spot_img
Home Blog Page 3791

ଚ୍ୟାଲେଞ୍ଜ ହାରିଲେ ଗଡ଼କାରୀ: ୩୨ କେଜି ଓଜନ କମାଇ ୨୩ ଶହ କୋଟିର ପ୍ରୋଜେକ୍ଟ ମାଗିଲେ ଅନିଲ

ଉଜ୍ଜୟନୀ: କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ୩୨ କେଜି ଓଜନ କମାଇଲେ ଉଜ୍ଜୟନୀର ବିଜେପି ସାଂସଦ ଅନିଲ ଫିରୋଜିଆ । ଦାବି କଲେ ୨୩ ଶହ କୋଟି ଟଙ୍କାର ପ୍ରୋଜେକ୍ଟ । ଏନେଇ ଅନିଲ ନିଜ ଇନଷ୍ଟାଗ୍ରାମ ପେଜରେ ତାଙ୍କର ଏକ ଏକ୍ସରସାଇଜ୍ ଫଟୋ ପୋଷ୍ଟ କରି ଏମିତି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ନିଜ ଅଞ୍ଚଳର ଉନ୍ନୟନ କାମର କିଛି ପ୍ରୋଜେକ୍ଟ ନେଇ ଅନିଲ ଗଡ଼କାରୀଙ୍କୁ ଭେଟିଥିଲେ । ସେ ସମୟରେ ତାଙ୍କ ଓଜନ ବହୁତ ଅଧିକ ଥିଲା । ଅନିଲଙ୍କ ପ୍ରୋଜେକ୍ଟ ଦେଖିବା ପରେ ଗଡ଼କାରୀ ତାଙ୍କୁ ଓଜନ କମାଇବାକୁ କହିଥିଲେ । ଏହାସହ ସେ ଚ୍ୟାଲେଞ୍ଜ ଦେଇଥିଲେ, ଓଜନ କମାଇ ଦେଖାଅ, ତୁମ ଉନ୍ନୟନ ପ୍ରୋଜେକ୍ଟକୁ କ୍ଲିୟରାନ୍ସ ମିଳିବ । ଗଡ଼କାରୀଙ୍କ ଏହି ଚ୍ୟାଲେଞ୍ଜକୁ ଅନିଲ ଗ୍ରହଣ କରି ସେଠାରୁ ଫେରି ଆସିଥିଲେ ।

ଏହାପରେ ଅନିଲ ନିଜ ଓଜନ କମାଇବା ପାଇଁ ଝାଳ ବୁହା ପରିଶ୍ରମ ଆରମ୍ଭ କରି ଦେଇଥିଲେ । ବ୍ୟାୟାମ କରିବା ସହ ହାଲକା ଖାଇବା ନେବା ଆରମ୍ଭ କରିଥିଲେ । ଏବେ ସେ ପରିଶ୍ରମର ଫଳ ପାଇଛନ୍ତି । ଏକ୍ସରସାଇଜ କରି ସେ ୩୨ କେଜି ଓଜନ କମାଇ ପାରିଛନ୍ତି ।

ଏହାପରେ ସେ କେନ୍ଦ୍ରମନ୍ତ୍ରୀ ଗଡ଼କାରୀଙ୍କ ଭେଟି ଓଜନ କମାଇବା କଥା କହିଥିଲେ । ଏହା ମଧ୍ୟ ତାଙ୍କ ଶରୀରରୁ ଦିଶି ଯାଉଥିଲା । ଚ୍ୟାଲେଞ୍ଜ ଗ୍ରହଣ କରି ଅନିଲ ଓଜନ କମାଇ ଥିବାରୁ ଗଡ଼କାରୀ ଖୁସି ବ୍ୟକ୍ତି କରିଥିଲେ ।

ଅନିଲଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ୟୁଜର୍ସଙ୍କ କମେଣ୍ଟ ଆସିବାରେ ଲାଗିଛି । ବହୁ ୟୁଜର୍ସ ଏବେ ନୀତୀନ ଗଡ଼କାରୀଙ୍କୁ ତାଙ୍କ କଥା ରଖିବାକୁ ପରାମର୍ଶ ଦେଇଛନ୍ତି । ଉନ୍ନୟନ କାମ ପାଇଁ ୨୩ ଶହ କୋଟି ଟଙ୍କାର ପ୍ରୋଜେକ୍ଟକୁ ମଞ୍ଜୁରୀ ଦେବାକୁ ବହୁ ୟୁଜର୍ସ କମେଣ୍ଟ କରିଛନ୍ତି ।

