ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର, କମ୍ ଦିନରେ ନେଇପାରିବେ ପେନସନ୍

1 min read

ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ବର୍ଷରେ ଭଲ ଖବର । ସହଜ ହେଲା ପେନ୍‌ସନ୍ ମଞ୍ଜୁରି ବ୍ୟବସ୍ଥା । ଏଣିକି ଅବସର ନେଇଥିବା କର୍ମଚାରୀ କମ୍‌ ଦିନରେ ପେନ୍‌ସନ୍‌ ପାଇ ପାରିବେ । କର୍ମଚାରୀ ଜଣଙ୍କ ଯେଉଁ ବିଭାଗରୁ ଅବସର ନେଇଥିବେ, ପେନ୍‌ସନ୍‌ ମଞ୍ଜୁରି ପାଇଁ ଏଣିକି କେବଳ ସେହି ବିଭାଗ ଅବସରପ୍ରାପ୍ତ କର୍ମଚାରୀ କିମ୍ବା ଅଧିକାରୀଙ୍କ ବର୍ଷକର ନୋ ଡିମାଣ୍ଡ ପ୍ରମାଣ ପତ୍ର ବା NDC ପ୍ରଦାନ କରିବ ।

ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଯଦି ଜଣେ କର୍ମଚାରୀ କିମ୍ବା ଅଧିକାରୀ ଅବସର ନେଇଥିବା ବିଭାଗରେ ୬ ମାସ କାମ କରିଥିବେ, ତାହେଲେ ବାକି ୬ ମାସର NDC କର୍ମଚାରୀ ଥିବା ପୂର୍ବ ବିଭାଗରୁ ଅଣାଯିବ । ଆଉ କର୍ମଚାରୀଙ୍କ ଚାକିରିକାଳ ଭିତରେ କାମ କରିଥିବା ସବୁ ବିଭାଗରୁ ଅଣାଯିବ ନାହିଁ । ଯାହା ଫଳରେ ଅତି କମ୍‌ ଦିନରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଚୂଡ଼ାନ୍ତ ପେନ୍‌ସନ୍‌ ପେପର୍‌ ମହାଲେଖାକାରଙ୍କୁ ପ୍ରଦାନ କରାଗଲେ ସମ୍ପୃକ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ତତ୍‌କ୍ଷଣାତ ମଞ୍ଜୁର ହେବ ।

ଏ ନେଇ ୨୦୧୧ ଜୁଲାଇ ମାସରୁ ଅର୍ଥ ବିଭାଗ ପେନ୍‌ସନ୍‌ ଅଧିନିୟମ ୧୯୯୨ରେ ସଂଶୋଧନ କରିଥିଲେ ବି ଅଧିକାଂଶ ବିଭାଗ ଏ ନିୟମକୁ ଅଣଦେଖା କରୁଥିଲେ । ଅବସର ନେଇଥିବା କର୍ମଚାରୀ ଚାକିରିକାଳ ଭିତରେ ଯେତେ ବିଭାଗରେ କାମ କରୁଥିଲେ ସବୁ ବିଭାଗରୁ NDC ମଗାଯାଉଥିବାରୁ କର୍ମଚାରୀଙ୍କୁ ପେନ୍‌ସନ୍‌ ମିଳିବା ବହୁ ଦିନ ଲାଗୁଥିଲା । ଏବେ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଅନୁପାଳନ କରିବାକୁ ସମସ୍ତ ବିଭାଗକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ ।