ଏବେ ସୁରକ୍ଷିତ ଅଛନ୍ତି  । ସୁଟିଂ ସାରି ସେ ନିଜେ ଗାଡି ଡ୍ରାଇଭିଂ କରି ଫେରୁଥିଲେ  । ଏହି ସମୟରେ ଏକ ଟ୍ରକ ତାଙ୍କ ଗାଡିକୁ ପଛପଟୁ ଧକ୍କା ଦେଇଥିଲା  ।

ଜେଭିଏଲଆର ଛକରେ ଟ୍ରକଟି ଅଭିନେତ୍ରୀଙ୍କ କାରକୁ ଧକ୍କା ଦେବା ସହ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା  । ଗାଡି ଓଲଟିବାର ଠିକ୍‌ ପୂର୍ବରୁ ବ୍ରେକ୍‌ ମାରି ଜୀବନ ବଞ୍ଚାଇଛନ୍ତି ଅଭିନେତ୍ରୀ  । ସୌଭାଗ୍ୟବଶତଃ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଅଭିନେତ୍ରୀ  । ଗତ ୨୫ ବର୍ଷରୁ ଅଭିନୟ ଜଗତ ସହ ଜଡିତ ଅଛନ୍ତି ହେତଲ  । ଲୋକପ୍ରିୟ ସିରିଏଲ ତାରକ ମେହତା କା ଉଲଟା ଚଷମାରେ ଜ୍ବାଲା ଚରିତ୍ରରୁ ଲୋକପ୍ରିୟତା ହାସଲ କରିଛନ୍ତି ହେତଲ  ।

ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ଟି ସ୍ଥାନରେ ଚଢାଉ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ । ଯନ୍ତ୍ରୀ ମନୋଜ ରଞ୍ଜନ ଦାସଙ୍କ ସରକାରୀ କାର୍ଯ୍ୟାଳୟରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ ଜାରି ରହିଛି ।

ଆଜି ସକାଳୁ ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ସରକାରୀ କାର୍ଯ୍ୟାଳୟରେ ରେଡ୍‌ କରୁଛି । କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ଅନ୍ୟ ଫାଇଲ ମଧ୍ୟ ଯାଞ୍ଚ କରୁଛି ଟିମ୍ ।

ରାଜସ୍ଥାନରେ ଭାରତ ଯୋଡୋ, ଭଗବାନ ରାମଙ୍କ ଠୁ ଶିଖିବାକୁ ବିଜେପି ଆରଏସଏସକୁ ପରାମର୍ଶ

ଜୟପୁର: ରାଜସ୍ଥାନ ଖେଲ ସଙ୍କୁଲରୁ ଆଜି ସକାଳୁ ଆରମ୍ଭ ହୋଇଛି ଭାରତ ଯୋଡୋ ପଦଯାତ୍ରା । ରାଜସ୍ଥାନରେ ପଦଯାତ୍ରାର ଦ୍ବିତୀୟ ଦିନରେ ରାହୁଲଙ୍କ ସହ ହଜାର ହଜାର ସମର୍ଥକ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଚିନ ପାଇଲଟ, ପିସିସି ଅଧ୍ୟକ୍ଷ ଗୋବିନ୍ଦ ସିଂଙ୍କ ସମତେ ବହୁ ମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି । ଆଜି ପଦଯାତ୍ରା କୋଟାରେ ପହଞ୍ଚିବ ।

ରାଜସ୍ଥାନରେ ଯାତ୍ରାର ପ୍ରଥମ ଦିନରେ ରାହୁଲ ଗାନ୍ଧୀ ପାଖାପାଖି ୨୪ କିଲୋମିଟର ଚାଲିଛନ୍ତି  । ଭାରତ ଯୋଡୋ ଯାତ୍ରାରେ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ଦେଶର ସାଧୁସନ୍ଥଙ୍କ ବିରୋଧରେ କାମ କରୁଛି କେନ୍ଦ୍ର ସରକାର । ବିଜେପି ଓ ଆରଏସଏସର ଲୋକ ଜୟ ଶ୍ରୀରାମ କୁହନ୍ତି  । ମାତା ସୀତାଙ୍କ ବିନା ରାମଙ୍କ ଅସ୍ତିତ୍ବ ନାହିଁ  । ରାମଙ୍କ ବିନା ସୀତା ମାତା ବି ଅସମ୍ପୂର୍ଣ୍ଣ  । ହେଲେ ବିଜେପି-ଆରଏସଏସ ନିଜ ନାରାରୁ ମାତା ସୀତାଙ୍କ ନାମ ବାଦ୍‌ ରଖିଛନ୍ତି ? ସେମାନେ କାହିଁକି ଜୟ ସିୟାରାମ କହୁନାହାନ୍ତି ? ଆରଏସଏସ ଲୋକଙ୍କୁ ଜୟ ସୀୟାରାମ କହିବା ଦରକାର  । ଏମାନଙ୍କୁ ଭଗବାନ ରାମଙ୍କ ଠୁ ଶିଖିବା ଉଚିତ୍‌ । ଭଗବାନ ରାମ କେବେବି ଘୃଣା କରିବା ଶିଖାଇ ନାହାନ୍ତି  ।

ରାଜସ୍ଥାନରୁ ବାହାରିବା ପରେ ପଦଯାତ୍ରା ହରିୟାଣାରେ ପହଞ୍ଚିବ । ଆଜିସୁଦ୍ଧା ୮୯ ଦିନରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ ଯାତ୍ରା । ସେପ୍ଟେମ୍ବର ୭ ତାରିଖରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆସନ୍ତା ଫେବୃଆରୀ ଶେଷସୁଦ୍ଧା କାଶ୍ମୀରରେ ପହଞ୍ଚିବ ।