ପୁଣି ଖୋଲିବ ଜୟଲଳିତାଙ୍କ ଡେଥ ଫାଇଲ୍, ଅଡୁଆରେ ଶଶୀକଳା

ଚେନ୍ନାଇ: AIADMKର ବହିଷ୍କୃତ ନେତା ଶଶୀକଳାଙ୍କ ବଢିଲା ଅଡୁଆ । ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପଛର ଖଳନାୟିକା କି ଶଶୀକଳା ? କ୍ଷମତା ହାସଲ ପାଇଁ ବନ୍ଧୁ ତଥା ସହଯୋଗୀ ଜୟଲଳିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ  ସେ ହଟାଇ ଦେଇଥିଲେ କି ? ଏମିତି ଅନେକ ପ୍ରଶ୍ନ ଭିତରେ ଏବେ ଜୟଲଳିତା ମୃତ୍ୟୁ ରହସ୍ୟ । ଦୀର୍ଘ ୬ ବର୍ଷ ପରେ ତଦନ୍ତ ସୁପାରିଶ କରି ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛନ୍ତି ଅରୁମୁଗାସ୍ବାମୀ କମିଶନ ଅଫ ଇନକ୍ୱାରୀ । ଶଶୀକଳା, ଜୟଲଳିତାଙ୍କ ବ୍ୟକ୍ତିଗତ ଡାକ୍ତର କେ. ଶିବକୁମାର, ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସି ବିଜୟ ଭାସ୍କର ଓ ସଚିବ ରାଧାକ୍ରିଷ୍ଣନଙ୍କ ଭୁମିକାକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ସୁପାରିଶ କରିଛନ୍ତି ସିଓଆଇ । ଯାହାର ଉତ୍ତର ଦେବାକୁ ଯାଇ ଶଶୀକଳା କହିଛନ୍ତି ମୁଁ ସବୁ ତଦନ୍ତକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛି  ।

ଗତ ଅଗଷ୍ଚରେ ଅବସରପ୍ରାପ୍ତ ଜଷ୍ଟିସ ଅରୁମୁଗାସ୍ବାମୀ ଜୟଲଳିତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ମୁ୍ଖ୍ୟମନ୍ତ୍ରୀ ଷ୍ଟାଲିନକୁ ୫ ବର୍ଷ ପରେ ରିପୋର୍ଟ ପ୍ରଦାନ କରିଥିଲେ । ୨୦୧୬ରେ ଜୟଲଳିତାଙ୍କ ହସ୍ପିଟାଲରେ ଭର୍ତ୍ତି ପ୍ରକ୍ରିୟାଠୁ ମୃତ୍ୟୁକୁ ନେଇ ଜୋର୍‌ ଧରିଥିଲା ବିବାଦ । ରାଜନୈତିକ ମହଲରେ ସେତେବେଳେ ଏହାକୁ ଷଡଯନ୍ତ୍ରର ଆଖ୍ୟା ଦେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନିରସିଲଭମ ଜୟଲଳିତାଙ୍କ ମୃତ୍ୟୁ କାରଣ ତଦନ୍ତ କରିବା ପାଇଁ ଦାବି ମଧ୍ୟ କରିଥିଲେ । ଯାହାପରେ ଅରୁମୁଗାସ୍ବାମୀ କମିଶନଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା ।

ଅରୁମୁଗାସ୍ବାମୀ କମିଶନ ତାମିଲ ଭାଷାରେ ୬୦୮ ପୃଷ୍ଠା ଓ ଇଂରାଜୀରେ ୫୦୦ ପୃଷ୍ଠା ସମ୍ବଳିତ ଫାଇନାଲ ରିପୋର୍ଟ ଦାଖଲ କରିଥିଲେ । ୧୫୯ ସାକ୍ଷ୍ୟଙ୍କ ବୟାନ ଅନୁସାରେ ରିପୋର୍ଟ ଦାଖଲ କରିଥିଲେ କମିଶନ ।

ଅପରପକ୍ଷେ ଏମ୍ସ ଡାକ୍ତରଙ୍କ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ୱର୍ଗତ ଜୟଲଳିତାଙ୍କୁ ଦିଆଯାଇଥିବା ଚିକିତ୍ସାରେ କୌଣସି ତୃଟି ପରିଲିଖିତ ହୋଇନଥିଲା । ଯେଉଁଥିପାଇଁ ସେତେବେଳେ ଆପୋଲୋ ହସ୍ପିଟାଲକୁ କ୍ଲିନ୍‌ ଚିଟ୍ ମିଳିଯାଇଥିଲା । ଅସୁସ୍ଥତା ପରେ ଜୟଲଳିତାଙ୍କୁ ଆପୋଲୋରେ ଭର୍ତ୍ତି କରାଯାଇଥିଲା ।

ସେହିପରି ପୂର୍ବତନ ମୁଖ୍ୟ ଶାସନ ସଚିବ ରାମା ମୋହନ ରାଓ ଏବଂ ଦୁଇ ଜଣ ଡାକ୍ତର ଡାକ୍ତର ଓ୍ବାଇଭିସି ରେଡ୍ଡୀ ଏବଂ ଡ ବାବୁ ଆବ୍ରାହମଙ୍କ ବିରୋଧରେ ତଦନ୍ତ କରିବାକୁ ସୁପାରିଶ କରିଛି ଅରୁମୁଗାସ୍ବାମୀ କମିଶନ । କିନ୍ତୁ ଜୟଲଳିତାଙ୍କ ମୃତ୍ୟୁରେ ଡାକ୍ତରଙ୍କ ସମ୍ପୃକ୍ତି ନେଇ ରିପୋର୍ଟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେପଟେ ଆପୋଲୋ ହସ୍ପିଟାଲର ଚେୟାରମ୍ୟାନ୍ ଡକ୍ଟର ପ୍ରତାପ ସି ରେଡ୍ଡୀଙ୍କ ବିରୋଧରେ ତଦନ୍ତ ହେବ କି ନାହିଁ ତାମିଲନାଡୁ ସରକାର ନିଷ୍ପତ୍ତି ନେବେ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି କମିଶନ ।

ପାକିସ୍ତାନର ଧମକ: ଶାହଙ୍କ ମନ୍ତବ୍ୟର ପରିଣାମ ଭୟଙ୍କର ହେବ

ଲାହୋର: ପାକିସ୍ତାନରେ ଏସିଆ କପ୍ ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏସିଆନ କ୍ରିକ୍ରେଟ କାଉନସିଲ ଅଧ୍ୟକ୍ଷ ତଥା ବିସିସିଆ ସଚିବ ଜୟ ଶାହଙ୍କ ଏସିଆ କପ୍ ଭେନ୍ୟୁ ପରିବର୍ତ୍ତନ ବୟାନକୁ ପାକିସ୍ତାନ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ନିନ୍ଦା କରିଛି । ପିସିବି ତରଫରୁ ଔପଚାରିକ ବୟାନ ଆସିଛି । ଏଥିରେ ପିସିବି ପକ୍ଷରୁ କୁହାଯାଇଛି, ‘ଏପରି ବୟାନ ନିୟମ ଉଲ୍ଲଂଘନ କରୁଛି । ଏହାକୁ ନେଇ ତୁରନ୍ତ ଏସିଆନ କ୍ରିକେଟ୍ କାଉସିଲର ବୈଠକ ଡକାଯିବାର ଆବଶ୍ୟକତା ରହିଛି ।’

ବୋର୍ଡ ପକ୍ଷରୁ କୁହାଯାଇଛି, ‘ଜୟ ଶାହଙ୍କ ମନ୍ତବ୍ୟକୁ ନେଇ ଆମେ ଆଶ୍ଚର୍ଯ୍ୟ ଓ ନିରାଶ ବ୍ୟକ୍ତ କରୁଛୁ । ଏସିଆ କପ୍ ନିରପେକ୍ଷ ସ୍ଥାନରେ କରାଯିବା ନେଇ ଶାହଙ୍କ ବୟାନ ନନ୍ଦନୀୟ । କୌଣସି ବୋର୍ଡ ମେମ୍ବର କିମ୍ବା ଆୟୋଜକ ଟିମ୍ ପାକିସ୍ତାନ ସହ ଚର୍ଚ୍ଚା ନକରି ଏମିତି ମନ୍ତବ୍ୟ ଦେଇଛନ୍ତି । ଯାହାର ପରିଣାମ ଆଗକୁ ଭୟଙ୍କର ହେବ ।’

ବୋର୍ଡ ତରଫରୁ ଆହୁରି କୁହାଯାଇଛି, ‘ଏସିଆନ କ୍ରିକେଟ୍ କାଉନସିଲ ବୈଠକରେ ଦୀର୍ଘ ସମୟ ଚର୍ଚ୍ଚା ଓ ସମସ୍ତଙ୍କ ସହମତିରେ ପାକିସ୍ତାନରେ ଏସିଆ କପ୍ ହେବା ନିଷ୍ପତ୍ତି ହୋଇଥିଲା । ହେଲେ ଶାହଙ୍କ ମନ୍ତବ୍ୟ ଏହାର ଉଲ୍ଲଂଘନ । ୧୯୮୩ରେ ଏସିଆନ କ୍ରିକେଟ୍ କାଉନସିଲ ଗଠନର ଭାବନାକୁ ଏହା ପ୍ରତିହତ କରୁଛି ।’

ଏହାସହ ପିସିବି ଧମକ ଦେଇ କହିଛି, ‘ଏମିତି ବନାନ ଏସିଆନ କ୍ରିକେଟ ଦେଶ ଓ ଅନ୍ତର୍ଜାତୀୟ କ୍ରିକେଟ୍ ସମ୍ପର୍କକୁ ଖରାପ କରିବ ଓ ଦେଶମାନଙ୍କୁ ଭାଗ ଭାଗ ଗୋଷ୍ଠୀରେ ବିଭକ୍ତ କରିବାରେ ସହାୟକ ହେବ । ଏହାସହ ଭାରତରେ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ବକପ ଓ ୨୦୩୧ ପର୍ଯ୍ୟନ୍ତ ହେବାକୁ ଥିବା ଅନ୍ୟ ମ୍ୟାଚ୍ ଉପରେ ମଧ୍ୟ ପ୍ରଭାବ ପକାଇବ ।’

ଏନେଇ ତୁରନ୍ତ ଏସିଆନ କ୍ରିକେଟ କାଉନସିଲର ବୈଠକ ଡାକିବାକୁ ପାକିସ୍ତାନ ବୋର୍ଡ ଦାବି କରିଛି ।

ସୂଚନାଯୋଗ୍ୟ, ୧୮ ଅକ୍ଟୋବରରେ ଜୟ ଶାହ କହିଥିଲେ ୨୦୨୩ ଏସିଆ କପ୍ ଖେଳିବାକୁ ଭାରତ ପାକିସ୍ତାନ ଯିବ ନାହିଁ । ଏସିଆ କପ୍ ନ୍ୟୁଟ୍ରାଲ ଭେନ୍ୟୁରେ କରାଯିବ ।

ଖଡଗେଙ୍କ ଅକୁହା କାହାଣୀ, ଆଖି ସାମନାରେ ମାଙ୍କୁ ପୋଡି ହତ୍ୟା କରିଥିଲେ ଦୁର୍ବୃତ୍ତ

ବେଙ୍ଗାଲୁରୁ: ପାଖାପାଖି ୭ ହଜାର ଭୋଟରେ ପ୍ରତିଦ୍ବନ୍ଦୀଙ୍କୁ ହରାଇ ଏଆଇସିସି ବାଜି ମାରିଲେ ମଲିକ୍କାର୍ଜୁନ ଖଡଗେ । ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷ ପଦ ଜିତିଛନ୍ତି । ୯ ଥରର ବିଧାୟକ ଓ ଦୁଇ ଥର ସାଂସଦ ହୋଇଥିବା ଖଡଗେଙ୍କ ସଂଘର୍ଷ ଓ ସଫଳତା ଯେ କେହି ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ରିପୋର୍ଟରେ ପଢନ୍ତୁ କେମିତି ଥିଲା ମଲ୍ଲିକାର୍ଜୁନଙ୍କ ଯାତ୍ରା ।

୧୯୪୭ ଅଗଷ୍ଟ ମାସ ମୈସୁର ଜିଲ୍ଲା (କର୍ଣ୍ଣାଟକ)ର ବରବଟି ଗାଁରେ ସେତେବେଳେ ନିଜାମ ଶାସନ ଚାଲିଥିଲା । ବରବଟି ଗାଁରେ ଏକଦା ନିଜାମ ସେନା ଆକ୍ରମଣ କରିଥିଲେ । ସମଗ୍ର ଗାଁରେ ନିଆଁ ଲଗାଇ ଦେଇଥିଲେ ନିଜାମ ସେନା । ଯେଉଁଠି ଆଖି ସାମନାରା ମାଙ୍କୁ ପୋଡି ଯାଉଥିବା ଦେଖିଥିଲେ ଖଡଗେ ।
ମାଆଙ୍କ ମୃତ୍ୟୁ ପରେ ବାପା ମପନ୍ନା ଖଡଗେ ମଲ୍ଲିକାର୍ଜୁନଙ୍କୁ ସାଥୀରେ ନେଇ କାମ ଖୋଜିବାକୁ ଗୁଲବର୍ଗା ଚାଲିଯାଇଥିଲେ । କିନ୍ତୁ କାମ କରିବାକୁ ଯାଇ ପୁଅ ମଲ୍ଲିକାର୍ଜୁନଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡି ଯିବାକୁ ପଡୁଥିଲା । ଏକ ମାସ ଅଲଗା ରହିବା ପରେ ପୁଅର ଭବିଷ୍ୟତ ଚିନ୍ତା କରି କାମ ଛାଡି ପୁଣିଥରେ ନିମ୍ବୁର ଫେରିଥିଲେ ବାପା । କାମ ସନ୍ଧାନରେ ପ୍ରାୟ ତିନି ମାସ ଧରି ଜଙ୍ଗଲରେ ରହିଥିଲେ ବାପା ପୁଅ । ଦଳିତ ସମୁଦାୟର ମପନ୍ନା ଜୀବିତ ଥିବା ପର୍ଯ୍ୟନ୍ତ କେବେ ମଲ୍ଲିକାର୍ଜୁନଙ୍କୁ କାମ କରିବାକୁ ସୁଯୋଗ ଦେଇ ନାହାନ୍ତି । ବରଂ ନିଜେ ମୃତ୍ୟୁ ପର୍ଯ୍ୟନ୍ତ ଏକ କପଡା ମିଲ୍‌ରେ କାମ କରୁଥିଲେ । ପରେ ବସବାନଗରରେ ରହି ସେହି ସ୍କୁଲରେ ପାଠ ପଢୁଥିଲେ ମଲ୍ଲିକାର୍ଜୁନ ।

ନିର୍ବାଚନ ସମୟରେ ଆଜି ବି ମଲ୍ଲିକାର୍ଜୁନ ସେହି ସ୍କୁଲକୁ ଭୋଟ ଦେବାକୁ ଆସିଥାନ୍ତି । ବାପାଙ୍କ ଘର ଥିବା ସ୍ଥାନରେ ମଲ୍ଲିକାର୍ଜୁନ ଏବେ ଦୁଇ ମହଲା ବିଶିଷ୍ଟ ଘର ନିର୍ମାଣ କରିଛନ୍ତି । ଗୁଲବର୍ଗାର ସେଠ୍‌ ଶଙ୍କରଲାଲ ଲୋହାଟି ଲ’କଲେଜରୁ ଆଇନରେ ସ୍ନାତକ ହାସଲ କରିଛନ୍ତି ମଲ୍ଲିକାର୍ଜୁନ । ତାଙ୍କ ଚତୁରତାରେ ପ୍ରଭାବିତ ହୋଇ ସୁପ୍ରିମକୋର୍ଟ ଓକିଲ ଶିବରାଜ ପାଟିଲ ମଲ୍ଲିକାର୍ଜୁନଙ୍କୁ ନିଜ ଆସିଷ୍ଟାଣ୍ଟ କରିଥିଲେ ।

କଂଗ୍ରେସ ଯେତେବେଳ କର୍ଣ୍ଣାଟକରେ ଶାସନ ଗାଦି ହାତେଇଥିଲା ୨୦୦୪ରେ ଖଡଗେଙ୍କ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ନିଶ୍ଚିତ ଥିଲା । କିନ୍ତୁ ତାଙ୍କ ବନ୍ଧୁ ଧର୍ମ ସିଂଙ୍କ ନାମ ସାମନାକୁ ଆସିବା ପରେ ପଛକୁ ହଟି ଯାଇଥିଲେ ଖଡଗେ । ୨୦୧୩ରେ ବି କଂଗ୍ରେସ ବିଧାୟକ ଦଳ ନେତା ଭାବେ ତାଙ୍କର ଚୟନ ହେବାର ଥିଲା । କିନ୍ତୁ ସେତେବେଳେ ସିଦ୍ଧରମୈୟାଙ୍କୁ ଚୟନ କରିଥିଲା କଂଗ୍ରେସ । ୧୯୮୦ପରେ ସମସ୍ତ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ତୁଲାଇଥିଲେ ମଲ୍ଲିକାର୍ଜୁନ । ହେଲେ ରାଜ୍ୟ ରାଜନୀତିରେ ଲିଙ୍ଗାୟତ ସମୁଦାୟ କାରଣରୁ ମୁଖ୍ୟମନ୍ତ୍ରୀ ହୋଇପାରିନଥିଲେ ସେ । ୮ଟି ଭାଷା ଜାଣିଥିବା ଖଡଗେଙ୍କୁ ମରାଠି ଭାଷା ବି ଭଲଭାବେ ଜଣାଥିଲା । ଏଥିପାଇଁ ୨୦୧୮ରେ ପାର୍ଟି ତାଙ୍କୁ ମହାରାଷ୍ଟ୍ର ଦାୟିତ୍ବ ଦେଇଥିଲା ।

 

 

 

AICC ସଭାପତି ଭାବେ ବିଜୟୀ ହେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: AICC ସଭାପତି ଭାବେ ବିଜୟୀ ହେଲେ ମଲ୍ଲିକାର୍ଜୁନ ଖଡଗେ । ଖଡଗେଙ୍କୁ ୮ହଜାର ଅଧିକ ଭୋଟ ମିଳିଥିବା ବେଳେ ଶଶୀ ଥରୁରଙ୍କୁ ମାତ୍ର ୧ହଜାର ୬୦ ଭୋଟ ମିଳିଥିବା ସୂଚନା ମିଳିଛି । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ପ୍ରକାଶ ପାଇଛି ଫଳାଫଳ । ଉଭୟ ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ କାଉଣ୍ଟିଂ ଏଜେଣ୍ଟ ଓ ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା ।

ବିଭିନ୍ନ ରାଜ୍ୟରୁ ଆସିଥିବା ବାଲାଟ ବକ୍ସକୁ ଏକାଠି କରାଯିବା ପରେ ଗଣତି ଆରମ୍ଭ ହୋଇଥିଲା । ସେପଟେ ଭୋଟିଂରେ ଅନିୟମିତା ହୋଇଥିବା ଶଶୀ ଥରୁରଙ୍କ କାଉଣ୍ଟିଂ ଏଜେଣ୍ଟ ଅଭିଯୋଗ କରିଛନ୍ତି।

୨୦୧୪, ୨୦୧୯ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ସଂଗଠନ ଦୁର୍ବଳ ଆଦି ଅନେକ ସମସ୍ୟାରେ ଘେରି ରହିଛି କଂଗ୍ରେସ । ଦଳୀୟ ନେତୃତ୍ବ ଦୃଢ଼ ନଥିବା ଦର୍ଶାଇ ବହୁ ବଡ଼ ବଡ଼ ନେତା ମଧ୍ୟ ଦଳ ଛାଡ଼ିଛନ୍ତି । ତେବ ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ନୂଆ ଦିଶା ମିଳିବ ବୋଲି କୁହାଯାଉଛି ।

ସାରା ୟୁକ୍ରେନରେ ଶକ୍ତି ସଙ୍କଟ, ଅନ୍ଧାରରେ ପ୍ରାୟ ଏଗାର ଶହ ସହର

କିଭ୍‌: ସାରା ୟୁକ୍ରେନରେ ଶକ୍ତି ବିପର୍ଯ୍ୟୟ । ଅନ୍ଧାର ଭିତରେ ପ୍ରାୟ ଏଗାର ଶହ ସହର । ଦେଶର ଶକ୍ତି ପ୍ରକଳ୍ପ ଗୁଡିକୁ ଋଷ ଧ୍ବଂସ କରିବାରେ ଲାଗିଥିବା ବେଳେ ସ୍ଥିତି ଅତି ବିପର୍ଯ୍ୟୟ ହୋଇଛି । ଏହା ସହ ଅନେକ ଜଳଯୋଗାଣ ପ୍ରକଳ୍ପ ବି ଧ୍ବଂସ ହୋଇଛି । ଫଳରେ ୟୁକ୍ରେନରେ ହାହାକାରମୟ ପରିବେଶ ସୃଷ୍ଟି ହୋଇଛି । କିଛି ଦିନ ଧରି ଋଷ ପକ୍ଷରୁ ୟୁକ୍ରେନର 16ଟି ଅଞ୍ଚଳର ପ୍ରମୁଖ ସହର, ଶକ୍ତି ପ୍ରକଳ୍ପ ଉପରେ 190ରୁ ଅଧିକ ମିସାଇଲ, କାମିକେଜେ ଡ୍ରୋନ ଓ ଗୋଳାମାଡ ହୋଇଛି ବୋଲି କୁହାଯାଇଛି ।

ଜିତୋମି, ଖାରକିବ, ଦୋନେସ୍କ, ଜେପୋରିଜିୟା, ଲୁଗାନସ୍କ, ଖେରସନ ସମେତ ପ୍ରମୁଖ ସହରରେ ଅନ୍ଧକାର ଜାରି ରହିଛି । ଗତ 10 ଦିନ ମଧ୍ୟରେ ଋଷ ହମଲାରେ 70ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ 240ରୁ ଅଧିକ ଲୋକ ଆହତ ହୋଇଛନ୍ତି । 380ରୁ ଅଧିକ କୋଠା ଧରାଶାୟୀ ହୋଇଛି । ସେପଟେ ଋଷକୁ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇପାରୁଥିବା ମିସାଇଲ ଓ ଡ୍ରୋନ ଯୋଗାଇବାକୁ ଘୋଷଣା କରିଛି ଇରାନ ।

ୟୁକ୍ରେନକୁ ନାଟୋର ସହାୟତା ଅଧିକରୁ ଅଧିକ ହେଉଥିବା ବେଳେ ଇରାନର ଏହି ଘୋଷଣା ଆମେରିକାକୁ ଅଧିକ ଉତ୍ତେଜିତ କରିଛି । ଇରାନର ଏହି ଘୋଷଣା ଅନୁସାରେ ଋଷକୁ ଅତି ଶକ୍ତିଶାଳୀ ଫେତହ ଓ ଜୋଲଫାଗର ମିସାଇଲ ଏବଂ ସାହିଦ-136 ଡ୍ରୋନ ମିଳିବ । ସାହିଦ-136 ଡ୍ରୋନ ଲକ୍ଷ୍ୟସ୍ଥଳୀ ଭେଦ କରିବା ସହ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ହାସଲ କରିଛି । ଫତେହ ଓ ଜୋଲଫାଗର ମିସାଇଲ ପ୍ରାୟ 700 କିଲୋମିଟର ଦୂରକୁ ଟାର୍ଗେଟ କରିପାରିବେ । ଇରାନର ଅସ୍ତ୍ରଯୋଗାଣ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ଅଳିଆମୁକ୍ତ ସହର ପାଇଁ ଅଣ୍ଟା ଭିଡିଲା ବିଏମସି, ମାଷ୍ଟର କ୍ୟାଣ୍ଟିନରୁ ଆରମ୍ଭ ସଫେଇ

ଭୁବନେଶ୍ବର: ରାଜଧାନୀକୁ ଅଳିଆ ମୁକ୍ତ ସହର କରିବା ପାଇଁ ବିଏମସିର ମାସ୍ କ୍ୟାମ୍ପେନିଂ । ପ୍ରତି ଓ୍ବାର୍ଡର କୋଣ ଅନୁକୋଣରେ ସଫେଇ ଜାରି ରହିଥିବା ବେଳେ ପୂର୍ଣ୍ଣ ମାତ୍ରାରେ ସହଯୋଗ ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ଆଜି ମାଷ୍ଟର କ୍ୟାଣ୍ଟିନ୍ ଠାରୁ ଆରମ୍ଭ ହୋଇଛି ସଫେଇ । ମେୟର ଓ କମିଶନରଙ୍କ ସମେତ ବିଏମସି ଅଧିକାରୀ, କର୍ପୋରେଟର ଓ ସାନିଟାରୀ ଇନ୍ସପେକ୍ଟରମାନେ ସାମିଲ ହୋଇଥିଲେ ।

ଆସନ୍ତା ଏକ ମାସ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ପ୍ରତ୍ୟେକ ୱାର୍ଡରେ ଏକାଧିକ ସ୍ଥାନ ଚିହ୍ନଟ ହୋଇଛି । ଏହି ସବୁ ଜାଗାରେ ସଫେଇ ଅଭିଯାନ ଚାଲିବ । ସେପଟେ ଆଗକୁ ଭୁବନେଶ୍ବର ଅନୁଷ୍ଠିତ ହେବ ହକି ବିଶ୍ବକପ । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅନେକ ଖେଳାଳି ଓ ସାଧାରଣ ଲୋକେ ଭୁବନେଶ୍ୱର ଆସିବେ । ରାଜଧାନୀକୁ ସଫା, ସବୁଜ, ସୁନ୍ଦର କରିବାର ପ୍ରୟାସ ବିଏମସି ଚଲାଇଛି ବୋଲି କହିଛନ୍ତି ମେୟର । ସେହିପରି ଖୁବଶୀଘ୍ର ଭୁବନେଶ୍ବରର ସମସ୍ତ ଡ୍ରେନେଜ ସିଷ୍ଟମକୁ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ର ଦାସ ବିଜେଡିରୁ ବହିଷ୍କୃତ

ଭଦ୍ରକ: ବିଜେଡିରୁ ବିଦା ହେଲେ ରାଜେନ୍ଦ୍ର ଦାସ । ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଦଳ ନିଷ୍ପତ୍ତି ବିରୋଧରେ ଯାଇ ରାଜେନ୍ଦ୍ର ଦାସ ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ହୋଇଛନ୍ତି । ଦଳ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏନେଇ ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।

ଶିବ ମନ୍ଦିରରେ ଅଜବ ଦୃଶ୍ୟ, କ୍ଷୀର ପିଉଛନ୍ତି ବୃଷଭ

ବଲାଙ୍ଗୀର: ଲୋଇସିଂହା ହୀରାପୁର ବନ୍ଧଆଡିରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଶିବ ମନ୍ଦିରରେ ବୃଷଭ ପିଉଛନ୍ତି କ୍ଷୀର । ଦୀର୍ଘ ୫ ବର୍ଷ ହେବ ମନ୍ଦିର ନିର୍ମାଣ ହୋଇଛି । ପ୍ରତିଷ୍ଠା ପରଠୁ ବୃଷଭ ମୂର୍ତ୍ତି କ୍ଷୀର ପିଇବା ପ୍ରଥମ ଘଟଣା । ଧର୍ମମାସ ଚାଲିଥିବାରୁ ମହିଲାମାନେ ସକାଳୁ ନିତ୍ୟକର୍ମସାରି ଗାଁ ଶିବ ମନ୍ଦିରରେ ପୂଜା କରୁଛନ୍ତି ।

