ଛତିଶଗଡ଼ରେ ଧର୍ମାନ୍ତରଣକୁ ନେଇ ହିଂସାକାଣ୍ଡ, ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଫାଟିଲା ଏସପିଙ୍କ ମୁଣ୍ଡ

ନାରାୟଣପୁର: ଛତିଶଗଡ଼ର ନାରାୟଣପୁରରରେ ଧର୍ମାନ୍ତରଣକୁ ନେଇ ସୋମବାର ଗଣ୍ଡଗୋଳ ଦେଖାଯାଇଛି । ଦୁଇ ପକ୍ଷ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି । ଏହି ସମୟରେ ଏକତ୍ରିତ ଭିଡ଼ ଏକ ଚର୍ଚ୍ଚରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ପୋଲିସ ଉତ୍ତେଜନା ବୃଦ୍ଧିକୁ ଦେଖି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଅବସରରେ ଏସପି ସଦାନନ୍ଦ କୁମାରଙ୍କ ଉପରେ ଆକ୍ରମଣ କରିଦେଇଥିଲେ ଉତ୍ୟକ୍ତ ଲୋକେ । ତାଙ୍କ ମୁଣ୍ଡ ଫାଟିଯାଇଛି । ସେହିପରି ପଥରମାଡ଼ରେ ଥାନା ଅଧିକାରୀ ସମେତ ଅନେକ ପୋଲିସକର୍ମୀ ଆହତ ହୋଇଛନ୍ତି ।

ଥାନା ଅଧିକାରୀଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ଗ୍ରାମ ପଞ୍ଚାୟତ ଏଡକାର ଆଶ୍ରିତ ଗାଁରେ ଥିବା ଗୀର୍ଜାରେ ରବିବାର ଇସାଇ ମିଶନାରୀର ଲୋକମାନେ ବୈଠକ କରୁଥିଲେ । ଏହି ସମୟରେ ଆଦିବାସୀ ଗୋଷ୍ଠୀଙ୍କ ସହ ଧର୍ମାନ୍ତରଣକୁ ନେଇ ତାଙ୍କର ବିବାଦ ହୋଇ ଯାଇଥିଲା । ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପୋଲିସ କର୍ମଚାରୀ ପହଞ୍ଚିବା ପରେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହାକୁ ନେଇ ଆଦିବାସୀ ଗୋଷ୍ଠୀ ବନ୍ଦ ଡାକରା ଦେଇଥିଲା । ସୁରକ୍ଷା ବ୍ୟବସ୍ଥାରେ ସକାଳୁ ହିଁ ପୋଲିସ ଫୋର୍ସ ଅଞ୍ଚଳରେ ନିୟୋଜିତ ଥିଲେ ।

ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କୁହାଯାଉଛି ଯେ ଅଚାନକ ଆନ୍ଦୋଳନ କରୁଥିବା ଭିଡ଼ ଉଗ୍ର ହୋଇ ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲା । ଚର୍ଚ୍ଚରେ ଭଙ୍ଗାରୁଜା କରିଥିଲେ ଲୋକେ । ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଥିଲା । ଏହା ଦେଖି ଉପସ୍ଥିତ ପୋଲିସ କର୍ମୀ ସେମାନଙ୍କୁ ବୁଝାଇବା ପାଇଁ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ଏକତ୍ରିତ ଭିଡ଼ ପୋଲିସ ଉପରେ ଆକ୍ରମଣ କରି ଦେଇଥିଲା । ଏହି ସମୟରେ ପଥମାଡ଼ କରାଯାଇଥିଲା ଏବଂ ଲାଠି ଚଲାଯାଇଥିଲା ।

ଏଥିରେ ଏସପି ସଦାନନ୍ଦ କୁମାର ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେହିପରି ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି । ଘଟଣା ପରେ ବିପୁଳ ମାତ୍ରାରେ ପୋଲିସ ଫୋର୍ସ ଅଞ୍ଚଳେ ନିୟୋଜିତ ହୋଇଛନ୍ତି । ସେହିପରି ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ ବଳପୂର୍ବକ ଆଦିବାସୀମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି ।