spot_img
Home Blog Page 3745

ନଭେମ୍ବର ୨୩ରୁ ୩୦ ମାଟ୍ରିକ ସମ୍ମେଟିଭ୍ ଆସେସମେଣ୍ଟ-୧, ପରୀକ୍ଷା ଦେବେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

କଟକ: ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ସମ୍ମେଟିଭ୍-୧ ପରୀକ୍ଷା । ରାଜ୍ୟର ୩ ହଜାର ୨୯ଟି କେନ୍ଦ୍ରରେ ପରୀକ୍ଷା ହେବ । ନଭେମ୍ବର ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ସମ୍ମେଟିଭ୍ ପରୀକ୍ଷା ଚାଲିବ । ନଭେମ୍ବର ୨୩ରେ ଇଂରାଜୀ, ୨୫ରେ ଗଣିତ, ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟିକାଲ୍, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଓ ୩୦ରେ ତୃତୀୟ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜିଠାରୁ ଆଡମିଟ୍ କାର୍ଡ ନେଇପାରିବେ ଛାତ୍ରଛାତ୍ରୀ । ବୋର୍ଡ ଓ୍ବେବସାଇଟରୁ ଆଜିଠୁ ଛାତ୍ରଛାତ୍ରୀ ଡାଉନଲୋଡ କରିପାରିବେ । ଦିନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କେବଳ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ ସମୟ ମିଳିବ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ୍ କରିଛନ୍ତି । ୩୦୨୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ । ସେହିପରି ୩୧୬ ନୋଡାଲ ସେଣ୍ଟର ପ୍ରଶ୍ନପତ୍ର କଡ଼ା ସୁରକ୍ଷାରେ ରହିବ । ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ କେହି ବି ନେଇପାରିବେ ନାହିଁ । ପରୀକ୍ଷାର୍ଥୀ କେବଳ ପେନ୍ ଓ ଆଡମିଟ କାର୍ଡ ବ୍ୟତୀତ ଅନ୍ୟ କିଛି ନେବେନି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି, ମାସିକ ପାରିଶ୍ରମିକ ୩ ହଜାର ୨୦୦ ଟଙ୍କାରୁ ୫ ହଜାର ୩୭୯ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବହୁଭାଷୀ ଶିକ୍ଷକମାନଙ୍କ ଦରମା ବୃଦ୍ଧି । ରାଜ୍ୟ ସରକାର ବହୁଭାଷୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମାସିକ ଦରମା ୩୨୦୦ ଟଙ୍କାରୁ ୫୩୭୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ମାସିକ ୩୨୦୦ ଟଙ୍କାରେ ବହୁଭାଷୀ ଶିକ୍ଷକମାନେ ଅସୁବିଧାରେ ଚଳୁଥିଲେ । ସେମାନେ ନିଜର ଦାୟିତ୍ବକୁ ସୁଚାରୁରୂପେ ନିର୍ବାହ କରୁଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

୨୦୦୭-୦୮ ବହୁଭାଷୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଅନୁକୁଳ ଶିକ୍ଷାଦାନ ଏବଂ ଅନୁସୁଚିତ ଜାତି ଜନଜାତି ପିଲାଙ୍କୁ ନିଜ ମାତୃଭାଷାରେ ଶିକ୍ଷା ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିବା ପାଇଁ ୨୨୧ ଜଣ ବହୁଭାଷୀ ଶିକ୍ଷକ ନିଯୁକ୍ତି ହୋଇଥିଲେ । ସେମାନେ କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଚ, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ସୁଚାରୁରୂପେ ଦାୟିତ୍ବ ନିର୍ବାହ କରିଆସୁଛନ୍ତି ।

ବର୍ଷାରେ ବେହାଲ ପରେ ଚେନ୍ନାଇରେ ଚାଲିଛି ମାଛଧରା

ଚେନ୍ନାଇ: ବର୍ଷାରେ ବେହାଲ ହେବା ପରେ ଚେନ୍ନାଇରେ ଚାଲିଛି ମାଛଧରା । ମେଟ୍ରୋରେ ଲଗାତାର ବର୍ଷା ହେବାରୁ ଜନଜୀବନ ବିପର୍ଯ୍ୟସ୍ତ ହୋଇଥିବାବେଳେ ସହର ଉପକଣ୍ଠରେ ରହିଥିବା କେତେକ ରିଜର୍ଭରରୁ ପାଣି ପ୍ରବାହିତ ହୋଇଛି । ସେପଟେ ରିଜର୍ଭରରୁ ପ୍ରଚୁର ମାଛ ପଦାକୁ ଆସୁଥିବା ବେଳେ ଧରିବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଶହ ଶହ ଲୋକ ବିଭିନ୍ନ ଉପାୟରେ ମାଛ ଧରିବାର ଦୃଶ୍ୟ କଏଦ ହୋଇଛି ।

ସେପଟେ ରାମେଶ୍ବରମେ ବି ଜାରି ରହିଛି ବର୍ଷା । ପ୍ରବଳ ବର୍ଷା ଯୋଗୁ ଜୀବନଯାତ୍ରା ପ୍ରବାହିତ ହୋଇଛି । ସହରର ଗଳିକନ୍ଦିରେ ପାଣି ପଶିବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛ । ବର୍ଷା ଯୋଗୁ ତାମିଲନାଡ଼ୁରେ ଆଜି ସମସ୍ତ ସ୍କୁଲ ବନ୍ଦ ରହିଛି ।

ପ୍ରଦୀପ ମାଝୀଙ୍କୁ ନୂଆ ଦାୟିତ୍ୱ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ନେଲେ ଦାୟିତ୍ୱ

ଭୁବନେଶ୍ୱର: ପ୍ରଦୀପ ମାଝୀଙ୍କୁ ନୂଆ ଦାୟିତ୍ୱ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ଦାୟିତ୍ବ ନେଲେ ବିଜେଡି ନେତା ପ୍ରଦୀପ ମାଝୀ । ରାଜ୍ୟର ୯ଟି ଆଦିବାସୀ ଅଧ୍ୟୁସିତ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟ କରୁଛି । ରାଜ୍ୟ ସରକାର ସର୍ବଦା ଆଦିବାସୀ ଓ ଜନଜାତି ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ, ପ୍ରଦୀପ ମାଝୀ ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟକୁ ନୂଆ ଦିଗ ଦେବେ ।

ଗାଧ୍ବୀ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଇସୁଦାନ ଗାଧ୍ବୀ। ଏନେଇ ଘୋଷଣା କରିଛନ୍ତି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ବାଲ । ଭୋଟରଙ୍କ ଚଏସ ଅନୁସାରେ ଗାଧ୍ବୀଙ୍କୁ ସିଏମ ପ୍ରାର୍ଥୀ ଘୋଷଣା କରାଯାଇଛି ।

ଗାଧ୍ବୀ ହେଉଛନ୍ତି ଗୁଜରାଟର ଜଣେ ଲୋକପ୍ରିୟ ଟିଭି ସାମ୍ବାଦିକ ଓ ଆଙ୍କର। ଭିଟିଭି ନ୍ୟୁଜ୍‌ରେ ତାଙ୍କର କାର୍ଯ୍ୟକ୍ରମ ମହାମନ୍ଥନ ରାତି ୮ଟାରୁ ୯ଟା ଯାଏ ଚାଲୁଥିଲା କିନ୍ତୁ ଲୋକଙ୍କ ଡିମାଣ୍ଡ ବଢ଼ିବାରୁ ତାହା ୯ଟା ୩୦ ଯାଏ ଚାଲିଲା। ଏହି କାର୍ଯ୍ୟକ୍ରମର ଲକ୍ଷ ଲକ୍ଷ ଦର୍ଶକ ଥିଲେ।

ଗାଧ୍ବୀ ଖାମ୍ବଲିଆ, ଜାମନଗର ଓ ଅହମଦାବାଦରେ ଅଧ୍ୟୟନ କରିଛନ୍ତି। ସେ ଜଣେ କମର୍ସ ଗ୍ରାଜୁଏଟ ଏବଂ ଗୁଜରାଟ ବିଦ୍ୟାପୀଠ, ଅହମଦାବାଦରୁ ୨୦୦୫ରେ ସେ ଜର୍ଣ୍ଣାଲିଜିମ୍ ଓ ମାସ୍ କମ୍ୟୁନିକେସନରେ ମାଷ୍ଟର ଡିଗ୍ରୀ କରିଛନ୍ତି।

ମାତ୍ର ୩୨ ବର୍ଷ ବୟସରେ ଭିଟିଭି ନ୍ୟୁଜ୍‌ର ଏଡିଟର ହୋଇପାରିଛନ୍ତି। ୨୦୦୧ ଜୁନ୍ ପହିଲାରେ ସେ ତାଙ୍କ ଟିଭି ଚାକିରି ଛାଡ଼ି ଜୁନ୍ ୧୪ରେ ଆପ୍‌ରେ ଯୋଗ ଦେଇଛନ୍ତି। ତେବେ ବିଜେପି ଓ କଂଗ୍ରେସରୁ ମଧ୍ୟ ତାଙ୍କୁ ଅଫର ମିଳିଥିଲା ।

ଜନ ଔଷଧି କେନ୍ଦ୍ରରେ ବି ନକଲି ଔଷଧ

ଭୁବନେଶ୍ବର: ରାଜ୍ୟରେ ପୁଣି ନକଲି ଔଷଧର କାରବାର ଅଭିଯୋଗ । ଏଥର ଜନ ଔଷଧି ଭଳି ସରକାରୀ ସଂସ୍ଥା ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଜନ ଔଷଧି କେନ୍ଦ୍ରରେ ମିଳୁଥିବା ବିପି ବା ରକ୍ତ ଚାପ ଔଷଧ ଟେଲମିସର୍ଟନ 40 ଔଷଧ ନକଲି ଥିବା ଅଭିଯୋଗ ହୋଇଛି ।

ଔଷଧର ଖୋଳରେ ଥିବା ବାର କୋଡକୁ ସ୍କାନ କଲେ ତାହା ଔଷଧ କମ୍ପାନୀ ବଦଳରେ ଏକ ମେଥ ସଲ୍ୟୁସନର ଠିକଣା ଦେଖାଉଛି । ଏପରିକି ଔଷଧ ଷ୍ଟ୍ରିପରେ ଥିବା ବାର୍ କୋଡ୍ ଆଦୌ ସ୍କାନ ହେଉନାହିଁ ।

ଯାହା ଔଷଧର ବୈଧତାକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏନେଇ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ନିକଟରେ ଅଭିଯୋଗ ପରେ ଆରମ୍ଭ ହୋଇଛି ତନାଘନା । ନିର୍ଦ୍ଦେଶାଳୟ ପକ୍ଷରୁ ସମ୍ପୃକ୍ତ ଔଷଧର ନମୁନା ସଂଗ୍ରହ କରି ରାଜ୍ୟ ଟେଷ୍ଟିଂ ଲ୍ୟାବକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନଔଷଧି କେନ୍ଦ୍ରରେ କମ ମୂଲ୍ୟରେ ଔଷଧ ଯୋଗାଇବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ବେଳେ, ଏହା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି ।

ହେଲେ ଏଠାରେ ଏଭଳି ନକଲି ଔଷଧ କାରବାର ସମସ୍ତଙ୍କୁ ଚକିତ କରିଛି । ତୁରନ୍ତ ଘଟଣାର ତଦନ୍ତ କରିବାକୁ ଖୋର୍ଦ୍ଧା ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସେସିଏସନର ସଭାପତି ଦାବି କରିଛନ୍ତି । ସେପଟେ ଟେଷ୍ଟିଂ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କହିଛନ୍ତି ରାଜ୍ୟ ଔଷଧ ନିୟନ୍ତ୍ରକ ।

ଘନାଉଛି କୋରିଆ ବିବାଦ, ସୀମାରେ ଠୁଳ ହେଲେଣି ୧୮୦ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଘନୀଭୂତ ହେବାରେ ଲାଗିଛି କୋରିଆ ବିବାଦ । ଦକ୍ଷିଣ କୋରିଆ ସୀମା ନିକଟରେ ୧୮୦ରୁ ଅଧିକ ଉତ୍ତରକୋରିଆ ଯୁଦ୍ଧବିମାନ ଦୃଶ୍ୟମାନ ହୋଇଛି ବୋଲି ଅଭିଯୋଗ କରିଛି ଦକ୍ଷିଣକୋରିଆ ।

ଦକ୍ଷିଣ କୋରିଆକୁ ଉତ୍ତରକୋରିଆ ବିଭିନ୍ନ କ୍ଷେତ୍ରରେ ଟାର୍ଗେଟ କରିଚାଲିଥିବାବେଳେ ମିସାଇଲ ପରୀକ୍ଷା ଓ ଯୁଦ୍ଧ ବିମାନ ଉଡାଣ ଏହି ସମସ୍ୟାକୁ ବହୁଗୁଣିତ କରିଛି ।

ଆଜି ଆମେରିକା ଓ ଦକ୍ଷିଣ କୋରିଆର ମିଲିଟାରୀ ଡ୍ରିଲର ଶେଷ ଦିନ ହୋଇଥିବାବେଳେ ଗତକାଲି ଉତ୍ତରକୋରିଆ ପରୀକ୍ଷା କରିଥିଲା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ବା ଆଇସିବିଏମ । ଗତ ୨ ତାରିଖରେ ଉତ୍ତରକୋରିଆ ଲଗାତାର ୨୩ଟି ମିସାଇଲ ପରୀକ୍ଷା ପରେ ବଢିଥିଲା ଟେନସନ ।

ଛଟେଇ ହେଉଛନ୍ତି ଟ୍ବିଟର କର୍ମଚାରୀ, ଆସୁଛି ବ୍ୟକ୍ତିଗତ ମେଲ୍

ନୂଆଦିଲ୍ଲୀ: ପୁଣି ଡାଉନ ହେଲା ଟ୍ବିଟର । ସମସ୍ୟା ଭୋଗିଲେ ୟୁଜର୍ । ଅନେକ ୟୁଜର୍ସ ଏନେଇ ଅଭିଯୋଗ କରିଛିନ୍ତି । ଟୁଇଟରରେ ସମସ୍ୟା ଯୋଗୁ କିଛି ଉପଭୋକ୍ତାଙ୍କ ଆକାଉଣ୍ଟ ଲଗଇନ୍ ହେଇପାରିନଥିଲା ।

ତେବେ କିଛି ସମୟ ପରେ ଏହି ତ୍ରୁଟି ସୁଧୁରିଥିବା ସୂଚନା ମିଳିଛି । ଭୋର୍ ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଟୁଇଟରରେ ଏହି ସମସ୍ୟା ଉପୁଜିଥିଲା । ସେପଟେ ଆଜିଠାରୁ ଆରମ୍ଭ ହୋଇଛି ଟୁଇଟର କର୍ମଚାରୀଙ୍କୁ ଛଟେଇ ପ୍ରକ୍ରିୟା ।

କର୍ମଚାରୀଙ୍କ ନିକଟକୁ ଏନେଇ ଇ-ମେଲ ଆସୁଥିବା ସୂଚନା ମିଳିଛି । ବ୍ୟକ୍ତିଗତ ଭାବେ ଇମେଲରେ ମେସେଜ ଆସୁଥିବାବେଳେ ସେମାନଙ୍କୁ ରଖାଯିବ କି ଛଟେଇ କରାଯିବ ତାହାର ସୂଚନା ଦିଆଯାଉଛି ।

ଖସୁଛି ଚୀନ ରକେଟ, ଯେ କୌଣସି ସ୍ଥାନରେ ପଡ଼ିପାରେ

ନୂଆଦିଲ୍ଲୀ: ଖସୁଛି ଚୀନ ନିର୍ମିତ ରକେଟ । ପୃଥିବୀର ଯେ କୌଣସି ସ୍ଥାନରେ କରିପାରେ କ୍ରାସ । ବାୟୁମଣ୍ଡଳରେ ଏହା ଘୂରିବା ସହ କୌଣସି ମୁହୂର୍ତ୍ତରେ ଏହା ଖସିବା ଆଶଙ୍କା ରହିଛି ।

ଗତ ୨ ବର୍ଷ ମଧ୍ଯରେ ଚତୁର୍ଥ ଥର ଲାଗି ଏହି ଧରଣର ଘଟଣା ଘଟିବାକୁ ଯାଉଛି । ଏହି ରକେଟ ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବା ସୂଚନା ମିଳିଛି । ଏହି ରକେଟ ଖସିପଡ଼ିବା ଘଟଣାରେ ଚୀନକୁ ସମାଲୋଚନା କରିଛନ୍ତି ଆମେରିକା ଓ ୟୁରୋପ ।

ରକେଟ ଖସିପଡିବା ଘଟଣା ପ୍ରତି ୧୦ ହଜାରରେ ଗୋଟିଏ ହୋଇଥିବାବେଳେ ଚୀନ କ୍ଷେତ୍ରରେ ଏହା କାହିଁକି ଘଟୁଛି ବୋଲି ଦୁଇ ରାଷ୍ଟ୍ର ପ୍ରଶ୍ନ କରିଛନ୍ତି । ଲଙ୍ଗ ମାର୍ଚ୍ଚ ୫-ବି ରକେଟକୁ ଗତ ଅକ୍ବୋବର ୩୧ ତାରିଖରେ ଲଞ୍ଚ କରାଯାଇଥିଲା । ଚୀନର ସ୍ପେସ୍ ଷ୍ଟେସନ ତିଆଙ୍ଗଗଙ୍ଗରେ ଏହା ରହିବାର ଥିଲା । ମାତ୍ର ଲଞ୍ଚ ହେବା ପରେ ପରେ ଏହା କକ୍ଷଚ୍ୟୁତ ହୋଇଥିଲା ।

ଗୁଜରାଟରେ କିଏ ହେବ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ?

ଗୁଜରାଟ: ଗୁଜରାଟରେ କିଏ ହେବ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ନାୟକ ଇସୁଦାନ ଗାଧ୍ବୀ ନା ପଟିଦାର ଗୋପାଳ ଇଟାଲିଆ ? ଆମ୍ ଆଦ୍‌ମୀ ପାର୍ଟି ତା’ର ପଞ୍ଜାବ ନୀତି ଗୁଜରାଟରେ ଆପଣାଇଛି।

ଗୁଜରାଟରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ଏ ନେଇ ଆପ୍ ଜନସାଧାରଣଙ୍କ ମତ ଲୋଡ଼ିଛି । ଦଳର ଆଭିମୁଖ୍ୟ ଯାହା ବି ହେଉନା କାହିଁକି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଲଢ଼େଇ ବର୍ତ୍ତମାନ ଦୁଇଜଣଙ୍କ ଭିତରେ ହେଉଛି।

ସେମାନେ ହେଉଛନ୍ତି, ଦଳର ଜାତୀୟ ଯୁଗ୍ମ ସଚିବ ଇସୁଦାନ ଗାଧ୍ବୀ ଏବଂ ରାଜ୍ୟ ସଭାପତି ଗୋପାଳ ଇଟାଲିଆ। ଏକ ତୃତୀୟ ବିକଳ୍ପ ମଧ୍ୟ ଦଳ ଖୋଲା ରହିଛି, ଯଦି କୌଣସି ତୃତୀୟ ବ୍ୟକ୍ତିଙ୍କ ସପକ୍ଷରେ ଅଧିକ ଜନମତ ମିଳେ ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ।

ତେବେ ତା’ର ସମ୍ଭାବନା ବହୁତ କମ୍। ସେପଟେ ଆଜି କଂଗ୍ରେସ ମଧ୍ୟ ଆଜି ଗୁଜରାଟରେ ସିଏମ୍‌ ପ୍ରାର୍ଥୀ ଘୋଷଣା କରିପାରେ । ଗତକାଲି ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରଜନୀତି ପାଣିପାଗ ସରଗରମ ହୋଇଛି ।