କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କ୍ରିସ ହିପକିନ୍ସ ହେବେ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଜାସିଣ୍ଡା ଆର୍ଡେର୍ଣ୍ଣଙ୍କ ସ୍ଥାନରେ ଦାୟିତ୍ବ ସମ୍ଭାଳିବେ ହିପକିନ୍ସ । ଏନେଇ ଘୋଷଣା କରିଛି ଲେବର ପାର୍ଟି । ଗତ ଗୁରୁବାର ଜାସିଣ୍ଡାଙ୍କ ଅଚାନକ ଇସ୍ତଫା ପରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ବରିଷ୍ଠ ରାଜନେତା ହିପକିନ୍ସଙ୍କୁ ଶେଷରେ ପ୍ରଧାନମନ୍ତ୍ରୀ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ଅକ୍ଟୋବର ୧୪ରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଦଳର ନେତୃତ୍ବ ନେବେ ହିପକିନ୍ସ ।

ବର୍ତ୍ତମାନ ହିପକିନ୍ସ ଦେଶର ପୋଲିସ ଓ ଶିକ୍ଷା ବିଭାଗ ମନ୍ତ୍ରୀ ଅଛନ୍ତି । ଦରବୃଦ୍ଧି, ଦାରିଦ୍ର୍ୟ, ଅପରାଧ ଆଦି କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେଉଥିବା ଦଳ ହିପକିନ୍ସଙ୍କ ନେତୃତ୍ବରେ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଆସନ୍ତାକାଲି ଦଳର ବୈଠକରେ ହିପକିନ୍ସଙ୍କ ପ୍ରସଙ୍ଗରେ ବିଧିବଦ୍ଧ ଘୋଷଣା କରାଯିବ ।