ପରଜଙ୍ଗରେ ହାତୀ ଆତଙ୍କ, ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ଢେଙ୍କାନାଳ: ପରଜଙ୍ଗରେ ହାତୀ ଆତଙ୍କ । ବୃଦ୍ଧ ଓ ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା । ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପରଜଙ୍ଗ ଅଞ୍ଚଳର ଘଟଣା । ଦନ୍ତା ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଡିହଡୋଳ ଫରେଷ୍ଟ ସେକ୍ସନ ଖାଲପାଳ ଗାଁର ବୃଦ୍ଧ ଅଲେଖ ନାୟକ ଶୌଚ ହେବାକୁ ଯାଇ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଘର ପାଖ ପଡ଼ିଆରେ ଦନ୍ତା ହାତୀ ତାଙ୍କୁ କଚାଡି ମାରିଥିବା ସୂଚନା ମିଳିଛି ।

ସେହିପରି ପରଜଙ୍ଗ ଗଣ୍ଡତଇଳା ଗାଁର ବାରି ନାୟକଙ୍କୁ ଘର ପାଖ ବାଡ଼ିରେ କଚାଡି ମାରିଛି ଦନ୍ତା । ଘନ କୁହୁଡ଼ି ଯୋଗୁଁ ହାତୀଟିକୁ ଦେଖି ପାରିନଥିଲେ ବାରି । ଦନ୍ତା ହାତୀଟି ଶୁଣ୍ଢରେ ବାରି ନାୟକଙ୍କୁ କଚାଡି ମାରିଥିଲା । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଚଳାଇଛି । ସେପଟେ ହାତୀ ଆକ୍ରମଣକୁ ନେଇ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି ।