ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟିତ

ରାଉରକେଲା: ସୁନ୍ଦରଗଡ଼ରେ ୪୧୭ କୋଟି ୭୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ମେଡିକାଲ କଲେଜରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଏହି ହସପିଟାଲ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ସହ ମେଡିକାଲ ଶିକ୍ଷାର ବିକାଶରେ ସହାୟକ ହେବ । ୧୦୦ଟି ସିଟରେ ମେଡିକାଲ ପାଠ୍ୟକ୍ରମ ପାଇଁ ଅନୁମତି ପାଇଛି ଏହି ମେଡିକାଲ କଲେଜ୍ ।

ମେଡିକାଲ କଲେଜର ସମସ୍ତ ସିଟରେ ଦେଶର ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେହିପରି ରାଜ୍ୟ ସରକାରୀ ସ୍କୁଲରେ ପାଠ ପଢ଼ିଥିବା ୧୨ ଜଣ ଛାତ୍ର ଏହି ମେଡିକାଲ କଲେଜରେ ରାଜ୍ୟ କୋଟାରେ ନାମ ଲେଖାଇଛନ୍ତି । ମେଡିକାଲ କଲେଜ ସହ ସୁନ୍ଦରଗଡ଼ ଜିଲ୍ଲାର ୧୧ ଶହ ୯ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୩୫୯ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ହୋଇଛି । ଡିଏଭି ପୋଖରୀ ନିକଟରେ ସୁନ୍ଦରଗଡ଼ବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ସ୍ଥାପନ କରିଛନ୍ତି ନବୀନ ।