ଗତକାଲି ପୂଜା କଲା ବେଳେ ମନ୍ଦିରରେ ଥିବା ବୃଷଭଙ୍କୁ ପାଣି ଓ କ୍ଷୀର ଦେବାବେଳେ ଆପେ ଆପେ ଚାମଚରୁ କ୍ଷୀର କେଉଁଆଡେ ଗାଏବ ହୋଇଯାଉଥିବା ଦେଖିବାକୁ ମିଳିଥିଲା । ବୃଷଭ କ୍ଷୀର ପିଉଥିବା ଖବର ପବନ ବେଗରେ ପ୍ରଚାର ହୋଇଚାଲିଲା । ଏହାପରେ ଆଖପାଖ ଗ୍ରାମର ଲୋକଙ୍କ ଭିଡ଼ ମନ୍ଦିରରେ ଦେଖିବାକୁ ମିଳିଥିଲା । ଗତକାଲି ଦିନସାରା ମହିଳା ମାନେ ବୃଷଭଙ୍କୁ କ୍ଷୀର ଓ ପାଣି ପିଆଉଛନ୍ତି । ଏହି ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଆଜି ପ୍ରକାଶ ପାଇବ ଏଆଇସିସି ଫଳ, ସକାଳ ୧୦ଟାରୁ ଗଣତି

ନୂଆଦିଲ୍ଲୀ:  କିଏ ହେବ ଆଗାମୀ ଏଆଇସିସି ସଭାପତି ? ଆଜି ପ୍ରକାଶ ପାଇବ ଫଳ । ମଲ୍ଲିକାର୍ଜ୍ଜୁନ ଖଡଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ଟକ୍କର । ନୂଆ ସଭାପତି ବାଛିଛନ୍ତି ଦେଶର ୯ ହଜାରରୁ ଅଧିକ ପିସିସି ସଦସ୍ୟ । ମତଦାନ ହାର ରହିଛି ୯୬ ପ୍ରତିଶତ । ଦେଶର ୬୫ କେନ୍ଦ୍ରରେ ମତଦାନ ହୋଇଛି । ଅଧିକାଂଶ ସଦସ୍ୟ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ସମର୍ଥନ କରିଥିବା ଜଣାପଡିଛି । ସକାଳ ୧୦ଟାକୁ ଭୋଟ ଗଣତି ଆରମ୍ଭ ହେବ  ।

ତେବେ ଯିଏ ବି ସଭାପତି ହୁଅନ୍ତୁ ତାହା କଂଗ୍ରେସର ବିଜୟ ହେବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି । ଦିଲ୍ଲୀରେ କଂଗ୍ରେସ ଅନ୍ତରୀଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭୋଟ ଦେଇଥିଲ । ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ, ଜୟରାମ ରମେଶ ପ୍ରମୁଖ ଦିଲ୍ଲୀରେ ମତଦାନ କରିଥିଲେ । ସେହିପରି ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ କର୍ଣ୍ଣାଟକର ବେଲାରୀରେ ଭୋଟ ଦେଇଥିଲେ ।

ଦଳର ବରିଷ୍ଠ ନେତା ଦିଗବିଜୟ ସିଂ, ମନୀଷ ତିଓ୍ବାରୀ, ଅଶୋକ ଗେହଲଟ, ଏ.କେ. ଆଣ୍ଟୋନୀ, ଅଜୟ ମାକେନ, ଅମ୍ବିକା ସୋନି, ଭୂପିନ୍ଦର ସିଂ ହୁଡା , ପୃଥ୍ବୀରାଜ ଚୌହ୍ବାନ ପ୍ରମୁଖ ମଲ୍ଲିକାର୍ଜ୍ଜୁନ ଖାଡଗେଙ୍କୁ ସମର୍ଥନ କରିଥିଲେ । ଗତକାଲି ସମସ୍ତ ବାଲାଟ ବକ୍ସ ଦିଲ୍ଲୀକୁ ନିଆଯାଇଥିଲା । ଆଜି ଭୋଟ ଗଣତି ପରେ ଫଳାଫଳ ପ୍ରକାଶ ପାଇବ ।