ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ, ଜାରି ହେବ ସ୍ୱତନ୍ତ୍ର ନମ୍ବର ପ୍ଲେଟ

ଭୁବନେଶ୍ୱର: ଭିଣ୍ଟେଜ ଯାନ ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର । ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ । ଏହାକୁ ସୁରକ୍ଷିତ ରଖିବାକୁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା । ଏହି ଗୁଡ଼ିକ ପାଇଁ ଜାରିହେବ ସ୍ବତନ୍ତ୍ର ନମ୍ବର ପ୍ଲେଟ୍ । ଭିଣ୍ଟେଜ ଯାନ ଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଭିଣ୍ଟେଜ ଯାନ ଗୁଡ଼ିକର ପଞ୍ଜିକରଣ ପାଇଁ ବ୍ୟବସ୍ଥା କରିଛି ।

ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ସ୍କ୍ରାପ ନୀତିରେ ପୁରୁଣା ଗାଡ଼ିର ବ୍ୟବହାରକୁ ବନ୍ଦ କରାଯାଇଛି । ତେବେ ପୁରୁଣା ଯାନଗୁଡ଼ିକର ଐତିହ୍ୟ ସଂରକ୍ଷଣ ଏବଂ ଏହାକୁ ପ୍ରୋତ୍ସାହିତ କରିବା ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଭିଣ୍ଟେଜ ମୋଟର ଯାନ ଗୁଡ଼ିକର ପଞ୍ଜିକରଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ନିୟମ ଅନୁସାରେ ଗାଡ଼ିର ପ୍ରଥମ ପଞ୍ଜିକରଣର ୫୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଭିଣ୍ଟେଜ ଭାବେ ଗ୍ରହଣ କରାଯିବ ।

ଏହାର ଚେଚିସ, ବଡିସେଲରରେ କୌଣସି ପରିବର୍ତ୍ତନ ହୋଇନଥିବ । ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇନଥିଲେ ତାହା ଭିଣ୍ଟେଜ ଭାବେ ଗ୍ରହଣ ହେବ । ଏହାକୁ ପୁନଃ ପଞ୍ଜିକରଣ ପାଇଁ ଆବେଦନ କରାଯିବ । ଗାଡ଼ିର ଫିଟନେସ ବୈଧ ଥିଲେ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଭିଣ୍ଟେଜ ଯାନ ଅନୁମୋଦିତ ହେଲେ ଏହାକୁ ଏକ ନୂତନ ପଞ୍ଜିକରଣ ଚିହ୍ନ ଦିଆଯିବ ।